Unknown

 

 

 

 

 

 

 

 

 

 

 

ଘର ବାହୁଡ଼ା

ଶ୍ରୀ କିଶୋରୀ ଚରଣ ଦାସ

 

 

 

 

 

 

 

 

 

 

 

ମୋର ପିତୃପ୍ରତିମ ସ୍ୱର୍ଗୀୟ ଭୁବନାନନ୍ଦ ଦାସଙ୍କ

ସ୍ମୁତି ଉଦ୍ଦେଶ୍ୟରେ ଏହି ବହିଟିକୁ ଅର୍ପଣ କଲି–

 

କେଶ

 

ନିଜକଥା

 

ମୋର ଏହି ଛଅଟି ଗଳ୍ପ ସମ୍ପର୍କରେ ପଦେ ଅଧେ କହିବା ଉଚିତ୍‍ ହେବ ବୋଲି ମୁଁ ମନେ କରୁଛି । ପ୍ରଥମତଃ ପ୍ରତି ଗଳ୍ପ ବିଦେଶର ପୃଷ୍ଠଭୂମିରେ ଲେଖା ହୋଇଛି । ନିକଟରେ ମୁଁ ପ୍ରାୟ ତିନିବର୍ଷ ଯୁକ୍ତରାଷ୍ଟ୍ରର ରାଜଧାନୀ ୱାଶିଙ୍ଗ୍‌ଟନରେ ଥିଲି ଏବଂ ସେହିଠାରୁ ଦକ୍ଷିଣ ଆମେରିକାର ବିଭିନ୍ନ ଅଞ୍ଚଳକୁ ଯିବାର ସୁଯୋଗ ପାଇଥିଲି । ତାହା ପୂର୍ବରୁ ଅଳ୍ପଦିନପାଇଁ ଦକ୍ଷିଣ ପୂର୍ବ ଏସିଆକୁ ଯାଇଥିଲି । ଏହିସବୁ ବିଦେଶଭୂମିର ବିଚିତ୍ର-ନୂତନ ପରିବେଶରେ ମୋର ଦେଶବାସୀମାନେ କେତେ ଭାବରେ ଧାବିତ, ଉନ୍ନତି, ଉତ୍‌କ୍ଷିପ୍ତ, ତଥା ବ୍ୟଥିତ ହୁଅନ୍ତି, କେତେ ସଂଘାତର ମୁକାବିଲା କରିବାକୁ ଯାଇ ଛଟପଟ ହୁଅନ୍ତି, ତା’ର ସାମାନ୍ୟ ଅନୁଭୂତି ମୋର ମନକୁ ଛୁଇଁଛି । ପୁଣି ଘରକୁ ଫେରିଆସି ନିଜ ଦେଶକୁ ନୂଆ ଆଖିରେ ଦେଖିବାର ବିସ୍ମୟ ଓ ବେଦନା,—ତା’ର ମୂଲ୍ୟ ନିଆରା । ଏହି ହେଉଛି ଗଳ୍ପଗୁଡ଼ିକର ସାଧାରଣ ଗୁଣ ।

 

ଆଉ ଗୋଟିଏ କଥା । ଗଳ୍ପଗୁଡ଼ିକ ଅପେକ୍ଷାକୃତ ବଡ଼ । ତା’ର କାରଣ ମୁଁ ବର୍ଣ୍ଣନାର ଲୋଭ ସମ୍ଭାଳିପାରି ନାହିଁ । ମୁଁ ଭ୍ରମଣକାହାଣୀ ଲେଖିବାକୁ ଯାଇ ନାହିଁ; ତଥାପି ଅପର-ଅପରୂପ ଦୃଶ୍ୟର ଉପଭୋଗ ଆଣିଦେବା ପାଇଁ ହୁଏତ ମୋର କଲମକୁ ଅଧିକ ସ୍ଵାଧୀନତା ଦେଇଛି । ଏ ହେତୁ ପାଠକପାଠିକାମାନେ କ୍ଳାନ୍ତ ହେବେ ନାହିଁ ବୋଲି ମୋର ବିଶ୍ୱାସ ।

 

କଲିକତା

ଶ୍ରୀ କିଶୋରୀ ଚରଣ ଦାସ

ଜାନୁଆରୀ ୧୯୬୭

 

Image

 

ସୂଚୀପତ୍ର

 

୧.

ଆମରି ଭିତରୁ ଜଣେ

୨.

କାନ୍ଦୁରୀ

୩.

ଚୁମ୍ବନ

୪.

ସାଏଗନରେ ସୁଖ

୫.

ଭଗବାନଙ୍କ ଛବି

୬.

ଘର ବାହୁଡ଼ା

Image

 

ଆମରି ଭିତରୁ ଜଣେ

 

ଟେଲିଭିଜନରେ ପାଣିପାଗ ଖବର ଆସିଥିଲା ଯେ ସନ୍ଧ୍ୟାବେଳକୁ ବରଫ ପଡ଼ିବାର ସମ୍ଭାବନା ଅଛି । ସେ ଥିଲା ମଧ୍ୟାହ୍ନର ଖବର; ଜନୈକ ଜନ୍ ଡଗ୍‍ଲାସ୍ ସସ୍ମିତ ବଦନରେ କୌଣସି ନଖ ସଫା ରଖିବାର ନୂତନ ଉପାଦାନର ବିଜ୍ଞାପନ ସହିତ ଖବରଟି ଦେଇଥିଲେ । ସବୁଦିନେ ସେ ଏତିକିବେଳକୁ ଖବର ଦିଅନ୍ତି । ଲମ୍ବା ଲମ୍ବା ଆଙ୍ଗୁଳି ଟେଲିଭିଜନ୍ ପରଦାରେ ଖୋଲି ହୋଇଯାଏ, ତା’ପରେ ଏକ ତରଳ ବସ୍ତୁ ସୁଦୂର ସ୍ୱର୍ଗରୁ ଝରିଲା ପରି ଝରିପଡ଼େ ହାତ ଆଞ୍ଜୁଳିରେ । ନଖ ଝଳି ଉଠେ, ସୁନ୍ଦର ନଖ ବିଶିଷ୍ଟ ହାତରେ ଯୁବତୀ ପାନୀୟ ପାତ୍ର ଧରେ ଛୁଇଁଲା ପରି ଓ ଅଳସ ଉପଭୋଗର ଆବେଶରେ ସିଗାରେଟର ଧୂଆଁ ଆକାଶକୁ ଛାଡ଼େ । ବାଜାବାଜଣାର ତରଳ ଝଙ୍କାର ସେହି ଦୃଶ୍ୟର ଅନୁମୋଦନ କରେ, ଉପଯୋଗୀ ବାତାବରଣ-ଆଟ୍‍ମସଫିଆର—ଯୋଗାଏ । ତା’ପରେ ଶ୍ରୀଯୁକ୍ତ ଜନ୍ ଡଗ୍‍ଲାସ୍ ଉଭା ହୋଇ କହନ୍ତି ଯେ, ଆପଣ ମଧ୍ୟ ସେହି ସୁନ୍ଦରୀଙ୍କର ଅନୁଭୂତି ପାଇ ପାରିବେ ଯଦି ଆପଣ ଅମୁକ ବସ୍ତୁ ବ୍ୟବହାର କରନ୍ତି ନଖ ସଫା ରଖିବା ପାଇଁ । କଥା ସରିଲା ପରେ ହସିକରି କହନ୍ତି, ––ମୋ ନାଁ ଜନ୍ ଡଗଲାସ୍, ଆଜିକାର ମଧ୍ୟାହ୍ନ ଖବର ହେଉଛି..... । ଏହିପରି ସନ୍ଧ୍ୟାବେଳର ଖବର ଆସେ କୌଣସି ବିସ୍କୁଟ୍ କମ୍ପାନୀ ତରଫରୁ ଓ ରାତି ୧୧ଟାର ଖବର ଦିଏ କୌଣସି ସିଗାରେଟ୍ କମ୍ପାନୀ ।

ବରଫ ପଡ଼ିବାର ଖବର ଶୁଣିବା ମାତ୍ରେ ପିଲାମାନେ ନାଚି ଉଠିଲେ । ନାନାଦି ପ୍ରଶ୍ନ ଓ ମନ୍ତବ୍ୟ ଏକାସାଙ୍ଗରେ ଆସିଲା, ––ବରଫ କେମିତି ପଡ଼ିବ ? ଖଣ୍ଡ ଖଣ୍ଡ ହୋଇ ନା କୁଆପଥର ପରି-? ଲୋକମାନେ ରାସ୍ତାରେ ଯିବେ କେମିତି ? ମିଷ୍ଟର୍ ଅମୁକ କହୁଥିଲେ ଯେ ଘର ଆଗରେ ବରଫ ସଫା ନ କଲେ ଲୋକମାନେ କଚଡ଼ା ଖାଆନ୍ତି ଓ ସେଥିପାଇଁ ଶହେ ଡଲାର୍‍ ଜୋରିମାନା ଦେବାକୁ ପଡ଼େ, ଇତ୍ୟାଦି ଇତ୍ୟାଦି ।

ଶ୍ରୀମତୀଙ୍କର ଆଖିରେ ମଧ୍ୟ ଉତ୍ସୁକତା ଆସିଥିଲା, କିନ୍ତୁ ସେ ଶୀଘ୍ର ଭିନ୍ନ ଦୃଷ୍ଟିରେ ବ୍ୟସ୍ତତାର ଭାବ ଦେଖାଇଲେ । ବରଫ, ମାନେ ଆହୁରି ଥଣ୍ଡା । ଶ୍ରୀମତୀ ଥଣ୍ଡା ପ୍ରତି ଅସହିଷ୍ଣୁ । ତା’ ଛଡ଼ା ଅନ୍ୟ କାରଣ ଅଛି । ଆଜି କାଗଜରେ ବାହାରିଥିଲା ଯେ ଡାଉନଟାଉନ୍‍ର ଲାନ୍‍ସବର୍ଗ ଦୋକାନରେ ସେଲ୍ ହେଉଛି, ଲେଡ଼ିଜ ଗରମ କୋଟ୍ ତିରିଶ ଡଲାରରେ ମିଳୁଛି ଓ ପିଲାଙ୍କ ଡ୍ରେସ୍ ସ୍କଟ ଆଦି ଦୁଇତିନି ଡଲାରରେ ମିଳିଯାଉଛି । ବରଫ ପଡ଼ିଲେ ବାହାରକୁ ଯାଇ ହେବ ନାହିଁ । ଶ୍ରୀମତିଙ୍କ ମନକଥା ଜାଣିପାରି ମୁଁ ପଚାରିଲି,—‘‘କଣ ସେଲ୍‍ କଥା ଭାବୁଛ ? ଚିନ୍ତା ନାହିଁ, ଏ ଦେଶରେ ସେଲ୍‍ ସବୁଦିନେ ଲାଗିରହିଛି । ଆଜି ନ ହେଲେ କାଲି ହେବ, ଲାନ୍‍ସବର୍ଗ ନ ହେଲେ ସିଅର୍ସ୍ । ଭାବିବାର କଅଣ ଅଛି ?’’

ଶ୍ରୀମତୀ ସନ୍ତୁଷ୍ଟ ହେଲେ ନାହିଁ । ପୁଣି ଥରେ ଆରମ୍ଭ କଲେ,––‘‘ତୁମ କଥାରେ ପଡ଼ି ଇଣ୍ଡିଆରେ ସବୁ ଜିନିଷ ଛାଡ଼ି ଦେଇ ଆସିବାକୁ ହେଲା । ଏଠି କିଛି ନୂଆ କିଣା ହୋଇପାରିଲା ନାହିଁ । ଯେଉଁଠି ସବୁ ଇଣ୍ଡିଆନ ସ୍ତ୍ରୀ ମାନଙ୍କର ପ୍ରତି ଶାଢ଼ୀ ସାଙ୍ଗକୁ କୋଟ୍‍ ଅଛି, ସେଠି ମୋର ଅଛି କଅଣ ନା ମୋଟେ, ଯୋଡ଼ିଏ । ସବୁ ରଙ୍ଗର ଶାଢ଼ୀ ସାଙ୍ଗକୁ ପାଇବ ନାହିଁ । ସେଲ୍‍ ବୋଲି ଥଟ୍ଟା କରୁଛ, ହେଲେ ସେହି ଜିନିଷ ପୁଣି ଷାଠିଏ ସତୁରି ଡଲାରରେ କିଣିବାକୁ ହେବ, ––କିଏ ମନା କରୁଛି?’’

ବଡ଼ଝିଅ ଯୋଗ ଦେଲା । ତା’ ସ୍କୁଲ ସାଙ୍ଗ କହୁଥିଲା ଯେ ବଲ୍‍ ପଏଣ୍ଟ୍ କଲମ ସେଲ୍‍ ରେ ତିରିଶ ସେଣ୍ଟରେ ମିଳୁଛି–ଏହି ଆମ ଘର ପାଖ ଡ୍ରଗ୍ ଷ୍ଟୋରରେ ।

ମଝିଆଁ ଝିଅର ମନେ ପଡ଼ିଲା ଯେ ଏ ଶୀତକୁ ତା’ ମୋଜା ପାଉନାହିଁ । ତା’ ଛଡ଼ା ହାତ ପାଇଁ ଗ୍ଳୋଭସ୍ ଦରକାର ଆଉ କାନ ପାଇଁ ଇଅର-ମଫ୍ । ନ ହେଲେ ଏ ଥଣ୍ଡା ପବନରେ ସ୍କୁଲ ଯିବା କେମିତି ? ଅମୁକ ‘ଆଣ୍ଟି’ କହୁଥିଲେ ଯେ ଫୋର୍ଟିନଥ୍‍ ଷ୍ଟ୍ରିଟ୍‍ର କେଉଁ ଦୋକାନରେ ଏସବୁ ଜିନିଷ ସେଲ୍‍ ରେ ମିଳୁଛି, ସେ ତାଙ୍କ ଝିଅ ପାଇଁ ଆଣିଛନ୍ତି ।

ଶେଷକୁ ସବା ସାନ ପୁଅ ପାଟିକରି ଉଠିଲା, ‘‘ବାପା, ମୋର ବି’ ସେଲ୍ ଦରକାର । ମୋ ପାଇଁ ସେଲ୍ ଆଣି ଦେବ ।’’

ସେ-ଲ୍, ସେ-ଲ୍, ସେ-ଲ୍ ! ଏଡ଼ାଇବାର ଉପାୟ ନାହିଁ । ପ୍ରତିଦିନର ଷାଠିଏ ପୃଷ୍ଠା ସମ୍ବଳିତ ଖବରକାଗଜ ଧରି ବସିଲା ବେଳକୁ ଆଖିରେ ପଡ଼ିବ ବିରାଟ ସେଲ୍, ପୃଷ୍ଠା ପୃଷ୍ଠା ଧରି । ବସ୍ତୁ ବିଶେଷରେ ପ୍ରଭେଦ ନାହିଁ । ପ୍ରତ୍ୟେକର ସମାନ ଅଧିକାର ପାଟି କରିବା ପାଇଁ କେଉଁଠି ବିଭିନ୍ନ କାରର ଦାମ ଖସି ଆସି ଭାଙ୍ଗି ଚୂନା ହୋଇ ଗଲାଣି ତ କେଉଁଠି ଖାଇବା ଜିନିଷ ଷ୍ଟୋର୍ ପାଟି କରୁଛି ପୃଷ୍ଠା-ବ୍ୟାପୀ ବଡ଼ ବଡ଼ ହର୍‍ଫରେ;

ମେଣ୍ଢା ଗୋଡ଼

୫୫ ସେଣ୍ଟ୍

ଘୁଷୁରି ମଝି

୬୦ ସେଣ୍ଟ୍

ଗୋରୁ କଲିଜା

୨୯ ସେଣ୍ଟ୍

ଏହାଛଡ଼ା ରେଡ଼ିଓ ଟେଲିଭିଜନ୍ ତ ଅଛି ।

ଯାହାହେଉ ସେଲ୍‍ର ମହତ୍ତ୍ୱରୁ କଥାକୁ କୌଣସି ମତେ ଫେରାଇଆଣିଲା ବରଫ ପଡ଼ିବା ଖବରକୁ । ସେଲ୍ ବଡ଼ କଥା ହୋଇପାରେ, କିନ୍ତୁ ବରଫ ପଡ଼ିବା ତା’ଠୁ ବଡ଼ କଥା । ଭାରତବର୍ଷରେ ଏ ଦୃଶ୍ୟ ବିରଳ । ଗୋଟିଏ ରାତି ଘରେ ବସି ରହିବାକୁ ହେବ, ହେଉ । ଝରକାରୁ ତ ଅନାଇ ରହି ହେବ, ଦୃଶ୍ୟ ଦେଖି ହେବ ।........ ବରଫ ପଡ଼ୁଛି । ସ୍ୱଚ୍ଛ ଶୁଭ୍ର ତୁଷାର କଣା । ସଭ୍ୟତାର ମଳିଧୂଳି ତା’ଦେହରେ ଲାଗି ନାହିଁ । ବରଫ ଆକାଶର ଅକୁଣ୍ଠିତ ଦାନ, ପୃଥିବୀର କ୍ଷତ ଲୁଚାଇବା ପାଇଁ । ତା’ର ଉତ୍ତାପ ନାହିଁ, ରଙ୍ଗ ନାହିଁ, ବାସ୍ନା ନାହିଁ, କାରଣ ସେ ପୃଥିବୀର ନୁହେଁ । ସେ ଆସିଛି ତୁମ ପାଖକୁ, ତୁମରି ହାତ ପାହାନ୍ତାରେ, ତୁମରି ଚାରିପାଖରେ,—ଚିରନ୍ତନୀର ଆଭାସ ଦେଇ ଫେରିଯିବା ପାଇଁ ।

ତୁଷାରପାତର ମାହାତ୍ମ୍ୟ କଥା ଶ୍ରୀମତୀଙ୍କୁ କହିଲି । ସେ କିଛି ସମୟ ମନଦେଇ ଶୁଣିଲେ ଓ ତା’ ପରେ କହିଲେ—‘‘କିନ୍ତୁ ତୁମେ ଗୋଟାଏ କଥା ଭୁଲି ଯାଉଛ । ମଣିଷ ବଞ୍ଚିଥିଲେ ଉଷୁମ, ମରିଗଲେ ଥଣ୍ଡା । ସେଥିଲାଗି ମୋତେ ଯଦି ପଚାରିବ ମୁଁ କହିବି ବରଫ ହେଉଛି ମରିଯିବାର ଥଣ୍ଡା ହୋଇଯିବାର ସନ୍ତକ । ତେବେ ବରଫ ଶାନ୍ତି ଆଣିଦିଏ, ସତ କଥା ।’’

ମୁଁ ହସିକରି ଶ୍ରୀମତୀଙ୍କ ଆଡ଼କୁ ଅନେଇଲି । ଭୁଲ୍ କହି ନାହାନ୍ତି । ହେଲେ ଏମିତିକା ଭାବନା ତାଙ୍କ ମନରେ ଆସେ କାହିଁକି ?

ଯଥାକ୍ରମେ ପରିବାର ସମସ୍ତ ନିଜ ନିଜକୁ ପ୍ରସ୍ତୁତ କରି ନେଲୁ ବରଫ ପଡ଼ିବାର ଦୃଶ୍ୟ ଦେଖିବା ପାଇଁ । ଛୁଟିଦିନର ଉପରବେଳା । ୱାଶିଙ୍ଗ୍‍ଟନକୁ ଆମେ ନୂଆ ହୋଇ ଆସିଛୁ, ଅବସ୍ଥିତି ଗୋଟିଏ ହୋଟେଲ ଆପାର୍ଟମେଣ୍ଟରେ । କଟକ କଲିକତା ପରି ହଠାତ୍ କେହି ସାଙ୍ଗପଡ଼ିଶା ବନ୍ଧୁ ବାନ୍ଧବ ଆସିବାର ଆଶା ବା ଆଶଙ୍କା ନାହିଁ । ଆମ ପାଖ ଆପାର୍ଟମେଣ୍ଟମାନଙ୍କରେ କିଏ ଅଛନ୍ତି ତାହା ମଧ୍ୟ ଜାଣିବାର ଅବକାଶ ହୋଇ ନାହିଁ । ବାକି ରହିଲେ ଆମେ ଭାରତୀୟମାନେ । ଥୋକେ ଚିହ୍ନା ବେଶିଭାଗ ଅଚିହ୍ନା । ରାସ୍ତାରେ ଚାଲିଲାବେଳେ କିମ୍ବା ଦୋକାନରେ ଜିନିଷ କିଣିଲାବେଳେ ଶାଢ଼ୀପିନ୍ଧା ସ୍ତ୍ରୀ ଲୋକଟିଏ ଦେଖିଲେ ଶ୍ରୀମତୀ ହାତଠାରି କହନ୍ତି,––ହେଇ ଜଣେ ଇଣ୍ଡିଆନ୍ । ମୁହାଁମୁହିଁ ହୋଇଗଲେ ବେଳେବେଳେ ସେହି ଲିପ୍‍ଷ୍ଟିକ୍ ମଖା ଓଠରେ ଟିକିଏ ହସର ସୂଚନା ଆସିଯାଏ । ବେଶ୍, ସେତିକି । ଶ୍ରୀମତୀ ଦୁଃଖ କରନ୍ତି । ମୁଁ କିନ୍ତୁ ତାଙ୍କୁ କହେ,––ଆପଣ । ପରିବାରର ଲୌକିକତାର ଦରକାର କଅଣ ? ଇଣ୍ଡିଆନ୍ ଜଣେ ଦେଖାହେଲେ ମନେହୁଏ ଯେ ଏ ବିଦେଶ ଭୂଇଁରେ ଆମେ ଏକା ନୁହେଁ, ଆମରି ପରି ଅନ୍ୟମାନେ ମଧ୍ୟ ଅଛନ୍ତି, ଆମରି ପରି ହୁଏତ ଖୋଜି ବୁଲୁଛନ୍ତି ସୁଜି କେଉଁଠି ମିଳେ, ତାକୁ ଏଠିକା ଇଂରାଜୀରେ କଅଣ କୁହନ୍ତି, ଆମରି ପରି ସେଲ୍‍ର ସନ୍ଧାନ ନେଉଛନ୍ତି ଯେପରିକି ଭାରତ ଫେରିବା ଆଗରୁ ଯଥାସମ୍ଭବ ଜିନିଷ ବିଦେଶ-ଭତ୍ତା ଦ୍ୱାରା ସଂଗୃହୀତ ହୋଇ ପାରିବ । ସେ ଜଣେ ଇଣ୍ଡିଆନ୍, ଆମରି ଭିତରୁ ଜଣେ,—ଦେଖିଲେ ଭଲ ଲାଗେ ।

ଶ୍ରୀମତୀ ଏକମତ ନ ହୋଇ ରହିପାରନ୍ତି ନାହିଁ ।

ଆକାଶରୁ ରାସ୍ତାକୁ ଅନେଇ ଅସରନ୍ତି କାର୍‍ର ଛୁଟଣ ଦେଖୁଛି, ରାସ୍ତା ସେ ପାଖରେ ଥିବା ଡ୍ରଗ୍ ଷ୍ଟୋରରେ ଅନୁଧ୍ୟାନ କରୁଛି । ଡ୍ରଗ୍ ଷ୍ଟୋରରେ ନାମମାତ୍ର ଡ୍ରଗ୍ ବା ଔଷଧ ସାଙ୍ଗରେ କଫ ହାମ୍‍ବର୍ଗର, କଣ୍ଢେଇ, ସିଗାରେଟ୍ ଇତ୍ୟାଦି ସବୁ ଜିନିଷ କାହିଁକି ମିଳେ ଓ ତଥାପି କାହିଁକି ତାକୁ ଡ୍ରଗ୍‍ଷ୍ଟୋର କହନ୍ତି ସେ ବିଷୟ ମନ ଭିତରେ ଆଲୋଚନା କରୁଛି, ଏହି ସମୟରେ ଟେଲିଫୋନ୍ ବାଜି ଉଠିଲା । ରିସିଭରକୁ ଉଠାଇ ଶୁଣିଲି ସରୁକଣ୍ଠର ସ୍ୱର,—‘‘ମିସେସ୍ ଦାସ୍ ଅଛନ୍ତି ? ଟିକିଏ ଡାକି ଦିଅନ୍ତୁ ?’’

ନିଶ୍ଚୟ ଜଣେ କେହି ପରିଚିତା ଭାରତୀୟା ହୋଇଥିବେ । ଭାବି ନେଲି ଯେ କୁଶଳ ସମ୍ଭାଷଣ ସହିତ ଧରାବନ୍ଧା କେତୋଟି ପ୍ରଶ୍ନର ପୁନରାବୃତ୍ତି ହେବ, ଯଥା,—ଘର ପାଇଲଣି କି ନାହିଁ-? କାର୍ କିଣିବା କେଉଁଯାଏ ଗଲା, କେଉଁ କାର୍ କିଣିବାକୁ ଠିକ୍ କରୁଛ ? ପ୍ରଶ୍ନ ସହିତ ପରାମର୍ଶ । ସାହାଯ୍ୟ ମନୋବୃତ୍ତି ବିଶିଷ୍ଟା ଜଣେ ଦୁଇଜଣ ନୂଆ ସେଲ୍‍ର ସନ୍ଧାନ ଦେବେ ଓ ପ୍ରକାରାନ୍ତରେ ଜଣାଇ ଦେବେ ଯେ ଏଭଳି ସହରରେ କେତୋଟି ନୂଆ ନୂଆ ଜିନିଷ ଦରକାର ଯାହା ସେମାନେ କିଣି ସାରିଛନ୍ତି । ଅନୁମାନ ଭୁଲ ନୁହେଁ । ଦଶମିନିଟ ଟେଲିଫୋନରେ ଗପିସାରିଲା ପରେ ରିସିଭର୍‍ ରଖିଦେଇ ଶ୍ରୀମତୀ କହିଲେ, ‘ମିସେସ୍ କପୁର ଫୋନ୍‍ କରୁଥିଲେ, ପଚାରୁଥିଲେ ଯେ ଘର ପାଇଲାଣି କି ନାହିଁ, ପିଲାମାନଙ୍କ ଖବର ଇତ୍ୟାଦି । ହଁ, ଆଉ କହୁଥିଲେ ଯେ କାର୍ପେଟ ସଫାରଖିବା ଭାକୁମ୍ କ୍ଲିନର (vacuum cleaner) ସେଲରେ ମିଳୁଛି ଲର୍ନସ ଦୋକାନରେ, ଖୁବ୍ ଶସ୍ତା । ତା’ପରେ କିଛି ସମୟ ରହିଯାଇ କହିଲେ, ଆଜି କୁଆଡ଼େ ଖୁବ୍ ଜୋରରେ ବରଫ ପଡ଼ିବ, ପାଞ୍ଚ ଛଅ ଇଞ୍ଚ ଯାଏ । ଏଇ ଅଳ୍ପସମୟ ଭିତରେ ପଡ଼ିବ, ସନ୍ଧ୍ୟା ଆଗରୁ-। ସେ ଫୋନରେ ବୁଝିଲେ ।’’

‘‘ହଁ ବାପା, ଏଠି ସବୁ ଫୋନରେ ପାଗ କଥା ବୁଝନ୍ତି । ଫୋନ୍ ଉଠାଇଲେ ସେ କହି ଚାଲିବ, ଟାଇମ୍‍ ପରି । ସେ ଫୋନ୍ ନମ୍ବର କେତେ ଜାଣିଛ ?’’

‘‘ଜାଣେ ନାହିଁ’’, କହି ଚୁପ୍ ରହିଲି । ଏ ଜାଣିବା ଶିଖିବାର ପର୍ଯ୍ୟାୟ କଣ ଶେଷ ହେବ ନାହିଁ !

.......ଶେଷକୁ ବରଫ ପଡ଼ିଲା । ମିସେସ୍ କପୁର ଠିକ୍ କହୁଥିଲେ । ଘଣ୍ଟାଏ ନ ଯାଉଣୁ ଆକାଶରୁ ହାଲୁକା ହେମାଳ ପବନ ଖସି ଆସିଲାପରି ଲାଗିଲା । କିଛି ସମୟ ପରେ ଦୂରରୁ ଦେଖାଗଲା ଅତି ଛୋଟ ରୂପେଲି ଦାନାସବୁ ପବନରେ ମିଶି ମିଶି ଆସୁଛି । ଏ କଣ ବରଫ ? ନା ଧୂଳିକଣା ଜ୍ୟୋତିହୀନ ସଞ୍ଜର ଶେତା ଆଲୁଅରେ ସେମିତି ଦେଖାହେଉଛି ? ରୂପେଲି ଦାନାଗୁଡ଼ିକ ଆହୁରି ପାଖକୁ ଆସିଗଲେଣି । ଝରକାରୁ ହାତ ବଢ଼େଇଲି ଛୁଇଁବି ବୋଲି, ଦେଖିଲି ହାତ କାକର ଛୁଆଁ ପରି ଓଦାଳିଆ ହୋଇଯାଉଛି । ଏ କଅଣ ? ଆକାଶ କଣ ଖାଲି ବିନ୍ଦୁର ସମଷ୍ଟି ? ଏତିକି ଅଛି ନା ଆହୁରି ଆସିବ ? ପ୍ରତ୍ୟେକ ବିନ୍ଦୁର କଳେବର ବଢ଼ିଗଲାଣି, ସେମାନେ ବର୍ତ୍ତମାନ ପ୍ରତ୍ୟେକ ନିଜ ହାତରେ ‘ଚଉଦପା’ ଓ ନୂଆ ହୋଇ ସଂସାରକୁ ଆସି କଣ କରି ପକାଇବେ ବୋଲି ଅସ୍ତବ୍ୟସ୍ତ ହେଉଛନ୍ତି । ଦିଗର ଜ୍ଞାନ ନାହିଁ, ଦେଶକାଳପାତ୍ର, ଜଣା ନାହିଁ, ଧାରଣାଦର୍ଶନ ବିହୀନ ହୋଇ ଖେଦି ଯାଉଛନ୍ତି ଚାରିଆଡ଼େ । ଘୂରି ବୁଲୁଛନ୍ତି, ଗୋଡ଼ାଗୋଡ଼ି ହେଉଛନ୍ତି, ଖେଳୁଛନ୍ତି ଓ କିଏ କେଉଁଠି ହଜିଯାଉଛି ପବନରେ ।

 

ଯଥାକ୍ରମେ ସବୁ ବରଫ ଆସିଲା ଥାଟପଲଟଣ ନେଇ । ସେତେବେଳକୁ ବରଫଚୂନା ସବୁ ଘାସରେ ଓ ଡାଳପତରରେ ସେମାନଙ୍କ ଚିହ୍ନ ରଖିସାରିଲେଣି । ଘାସପତର ଚକ୍‍ ଚକ୍‍ କରୁଛି, ଢଳ ଢଳ ଶିଶିର ଓ ସ୍ପଟିକର ଶୋଭା ନେଇ । ମନେ ହେଉଛି ଯେ ବିନ୍ଦୁ ରାଜି ମୁହୂର୍ତ୍ତକ ପରେ ମିଳାଇ ଯିବେ, କିନ୍ତୁ ସେମାନେ ଯାଉ ନାହାନ୍ତି, ଆଖି ମିଟିମିଟି କରୁଛନ୍ତି ତାଙ୍କ ଉଜ୍ଜ୍ୱଳ ଯୌବନର ବାହାଦୁରି ଦେଖାଇ । ହେଲେ ଏ ଆଖି ମିଟିକା, ଏ ଗୋଟି ଗୋଟିକିଆ ସୁନ୍ଦରପଣ ବେଶି ସମୟ ରହିବ ନାହିଁ । ବରଫ ଆସୁଛି, ଆସୁଛି, ଶୁଭ୍ରତାର ବିରାଟ ଆସ୍ତରଣ ନେଇ । ସବୁ ଏକାକାର କରିଦେବ । ଏଥର ବରଫ ତୂଳା ଖସିଲାପରି ଝରୁଛି ଉପରୁ, କେଜାଣି କେତେ । ହାତ ଦେଖାଇଲେ ହାତରେ ମେଞ୍ଚାଏ ହୋଇ ରହିଯିବ । କେତେବେଳେ ଝୁରୁ ଝୁରୁ ଶିମୁଳିତୂଳା ପରି ଝରିପଡ଼ୁଛି , ଆଉ କେତେବେଳେ ଗୋଚ୍ଛା ଗୋଚ୍ଛା ହୋଇ ଖସିପଡ଼ୁଛି । ତା’ର ପରିସର ବିସ୍ତୃତ, ତା’ର ଗତି ଅବିରାମ; କିନ୍ତୁ କେତେ ନରମ ସେ, କେତେ ସ୍ଵଛ ଓ ସୁନ୍ଦର !

 

ପିଲାମାନେ କୁରୁଳିଖାଇ, ପାଟିକରି, ତାଳିମାରି ସାରି ଏହିକ୍ଷଣି ଚୁପ୍‍ଚାପ୍‍ ହୋଇ ଅନେଇ ରହିଛନ୍ତି ବାହାରକୁ । ଶ୍ରୀମତୀ କେତେବେଳୁ ମୋ ପାଖକୁ ଲାଗି ଛିଡ଼ା ହୋଇଛନ୍ତି ମୋତେ ଜଣା ନାହିଁ । ତାଙ୍କର ନିଶ୍ୱାସ ବା ଦେହର ବାସ୍ନା ମୋତେ ଜଗାଇଦେଲା । ମୁହଁ ପାଖରେ ମୁହଁ । ଦେହର ପରଶ, ଛୁଇଁ ନ ଛୁଇଁଲା ପରି । କଳ୍ପନାରେ ମୁଁ ଦେଖିଲି ଆମ ଦୁଇଜଣଙ୍କୁ । ସ୍ଥିତିବାନ ମିଷ୍ଟର୍ ଦାସ୍ ଓ ତାଙ୍କର ସ୍ତ୍ରୀ ନୁହେଁ, ଦୁଇଟି ମଣିଷ ପ୍ରାଣୀ ଆକାଶକୁ ଚାହିଁ ରହିଛନ୍ତି ପୁରାତନ ବିସ୍ମୟ ଓ ଆନନ୍ଦ ନେଇ । ପ୍ରକୃତିର ମହାନ୍‍ ଆନନ୍ଦର କାଣିଚାଏ ନେଇ ନିଜକୁ ହାଲୁକା ଲାଗୁଛି । ସୁନ୍ଦର ଏ ଦେହର ପରଶ, ଫୁଲ ପରି, ତୂଳା ବରଫ ପରି । ଭାଷାର ଅଭାବରେ ମୁଁ ଖାଲି କହିଲି,––ଚମତ୍କାର, ନୁହେଁ ? ସେ ମୋ ପାଖକୁ ଆହୁରି ଲାଗି ଆସିଲେ, ଦେହରେ ହାତ ଗୁଡ଼ାଇ ଆଣିଲେ । ମନେହେଲା ଯେ ଅସଂଖ୍ୟ ତୁଷାର କଣାର ସ୍ପନ୍ଦନ ନିଜ ଭିତରେ ଶୁଣି ହେଉଛି, ଅନୁଭବ କରିହେଉଛି ।

 

.......‘‘ଫୋନ୍ ! ଫୋନ୍ !’’ ପିଲାଙ୍କ ଭିତରୁ କିଏ ପାଟି କରି ଉଠିଲା । ନିଦରୁ ଉଠିଲା, ପରି ଆମେ ଦୁହେଁ ଫେରି ଚାହିଁଲୁ । ମୁହୂର୍ତ୍ତକ ପାଇଁ ବୁଝିବାକୁ ଡେରି ଲାଗିଲା, ଏ ସଂସାରରେ ଫୋନର ଚିତ୍‍କାର କାହିଁକି ? ତା’ପରେ ଧାରଣା ଆସିଲା ଯେ ଫୋନ୍ ଜରୁରି ଦରକାରୀ ଜିନିଷ ଓ ଆମେ କେବଳ ବରଫପଡ଼ିବା ଦେଖିବା ପାଇଁ ଆମେରିକା ଅସିନାହୁଁ । ତଥାପି ବିରକ୍ତ ଲାଗିଲା । ଫୋନରେ ଡାକରା ଆସିବ ମିସେସ୍ କପୁର ବା ତାଙ୍କରି ପରି ଆଉ କୌଣସି ଇଣ୍ଡିଆନ ଭଦ୍ରମହିଳା ବା ଭଦ୍ରବ୍ୟକ୍ତିଙ୍କ ଠାରୁ । ପଡ଼ିବ ସେହି ସେଲ୍‍ କଥା, ନହେଲେ ବର୍ତ୍ତମାନର ସମୟୋପଯୋଗୀ ପରାମର୍ଶ,—ବରଫ କେମିତି ସଫା କରିବାକୁ ହୁଏ, ବରଫରୁ ନିଜକୁ ବଞ୍ଚାଇରଖିବା ପାଇଁ କଣ କଣ ଦରକାର, ଇତ୍ୟାଦି ।

 

ବିରକ୍ତିର ଭାବ ନେଇ ରିସିଭର ଉଠାଇଲି ଓ ରୁକ୍ଷ ଗଳାରେ ପଚାରିଲି,—‘‘ୟେସ୍ ?’’ ସେ ପାଖରୁ ଉତ୍ତର ଆସିଲା, ମୁଁ ସାହାନୀ କହୁଛି । ଗୋଟାଏ ବଡ଼ ଦୁଃଖ ଖବର ଦେବାକୁ ଯାଉଛି । ରଙ୍ଗାରାଓ ମରିଗଲା ଆଜି ସନ୍ଧ୍ୟାବେଳେ, ଜର୍ଜଟାଉନ୍‍ ହସ୍ପିଟାଲରେ ।’’

 

‘‘ମରିଗଲା ? ରଙ୍ଗାରାଓ,—କିଏ ?’’

 

‘‘ରଙ୍ଗାରାଓ ଏମ୍ବାଶିର ଜଣେ ଆସିଷ୍ଟାଣ୍ଟ୍ । ବହୁତଦିନ ହେଲା କିଡ଼୍‍ନି ରୋଗରେ ଭୋଗୁଥିଲା । ସ୍ତ୍ରୀ ଓ ଗୋଟିଏ ପିଲା ।’’

 

ଏଥର ମନେ ପଡ଼ିଲା । ଦିନେ ଆମେ ଉପରବେଳା ଦଶ ମାଇଲ୍‍ ଦୂରରେ ଥିବା ‘‘ବାରଗେନ ସିଟି’’ ନାମକ ବିରାଟ ଡିପାର୍ଟମେଣ୍ଟ ଷ୍ଟୋର୍‍ରେ ‘‘କିସ୍‍ସି’’ ବୋଲି ଗୋଟିଏ କଣ୍ଢେଇପିଲାର କାରସାଦି ଦେଖୁଛୁ, ––କେମିତି ତା’ ହାତକୁ ଧରିପକାଇଲେ ତା’ ଓଠ ଚୁମାଦେଲା ପରି ହୋଇଯାଏ ଓ ଆଲୋଚନା କରୁଛୁ ଦଶ ଡଲାର ଦେଇ ପିଲାଙ୍କ ପାଇଁ ଏହି କଣ୍ଢେଇ କିଣିବା ଉଚିତ୍‍ ହେବ କି ନାହିଁ, ଏହି ସମୟରେ ସାଙ୍ଗରେ ଆସିଥିବା ମିସେସ୍ ବାସୁ ମୋ ସ୍ତ୍ରୀଙ୍କ ପାଖକୁ ଲାଗିଆସି ଜଣକ ଆଡ଼କୁ ହାତ ଦେଖାଇ ଫୁସ୍ ଫୁସ୍ ହୋଇ କହିଲେ, ‘‘ୟାଙ୍କୁ ଜାଣିଛନ୍ତି ? ବିଚାରୀ ବଡ଼ ଦୁଃଖରେ ପଡ଼ିଛି । ସ୍ୱାମୀ ତିନିମାସ ହେଲା ବେମାର, ମରିବ କି ବଞ୍ଚିବ ଠିକ୍ ନାହିଁ । ବର୍ଷକର ଗୋଟିଏ ଛୁଆ । କେଉଁ ଗୋଟାଏ ଅଫିସରେ ଟାଇପିଷ୍ଟ କାମ କରୁଛି… ।’’ ବାକି କଥା ଶୁଣି ପାରିଲି ନାହିଁ । ମୁହୂର୍ତ୍ତର ଝଲକରେ ସେ ଭଦ୍ରମହିଳାଙ୍କୁ ଦେଖିଥିଲି । ପାତଳା ହାଡ଼ୁଆ ମୁହଁ, ତୀକ୍ଷ୍‍ଣ ଚାହାଣି, ––ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ,–– ହାତରେ କିଣାକିଣି କରିବାର ବ୍ୟାଗ୍ ଓ ଚଞ୍ଚଳ ଗତି ।

 

ସାହାନୀ କହି ଚାଲିଛି, ‘‘ଆଜି ରାତି ଏଗାରଟା ବେଳେ ଫ୍ୟୁନରାଲ୍‍ ହେବ । ମୁଁ ଯାଉଛି ମିଷ୍ଟର ରାଜନ୍‍ଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଉଛି । ବହୁତ ଇଣ୍ଡିଆନ୍ ଆସିବେ । ଯେତେହେଲେ ଆମରି ଭିତରୁ ଜଣେ–– ।’’

 

ସାହାନୀ ଆମ ଅଫିସ୍‍ର କର୍ମଚାରୀ । କଣ କହିବାକୁ ଚାହେଁ ସେ ? ମୁଁ ରାତି ଏଗାରଟାରେ ବରଫ ବର୍ଷା ଭିତରେ ଯିବି ଦାହକ୍ରିୟା ଦେଖିବା ପାଇଁ ? ଝରକାରୁ ଦେଖିଲି ସଞ୍ଜ ଅନ୍ଧାର ଘନେଇ ଆସିଲାଣି ଓ ବରଫ ଆହୁରି ଜୋରରେ ପଡ଼ୁଛି। କିନ୍ତୁ ‘କାହିଁକି ଯିବି ?’ ଏହି ପ୍ରଶ୍ନ ନିଜକୁ ପଚରିଲାବେଳକୁ ଉତ୍ତରର ପ୍ରବଳ ଧକ୍କା ଆସିଲା, ––ସେ ଆମରି ଭିତରୁ ଜଣେ । ନ ଯିବାଟା ଅନୁଚିତ । କର୍ତ୍ତବ୍ୟ । ସହାନୁଭୂତି । ଯୁକ୍ତିର ପ୍ରଶ୍ନ ନାହିଁ । ଆଉ କିଛି ନ ଭାବି ମୁଁ ସାହାନୀକୁ କହିଲି, ‘‘ମୁଁ ବି’ ଯିବାକୁ ଚାହେଁ, ଯଦି ସୁବିଧା ହୁଏ ।’’ ‘‘ମୁଁ ଆପଣଙ୍କୁ ନେଇଯିବି, ରାତି ସାଢ଼େ ଦଶଟାବେଳକୁ ପହଞ୍ଚିବି କାର୍‍ ନେଇ, ସାହାନୀ ଉତ୍ତର ଦେଲା ଓ ‘ବାଏ’ କହି ଫୋନ୍ ରଖିଦେଲା ।

 

ଶ୍ରୀମତୀଙ୍କୁ କହିଲି । ସେ ମଧ୍ୟ କହିଲେ, ‘‘ହଁ, ତୁମର ଯିବା ଉଚିତ୍‍ । ବିଚାରୀ, ତା’ର ଇଣ୍ଡିଆକୁ ଫେରିଯିବା ଖର୍ଚ୍ଚ ଗଭର୍ଣ୍ଣମେଣ୍ଟ ଦେବ ନିଶ୍ଚୟ, ––ନୁହେଁ ? ଗ୍ଲୋଭ୍‍ସ୍‍ ଓଭରକୋଟ୍‍ ପିନ୍ଧିଯିବ ଗଲାବେଳକୁ ସ୍ତ୍ରୀଲୋକମାନେ ଯିବେ ? ମୁଁ ଯାଆନ୍ତି ଯେ ।’’

 

କୁତୂହଳୀ ବଡ଼ ଝିଅ ପଚାରିଲା, ‘‘କିଏ ମରିଗଲା ?’’

 

‘‘ଜଣେ ଇଣ୍ଡିଆନ୍‍ ।’’

 

ତା’ ମୁହଁ ଗମ୍ଭୀର ଓ ଭାବାନ୍ଵିତ ହୋଇଗଲା । ତା’ ଦେଖାଦେଖି ଅନ୍ୟପିଲାମାନେ ମଧ୍ୟ ଗମ୍ଭୀର ହୋଇଗଲେ । ସାନପୁଅ ବଲବଲ କରି ସମସ୍ତଙ୍କ ମୁହଁକୁ ଚାହିଁଲା । ମୁଁ ପ୍ରମାଦ ଗଣିଲି, କାଳେ ପଚାରିବ,––ବାପା, ଇଣ୍ଡିଆନ୍ ମାନେ କଅଣ ?

 

......ବରଫ ପଡ଼ୁଛି । ବର୍ଷା ନୁହେଁ, ଝଡ଼ । ରାସ୍ତାକଡ଼ରେ ବରଫ କୁଢ଼ କୁଢ଼ ହୋଇ ଜମିଗଲାଣି । କାର୍‍ ସବୁ ବରଫରେ ଘୋଡ଼େଇ ହୋଇ ସାହସର ସହିତ ଚାଲିଛନ୍ତି ରାସ୍ତାରେ, କିନ୍ତୁ ତାଙ୍କ ଗତି ଶୀଥିଳ ହୋଇଗଲାଣି । ବର୍ତ୍ତମାନ ସେମାନଙ୍କ ପାଇଁ ଏମରଜେନ୍‍ସି ବା ଜରୁରି ଅବସ୍ଥାର ଘୋଷଣା ହୋଇଯିବଣି,––ସ୍ନୋ ଟାୟାର ବା ସ୍ନୋ ଚେନ୍‍ ନ ଥିଲେ କାର୍‍ ଚଳାଇବା ମନା, ବଡ଼ରାସ୍ତା କଡ଼ରେ କାର ରଖିବା ମନା, ଇତ୍ୟାଦି ଇତ୍ୟାଦି । ତଥାପି ସେମାନେ ଚାଲିଛନ୍ତି, ସଂଖ୍ୟା ବିଶେଷ କମି ନାହିଁ । ରାତିର କାର୍ଯ୍ୟକ୍ରମ କଣ ବରଫ ଯୋଗୁ ବନ୍ଦ ହୋଇଯିବ ? ନା । ବରଂ ବରଫ ବର୍ଷାର ସଂଗୀତ ରାତିର ଉପଭୋଗରେ ଉତ୍ତେଜନା ଆଣିଦେବ । ରେସ୍ତୋରାଁରେ କିମ୍ବା ଡ୍ରଇଂରୁମରେ ଜଣେ ଆଉଜଣକୁ କହିବ,––ହାଏ ବଡ଼ି, ଡୁ ଇଟ୍‍ ଏଗେନ ! ଆଉ ଥରେ ଭାଇ, ଆଉ ଥରେ । ଆଉ ଗୋଟିଏ ପେଗ ଆଉ ଥରେ ନାଚ ଆଉ ଗୋଟିଏ ଗୀତ...ଆଉଥରେ ସେ ଜୋକ୍‍ଟା ପଡ଼ୁ । ଦୁଇଜଣିଆ ଗୋପନ ସାନ୍ନିଧ୍ୟରେ ସେହି ଭାବର ଅନ୍ୟରୂପ,––ଆଉ ଥରେ । ବରଫ ଡାକୁଛି ବଞ୍ଚିବାର ତରଙ୍ଗକୁ ଅଧିକ ବେଗରେ ଖେଳାଇବାକୁ, ବିଶିଷ୍ଟ ଆନନ୍ଦ ଓ ଆକୁଳତା ନେଇ ।

 

କେଜାଣି କାହିଁକି ମୋର ରଙ୍ଗାରାଓ ଉପରେ ରାଗ ଆସିଲା । ମନେହେଲା ଯେ ସେ ମୋତେ ଏହି ବରଫଢଳା ଆନନ୍ଦର ସଂସାରରୁ ଟାଣି ଧରିଛି, ଗୋଟାଏ ଅସୁନ୍ଦର କାମ କରି ତା’ ଜାତିଭାଇଙ୍କୁ ଡାକୁଛି ତା’ ଆଡ଼କୁ ଅନାଇବାକୁ, ତା’ କଥା ଭାବିବାକୁ । ହୁଃ,––ସତେ ଯେପରି ୱାଶିଙ୍ଗ୍‍ଟନରେ ଜଣେ ଭାରତୀୟର ମୃତ୍ୟୁ ପୃଥିବୀର ଗୋଟିଏ ବିରାଟ ଘଟଣା !

 

ଯାହାହେଉ ମୁଁ ମୋର ଅସନ୍ତୋଷକୁ ଦମନ କରି ଚଉକିରେ ବସିରହିଲି ଓ ହାତବନ୍ଧା ଘଡ଼ିରେ ଦେଖିଲି ସାହାନୀର ଆସିବାକୁ ଆଉ କେତେ ଡେରି ଅଛି ।

 

....ଖାଇସାରି କ୍ରମାନ୍ୱୟରେ ତୃତୀୟ ସିଗାରେଟ୍ ଫୁଙ୍କିସାରିଲା ପରେ ସାହାନୀ ଆସି ପହଞ୍ଚିଲା ଠିକ୍ ସମୟରେ । ବିଶେଷ ବାକ୍ୟବ୍ୟୟ ନ କରି ମୁଁ ପ୍ରସ୍ତୁତ ହୋଇଗଲି ଯିବା ପାଇଁ । ବାହାରିଲାବେଳକୁ ସାହାନୀ କହିଲା, ‘‘ମିଷ୍ଟର୍ ରାଜନ୍ ଆସି ପାରିଲେ ନାହିଁ, ତାଙ୍କର କଣ ଅସୁବିଧା ଥିଲା ।’’ ମୁଁ କିଛି ଉତ୍ତର ନ ଦେଇ ଜଣାଇଦେଲି ଯେ ମୁଁ ଏଥିରେ ଖୁସି ନୁହେଁ । ମିଷ୍ଟର୍ ରାଜନ୍‍ଙ୍କର ଯଦି ଅସୁବିଧା ଥାଇପାରେ, ମୋର ମଧ୍ୟ ଅସୁବିଧା ନ ଥିବାର କୌଣସି କାରଣ ନାହିଁ । ଶ୍ରୀମତୀ ପୁଣି ଥରେ ପଚାରିବସିଲେ, ‘‘ସ୍ତ୍ରୀଲୋକମାନେ ଯଦି ସେଠିକୁ ଯାଉଥାଆନ୍ତି, ତାହାହେଲେ– ।’’ ମୁଁ ଗୋଟିଏ ଅବଜ୍ଞାସୂଚକ ‘ନାହିଁ’ କହିଦେଇ ଆଗେଇଲି ଦାଣ୍ଡଦୁଆର ଆଡ଼କୁ ।

 

ସାହାନୀ ଧୀରେ ଧୀରେ କାର୍ ଚଲାଉଥିଲା । ସବୁଥର ତା’ ସାଙ୍ଗରେ କାରରେ ବସି ଗଲାବେଳକୁ ମୁଁ ଦେଖିଛି ଯେ ସେ ଅବାଧରେ ରେଡ଼ିଓ ଛାଡ଼ିଦେଇ ଥାଏ; ଏଥର ଦେଖିଲି ରେଡ଼ିଓ ବନ୍ଦ ଅଛି । ଭାବିଲି ସାହାନୀ ଜାଣିଶୁଣି ସେପରି କରିଛି, ସଙ୍ଗୀତ ଆଜିକାର ଅବସ୍ଥାରେ ଅଶୋଭନୀୟ । କିନ୍ତୁ ସଙ୍ଗୀତ ନ ଥିବା ଦ୍ୱାରା ତା’ର ବାର୍ତ୍ତାଳାପ ବଢ଼ିଚାଲିଛି, ଉତ୍ତର ବା ଅନୁମୋଦନର ଅପେକ୍ଷା ନ କରି ସେ ଆବଶ୍ୟକ ବିଷୟବସ୍ତୁର ଟିପ୍ପଣୀ ଦେଇଯାଉଛି, ମୋର ଜାଣିବା ପାଇଁ । ଯଥା,––ଏ ବର୍ଷ ବରଫ ବେଶି ପଡ଼ିବ ବୋଲି ଲାଗୁ ନାହିଁ, ଆରବର୍ଷ ପ୍ରଥମ ବରଫ ସାତଇଞ୍ଚ ଜମିଯାଇଥିଲା ମିସେସ୍ ଦାସ୍ କହୁଥିଲେ ପରା ଭଲ ନାଇଲନ୍ ମଗାଇବାକୁ ? ମୁଁ ଭାବୁଛି ନିଉୟର୍କରୁ ନ ମଗେଇ ହଙ୍ଗ୍‍କଙ୍ଗରୁ ମଗେଇଲେ ଭଲ ହେବ ଏ ପାଖ ଏରିଆରେ ବେଶି ନିଗ୍ରୋ ରହନ୍ତି, ଭଲ ଘର ଶସ୍ତାରେ ମିଳିବ, ତେବେ ଆପଣଙ୍କ ପାଇଁ ଏ ସୁବିଧା ହେବ ନାହିଁ ଆପଣ ତ ଏଇ ମାର୍ଚ୍ଚ ମାସରେ କାଲିଫର୍ଣ୍ଣିଆ ଆଡ଼କୁ ଯିବେ, ଗଲେ ଗ୍ରାଣ୍ଡ୍‍ କାନିଅନ୍ ଦେଖିଯିବାକୁ ଭୁଲିବେ ନାହିଁ ଏକ ଡାହାଣହାତି ଯେଉଁ ରାସ୍ତା ଯାଇଛି, ସେଇଠି ବାନର୍ଜିର ଘର, ତା’ର ତିନିବର୍ଷ ପୂରିଗଲାଣି, ଇଣ୍ଡିଆ ଫେରିଯିବାର କଥା; କିନ୍ତୁ ସେ ଧରାଧରି କରି ଆଉ ବର୍ଷେ ରହିଯାଉଛି…. ଇତ୍ୟାଦି । ମୁଁ ତା’ କଥା ଶୁଣିଯାଉଥାଏ । ବେଳେବେଳେ ହୁଁ, ହାଁ କହୁଥାଏ ଓ ରାସ୍ତାରେ ଚଳନ୍ତା ବରଫମଖା ଦୃଶ୍ୟ ଦେଖୁଥାଏ ।

 

ସାହାନୀର କଥା ସରୁନାହିଁ । ଭାବିଲି, ସେ ସବୁ କଥା ଗପୁଛି କିନ୍ତୁ ରଙ୍ଗାରାଓ କଥା ଥରେ ହେଲେ କିଛି କହୁ ନାହିଁ କାହିଁକି ? ସାହାନୀ ମୋ ମନକଥା ଜାଣିଲା ପରି ରଙ୍ଗାରାଓ କଥା ପକାଇଲା । କହିଲା, ‘‘ରଙ୍ଗାରାଓଟି ଭାରି ଭଲ ଲୋକ ଥିଲା । ସମସ୍ତଙ୍କୁ ସାହାଯ୍ୟ କରେ । ଆମେ ତାଙ୍କ ଅଫିସକୁ କିଛି ବିଷୟ ବୁଝିବାକୁ ଗଲେ ସେ କିଛି ଲୁଚାଏ ନାହିଁ, ସବୁ ଫାଇଲ ଆଗରେ ରଖିଦିଏ ।’’ ସେତେବେଳକୁ ଆମ ବାଟ ସରି ଆସିଲାଣି । ସାହାନୀ ହାତ ଦେଖାଇ କହିଲା, ‘‘ଏଇ ହେଉଛି ଲି’ଜ୍ ଫ୍ୟୁନରାଲ୍ ହୋମ୍ । ଏଇଠି ଦାହ ହେବ ।’’

 

ଲି’ଜ୍ ଫ୍ୟୁନରାଲ୍ ହୋମ୍ । ଛୋଟ ଘରଟିଏ, ପୁରୁଣାକାଳିଆ ଛାଞ୍ଚରେ ତିଆରି । ବୋଧହୁଏ ଜଣାଇଦେବାକୁ ଚାହେଁ ଯେ ସେ ବହୁଯୁଗରୁ ନୀରବରେ ଲୋକସେବା କରି ଆସୁଛି । ନାଲିନେଳି ନିଅନ୍‍ ଲାଇଟ୍‍ ନାହିଁ, କେବଳ ନାଁ କଳା ଅକ୍ଷରରେ ଲେଖା ହୋଇଛି ବାହାର କାନ୍ଥରେ-। ଦେଖିବାକୁ ଭଲ ଲାଗିଲା । ଫ୍ୟୁନରାଲ୍ ହୋମ୍ ଏହିପରି ହେବା ଉଚିତ୍‍; ମୃତ୍ୟୁର ମହାନତା ଆଗରେ ସଭ୍ୟତାର ଗାରିମା ଶୋଭାପାଏ ନାହିଁ ।

 

ଧାଡ଼ି ଧାଡ଼ି କାର୍ ଛିଡ଼ା ହୋଇ ରହିଛି ଘର ଆଗରେ । ସାହାନୀ ଟିକିଏ ଅନେଇ ଦେଇ କହିଲା, ‘‘ଏ ସବୁ ହେଉଛି ଇଣ୍ଡିଆନ୍‍ମାନଙ୍କ କାର୍ ।’’ ମୁଁ ଅଭିଭୂତ ହେଲି । ଏତେ ଭାରତୀୟ ଭାଇ, ଗୋଟିଏ ପରିବାର । ଜଣକ ସୁଖଦୁଃଖରେ ସମସ୍ତେ ବନ୍ଧା । ଆନନ୍ଦ ଜଣାଇ ସାହାନୀକୁ କହିଲି, ‘‘ଏତେ ଇଣ୍ଡିଆନ୍, ଏତେ କାର୍ !’’ ସାହାନୀ କଥାର ପ୍ରାଧାନ୍ୟ କେଉଁଠି ରହିଲା ବୁଝିପାରିଲା ନାହିଁ । କହିଲା, ‘‘ହଁ, ଏଠି ଊଣା ଅଧିକ ସବୁ ଇଣ୍ଡିଆନଙ୍କର କାର୍ ଅଛି ।’’

 

ସାହାନୀର କହିବା ଅନୁଯାୟୀ ଗୋଟିଏ ବଡ଼ ହଲ୍‍କୁ ଯାଇ ଓଭରକୋଟ ଉତାରି ରଖିଦେଲି । ଫେରିଆସୁଛି ଏହି ସମୟରେ ଦେଖାହେଲା ମିଷ୍ଟର୍ ସାକସେନାଙ୍କ ସାଙ୍ଗରେ । ହସିଦେଇ ‘ହ୍ୟାଲୋ’ କହିଲି, କିନ୍ତୁ ଦେଖିଲି ସେ ହସୁ ନାହାନ୍ତି, ‘ହ୍ୟାଲୋ’ କହିବା ତ ଦୂରର କଥା । କଣ ହେଲା ? ଭାବିଲି ବୋଧହୁଏ ସେ ଅନ୍ୟମନସ୍କ, ମୋତେ ଦେଖିପାରି ନାହାନ୍ତି ।

 

ହଲ୍‍ରୁ ଆସି ଗୋଟିଏ ବାରଣ୍ଡା ଦେଇ ଆଉ ଗୋଟିଏ ପ୍ରଶସ୍ତ କୋଠରୀକୁ ଗଲି । ଦେଖିଲି ଧାଡ଼ି ଧାଡ଼ି ହୋଇ ଚଉକି ପଡ଼ିଛି ଓ କଳା ପୋଷାକ ପିନ୍ଧା ପୁରୁଷ ଓ ସ୍ତ୍ରୀ ଚୁପ୍ ହୋଇ ବସିଛନ୍ତି, କୌଣସି ଗୁରୁତର ଘଟଣାର ଅପେକ୍ଷା କଲାପରି ।

 

ଘରର ସେମୁଣ୍ଡରେ ଡାକ୍ତରଖାନାର ଷ୍ଟ୍ରେଚର୍ ପରି ଗୋଟିଏ ସରୁ ଲମ୍ବା ଟେବୁଲ ଉପରେ ଜଣେ ମଣିଷ ଘୋଡ଼େଇ ହୋଇ ଶୋଇଲା ପରି ଦିଶୁଛି । ମୁହଁ ଭଲ କରି ଦେଖାଯାଉନାହିଁ-। ସେହି ନିଶ୍ଚୟ ରଙ୍ଗାରାଓ, ରଙ୍ଗାରାଓର ଶବ ।

 

ରଙ୍ଗାରାଓର ଶବ । ଭାବିଲାବେଳକୁ ସ୍ୱତଃ ଗୋଟିଏ ଦୀର୍ଘନିଃଶ୍ୱାସ ବାହାରି ଆସିଲା । ମଣିଷର ଶେଷ କଥା । ରଙ୍ଗାରାଓ ବିଦେଶକୁ ଆସିଥିଲା କାହିଁକି,—ମରିବା ପାଇଁ ? ଛାଡ଼ିଯାଉଛି ଯୁବତୀ ସ୍ତ୍ରୀ, କୋଳର ଶିଶୁ । ଏ କେବଳ ମରିବା ନୁହେଁ, ଏହାକୁ ହିଁ କହନ୍ତି ଟ୍ରାଜେଡ଼ି । ମୋର ମନେହେଲା ଯେ ମୁଁ ଜୀବନର ଗୋଟିଏ ସାର୍ଥକ ମୁହୂର୍ତ୍ତ ଅନୁଭବ କରୁଛି । ଟ୍ରାଜେଡ଼ି ଅନୁଭୂତିରେ ନିବିଡ଼ତା ଆଣିଦିଏ, ଜୀବନରେ ଗଭୀରତା । ବିଦେଶରେ ଏହି ଫ୍ୟୁନରାଲ୍ ହୋମ୍, ବରଫ ବର୍ଷାର ରାତିରେ ଏହି ଜନସମାବେଶ, ସମ୍ମୁଖରେ ଗୋଟିଏ ଜିଅନ୍ତା ମଣିଷର ଶବ ବୃନ୍ତଚ୍ୟୁତ ପୁଷ୍ପ ପରି, ଏ ନୀରବତା, ଏ ଆତ୍ମୀୟତା,—ରଙ୍ଗାରାଓ ଏହାଠାରୁ ଅଧିକ ଆଉ କଣ ଆଶା କରିପାରିଥାନ୍ତା ? ଅତି ସୁନ୍ଦର, ଅତି-କରୁଣ ଟ୍ରାଜେଡ଼ିର ଛବି ।

 

ହଠାତ୍ ଜନଗହଳ ଚଞ୍ଚଳ ହୋଇ ଉଠିଲା । ପୋଷାକ, ଜୋତା ଯଥାସ୍ଥାନରୁ ଅଳ୍ପବହୁତ ଘୁଞ୍ଚିଆସିବାର ଶବ୍ଦ ହେଲା । କାରଣ କଅଣ ଖୋଜିବାକୁ ଯାଉଛି, ଏହି ସମୟରେ ପାଖରେ ବସିଥିବା ଭଦ୍ରବ୍ୟକ୍ତି ଜଣକ ଫୁସ୍ ଫୁସ୍ ହୋଇ କହିଲେ, ‘‘ଆମ୍ବାସଡ଼ର––ନିଜେ ।’’ ପଛକୁ ଫେରି ଦେଖିଲି ପ୍ରକୃତରେ ରାଜଦୂତ ଆସୁଛନ୍ତି, ଦେଶର ପ୍ରତିନିଧି ଓ ତାଙ୍କ ପଛରେ ଆଉ ଦୁଇ ତିନିଜଣ । ସେମାନେ ଆମରି ବାଟଦେଇ ତଳେ, ଦେଖିଲି ଆମ୍ବାସଡ଼ରଙ୍କ ଅନୁସରଣ କରୁଛନ୍ତି ପ୍ରଥମ ସଚିବ ମିଷ୍ଟର୍ ଶାହା ଓ ଦୁଇଜଣ ଦ୍ୱିତୀୟ ସଚିବ । ମିଷ୍ଟର୍ ଶାହାଙ୍କୁ ମୁଁ ଭଲଭାବରେ ଜାଣେ । ମୁଁ ବନ୍ଧୁତାର ଖାତିରରେ ତାଙ୍କ ଆଡ଼କୁ ଅନେଇ ହସିଦେଲି ଟିକିଏ । କିନ୍ତୁ ଆଶ୍ଚର୍ଯ୍ୟ, ହସର ପ୍ରତିଦାନ ନାହିଁ, ଟିକିଏ ମୁଣ୍ଡ ଟୁଙ୍ଗାରିବା ମଧ୍ୟ ନାହିଁ !

 

ବୁଝିଲି, କେଡ଼େ ନିର୍ବୋଧ ମୁଁ ! ଆଗରୁ ଜାଣିବା ଉଚିତ୍‍ ଥିଲା । ଏ ନୀରବ ମୃତ୍ୟୁସଭାରେ ମୁଁ କେଉଁ ସାହସରେ ହସିବାକୁ ଗଲି, କୁଶଳ ସମ୍ଭାଷଣ କଲି ? ମିଷ୍ଟର୍ ସାକସେନାଙ୍କ ବ୍ୟବହାର ବୁଝିହେଲା, ଏତେବେଳକୁ । ନିଜକୁ ଦୋଷୀ ଲାଗିଲା । ଭାବିଲି ମୁଁ ଅତି ଆଗୁଆଁର, ମୃତ୍ୟୁର ସମ୍ମାନ ଦେଇ ଜାଣେ ନାହିଁ ।

 

ଯାହାହେଉ ତା’ ପରଠୁଁ ମୁଁ ନିଜକୁ ସଜାଡ଼ିନେଲି । ହସ ନାହିଁ, ପାଟିତୁଣ୍ଡ ନାହିଁ, ସିଧାସଳଖ ବସି ଅନେଇ ରହିଲି ସମ୍ମୁଖରେ ଥିବା ରଙ୍ଗରାଓର ଶବ ଆଡ଼କୁ । ଅନେଇ ରହିଲି ଓ ଅପେକ୍ଷା କଲି, ଅନ୍ୟମାନେ ଯେପରି ଅପେକ୍ଷା କରିଛନ୍ତି । ଆଗରେ ରାଜଦୂତ ଓ ତାଙ୍କ ସଚିବମଣ୍ଡଳୀ, ପଛରେ ଅନ୍ୟମାନେ ।

 

……ସମୟ ଗଡ଼ି ଚାଲିଲା । ଅନେଇ ରହି, ଅପେକ୍ଷା କରି କରି ମୋର ଭାବନା ଅନୁଚିତ, ଅସଙ୍ଗତ ହେବାକୁ ବସିଲା । ଏ ଛବି ସୁନ୍ଦର । କିନ୍ତୁ ଏ କଣ ସ୍ଥାଣୁ, ଏଥିରେ ମଣିଷ ନାହାନ୍ତି ? ଏ ଶୋକସଭା ଟ୍ରାଜେଡ଼ିର କଳା ମଖମଲରେ ନିଜକୁ ସଜାଇଛି । ରଙ୍ଗାରାଓର ମରିବା ସାର୍ଥକ ହୋଇଛି, ଭାରତୀୟ ଭାରତୀୟକୁ ସମୁଚିତ ଶ୍ରଦ୍ଧା ଓ ସମ୍ମାନ ଦେଇଛି । ନିଜେ ଆମ୍ବାସଡ଼ର ଆସିଛନ୍ତି; କିନ୍ତୁ ।

 

କିନ୍ତୁ କଅଣ ? ମୋ ଭିତରୁ କିଏ ଗୋଟାଏ ଅଶ୍ଳୀଳ ବିଦ୍ରୋହୀ ଜବାବ ଦେଲା—ମିସେସ୍ ରଙ୍ଗାରାଓ । ମିସେସ୍ ରଙ୍ଗାରାଓ କାହିଁ ? କାହିଁ ତା’ର ଅସମ୍ଭାଳ ବେଶଭୂଷା ? କାହିଁ ତା’ର ବିକଳ କାନ୍ଦଣା ‘ନିଅ ନାହିଁ, ନିଅ ନାହିଁ ତାଙ୍କୁ… ମୁଁ ମରିଯିବି, ବଞ୍ଚି ପାରିବି ନାହିଁ… ମୋତେ ଛାଡ଼ିଦିଅ ଛାଡ଼ିଦିଅ କହୁଛି..... ।’ ମୁଣ୍ଡ ବାଡ଼େଇ ହୋଇ ଫୁଲିଯାଇଛି, ପାଟିରୁ ଲାଳ ନାକରୁ ପାଣି ବହିଚାଲିଛି । ଶୋକ ସଂଭ୍ରମକୁ ଜିଣି ଦେହକୁ ଅନାବୃତ କରି ଦେଖାଉଛି, ଅସୁନ୍ଦର କରି ଦେଖାଉଛି-। ଜଣାଇ ଦେଉଛି ଯେ ଏ ଦେହ ଆଉ ନାରୀର ଦେହ ନୁହେଁ, ଯୌବନର ଦେହ ନୁହେଁ, ଏ ଦେହ ଯାଇଛି ତାଙ୍କ ସାଙ୍ଗରେ । ଆଉ କିଛି ନାହିଁ, ସବୁ ସରି ଯାଇଛି ।

 

କାହିଁ ସେହି ମିସେସ୍ ରଙ୍ଗାରାଓ—ଶୋକାତୁର ସ୍ୱାମୀହରା ତରୁଣୀ ସ୍ତ୍ରୀ ?

 

ମୁଁ ସେହି ବିଦ୍ରୋହକୁ ମାନିଲି ନାହିଁ । ମିସେସ୍ ରଙ୍ଗାରାଓର ଶୋକ ଅଛି, ଗଭୀର ଶୋକ—ନ ଥିବ କେମିତି ? କିନ୍ତୁ ସେ ଶିକ୍ଷିତା, ବୁଦ୍ଧିମତୀ । ତା’ ଶୋକରେ ମର୍ଯ୍ୟାଦା ଅଛି, ସଂଯମ ଅଛି । ତା’ର ଦୁଃଖ ତା’ର ନିଜର । ସେ ତା’କୁ ଦେଇ ଏ ସୁଚାରୁ ସମବେତ ଦୁଃଖରେ ଆଞ୍ଚ ଲଗାଇବାକୁ ଯିବ ନାହିଁ । ଲି’ଜ୍ ଫ୍ୟୁନରାଲ୍ ହୋମର ପରମ୍ପରା ନଷ୍ଟ କରିଦେବ ନାହିଁ ।

 

ହେଲେ ମିସେସ୍ ରଙ୍ଗାରାଓ କାହିଁ ? କାହାକୁ ପଚାରିବାକୁ ସାହସ ହେଲା ନାହିଁ । ସେ ଯେଉଁଠି ହେଲେ ଥିବ ଏହି ସଭା ମଝିରେ—ଜାଣିକରି ଲାଭ କଅଣ ?

 

ବେଳ ବଢ଼ିଲା । ଘଣ୍ଟାରେ ଦେଖିଲି ବାରଟା ବାଜିଲାଣି । ଡେରି କାହିଁକି ? କେଉଁଥିପାଇଁ ଅପେକ୍ଷା କରିଛନ୍ତି ସମସ୍ତେ ? ଦେଖିଲି କେତେଜଣ ଘନ ଘନ ଘଣ୍ଟା ଦେଖି ଚାଲିଛନ୍ତି-। ମୋ ପାଖରେ ବସିଥିବା ଭଦ୍ରଲୋକଜଣକ ଆଖିବୁଜି ମୁଣ୍ଡ ତଳକୁ କରିଛନ୍ତି । ଆଗରେ ଜଣେ ସ୍ତ୍ରୀ ଲୋକ ଆଖି ଅଳ୍ପ ବୁଜି ପୁଣି ଖୋଲି ଜଳ ଜଳ ହୋଇ ଚାହୁଁଛନ୍ତି—କେହି ଦେଖି ପାରିଲା କି ? କଣ କିଛି ଘଟିଲା କି ? ସର୍ବପ୍ରଥମ ଧାଡ଼ିରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଉଠିଆସି ଏ ଆଡ଼େ ଆସୁଛନ୍ତି, ସମ୍ଭବତଃ ଦ୍ୱିତୀୟ ସଚିବ ମିଷ୍ଟର୍ କୁଲ୍‍କାର୍ଣ୍ଣୀ । ସେ ମୋ ବାଟ ଦେଇ ବାରଣ୍ଡାକୁ ଯାଇ ଆଉ କାହା ସାଙ୍ଗରେ ଧୀରେ ଧୀରେ କଥାବାର୍ତ୍ତା କରୁଛନ୍ତି । ମୁଁ ଭାବିଲି ଯେ କିଛି ଗୋଟାଏ ଘଟିବାକୁ ଯାଉଛି ।

 

ଉଠିଯାଇ ବାରଣ୍ଡାକୁ ଯିବି କି ନାହିଁ ଭାବୁଛି ଏହି ସମୟରେ ଘର ଭିତରକୁ ପଶିଆସିଲେ ଜଣେ ଦୀର୍ଘକାୟ ସୁପୁରୁଷ, କାହାର ଆଖିରେ ନ ପଡ଼ିବ ନାହିଁ । ଦେଖିଲି ଭାରତ ଅଫିସର ଜନୈକ କର୍ତ୍ତା,—ଶ୍ରୀଯୁକ୍ତ ରଘୁନନ୍ଦନ ମିଶ୍ର । ଆଜିକାର ଏ ମୁହୂର୍ତ୍ତରେ ମଧ୍ୟ ସେ ଚାଲିଛନ୍ତି ବୀରଦର୍ପରେ, ଦୁଇ ବାହୁ ଦୋଳାୟମାନ, ସଜାଗ ସମ୍ମୁଖ ଚାହାଣି । ତାଙ୍କ ସାଙ୍ଗରେ ମୋର ଥରେ ଦୁଇଥର ଦେଖା ହୋଇଛି ପାର୍ଟିରେ । ପ୍ରଥମ ଦେଖାରେ ସେ ମୋତେ କହିଲେ ସେ ଜଣେ ପ୍ରଫେସର୍ ଥିଲେ, ନିରାଟ ମସ୍ତିଷ୍କ ବିକୃତି ହୋଇ ନ ଥିଲେ ସେ ସରକାରୀ କଲମପେଷା ଚାକିରିକୁ ଆସି ନ ଥାଆନ୍ତେ… ଅବଶ୍ୟ ଆର୍ଥିକ ଦୃଷ୍ଟିରେ ଦେଖିବାକୁ ଗଲେ… ହେଲେ ଟଙ୍କାଟା କଅଣ ବଡ଼ କଥା ? ...ଇତ୍ୟାଦି । ଲୋକ ମୁଖରେ ଶୁଣାଯାଏ ଯେ ମିଷ୍ଟର୍ ମିଶ୍ରଙ୍କ ବାପା ବାରାଣସୀର ଜଣେ ବିଖ୍ୟାତ ପଣ୍ଡିତ ଥିଲେ, ମିଷ୍ଟର୍ ମିଶ୍ର ମଧ୍ୟ ଜଣେ ସଂସ୍କୃତ ବିଶାରଦ, ସେ ବିଦେଶରେ ସଂସ୍କୃତ ମନ୍ତ୍ର ପଢ଼ି ବିବାହ କରାଇ ପାରନ୍ତି । ହୋଇଥିବ, କାରଣ ଦିନେ ମୁଁ ଦେଖିଛି ସେ ଗୋଟିଏ କକଟେଲ ଗିଲାସ ସାରିବା ଭିତରେ ଅଭିଜ୍ଞାନଶକୁନ୍ତଳମ୍‍ର ବଛା ବଛା ଶ୍ଳୋକ ଦଶବାରଟି ଉଦ୍ଧାର କରିପାରିଲେ ଓ ତା ଛଡ଼ା’ ବେଦର ମାହାତ୍ମ୍ୟ ବୁଝାଇପାରିଲେ ।

 

ପୂର୍ବରୁ କୌଣସି ସୂଚନା ନ ଦେଇ ମିଷ୍ଟର୍ ମିଶ୍ର ରଙ୍ଗାରାଓର ଶବ ପାଖରେ ଛିଡ଼ା ହୋଇଗଲେ ଓ ପ୍ରଣାମ କରିବା ଉଦ୍ଦେଶ୍ୟରେ ମୁଣ୍ଡକୁ ଈଷତ୍ ତଳକୁ କଲେ । ଆମ୍ବାସଡ଼ର୍‍ଙ୍କ ସହିତ ଆମେ ସମସ୍ତେ ଛିଡ଼ା ହୋଇଗଲୁ । ତା’ପରେ ସେ ଆରମ୍ଭ କଲେ ଗମ୍ଭୀର ସ୍ୱରରେ,—

 

‘‘ଓମ ତତ୍ ସତ୍

ଯଦା ଯଦା ହିଁ ଧର୍ମସ୍ୟ ଗ୍ଳାନିର୍ଭବତି ଭାରତଃ

ଅଭ୍ୟୁତ୍‍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ… ।

 

ସମସ୍ତେ ଚାହିଁ ରହିଛନ୍ତି ନିର୍ନିମେଷ ନୟନରେ । ପର ଶ୍ଳୋକ:—

 

‘‘ଜାନାମି ଧର୍ମଂ ନଚ ମେ ପ୍ରବୃତ୍ତିଂ

ଜାନାମ୍ୟ ଧର୍ମଂ ନଚ ମେ ନିବୃତ୍ତିଂ

ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ

ଯଥା ନିଯୁକ୍ତୋସ୍ମି ତଥା କରୋମି… ।’’

 

ଏହିପରି ଶ୍ଳୋକ ଚାଲିଲା ଦଶ ମିନିଟ ଖଣ୍ଡେ । ଶ୍ଳୋକଗୁଡ଼ିକର ପାରସ୍ପରିକ ସମ୍ପର୍କ କିମ୍ବା ସେଗୁଡ଼ିକ ଦାହକ୍ରିୟା ଉପଯୋଗୀ କି ନୁହେଁ, ସେ ବିଷୟରେ ନିଜକୁ ଅଥବା ଅନ୍ୟମାନଙ୍କୁ ପ୍ରଶ୍ନ ପଚାରିବାର ପ୍ରଗଳ୍‍ଭତା ମୋର ନ ଥିଲା । ମିଷ୍ଟର୍ ମିଶ୍ର ଜାଣନ୍ତି । ଆମେମାନେ କେହି ଜାଣି ନାହୁଁ । ମିଷ୍ଟର ମିଶ୍ର ନ ଥିଲେ ରଙ୍ଗାରାଓର ଶବ ଶାସ୍ତ୍ରକ୍ରିୟା ରହିତ ହୋଇ ପୋଡ଼ା ହୋଇ ଥାଆନ୍ତା-। ଲି’ଜ ଫ୍ୟୁନରାଲ୍ ହୋମ୍‍ର ଅଣ୍ଡରଟେକର୍‍ ଭାବିଥାନ୍ତା ଯେ ଏମାନଙ୍କର ଫ୍ୟୁନରାଲ୍ ସର୍ଭିସ ନାହିଁ, ଅତଏବ ଏମାନଙ୍କର ଧର୍ମରେ ରୁଚିଜ୍ଞାନ ନାହିଁ, ଏମାନେ ମୃତକୁ ସମ୍ମାନ ଦେଇ ଜାଣନ୍ତି ନାହିଁ । ମିଷ୍ଟର ମିଶ୍ର ଆମର ମାନ ବଞ୍ଚାଇଦେଲେ ।

 

ଶ୍ଳୋକପାଠ ପରେ ମିଷ୍ଟର୍ ମିଶ୍ର ପୁଣିଥରେ ମୁଣ୍ଡ ଝୁଙ୍କାଇଲେ ପ୍ରଣାମ କଲା ପରି ଓ ଦ୍ରୁତଗତିରେ ଆଗେଇ ଆସି ପ୍ରଥମ ଧାଡ଼ିର ଗୋଟିଏ ଚୌକିରେ ବସି ପଡ଼ିଲେ । ଆମେ ସବୁ ବସିଗଲୁ । ଫେରିଯାଉଥିବା ଲହରୀର ମର୍ମର ପରି ଲୋକମାନଙ୍କର ଅର୍ଦ୍ଧସ୍ପୁଟ ସମବେତ ଶବ୍ଦ ଶୁଣିବାକୁ ମିଳିଲା—ଉତ୍କଣ୍ଠା ଓ ଚଞ୍ଚଳତାର ଶବ୍ଦ, ଏଥର ଦୃଶ୍ୟ ବଦଳି ଚାଲିବ, ଘଟଣା ଘଟିବ, କାମ ବଢ଼ିବାକୁ ଆଉ ବେଶି ଡେରି ନାହିଁ ।

 

ଅଳ୍ପ ସମୟ ପରେ ଦୁଇଜଣ ଲୋକ ଆସି ରଙ୍ଗାରାଓର ଶବ ସମେତ ଷ୍ଟେଚରକୁ ଗଡ଼େଇନେଲେ ସେ ଘର ଭିତରୁ । ସାଙ୍ଗରେ ଚାଲିଯାଆନ୍ତି ଜଣେ ଗୋରାଲୋକ, ଅଣ୍ଡରଟେକର୍‍ ହେବେ ପରା । ଏଥର ବୋଧହୁଏ ଶେଷ କାମ, ଶବଦାହ ।

 

ଶବ ଯିବା ସାଙ୍ଗେ ସାଙ୍ଗେ ପ୍ରାୟ ସମସ୍ତେ ଛିଡ଼ା ହୋଇ ଘରୁ ବାହାରିବାକୁ ଲାଗିଲେ । ଏଥର କଥାବାର୍ତ୍ତାରେ ବାଧା ନାହିଁ,—ଅବଶ୍ୟ ବଡ଼ପାଟିରେ ନୁହେଁ,—ଯଥା, ‘ଫ୍ୟୁନରାଲ୍ ତ ଦୁଇମିନିଟ୍‍ କଥା, ଶବକୁ ମେସିନରେ ରଖି ସୁଇଚ ଟିପିଦିଅ, ବାସ୍ ଏତେ ଡେରି ହୋଇ ନ ଥାଆନ୍ତା, ମିଷ୍ଟର୍ ମିଶ୍ର କୁଆଡ଼େ କେଉଁ ଡିନର ପାର୍ଟିକୁ ଯାଇଥିଲେ ବାହାରେ ପୁଣି ବରଫ ପଡ଼ିବା ଆରମ୍ଭ ହୋଇଗଲାଣି । କାଲି ଅଫିସ୍ ନ ଥାଆନ୍ତା କି... ଆମ୍ବାସଡ଼ର କଣ ଶେଷ ଯାଏଁ ରହିବେ-? ଇତ୍ୟାଦି । ମୁଁ ମନ୍ଥର ଗତିରେ ଅନ୍ୟମାନଙ୍କ ପଛେ ପଛେ ଚାଲୁଛି ଶବଦାହ ଦେଖିବା ପାଇଁ । ଏହି ସମୟରେ ଦେଖିଲି ଯେ ଘରଭିତରେ ଥୋକେ ବସି ରହିଛନ୍ତି ସେମିତି । ଦୁଇତିନିଜଣଙ୍କ ଛଡ଼ା ସମସ୍ତେ ଭଦ୍ରମହିଳା; ସେମାନଙ୍କ ଭିତରୁ କେତେଜଣ ଉଠିଯାଇ ଲଗାଲଗି ହୋଇ ବସୁଛନ୍ତି ଆଗ କେତୋଟି ଧାଡ଼ିର ଚଉକିରେ । କାରଣ କଅଣ ? ସ୍ତ୍ରୀ ଲୋକମାନଙ୍କର କଅଣ ଶବଦାହ ଦେଖିବା ମନ ?

 

ହଠାତ୍ ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ ଜଣେ କେହି ପାଟି କରିଉଠିଲା ପରି ଲାଗିଲା-। ମୁଁ ଥମକି ରହିଗଲି । ନା, ଏ ଚିତ୍କାର ନୁହେଁ, କାନ୍ଦଣା । ବିଳାପର ସ୍ୱର, ମାଟିଫୁଟା ଝରଣା ପରି ହଠାତ୍ ବାହାରି ଆସି ଭୂଇଁରେ ଲୋଟିଯାଉଛି । ଗୋଟିଏ ତୀବ୍ର କରୁଣ ଧ୍ଵନି, ଗୋଟିଏ ଝଙ୍କାର ଥିର ପବନ ଚହଲାଇ ଦେଇ ରହିଯାଉଛି ନିଜ ଭିତରେ ସେହି ଯେପରି ତା’ର ଅସମ୍ଭାଳ ଆବେଦନ,—ପହିଲି ଓ ଶେଷ । ହାତରେ ମୁହଁଘୋଡ଼େଇ, ମୁଣ୍ଡତଳକୁ କରି ସେ କାନ୍ଦୁଛି, ନିଜକୁ ନିଜେ । ମନେହେଉଛି ସେ ଜଣାଇବାକୁ ଚାହେଁ—ନା, ମୋର ଭୁଲ୍ ହୋଇଗଲା, ମୁଁ ଆଉ କାନ୍ଦିବି ନାହିଁ, ଆଉ କାନ୍ଦିବି ନାହିଁ ।

 

ବୁଝିବାକୁ ବାକି ରହିଲା ନାହିଁ ସେ ଝିଅଟି କିଏ । ସେହି ହେଉଛି ମିସେସ୍ ରଙ୍ଗାରାଓ । ସେହି ଛୋଟ ପାତଳୀ ଝିଅକୁ ମୁଁ ଦେଖିଥିଲି ବାରଗେନ୍‍ ସିଟି ଡିପାର୍ଟମେଣ୍ଟ ଷ୍ଟୋରରେ ।

 

ଓଃ ! ତୋର ସେ ଦୁଃଖ,—କିଏ ନେଇ ପାରିବ ତାକୁ ? କେତେ ସହିଲୁ, ସମ୍ଭାଳିଲୁ, ଆଉ ପାରିଲୁ ନାହିଁ ! ଦେଖିଲି ଜଣେ ଦୁଇଜଣ ଭଦ୍ରମହିଳା ନୀରବରେ ଲୁହ ପୋଛୁଛନ୍ତି । କେହି ଜଣେ ବୟସ୍କା ଭଦ୍ରମହିଳା ଛିଡ଼ାହୋଇ ଝିଅଟିର ମୁଣ୍ଡବାଳକୁ ହାତରେ ଆଉଁସୁଛନ୍ତି, ଅତି ଧୀରେ, ଆଶ୍ୱାସନା ଦେଲା ପରି ।

 

ଗଭୀର ସମବେଦନା ନେଇ ମୁଁ ଦେଖୁଥାଏ ମିସେସ୍ ରଙ୍ଗାରାଓକୁ, ଯିବାବାଟରେ ଅଟକି ରହିଯାଇଥାଏ । ରଙ୍ଗାରାଓ ଚାଲିଯାଇଛି ତା’ର ଶବ ପୋଡ଼ା ହେବ । କିନ୍ତୁ ଏ ଝିଅର ଅବସ୍ଥା କଅଣ ହେବ ? ଯାହାହେଉ ପାଠଶାଠ ପଢ଼ିଛି, ଭାରତ ଫେରିଯାଇ ନିଜ ଅର୍ଜ୍ଜନରେ ପିଲାକୁ ପାଠ ପଢ଼େଇ ମଣିଷ କରିପାରିବ । ଭାରତୀୟା ନାରୀ । ଦୁଃଖକଷ୍ଟ ସହି ସେ ସମାଜରେ ନିଜକୁ ବଡ଼କରି ରଖି ପାରିବ ।

 

ସମବେଦନା,—କେଉଁ ଧାତୁରେ ତିଆରି ? ବେଳେ ବେଳେ ଅନ୍ୟର ଦୁଃଖ ଦେଖିଲେ ଛଟପଟ ଲାଗେ, ଇଚ୍ଛା ହୁଏ ଭାବିବାକୁ ଯେ ତା’ର ଅସ୍ତିତ୍ୱ ନ ଥାଆନ୍ତା କି । ପୁଣି ବେଳେବେଳେ ଅସହାୟ ଲାଗେ, ଯେ ମୁଁ ହୁଏତ କିଛି କରି ପାରିଥାଆନ୍ତି, କରିପାରୁ ନାହିଁ । କିନ୍ତୁ ଆଜିର ଏହି ସମବେଦନାରେ ମୋର ଗୋଟିଏ ନୂଆ ଭାବ ଆସିଲା । ମୋତେ ଭଲ ଲାଗିଲା । ମନେ ହେଲା ଯେ ମିସେସ୍ ରଙ୍ଗାରାଓ ଗୋଟିଏ କଳା-ଚିତ୍ରର ଶେଷ ଅଂଶ ପୂରଣ କରି ପାରିଛି । ମିସେସ୍ ରଙ୍ଗାରାଓ କାନ୍ଦିଛି ଠିକ୍ ଯେତିକି କାନ୍ଦିବାର କଥା, ଯେଉଁ ମୁହୂର୍ତ୍ତରେ କାନ୍ଦିବାର କଥା । ଆଉ ତା’ର ସେ କାନ୍ଦଣା ବିକଳ ଅସନା କାନ୍ଦଣା ନୁହେଁ, ସେଥିରେ ରୁଚି ଅଛି, ଶୀଳତା ଅଛି । ବ୍ୟସ୍ତ ଲାଗୁ ନାହିଁ, ଇଚ୍ଛା ହେଉଛି ସେହି ଭଦ୍ରମହିଳାଙ୍କ ପରି ପାଖକୁ ଯାଇ ମୁଣ୍ଡ ଆଉଁସି ଦେବାକୁ ।

 

ମିସେସ୍ ରଙ୍ଗାରାଓ ଲୁହଧୁଆ ଆଖିରେ ମୁଣ୍ଡ ଟେକିଲା । ଛିଡ଼ା ହୋଇଥିବା ଭଦ୍ରମହିଳା ଅଳ୍ପ ମୁହଁ ଫେରାଇଲେ । ମୁଁ ଦେଖିଲି ଯେ ତାଙ୍କର ବେଶଭୂଷା ଉଚ୍ଚ ଦରର, ନିଶ୍ଚୟ କେଉଁ ସମ୍ମାନ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସ୍ତ୍ରୀ ହୋଇଥିବେ । ତାଙ୍କୁ କେଉଁଠି ଦେଖିଛି ବୋଲି ମନେ ପକାଇବାକୁ ଚେଷ୍ଟା କରୁଛି, ଏହି ସମୟରେ ଆମ୍ବାସଡ଼ର୍‍ଙ୍କ ସହିତ ଦଳେ ଲୋକ ଘର ଭିତରକୁ ପଶି ଆସିଲେ ଓ ଭଦ୍ରମହିଳା ଧୀର ପଦକ୍ଷେପରେ ଆମ୍ୱାସଡ଼ର୍‍ଙ୍କ ପାଖକୁ ଲାଗି ଆସିଲେ । ମୁହଁରେ ବିଷାଦ ଓ ଆତ୍ମସନ୍ତୋଷର ଭାବ । ଆମ୍ୱାସଡ଼ର୍‍ଙ୍କ ସ୍ତ୍ରୀ, ସନ୍ଦେହ ନାହିଁ । ମୋର ମୁକ୍ତ କଣ୍ଠରେ ପ୍ରଶଂସା କରିବାକୁ ଇଚ୍ଛା ହେଲା—ତାଙ୍କୁ ଓ ମିସେସ୍ ରଙ୍ଗାରାଓକୁ ।

 

ଭିଡ଼ ବଢ଼ିଲା । ଘରଭିତରେ ଲୋକ ହାଉଯାଉ ହେଲେଣି । ସାହାନୀ କୁଆଡ଼ୁ ଆସି ପାଖରେ ପହୁଞ୍ଚିଯାଇ କହିଲା, ‘‘ଯିବା ଏଥର ? ସମସ୍ତେ ବାହାରିଲେଣି । ଆପଣ ଫ୍ୟୁନରାଲ୍ ଦେଖିବାକୁ ଗଲେ ନାହିଁ ? ଦେଖିବା କଥା । ଇଲେକ୍‍ଟ୍ରିକ୍‍ ମେସିନ୍‍, ଦୁଇମିନିଟରେ ସବୁ ପୋଡ଼ି ଭସ୍ମ କରିଦେବ ।’’ ମୁଁ ନିରୁତ୍ତର ହୋଇ ସାହାନୀ ସାଙ୍ଗରେ ଫେରିବା ପାଇଁ ବାହାରିଲି, ଅନ୍ୟମାନଙ୍କ ପରି ।

 

ଫେରିବା ବାଟରେ ଦେଖିଲି ଯେ ବରଫ ଧୀରେ ସୁସ୍ଥେ ପଡ଼ୁଛି, ଥକିଗଲା ପରି । କିନ୍ତୁ ଘର, ରାସ୍ତା, ଗଛପତର ସବୁ ବରଫରେ ଢାଙ୍କି ହୋଇଗଲାଣି । ଫୁଲପତ୍ରବିହୀନ ଗଛମାନଙ୍କରେ ବରଫରୂପା ଛାଇ ହୋଇଯାଇଛି ଏବଂ ପତର ଥିବା ଛୋଟ ଗଛମାନଙ୍କରେ ବରଫତୁଳା ଖଞ୍ଜି ହୋଇଯାଇଛି, ଖୋଲିଯାଇଥିବା କପାଫଳ ପରି । ଅବିଚ୍ଛିନ୍ନ ଶୁଭ୍ରତାରେ ଠାଁଏ ଠାଁଏ ଆଲୁଅର ଛିଟା, ଦୋକାନବଜାରର ନାଲିନେଳି ନିଅନ୍ ଲାଇଟ୍ । ବହୁତ ସମୟ ଚୁପଚାପ୍‍ ବସିଲା ପରେ ମୁଁ ସାହାନୀକୁ ପଚାରିଲି, ‘‘ମିସେସ୍ ରଙ୍ଗାରାଓ କେବେ ଇଣ୍ଡିଆକୁ ଫେରୁଛି ? ଛଅମାସ ଭିତରେ ଫେରିଲେ ସରକାର ଖର୍ଚ୍ଚ ଦେବ—ନା ?’’

 

‘‘ମିସେସ୍ ରଙ୍ଗାରାଓ ଫେରିବ ନାହିଁ ଇଣ୍ଡିଆକୁ ।’’

 

ମୁଁ ସାହାନୀର ଉତ୍ତର ପ୍ରଥମେ ବୁଝିପାରିଲି ନାହିଁ । ପଚାରିଲି, ‘‘ଫେରିବ ନାହିଁ ? ମାନେ ?’’

 

ସାହାନୀ ବୋଧହୁଏ ଭାବିପାରିଲା ନାହିଁ ଯେ ମୋର ନ ବୁଝିବାର କାରଣ କଣ ହୋଇପାରେ । କିଛି ସମୟ ରହିଯାଇ ଦୃଢ଼ଭାବରେ କଥାର ଦ୍ୱିରୁକ୍ତି କଲା, ‘‘ସେ ଯିବ ନାହିଁ । ମୁଁ ଜାଣେ । ସେ ଦିନ ଟାୱାର୍‍ସରେ ସିଲକ୍ ନାଇଲନ୍‍ର ସେଲ ହୋଇଥିଲା । ମିସେସ୍ ରଙ୍ଗାରାଓ ଯାଇଥିଲା, ମୋ ସ୍ତ୍ରୀଙ୍କ ସାଙ୍ଗରେ ଦେଖାହେଲା । କଥା ପଡ଼ୁ ପଡ଼ୁ କହିଲା ଯେ, ଯଦି ୟାଙ୍କର କିଛି ହୋଇଯାଏ, ସେ ଇଣ୍ଡିଆ ଫେରିବ ନାହିଁ ।’’

 

‘‘କାହିଁକି ? ଇଣ୍ଡିଆରେ କଣ ତା’ର କେହି ନାହାନ୍ତି ? ଏଠି ଟାଇପିଷ୍ଟ କାମକରି କେତେଦିନ ଚଳେଇବ ନିଜକୁ ?’’

 

ସାହାନୀ ଧୈର୍ଯ୍ୟର ସହିତ ମୋତେ ବୁଝାଇବାକୁ ଚାହିଁଲା, କିନ୍ତୁ ତା’ କଥାରେ ତେଜ, ଅସହିଷ୍ଣୁତା ଆସିଯାଇଥାଏ । କହିଲା, ‘‘ଅଛନ୍ତି, ସମସ୍ତେ ଅଛନ୍ତି । ବାପା ମାଆ, ଶାଶୁ ଶ୍ୱଶୁର, ଭାଇ ଭଉଣୀ ସମସ୍ତେ ଅଛନ୍ତି । ହେଲେ ଆପଣ ବୁଝୁନାହାନ୍ତି,—ତା’ର କଣ ଲାଭ ହେବ ସେଠିକି ଯାଇ-? ଏଠିକା ସୁବିଧା ସେ ପାଇବ ନାହିଁ । ମାଡ୍ରାସ୍‍ର କେଉଁ ଅପନ୍ତରାରେ ପଡ଼ିବ ଯାଇଁ—କଣ ଦେଇ ତା’ ପିଲାକୁ ମଣିଷ କରିବ ?

 

ଆଉ ପ୍ରଶ୍ନ ପଚାରିଲି ନାହିଁ । ମୁଁ କିଏ ପଚାରିବାକୁ ? ମିସେସ୍ ରଙ୍ଗାରାଓ ତା’ ଭଲମନ୍ଦ କଥା ମୋଠୁଁ ବେଶି ଜାଣେ ।

 

ସେ ଦିନ ରାତିପାହାନ୍ତା ବେଳକୁ ମୁଁ ଗୋଟାଏ ଅଦ୍ଭୁତ ସ୍ୱପ୍ନ ଦେଖିଲି, ଯେ ମୋତେ କେତେଜଣ ବରଫ ଶେଯରେ ଶୋଇ ଦେଉଛନ୍ତି । ମୋର ଆଖି ବୁଜି ବୁଜି ହୋଇ ଆସୁଛି, କିନ୍ତୁ ମୁଁ ଉଠିବସି ପାଟି କରୁଛି,—‘ନା ନା, ମୁଁ ଏଠି ବରଫରେ ମରିବି ନାହିଁ । ମୋ ପାଇଁ ନିଆଁ ଆଣି ଦିଅ, ଚିତା ଆଣିଦିଅ । ଆମ୍ୱାସଡ଼ରଙ୍କ ସ୍ତ୍ରୀ ମୋର କପାଳରେ ହାତ ବୁଲାଇ ଶୁଆଇ ଦେଉଛନ୍ତି । ତାଙ୍କ ସ୍ମିତହାସରେ ଆଶ୍ଵାସନା ଦେଉଛନ୍ତି,— ‘କାହିଁକି ବ୍ୟସ୍ତ ହେଉଛୁ ? ଡରିବାର କିଛି କାରଣ ନାହିଁ, ସବୁ ଠିକ୍ ହୋଇଯିବ । ‘ପାଖରେ ଛିଡ଼ା ହୋଇଛନ୍ତି ମୋର ଶ୍ରୀମତୀ ଓ ମିସେସ୍ ରଙ୍ଗାରାଓ । ମୋର ମନୋଭାବ ବୁଝିପାରିଲା ପରି ପରସ୍ପରକୁ ଚାହିଁ ମୁଣ୍ଡ ଟୁଙ୍ଗାରୁଛନ୍ତି, ଗମ୍ଭୀର ହୋଇ ।

 

ମୋର ନିଦ ଭାଙ୍ଗିଲା ବେଳକୁ ଦେଖେ ଯେ ଶ୍ରୀମତୀ ସକାଳର ଖବରକାଗଜ ଧରି ବସିଛନ୍ତି ଖଟ ଉପରେ । ମୋର ଉଠିବା ଦେଖି ମୋ ଆଡ଼କୁ ଚାହିଁ କହିଲେ, ‘‘ବୁଝିଲ, କାଗଜରେ ବାହାରିଛି, ଜର୍ଜୱାଶିଙ୍ଗଟନ ଜନ୍ମଦିନ ସେଲରେ ସିଲ୍‍ଭର୍ ପ୍ଲେଟେଡ଼୍‍ କଣ୍ଟାଚାମୁଚ ଚାନ୍‍ସ ଦୋକାନରେ ମିଳିବ, ବହୁତ ଶସ୍ତା ଦରରେ । ବାରଜଣିଆ ସେଟ୍ ମୋଟେ ପଚାଶ୍ ଡଲାର୍… ।

Image

 

କାନ୍ଦୁରୀ

(୧)

 

ପ୍ଲାଷ୍ଟିକ୍ ନାଲିଫୁଲର ମୋଟା ଟାଣ ପାଖୁଡ଼ା ମେଲି ହୋଇରହିଛି । ବାଜେ ଶସ୍ତା ଜିନିଷ-। ହେଲେ ଡ୍ରଗଷ୍ଟୋରରେ ଭଲ ଫୁଲ ମିଳିବ କେଉଁଠୁ ? ଏଠି ଖାଲି କ୍ୟାଣ୍ଡି ଆଉ ଚକୋଲେଟ୍ । ଯେତେ ଇଚ୍ଛା ସେତେ—ଗୋଟାକୁ ପାଞ୍ଚ ସେଣ୍ଟ୍, ତିନିଟାକୁ ତେର ସେଣ୍ଟ୍, ଛଅଟାକୁ ପଚିଶି ସେଣ୍ଟ୍ ।

ଗୀତା ତା’ ମନିପର୍ସରୁ ପଇସା କାଢ଼ି ଗଣି ବସିଲା । ସର୍ବମୋଟ ଗୋଟିଏ ଡଲାର ପଚିଶ ସେଣ୍ଟ୍‍ । ମାସଯାକ ଲାଗିକରି ଏତିକି ରହିଛି । ତରତର କରି ପର୍ସକୁ ବୁଜିଦେଇ ଗୀତା ଆଗକୁ ଅନେଇଲା—ବିଦେଶୀ ଲୋକମାନଙ୍କୁ । ଦାମ୍ଭିକତାର ଭାବନେଇ ଅନେଇଲା । ଅର୍ଥ, ମୋ’ ପର୍ସ୍‍ର ଦରିଦ୍ରତା ମୋର । କାହାର ଆଖିରେ ପଡ଼ିଲେ ଭାସିଯାଉଛି ।

ଗୀତା କିଛି ଜିନିଷ ନ କିଣି ଏଣେ ତେଣେ ଚାହୁଁଥାଏ ଓ ଭାବୁଥାଏ; ସେମାନେ ପାଖଦେଇ ଚାଲିଯାଉଛନ୍ତି । କେହି ମୋ ଆଡ଼କୁ ଅନାଉନାହାନ୍ତି । କାହିଁକି ଅନେଇବେ ? ୱାଶିଙ୍ଗ୍‍ଟନରେ କଣ ମୁଁ ଏକ ବିଦେଶୀ ପିଲା ? କେତେ ଏମ୍ବାଶୀ (Embassy) ଅଛି, କେତେ ଦେଶର ପିଲା । ହଁ, ହୁଏତ ଶାଢ଼ୀ ପିନ୍ଧିଥିଲେ ଆଖିରେ ପଡ଼ନ୍ତା । ରଙ୍ଗବେରଙ୍ଗ ଶାଢ଼ୀ ଦେଖିଲେ ଏମାନଙ୍କର ଆଖି ଖୋସି ହୋଇଯାଏ । ହେଲେ ମୁଁ ଶାଢ଼ୀ ପିନ୍ଧିବି ନାହିଁ । ମାଆ ବି’ ସେଇ କଥା କହିଛି—ଯେ ମୁଁ ଘରେ ଶାଢ଼ୀ ପିନ୍ଧିବାକୁ ଅଭ୍ୟାସ କରିବି, ବାହାରେ ପିନ୍ଧିବି ନାହିଁ ।

ଗୀତା ତାର ସ୍କର୍ଟ ଓ ବ୍ଲାଉସ୍‍ରେ ଆଖି ଫେରାଇଲା ଓ ପୁଣିଥରେ ନିଜକୁ କହିଲା—ମୁଁ ଶାଢ଼ୀ ପିନ୍ଧିବି ନାହିଁ । କାହିଁକି ପିନ୍ଧିବି ? ମୁଁ କଣ ରୀନା ପରି ହୋଇଛି ? ରୀନା ପରି ଅଲାଜୁକୀ, ଫୁଲେଇ ?

ସେ ରୀନାକୁ ଭଲପାଏ ନାହିଁ । ରୀନା କଥା ମନେ ପଡ଼ିଲାରୁ ସେ ସବୁବେଳେ ନିଜକୁ କହେ ଯେ ସେ ରୀନାକୁ ଭଲପାଏ ନାହିଁ, ଭଲପାଇବା କଥା ନୁହେଁ । ରୀନାର ଶାଢ଼ୀ, ରୀନାର ଛଇଳି ଭଙ୍ଗୀ, ସରୁ ଲିପ୍‍ଷ୍ଟିକ୍ ମଖା ଓଠରେ ତା’ର ଇଂରେଜି କହିବାର ଠାଣି, ତା’ର ଉଡ଼ି ଉଡ଼ି ଯାଉଥିବା ହସ, ସବୁ ଗୀତାର ଆଖିରେ ନାଚିଯାଏ । ସେ ଠିକ୍ କରିନିଏ—ଏପରି ଝିଅକୁ, ମାନେ ଇଣ୍ଡିଆନ୍ ଝିଅକୁ କିଏ କାହିଁକି ଭଲ ପାଇବ ?

କିନ୍ତୁ ଏହିକ୍ଷଣି ତାକୁ ଗୋଟାଏ କଥା ମଜାର ଲାଗିଲା । ଶାଢ଼ୀ ହେଉଛି ଇଣ୍ଡିଆନ୍ ଜିନିଷ । ଛୋଟରୁ ବଡ଼ଯାଏଁ ସମସ୍ତେ ପିନ୍ଧନ୍ତି । କିନ୍ତୁ ଏଠି ଶାଢ଼ୀରମାନେ ହେଉଛି ଶୋ’, ଷ୍ଟାଇଲ୍,–ଇଣ୍ଡିଆନ୍ ଷ୍ଟାଇଲ୍ । ବିଦେଶୀମାନେ ଶାଢ଼ୀକୁ ବାହାବା ନ କରୁଥିଲେ ବୋଧହୁଏ ସବୁ ଇଣ୍ଡିଆନ୍ ସ୍ତ୍ରୀଲୋକ ଡ୍ରେସ୍ ପିନ୍ଧନ୍ତେ, ବାପା ହେରିକା ଯେମିତି ସୁଟ୍ ପିନ୍ଧି ବୁଲୁଛନ୍ତି । ସେ ଆଶ୍ଚର୍ଯ୍ୟ ହେଲା । ବିଦେଶରେ ସବୁକଥା କଣ ଏମିତି ଓଲଟା ହୋଇଯାଏ ?

ତା’ର ଆଖିରେ ପଡ଼ିଲା ମ୍ୟାଗାଜିନ୍ ଥାକରେ ଗୋଟିଏ ମ୍ୟାଗାଜିନ୍ ଉପରେ ପ୍ରେସିଡେଣ୍ଟଙ୍କ ସ୍ତ୍ରୀ ଜାକି କେନେଡ଼ି ତା’ ଆଡ଼କୁ ଅନେଇଛନ୍ତି । ସୁନେଲି-ବାଦାମି ମୁଣ୍ଡବାଳ ଖେଳେଇ ହୋଇ ମୁହଁ ଉପରୁକୁ ଝୁଙ୍କି ଆସୁଛି, ମୁକ୍ତାମାଳ,—ବୋଧହୁଏ ମିଛିମିଛିକା, ଯେମିତି ତା’ ସାଙ୍ଗ ସ୍କୁଲ ପିଲାମାନେ ପିନ୍ଧନ୍ତି—ଗଳାରେ ପଡ଼ିଛି ଓ ତାଙ୍କର ସେହି ଛୋଟିଆ ପିଲାଳିଆ ମୁହଁରେ ସେ ତା’ ଆଡ଼କୁ ଚାହିଁଛନ୍ତି । ସତେ ଯେପରି ତାକୁ ଡାକୁଛନ୍ତି—ହାଏ (Hi), କ’ଣ କରୁଛୁ ସେଠି ? ସେ ପାଖରେ ଔଷଧପତ୍ର, ପାଉଡ଼ର୍, ସ୍ନୋ କାଉଣ୍ଟର୍ ପଛଆଡ଼େ ବୁଢ଼ୀ ସେଲ୍‍ସ୍‍ ଗାର୍ଲ ଜଣେ ମୁଣ୍ଡରେ ଜରିକାଗଜର ମୁକୁଟ ପିନ୍ଧିଛି । କ’ଣ ନା କାଲି ହେଉଛି ମଦର୍ସ ଡେ । ମାଆମାନଙ୍କ ଦିନ; ମାଆମାନଙ୍କୁ ପ୍ରେଜେଣ୍ଟ୍ ଦିଆଯାଏ, ଆଉ ମାଆମାନେ କୁଆଡ଼େ ଏମିତି ରାଣୀ ହୋଇ ବସନ୍ତି ଦିନକ ପାଇଁ । ଗୀତା ମନେ ମନେ ହସିଲା—ଏ ହେଉଛି ଓଲଟା ଦେଶ, ଅଜବ୍ ଦେଶ । ରାଣୀମାନେ ପିଲାଙ୍କ ପରି ହୁଅନ୍ତି, ସେଲ୍‍ସ୍‍ ଗାର୍ଲ ରାଣୀ ହୁଏ, ଇଣ୍ଡିଆନ୍ ଶାଢ଼ୀ ଷ୍ଟାଇଲ ହୁଏ..... ।

ଗୀତାର ପୁଣି ମନେ ପଡ଼ିଲା ତା’ର ଗୋଟିଏ ଡଲାର ପଚିଶ ସେଣ୍ଟ୍ କଥା । କାହିଁକି ଆସିଛି ସେ ଡ୍ରଗଷ୍ଟୋରକୁ ? କଣ କିଣିବି ବୋଲି ? କ୍ୟାଣ୍ଡି ଚକୋଲେଟ୍ ପିଲାଳିଆ ଜିନିଷ, ଖେଳଣା ଘର, ଲିଭିଙ୍ଗ୍‍ ରୁମ୍, କିଚେନ୍—ବହୁତ ଦାମ, ମଜା ମଜା ଲେଖା ଥିବା ଗ୍ରିଟିଂ କାର୍ଡ଼—କ’ଣ ଦରକାର ? ଧ୍ୟାତ୍‍, ଏତିକି ପଇସା ନେଇ ସେ କାହିଁକି ଆସିଛି ଡ୍ରଗ୍ ଷ୍ଟୋରକୁ ? ଆମେରିକାରେ ଏତିକି ପଇସା ନେଇ ତା’ ବୟସର ପିଲା କେହି ଜିନିଷ କିଣିବାକୁ ଆସନ୍ତି ନାହିଁ । ଏତିକି ପଇସା ହେଉଛି ତାଙ୍କ ପାଇଁ ଦିନକର ପଇସା, ନ ହେଲେ ହପ୍ତାକର, ମାସକର ନୁହେଁ । କହିବାକୁ ଗଲେ ସେମାନେ ଡ୍ରଗଷ୍ଟୋର୍‍କୁ ଆସନ୍ତି ଖାଲି ଛୋଟମୋଟ ଜିନିଷ କିଣିବାକୁ, ନ ହେଲେ ଦୁଇମିନିଟିଆ ଲଞ୍ଚ୍ ହାମ୍‍ବର୍ଗର୍ କୋକାକୋଲା ଖାଇବାକୁ, ନ ହେଲେ ବଏଫ୍ରେଣ୍ଡ୍‍ମାନଙ୍କ ସାଙ୍ଗରେ ଥଟ୍ଟା ତାମସା, ଠେଲାପେଲା ହେବା ପାଇଁ । ସେମାନେ କେତେ ଜୋରରେ ହସନ୍ତି ! ଠେଲାପେଲା କଅଣ, ଖାଲି ଠେଲାପେଲା ନୁହେଁ । ତା’ ଛଡ଼ା… ।

ଅଭଦ୍ର ! ଅତି ଅଭଦ୍ର ସେମାନେ । ଲାଜ ସରମ କିଛି ନାହିଁ । ଛିଃ ! ଗୀତା ନିଜ ଭିତରେ ରାଗର ମାତ୍ରାକୁ ବଢ଼େଇଲା, ରୀନା ଉପରେ ରାଗିଲା ପରି । ଏଗୁଡ଼ା ଅତି ବେହିଆ ପଣ, ବିଦେଶୀ ଢଙ୍ଗ—।

ବିଦେଶୀ ଢଙ୍ଗ ! ଗୀତା ନିଜର ବୋକାମିରେ ହସି ପକାଇଲା । ବିଦେଶୀ ମାନଙ୍କର ବିଦେଶୀ ଢଙ୍ଗ ନ ଥାଇ ଆଉ କଅଣ ଥାଆନ୍ତା ? ମାଆ ସେମିତି କହି ତା’କୁ ବେଳେ ବେଳେ ଗାଳି ଦିଏ, ଗୀତା, ସେମିତି କଅଣ ହେଉଛୁ ? ମୋତେ ସେ ସବୁ ବିଦେଶୀ ଢଙ୍ଗ ଭଲ ଲାଗେ ନାହିଁ-। ଗୀତା ଆହୁରି ହସିଲା । ଇଚ୍ଛାହେଲା କ୍ଳାସ୍‍ର କେଉଁ ସାଙ୍ଗପିଲାକୁ କହିବ, ହେ ଆଲିନ୍ ସେମିତି କଅଣ ହସୁଛୁ ? ମୋତେ ସେ ସବୁ ବିଦେଶୀ ଢଙ୍ଗ ଭଲ ଲାଗେ ନାହିଁ ।

 

ଗୀତାକୁ ହାଲୁକା ଲାଗିଲା; କିନ୍ତୁ ତା’ର ସ୍ଥାଣୁ ଭାବ ଓ ହଠାତ୍ ହସ ତା’ପାଖରେ ବୁଲୁଥିବା ଗୋଟିଏ ଜରିମୁକୁଟପିନ୍ଧା ସେଲ୍‍ସ୍‍ଗାର୍ଲର ଆଖିରେ ପଡ଼ିଥିଲା । ସେଲ୍‍ସ୍‍ ଗାର୍ଲର ବୟସ ଅଳ୍ପ, ମୁହଁରେ ହସ ତିଆରି ହୋଇ ରହିଛି, ସତେ ଯେପରି ସେ ଜିନିଷ ବିକିବା ଓ ବିକାଇବାର ପରମ ଆନନ୍ଦରେ ବିଭୋର । ହସକୁ ବିସ୍ତାର କରି, ସହାନୁଭୂତିର ଦୁର୍ଦ୍ଦମନୀୟ ଆବେଗ ନେଇ ସେ ଗୀତା ପାଖକୁ ଚାଲିଆସିଲା ଓ ପଚାରିଲା—ହନି (Honey), ମୁଁ କଣ ସାହାଯ୍ୟ କରିପାରେ କି-?

 

ଗୀତା ଚମକିଲା ପରି ହୋଇ ଅନାଇଲା ତା’ଆଡ଼କୁ । ତା’ପରେ ଲାଜବୋଳା ମୁହଁରେ ତରତର ହୋଇ କହି ପକାଇଲା, ‘ନା, ଧନ୍ୟବାଦ’ । ସେଲ୍‍ସ୍‍ ଗାର୍ଲ ହସି ଦେଇ ଫେରିଗଲା ଓ ଗୀତା ଗୋଟାଏ ଥାକ ଆଡ଼କୁ ଅନାଇ ଗଭୀର ମନୋନିବେଶର ଭାବ ଦେଖାଇ ଆଗେଇଗଲା ।

 

ଛିଃ, ସେ କଣ ଭାବିଥିବ । ଯେ ଏ ପିଲାଟା କାହିଁକି ଏମିତି ମନକୁ ମନ ହସୁଛି । ମୁଁ କାହିଁକି ହସୁଥିଲି ? କଣ ଭାବୁଥିଲି? ଗୀତା ନିଜକୁ ପ୍ରଶ୍ନ ପଚାରି ଅଥୟ କରିଦେଲା, ବ୍ୟସ୍ତହେଲା, କିନ୍ତୁ ପୁଣିଥରେ ସ୍ଥିର ହୋଇ ରହିବାକୁ ସାହସ କରିପାରିଲା ନାହିଁ । ଭରା ଜିନିଷ ଦେଖି ଦେଖି ଛୁଇଁ ଛୁଇଁ ଗଲା । ଫୁଲ ଗଦା ହୋଇଛି, ପାନିଆ ଗଦା ହୋଇଛି, କାଚଜିନିଷ, କାଠଜିନିଷ, ଟିଣଜିନିଷ । ଗୀତା ଦେଖି ମଧ୍ୟ କିଛି ଦେଖିଲା ନାହିଁ । ପ୍ରତି ଜିନିଷର ବିଶେଷତା ପାଇଲା ନାହିଁ । ତା’ର ବିରକ୍ତି ତା’କୁ ପୁଣି ଚେତାଇ ଦେଲା ଯେ ଡ୍ରଗଷ୍ଟୋର ଜିନିଷ ସାଧାରଣ, ତା’ର ଗୋଟିଏ ଡଲାର ପଚିଶ ସେଣ୍ଟ୍‍ଠାରୁ ଆହୁରି ସାଧାରଣ । ସେ କାହିଁକି ଏଠିକି ଆସେ ? ନ ଆସିଲେ ଭଲ ହୁଅନ୍ତା । ବାଜେ ଲୋକ ସବୁ । ସେ ଯାହା ଭାବିଲା ନ ଭାବିଲା, ହସିଲା ନ ହସିଲା, ସେଥିରେ ତାଙ୍କର କଅଣ ଗଲା-?

 

‘ହନି’-ହୁଃ ! ସେଲ୍‍ସ୍‍ ଗାର୍ଲର ସେହି ‘ହନି’ ପଦଟି ଉପରେ ତା’ର ସବୁ ଆକ୍ରୋଶ ପଡ଼ିଲା-। ସେ ଗୋଟିଏ ଡଲି କଣ୍ଢେଇର ସୁନେଲି ବାଳକୁ ଆଉଁସୁଥାଏ ସେତେବେଳକୁ । ତା’ର ଅଧା-ଭାବନାରେ ବିଦେଶିନୀର ‘ହନି’ ମିଠା ମହୁ ରୂପାନ୍ଵିତ ହେଲା ସେହି କଣ୍ଢେଇର ଆଧାର ନେଇ । ଗୋରା ତକ୍ ତକ୍ ନରମ ଦେହ, ନେଳିଆ ଢଳ ଢଳ ଆଖି, ସୁନେଲି ବାଳ । ମାର୍ଥା ପରି । ମାର୍ଥାର ଦେହ, ତା’ର ଉଞ୍ଚ ଛାତି…. ମାର୍ଥାର ବଏଫ୍ରେଣ୍ଡ୍ କୁଆଡ଼େ ଭା-ରୀ ସୁନ୍ଦର । ଗୀତାର ଇଚ୍ଛା ହେଲା ସେହି କଣ୍ଢେଇଟିକୁ କିଣିନେଇ ତା’ଉପରେ ରାଗିବ, ତା’କୁ ହଇରାଣ କରିବ, ତା’କୁ ଚିଡ଼େଇବ । ତା’ ଗାଲରେ ଖୁନ୍ଦାମାରି କହିବ,—ହନି, ହନି, ହନି ! ଯେଉଁ ତ ସୁନ୍ଦର !

 

ଗୀତାର ବିରକ୍ତିର ମାତ୍ରା ସବୁଠୁ ବଢ଼ିଗଲା ଯେତେବେଳେ ହଠାତ୍ ଡ୍ରଗଷ୍ଟୋର କେଉଁ କୋଣରେ ଥିବା ଗୋଟିଏ ରେଡ଼ିଓ ଗୀତ ଆରମ୍ଭ କରିଦେଲା । ଜଣାଶୁଣା ପୁରୁଣା ଗୀତ ଓ ମାଇଁ ଡାର୍ଲିଙ୍ଗ, ଓ ମାଇଁ ଡାର୍ଲିଙ୍ଗ, ଓ ମାଇଁ ଡାର୍ଲିଙ୍ଗ କ୍ଲିମେଣ୍ଟାଇନ୍… ।

 

ଗୀତା ଶେଷକୁ କେବଳ କିଣିଲା ତିନି ପ୍ୟାକେଟ୍ ଚକୋଲେଟ୍ । ପିଲାଙ୍କ ଜିନିଷ । ସେ ଡ୍ରଗଷ୍ଟୋରକୁ ଆସି କିଣିଲା କ’ଣ ନା ତିନି ପ୍ୟାକେଟ୍ ଚକୋଲେଟ୍ ! କାହିଁକି ନା ତା’ପାଖରେ ଏତେ ଟଙ୍କା ଥିଲା, ଗୋଟିଏ ଡଲାର୍ ଓ ପଚିଶ ସେଣ୍ଟ୍ । ଏଥିରେ ରାଗ ଆସିବ ନାହିଁ ତ କଣ ହେବ-? ଏହି ରାଗକୁ ନେଇ ସେ ଚାହିଁଲା ଯେ ଘରକୁ ଯାଇ ମାଆ ପାଖରେ ଅଭିଯୋଗ କରିବ, କଜିଆ କରିବ, କାନ୍ଦିବ । କିନ୍ତୁ ତା’ ପରମୁହୂର୍ତ୍ତରେ ଭାବିଲା—ଲାଭ କଅଣ ? କିଛି ନ ଥିବା ଜାଗାରେ ପକେଟ ଖର୍ଚ୍ଚ ମିଳିଲାଣି, ହାତବ୍ୟାଗ୍ ଆସିଲାଣି । ପରେ ହୁଏତ ବେଶି ପକେଟ ଖର୍ଚ୍ଚ ମିଳିବ, ହାତକୁ ରିଷ୍ଟୱାଚ୍‍ ଆସିବ । କଣ ହେବ ସେହିଠୁଁ ?

 

ତା’କୁ ଲାଗିଲା ଯେପରିକି ସେ ଖୁସି ହୋଇପାରିବ ନାହିଁ, ତା’ର ଅସନ୍ତୋଷ ଆସିବା ସ୍ୱାଭାବିକ । ରୀନା, ମାର୍ଥା, ଅନ୍ୟମାନେ, ଜରି ମୁକୁଟପିନ୍ଧା ସେଲସ୍‍ଗାର୍ଲ—ସେହିମାନେ ହିଁ ଖୁସି ହୋଇପାରନ୍ତି, ଆମେରିକାର ଦୋକାନ ବଜାରରେ ଖୁସି ହୋଇପାରନ୍ତି । ସେ ସେମିତି ହୋଇପାରିବ ନାହିଁ । କାହିଁକି ନା ସେ ଗୀତା ।

 

ତା’ର ଅସନ୍ତୋଷରେ ବଡ଼ପଣ ନ ଥିଲା । ଅନ୍ତତଃ ତା’ର ତେର ଚଉଦ ବର୍ଷିଆ ମନରେ ସେପରି ଭାବିବାର ଶକ୍ତି ଓ ଅହମିକା ନ ଥିଲା । କିନ୍ତୁ ସେ ତା’ ନିଜ ଅସନ୍ତୋଷର ରୂପ ଦେଖିପାରିଥିଲା ଏବଂ ସେ ତା’ର କାରଣ ଓ ଉଦ୍ଦେଶ୍ୟ ଭଲଭାବରେ ବୁଝି ନ ପାରି ମୋଟାମୋଟି ମାନିନେଲା ଯେ ସେଥିପାଇଁ ସେ ଦାୟୀ ନୁହେଁ, ତା’ର ମାଆ ଦାୟୀ ନୁହେଁ, ଡ୍ରଗଷ୍ଟୋର୍ ଦାୟୀ ନୁହେଁ କେହି ଦାୟୀ ନୁହେଁ । ହୁଏତ ଏମିତି ହୁଅନ୍ତା ନାହିଁ ଯଦି ସେ ଇଣ୍ଡିଆରେ ଥାଆନ୍ତା । କେଜାଣି-!

 

ଗୀତା ଡ୍ରଗଷ୍ଟୋରରୁ ବାହାରି ଆସିଲା । ବଡ଼ରାସ୍ତା କନେକ୍‍ଟିକଟ୍ ଆଭିନିଉରେ ସଞ୍ଜବେଳିଆ ଉଗ୍ରଗତି ଓ ଉତ୍ସାହ ତା’ମନକୁ ଫେରାଇ ଆଣିଲା । ସହଜ ଭାବନାର ସଂସାରକୁ । ଧାଡ଼ି ଧାଡ଼ି ହୋଇ କାର୍‍ର ପଛ ନାଲିଆ ଆଲୁଅ, ଗୋଟିକ ପରେ ଗୋଟିଏ କେଜାଣି କେତେ—ମାଳା ଗୁନ୍ଥିଲା ପରି । ମାଳା ଲମ୍ବିଯାଇଛି କେତେ ଦୂରକୁ, ତା’ପରେ ହଜି ଯାଇଛି ଉଞ୍ଚ ଭୂଇଁରେ । ଟ୍ରାଫିକ୍ ଆଲୁଅ ଏହିକ୍ଷଣି ନାଲି ହୋଇଛି, ଟିକିଏ ପରେ ଶାଗୁଆ ହୋଇଯିବ । ନାଲି ଆଲୁଅର ମାଳା ଛିଣ୍ଡି ଛାଣ୍ଡି ଯିବ, କାର୍‍ସବୁ ଧାଇଁ ପଳାଇବେ ସାଇଁ ସାଇଁ ହୋଇ । ହେଇ ଦେଖୁ ଦେଖୁ ଆଲୁଅ ବଦଳିଗଲା, କାର୍ ସବୁ ଧାଇଁଛନ୍ତି,—ନେଳିଆ କାର୍, ଧଳା କାର୍, ବଡ଼ କାର୍, କେତେ ରକମର ଡେଣା, କେତେ ରକମର ଲାଞ୍ଜ । ଆଉ କେତେ କୁଜା ଛୋଟିଆ କାର୍, ବେଙ୍ଗ ପରି ଦେଖାଯାଉଛି । ଖରାଦିନ ଯୋଗୁ ଅନେକ କାରରେ ଝରକା କାଚ ତଳକୁ ହୋଇଛି । କାର୍ ରେଡ଼ିଓରୁ ଗୀତ ବାଜା ଶୁଭୁଛି । ବେଳେ ବେଳେ ଶୁଭିଯାଉଛି କେଉଁ ଗୋଟାଏ ପିଲାଙ୍କ ଜିନିଷର ଆଡ଼ଭର୍ଟାଇଜମେଣ୍ଟ୍—ହାଏ କିଡ଼ସ୍, ହରି ଅପ୍....।

 

ତରତର ହୋଇ ଚାଲିବାର କୌଣସି କାରଣ ନ ଥିଲା । ଆଲୁଅ ଲିଭିବାକୁ ଡେରି ଅଛି, ଅନ୍ଧାର ହେବା ଆଗରୁ ପହଞ୍ଚିଗଲେ ମାଆ କିଛି କହିବ ନାହିଁ । ତଥାପି ସେ ଏମିତି ଚାଲୁଥାଏ ଯେ ମନେହେବ ରାସ୍ତା ତାତିକରି ରହିଛି, ସଞ୍ଜପବନ ସହି ହେଉନାହିଁ; କିନ୍ତୁ ଭାବିପାରିଲା ନାହିଁ ଯେ ତା’ର ଚାଲିରେ ସ୍ୱାଭାବିକତା ଊଣା ପଡ଼ିଯାଇଛି । ତା’ ନିଜଭିତରେ ସେ ପ୍ରଶ୍ନ ଆସିଥିଲେ ସେ ହୁଏତ ସହଜ ଉତ୍ତର ଦେଇ ପାରିଥାନ୍ତା, ଏହାଛଡ଼ା ଆଉ କଣ ହୁଅନ୍ତା ? ଏ କଅଣ ଇଣ୍ଡିଆ ହୋଇଛି ?

 

ଗୀତା ଘରମୁହାଁ ହୋଇ ଚାଲୁଥାଏ । ବାଟ ଚାଲିବା ପଛରେ ଅଛି ଘରକୁ ଫେରିଯିବାର ଅତିପୁରୁଣା ସୁଖ, ନିଜ ସଂସାରରେ ମିଶିଯିବାର ସୁଖ । ଅଧା ରାସ୍ତାରୁ ଦେଖାଯିବ ଘର ଆଗରେ ଥିବା ତମ୍ବାପତୁରିଆ ଗଛ । ଘରେ ପହଞ୍ଚିଲାକ୍ଷଣି ବେଲ୍ ନ ବାଜାଉଣୁ ସବାସାନ ଭାଇ ଭଉଣୀ ଦଉଡ଼ାଦଉଡ଼ି ହୋଇ ଆସିବେ କବାଟ ଖୋଲିବା ପାଇଁ, କିଏ ଆଗ କବାଟ ଖୋଲିବ । ତା’ପରେ ସବୁଦିନିଆ କାନ୍ଦ, କଜିଆ ଓ ସାନ ଭାଇର ସେହି ନିର୍ବୋଧ ପ୍ରଶ୍ନ,—ଗୀତା ଅପା, ମୋ ପାଇଁ ଟେଲିଭିଜନ୍ ଆଣିଛୁ ? ତା’ର ଧାରଣା ଯେ ପିଲାଙ୍କ ପାଇଁ ଛୋଟ ଟେଲିଭିଜନ୍ ମିଳେ, ସେ ତା’କୁ ନିଜେ ବସି ଦେଖିପାରିବ ଓ କାହାକୁ ଦେଖାଇବ ନାହିଁ । ହେଲେ ସବୁଦିନେ ଟେଲିଭିଜନ୍ ବଦଳରେ ତା’କୁ ମିଳେ କ୍ୟାଣ୍ଡି ଓ ଚକୋଲେଟ୍ । ଗୀତାଅପାକୁ ଆଶ୍ୱାସନା ମିଳେ—ଆଚ୍ଛା ହେଉ, କାଲିକୁ ଟେଲିଭିଜନ୍ ଆଣିବୁ । ନୁହେଁ ?

 

ଆଉ ଦୁଇଟା ଆଲୁଅ-ଛକ ପରେ ରାସ୍ତାର ଆରପାଖକୁ ଯାଇ ଥାର୍ଟି-ସେକେଣ୍ଡ୍ ଷ୍ଟ୍ରୀଟ୍‍ ଧରିବାକୁ ପଡ଼ିବ । ବେଶି ଡେରି ନାହିଁ । ସାଇଡ଼୍-ୱାକ୍‍ରେ ହୁଏତ କିଛି ସମୟ ଛିଡ଼ାହୋଇ ରହିବାକୁ ହେବ, ଯଦି ସାମ୍ନା ଆଲୁଅରେ ଲେଖା ହୋଇଥିବ ‘‘ଡୋନ୍‍ଟ୍‍ ୱାକ୍’’, ମାନେ ଚାଲେ ନାହିଁ । ଦୁଇ ମିନିଟ୍ ପରେ ଆଲୁଅ ବଦଳିଯିବ, ଲେଖା ହେବ ‘‘ୱାକ୍’’, ମାନେ ଚାଲ । ସମସ୍ତଙ୍କ ସାଙ୍ଗରେ ତରବର ହୋଇ ଆରପାଖକୁ ଯିବାକୁ ପଡ଼ିବ । ଥାର୍ଟି-ସେକେଣ୍ଡ୍‍ ଷ୍ଟ୍ରୀଟ୍‍ରେ ଟିକିଏ ଆଗେଇଲା ପରେ ଡାହାଣ ହାତି ଗଳି, ଗଳି ମୁଣ୍ଡରେ ଘର ଆଗରେ ଗୋଲାପ ବଗିଚା, ବୁଢ଼ାଟିଏ ଝୁଲା ଚଉକିରେ ବସି ଅନାଇଥିବ ତା’ ବଗିଚା ଆଡ଼କୁ । ତା’ ପରେ ଉଠାଣି । ଉଠାଣି ଅଧାରେ ଦେଖାଯିବ ତମ୍ବାପାତୁରିଆ ଗଛ, ପିଲାମାନେ ଖାଲିଗୋଡ଼ରେ ରାସ୍ତାରେ ଖେଳୁଥିବେ । ତା’ପରେ ଘର, ଥକିଲା ପାଦରେ ଆରାମ,… ‘କ୍ରିଙ୍ଗ୍’… ।

 

ଗ୍ୟାସ୍ ଷ୍ଟେସନ୍ ଆସି ପହଞ୍ଚିଲାଣି । ଗୀତା ସବୁଥର ପରି ମୁଣ୍ଡଟେକି ଉପରକୁ ଅନାଇଲା,—ଗୋଟାଏ ବଡ଼ ଦୋକାନ ଘର ଉପରେ ନିଅନ୍‍ଲାଇଟର ଲେଖା ଜଳୁଛି, ଲିଭୁଛି ବଦଳୁଛି ।

 

ଟାଇମ୍

୭.୦୫

ଟେମ୍ପ

୭୮

 

ଆଉ ମିନିଟ୍‍କ ପରେ ସମୟ ହେବ ୭.୦୬ । ଟେମ୍ପରେଚର୍‍ ହେବ କେତେ ? ୭୮ ନା ୭୯ ? ବଢ଼ିବ ନା କମିବ ? ଏହିଠି ତାର ଡେରି ହୋଇଯାଏ କିଛି ସମୟ ଏବଂ ପ୍ରାୟ ଏହି ଜାଗାରେ ଗୋଟିଏ ବିଚିତ୍ର ବାସ୍ନା ଆସେ, ତା’କୁ ଭଲ ଲାଗେ । ତାହା କନେକ୍‍ଟିକଟ୍ ଆଭିନିଉର ଅର୍ଥାତ ଆମେରିକାର ବଡ଼ରାସ୍ତାର ବାସ୍ନା ହୋଇ ତା’ ମନରେ ଲାଖିରହେ । କଣ ସେ ବାସ୍ନା ? ସେଥିରେ ବୋଧହୁଏ ଫୁଲଅତରର ମହକ ଅଛି ଓ ତା’ ସାଙ୍ଗରେ ତମ୍ୱାଖୁ ପାଇପ୍‍ ଧୂଆଁର ବାସ୍ନା । ଗୀତା ନିଃଶ୍ୱାସ ଭିତରକୁ ନିଏ, ଓ ମୁହୂର୍ତ୍ତକ ପାଇଁ ତା’ ଆଖିରେ କଳ୍ପନାର ଆମେରିକା ଦେଖାଦିଏ । ସେ ଡ୍ରଗଷ୍ଟୋରର ଆମେରିକା ନୁହେଁ, ତା’ଠାରୁ ସୁନ୍ଦର, ସୌଖୀନ, ବିଳାସ-ଆମୋଦରେ ଭରପୂର-। ସେଠି ଅଛନ୍ତି ସୌଖୀନ କାଳପୋଷାକ ପିନ୍ଧା ଜେଣ୍ଟ୍‍ଲମାନ୍, ପାଖରେ ସୋଖୀନ ଧଳାସିଲକ୍ ଡ୍ରେସ୍‍ ପିନ୍ଧା ଲେଡ଼ି । ସେଠି ପାଇପ୍ ଅଛି । ଫୁଲ ଅଛି, ପିଆନୋର ବାଜା ଅଛି, ବାସ୍ନା ଅଛି.... । ଗୀତା ସ୍ଵପ୍ନରୁ ଉଠି ରାସ୍ତାର ଟ୍ରାଫିକ୍ ଆଲୁଅକୁ ଅନାଏ । ତା’ଆଖିରେ ପଡ଼େ ସାଧାରଣ ଲୋକ ସବୁ ସାଧାରଣ ବେଶ ପିନ୍ଧିଛନ୍ତି । ତା’ ଭିତରେ ହୁଏତ ଗୋଟାଏ ମୋଟୀ ନିଗ୍ରୋ ସ୍ତ୍ରୀଲୋକ କଳା ଓଠରେ ନାଲି ଟକଟକ ଲିପିଷ୍ଟିକ୍, ନାଲିଛତା, ମୋଟା କାଳିଆ ଗୋଡ଼ରେ ହାଇ-ହିଲ୍ ଜୋତା-। ଗୀତାକୁ ବିରକ୍ତି ଲାଗେ । ଗୋରା ଆମେରିକା ତରଫର ହୋଇ, ମାର୍ଥା ଆଇନ୍ ସୁଜାନମାନଙ୍କ ଦଳର ହୋଇ ସେ ଭାବେ ଯେ ଏହିମାନେ ସୁନ୍ଦର ଆମେରିକାକୁ ନଷ୍ଟକରି ଦେଲେ-

 

ଟ୍ରାଫିକ୍-ଆଲୁଅ ନାଲିରୁ ଶାଗୁଆ ହୋଇଗଲା । ଗୀତା ଆଗେଇଲା । ଏହି ସମୟରେ ତା’ କାନରେ ବାଜିଲା,—ହାଏ, ଗୀତା !

 

ଗୀତା ପଛକୁ ମୁହଁ ଫେରାଇଲା । ଲୋକ ନ ଚିହିଁବା ଆଗରୁ କହି ପକାଇଲା,—ହାଏ । ତା’ପରେ ତାକୁ ଦେଖିଲା । ଡିକ୍, କ୍ଲାସ୍‍ପିଲା । ସେ ପାଖକୁ ଆସିବାରୁ ଗୀତା ଆଉଥରେ ‘ହାଏ’ କହିଲା, ଓ ତା’ର ହସିଲା ମୁହଁକୁ ଅନାଇଲା ସାହସର ସହିତ, ହସର ପ୍ରତିଦାନ ନ ଦେଇ । ଡିକ୍‍ର ମୁହଁରେ ହସ କାହିଁକି ? ସେ ଏମିତି କିଛି ତ ମୋର ସାଙ୍ଗ ନୁହେଁ !

 

କେତେବେଳକେ ଡିକ୍ କହିଲା, ‘‘କୁଆଡ଼େ ଯାଉଛୁ ତୁ ? ଘରକୁ ନା ଆଉ କୁଆଡ଼େ ?’’

 

ଗୀତାର ମନେହେଲା ଜେ ତା’ର ସେ ପ୍ରଶ୍ନ ନିରର୍ଥକ । ଡିକ୍‍ର ମୁର୍‍କିହସା ଓ ତା’ ଚାହାଁଣୀରେ କିଛି ଅଛି ଦୁଷ୍ଟାମି । ଏଠିକାର ସବୁ ପୁଅଗୁଡ଼ାକ ଏମିତି । ସେ ଗମ୍ଭୀର ହୋଇ ଉତ୍ତର ଦେଲା, ‘‘ଘରକୁ ।’’

 

ଡିକ୍ ଆଶ୍ଚର୍ଯ୍ୟ ହେଲାପରି ପଚାରିଲା, ‘‘ଘରକୁ ? ଓ-ୱେଲ୍ ! ଚାଲୁନୁ ମୋ ସାଙ୍ଗରେ ଡ୍ରଗଷ୍ଟୋର୍ ଯାଏଁ ଯିବୁ ?’’

 

‘‘ନୋ, ଥ୍ୟାଙ୍କସ୍ ।’’

 

ଡିକ୍ ହସିଲା । କହିଲା, ‘‘ୱେଲ୍, ନ ହେଲେ ‘ଫାଇଭ୍ ଏଣ୍ଡଟେନ୍’ ଷ୍ଟୋରକୁ ଯିବା ଚାଲ-। ମୁଁ ଗୋଟାଏ ଚାରକୋଲ୍ ବ୍ରେଜିୟର୍ କିଣିବି ପିକ୍‍ନିକ୍ ପାଇଁ, ଆଉ ସବୁ ପିକ୍‍ନିକ୍ ଜିନିଷ । ତୋର କିଛି କିଣିବାର ନାହିଁ ?’’

 

‘‘ନୋ, ଥ୍ୟାଙ୍କସ୍ ।’’

 

‘‘ୱେଲ୍-ୱେଲ୍ । ଜେଙ୍ଗିସ୍ ଖାଁ ରେସ୍ତୋରା?’’

 

‘‘ନୋ, ଥ୍ୟାଙ୍କସ୍ ।’’

 

‘‘ଓ-କେ, ବାଏ’’ ।

 

‘‘ବାଏ’’ ।

 

ଡିକ୍ ଚାଲିଗଲା ବେଳକୁ ଟ୍ରାଫିକ୍ ଆଲୁଅ ପୁଣି ନାଲି ହୋଇଗଲାଣି । ଗୀତା ବିରକ୍ତ ହେଲା,—ଡିକ୍ ସାଙ୍ଗରେ କଥା ନ କହିଥିଲେ ମୁଁ ଏହା ଭିତରେ ରାସ୍ତା ପାରିହୋଇ ସାରନ୍ତିଣି । ଅଯଥା ସେ ମୋର ସମୟଗୁଡ଼ାକ ନଷ୍ଟ କରିଦେଲା ।

 

କିନ୍ତୁ ରାସ୍ତାର ସେ ପାଖରେ ପହଞ୍ଚି ପୁଣି ସାଇଡ୍‍ୱାକ୍ ଧରିଚାଲିଲା ବେଳେ ଡିକ୍ ପୁଣି କାହିଁକି ତା’ମନକୁ ଆସିଲା । ଗୀତାର ଇଚ୍ଛା ହେଲା ସେ ଗୋଟାଏ ଟିଚର୍ କିମ୍ବା ସେମିତ କିଛି ହୋଇ ଆମେରିକାର ଏହି ପୁଅଝିଅମାନଙ୍କୁ ଲେକ୍‍ଚର୍ ଦିଅନ୍ତା, ପାଠ ପଢ଼ାନ୍ତା । ଏମାନେ ସମସ୍ତେ ଅବାଗିଆ ହୋଇଯାଉଛନ୍ତି, କାହିଁକିନା ଏମାନଙ୍କ ଉପରେ ଯଥେଷ୍ଟ ଶାସନ ହେଉନାହିଁ । ବାପା ସେ ଦିନ କହୁଥିଲେ ପରା ଯେ ଏଥିପାଇଁ ଏଠି ଜୁଭେନାଇଲ୍ ଡେଲିଙ୍କ୍—କଣ ସେ ଶବ୍ଦଟା ମନେ ପଡ଼ୁନାହିଁ,—ବଢ଼ି ଚାଲିଛି ।

 

କିନ୍ତୁ ସେଥିପାଇଁ ତା’ର ଏତେ ବ୍ୟସ୍ତ ହେବା ଦରକାର କଅଣ ? ଆମେରିକାର ପିଲାଏ ଯାହା ହେଲେ ନ ହେଲେ ସେଥିପାଇଁ ତା’ର ଏତେ ମୁଣ୍ଡ ବଥାଉଛି କାହିଁକି ?

 

ଗୀତା ନିଜକୁ ବୁଝାଇ ବାଟ ଚାଲିବାର ମନ ଦେଲା । କିନ୍ତୁ ତା’ର ମନେ ହେଲା ଯେ ଏହି ବାଟ ଚାଲିବାରେ କିଛି ବାହାଦୁରି ନାହିଁ । ଖାଇବା, ପିଇବା, ଘରକୁ ଫେରିବା, ତା’ପରେ– ?

 

ହେଲା ଏବେ ସେ ଡିକ୍ ସାଙ୍ଗରେ ରେସ୍ତୋରାଁକୁ ଯାଇଥାଆନ୍ତା, ବା ଆଉ କୁଆଡ଼େ ଯାଇଥାଆନ୍ତା । କଣ ହୁଅନ୍ତା ସେଥିରେ ? କିଛି ନ ହେଲେ ସେ କଣ ଭଲକରି କଥା ପଦେ ତା’ ସାଙ୍ଗରେ କହିପାରନ୍ତା ନାହିଁ ? ନୋ, ଥ୍ୟାଙ୍କସ୍, ନୋ ଥ୍ୟାଙ୍କସ୍, ନୋ ଥ୍ୟାଙ୍କସ୍ ? ଯେମିତିକି ଆଉ କିଛି କଥା କହିବାକୁ ନାହିଁ !

 

ସେ ଦିନର ସଞ୍ଜକୁ ଆଡ଼େଇ ଦେଇ ଗୀତା ତା’ ଭାବନାରେ ଡୁବି ରହିଲା ଘରେ ପହଞ୍ଚିବା ଯାଏଁ । ଡିକ୍, ଆମେରିକାର ପିଲାମାନେ, ବାପା ମା ଭାଇ ଭଉଣୀ ଓ ନିଜକୁ ଥରେ ଥରେ ଦୋଷୀ କରି ସାରିଲା ପରେ ତା’କୁ ଲାଗିଲା ଯେ ସେ ଥକିଯାଇଛି, ଆଉ ପାରିବ ନାହିଁ । ଏଇ ଘର ଆଗରେ— । ‘ଗୀତା ଅପା, ଟେଲିଭିଜନ ଆଣିଛୁ ?’, ‘ଗୀତା ଅପା, ଚାଲ ଆଜି ପାର୍ଟି କରିବା,—କଣ କହୁଛୁ ?’, ଗୀତା ଅପା, ‘ଗୀତା ଅପା—ସତେ ଯେପରି ଗୀତା ଅପା ତାଙ୍କରି ବୟସର, ତାଙ୍କରି ପରି । ଏହି ସବୁ ପିଲାଳିଆ କଥାରେ ନାଚିବ, ହସିବ, ଥେଇଥେଇ ହେବ !

 

ଗୀତାକୁ ଛଟପଟ ଲାଗିଲା । ଓଃ, ମୁଁ କଣ ଏହି ବୟସରେ ସବୁଦିନେ ଥିବି ? ଛୋଟ ହୋଇପାରିବି ନାହିଁ, ବଡ଼ ହେବି ନାହିଁ ?

 

(୨)

 

‘ଚା-ଚା-ଚା—ଚାଚାଚାଚା—ଚା’

ଆଲିନ୍ ରେକର୍ଡ଼ର୍ ଚା-ଚା-ଚା ଧୁନ୍ ସାଙ୍ଗରେ ନାଚୁଛି । ମାନେ ଦେହ ହାତ ହଲାଉଛି, ଗୋଡ଼ରେ ତାଳ ପକାଉଛି । ଆଲିନ୍‍କୁ ବେଶ୍ ମାନୁଛି ତ ! କଣ ଖରାପ ଦେଖା ହେଉଛି ? ଆଲିନ୍ ଗୋଟିଏ ମଜାର ପିଲା । ସେ ବଡ଼ ମଣିଷଙ୍କ ପରି କଥା କହେ, ହେଲେ ପିଲାଙ୍କ ପରି ହସେ, ଖେଳେ, ଥଟ୍ଟା କରେ । ମାର୍ଥାକୁ ଥଟ୍ଟା କରେ କହେ ଯେ ମାର୍ଥା ଖାଲି ସ୍ୱପ୍ନ ଦେଖେ, ସେ କୁଆଡ଼େ ରୋମାଣ୍ଟିକ୍ । ରୋମାଣ୍ଟିକ୍‍ର ଠିକ୍ ମାନେ କଅଣ ? ସେ ଯାହାହେଉ ମାର୍ଥାଟି ଭାରି ଭଲ ପିଲା, ଆଲିନ୍ ବି । ସେ ଦୁଇ ଜଣଯାକ ମୋତେ ଭଲ ପାଆନ୍ତି ।

ଗୀତାର ଆମେରିକାକୁ ଆସିବା ପ୍ରାୟ ବର୍ଷକ ଉପରେ ହୋଇଗଲାଣି । ଏଥର ଆଉ ସେ ହାରିଯିବା ଭାବ ନାହିଁ । ଗୋଟିଏ ଡଲାର୍ ପଚିଶ୍‍ ସେଣ୍ଟ୍ ନେଇ ଡ୍ରଗଷ୍ଟୋରରେ ଅନ୍ୟମନସ୍କ ହୋଇ ଘୂରି ବୁଲିବାର ଅଭ୍ୟାସ ଚାଲିଗଲାଣି । ତା’ର ପକେଟ ଖର୍ଚ୍ଚ ଯେ ବିଶେଷ ବଢ଼ିଛି ତା’ ନୁହେଁ-। ଆଜିକାଲି ମଧ୍ୟ ସବୁ କିଣାକିଣି ପ୍ରାୟ ଘର ପାଖ ଡ୍ରଗଷ୍ଟୋରରୁ ହୁଏ, କିନ୍ତୁ ଗୀତାର ମନେ ହୁଏ ଯେ ସେ ନିଜେ ଏହା ଭିତରେ ବଢ଼ିଗଲାଣି । ତା’ର ମଧ୍ୟ ସାଙ୍ଗ ଅଛନ୍ତି । ଆମେରିକାର ଦୋକାନ ବଜାରରେ ସେ ମଧ୍ୟ ଜଣେ ଗରାଖ, ଉଚିତ୍‍ ଜିନିଷ ଚଟ୍‍କରି ପଚାରି କିଣିପାରିବ । ସେ ମଧ୍ୟ କହିପାରିବ ଏ ମାସରେ କେଉଁ ରେକର୍ଡ଼୍ ଗୀତର ବେଶି ଚାହିଦା ଉଠିଛି । ମୋଟ୍‍ ଉପରେ ସେ ମଧ୍ୟ ଜଣେ ଟୀନ୍‍ଏଜର୍, ଆମେରିକାର ଗୋଟିଏ ନିର୍ଦ୍ଦିୟ ସଂପ୍ରଦାୟ । ସେ ଅବଶ୍ୟ ଇଣ୍ଡିଆନ୍, କିନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ । ଟୀନ୍‍-ଏଜର୍‍ମାନେ କଣ କେବଳ ଆମେରିକାରେ ଅଛନ୍ତି ?

ସ୍କୁଲ୍ ପିକ୍‍ନିକ୍‍ର ମେଳାରେ ଗୀତା ଘାସ ଉପରେ ବସିଛି ଅନ୍ୟମାନଙ୍କ ପରି ଓ ଆଲିନ୍‍ର ନାଚକୁ ଦେଖୁଛି । ଖୁସି ଅଛି । ସମସ୍ତେ ତା’ର ଘରୁ ଆଣିଥିବା ସିଙ୍ଗଡ଼ା ଓ ଆଳୁଦମ୍‍କୁ ପସନ୍ଦ କରିଛନ୍ତି, ସବୁ ପ୍ରାୟ ସରିଆସିଲାଣି । ପୁଣି ଥରକୁଥର ସାଙ୍ଗମାନେ ଆସି ହ୍ୟାମ୍ ସାଣ୍ଡୱିଚ୍, ଏଗରୋଲ୍, କେକ୍, ଏମିତି କେତେକଣ ଯାଚି ଯାଉଛନ୍ତି । ଆକାଶରେ ମେଘ ନାହିଁ । ଗଛ ପତର ସିରି ସିରି ହୋଇ ଖେଳିଯାଇଛି ମଝିରେ ମଝିରେ, ଆଲିନ୍‍ର ନାଚ ଦେଖି ଖୁସି ହେଲା ପରି ।

ଆଲିନ୍ ତା’ ଦେହକୁ କେତେ ପ୍ରକାରରେ ମୋଡ଼ୁଛି, ଭାଙ୍ଗୁଛି । ଆଉ ଗୋଟାଏ କେଉଁ ନାଚଗୀତ ବାଜିଗଲାଣି,—ଚା-ଚା-ଚା ନୁହେଁ । ଟ୍ଵିଷ୍ଟ ନୁହେଁ, ଆଉ କିଛି । ଗୀତାର ଦୁଃଖ ହେଲା ଯେ ସେ ସବୁ ନାଚର ଢଙ୍ଗ ଏ ପର୍ଯ୍ୟନ୍ତ ଜାଣିପାରିଲା ନାହିଁ । ଜାଣିବା ଦରକାର । ସେ ଇଚ୍ଛାକରି ନାଚ ସାଙ୍ଗରେ ତାଳ ପକାଇଲା, ଗୀତର ପଦେ ପଦେ ଗାଇବାକୁ ଚେଷ୍ଟା କଲା ।

ତା’ର ଉତ୍ସାହ କ୍ଲାସ୍‍ଟିଚର୍ ମିସ୍ ମନରୋଙ୍କ ଆଖିରେ ପଡ଼ିଲା । ସେ ଗୀତାକୁ କହିଲେ, ‘‘ଗୀତା, ଗିଭ୍‍ ଅସ୍ ଆନ୍ ଇଣ୍ଡିଆନ୍ ଡାନ୍ସ—ଓଣ୍ଟ୍‍ୟୁ ?’’ (ଗୀତା, ଗୋଟିଏ ଇଣ୍ଡିଆନ୍ ନାଚ ଦେଖାଇବୁ ନି ?)

ଗୀତା ମିସ୍ ମନରୋଙ୍କ ଆଡ଼କୁ ଚାହିଁ ଟିକିଏ ହସି ଦେଲା, ଓ ନ ପାରିବାର ଭଙ୍ଗୀ କଲା-

ଏହି ସମୟରେ ମାର୍ଥା କେଉଁଠି ଥିଲା ଦୌଡ଼ିଆସି ଗୀତାକୁ କୁଣ୍ଢାଇ ପକାଇଲା ଓ କହିଲା,—ଗୀତା, ଚାଲ୍ ମୋ ସାଙ୍ଗରେ ଯିବୁ । ଚାଲ୍ ସେହି ପଥର ଉପରେ ବସି ଗୀତ ଗାଇବା, ସେହି ଯେଉଁ ବଡ଼ ପଥରଟାଏ ଅଛି, ହଳଦିଆ ଗଛ ତଳକୁ ।

ସେମାନେ ବସିଲେ ପଥର ଉପରେ । ସେଠି ହଳଦିଆ ପତରର ଗଛ ସାଙ୍ଗରେ ଆଉ ଗୋଟାଏ ଗଛ ଜାକିଜୁକି ହୋଇଥାଏ । ତାର ପତର ସବୁ ଧୂସର ହୋଇଗଲାଣି, ହେଲେ କେତୁଟା ନୂଆ ପତର ଅସମୟରେ କଅଁଳୁଛି, ଠିକ୍ ତାଙ୍କର ବସିବା ଜାଗା ଉପରକୁ ।

ମାର୍ଥା ତା’ର ଗୋଲ୍‍ଡ଼ନ୍‍-ଚେଷ୍ଟନଟ୍‍ କେଶଗୁଚ୍ଛକୁ ସାଉଁଳେଇ, ପିନ୍ଧା ଡ୍ରେସ୍‍କୁ ସଜାଡ଼ି ବସିପଡ଼ିଲା । ଗୀତାର ଆଖିରେ ପଡ଼ିଲା ଯେ ମାର୍ଥାର ମୁଣ୍ଡବାଳରେ ନୂଆ ଢେଉ ଖେଳିଲାଣି, ନୂଆ ଦିଗକୁ, ଓ ବାଳର ରଙ୍ଗ ବଦଳି ଆସିଲାଣି—ଗୋଲ୍‍ଡ଼ନ୍‍ରୁ ଗୋଲ୍‍ଡ଼ନ୍‍-ଚେଷ୍ଟନ୍‍ଟ ଆଉ କେତେଦିନ ଗଲେ ହୁଏତ ପୂରାପୂରି ଚେଷ୍ଟନ୍‍ଟ ହୋଇଯିବ ।

‘‘ଗୀତା, ତୁମ ଦେଶରେ ଫ-ଲ୍ ହୁଏ ?’’

ମାର୍ଥାର ଏହି ହଠାତ୍ ପ୍ରଶ୍ନରେ ଗୀତା ବିରକ୍ତ ହୋଇଉଠିଲା । ମାର୍ଥା ନ ହୋଇ ଆଉ କେହି ହୋଇଥିଲେ ବୋଧହୁଏ ରାଗିଯାଇଥାଆନ୍ତା । କେବେ ଏ ପ୍ରଶ୍ନ ସବୁ ସରିବ ? ‘ଗୀତା, ତୁମ ଦେଶରେ ବ୍ରେକଫାଷ୍ଟ ଖାଆନ୍ତି ?’ ‘ତୁମ ଦେଶରେ ମ୍ୟୁଜିକ୍ ଅଛି ?’ ‘ତୁମେ ସବୁ କୁଆଡ଼େ ଗାଈମାନଙ୍କୁ ନମସ୍କାର କର ? ଇତ୍ୟାଦି ଇତ୍ୟାଦି । କେତେ ବୁଝେଇବ, କେତେ କହିବ ! ଯାହାହେଉ ଆଜି ସେ ତା’ର ବିରକ୍ତିକୁ ହସରେ ଡୁବାଇ ଦେଇ କହିଲା, ‘‘ନିଶ୍ଚୟ, ଆମ ଦେଶରେ ମଧ୍ୟ ଫ-ଲ୍ ହୁଏ, ପତର ଝଡ଼େ, ନୂଆ ପତର କଅଁଳେ । ଆମ ଦେଶରେ ମଧ୍ୟ ଜହ୍ନ ଅଛି, ସୂର୍ଯ୍ୟ ଅଛି ।’’ ତା’ପରେ ସେ ଟିକିଏ ରହିଯାଇ ଦୁଃଖ କଲାପରି କହିଲା, ‘‘କିନ୍ତୁ ଫ-ଲ୍ ଥିଲେ କଅଣ ହେବ, ଫ-ଲ୍ ଫ୍ୟାସନ୍ ନାହିଁ ।’’ ‘‘ମାର୍ଥା ତା’ ସାଙ୍ଗରେ ହସିଲା ଓ ପ୍ରଶଂସା ଛଳରେ କହିଲା,—ଓ, ୟୁ ଆର ସୋ କ୍ଳେଭର ! (ତୁ ଭାରି ଚାଲାଖ !)

ମାର୍ଥା ଗୀତ ଆରମ୍ଭ କଲା । ଗୀତା ଯୋଗ ଦେଲା । ମାର୍ଥା ଆକାଶକୁ ଅନାଇ ମଜ୍ଜିଗଲା ପରି ଗୀତ ଗାଉଥାଏ । କିନ୍ତୁ ଗୀତା ହସକରି ପଦେ ପଦେ ଗାଈ ରହିଯାଉଥାଏ । ବେଳେ ବେଳେ ହଳଦିଆ ଶୁଖିଲା ପତର ଖଣ୍ଡେ ହାତକୁ ଆଣି ଟିକି ଟିକି କରୁଥାଏ, କିମ୍ବା ଗୋଟିଏ ଏକୁଟିଆ ଊଇକୁ ଗଛ ଉପରେ ଚଢ଼ିବାର ଦେଖି ଭାବୁଥାଏ ଊଇମାନଙ୍କ କଥା,—ସେମାନେ କେମିତି ସାଙ୍ଗ ହୁଅନ୍ତି, କଥାବାର୍ତ୍ତା କରନ୍ତି, ଖୁସି ହୁଅନ୍ତି ।

 

ଗୀତ ବୋଲୁ ବୋଲୁ ମାର୍ଥା କେତେବେଳେ ତା’ଠୁ ଅଲଗା ହୋଇଯାଇଛି । ଗୀତାର ମନେହେଲା ଯେ ମାର୍ଥା ତା’ପାଖରେ ନାହିଁ । ସେ ଏକାଠି ଗୀତ ବୋଲୁ ନାହିଁ, ନିଜ ପାଇଁ ନିଜେ ବୋଲୁଛି । ଗୀତା ବ୍ୟସ୍ତ ହେଲା ନାହିଁ । ମାର୍ଥା ସେମିତିକା, ଆଲିନ୍ ଭାଷାରେ ରୋମାଣ୍ଟିକ୍ ।

 

ପତରଝଡ଼ା ‘ଫ-ଲ୍’ ଋତୁର ଉପରବେଳା । ଆଉ କିଛିଦିନ ଗଲେ ବେଶି ପତର ଝଡ଼ିବ-। ପତରସବୁ ପବନରେ ଖେଳିବେ, ବର୍ଷାରେ ଲଗାଲଗି ହୋଇ ଜମା ହେବେ ରାସ୍ତା ଉପରେ ଓ ରାସ୍ତା କଡ଼ରେ । ହଳଦିଆ ପତର, ନାଲିଆ ପତର, ବାଦାମି ପତର । ଆଉ କେତେ ମଝିମଝିଆଁ ରଙ୍ଗ, ମଝିମଝିଆଁ ରୂପ,—ଫାଳିକିଆ ପତର, ଟୁପୁଟୁପୁକିଆ ପତର, ଦରପାଚିଲା ପତର । ଗୀତାକୁ ଏ ଋତୁ ଭଲଲାଗେ । ସବୁଠୁଁ ଭଲ ଲାଗେ ତାଙ୍କ ଘର ଆଗରେ ଥିବା ସେ ଗଛଟା,—ଯାହାର ସବୁ ପତର ଏକାବେଳକେ ଚହଟ ନାଲି ହୋଇ ଉଠେ, ତା’ପରେ ଆହୁରି ନାଲି ହୁଏ, ଓ ଶେଷକୁ ଶୁଖି ଶୁଖି ଝଡ଼ିଯାଏ । ଭଲ ଲାଗେ ସତ, କିନ୍ତୁ ସେ ଗଛ ପାଖରେ ପହଞ୍ଚିଲା ବେଳକୁ ତାକୁ କେମିତି ମାଡ଼ି ମାଡ଼ି ପଡ଼େ । ମନେ ହୁଏ ଯେ ବେଶି ଗୁଡ଼ାଏ ରଙ୍ଗ ହୋଇ ଯାଇଛି, ଏତେ ଆଖିରେ ଧରି ହେବ ନାହିଁ । ସେ ପଛେଇ ଯାଇ ଗଛକୁ ଦେଖେ, ତା’ର ନାଲିକୁ ମିଶାଇ ଦିଏ ଆକାଶର ନେଳି ସାଙ୍ଗରେ, ଆଉ ସବୁ ଗଛ ପତରର ରଙ୍ଗ ସାଙ୍ଗରେ । ଛବି ପରି ସମସ୍ତଙ୍କୁ ଏକାଠି ରଖି ସଜାଇ ସାରିଲା ପରେ ତା’କୁ ଉଶ୍ୱାସ ଲାଗେ, ଇଚ୍ଛା ହୁଏ ତା’ର ଫଟୋ ନେବ ନ ହେଲେ କାଗଜରେ ଆଙ୍କିବ ।

 

ମାର୍ଥାକୁ ଦେଖୁ ଦେଖୁ, ତା’ର ଗୀତ ଶୁଣୁ ଶୁଣୁ ତା’ର ସେମିତି ମନେହେଲା । ଯେ ସେ ମାର୍ଥାକୁ ତା’ର ଦୁଇ ଆଖିରେ ଧରି ରଖି ନିଜର କରି ପାରିବ ନାହିଁ । ମାର୍ଥାର ସବୁ ଅଛି । ସେ ସୁନ୍ଦର, ସେ ରୋମାଣ୍ଟିକ୍, ସେ ଭଲ ଗୀତ ବୋଲେ । ସେ ତା’ର ମୁଣ୍ଡ ବାଳକୁ ଭଳି ଭଳି ସଜାଇ ପାରେ, ସବୁ ଋତୁ ସାଙ୍ଗରେ ନୂଆ ନୂଆ ପୋଷାକ ପିନ୍ଧିପାରେ, ପାଟିରେ ସ୍କୁଲ୍‍ ମିଟିଂରେ, ପିକ୍‍ନିକରେ, ସବୁ ସମୟରେ ଠିକ୍ ଧରଣର କଥା କହିପାରେ, ହସ ହସି ପାରେ । ମାର୍ଥା ତା’ର ସାଙ୍ଗ ନୁହେଁ, ସେ ମାର୍ଥାର ସାଙ୍ଗ ।…

 

........‘‘ବେଲ୍‍ସ୍ ଉଇଲ୍ ଚାଇମ୍

ୟୁ ଉଇଲ୍ ବି ମାଇନ୍

ଇନ୍ ଆପଲ୍ ବ୍ଲସମ୍ ଟାଇମ୍’’……..

 

ମାର୍ଥାର କଣ୍ଠ ଆହୁରି ନରମ ହୋଇ ଆସିଲା, ତା’ର ଚାହାଣି କେମିତି ଅନ୍ୟ ରକମର ହେଲା । ଗୀତା ତା’ ଆଡ଼କୁ ଅନାଇ ରହିଲା,—ଆର୍ଟ ଗ୍ୟାଲେରିର ଗୋଟିଏ ସୁନ୍ଦର ଅବୁଝା ଚିତ୍ର ଦେଖିଲାପରି ।

 

କ୍ରମଶଃ ଗୀତାର ମନେ ହେଲା ଯେ ସେ କେବଳ ମାର୍ଥାକୁ ଦେଖୁନାହିଁ, ଅନ୍ୟମାନଙ୍କୁ ଦେଖୁଛି । ଆଉ ସବୁ ଝିଅ, ଆଉ ସବୁ ସୁନ୍ଦର ରୋମାଣ୍ଟିକ୍ ଝିଅ । କାହା ପରି ?

 

କେତେ ଝିଅ । ସୁନୀ ଅପା,—ସୁନୀଅପା ? ତା’ କଥା କାହିଁକି ମନେ ପଡ଼ିଲା ? ସୁନୀ ଅପା କଣ ମାର୍ଥା ପରି ? ଗୀତା ନିଜ ଭାବନାରେ ଆଶ୍ଚର୍ଯ୍ୟ ଓ ଆମୋଦିତ ହୋଇ ମାର୍ଥା ଆଡ଼କୁ ଅନାଇଲା । ସୁନୀଅପାର ଗାଲ ଚହଲି ବୋଧହୁଏ ଟିକିଏ ମାର୍ଥା ସାଙ୍ଗରେ ମିଶିବ । ସୁନୀଅପା କିଛି କମ୍ ଗୋରା ନୁହେଁ । ଆଉ ତା’ ଚାହାଣି ଏମିତିକା, ନରମ ଓ ସଫା । ତା’ ଛଡ଼ା ସୁନୀଅପା ଗୀତ ବୋଲେ,—ଏମିତିକା ରୋମାଣ୍ଟିକ୍ ଗୀତ ।

 

ମାର୍ଥାର ରୂପରେ ସୁନୀଅପାକୁ ଆବିଷ୍କାର କରି ଗୀତା ଭାବିଲା ଯେ ସେ ଗୋଟିଏ ଅଦ୍ଭୁତ ପିଲା, ତା’ର ଯେତେସବୁ ଅସମ୍ଭବ ଭାବନା ଆସେ । ସୁନୀଅପା ଆଉ ମାର୍ଥା ! ଲାଜକୁଳୀ ଛୋଟସହରର ଝିଅ ସୁନୀଅପା ଓ ମଡ଼ର୍ଣ୍ଣ ଆମେରିକାନ୍ ଝିଅ ମାର୍ଥା । ସୁନୀଅପା ବାହାହେଲା ଝିଅ, ଆଉ ମାର୍ଥା ହେଉଛି ଟୀନ୍ ଏଜର । ଆକାଶ ପାତାଳ ପ୍ରଭେଦ । ଗୀତା ପ୍ରଭେଦ ବୈଷମ୍ୟ ବାଛି ବାଛି ଗଲା, ଓ ପୁଣି ଆଶ୍ଚର୍ଯ୍ୟ ହେଲା ଯେ ସେ ସୁନୀଅପାକୁ କେମିତି କାହିଁକି ଆଣି ଥୋଇଲା ମାର୍ଥା ପାଖରେ ।

 

କିନ୍ତୁ ସୁନୀଅପା ଅପସରି ଗଲା ନାହିଁ । ମାର୍ଥା ଯେତେବେଳେ ଗୀତ ଗାଇସାରି ଗୀତାର ହାତଧରି ଡେଇଁପଡ଼ି ଅନ୍ୟମାନଙ୍କ ସାଙ୍ଗରେ ମିଶିବାକୁ ଗଲା, ଗୀତାର ମନେହେଲା ଯେ ସୁନୀଅପା ମଧ୍ୟ ଏମିତି ହୁଏ, ହୋଇପାରେ । ତା’ର ମଧ୍ୟ ଏମିତି ଉଚ୍ଛନ୍ନ ଉଚ୍ଚାଟ ପଣ ଅଛି । ଗୀତାର ମନେପଡ଼ିଲା ଯେ ଦିନେ ସୁନୀଅପା ଏମିତି ଖଟରୁ ଉଠିପଡ଼ି ଗୀତାର ହାତଧରି ନାଚିଲା ପରି ହେଲାବେଳକୁ ଜଣେ କିଏ ବଡ଼ମଣିଷ ଆସିଗଲେ । ସୁନୀଅପା ଜିଭ କାମୁଡ଼ି ଓଢ଼ଣା ଟାଣି ଗୋଟାଏ କୋଣକୁ ଘୁଞ୍ଚିଗଲା । ଗୀତା ହସି ପକାଇଲା,—ଧର ମାର୍ଥା ସେମିତି ଓଢ଼ଣା ଟାଣି ଜିଭ କାମୁଡ଼ି ଘୁଞ୍ଚିଯାଇ ଥାଆନ୍ତା !

 

ଫେରିବାବେଳର ଆୟୋଜନ, ରଖାଥୁଆ, ‘ବାଏ-ବାଏ’ । ମାର୍ଥା ବିଦାୟ ନେଲା । କହିଲା, ‘‘ଗୀତା, ତୁ ଆମ ଘରକୁ କେବେ ଆସିବୁ କହିଲୁ ? ଏଥର ଏକୁଟିଆ ମୁଁ ଗାଇବି ନାହିଁ, ତୋତେ ମଧ୍ୟ ଗାଇବାକୁ ହେବ ।’’ ପୁଣିଥରେ କୋକା-କୋଲା ପିଇବାର ପର୍ବ । କିଏ ଜଣେ ଖାଲି ବୋତଲ କୁଦତଳକୁ ଗଡ଼େଇ ଦେଲା,—ଯା—ଗଡ଼ିଯା—। ସେ ଗଡ଼ି ଗଡ଼ି ପଡ଼ିଲା ଯାଇ ତଳେ, ଚଳନ୍ତା ପାଣିଧାର ଉପରେ । ପିକ୍‍ନିକ୍‍ ସରିଗଲା ।

 

ଗୀତା ସୋଫିଆ ସାଙ୍ଗରେ ଘରକୁ ଫେରିଲା ତା’ରି, କାରରେ । ତାଙ୍କ ଘର ଗୀତାର ଘର ପାଖରେ । ସୋଫିଆ ଗୀତାର ବିଶେଷ ସାଙ୍ଗ ନୁହେଁ, ଅଳ୍ପ କଥା କହେ । ତେଣୁ ଗୀତା ଯଥେଷ୍ଟ ସମୟ ପାଇଲା ପିକ୍‍ନିକ୍‍ ଘରର ଅବସାଦ ଓ ସନ୍ତୋଷକୁ ଆପଣାର କରି ପାଇବାକୁ ।

 

ଗୀତା ଖୁସିଥିଲା । ସୁନୀଅପାର ଛବି ମଝିରେ ମଝିରେ ମନ ଭିତରେ ଆସି ଚାଲି ଯାଉଥାଏ । ଗୀତାର ମନେ ହେଲା ଯେ ସୁନୀଅପା ଆସିଛି ୱାଶିଙ୍ଗ୍‍ଟନକୁ । ସୁନୀଅପା ପିକ୍‍ନିକରେ ବସି କୋକା-କୋଲା ପିଉଛି । ସୁନୀଅପା ଟ୍ଵିଷ୍ଟ୍ ନାଚୁଛି । କିନ୍ତୁ ସୁନୀଅପାକୁ ନେଇ ଏମିତି ବିଭିନ୍ନ ଦୃଶ୍ୟ ଅନୁମାନ କରିସାରିଲା ପରେ ଗୀତା ନିଜକୁ କହିଲା,—ବିଚାରୀ ସୁନୀଅପା ! ଦୟା ଆସିଲା । ସତେ ଯେପରି ତା’କୁ ଏଠିକି ଆଣି ଏମିତି ହଇରାଣ କରିବା ଉଚିତ୍‍ ନ ଥିଲା ।

 

ବାଟରେ ୱାଶିଙ୍ଗ୍‍ଟନ୍ ମନୁମେଣ୍ଟ୍ ଚାଲିଗଲା । ଚାରିକୋଣିଆ ସ୍ତମ୍ଭ ସିଧାସଳଖ ହୋଇ ଉଠିଛି ଉପରକୁ, ଉପରେ ଗୋଜିଆ,—ପେନ୍‍ସିଲ୍‍ ମୁନପରି, ରକେଟ୍ ପରି । ଉପରକୁ ଉଠୁଛି, ଉଠୁଛି, ଚନ୍ଦ୍ରରେ ପହଞ୍ଚିବ, ଭେନସରେ ପହଞ୍ଚିବ । ଏମାନେ ସବୁ କେତେ ଉପରକୁ ଯିବେ କେଜାଣି-!

 

ୱାଶିଙ୍ଗ୍‍ଟନ୍ ମନୁମେଣ୍ଟରୁ ମନେପଡ଼ିଲା ଜେଫର୍‍ସନ୍ ମନୁମେଣ୍ଟ । ସେ ଆଉଥରେ ଯିବ ଦେଖିବାକୁ, କାନ୍ଥରେ ଲେଖା ହୋଇଥିବା ପ୍ରତ୍ୟେକ ଧାଡ଼ି ପଢ଼ିବ । ଆମେରିକା ଇତିହାସ ପଢ଼ି ସ୍ୱାଧୀନତା ଘୋଷଣାର ସେହି ପ୍ରଥମ କେତୋଟି ଧାଡ଼ି ତା’ର ମୁଖସ୍ଥ—We hold these truths to be self–evident……. । ଆମେ ଏହି ସବୁ ସତ୍ୟକୁ ସ୍ୱତଃସିଦ୍ଧ ବୋଲି ମାନିଛୁ ଯେ ସୃଷ୍ଟିରେ ସମସ୍ତେ ସମାନ, ଯେ ନିଜେ ଜୀବନ, ସ୍ୱାଧୀନତା ଓ ସୁଖସନ୍ଧାନ ଉପରେ ପ୍ରତ୍ୟେକ ଲୋକର ଅଧିକାର ଅଛି... । କ୍ଳାସ୍‍ଟିଚର୍ ତା’ର ଅର୍ଥ ବୁଝାଇ ଦେଇଥିଲେ । ଆଉ କହିଥିଲେ ଯେ ଏହି ହେଉଛି ଆମେରିକା ଇତିହାସର ସବୁଠାରୁ ବଡ଼ କଥା । ସେଥିପାଇଁ ଆମେରିକା ଏତେ ବଡ଼ ହୋଇଛି, ସ୍ୱାଧୀନ ପୃଥିବୀର ନେତା ହୋଇପାରିଛି । ଅବଶ୍ୟ ଆମେରିକାର ବଡ଼ପଣ ସବୁବେଳେ ମାନିନେବା କଥା ନୁହେଁ । ତେଣୁ ସେ ଭାବିଥିଲା ଘରକୁ ଗଲେ ବାପାଙ୍କୁ ପଚାରିବ,—ଇଣ୍ଡିଆର ଇତିହାସରେ ଏମିତି କଣ କିଛି ନାହିଁ ?

 

ଆଜି ସେ ଧାଡ଼ିଗୁଡ଼ିକ ପୁଣି ତା’ର ମନେ ପଡ଼ିଲା । ପ୍ରତ୍ୟେକ ଲୋକର ଅଧିକାର । ପ୍ରତ୍ୟେକ ଲୋକର ? ମାନେ ତା’ର ମଧ୍ୟ ସେ ଅଧିକାର ଅଛି ? ମାର୍ଥାର ? ଆଉ ସୁନୀଅପାର ? ସେ ଅଧିକାର ଦେଲା କିଏ—ଭଗବାନ ?

 

କାର୍ ରେଡ଼ିଓରୁ ପାଣିପାଗର ଖବର ଆସିଲା,—ପ୍ରତି ଅଧଘଣ୍ଟାରେ ଆସେ,—ଯେ ରାତିରେ ବର୍ଷା ହେବ, ବର୍ଷା ସାଙ୍ଗରେ ପବନ ଘଡ଼ଘଡ଼ି ମଧ୍ୟ ହେବ । ତା’ପରେ ଆସିଲା କେଉଁ କୁକୁର ଖାଦ୍ୟର ଆଡ଼ଭାଟାଇଜମେଣ୍ଟ୍ । ସେ ଖାଦ୍ୟର ବାସ୍ନା ପାଇ କୁକୁରମାନେ କୁଆଡ଼େ ମାଇଲ୍ ମାଇଲ୍ ଦୂରରୁ ଧାଇଁ ଆସନ୍ତି ।

 

ଚିହ୍ନା ଡ୍ରଗଷ୍ଟୋର୍‍ ଆସିଗଲାଣି । ଗୀତା ମନେରଖିଲା ମାଆକୁ କହିବ ଯେ ସେ ତିଆରି କରିଥିବା ସିଙ୍ଗଡ଼ା ଓ ଆଳୁଦମ୍‍କୁ ସମସ୍ତେ କେମିତି ପ୍ରଶଂସା କଲେ । ଆଉ କଣ କହିବ ବୋଲି ଭାବିଥିଲା ତ,—ମନେ ପଡ଼ୁନାହିଁ ।

 

ଘର ପାଖରେ ତାକୁ ଓହ୍ଲାଇଦେଇ ସୋଫିଆର ମାଆ ଧନ୍ୟବାଦ ଦେଲେ ଓ କହିଲେ ଯେ ତା’ ସାଙ୍ଗରେ ଜଣାଶୁଣା ହେବାରୁ ସେ କେତେ ଖୁସି, ଯେ ତା’ ମାଆଙ୍କ ସାଙ୍ଗରେ ଦେଖାହେଲେ ସେ କେତେ ଖୁସି ହୋଇଥାଆନ୍ତେ, କିନ୍ତୁ କାମ ଥିବାରୁ ବାଧ୍ୟହୋଇ ଇତ୍ୟାଦି ଇତ୍ୟାଦି । ଗୀତା ସବୁଥର ପରି ଧନ୍ୟବାଦ ଦେବା ଛଡ଼ା ଆଉ କିଛି କହିପାରିଲା ନାହିଁ ।

 

ଗୋଟିଏ ଗୋଟିଏ ପାଦରେ ଅଳସ ଗତିରେ ଦାଣ୍ଡପାହାଚ ଚଢ଼ୁ ଚଢ଼ୁ ଗୀତା ଆକାଶକୁ ଅନାଇଲା ! ସତରେ ଆଜି ବର୍ଷା ହେବ, ଆକାଶ ମେଘରେ ଭରି ଗଲାଣି ।

 

...ସେ ଦିନ ରାତିରେ ବର୍ଷା ହେଲା ଓ ବର୍ଷା ସାଙ୍ଗରେ ପବନ । ପବନରେ କେତେ ପତର ଝଡ଼ିଲା, କେତେ ପତର ଉଡ଼ିଲା । ଗୀତା ଦେଖୁଥାଏ ଓ ଶୁଣୁଥାଏ । ଆଜି କଣ ପ୍ରକୃତରେ ଫ-ଲ୍‍ର ଆରମ୍ଭ ? ନା ତ, ଆଗରୁ ପତର ଝଡ଼ିଲାଣି କେତେ । କିନ୍ତୁ ସେ ଭାବିଲା ଯେ ଫ-ଲ୍‍ର ଏମିତି ଆସିବା ଉଚିତ୍‍ । ସ୍ପ୍ରିଙ୍ଗ୍‍ ମଧ୍ୟ ଏମିତି ଆସନ୍ତା । ଗୋଟିଏ ଦିନରେ ସବୁ ଫୁଲ ଫୁଟି ଉଠି କହନ୍ତେ—ଆଜିଠୁଁ ସ୍ପ୍ରିଙ୍ଗ ଆସିଲା ଯେମିତି ଜନ୍ମଦିନ ଆସେ, ନଅ ପୂରି ଦଶ, ଦଶ ପୂରି ଏ’ଗାର । ଆଜିଠୁଁ ପିଲାଦିନ ସରିଗଲା । ବଡ଼ ଦିନ ଆସିଲା । ହେଲେ କହିବା କଥା ସିନା, ବଡ଼ଦିନ ତ ସେମିତି ସରେ ନାହିଁ । ଗୀତାର ଦୁଃଖ ହେଲା । ତା’ର ପିଲାଦିନ ସରିଛି ନା ସରିନାହିଁ ? ତା’ର କଣ କେଉଁଦିନ ଏମିତିକା ଫ-ଲ୍‍ର ରାତି ଆସିବ ନା ଆସିଥିଲା ?

 

ବର୍ଷା ମଝିରେ ମଝିରେ ଆସୁଛି ପାଗଳଙ୍କ ପରି । ପବନ ସାଙ୍ଗରେ ମିଶି କାଚଝରକା ଓ କାଠଘରକୁ କଣ ଗୋଟାଏ ଜରୁରି କଥା ଜୋର୍‍କରି କହି ଚାଲିଯାଉଛି । ଫାୟାର ଇଞ୍ଜିନ୍ ପରି । ଘର ଭିତରେ ବସି ଗୀତାକୁ ମଜା ଲାଗିଲା ବର୍ଷାର ପାଗଳାମି ଦେଖିବାକୁ । ସେ ମନେ ମନେ ବର୍ଷାକୁ କହିଲା,—ପାଟିକର, ବାଡ଼େଇ ପିଟି ହୁଅ, କିଏ ମନା କରୁଛି । ପାଟି କରିବାକୁ ସମସ୍ତଙ୍କର ଅଧିକାର ଅଛି । ‘ଆମେ ଏହି ସବୁ ସତ୍ୟକୁ ସ୍ୱତଃସିଦ୍ଧ ବୋଲି ମାନିଛୁ ଯେ…

 

ଖାଇସାରି ବିଛଣାରେ ଆସି ଶୋଇଲା ବେଳକୁ ବର୍ଷାର ତେଜ କମି ଯାଇଥାଏ । ବର୍ଷା ଝୁପୁରୁ ଝୁପୁରୁ ହୋଇ ପଡ଼ୁଥାଏ,—ସତେ ଯେପରି ସରିବ ନାହିଁ, ଏମିତି ଝରୁଥିବ ସବୁବେଳେ । କଳ ଖରାପ ଥିଲେ ପାଣି ପାଇପ୍‍ରୁ ଯେମିତି ପାଣି ବନ୍ଦ ହୁଏ ନାହିଁ । କଥା ସରିଗଲେ ସୁଦ୍ଧା ପିଲାମାନେ ଯେମିତି କାନ୍ଦି ଚାଲନ୍ତି ।

 

ନିଦ ଆସିବା ଆଗରୁ ଗୀତାର ଆଖି ଆଗରେ ନାଚିଗଲା ପିକ୍‍ନିକ୍ କଥା, ମାର୍ଥା, ମିସ୍ ମନରୋ ଓ ଅନ୍ୟମାନେ । ଅଯଥାରେ ସୁନୀଅପା ମଧ୍ୟ ଦେଖା ଦେଲା । ଗୀତା ବୁଝି ପାରିଲା ନାହିଁ କାହିଁକି ସେ ଥରକୁ ଥର ମନକୁ ଆସୁଛି । ସୁନୀଅପା ମାର୍ଥାପରି ଦେଖିବାକୁ,—ସେହିଥି ପାଇଁ ? ସୁନୀଅପା ତା’ଠୁ ବଡ଼, ବାହାହେଲା ଝିଅ, ସମ୍ପର୍କରେ ଅପା । ତା’ର ମନେପଡ଼ିଲା ଦିନେ ସେ ଲଗାଲଗି ହୋଇ ସୁନୀଅପା ସାଙ୍ଗରେ ଶୋଇଥିଲା, ଏକା ବିଛଣାରେ । ବ୍ରଜ ଭାଇ କୁଆଡ଼େ ଟୁରରେ ଯାଇଥିଲେ । ସୁନୀଅପାର ଗୋରା ସୁନ୍ଦର ଦେହକୁ ଦେଖି ତା’ର ଲୋଭ ଆସିଥିଲା,—ଝିଅମାନେ କଣ ଏମିତି ସୁନ୍ଦର ହୋଇ ବଢ଼ନ୍ତି ? ସେ ସୁନୀଅପା ଦେହରେ ହାତ ପକାଇଥିଲା, ତା’କୁ ଭଲ ଲାଗିଥିଲା । ସେ ଦିନ ତା’ର ଇଚ୍ଛା ହୋଇଥିଲା ଯେ ସେ ସବୁ ଦିନ ରାତିରେ ସୁନୀଅପା ପାଖରେ ଶୁଅନ୍ତା । ବ୍ରଜ ଭାଇ ଆଉ ନ ଆସନ୍ତେ କି ?

 

ତା’ର ମନେ ପଡ଼ିଲା ଯେ ସେଦିନ ରାତିରେ ବି’ ଏମିତି ବର୍ଷା ହେଉଥାଏ, ଝୁପୁରୁ ଝୁପୁରୁ ହୋଇ ଝରି ଚାଲିଥାଏ । ସୁନୀଅପା ତା’କୁ ଥରକୁଥର କହୁଥାଏ ଶୋଇ ପଡ଼ିବାକୁ, କିନ୍ତୁ ନିଜେ ଶୋଉ ନଥାଏ । ଆଉ ଗୀତାର ଇଚ୍ଛା ହେଉଥାଏ ଯେ ସୁନୀଅପା ଶୋଇପଡ଼ନ୍ତା, ଓ ସେ ତାକୁ ବସି ଦେଖୁଥାଆନ୍ତା । ଶେଷକୁ ସୁନୀଅପା ରାଗିବା ଛଳରେ କହିଲା, ‘‘ଗୀତା, ତୁମେ ଭାରି ଦୁଷ୍ଟ ହେଲଣି, ଏଥର ନ ଶୋଇଲେ ମୁଁ କହିଦେବି ।’’ ‘‘କାହାକୁ କହିଦେବ, ବ୍ରଜଭାଇଙ୍କୁ ?’’ ଗୀତା ପାଟିରୁ ବାହାରିଗଲା । ସୁନୀଅପା ହସିଲା । କିନ୍ତୁ ଗୀତାର ମନେହେଲା ଯେ ସେ ଖାଲି ହସିବା ପାଇଁ ହସୁଛି । ଶେଷକୁ ଗୀତା ଆଖିବୁଜି ଶୋଇ ରହିଲା, ଯେମିତିକି ସୁନୀଅପା ଭାବିବ ଯେ ସେ ନିଦରେ ଶୋଇଗଲାଣି । ଶୋଉ ଶୋଉ ତାକୁ ନିଦ ଲାଗି ଆସିଲା । କିଛି ସମୟ ପରେ ହଠାତ୍ ତାର ଅଧା-ନିଦ ଭାଙ୍ଗିଗଲା, କଣ ହେଲା ? ଆଖି ଖୋଲିଲା ବେଳକୁ ସୁନୀଅପା ବିଛଣାରେ ମୁହଁମାଡ଼ି ଶୋଇଛି ଓ କାନ୍ଦୁଛି । ସେ କାନ୍ଦଣା ଅନ୍ୟରକମର, ପିଲାଙ୍କ କାନ୍ଦପରି ନୁହେଁ, ରୋମାଣ୍ଟିକ୍‍ ଦୁଃଖ ଗୀତ ଗାଇଲା ପରି ନୁହେଁ । ସେ କାନ୍ଦଣାକୁ ସତେଯେପରି ବୁଝାଇ ହେବ ନାହିଁ । ସୁନୀଅପା ଭଲ ଝିଅ, ସୁନ୍ଦର ଝିଅ, ନୂଆ ହୋଇ ବାହା ହୋଇଛି ବ୍ରଜଭାଇଙ୍କୁ । ସୁନୀଅପା ହସେ, ଗୀତ ବୋଲେ । ତେବେ ସେ କାନ୍ଦୁଛି କାହିଁକି ଏମିତି ? ଗୀତାକୁ ବ୍ୟସ୍ତ ଲାଗିଲା କିନ୍ତୁ ଉଠି ବସିବାକୁ ସାହସ ହେଲା ନାହିଁ । ତାର ଇଚ୍ଛା ହେଲା ଘରେ ଆଲୁଅ ଜଳାଇ ଦିଅନ୍ତା, ବର୍ଷାର ଅସରନ୍ତି ଝରିବାକୁ କହନ୍ତା ବନ୍ଦ ହୋଇଯିବା ପାଇଁ, ଓ ସୁନୀଅପାକୁ ପଚାରନ୍ତା ସେ କାହିଁକି କାନ୍ଦୁଛି । କିନ୍ତୁ ସେ କିଛି କରିପାରିଲା ନାହିଁ ।

 

ବଡ଼ମାନେ ଏମିତି କାନ୍ଦନ୍ତି କାହିଁକି ? ସେ ଦିନ ରାତିରେ ସେ ଏହି ପ୍ରଶ୍ନ କେତେ ପଚାରିଥିଲା ନିଜକୁ । ଆଜି ମଧ୍ୟ ତିନିଚାରି ବର୍ଷ ପରେ ସୁନୀଅପା କଥା ମନେ ପଡ଼ିଲାରୁ ସେ ସେହି ପ୍ରଶ୍ନ ପଚାରିବସିଲା । ବଡ଼ଝିଅମାନଙ୍କୁ କଣ ଏମିତି କାନ୍ଦିବାକୁ ପଡ଼େ ? ଆମେରିକାର ଝିଅମାନେ, ବାହାହେଲା ବଡ଼ ଝିଅମାନେ କଣ ଏମିତି କାନ୍ଦନ୍ତି ? ପ୍ରଶ୍ନର ତାଡ଼ନା ସହି ନ ପାରି ସେ ଅନ୍ୟକଥା ଭାବିବସିଲା,—ମାର୍ଥା କେମିତି ଗୀତ ବୋଲେ, ଆଲିନ୍‍ କେମିତି ନାଚେ । ଟ୍ଵିଷ୍ଟ ପରେ ସେହି ଯେଉଁ ନୂଆ ନାଚ ବାହାରିଛି, ମଜାର ନା, ‘‘ଆଳୁ-ଚକଟା’’ (ମ୍ୟାସଡ଼୍‍ ପଟାଟୋ) ।

 

(୩)

 

ଆଜିକାଲି ମାର୍ଥାର ଗୋଟାଏ ଢଙ୍ଗ ବାହାରିଛି । ସେ ଯାଉଣୁ ଆସୁଣୁ ତା’କୁ କହୁଛି, ‘‘ଗୀତା, ମୁଁ ତୋତେ ଭଲ ପାଏ ।’’ ସେହି କଥାକୁ କେତେ ବାଗରେ କେତେ ଭଙ୍ଗୀରେ କହୁଛି । ସେ କଣ ସତରେ ମୋତେ ଏତେ ଭଲ ପାଏ ? ଗୀତା ମନେ ପକାଇଲା ମାର୍ଥା ଓଠରେ ସେହି କଥାଟିକ କେମିତି ଫୁଟି ଉଠେ, ତା’ର ଆଖିପତା କେମିତି ତଳେଇ ହୋଇ ଆସେ, ତା’ର ମୁହଁର ସବୁଯାକ କେମିତି ହସିଲା ଭଳି ଦେଖାଯାଏ,—ଆଇ ଲଭ୍ ୟୁ, ଆଇ ଲଭ୍ ୟୁ… । ଅଜାଣତରେ ଗୀତାର ଓଠ ମଧ୍ୟ ଥରି ଉଠିଲା କହିଲାପରି—ଆଇ ଲଭ୍ ୟୁ ।

 

ମାର୍ଥା ତା’ର ବଏ-ଫ୍ରେଣ୍ଡ୍‍କୁ କଣ ଠିକ୍ ସେମିତି ଭାବରେ କହେ ? ଗୀତାର ଇଚ୍ଛାହେଲା ମାର୍ଥାକୁ ସେତେବେଳେ ଦେଖନ୍ତା ।

 

ଏତିକିବେଳେ ରୀନା କେଉଁଠି ଥିଲା ସେହି ବାଟ ଦେଇ ଚାଲିଗଲା, ଶାଢ଼ୀର ପଣତ ଉଡ଼ାଇ । ସାଙ୍ଗରେ ଆଉ କେତେଜଣ ପୁଅଝିଅ । ଗୀତାକୁ ଦେଖି ହାତ ହଲାଇ କହିଲା,—ହାଏ, ଗୀତା । ଗୀତା ‘ହାଏ’ର ପ୍ରତିଦାନ ଦେବା ପୂର୍ବରୁ ସେ କାହିଁ କେତେ ଦୂରରେ ।

 

ସମସ୍ତେ କହନ୍ତି ଯେ ରୀନାର କୁଆଡ଼େ ବଏ-ଫ୍ରେଣ୍ଡ୍ ଅଛନ୍ତି, ଜଣକରୁ ବେଶି । ସେ କୁଆଡ଼େ ତାଙ୍କ ସାଙ୍ଗରେ ରେସ୍ତୋରାଁକୁ ଯାଏ, ସିନେମା ଦେଖେ । ଧ୍ୟାତ—ରୀନା ଆଉ ତା ବଏ-ଫ୍ରେଣ୍ଡ୍ ! ଗୀତାକୁ ସେ କଳ୍ପନା ଅସୁନ୍ଦର ଇତର ବୋଲି ମନେ ହେଲା । ରୀନା କଅଣ ମାର୍ଥା ହୋଇଛି ? ସେ କହି ପାରିବ ମାର୍ଥା ପରି—ଆଇ ଲଭ୍ ୟୁ ? ହୁଃ ! ରୀନା ଫୁଲେଇ, ଦେଖାଇ ହୁଏ-। ଇଣ୍ଡିଆନ ଗାର୍ଲ ହୋଇ ଭାବେ ଯେ ସେ ଏମାନଙ୍କ ଭିତରୁ ଜଣେ ।

ଲଞ୍ଚ୍-ଆୱାର ସରିଯିବାର ଘଣ୍ଟା ବାଜିଉଠିଲା । ଏହିକ୍ଷଣି ସାଇନ୍‍ସ୍‍ କ୍ଲାସ୍ । ମାର୍ଥା ମଧ୍ୟ ସେହି କ୍ଲାସ୍‍କୁ ଯିବ । ଗୀତାର ଇଚ୍ଛା ହେଲା ସେ କ୍ଲାସ୍‍କୁ ଯିବ ନାହିଁ, ଆଡ଼େଇ ହୋଇ ରହିବ । କ୍ଲାସ୍‍ରେ ମାର୍ଥା ମୁହଁ ଖୋଲି କିଛି କହିବ ନାହିଁ, କିନ୍ତୁ କାଗଜରେ ହୁଏତ ଲେଖି ଦେବ,—ଆଇ ଲଭ୍ ୟୁ । ସେ ଦିନ ବବି ସେହି କାଗଜ ଦେଖିନେଇ ଥାଆନ୍ତା । କଅଣ ହୋଇଥାନ୍ତା ତା’ ପରେ ? ଛିଃ !

ଯାହାହେଉ ସେ ଦିନ କ୍ଲାସ୍‍ରେ ମାର୍ଥା କିଛି ଦୁଷ୍ଟାମି କରି ନଥିଲା । କିନ୍ତୁ ମନେ ହେଉଥିଲା ଯେ ତା’ର ପଢ଼ାରେ ମନ ନାହିଁ । କଣ ବସି କାଗଜରେ ଆଙ୍କୁଥିଲା ଓ ମଝିରେ ମଝିରେ ଉପରକୁ ଅନାଇ ଭାବୁଥିଲା । ଗୀତା ଠିକ୍‍ କରି ନେଲା, ଏଥିରେ ସନ୍ଦେହର କାରଣ କିଛି ନାହିଁ,—ସେ ତା’ ବଏଫ୍ରେଣ୍ଡ୍ କଥା ଭାବୁଛି । ଶୁଣାଯାଏ ଯେ ସେ ଅଳ୍ପଦିନ ଭିତରେ ତା’କୁ ବାହା ହେବ ।

ଗୀତାର ମାର୍ଥାକୁ ଚାହିଁ ରହିବାକୁ ଇଚ୍ଛା ହେଲା । ତା’ର ମନ ଖଜବଜ ହେଲା ଜାଣିବାକୁ–ମାର୍ଥା କଣ ଭାବୁଛି । ଭଲ ପାଇଲେ ଏମିତି ସବୁ ଭାବନ୍ତି ପରା ! ସମସ୍ତେ ନୁହେଁ, ମାର୍ଥା ପରି ଝିଅମାନେ । କାହିଁକିନା ମାର୍ଥା ହେଉଛି ରୋମାଣ୍ଟିକ୍ । ତାକୁ ମଜା ଲାଗିଲା । ସେହି ମୁହୂର୍ତ୍ତରେ ତା’ର ମନେ ହେଲା ଯେ ସେ ମାର୍ଥାକୁ ଭଲପାଏ, ଭାରି ଭଲପାଏ ।

ସେ ଦିନ ସେ ଆଲିନ୍ ସାଙ୍ଗରେ ସ୍କୁଲରୁ ଫେରିଲା ବସ୍‍-ଷ୍ଟପ୍ ଯାଏଁ । ମାର୍ଥା ସାଙ୍ଗରେ ଦେଖା ହୋଇ ନାହିଁ । ସେ ଆଲିନ୍‍କୁ ପଚାରିଲା ଯେ ମାର୍ଥା କାହିଁକି ବସ୍ ଧରିବାକୁ ଆସିନାହିଁ । ଆଲିନ୍‍ କହିଲା ଯେ ଗୋଟାଏ ବଡ଼ କଳା କ୍ୟାଡ଼ିଲାକ୍‍ କାର୍‍ ଆସି ମାର୍ଥାକୁ ନେଇ ଯାଉଛି । କାହାର ସେ କାର୍ ? ମାର୍ଥା କହୁଥିଲା ଯେ ତାଙ୍କର କୁଆଡ଼େ କେବଳ ଗୋଟିଏ ପୁରୁଣା ଫୋର୍ଡ଼ ଅଛି । ନୂଆ ଗାଡ଼ି—କଳା କ୍ୟାଡିଲାକ—କାହାର ? କୌତୂହଳ ଭିତର ଦେଇ ଗୀତାକୁ ଖୁସି ଲାଗିଲା । କଳ୍ପନାରେ ସେ ଦେଖିଲା ମାର୍ଥାର ନୂଆ ସମ୍ପଦ,—ସେ ଗୋଟିଏ ଅନିର୍ଦ୍ଦିଷ୍ଟ ରାଜ୍ୟର ରାଣୀ ହେବ, ହେବାକୁ ଯାଉଛି ।

ଆଲିନ୍ ଭାରି ହସକୁରୀ । ସମସ୍ତଙ୍କୁ ଥଟ୍ଟା କରେ । ଗୀତାକୁ ମଧ୍ୟ ଥଟ୍ଟା କରେ । କହେ ଯେ ଗୀତା ଠିକ୍ କରିଛି ଆମେରିକାରେ ଘରଦ୍ୱାର କରି ବାହା ହୋଇ ରହିବ,—କାହାକୁ ନା ମାର୍ଥାକୁ ! ଭାରି ଫାଜିଲ ଝିଅ, କିନ୍ତୁ ଭାରି ଭଲ, ସମସ୍ତଙ୍କୁ ସାହାଯ୍ୟ କରେ, ସମସ୍ତଙ୍କୁ ଖୁସି କରିବାକୁ ଚାହେଁ ।

କଥା ମଝିରେ ହଠାତ୍ ଆଲିନ୍ କହିଲା,—ଗୀତା, ତୁ ମାର୍ଥାର ବଏ-ଫ୍ରେଣ୍ଡ୍‍ର ଘର ଦେଖିଛୁ-? ମୁଁ ଦେଖିଲି ଏବେ, ଭାରି ସୁନ୍ଦର । ସେମାନେ ବାହାହେଲେ ସେହି ଘରେ ରହିବେ, ପୁଅର ବାପ ମାଆ ଆଉ ଗୋଟାଏ ଘରକୁ ଯିବେ । ସେମାନେ ଭାରି ବଡ଼ଲୋକ, ତାଙ୍କର ବହୁତ ଘର ଅଛି । ଗୀତା କହିଲା—ସତେ ? କିନ୍ତୁ ସେହି ପଦଟିରେ ତା’ର ବିରାଟ ଆଗ୍ରହ ଓ ଉତ୍ସାହ ଆଲିନ୍‍ର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ସେ ମନ୍ତ୍ରଣାର ଗୋପନ ଭଙ୍ଗୀରେ ପଚାରିଲା, —ଦେଖିବୁ-? ଦେଖିବୁ ସେ ଘର ? ବେଶି ଦୂର ନାହିଁ । ଗୀତା ମନା କରିପାରିଲା ନାହିଁ । ଭୁଲିଗଲା ଯେ ଘରେ ପହଞ୍ଚିବାକୁ କାଳେ ଡେରିହେବ, ଅନ୍ଧାର ହୋଇଗଲେ ମାଆ ରାଗିବ ।

......କେଜାଣି କେତେ ବାଟ ଚାଲି ସାରିଲା ପରେ ସେ ସେହି ଘର ପାଖରେ ପହଞ୍ଚିଲା-। ପାଦ ଥକି ଆସିଲାଣି । ଆଲିନ୍ ଘର ଦେଖାଇଲାରୁ ଗୀତାର ମନେହେଲା ଯେ ଏ ତ ଏଠିକାର ସବୁ ଘର ପରି,—ଅଧିକା କଣ ଅଛି ଏଥିରେ ?

କିନ୍ତୁ ସେତେବେଳ ସେ ତାକୁ ଭଲ ଭାବରେ ଦେଖି ନଥିଲା । ମାର୍ଥାର ଘର, ଏହି ଭାବନା ତା’ର ମନକୁ ଲାଗି ନଥିଲା । ଉପର ମହଲାର ଶୋଇବା ଘର ଝରକା ଉପରକୁ ଝୁଙ୍କି ପଡ଼ିଥିବା ଫୁଲ ପତରର ଗୋଚ୍ଛା ତା’ ଆଖିରେ ପଡ଼ି ନଥିଲା ।

 

ନା, ଏ ଘର ସବୁ ଘର ପରି ନୁହେଁ । ଗୀତାର ଇଚ୍ଛାହେଲା ଯେ ଆଲିନ୍ ଯାହା ଭାବିଲେ ଭାବୁ ପଛକେ ସେ ସେହି ଘର ପାଖରେ କିଛି ସମୟ ଛିଡ଼ା ହୋଇ ରହିବ ଓ ତା’କୁ ଦେଖିବ ସବୁ ଆଡ଼ୁ ।

 

ଘରର ପଛଆଡ଼େ ଆଖି ପାହାନ୍ତାରେ ଦେଖା ହେଉଛି ବଡ଼ ବଡ଼ ଗଛର ମେଳା, ରକ୍‍କ୍ରିଂକ ପାର୍କର ଜଙ୍ଗଲ । ସକାଳୁ ଉଠି କଫି ତିଆରି କଲାବେଳକୁ ଝରକା ବାଟେ ଦେଖାଯିବ । ମାର୍ଥା କଫି ତିଆରି କରିବ । ମାର୍ଥାର କିଚେନ୍ ସଫାସୁତୁରା ହୋଇଥିବ ତା’ର ସବୁ ଜିନଷ ପରି । କେତେ ରକମର ହତିଆର ପାତି ଥିବ,—ସିଝା ଅଣ୍ଡାକୁ ସମାନ ଭାବରେ କାଟିବା ପାଇଁ, ଅଣ୍ଡାରୁ ହଳଦିଆ କାଢ଼ିବା ପାଇଁ, ପିଆଜ କାଟିବା ପାଇଁ ଯେମିତିକି ଆଖି ପୋଡ଼ିବ ନାହିଁ । କେତେ ରକମର ବାସନ ଥିବ, ରୋଷ୍ଟ କରିବା ପାଇଁ, ବେକ୍ କରିବା ପାଇଁ,—ସବୁ ନୂଆ ଧରଣର । ସେ ଅଳ୍ପ କିଛି ରାନ୍ଧିଦେଇ ଟେବୁଲ୍‍ ଉପରକୁ ନେଇ ଆସିବ, ପରଷିବା ବାସନ ତଳେ ମହମବତୀ ଜଳୁଥିବ । ଧ୍ୟାତ୍,—ଏ ସବୁ ତ ସାଧାରଣ ଜିନିଷ, ଆମ ଘରେ ଅଛି । ମାର୍ଥାର କେତେ ଆହୁରି ସୁନ୍ଦର, ମଡ଼ର୍ଣ୍ଣ ଜିନିଷ ସବୁ ଥିବ— ।

 

କିଚେନ୍‍ରୁ ବେଡ଼ରୁମ୍, ବେଡ଼୍‍ରୁମରୁ ଲିଭିଙ୍ଗ୍ ରୁମ୍ । କେଜାଣି କାହିଁକି ସେ ବେଡ଼୍‍ରୁମରେ ବେଶି ସମୟ ରହିପାରିଲା ନାହିଁ, ଭାବିବାକୁ ଲାଜ ଲାଗିଲା ।

 

ଆରେ, ଘରର ଗୋଟାଏ କୋଣକୁ ଗୋଲାପ ଗଛ କେତୁଟା ଅଛି । କେଉଁ ରଙ୍ଗର ଫୁଲ ଫୁଟିବ ସେଥିରେ ? ନାଲି, ଗୋଲାପି ନା ହଳଦିଆ ? ମାର୍ଥା ଫୁଲ ଭଲପାଏ, କେତେ ରକମର ଫୁଲ ଗଛ ଲଗାଇବ । ଟୁଲିପ୍, ଅଜେଲିଆ, ତ୍ରି ସାନ୍‍ଥିମମ୍ । ସବୁ ଫୁଲର ରଙ୍ଗ ରୂପ ତାର ମନେ ପଡ଼ିଲା ନାହିଁ । ଖାଲି ଆଖି ଆଗରେ ଦିଶିଗଲା ସିଧାସଳଖ ଛୋଟିଆ ଟୁଲିପ୍, ସ୍ପ୍ରିଙ୍ଗ ହେଲାକ୍ଷଣି ମୁଣ୍ଡଟେକି ଅନାଏ, ପବନ ସାଙ୍ଗରେ ଖେଳେ, ଏକୁଟିଆ ନିଜକୁ ନିଜେ । ନିଜକୁ ନିଜେ-। ମାର୍ଥା ଆଉ ତା’ର— । ଏକୁଟିଆ ଦୁଇଜଣିଆ କଫ । କାର୍‍ର ଆଗସିଟରେ ଏକୁଟିଆ ଦୁଇଜଣ । ରେଡ଼ିଓ, ରେକର୍ଡ଼ର ଗୀତ ଏକୁଟିଆ ଦୁଇଜଣଙ୍କ ପାଇଁ ।

 

ମାର୍ଥା ଓ ତା’ର ସେ ଭଲପାଆନ୍ତି ଦୁହିଁଙ୍କୁ ଦୁହେଁ । ଏ ଘର ତାଙ୍କୁ ଭଲପାଏ । ଟୁଲିପ୍ ଫୁଲ ସବୁ ତାଙ୍କୁ ଭଲପାଇବେ ।

 

ଆଲିନ୍ କହିଲା,—ବିଉଟିଫୁଲ୍, ନୁହେଁ ?

 

ଗୀତା କେବଳ ମୁଣ୍ଡ ଟୁଙ୍ଗାରିଲା,—କଣ କହିବ ଆଉ । କ୍ଷଣକ ପାଇଁ ତା’ର ହିଂସା ହେଲା ମାର୍ଥା ଉପରେ । ଇଚ୍ଛାହେଲା ଭାବିବାକୁ ଯେ ଯଦି ସେ ମାର୍ଥା ଜାଗାରେ ଥାଆନ୍ତା ଓ ମାର୍ଥା ତା’ ଜାଗାରେ, ତାହାହେଲେ— !

 

....ଫେରିବା ବାଟରେ ଆଲିନ୍‍ ଗୀତାକୁ କହିଲା,—ତୁ ମାର୍ଥାର ବଏ-ଫ୍ରେଣ୍ଡ୍ ନାଁ ଜାଣିଛୁ-? ସେ କାହାକୁ କହି ନାହିଁ, କିନ୍ତୁ ମୁଁ ଜାଣେ । ତା’ନାଁ ହେଉଛି ଆର୍‍ମାନ୍ଦୋ, ତା, ପୂର୍ବପୁରୁଷମାନେ ଇଟାଲୀରୁ ଆସିଥିଲେ । ମୁଁ ତାକୁ ଅବଶ୍ୟ ଦେଖି ନାହିଁ, କିନ୍ତୁ ତା’ର ନିଶ୍ଚୟ ତୋରି ପରି କଳା ବାଳ ହୋଇଥିବ, ଓ ତା’ ଆଖି ହୋଇଥିବ ତୋରି ପରି ଗହୀରିଆ କଳା ।

 

ଓ, ଶଟ୍‍ ଅପ୍,—କହି ଗୀତା ହାତ ହଲାଇ ଦେଲା ଅବହେଳାର ଭଙ୍ଗୀରେ । ଆଲିନ୍ ହସୁଥାଏ । ଏଥିରେ ଏତେ ହସିବାର କଅଣ ଅଛି ? ଆଲିନ୍‍ଟା ଭାରି ହସକୁରୀ ।

 

ଆଲିନ୍ ଫେରିଗଲା । ଏବଂ ମାର୍ଥା ଓ ଆର୍‍ମାନ୍ଦୋ ଗୀତାର ଭାବନାକୁ ଅଧିକାର କରି ରହିଲେ । ଆର୍‍ମାନ୍ଦୋ । ତା’ର ମୁଣ୍ଡବାଳ କଳା, ତା’ର ଆଖି କଳା, ମୋ’ ପରି । ବୋଧହୁଏ ସେହିଥିପାଇଁ ମାର୍ଥା ମୋତେ— । ଧ୍ୟାତ୍, କଅଣ ଏମିତି ଭାବୁଛି ସେ !

 

ହେଲେ ବସ୍ ଘର ପାଖରେ ପହଞ୍ଚିଲା ବେଳକୁ ଭାବନା ସରି ନଥାଏ । ଏ ପର୍ଯ୍ୟନ୍ତ କେତେଗୁଡ଼ିଏ ପ୍ରଶ୍ନର ସମାଧାନ ହୋଇପାରି ନାହିଁ । ସେ ମାର୍ଥାକୁ ଆରମାନ୍ଦୋର ନାଁ ନେଇ ଚିଡ଼ାଇବ କି ନାହିଁ,—ମାର୍ଥା କିଛି ଖରାପ ଭାବିବ ନାହିଁ ତ ! ମାର୍ଥାର ବାହାଘରକୁ ସେ କଣ ପ୍ରେଜେଣ୍ଟ୍ ନେଇ ଯିବ ? ଘରକରଣା ଜିନିଷ, ଅଳ୍ପ ଦାମିକିଆ ଗହଣା, ନା ଆଉ କିଛି ? ଯାହାହେଉ ସେ କଣ ପ୍ରେଜେଣ୍ଟ୍ ସାଙ୍ଗରେ ଲଫାପା ଭିତରେ ଚିଠି ଖଣ୍ଡେ ଦେବ । ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବ,—ଆଇ ଲଭ୍ ୟୁ, ମାର୍ଥା ଯେମିତି ଲେଖି କରି ଦିଏ । ଆର୍‍ମାନ୍ଦୋ ତାକୁ ଖୋଲି କରି ଦେଖିବ । ଭାବିବ ଏ କି ଲେଖା ! ଭାବୁ, ମଜା ହେବ । ମାର୍ଥା ଖୁସି ହେବ ।

 

ବାହାଘର ପରେ ସେ ତାଙ୍କ ଘରକୁ ଯିବ । ମାର୍ଥାକୁ କହିବ ସେ କେମିତି ଆଗରୁ ଥରେ ଆସି ଦେଖିଥିଲା ତାଙ୍କ ଘରକୁ । ମିଛି ମିଛିକା ଫୁଲର ବଗିଚା ଦେଖିଥିଲା, ଦେଖିଥଲା ଟୁଲିପ୍ କେମିତି ଏକୁଟିଆ ମନକୁ ମନ ହସୁଛି ।

 

(୪)

 

ମାଆ ମୋତେ ଭଲପାଏ ନାହିଁ । ଏ ଘରେ ମୋତେ କେହି ଭଲପାଆନ୍ତି ନାହିଁ । କେହି ମୋତେ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ ।

 

ରାଗ କମିଗଲା ପରେ ଗୀତା ଠିକ୍ କଲା ଯେ ବଡ଼ମାନେ ସାନମାନଙ୍କୁ, ମାନେ ତା’ ବୟସର ପିଲାଙ୍କୁ ବୁଝିପାରନ୍ତି ନାହିଁ । ନୂଆ କଥା ନୁହେଁ, ବହିରେ ଅଛି । ଟୀନ୍-ଏଜର୍‍ମାନଙ୍କୁ ବୁଝିବା କଷ୍ଟ । କିନ୍ତୁ ପୁଣିଥରେ ତା’ର ରାଗ ଆସିଲା,—ସେ ସାଧାରଣ ଟିନ୍‍-ଏଜର୍ ନୁହେଁ, ଆମେରିକାର ଟୀନ୍-ଏଜର୍ ନୁହେଁ । ସେ ରୀନା ପରି, ଅନ୍ୟମାନଙ୍କ ପରି ନୁହେଁ । ସେ ବାପାମାଆଙ୍କର ଅବାଧ୍ୟ ହୋଇ ନିଜ ଇଚ୍ଛାରେ ଘୂରି ବୁଲିବାକୁ ଚାହେଁ ନାହିଁ । ସେ ଇଣ୍ଡିଆନ୍ ଝିଅ । ତଥାପି ତା’ର କଣ ନିଜର ମତ କିଛି ନାହିଁ, ଟିକିଏ ବୋଲି ସ୍ୱାଧୀନତା ନାହିଁ ? ଯେତେହେଲେ ସେ ପିଲା ନୁହେଁ, ତା’ର ମଧ୍ୟ କିଛି ଇଚ୍ଛା ଅଛି, ଭଲମନ୍ଦ ଭାବିବାର ଶକ୍ତି ଅଛି ।

 

ସକାଳୁ ତା’ ମନ ଭଲ ଥିଲା । ବହୁତ ଦିନର ଥଣ୍ଡା-ବରଫ ପରେ ଆଜି ଲାଗୁଥିଲା ଯେ ସ୍ପ୍ରିଙ୍ଗ ଆସିବାକୁ ଡେରି ନାହିଁ । ତା’ ଛଡ଼ା ତା’ ମନ ଭିତରେ ଥିଲା ଯେ ଆଜି ସ୍କୁଲରେ ଗୋଟିଏ ବଡ଼ ଧରଣର ପାର୍ଟି ହେବ ମାର୍ଥା ତାକୁ ବାର ବାର କହିଛି ଆସିବାକୁ । ମାର୍ଥା କୁଆଡ଼େ ତାର ବଏ-ଫ୍ରେଣ୍ଡକୁ ଆଣିବ । ଖିଆପିଆ ହେବ, ନାଚଗୀତ ହେବ । ସେ, ତା’ର ନୂଆ ଧଳା ଡ୍ରେସ ପିନ୍ଧିକରି ଯିବ, -ସରୁଅଣ୍ଟା, କୁଞ୍ଚ ଘେର କେଜାଣି କେତେ, ବଲ୍‍ରୁମ୍ ଡ୍ରେସ୍ । ସେ ଅବଶ୍ୟ ନାଚିବ ନାହିଁ, ତଥାପି–-

 

ପ୍ରଥମେ କେଉଁ କଥାରେ ତା’କୁ ଚିଡ଼ିମାଡ଼ିଲା, ତା’ର ଖୁସିବାସିଆ ଭାବ ଚାଲିଗଲା ? ଗୀତା ଭାବି ଭାବି ଗଲା । ସକାଳ ଚା—ବାପା ଖବର କାଗଜ ପଢ଼ି କଣ କହିଲେ ପଲିଟିକ୍‍ସ୍‍ କଥା–ଡାକବାଲା ଚିଠି ଦେଇଗଲା—ତା’ପରେ ? ହଁ, ଡାକରେ ଖଣ୍ଡେ ଚିଠି ଆସିଥିଲା ସୁନୀଅପା ପାଖରୁ । ମାଆ ପାଖକୁ ଚିଠି ଆସିଥିଲା । ମାଆ କହିଲା—ଗୀତା, ସୁନୀଅପା ଚିଠି ଦେଇଛି, ତୋ କଥା ଲେଖିଛି, ଲେଖିଛି ଯେ ଗୀତା ଆଉ ତାକୁ ପଚାରୁନାହାନ୍ତି, ଚିଠି ଖଣ୍ଡକର ଉତ୍ତର ନାହିଁ । ସେତିକିରେ କଥା ଛିଣ୍ଡି ଯାଇଥାଆନ୍ତା । କିନ୍ତୁ ମାଆ ଆଉ ପଦେ ଯୋଡ଼ିଦେଲା । କହିଲା,—ତୁ କାହିଁକି ଚିଠି ଦେଉନୁ ? ଭୁଲି ଯାଆ ନାହିଁ ଯେ ତୁ ଇଣ୍ଡିଆକୁ ଫେରିଯିବୁ । ତୁ ଯେତେବେଳେ ବାହା ହୋଇ ଶାଶୁ ଘରକୁ ଯିବୁ, ତୁ ମଧ୍ୟ ଚାହିଁବୁ ଯେ ତୋ ପାଖକୁ ସମସ୍ତେ ଚିଠି ଦିଅନ୍ତେ । ସେତେବେଳେ କେହି ନ ପଚାରିଲେ ପସ୍ତେଇବୁ ନାହିଁ ।

ଗୀତା ଭାବିଲା । ମାଆର ସେହି ପଦକ ଶୁଣି ସେ ପ୍ରକୃତରେ ଚିଡ଼ି ଯାଇଥଲା, କଅଣ କହିବ ବୋଲି କହିପାରିଲା ନାହିଁ । ହେଲେ ସେହି କଥାକୁ ନେଇ ସେ କଣ ଦିନଯାକ ଚିଡ଼ିଚିଡ଼ି ହେଉଛି ? ନା, ମାଆର ମଧ୍ୟ ଦୋଷ ଅଛି । ସେ କଥା କଥାରେ ତାକୁ ଦୋଷ ଦେଉଛି । ସତେ ଯେପରି ଘରେ ଆଉ କାହାର କିଛି ଭୁଲ୍ ହୁଏ ନାହିଁ । ଛାଡ଼, ଏମିତି ହେଉ ହେଉ ସଞ୍ଜ ହୋଇଗଲାଣି, ଆଉ କିଛି ସମୟ ପରେ ପାର୍ଟିକୁ ଯିବାକୁ ହେବ । ମାର୍ଥା ହେରିକା ସମସ୍ତେ ଥିବେ । ଭାବିବେ—ଗୀତାର ଆଜି କଣ ହୋଇଛି ? ତା’କୁ କଣ କିଏ ହସିବାକୁ ମନା କରିଛି ? କାହିଁକି ଏମିତି ହେଲା ? କାହିଁକି ଏମିତି ହେଲା ? ଗୀତାର ଇଚ୍ଛା ହେଲା ଫୋନ୍‍ କରି ମାର୍ଥାକୁ କହିବ ଯେ ସେ ପାର୍ଟିକୁ ଯିବ ନାହିଁ । ମାର୍ଥା ମନ ଖରାପ କରିବ, କରୁ ।

ଗୀତା ଅଭିମାନରେ ବସି ରହିଲା । ଟେବୁଲ୍ ଉପରେ ଥିବା ଘଣ୍ଟାକୁ ଅନାଇଲା, -ଟିକ୍ ଟିକ୍ ହୋଇ ସମୟ ସାରିଯାଉଛି । ଝରକା ବାଟେ ଦେଖିଲା ପଛ ଅଗଣାରେ ସ୍ନୋ-ମ୍ୟାନ୍‍କୁ । ବରଫସବୁ ତରଳି ଆସିଲାଣି ଆଖି କାନ ବାରି ହେଉନାହିଁ । କିଛି ସମୟ ପରେ ପୂରା ପୂରି ତରଳିଯିବ, ସ୍ନୋ-ମ୍ୟାନ୍ ମରିଯିବ । ପାର୍ଟି ହେବ, ସରିଯିବ । ଗୀତା ଆସିଥିଲା ନ ଆସିଥିଲା କିଏ ମନେ ରଖିବ ? ଖାଲି ମାର୍ଥା,-କେଜାଣି ।

ଅଭିମାନରେ ମାର୍ଥାଠାରୁ ମଧ୍ୟ ନିଜକୁ ଦୂରେଇ ନେଇ ସାରିଲା ପରେ ଗୀତାକୁ ଫମ୍ପା ଲାଗିଲା । ମନେ ହେଲା ତା’ର କେହି ନାହାନ୍ତି, କେ-ହି ନାହାନ୍ତି । ସେ ବି’ ବାହା ହୋଇ ବନ୍ଧା ହୋଇ ଶାଶୁ ଘରକୁ ଯିବ । ବାଜା ବାଜିବ, ହୁଳ ହୁଳି ପଡ଼ିବ । ଗୀତା ଗୋଟାଏ ଅଜଣା ଲୋକ ସାଙ୍ଗରେ ଏକାଠି ବସି କାରରେ ଯିବ,—କୁଆଡ଼େ ନା ଶାଶୁଘରକୁ । ସବୁ ଝିଅମାନେ ଯାଆନ୍ତି ସେଠିକି । ଶାଶୁଘରେ ବଡ଼ ପଲଙ୍କ ଥିବ ଶୋଇବା ପାଇଁ । ଅଲଗୁଣିରେ ତା’ ଶାଢ଼ୀ ବ୍ଲାଉସ୍ ସାଙ୍ଗକୁ ଆଉ କାହାର ଧୋତି କାମିଜ୍ ଟଙ୍ଗା ହୋଇଥିବ । ‘ସେ’ ରାତିରେ ଆସିବେ । ଦେହରୁ ଜାମା ଖୋଲି ଦେବେ । ଖାଲି ଦେହ..... ବ୍ରଜ ଭାଇଙ୍କର ଅସନା କାଳିଆ ଦେହ । ଶୋଇବା ଆଗରୁ ଘର କବାଟ ବନ୍ଦ ହୋଇଯିବ ।

ଗୀତା ରାତିରେ ଏକୁଟିଆ କାନ୍ଦିବ, ସୁନୀଅପା ପରି । ସେମିତି ହୁଏ ।—ନା ସେମିତି ହୁଏ ନାହିଁ । ହେବାର କଥା ନୁହେଁ । ହତାଶାର ଶେଷ ପାହାଚରେ ପହଞ୍ଚି ଗୀତା ପ୍ରତିବାଦ ଜଣାଇଲା । ସେ ଆଲୁଅରେ ରହିବ, ଅନ୍ଧାର ରାଇଜକୁ ଯିବ ନାହିଁ । ତା’ଶୋଇବା ଘର କବାଟ ଆଉ କେହି ବନ୍ଦ କରି ଦେବ ନାହିଁ । ସେ ସୁନୀଅପା ନୁହେଁ ।

ଗୀତା ଟେବୁଲ୍ ଡ୍ରୟରରୁ ପ୍ରସାଧନ ସାମଗ୍ରୀ କାଢ଼ିଆଣି ଥୋଇଲା ଗୋଟି ଗୋଟି କରି-। ପ୍ରତି ଜିନିଷକୁ ଦୃଢ଼ ଭାବରେ ହାତରେ ଧରି ରଖୁଥାଏ ଯେପରିକି କାହାର ସନ୍ଦେହ ରହିବ ନାହିଁ ଯେ ସେ ସବୁ ତା’ର ନିଜର ଜିନିଷ । ନଖ ସଫା କରିବାର, ମାଜିବାର, ରଙ୍ଗ ଲାଗିବାର, ରଙ୍ଗ ଛଡ଼ାଇବାର ଜିନିଷ । ମୁଁହରେ ଲଗାଇବାର କ୍ରିମ୍, ପାଉଡ଼ର୍ ତିନି ଚାରି ରକମର, ଛିଞ୍ଚି ହେବାର କୋଲନ୍, ରୁମାଲରେ ଲଗାଇବାର ଅତର । କିଛି ମାଆ କିଣିଛି, କିଛି ସେ ନିଜେ କିଣିଛି ପକେଟ୍ ଖର୍ଚ୍ଚରୁ । ସାଙ୍ଗମାନଙ୍କଠାରୁ ଶୁଣି ନୂଆ ନୂଆ ରକମର ଜିନଷ ଆଣିଛି, ଯଦିଓ କାହାକୁ କେତେବେଳେ ବ୍ୟବହାର କରିବାକୁ ହେବ ପୂରାପୂରି ଜାଣି ନାହିଁ । ତା’ଛଡ଼ା ଡ୍ରୟର୍‍ର ପଛପଟେ ଲିପ୍‍ଷ୍ଟିକ୍ ଖଣ୍ଡେ ପଡ଼ିଛି, ଜଣେ ସାଙ୍ଗଠାରୁ ଆଣିଥିଲା ।

ଏପର୍ଯ୍ୟନ୍ତ ତାକୁ ଓଠରେ ଲଗାଇବାର ସାହସ ହୋଇ ନାହିଁ । ଆଜି ତାକୁ ସେ କାଢ଼ି ହାତରେ ଧରିଲା । ଭାବିଲା, ଯଦି ଲଗାଏ କ୍ଷତି କଅଣ ? ସାଙ୍ଗମାନେ ସମସ୍ତେ ଲଗାନ୍ତି । ଅବଶ୍ୟ ବେଶି ଲଗାଇଲେ ଖରାପ ଦେଖାଯାଏ, ରଙ୍ଗ ବୋଳିହେଲା ପରି ଦିଶେ । କିନ୍ତୁ ହାଲୁକା କରି ଲଗାଇଲେ କିଛି କ୍ଷତି ନାହିଁ । ମାଆ ପସନ୍ଦ କରିବ ନାହିଁ, ହେଲେ ମାଆ ତା’ର କେଉଁ ଜିନିଷ ପସନ୍ଦ କରୁଛି କି

ସାହସ ପାଇଲା ନାହିଁ । ଗୀତା ଲିପ୍‍ଷ୍ଟିକ୍‍କୁ ପୂର୍ବସ୍ଥାନରେ ରଖି ଦେଲା । କିନ୍ତୁ ପୁଣି ଥରେ ସ୍ଥିର କଲା ଯେ ସେ ନିଶ୍ଚୟ ଦିନେ ଲଗାଇବ ତାକୁ । ଇଣ୍ଡିଆରେ ଘରେ କୁଟୁମ୍ବ ଭିତରେ ଅନ୍ୟମାନେ ଯେମିତି ଚଳନ୍ତି ଠିକ୍ ସେମିତି ଚଳିବାକୁ ହେବ ବୋଲି କିଛି ଲେଖା ହୋଇ ନାହିଁ । ସେ ଆଉ ଗୋଟିଏ ସୁନୀଅପା ନୁହେଁ ।

ହଠାତ୍ ମାଆ ପଶି ଆସିଲା ଘର ଭିତରକୁ । ଗୀତା ଆଶ୍ଚର୍ଯ୍ୟ ହୋଇ ଅନାଇଲା, ତା’ପରେ ଚିପା ଓଠରେ ମୁହଁ ତଳକୁ କରିଦେଲା । ମାଆ କଣ କହିବାକୁ ଆସିଛି କହୁ, ସେ କିଛି ଉତ୍ତର ଦେବ ନାହିଁ ।

ମାଆ ହାତରେ କଣ ଧରିଛି । ତା’ପାଖରେ ଛିଡ଼ା ହୋଇ କହିଲା,—କିଲୋ, ଏତେ ଡେରି ହୋଇଗଲାଣି, ପାର୍ଟିକୁ ଯିବୁ କେତେବେଳେ ? ଏଇ ଦେଖିଲୁ, ଏଇ ହାରଟା ପିନ୍ଧି କରି ଗଲେ ବୋଧହୁଏ ଭଲ ଦେଖାଯିବ,—କଣ କହୁଛୁ ?

 

ଗୀତା କହିଲା,—ଆଚ୍ଛା ହେଉ । ମୁଁହରେ ହସକୁ ଆସିବାକୁ ଦେଲା ନାହିଁ । ହେଲେ ତା ଚିପାଓଠ କୋହଳ ହୋଇଗଲା । ଅଭିମାନ ଭିତର ଦେଇ ତା’ର ଇଚ୍ଛା ହେଲା ମାଆର ମୁହଁକୁ ସିଧାହୋଇ ଅନାଇବ । ମାଆ କଣ ସତରେ ଚାହେଁ ଯେ ସେ ପାର୍ଟିରେ ସୁନ୍ଦର ଦେଖାଯିବ, ସମସ୍ତେ ତାକୁ ପ୍ରଶଂସା କରିବେ, ସମସ୍ତେ ତାକୁ ଭଲ ପାଇବେ— ?

 

ପାର୍ଟି ପାଇଁ ବାହାରିଲାବେଳକୁ ଗୀତା ହସୁଥିଲା ଓ ସୁନ୍ଦର ଦେଖାଯାଉଥିଲା । ମାଆ ତାକୁ ଭଲପାଏ ଓ ମାର୍ଥା ବି’ ।

 

(୫)

 

ସେ କିଏ ? ସେ କିଏ ?

 

ଝିଅ ଜଣକ ନିଶ୍ଚୟ ମାର୍ଥା । କିନ୍ତୁ ପୁଅ ହେଉଛି ନାଲିଆ ଗୋରା, ଡେଙ୍ଗା, ମୁଣ୍ଡବାଳ କହରା ଛୋଟ । ଆର୍‍ମାନ୍ଦୋ ତ ସେମିତି ନୁହେଁ, ହେବାର କଥା ନୁହେଁ । ଆଲିନ୍ ମିଛ କହିଛି ? ନା ସେ ଝିଅ ମାର୍ଥା ନୁହେଁ, କିନ୍ତୁ ତା’ରି ପରି ? କିଏ ସତ, କିଏ ମିଛ ?

 

ସେ ନିଜେ ସ୍ୱପ୍ନ ଦେଖୁ ନାହିଁ ତ ? ପାର୍ଟିର ନିଶା ଛାଡ଼ି ନାହିଁ ? ତୋଫା ଆଲୁଅ, କୋକାକୋଲା ବୋତଲର ଅସରନ୍ତି ଖୋଲା ହେବ ପପ୍ ପପ୍, ଢାଳିହେବା କୁଳୁ କୁଳୁ ଫେଣ, ଜାଜ୍ ଗୀତର ପ୍ରଚଣ୍ଡ ଆହ୍ୱାନ,—ହାଏ ବେ-ବି !, କେତେ ସ୍କର୍ଟ୍‍ର ଟ୍ଵିଷ୍ଟ, ହାତରେ ହାତ,—ଗୀତା, ତୋ ହାରଟା ବିଉଟିଫୁଲ, ୟୁ ଲୁକ୍ ସୋ ଚାର୍ମିଙ୍ଗ୍‍, କେତେ ବାସ୍ନା ଅତର, କେତେ ହସ, ହଠାତ୍ ଆଲୁଅ ଲିଭିଯିବାରେ ବିଚିତ୍ର କିଳିକିଳା ରଡ଼ି, ଆଲୁଅ ଫେରି ଆସିବାରେ ଆନନ୍ଦ କୋଳାହଳ, ଜର୍ଜ ସାଙ୍ଗରେ ସେହି ଅଦରକାରୀ ଡ୍ୟାନ୍‍ସ୍‍, …..ଏ ସବୁ ତା’ ମନକୁ ଚହଲାଇଦେଇ ନାହିଁ ତ !

 

ସବୁ ସ୍ୱପ୍ନ ଭଳି ଲାଗୁଥିଲା, ଲାଗୁଥିଲା ଯେ ସେ ଲହଡ଼ି ଉପରେ ଚାଲୁଛି । ଚିଡ଼ିମାଡ଼ୁଛି ନା ଭଲ ଲାଗୁଛି ଭାବିବାକୁ ବେଳ ନାହିଁ, ଖାଲି ମନ ଭିତରେ ଅଛି ଯେ ଏ ହେଉଛି ଖୁସି ହେବାର ଢଙ୍ଗ, ସମସ୍ତେ ଖୁସି ହେଉଛନ୍ତି, ସେ ବି’ ଖୁସି ହେଉଛି । ମାର୍ଥା କେତେ ଥର ଆସି ହସି ଦେଇ ଚାଲିଯାଇଛି । ମାର୍ଥା ଡିକ୍ ସାଙ୍ଗରେ କଣ ଥଟ୍ଟାନକଲ ହୋଇ ହସି ହସି ଗଡ଼ିଯାଉଛି,—ମାର୍ଥା ତ ଏମିତି ହୁଏ ନାହିଁ ? ନା, ଏମିତିକା ଦିନରେ ବଡ଼ ପାଟିକରି ହସିବା କଥା, ମାର୍ଥା କିଛି ଅଲଗା ଜୀବ ନୁହେଁ । କିନ୍ତୁ ମାର୍ଥାର ସେ ସୁନ୍ଦର କଳା-ଆଖି ବଏଫ୍ରେଣ୍ଡ୍ କୁଆଡ଼େ ଗଲା ? ପାର୍ଟିର ହସ ଗୀତ ନାଚ ଭିତରେ ଗୀତ । ଥରକୁଥର ତାକୁ ହିଁ ଖୋଜି ବୁଲୁଥିଲା ।

 

କିନ୍ତୁ ସେ ଆର୍‍ମାନ୍ଦୋକୁ ଦେଖି ପାରିଲା ନାହିଁ । କେତେ ସମୟ ପରେ ସେ ଦେଖିଲା ମାର୍ଥା ଭିକ୍ଟର ସାଙ୍ଗରେ ନାଚୁଛି । ଭିକ୍ଟରଟା ଦୁଷ୍ଟ ପିଲା, ଭଲ ପଢ଼େ ନାହିଁ, ଟିଚର୍‍ଙ୍କୁ ଥଟ୍ଟା କରେ, ଦେଖିବାକୁ ବି ସୁନ୍ଦର ନୁହେଁ । ମାର୍ଥା ତା’ସାଙ୍ଗରେ ନାଚୁଛି କାହିଁକି ? ତା’ ପରେ ମାର୍ଥା କୁଆଡ଼େ ମିଶିଗଲା ଗହଳି ଭିତରେ । ପୁଣି ଥରେ ଦେଖିଲା ବେଳକୁ ସେ ଗୋଟାଏ କୋଣରେ କାନ୍ଥକୁ ଆଉଜି ସିଗାରେଟ୍ ଧୂଆଁ ଛାଡ଼ୁଛି ଓ ଦୂରରେ କାହାକୁ ଅନାଇ ହସୁଛି । ସେହି ବୋଧହୁଏ ଆର୍‍ମାନ୍ଦୋ ହୋଇଥିବ । ଏହି ସମୟରେ ଜର୍ଜ ଓ ଆଲିନ୍‍ ଦୁହେଁ ଆସି ପହଞ୍ଚିଗଲେ ଓ ତା’କୁ ହଲ ମଝିକୁ ଟାଣିନେଲେ । ମାର୍ଥା ଆଖି ଉଢ଼ାଳ ହୋଇଗଲା ।

 

ଜର୍ଜ ବାଧ୍ୟ କଲା ନାଚିବାକୁ, ଗୀତା ମନା କରି ପାରିଲା ନାହିଁ । କିନ୍ତୁ ଜର୍ଜ ଅତି ପାଖରେ ନାଚୁଛି । ତା’ର ବେକ ଅତି ପାଖରେ ଦେଖା ହେଉଛି, ରୋମ ମୂଳ ସବୁ ଦେଖା ହେଉଛି ଘିମିରି ହେଲା ପରି,—ସେଥିରେ ଝାଳ ଲାଗିଛି ନା ବୋଲନ୍ ? ଏତେ ପାଖରେ କଣ ନାଚନ୍ତି ? ଏକ୍‍ସିଉଜ୍ ମି, ମୋର ଟିକିଏ କାମ ଅଛି,—କହି ଗୀତା ଜର୍ଜ ପାଖରୁ ଚାଲିଆସିଲା ।

 

ପୁଣି ଗୋଟିଏ ସାଣ୍ଡୱିଚ୍ ଓ କୋକାକୋଲା । ଟେବୁଲ୍ ପାଖରେ ଆଉଜଣେ ଝିଅ ଛିଡ଼ା ହୋଇଥିଲା ଚୁପ୍ କରି,—ସାଣ୍ଡ୍ରା, ଅନ୍ୟମନସ୍କ ହୋଇ କୋକାକୋଲା ପିଉଥିଲା । ଗୀତା କଥା ଆରମ୍ଭ ନ କରି ପଚାରିଲା,—ମାର୍ଥାକୁ ଦେଖିଛ କି ? ସାଣ୍ଡ୍ରା ମୁହଁ ନ ବୁଲାଇ କହିଲା,—କେଉଁ ମାର୍ଥା-? ମୁଁ କେମିତି ଜାଣିଲି ସେ କେଉଁଠି ଅଛି ? ଗୀତା ଆହତ ହେଲା । ସାଣ୍ଡ୍ରା ଏମିତି କାହିଁକି କହୁଛି-? ସେ ଭାବିପାରିଲା ନାହିଁ ଯେ ସାଣ୍ଡ୍ରା ଅଧଘଣ୍ଟାଏ ହେଲା ସେହି ଗୋଟିଏ କୋକାକୋଲା ବୋତଲକୁ ଧରି କରି ରହିଛି, କେହି ଏପର୍ଯ୍ୟନ୍ତ ନାଚିବାକୁ ଡାକି ନାହାନ୍ତି ।

 

ରାତି ବଢ଼ିଲାବେଳକୁ ଗୀତର ଢଙ୍ଗ ବଦଳିଗଲା । କେତେଗୁଡ଼ିଏ ଆଲୁଅ ଲିଭିଗଲା, ଆଉ କେତେକ ଦରଲିଭା ହୋଇଗଲା । ରୋମାଣ୍ଟିକ୍ ଗୀତ ବାଜିଲା, ତା’ ସାଙ୍ଗରେ ଧୀର ବାଜଣା, ଦୂରରୁ ଦୂରକୁ ଯାଇ ହଜିଗଲା ପରି । ଗୀତ ସାଙ୍ଗରେ ଇଚ୍ଛା ହେଉଛି କେଉଁଠି ଲୋଟିଯିବାକୁ, ଆଖି ବୁଜି ଦେବାକୁ । ମାର୍ଥା ଠିକ୍ ଏମିତିକା ଗୀତ ଗାଏ ।

 

ଜର୍ଜ ପୁଣି ଥରେ ତା’ର ହାତଧରି ନେଇଗଲା ନାଚିବା ପାଇଁ ଏଥର ତା’ର ଇଚ୍ଛା ହେଲା ସେ ନାଚିବ, କାହିଁକି ସେ ବୁଝିପାରିଲା ନାହିଁ ।

 

ପାଦ ପଡ଼ୁଛି ତା’ ମନକୁ, ଆଖି ଚଳନ୍ତା ସଂସାରକୁ ଟିକିଏ ଦେଖି ବୁଜି ହୋଇ ଆସୁଛି, ତା’ର ସବୁ ରଙ୍ଗ ଓ ସୁନ୍ଦରପଣକୁ ନିଜ ଭିତରେ ଦେଖିବାପାଇଁ । ପାଖରେ ଜର୍ଜ ନାହିଁ, କେବଳ ଆଉ ଜଣେ । ସେ ଗୀତା ନୁହେଁ, ଗୀତା ବୋଲି ଗୋଟିଏ ଇଣ୍ଡିଆନ୍ ଝିଅ ନୁହେଁ, କେବଳ ଗୋଟିଏ ଝିଅ, ଝିଅର ପ୍ରତୀକ । ଝିଅ ଓ ଆଉ ଜଣେ । ମାର୍ଥା ଓ ଆର୍‍ମାନ୍ଦୋ । ଗୀତା ଭୁଲିଗଲା ଯେ ସେ ମାର୍ଥାକୁ ଖୋଜୁଥିଲା । ମାର୍ଥା ତ ଏଇଠି ଅଛି । ଗୀତା ହେଉଛି ମାର୍ଥା,—ଏହି ଗୀତ, ଏହି ଆନନ୍ଦ, ଏହି ସବୁଥିକି ପାଇଁ ।

 

ଗୀତ ବଦଳିଗଲା; ସବୁ ଆଲୁଅ ଜଳି ଉଠିଲା । ସ୍ୱପ୍ନ ଭାଙ୍ଗିଲା ପରେ ଗୀତା ଦେଖିଲା ଜର୍ଜକୁ । ତା’ରି ସାଙ୍ଗରେ ସେ ନାଚୁଥିଲା ଏତେବେଳଯାଏଁ ? ଜର୍ଜ ଗୋଟାଏ ସାଧାରଣ ପିଲା । ତା’ର ହସରେ ସେହି ଧୂର୍ତ୍ତ ଥଟ୍ଟା କଲା ଭାବ ଅଛି; ଡିକର ଯେମିତି ଅଛି । ସେ ଏହିକ୍ଷଣି ମଧ୍ୟ ହସୁଚି ସେମିତି । ଗୋଟାଏ କଣ ଅଜଣା ଭୁଲର ଭୟ ଗୀତାର ମନରେ ଆସିଲା । ସେତିକିବେଳେ ସେ ଚାହିଁଲା ସେ ଯେମିତି ହେଲେ ମାର୍ଥା ଆର୍‍ମାନ୍ଦୋଙ୍କୁ ଖୋଜି ବାହାର କରିବ । ସତେ ଯେପରି ତାଙ୍କୁ ଦେଖିଲେ, ତାଙ୍କ ପାଖରେ ପହଞ୍ଚିଗଲେ ସେ ନିଜକୁ ବୁଝାଇ ପାରିବ ।

 

ବାଜା ଗୀତ ରହିଯାଇଥାଏ । ପାଟିତୁଣ୍ଡ ଠେଲାପେଲା ଭିତରେ ଗୀତା ହଲ୍ ବାହାରକୁ ଚାଲି ଆସିଲା । ତା’ର ମନେହେଲା ଯେ ମାର୍ଥା ଓ ଆର୍‍ମାନ୍ଦୋ ହଲ୍ ଭିତରେ ନାହାନ୍ତି, ବାହାରେ ଅଛନ୍ତି ଏକୁଟିଆ ।

 

ପ୍ରଥମେ ସେ ଦେଖିଲା ମାର୍ଥାକୁ । ପାର୍କିଙ୍ଗ ଲଟ୍‍ର ଶେଷମୁଣ୍ଡରେ ଥିବା ଦୁଇଟିକିଆ ଗଛ ସନ୍ଧିରେ ପଛ କରି ଛିଡ଼ା ହୋଇଛି, ଟିକିଏ ଝଙ୍କିଲା ପରି ମନେ ହେଉଛି । ସ୍କୁଲ ଫାଟକ ଆଡ଼ୁ ଆସୁଥିବା ଗୋଟାଏ କାର୍‍ର ଆଲୁଅରେ ତାର ସୁନେଲେ-ବାଦାମି ବାଳର ବିଚିତ୍ର ଖୋସା ଓ ଶାଗୁଆ ଡ୍ରେସ ବାରି ହୋଇଗଲା । ମାର୍ଥା ଏଠି କଣ କରୁଛି ଭାବି ଆଶ୍ଚର୍ଯ୍ୟ ହେଲାବେଳକୁ ଗୀତା ଦେଖିଲା ଯେ ସେ ଅଯଥାରେ ଝୁଙ୍କି ପଡ଼ି ନାହିଁ । ସେ ପାଖରେ ଆଉ ଜଣେ, ଆଉ ଜଣେ ପୁଅ । ଆଲୁଅ ପଡ଼ିଲାରୁ ସେମାନେ ଅଲଗା ହୋଇଗଲେ ।

 

ସଂକୋଚ ଓ ଲଜ୍ଜାରେ ଗୀତା ଆଗେଇ ପାରିଲା ନାହିଁ । ସତେ ଯେପରି ତା’ର ଗୋପନ ଅନୁଭୂତିକୁ କିଏ ଆଗରେ ଆଣି ଥୋଇ ଦେଉଛି ବାହାରେ, ଆଖି ଆଗରେ । କିନ୍ତୁ ଏ ଲଜ୍ଜାରେ ଉଲ୍ଲାସ ଅଛି, ଗ୍ଳାନି ନାହିଁ । ଏମିତିକା ଦୃଶ୍ୟ ସେ ଦେଖି ପାରିଲା ! ସେ ଫେରିଯିବ କେମିତି ? ସେ ଭାବିଲା କଣ କରିବ ଏ ଅନୁଭୂତିକୁ ନେଇ ? ମାର୍ଥାକୁ ଚିଡ଼େଇବ ? ନା ତାକୁ ନିଜ ଭିତରେ ରଖି ମାର୍ଥାକୁ ଦେଖି ବସିବ ସକାଳୁ ସଞ୍ଜଯାଏ ? ତା’ର ସବୁ ଢଙ୍ଗ, ସବୁ କଥା, ହସକୁ ନୂଆ ରୂପରେ ଦେଖିବ, ମନେ ମନେ କହିବ,—ମୁଁ ଜାଣିଛି ଯେ ! ଗୋଡ଼ ଚାଲୁ ନାହିଁ, କିନ୍ତୁ ଇଚ୍ଛା ହେଉଛି ଅଦୃଶ୍ୟ ହୋଇ ସେ ମାର୍ଥା ଆର୍‍ମାନ୍ଦୋଙ୍କ ପଛେ ପଛେ ଯାଇ ଦେଖନ୍ତା ସେମାନଙ୍କୁ । ଛାତିର ଶବ୍ଦ ବଢ଼ି ଚାଲିଛି..... ଭଲ ଲାଗୁଛି । ଏତେ ବଡ଼ ଘଟଣା କଣ ସମସ୍ତଙ୍କୁ ଦେଖିବାକୁ ମିଳେ-

 

ସେ ଦେଖିଲା ସେମାନେ ଏଆଡ଼େ ଆସୁଛନ୍ତି । ମାର୍ଥା ମୁହଁରେ ହସ । ଗୀତା ଅପେକ୍ଷା କଲା ।

 

ସେମାନେ ସ୍କୁଲ୍ ଆଗରେ ଥିବା ଆଲୁଅ-ଖୁଣ୍ଟ ପାଖରେ ପହଞ୍ଚିଲାବେଳକୁ ଗୀତା ଦେଖିଲା ସେ ପୁଅ ଜଣକୁ । ବିଶ୍ୱାସ ହେଲା ନାହିଁ, ଆଉଥରେ ନିରେଖି କରି ଦେଖିଲା । ବୁଝିପାରିଲା ନାହିଁ,—ଏ ମାର୍ଥା ନିଶ୍ଚୟ, କିନ୍ତୁ ସେ ପୁଅ ଜଣକ ତ ଆର୍‍ମାନ୍ଦୋ ନୁହେଁ ! ତାହାହେଲେ ସେ କିଏ ? ସେ କିଏ ? ନା ସେ ଝିଅ ମାର୍ଥା ନୁହେଁ, ତା’ରି ପରି ଆଉ ଜଣେ ? ତା’ର କଣ ସବୁ ଭାବିବା ଭୁଲ୍, ଦେଖିବା ଭୁଲ୍ !

 

ସେଠୁ ଫେରିଯିବା ପାଇଁ ସମୟ ନ ଥିଲା । ସେମାନେ ପାଖକୁ ଚାଲିଆସିଲେ । ମାର୍ଥା ଗୀତାକୁ ଅନେଇ ହସିଦେଲା, କହିଲା,‘ହାଏ ଗୀତା, ପାର୍ଟି ସରିଗଲାଣି ନା କଣ ? ତା’ପରେ ସେ ତା’ସାଥି ଆଡ଼କୁ ହାତ ଦେଖାଇ କହିଲା,—ରୋନି, ଉଇଲ୍‍ସନ୍ ହାଇସ୍କୁଲରେ ପଢ଼େ । ଗୀତା, ମୋର ଟିକି ଇଣ୍ଡିଆନ ସାଙ୍ଗ ।’ ଗୀତା ଓ ରୋନି ହାତ ମିଳାଇଲେ, ‘ହାଓ ଆର ୟୁ’ କହିଲେ । ତା’ପରେ ସେମାନେ,—ମାର୍ଥା ଓ ରୋନି,—ସାବଲୀଳ ଭଙ୍ଗୀରେ ହଲ୍‍ ଆଡ଼କୁ ଚାଲିଲେ । ଗୀତା ଦେଖିଲା ରୋନି ଚୁଇଙ୍ଗ୍ ଗମ୍ ଚୋବାଇ ଚୋବାଇ ଚାଲିଛି ।

 

(୬)

 

ସେ ଦିନ ରାତିରେ ଶୋଇବା ଶେଯରେ ଗୀତା ମାର୍ଥା ଉପରେ ରାଗିଲା, ଆଲିନ୍ ଉପରେ ରାଗିଲା, ବାପ ମାଆଙ୍କ ଉପରେ ରାଗିଲା ତାକୁ ଆମେରିକା ଆଣିଛନ୍ତି ବୋଲି, ଆଉ ନିଜ ଉପରେ ରାଗିଲା । ପାର୍ଟିରୁ ଫେରିଲାବେଳକୁ ଆଲିନ୍‍ ସାଙ୍ଗରେ ଦେଖା ହୋଇଥିଲା । ଆଲିନ୍‍ ପଚାରିଲା ‘ଗୀତା, ମାର୍ଥା ଆଉ ତା’ର ନୂଆ ବଏ-ଫ୍ରେଣ୍ଡ୍‍କୁ ଦେଖିଲୁ ? କଥାରେ ଆଶ୍ଚର୍ଯ୍ୟ ନାହିଁ, ଅବିଶ୍ୱାସଭାବ ନାହିଁ, ସାମାନ୍ୟ କୌତୂହଳ । ସତେ ଯେପରି ସେ ପଚାରୁଛି,—ଗୀତା, ମାର୍ଥାର ନୂଆ ଡ୍ରେସ୍ ଦେଖିଲୁ ?

 

ମାର୍ଥା ସେ ସମସ୍ତଙ୍କ ପରି, ଅଲଗା ନୁହେଁ । ଆର୍‍ମାନ୍ଦୋ ପୂର୍ବରୁ ହୁଏତ କେତେ ଥିଲେ, ଓ ତା’ପରେ କେତେ ଆସିବେ । କିଛି କ୍ଷତି ନାହିଁ । ହେଲେ ମିଛୁଟାରେ ସେ ମୋତେ ତା’ ଭିତରକୁ ଟାଣିଲା କାହିଁକି ? କାହିଁକି ସେ ଏମିତି ହସେ, ଗୀତ ବୋଲେ, ଏମିତି ଭାବରେ କହେଆଇ ଲଭ୍ ୟୁ ? କାହିଁକି ସେ ଏମିତି ଠକେଇଲା ମୋତେ ?

 

ଗୀତାକୁ କାନ୍ଦ ମାଡ଼ିଲା, କିନ୍ତୁ ସେ କାନ୍ଦିବାକୁ ଚାହିଁଲା ନାହିଁ । ସେ ମାର୍ଥା ପରି ହସିବାକୁ ଚାହେଁ, ସୁନୀଅପା ପରି କାନ୍ଦିବାକୁ ଚାହେଁ ନାହିଁ । ମାର୍ଥା କିଛି ଖରାପ ନୁହେଁ । ଏ ସଂସାରରେ ପ୍ରତ୍ୟେକର ଅଧିକାର ଅଛି... ।

 

କିନ୍ତୁ ତା’ର ମନେହେଲା ଯେ ସୁନୀଅପା ତା’ଆଡ଼କୁ ଚାହିଁ ଆସୁଛି । କହୁଛି,—ଗୀତା, କଣ ପାଇବ ସେଥିରୁ ? ମାର୍ଥାର ରାଇଜ ତୁମକୁ ସୁହାଇବ ନାହିଁ । ଏଠିକାର କାନ୍ଦିବା ଭଲ, ଏଠିକି ଫେରିଆସ । ମୋରି ପରି, ଆଉ ସବୁ ଝିଅଙ୍କ ପରି କାନ୍ଦିବ ମନ ଖୋଲି କରି କାନ୍ଦିବ, .......ରୁହ, ସେ ଆସିଲେଣି ନା କଅଣ, ତାଙ୍କ ପାଦ ଶୁଭୁଛି । ମୁଁ ଯାଉଛି, ରୋଷେଇ ଘରେ ତରକାରି ବସେଇ ଆସିଛି । ମୁଁ ତାଙ୍କୁ ସତରେ ଭଲପାଏ ମ,—ଜାଣି ନାହଁ ତୁମେ ?

 

ଗୀତା ରାଗିଲା ସୁନୀଅପା ଉପରେ । କାହିଁକି ସେ ତା’ସାଙ୍ଗରେ ବାଦ କରୁଛି ଏମିତି ? ସେ ଠିକ୍ କଲା, ମାଆ ଯାହା କହିଲେ କହୁ ସେ ସୁନୀଅପା ପାଖକୁ ଖଣ୍ଡେହେଲେ ଚିଠି ଦେବ ନାହିଁ-

Image

 

Unknown

ଚୁମ୍ବନ

 

ରମଣୀବାବୁଙ୍କ ନାଁ ସହିତ କଥାବସ୍ତୁର କିଛି ସମ୍ପର୍କ ନାହିଁ । ତାଙ୍କର ଏ ଦିଗରେ କିଛି ବିଶେଷତ୍ୱ ଅଛି ବୋଲି ମଧ୍ୟ ଭାବିବା ଉଚିତ୍‍ ନୁହେଁ । ରମଣୀକାନ୍ତ ଦାସ ଜଣେ ସୁଦୃଶ୍ୟ ଯୋଗ୍ୟ ପୁରୁଷ । ସେ ବିବାହିତ, ତାଙ୍କର ପିଲାପିଲି ଅଛନ୍ତି । ସେ ବମ୍ବେର ଗୋଟିଏ ବଡ଼ କମ୍ପାନୀରେ କାମ କରନ୍ତି ଓ ବ୍ୟବସାୟ ସୂତ୍ରରେ ଦେଶବିଦେଶ ବୁଲିବାର ସୁଯୋଗ ପାଇଛନ୍ତି । ତାଙ୍କର ଦୋଷ ଭିତରେ ସେ ନିଜର ସ୍ୱଭାବସୁନ୍ଦର ଚେହେରାକୁ ରୋମାଣ୍ଟିକ୍ ଛାପରେ ଦେଖାଇବାକୁ ପସନ୍ଦ କରନ୍ତି, ଗୋଟାଏ ଧରଣର କଥା ବେଶି ଭାଗ କହନ୍ତି ଓ ତାଙ୍କ କଥାର ଭଙ୍ଗୀରେ ନାଟକୀୟତା ଅଛି-

ମୁଁ ରମଣୀବାବୁଙ୍କୁ ବହୁତଦିନୁ ଜାଣେ । ମୁଁ ତାଙ୍କ କଥା ଅନେକ ସକାଳ ସଞ୍ଜରେ ଶୁଣୁଛି, ଯେତେବେଳେ ଆଉ କେହି ନ ଥାଆନ୍ତି, କେବଳ ସେ ଓ ମୁଁ । ସେତେବେଳେ ମଧ୍ୟ ତାଙ୍କ କଥାରେ ନାଟକୀୟତା ଥାଏ, କିନ୍ତୁ ମୋର ମନେ ହୁଏ ଯେ ଲୋକଟି ଅନୁଭୂତିର ଚାପ ସହି ନପାରି ଏପରି କହୁଛି । ସୃଷ୍ଟି କରିବାର ଆଉ କିଛି ଉପକରଣ ତାଙ୍କ ପାଖରେ ନାହିଁ,—ସେ ଗୀତ ଗାଇ ପାରନ୍ତି ନାହିଁ, ଛବି ଆଙ୍କି ପାରନ୍ତି ନାହିଁ, ସାହିତ୍ୟ ରଚନା କରିବାକୁ ଯାଇ ବହୁବାର ପରାସ୍ତ ହୋଇଛନ୍ତି । ତେଣୁ ସେ ଚାହାଁନ୍ତି ଯେ କେହି ଜଣେ ତାଙ୍କ କଥା ଶୁଣିବ, ଯେଉଁଥିରେ ସେ ତାଙ୍କ ଅସହନୀୟ ଅନୁଭୂତିକୁ ରୂପ ଦେବେ, ତାକୁ ନିଜଠୁଁ ଅଲଗା କରିଦେବେ, ଓ ମନମୁତାବକ ଗଢ଼ିକରି ଥୋଇବେ ସମସ୍ତେ ଦେଖିବା ପାଇଁ । କଳାକାର ମାତ୍ରେ ହିଁ ସେମିତି;ରମଣୀବାବୁଙ୍କୁ କାହିଁକି ଦୋଷ ଦେବ ?

ଦ୍ୱିତୀୟ କଥା ହେଲା ତାଙ୍କର ରୋମାଣ୍ଟିକ୍‍ ଭଙ୍ଗୀ । ଏଥିର ସଫେଇ ମୁଁ ଦେବାକୁ ଯାଉ ନାହିଁ । ତେବେ ଏତିକି ମନେ ରଖିବାକୁ ହେବ ଯେ ସେ ପିଲାଦିନୁ ତାଙ୍କ ଚେହେରାର ପ୍ରଶଂସା ଶୁଣି ଆସିଛନ୍ତି,ଯେ ତାଙ୍କ ଚାହାଣିରେ ମାଦକତା ଅଛି, ତାଙ୍କ ଓଠର ନାଲି ଯୁବତୀ ସୁଲଭ ଇତ୍ୟାଦି । ତେଣୁ କ୍ରମଶଃ ତାଙ୍କ ମନରେ ଆସିଯାଇଛି ଯେ ସେ ସୁନ୍ଦର, ‘‘ରୋମାଣ୍ଟିକ୍’’ ଭାବରେ ସୁନ୍ଦର, ଏଣୁ ସେହି ରୂପର ପରିଚର୍ଯ୍ୟା କରିବା ତାଙ୍କର ସ୍ଵଧର୍ମ ।

ତେବେ ଯେଉଁମାନେ କହନ୍ତି ଯେ ରମଣୀବାବୁ ରସିକ ଲୋକ, ସେମାନଙ୍କ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ । ସେ ଶୃଙ୍ଗାର ରସକୁ ସବୁଠାରୁ ଭଲ ପାଆନ୍ତି । ଏହି ପ୍ରବଣତା ସାଙ୍ଗରେ ତାଙ୍କର ରୂପବିନ୍ୟାସକୁ ମିଶାଇଦିଅ, ଜାଣିବ ଯେ ସେ କାହିଁକି ଦୁର୍ନାମଗ୍ରସ୍ତ, କାହିଁକି ସମସ୍ତେ ଭାବନ୍ତି ଯେ ସେ ନିଜର ପ୍ରତ୍ୟକ୍ଷ ସ୍ଥୂଳ ଅନୁଭୂତିରୁ ସବୁକଥା କହୁଛନ୍ତି ।

ୱାଶିଙ୍ଗ୍‍ଟନରେ ଗୋଟିଏ ସାନ୍ଧ୍ୟମିଳନର କଥା କହୁଛି । ରମଣୀବାବୁ କେତେ ଜଣ ଭାରତୀୟ ବନ୍ଧୁମାନଙ୍କୁ ଡିନର୍‍ପରର ଡ୍ରିଙ୍କସ୍ ପାଇଁ ଡାକିଥାଆନ୍ତି । ସେ ଥିଲା ଷ୍ଟାଗ୍ ପାର୍ଟି,—ଅର୍ଥାତ ସ୍ତ୍ରୀମାନଙ୍କର ସେଠି ପ୍ରବେଶ ନାହିଁ । ରମଣୀବାବୁ ସଦ୍ୟ ଦକ୍ଷିଣ ଆମେରିକା ଭ୍ରମଣରୁ ଫେରିଥାଆନ୍ତି । ତେଣୁ ସମସ୍ତେ ନିଃସନ୍ଦେହ ଥିଲେ ଯେ ଆଜି ଲାଟିନ୍ ଦେଶର କଥା ପଡ଼ିବ, କେତେ ନୂଆ ଅନୁଭୂତିର ଚର୍ଚ୍ଚା ହେବ । ତାହାହିଁ ହେଲା । ରମଣୀବାବୁ ତାଙ୍କ ଚାହାଣିରେ ଯଥେଷ୍ଟ ମାଦକତା ଆଣି ପାନୀୟ ପାତ୍ରଟିକୁ ସାମାନ୍ୟ ଚହଲାଇ ଦେଇ କହିଲେ, ‘‘ଚୁମ୍ବନ ବିଷୟରେ ଆପଣମାନେ କଣ ଜାଣିଛନ୍ତି ?’’ ଓ ସମସ୍ତେ ହୋ ହୋ ହୋଇ ହସିଉଠିଲେ । କାରଣ ଧରିନିଆଗଲା ଯେ ରମଣୀବାବୁ ନିଜ କ୍ରିୟାକଳାପର କାହାଣୀ କହିବାକୁ ଯାଉଛନ୍ତି, ଲାଟିନ୍ ଦେଶରେ ସେ ଚୁପ୍ ହୋଇ ରହି ନାହାନ୍ତି ।

କିନ୍ତୁ ମୋର ଦୃଢ଼ଧାରଣା ଥିଲା ଯେ ସେ ନୀରବ ଦର୍ଶକ ଥିଲେ; କେବଳ ତାଙ୍କର ଅନୁଭୂତି ଅଶାନ୍ତ ହୋଇଉଠିଛି ।

ହସି ସାରିଲାପରେ ସମବେତ ଉତ୍ତର ଦିଆଗଲା, ‘‘ଆମେ କିଛି ଜାଣି ନାହୁଁ, ଆପଣ କୁହନ୍ତୁ ।’’

ରମଣୀବାବୁ ସନ୍ତୋଷ ପ୍ରକାଶ କଲେ ଓ କିଛି ସମୟ ରହିଯାଇ ଭାବରେ ଗୁରୁତ୍ୱ ଆଣି ଆରମ୍ଭ କଲେ, ‘‘ବିଦେଶରେ, ମାନେ ଏହି ପଶ୍ଚିମ ଦେଶରେ ଚୁମ୍ବନଟା କି ଜିନିଷ ? ଦିନ ନାହିଁ, ରାତି ନାହିଁ, ରାସ୍ତାଘାଟ ପୋଖରୀ, ପଡ଼ିଆ, ପର୍ବତ, ସମୁଦ୍ର ଚାରିଆଡ଼େ ତା’ର ଯେଉଁ ଦୃଶ୍ୟ ଦେଖିବାକୁ ପାଉଛ, ସେ ସବୁ କଣ ଦେଖିବାକୁ ଭଲ ଲାଗେ ନା ଖରାପ ଲାଗେ ?’’

ଜଣେ ଅଳ୍ପବୟସ୍କ ଭଦ୍ରଲୋକ ଚପଳତାର ନମୁନା ଦେଖାଇ କହିଲେ, ‘‘ଚୁମ୍ବନ ପୁଣି ଖରାପ ଲାଗିବ କାହିଁକି ? ଏ ଥିଙ୍ଗ ଅଫ୍ ବିଉଟି…..’’

ରମଣୀବାବୁ ତାଙ୍କ ପାଟିରୁ କଥା ଛଡ଼ାଇନେଇ ଗୋଟିଏ ଦରକାରୀ ଝିଅ ପାଇଲା ପରି କହିଲେ, ‘‘ସେହି ହେଲା କଥା । ବିଉଟି ସୌନ୍ଦର୍ଯ୍ୟ ! କିନ୍ତୁ ଚୁମ୍ବନରେ ସବୁବେଳେ କଣ ସୌନ୍ଦର୍ଯ୍ୟ ଫୁଟି ଉଠେ ?’’

ସେ ଆମ ସମସ୍ତଙ୍କ ଆଡ଼କୁ ଥର ଥର କରି ଅନାଇଲେ, ସତେ ଯେପରି ଆମ ମନରେ ଭାସିଯାଉଥିବା ଛବି ଗୁଡ଼ିକୁ ନିରେଖି ଦେଖୁଛନ୍ତି, ଅନୁମାନ କରୁଛନ୍ତି ଯେ ସେଥିରେ ସୁନ୍ଦରତା ଅଛି ନା ଆଉ କିଛି ।

ତା’ପରେ ସେ ତାଙ୍କ ପ୍ରଶ୍ନର ବ୍ୟାଖ୍ୟା କଲେ, ‘‘ମୋ କହିବାର ଉଦ୍ଦେଶ୍ୟ ହେଉଛି ଯେ ପ୍ରତି ଚୁମ୍ବନରେ ଭଲ ପାଇବାର ଇଣ୍ଟିମେସି ଅନ୍ତରଙ୍ଗତା ଅଛି । ବେଶ୍ । କିନ୍ତୁ ସବୁକ୍ଷେତ୍ରରେ ସେହି ଅନ୍ତରଙ୍ଗତା, ସେମିତିକା ଏକାଠି-ହେବାକୁ ଦେଖିଲେ କଣ ଆନନ୍ଦ ଆସେ ? ମୁଁ କହୁଛି ନିରୋଳା ଆନନ୍ଦର କଥା, ସୃଷ୍ଟିର ଗୋଟିଏ ସୁନ୍ଦର ଜିନିଷ ଦେଖିଲା ପରି । ଆକାଶର ଇନ୍ଦ୍ରଧନୁ, ଚହଲା ପାଣିରେ ପଦ୍ମଫୁଲ ପରି

 

‘‘—କିମ୍ବା ଗୋଟିଏ ଅପୂର୍ବ ଦରଭୁଲା ସ୍ୱପ୍ନ ମନେପଡ଼ିଲା ପରି । ସେହି ହେଉଛି ଥିଙ୍ଗ୍ ଅଫ୍ ବିଉଟି । ଯେଉଁଥିରେ ମନ ଅଜାଣତରେ ନାଚି ଉଠେ, ଅଯାଚିତରେ କିଛି ମିଳିଗଲା ପରି ଲାଗେ । ବୁଝୁଛନ୍ତି ମୁଁ କଣ କହୁଛି ?’’

 

ମୁଁ ଯୋଗ ଦେଲି, ‘‘ବୁଝିପାରୁଛି । କିନ୍ତୁ କେବଳ ଦୁଇଟି ଶ୍ରେଣୀର ଲୋକ ଏପରି ଆନନ୍ଦ ପାଆନ୍ତି,—କବି ଓ ପିଲା । ଅନ୍ୟ ପାପୀମାନଙ୍କ ପାଇଁ, ଯଥା ଆମମାନଙ୍କ ପାଇଁ ଆନନ୍ଦ ସାଙ୍ଗରେ ଆଉ କିଛି ଆସିଯାଏ, ଆନନ୍ଦ ଅଡ଼ୁଆ ତଡ଼ୁଆ ହୋଇଯାଏ । ବିଶେଷତଃ ଚୁମ୍ବନର ଦୃଶ୍ୟ ଦେଖିଲେ ଗୋଟିଏ ଭିନ୍ନ ଉଦ୍ଦୀପନାର ଭାବ—’’

 

ରମଣୀବାବୁ ହସି ଉଠିଲେ । କିନ୍ତୁ ପ୍ରଶ୍ନକୁ ଉଡ଼ାଇଦେଲେ ନାହିଁ । ପୁଣି ଆରମ୍ଭ କଲେ ।

 

‘‘ଅଧିକାଂଶରେ ଆପଣଙ୍କ କଥା ସତ । ଚୁମ୍ବନ ସେକ୍‌ସର ପାଖାପାଖି, ଅନ୍ତରଙ୍ଗତା ପ୍ରାୟ ସେହିଦିଗକୁ ଢଳିଥାଏ । ବୋଧହୁଏ ସେହିଥିପାଇଁ ଆମ ଇଣ୍ଡିଆରେ ଚୁମ୍ବନ ଗୋପନରେ କରାଯାଏ, ସିନେମାରେ ତାକୁ ଦେଖାଇବା ମନା । କିନ୍ତୁ ଆମ କାବ୍ୟକବିତାରେ ଚୁମ୍ୱନର ମହିମା କେଉଁଠୁଁ ଆସେ ? ସେତେବେଳେ ସେ ଏତେ ସୁନ୍ଦର ହୋଇ ଫୁଟିଉଠେ କାହିଁକି ?

 

‘‘ମୋଟ ଉପରେ କଥା ହେଲା ଯେ ଚୁମ୍ବନରେ ସେକ୍‍ସ ଓ ରୋମାନ୍ସ ଦୁଇଟି ମିଶିକରି ଅଛି-। ଯୋଡ଼ିଏ ଓଠ ଆଉ ଯୋଡ଼ିଏ ଓଠ ସାଙ୍ଗରେ ମିଶିଲେ ଦେହର ମିଳନ ହୁଏ । କିନ୍ତୁ ସେହି ଦେହର ଛୁଆଁ ଛୁଇଁ, ସେହି ସୂକ୍ଷ୍ମ ସଙ୍ଗମ ମଧ୍ୟ ସୁନ୍ଦର ଦେଖାଯାଇପାରେ । ସେତେବେଳେ ମନେହୁଏ ଯେ ସେ କେବଳ ଭଲ ପାଇବାର ଆଳାପ, ନିବିଡ଼ ଆଳାପ । ତା’କୁ ଦେଖିଲେ ଖୁସି ଲାଗୁଛି, ଫୁଲ ଇନ୍ଦ୍ରଧନୁକୁ ଦେଖିଲେ ଯେମିତି—’’

 

ସେ ବାକ୍ୟ ଶେଷ କଲେ ନାହିଁ, ସ୍ମିତହାସ ଦେଲେ । ବୋଧହୁଏ ଜାଣି ପାରିଲେ ଯେ ଉପମାର ପୁନରାବୃତ୍ତି କରୁଛନ୍ତି । କିନ୍ତୁ ତାଙ୍କ ଉପକ୍ରମଣିକା ସରି ନଥିଲା । ସେ କହିଲେ,—

 

‘‘ଅନେକ ଇଣ୍ଡିଆନ୍ ଭାଇ ଏଠିକାର ଦୃଶ୍ୟାବଳୀ ଦେଖି କହନ୍ତି ଯେ ଏମାନେ ଅତି ଅସଭ୍ୟ ହେଉଛନ୍ତି, ପଶୁପରି ହେଉଛନ୍ତି । ଆଉ କେତେ ଜଣ,—ଆମ ତରୁଣ ବନ୍ଧୁଙ୍କ ପରି,—କହନ୍ତି ଯେ ଚୁମ୍ବନ ଅତି ଉତ୍ତମ ଜିନିଷ, ଯେତେ ଭାବରେ ଯେତେ ରୂପରେ ଦେଖିଲେ ମଧ୍ୟ ଆନନ୍ଦ ଆସିବ, ଚିଟା ଲାଗିବ ନାହିଁ, ବିରକ୍ତ ଲାଗିବ ନାହିଁ । ମୋ ମତରେ କୌଣସିଟି କଥା ପୂରାପୂରି ସତ ନୁହେଁ । ସ୍ଥାନକାଳପାତ୍ର ନେଇ ପ୍ରଭେଦ ଅଛି । ଚୁମ୍ବନ ଛବି ହୋଇପାରେ ଓ ଦେହ, ପ୍ରେମର ରୋମାନ୍‍ସ ଓ ପ୍ରେମର ସେକ୍‌ସ ।

 

‘‘ମୁଁ କେତୋଟି ଉଦାହରଣ ଦେବି ?’’

 

ଏହି ସମୟକୁ ତ ସମସ୍ତେ ଅପେକ୍ଷା କରିଥିଲେ । ‘‘ନିଶ୍ଚୟ, ନିଶ୍ଚୟ’’, ‘‘ଗୋ ଆହେଡ଼୍’’ ଇତ୍ୟାଦି କେତେ ରକମର ସମର୍ଥନ ଶୁଣାଗଲା ।

 

ରମଣୀବାବୁ ସୋଫାରୁ ଉଠିପଡ଼ି ବନ୍ଧୁମାନଙ୍କ ପାଖକୁ ଯାଇ କେତେଜଣଙ୍କ ଖାଲି ଗ୍ଲାସ୍ ନେଇ ଆସିଲେ, ପୁଣି ଥରେ ଗ୍ଲାସ୍ ଭରି ଆଣିଲେ, କକ୍‍ଟେଲ୍-ଜଳଖିଆର ପ୍ଲେଟ୍ ପୁଣି ଥରେ ଥରେ ସମସ୍ତଙ୍କୁ ଦେଖାଇ ଆଣିଲେ । ଲମ୍ବା ଗପର ପ୍ରସ୍ତୁତି ତିଆରି ହେଲା । ତା’ପରେ ସେ ନିଜ ସ୍ଥାନକୁ ଫେରିଯାଇ ପ୍ରଶ୍ନ କଲେ,—

 

‘‘କେଉଁଆଡ଼ୁ ଆରମ୍ଭ କରିବି ? ଉତ୍ତର ଆମେରିକା ନା ଲାଟିନ୍—’’

 

‘‘ଲାଟିନ୍ ଆମେରିକା, ରିଓ, ବୁଏନସ୍ ଏରିସ୍, ମେକ୍ସିକୋ—’’, ଉତ୍ସାହୀ ବନ୍ଧୁମାନେ ପରାମର୍ଶ ଦେଲେ ।

 

କିନ୍ତୁ କଳାକାର ରମଣୀବାବୁ ଧାରାଚ୍ୟୁତ ହେଲେ ନାହିଁ । ସେ ନିଜ ମତରେ କାହାଣୀକୁ ସଜାଇବେ । କହିଲେ, ନା, ମୁଁ ଦେଶ ଅନୁଯାୟୀ କହିବି ନାହିଁ, ମୋର ଯେମିତି ଭାବରେ ମନେ ପଡ଼ୁଛି ସେମିତି କହିବି । ସେଥିରେ କ୍ରମ ରହିବ କି ନାହିଁ ଜାଣେ ନାହିଁ ।’’

 

ତା’ପରେ ସେ ମୋ ଆଡ଼କୁ ଅନାଇ କହିଲେ,‘‘ମୋର ମନେ ପଡ଼ୁଛି ବର୍ଷକ ତଳର କଥା, ଜୁଲାଇ ଚାରି । ଯେତେବେଳେ ଆପଣଙ୍କ ସାଙ୍ଗରେ ଯାଇଥିଲି ଓ ୱାଶିଙ୍ଗ୍‍ଟନ୍ ମନୁମେଣ୍ଟ ପଡ଼ିଆରେ ବାଣଫୁଟା ଦେଖିବା ପାଇଁ ଆପଣଙ୍କ ସ୍ତ୍ରୀ ଓ ଝିଅ ରାଗିଣୀ ସାଙ୍ଗରେ ଥିଲେ । ମନେ ଅଛି ?’’

 

ମୋର ମନେ ପଡ଼ିଲା । କିନ୍ତୁ କଥାବସ୍ତୁ ଜଡ଼ିତ କୌଣସି ବିଶେଷ ଘଟଣା ବା ଦୃଶ୍ୟର ସ୍ମରଣ ହେଲା ନାହିଁ ।

 

ସେ କହି ଚାଲିଲେ, ‘‘ସେ ଦିନ ଭାରି ଭିଡ଼ । ଆମେ ପ୍ରାୟ ଦେଢ଼ ମାଇଲ୍ ଦୂରରେ କାର୍ ପାର୍କ କଲୁ କିନ୍ତୁ ରାଗିଣୀର ଉତ୍ସାହ ଏତେ ଥିଲା ଯେ ସେ ବୋଧହୁଏ ଦଶ ମାଇଲ୍ ଚାଲିପାରି ଥାଆନ୍ତା ।

 

‘‘ରାଗିଣୀ ଅନବରତ ପ୍ରଶ୍ନ କରୁଥାଏ,—ଜୁଲାଇ ଚାରିରେ କାହିଁକି ବାଣ ଫୁଟାଯାଏ ? ଆମ ଦେଶ ପରି ଏଠି ଏତେ ପତାକା ଉଡ଼ୁନାହିଁ କାହିଁକି ? ବିଚରା ବ୍ରିଟିଶ୍ ଲୋକ, ସେମାନେ ଆଜି କଣ ଭାବୁଥିବେ ? ତା’ ମନରେ ଥିଲା ଯେ ଆଜି ଆମେରିକାନ୍ ମାନେ ନିର୍ଧୂମ ଖୁସି ହେଉଥିବେ ଯେ ସେମାନେ ସ୍ୱାଧୀନତା ପାଇଛନ୍ତି । ସେ ସ୍ୱାଧୀନତା ଦେଢ଼ଶ ବର୍ଷରୁ ଊର୍ଦ୍ଧ୍ଵ ହୋଇଗଲାଣି, ସେ ଆନନ୍ଦରେ ବହଳ ସର ପଡ଼ି ଗଲାଣି, ଆଜି କେବଳ ଗୋଟିଏ ଇତିହାସ କାହାଣୀ ମନେ ପକାଇବା ଓ ସରକାରୀ ଛୁଟି ପାଇବା କଥା, ଏ ଧାରଣା ତା’ର ଭାବିବାର ବାହାରେ । ତା’ର ଦୋଷ ନାହିଁ । କାରଣ ସେ ଦେଖୁଥିଲା ସମସ୍ତେ ଖୁସି ହେଉଛନ୍ତି, ଦଳ ଦଳ ହୋଇ ଖରାଦିନିଆ ରଙ୍ଗବେରଙ୍ଗ ବେଶଭୂଷା ପିନ୍ଧି ଚାଲିଛନ୍ତି । ସେ କେଉଁଠୁ ବୁଝିବ ଯେ ଏ ଖାଲି ବାଣଫୁଟା ଦେଖିବାର ଆନନ୍ଦ, ଖରାଦିନିଆ ମଉଚ୍ଛବର ଆନନ୍ଦ ?

 

‘‘ଆମେ ଯଥାସମୟରେ ପହଞ୍ଚିଲୁ । କିଛି ସମୟ ଅପେକ୍ଷା କଲା ପରେ ବାଣ ଫୁଟିଲା । ଅନ୍ଧାର ଭିତରେ ୱାଶିଙ୍ଗଟନ୍ ମନୁମେଣ୍ଟ୍ ଝଳି ଦିଶୁଥାଏ । ଜହ୍ନ ଆଲୁଅରେ ତାଜମହଲ ପରି ତା’ର ଧଳା ମାର୍ବଲ୍ ଦେହ ଫ୍ଳଡ଼୍‍ଲାଇଟରେ ଫୁଟି ଉଠୁଥାଏ । ଆଉ ଉପର ଆକାଶରେ ଆତସବାଜୀର କେତେ ତାରା, କେତେ ଫୁଲ, କେତେ ଚକ୍ର ଆଲୁଅ ଝରାଉ ଥାଏ ।

 

‘‘ଆମେ ଘାସ ଉପରେ ଅଧାଶୁଆ ହୋଇ ବସିଥିଲୁ । ପଟାଟୋ ଚିପ୍‍ସ୍‍ ଓ ଆଇସ୍‍କ୍ରିମ୍‍ର ଯଥେଷ୍ଟ ସଦ୍ ବ୍ୟବହାର ହେଉଥାଏ । ଖରାଦିନ ହେଲେ ମଧ୍ୟ ଦେହକୁ ଅଳ୍ପ ଶୀତ ଲାଗୁଥାଏ, ଆପଣଙ୍କ ମିସେସ୍ ଲଗାଇଥାଆନ୍ତି,—ଜଲ୍‍ଦି ଘରକୁ ଫେରିଯିବା । କିନ୍ତୁ ରାଗିଣୀ ଯିବାକୁ ନାରାଜ । ସେ ପ୍ରତି ବାଣ ଫୁଟିବା ସାଙ୍ଗରେ ତାଳି ମାରୁଥାଏ, ମିଛିମିଛିକା ଆଞ୍ଜୁଳି ଧରୁଥାଏ ଖସିପଡ଼ୁଥିବା ତାରାକୁ ଧରିବ ବୋଲି । ସେ କହିଲା ତାକୁ ଶୀତ କରୁନାହିଁ । କହିଲା,—ଆମେ ଇଣ୍ଡିଆନ୍ ବୋଲି କଅଣ ୟାଙ୍କର ସ୍ୱାଧୀନତା ଉତ୍ସବ ପାଳିବୁ ନାହିଁ । ଆମେ ଆଗରୁ ଚାଲିଗଲେ ଏମାନେ ସବୁ କଣ ଭାବିବେ ?

 

‘‘ଆମର ମଧ୍ୟ ଇଚ୍ଛାଥିଲା ଯେ ଆତସବାଜୀର ଶେଷ ଅଂଶଟିକୁ ଦେଖିଲେ ଭଲ ହୁଅନ୍ତା-। ସରିଲାବେଳକୁ କୁଆଡ଼େ ଅସଂଖ୍ୟ ରଙ୍ଗବେରଙ୍ଗ ଆଲୁଅ ପାଗଳ ହୋଇଉଠେ, ଶବ୍ଦ ଓ ବର୍ଣ୍ଣର କୁହାଟରେ ଦିଗବିଦିଗ ଭରିଯାଏ । ତଳେ ଥିବା ଲୋକ ଜଳ ଜଳ ହୋଇ ଦିଶିଯାନ୍ତି, ଆନନ୍ଦ-ଆଶ୍ଚର୍ଯ୍ୟର ବିଭିନ୍ନ ଧ୍ଵନି ଆକାଶକୁ ଗତି କରେ ।

 

‘‘ସେ ବେଳ ଆସିବା ଆଗରୁ ଗୋଟିଏ ଶକ୍ତିଶାଳୀ ବାଣର ଆଲୁଅ ଝଲକ ହଠାତ୍ ଆମ ଉପରେ ପଡ଼ିଲା ଓ ମୁଁ ଦେଖିଲି ଆମ ପାଖରେ, ଅତି ପାଖରେ ଗୋଟିଏ ନାଲିଆ ସ୍ଵେଟର୍ ଓ ଗୋଟିଏ ହଳଦିଆ ସ୍ଵେଟର୍ ଛନ୍ଦାଛନ୍ଦି ହୋଇଛନ୍ତି । ସେମାନେ ନିବିଡ଼ ଚୁମ୍ବନରେ ଲିପ୍ତ, ସନ୍ଦେହ ନାହିଁ । ମୁଁ ତାଙ୍କୁ ଦେଖିଲି ଓ ତା’ପରେ ରାଗିଣୀ ଆଡ଼କୁ ଅନାଇଲି । ମୋ ମନରେ କେବଳ ଗୋଟିଏ ଭାବ ଆସିଲା, ଗୋଟିଏ ଆଶଙ୍କା ଓ ପ୍ରାର୍ଥନା,—ରାଗିଣୀ ଏ ଦୃଶ୍ୟ ନ ଦେଖୁ ।

 

‘‘ବାଣଫୁଟାର ଶେଷ ପର୍ଯ୍ୟାୟ ଆସିଲା । ସେତେବେଳେ ରାଗିଣୀର ଆନନ୍ଦ, ତା’ର ବିହ୍ୱଳତା ଦେଖିବାର କଥା । ସେ କେବଳ ନିଜେ ଖୁସି ହେଉ ନଥାଏ, ଆମକୁ ଅମୁକ ରଙ୍ଗର ଫୁଲ, ଅମୁକ ମୁକ୍ତାମାଳା, ରକେଟ୍ ଦେଖାଇ ଖୁସି ହେବାକୁ କହୁଥାଏ । ଶେଷକୁ ସେ ସ୍ଥିର ହୋଇ ବସି ପାରିଲା ନାହିଁ । ଛିଡ଼ା ହୋଇ ପଡ଼ି ନାଚିଲା ପରି ହେଲା ।

 

‘‘ଆଲୁଅ-ଉତ୍ସବ ସରିଲା । ଆମେ ଗହଳି ଭିତରେ ଆଗେଇଲୁ କାର୍ ପାଖକୁ । ରାଗିଣୀ କହିଲା ଯେ ଏପରି ଦୃଶ୍ୟ ସେ ତା’ର ଦୀର୍ଘ ଜୀବନରେ କେବେହେଲେ ଦେଖି ନଥିଲା ।

 

‘‘ଫେରିଲା ବେଳକୁ ଭିଡ଼ରେ କାର୍ ଚଳାଇ ହେଉ ନଥାଏ । ମନେ ହେଉଥାଏ ଯେ ଆଜି ସାରା ୱାଶିଙ୍ଗଟନ୍‍ର ଲୋକ ବାଣଫୁଟା ଦେଖିବାକୁ ଆସିଥିଲେ । ଗୋଟାଏ ଜାଗାରେ ଟ୍ରାଫିକ୍-ଆଲୁଅ ଦୁଇ ତିନି ଥର ଶାଗୁଆ ହୋଇଗଲା, କିନ୍ତୁ ଆମ କାର୍ ବିଶେଷ ଆଗେଇ ପାରିଲା ନାହିଁ । ପୁଣି ଥରେ ଆଲୁଅ ବଦଳିଲାରୁ ମୁଁ ଦେଖିଲି ଯେ ପାଖ ଲେନ୍‍ର କାର୍ ଚାଲିଛି, କିନ୍ତୁ ଆମ ଲେନ୍‍ର କାର୍-ଧାଡ଼ି ଚଙ୍କୁ ନାହିଁ ? କଣ ହେଲା ? ପଛରୁ ଅବିରାମ ହର୍ଣ୍ଣର ପେଁ ପେଁ । କିଏ ଭୁଲ୍ କଲା ?

 

‘‘ଭୁଲ୍ ଖୋଜିବାରେ ବେଶି ଡେରି ହେଲା ନାହିଁ । ଦେଖାଗଲା ଯେ ଆମରି ଆଗରେ ଥିବା କାର୍‍ର ଯୁବକ ଡ୍ରାଇଭର୍‍ ଓ ତା’ର ସଙ୍ଗିନୀ ଚୁମ୍ବନରେ ଆବଦ୍ଧ । ପଛ କାର୍‍ର ହର୍ଣ୍ଣ ତାଙ୍କୁ ଶୁଭୁ ନାହିଁ, ରାସ୍ତାରେ ଗାଡ଼ି ଚଳାଉଛନ୍ତି ଏ ଧାରଣା ମଧ୍ୟ ବୋଧହୁଏ ନାହିଁ ।

 

‘‘ମୋର ମନେ ଅଛି ଆପଣ ଖୁବ୍ ଜୋରରେ ହର୍ଣ୍ଣ ଦେଲେ, ‘‘ସେ ମୋ ଆଡ଼କୁ ଅନାଇ କହିଲେ, ‘‘ତା’ଛଡ଼ା ଆପଣ ବଛା ବଛା ଶବ୍ଦରେ ଗାଳି ଦେଲେ, ଖୁସି ହେବାତ ଦୂରର କଥା ।

 

‘‘ସେ ଥିଲା କାର୍ ନମ୍ବର ଉଆନ୍ । ଯଥାକ୍ରମେ ସେମାନେ ଚେଇଁ ଉଠିଲେ ଓ ଆଗେଇଲେ । କିନ୍ତୁ କିଛି ସମୟ ପରେ କାର୍ ନମ୍ବର ଟୁ ବାଁ ଲେନ୍‍ରୁ ଆସି ଆମ ବାଟ ଓଗାଳିଲା । ସେ କାର୍‍ଟି ଚାଲୁଥାଏ, ତେବେ କିଏ ଚଲାଉ ଥାଏ ବୁଝି ହେଉନଥାଏ,—ଡ୍ରାଇଭର୍ ସିଟରେ ବସିଥିବା ଚାଳକ ନା ଷ୍ଟିଅରିଂ ହୁଇଲ୍ ଉପରେ ଅଜାଡ଼ି ହୋଇ ପଡ଼ିଥିବା ବାଳିକା । ବାଳିକାର କେଶରାଶି ଚୁମ୍ବିତ ହେଉଛି, ଓ କାର୍ କୁଆଡ଼େ ଯିବ ବୋଲି ବାଟ ପାଉନାହିଁ, ଗୋଟିଏ ଲେନ୍‍ରୁ ଅନ୍ୟ ଲେନ୍‍କୁ ଯାଇ ଫେରି ଆସୁଛି ।

 

ଶ୍ରୋତାଦଳ ଚୁମ୍ବନର ଏହିରୂପ ବର୍ଣ୍ଣନା ଶୁଣି ହସୁଥିଲେ । ଏତେ ବେଳକୁ କଥାଟା ଜମିଲା । ହୁଏତ ସେମାନେ ଏପରି ଦୃଶ୍ୟ କେତେ ଦେଖିଥିବେ, କିନ୍ତୁ ରମଣୀବାବୁଙ୍କ ମୁହଁରୁ ତା’ର ବର୍ଣ୍ଣନା ଶୁଣିବାକୁ ଭଲ ଲାଗୁଥାଏ, ଖୋଦ୍ ବୁଢ଼ୀମା ପାଖରୁ ଅସୁରୁଣୀ ଗପ ଶୁଣିଲା ପରି ।

 

ତେଣୁ ରମଣୀବାବୁଙ୍କ ପରବର୍ତ୍ତୀ ମନ୍ତବ୍ୟ ପାଇଁ କେହି ପ୍ରସ୍ତୁତ ନ ଥିଲେ । ସେ କହିଲେ, ମୁଁ ଭାବିଲି ସେମାନେ ଆକ୍‍ସିଡେଣ୍ଟ୍‍ କରିବେ । କରନ୍ତୁ, ମରନ୍ତୁ ମୋର କିଛି ଯାଏ ଆସେ ନାହିଁ । କିନ୍ତୁ ମୁଁ ତାଙ୍କ ଉପରେ ରାଗିଲି ରାଗିଣୀ ପାଇଁ । ସେ ଏ ସବୁ ଦୃଶ୍ୟ ଦେଖୁଥିଲା, ସନ୍ଦେହ ନାହିଁ । ହଠାତ୍ ତା’ର କଥାବାର୍ତ୍ତାର ସ୍ରୋତ ଥମି ଗଲା । ସେ କେବଳ ମଝିରେ ମଝିରେ କହୁଥାଏ,—କେତେବେଳେ ଘରେ ପହୁଞ୍ଚିବା ? କେତେ ଟାଇମ୍ ହେଲାଣି ?

 

‘‘ମୋର ରାଗ ଆସିଲା । କାହିଁକିନା ମୁଁ ଭାବିଲି ଯେ ରାଗିଣୀ ପ୍ରତି ଅନ୍ୟାୟ କରାଯାଉଛି-। ସେ ଆଉ ଟିକିଏ ବଡ଼ ହୋଇଥିଲେ ହୁଏତ ଲାଜେଇ ଯାଇ ଥାଆନ୍ତା, ହେଲେ ମନେ ମନେ ଖୁସି ହେଉଥାଆନ୍ତା । କିନ୍ତୁ ଦଶ ବାରବର୍ଷିଆ ଅଗଠିତ ପ୍ରବଣ ମନରେ ସ୍ୱାଧୀନତାର ପତାକା ଉଡ଼ୁ, ବାଣର ରଙ୍ଗ ଆଲୁଅ ଝରୁ,—ଏ ଚୁମ୍ବନର କୁତ୍ସିତତା କାହିଁକି ?

 

‘‘କଣ କହିଲି ? ଚୁମ୍ବନ କୁତ୍ସିତ ? ହଁ, ସେ ଦିନର ପରିବେଶରେ ମୋତେ ତାହା କୁତ୍ସିତ ଲାଗିଲା । ରମଣୀୟ ପ୍ରଭାତରେ ଜନ୍ତୁର ସେକ୍‍ସ ପରି, ଦେବୀପୂଜାର ମଣ୍ଡପରେ ସିନେମା ଗୀତ ବାଜିଲା ପରି, ପ୍ରଣୟ ରଚନା ବେଳେ ପଲିଟିକ୍‍ସ୍‍ ଗପ ପରି । ଅସଙ୍ଗତି ନୁହେଁ, ଅଶ୍ଳୀଳତା । ରାଗିଣୀର ସ୍ୱଚ୍ଛ ମନରେ ଅଶ୍ଳୀଳତାର ଛାଇ ।

 

‘‘ମୁଁ ପୁରୁଣାକାଳିଆ ନୁହେଁ । ମୁଁ ଜାଣେ ଏହି ସବୁ ଦୃଶ୍ୟର ସଂଘାତ ପାଇ ପିଲା ବଡ଼ ହୁଏ, ନ ହେଲେ ସେ ଅପରିପକ୍ୱ ରହିଯାଆନ୍ତା । ସେ ଦେଖେ ରାସ୍ତାର କୁକୁର ମୋଟର ଧକ୍‍କା ଖାଇ ମରୁଛି, ତା’କୁ କେହି ପଚାରୁନାହାନ୍ତି । ସେ ଦେଖେ ବାପ ମାଆ ମିଛ କହୁଛନ୍ତି । ସେମିତି ସେ ଦେଖିଲା ବଡ଼ମଣିଷମାନେ ରାସ୍ତା ଉପରେ ଏମିତି ବେଢ଼ଙ୍ଗ ହେଉଛନ୍ତି, ଦେହରେ ଦେହ ମିଶାଉଛନ୍ତି । ସେକ୍‍ସ୍‍ର କ୍ଷୀଣ ରୂପ ତା’ ମନରେ ଜାଗିଲା,—କ୍ଷତି କଅଣ ?

 

‘‘କିଛି କ୍ଷତି ନାହିଁ । କିନ୍ତୁ ମୁଁ ଭାବିଲି ଯେ ଆଜି ରାତିରେ ତା’ ମନରେ, ସ୍ୱପ୍ନରେ ଏହି ଛବି ଆସିବ । ସେ ଦେଖିବ ସ୍ୱାଧୀନତା ଉତ୍ସବର ଚକ୍ ଚକ୍ ଗାଲିଚା ଉପରେ ବୁଢ଼ିଆଣୀପୋକ ସବୁ ଚାଲୁଛନ୍ତି, ଗୋଡ଼ ଲମ୍ବାଇଛନ୍ତି । ମୋତେ ଭଲଲାଗିଲା ନାହିଁ ।’’

 

ଜଣେ ବହୁକୁଟୁମ୍ୱୀ ଶ୍ରୋତା ମନ୍ତବ୍ୟ ଦେଲେ, ‘‘ଠିକ୍ କହୁଛନ୍ତି । ଆଜିକାଲି ଏ ଯେଉଁ ଗୋଟାଏ ଫ୍ୟାଶନ୍ ବାହାରିଛି ଯେ ପିଲାମାନେ ସେକ୍‍ସ ବିଷୟ ଜାଣିବା କଥା—

 

‘‘ନା ନା, ମୁଁ ସେ କଥା କହୁନାହିଁ—’’ରମଣୀବାବୁ ପ୍ରତିବାଦ ଜଣାଇଲେ, କିନ୍ତୁ ନିଜକୁ ବୁଝାଇ ପାରିଲେ ନାହିଁ ।

 

ମୁଁ ବର୍ଷକ ତଳର ଜୁଲାଇ ଚାରି କଥା ମନେ ପକାଇଲି । ଘଟଣା ସତ ବୋଲି ଲାଗୁଛି । କିନ୍ତୁ ରାଗିଣୀ କଣ ଭାବୁଥିଲା, ନ ଭାବୁଥିଲା କିଏ କହିବ ? ମୋର ଇଚ୍ଛା ହେଲା ପଚାରିବି—ରାଗିଣୀ ମୋ ଝିଅ, ମୁଁ ଯେତେବେଳେ ତା’ ମନକଥା ଜାଣି ପାରୁ ନାହିଁ, ଆପଣ କେଉଁ ସାହସରେ…-? ତା’ପରେ ଭାବିଲି ଯେ ଲାଭ ନାହିଁ, ରମଣୀବାବୁଙ୍କ ପରି ଲୋକଙ୍କ ପାଇଁ କଳ୍ପନା ହିଁ ଦର୍ଶନ,–ସତ କଥାର ଦର୍ପଣ ଓ ଆଧାର ।

 

‘‘ଆଉ ଗୋଟିଏ ଅସୁନ୍ଦର ଦୃଶ୍ୟ ମନେ ପଡ଼ୁଛି’’, ରମଣୀବାବୁ କହିଲେ, ‘‘ଆପଣମାନେ ନିୟୁୟର୍କର୍ ସେଣ୍ଟ୍ରାଲ ପାର୍କ ଦେଖିଥିବେ । ଦକ୍ଷିଣ ମୁଣ୍ଡରେ ପୋଖରୀ ଓ ଲେକ୍ ମଝିରେ ଗୋଟିଏ କାରୁସେଲ୍ (Carousel) ଅଛି, ଦେଖିଛନ୍ତି ? ଯେଉଁଠି ପିଲାମାନେ କାଠର ଘୋଡ଼ା ହାତୀ ଉପରେ ବସି ଘୂରି ବୁଲନ୍ତି, ଗୀତବାଜା ତା’ ସାଙ୍ଗରେ ତାଳ ଦିଏ । ମୁଁ ଜଣେ ବନ୍ଧୁଙ୍କ ପିଲାମାନଙ୍କ ସହିତ ସେଠିକୁ ଥରେ ଯାଇଥିଲି-। ପିଲାମାନେ ନିହାତି ଛୋଟ, ବଡ଼ଟିର ବୟସ ୮/୯ ବର୍ଷ ହେବ-। ପିଲାମାନେ ଯଥେଷ୍ଟ ଘୂରିସାରିଲା ପରେ ମୁଁ ତାଙ୍କୁ ପାଖ ଦୋକାନରୁ ପପ୍‍କର୍ଣ୍ଣ ଓ କୋକା-କୋଲା କିଣାଇ ଦେଉଛି, ଏହି ସମୟରେ ଦେଖିଲି ଯେ ଆମ ପାଖରେ ଯୋଡ଼ିଏ ପୁରୁଷ-ସ୍ତ୍ରୀ ପାଖାପାଖି ଶୋଇଛନ୍ତି, ଓ ଚୁମ୍ବନ ରତ ।

 

‘‘ପଥୁରିଆ ଭୂଇଁ, ଛାଇ ନାହିଁ ସେଠି, ଚାରିଆଡ଼େ ଲୋକ ହାଉଯାଉ ହେଉଛନ୍ତି, ସେମାନେ ବୁଢ଼ାବୁଢ଼ୀ !

 

‘‘ମୋ ସାଙ୍ଗରେ ପିଲାମାନେ ଥିଲେ ବୋଲି କହୁନାହିଁ । ସେମାନେ ନ ଥିଲେ ମଧ୍ୟ ମୋର ଇଚ୍ଛା ହୋଇ ଥାଆନ୍ତା ଆଖି ଘୋଡ଼ାଇ ଦେବାକୁ କିମ୍ବା ତାଙ୍କ ଉପରେ ଟେକା ପକାଇବାକୁ । ମୋର ବକ୍ତବ୍ୟ ନୁହେଁ ଯେ ସେମାନେ ବୁଢ଼ାବୁଢ଼ୀ ହେଲେଣି ବୋଲି ତାଙ୍କର ପ୍ରେମ କରିବାର ଅଧିକାର ନାହିଁ । ଅଛି, ଶହେବାର ଅଛି । କିନ୍ତୁ ତାଙ୍କର ସର୍ବସମ୍ମୁଖରେ ଦେହର ଲୀଳା ଦେଖାଇବା କଥା ନୁହେଁ । ଯେପରିକି ଜଣେ ପୃଥୁଳା ବୟସ୍କା ସ୍ତ୍ରୀର ରଙ୍ଗମଞ୍ଚରେ ନାଚିବା ଉଚିତ୍‍ ନୁହେଁ ।

 

‘‘ସେ ପୁରୁଷ ଜଣକ ଖିଅର ହୋଇ ନଥାଏ, ପରିଧେୟ ଅତି ସାଧାରଣ, ଓହଳିଲା ପରି-। ସ୍ତ୍ରୀଲୋକର ମୁଣ୍ଡବାଳ କହରା, ଟାଉଁସିଆ, ହେୟାର-ଡ୍ରେସର୍ ସହିତ ସଂପର୍କ ନ ଥିଲାପରି ଦିଶୁଥାଏ । ହୁଏତ ସେମାନଙ୍କ ଚାହାଣିରେ ଜ୍ୟୋତି ଥିବ, ହୃଦୟରେ ପ୍ରେମ ଥିବ । କିନ୍ତୁ ତାଙ୍କର ଚୁମ୍ବନ ଅସୁନ୍ଦର, ଅନ୍ୟମାନଙ୍କୁ ଦେଖାଇବାର ନୁହେଁ—ଏ କଥା ସେମାନେ କାହିଁକି ବୁଝୁନାହାନ୍ତି ?’’

 

ତା’ପରେ ସେ ମନ୍ତବ୍ୟ ଦେଲେ, ‘‘ସୌନ୍ଦର୍ଯ୍ୟ ଯୌବନକୁ ଛାଡ଼ି ରହି ପାରିବ ନାହିଁ । ଶୁଖିଲା ଫୁଲର ବ୍ୟକ୍ତିତ୍ୱ ଅଛି, କିନ୍ତୁ ତା’ର ବଞ୍ଚିବା ଗୁଣ ସରିଆସୁଛି,—ଏ କଥା ଅସ୍ୱୀକାର କରିହେବ ନାହିଁ । ତେଣୁ ସେ ଦେହଦିଆ ରମ୍ୟରଚନା କରିବାର ଦୁଃସାହସ ନ କରୁ । କାରଣ ତା’କୁ ଦେଖି ଅନ୍ୟମାନେ କଷ୍ଟ ପାଇବେ, ସଜଫୁଟା ଫୁଲ ଭଅଁର ସାଙ୍ଗରେ ମନଖୁସିରେ ଖେଳି ପାରିବ ନାହିଁ, ଭାବିବ ଯେ ପ୍ରେମକରିବା ଏତେ ଅସନା ଦେଖାଯାଏ !

 

‘‘ସେମାନେ କେବଳ କ୍ଷଣକ ପାଇଁ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ସେମିତି କରୁ ନଥିଲେ । କରିଚାଲିଥିଲେ,—ଫଟା ରେକର୍ଡ଼ର ଘୋଷା ପରି । ପାଖରେ କେଉଁ ଗୋଟାଏ ଦୋକାନର ମାର୍କାମରା କାଗଜ ବ୍ୟାଗ୍ ପଡ଼ିରହିଥିଲା । ସେ ମଧ୍ୟ ତାଙ୍କରି ପରି ପୁରୁଣା ।’’

 

ରମଣୀବାବୁ ନିଷ୍ଠୁର । ତାଙ୍କର ସୌନ୍ଦର୍ଯ୍ୟବୋଧ ନିକୃଷ୍ଟ ଧରଣର । ନିଜେ ଦରବୁଢ଼ା ହେଲେଣି,—ତାଙ୍କର ଏ ସୁନ୍ଦରପଣ ଆଉ କେତେଦିନ ରହିବ ? ଏହି ମର୍ମରେ ମୁଁ ତାଙ୍କୁ ମନେ ମନେ ଗାଳି ଦେଲି । କିନ୍ତୁ ତା’ ସହିତ ମନରେ ଆସିଲା ଯେ ସେ ବୋଧହୁଏ କେବେହେଲେ ବୁଢ଼ା ହେବେ ନାହିଁ ।

 

ରମଣୀବାବୁ ଜ୍ୟୋତିର୍ମୟ ଦିଶୁଥାଆନ୍ତି । ରାତି ଡେରି ପାନୀୟର ଆଧିକ୍ୟ କିମ୍ବା ବକ୍ତୃତାର ଶ୍ରମ ତାଙ୍କୁ ଛୁଇଁଲା ପରି ଲାଗୁ ନଥାଏ । ଯେପରିକି ସେ ତାଙ୍କ କଥା କହିବାର ସାର୍ଥକତା ପାଉଛନ୍ତି; ଆମମାନଙ୍କୁ ଭାବ ଯୋଗାଇବାର ଆନନ୍ଦ ପାଉଛନ୍ତି ।

 

ଆତ୍ମ-ସନ୍ତୋଷର ପ୍ରଶସ୍ତ ପ୍ରସନ୍ନତା ନେଇ ସେ କହିଲେ, ‘‘ମୁଁ ବର୍ତ୍ତମାନ ରିଓ କଥା କହୁଛି ।

 

‘‘ବ୍ରାଜିଲ୍ ତଥା ଦକ୍ଷିଣ ଆମେରିକାର ମଉଡ଼ମଣି,—ରିଓ-ଡି-ଜେନେରୋ । ବ୍ରାଜିଲ୍‍ର ରାଜଧାନୀ ବ୍ରାଜିଲିଆକୁ ଘୁଞ୍ଚିଗଲାଣି, କିନ୍ତୁ ରିଓର ପ୍ରତିପତ୍ତି ଅକ୍ଷୁଣ୍ଣ ଅଛି । କାରଣ ସାଗର, ଉପସାଗର, ହ୍ରଦ, ପାହାଡ଼ ପର୍ବତର ଶୋଭା ତା’ଠାରୁ କେହି ଛଡ଼ାଇ ପାରିବ ନାହିଁ । ‘‘କର୍କୋଭାଦୋ’’ ପାହାଡ଼ ଉପରେ ଯିଶୁଖ୍ରୀଷ୍ଟ ବାହୁଶାଖା ମେଲାଇ ଅଛନ୍ତି, କେବଳ ତାହାରି ମଙ୍ଗଳ ପାଇଁ । ଦରଦାମ ହୁ ହୁ କରି ବଢ଼ୁଛି, କିନ୍ତୁ ତା’ ସାଙ୍ଗରେ ହୀରାନୀଳାର କାରବାର ବଢ଼ୁଛି, କୋଠାବାଡ଼ିର ଆକାର ପ୍ରକାର ବଢ଼ି ଚାଲିଛି, ଆମେରିକାନ୍ ଟୁରିଷ୍ଟ୍‍ମାନେ ‘‘କୋପାକାବାନା’’ ବିଚ୍‍ରେ ଗୋଡ଼ାଗୋଡ଼ି ଖେଳ ଖେଳୁଛନ୍ତି । କାରିଓକା,—ରିଓର ଅଧିବାସୀମାନଙ୍କର ଡାକନାମ,—ଖୁସି ଅଛି । ମନେହୁଏ ଯେ ପୃଥିବୀ ଧ୍ୱଂସ ହୋଇଗଲେ ମଧ୍ୟ ସେ ଖୁସି ରହିବ, କାହିଁକି ନା ସେ କାରିଓକା ।

 

‘‘ରିଓର ଆନନ୍ଦ ମୋ ମନକୁ ଛୁଇଁଥିଲା । କିନ୍ତୁ ଗୋଟିଏ ସକାଳ ସଞ୍ଜକୁ ଆସିବା ଯାଏଁ ମୋର ଉଦାସୀନ ଭାବ ଆସିଲା । ମୋର ମନେହେଲା ଯେ ସେମାନଙ୍କର ଏତେ ଖୁସି ହେବା ଉଚିତ୍‍ ନୁହେଁ । ଅଯଥା ବର୍ଷାରେ ଫୁଟ୍‍ବଲ୍‍ ଖେଳିବାରେ କିଛି ଅର୍ଥ ନାହିଁ, ନାଇଟକ୍ଳବରେ ରାତିଅଧକୁ ନାଚଗୀତ ଆରମ୍ଭ କରିବା ଗୋଟାଏ ବାଚାଳତା, ପାହାଡ଼ ଉପରେ ଧାଡ଼ି ବାନ୍ଧିଥିବା ‘‘ଫାଭେଲା’’,—ନିଗ୍ରୋ ମୂଲିଆର କୁଡ଼ିଆଘର—ସେମାନଙ୍କ ଆଖିରେ ପଡ଼ିବା ଉଚିତ୍‍, ସ୍ତ୍ରୀଲୋକମାନଙ୍କର ଏତେ ବହଳିଆ ଲିପ୍‍ଷ୍ଟିକ୍ ଲଗାଇ, ଉତ୍କଟ ଅତର ମାଖି ବୁଲିବା ଗୌଣତାର ପରିଚୟ ଦିଏ, ଇତ୍ୟାଦି । ମୋଟ ଉପରେ ତାଙ୍କ ଆନନ୍ଦର ଅତିଶୟଭାବ ମୋତେ ବାଧିଲା । ସଭ୍ୟ ମଣିଷର ଏମିତି ହାତ ଗୋଡ଼ ବାଡ଼େଇ ଖୁସି ହେବା ଭଲ ଦେଖାଯାଏ ନାହିଁ ।

 

‘‘ତେଣୁ ସଞ୍ଜ ବୁଡ଼ିଲା ପରେ ପରେ ମୁଁ ଯେତେବେଳେ ‘‘ଗ୍ଲୋରିଆ’’ ହୋଟେଲ୍‍ରୁ ବାହାରି ଅଳସଭ୍ରମଣ କରିବାକୁ ଗଲି, ସେତେବେଳେ ମୋ ମନରେ ଭାରୀପଣ ଥିଲା । ମୋତେ ଲାଗୁଥିଲା ଯେ ମୁଁ ଏମାନଙ୍କଠାରୁ ଅଲଗା, ଓ ଏହି ଭିନ୍ନତାରେ ମହତ୍ତ୍ୱ ଅଛି ।

 

‘‘ଫ୍ଲାମେଙ୍ଗୋ ବିଚ୍‍ର ଏକମୁଖୀ ରାସ୍ତାଗୁଡ଼ିକରେ କାର୍‍ସବୁ ଧାଉଁଥିଲେ । ନିର୍ଦ୍ଧାରିତ ବେଗ ଯେତେ ଥାଉ ନା କାହିଁକି ଏମାନେ ଘଣ୍ଟାକୁ ପଚାଶ ଷାଠିଏ ମାଇଲ୍‍ ବେଗରେ ଯାଆନ୍ତି, ନ ହେଲେ କୁଆଡ଼େ ରିଓର ନିଜତ୍ୱ ରହିବ ନାହିଁ । ଦୂର ପାହାଡ଼ର ‘ଫାଭେଲା’ରେ ବତିଆଲୁଅ ଜୁକୁ ଜୁକୁ କରୁଥାଏ । ଆଉ ଗୋଟିଏ ପାହାଡ଼ ଉପରେ ରିଓର ହୁଇସ୍କି, ମୋଟର୍‍ କାର୍‍, ପୋଷାକ ଇତ୍ୟାଦିର ବିଜ୍ଞାପନ ନିଅନ୍‍-ଲାଇଟ୍‍ରେ ଘୂରି ବୁଲୁଥାଏ । ଫ୍ଲାମୋଙ୍ଗେ ବେ’ ନିଛାଟିଆ, କେବଳ କେତୋଟି ମାଛଧରା ଡଙ୍ଗା ରାତି ପାଇଁ ମୁଣ୍ଡ ଗୁଞ୍ଜି ରହିଥାଆନ୍ତି । ପାଖ ଖେଳ ପଡ଼ିଆରେ ରାଜନୀତି କାଗଜ ଖଣ୍ଡ ଖଣ୍ଡ ହୋଇ ପଡ଼ିଥାଏ, ଜଣାଇ ଦେଉଥାଏ ଯେ ଦିନରେ ସଭା ହୋଇଥିଲା-। କେଉଁ ଗୋଟିଏ ପାର୍କ୍‍ର କାନ୍ଥରେ ବଡ଼ ନାଲି ଅକ୍ଷରର ପୋଷ୍ଟର ଆଖିରେ ପଡ଼ୁଥାଏ,–ଆଜିକାର ଶୋ’ ‘‘ବାରୋଟି ବିକିନି’’ ଦେଖିବାକୁ ଭୁଲ୍ ନାହିଁ, ନାଇଟ୍ କ୍ଳବ୍‍ର ନାଁ, ‘ଦିନ ଓ ରାତି’, ମହାତ୍ମାଗାନ୍ଧୀ ରୋଡ଼୍-

 

‘‘ଦିନର ଉଦ୍ୟମ ଓ ରାତିର ବିଶ୍ରାମ ମଝିରେ, ଶାନ୍ତ ବେଳାଭୂଇଁର ପାଖେପାଖେ ଏହି ଉଝଟ ଚଞ୍ଚଳତା, ବେଗ ଆଲୁଅ ଓ ବିଜ୍ଞାପନର କୋଳାହଳ ମୋତେ ବିରକ୍ତ ଲାଗିଲା । ମୋର ମନେହେଲା ଯେ ଏ ସ୍ଵର୍ଗର ଅପରପାଖ, ଏ ଆନନ୍ଦ ଗୋଟାଏ ମସ୍ତବଡ଼ ମିଛ ଓ ଭୁଲ୍‍ର ଆନନ୍ଦ । ଏଇୟାକୁ ବୋଧହୁଏ ପାପ କୁହନ୍ତି ।

 

‘‘ମୋତେ ଏକୁଟିଆ ଲାଗୁଥିଲା । ଆପଣମାନେ କହିପାରନ୍ତି ଯେ ସେହି ଆନନ୍ଦରେ ମୁଁ ନିଜକୁ ମିଶାଇ ପାରୁ ନଥିଲି, ସେହିଥିପାଇଁ ମୋର ଏପରି ବିକୃତ ମନୋଭାବ ଆସୁଥିଲା । ହୋଇଥିବ । କିନ୍ତୁ ସେତେବେଳେ ମୁଁ ଯଦି ଗୋଟିଏ ଚୁମ୍ବନର ଦୃଶ୍ୟ ଦେଖିଥାଆନ୍ତି, ମୁଁ ବୋଧହୁଏ ଚିହିଁକି ଉଠି ଥାଆନ୍ତି,—ଯେ ଏ ପାପର ଘୋଷଣା । ଓଠରେ ଓଠ ଲଗାଇବାର ଏହି ଭୋକିଲାପଣ, ଅକାରଣ ଏହି ଛନ୍ଦାଛନ୍ଦି ମଣିଷର ଧର୍ମ ନୁହେଁ,—ଜନ୍ତୁର କିମ୍ବା ସଇତାନ୍‍ର ।

 

‘‘ଦୁର୍ଭାଗ୍ୟ ! ମୁଁ ଗୋଟିଏ ଦୃଶ୍ୟ ଦେଖିଲି ନାହିଁ । ମୁଁ ଦେଖିଲି ସମବେତ ଦୃଶ୍ୟ, ଗଣ-ଚୁମ୍ବନ !!’’

 

ଶ୍ରୋତାମଣ୍ଡଳୀ ନିସ୍ତବ୍‍ଧ । ଉତ୍ସୁକତା ପରମୁହୂର୍ତ୍ତକୁ ଚାହିଁରହିଛି; ବର୍ତ୍ତମାନ ପ୍ରତିମୁହୂର୍ତ୍ତ ମୂଲ୍ୟବାନ ।

 

ରମଣୀବାବୁ ଯଥୋଚିତ ବିରାମ ପରେ କହିଲେ, ‘‘ଗୋଟିଏ ସାଧାରଣ ପାର୍କ । ଗଛପତ୍ର ସାମାନ୍ୟ, ଫୁଲ ନାହିଁ । ପାର୍କ ମଝିରେ ଗୋଟିଏ ମଳିନ ପଥରଘୋଡ଼ା ଓ ତା’ଉପରେ ଜଣେ ଇତିହାସର ଯୋଦ୍ଧା । ଯୋଦ୍ଧାର ଚାରିପାଖରେ ଓ ପାର୍କର ଚାରିଦିଗରେ ବହୁସଂଖ୍ୟକ କାଠର ବେଞ୍ଚ ଏବଂ ପ୍ରତି ବେଞ୍ଚରେ ଚୁମ୍ବନ ।

 

‘‘ଅନ୍ୟମନସ୍କ ହୋଇ ମୁଁ ସେହି ପାର୍କ ଭିତରେ ପଶି ଯାଇଥିଲି । ହଠାତ୍ ସେହି ଦୃଶ୍ୟ ଦେଖି ମୋର ମନେହେଲା ଯେ ମୋର ଅବଚେତନା ମୁଣ୍ଡ ଟେକି ମୋତେ ପାପର ନହର ଦେଖାଉଛି,—ଏହି ଦେଖ୍; ଗୋଟିଏ ନୁହେଁ, ଯୋଡ଼ିଏ ନୁହେଁ... ।

 

‘‘ତିରସ୍କାର ଓ ଘୃଣାର ଭାବ ପ୍ରବଳ ହୋଇଉଠିଲା । ଏ କଳ୍ପନା ନୁହେଁ, ସତ । ଅବଚେତନାର ଖେଳ ନୁହେଁ, ଚେତନାର ଅଭିନବ ଆବିଷ୍କାର । ରିଓରେ ଏମିତି ହୁଅନ୍ତି ।

 

‘‘ମୁଁ କଣ କରିବି ? କୁଆଡ଼େ ଯିବି ? ବେଞ୍ଚ୍ ଖାଲି ନାହିଁ । ପଥର ମୂର୍ତ୍ତିର ମଣ୍ଡପରେ ବସିବା ଜାଗା ଅଛି,—ସେଠି ବସି ପାରିବି ?

 

ଇଚ୍ଛା ହେଲା ଫେରିଯିବି । କିନ୍ତୁ ଭାବିଲି ଫେରିଯିବା ସମ୍ଭବ ନୁହେଁ । ନିଆଁର ଧାସ ଦେହରେ ବାଜୁଛି, ଜଳିବା କଷ୍ଟକୁ ଆଡ଼େଇ ଦେଇପାରିବି ନାହିଁ । ଚୋଟ ଖାଇବାକୁ ହେବ, ତା’ ପରେ ହୁଏତ ନିଜ ବାଟରେ ଚାଲି ଯିବି ।

 

‘‘ତେଣୁ ମୁଁ ମୋର ଅଦମ୍ୟ ରାଗ ଓ ବିରକ୍ତି ସହି ସେହି ଯୁଗଳ ମୂର୍ତ୍ତି ମାନଙ୍କୁ ଅନାଇଲି-। ପ୍ରାଣୀ ଚରିତ୍ର ମୋର ବୁଝିବା ଉଚିତ୍‍ ।

 

‘‘ଚୁମ୍ବନ ମୁଁ କଣ କେବେ ଆଗରୁ ଦେଖି ନ ଥିଲି ? ତେବେ ଏମିତି ନୂଆ ଦେଖିଲା ପରି ଲାଗୁଛି କାହିଁକି ? ଧୂସରବର୍ଣ୍ଣ ପୁଅଟିଏ ଗୌରବର୍ଣ୍ଣା ସଙ୍ଗିନୀକୁ ଗେହ୍ଲା କରୁଛି, ତା’ର ମୁଣ୍ଡବାଳକୁ ଆଉଁସୁଛି, କପୋଳରୁ ବାହୁଯାଏ ଚୁମା ଦେଉଛି । ଝିଅ ଆଖି ବୁଜୁଛି, ମୁହୂର୍ତ୍ତରେ ଜୀବନର ସବୁ ସୁଖ ପାଇଲା ପରି । ଆଉ ଗୋଟିଏ ବେଞ୍ଚରେ ଜଣେ ଘନ-ଶ୍ୟାମ ନିଗ୍ରୋ ତା’ର ପ୍ରଣୟିନୀ କୋଳରେ ଶୋଇଛି ଓ ଓଠରେ ଚୁମା ପାଉଛି । ପର ବେଞ୍ଚରେ ଗୌରବର୍ଣ୍ଣ ଦୁଇଜଣ ପରସ୍ପରକୁ ନିବିଡ଼ ଆଲିଙ୍ଗନ କରି କିଛିକ୍ଷଣ ପାଇଁ ଅଲଗା ହୋଇଯାଉଛନ୍ତି, ଅଧାଶୁଣା ସ୍ଵରରେ କଅଣ କୁହାକୁହି ହେଉଛନ୍ତି, ଓ ପୁଣି ଆଲିଙ୍ଗନ,—ମନ୍ତ୍ର ପରେ ସ୍ୱାହା ପରି । ତା’ ପାଖକୁ ଲାଗି ଅନ୍ୟ ଦୁଇଜଣ, ଝିଅ ତା’ ପୁରୁଷର ଛାତିରେ ଆଉଜି ଯାଇଛି, ହାତଟିକୁ ଦେଇଦେଇଛି ଆଉଁସିବା ପାଇଁ, ଓ ତା’ପରେ ନିଜେ ଉଠି ପଡ଼ି ସାଥୀର ମୁହଁକୁ ଧରି ଗେହ୍ଲା କରୁଛି । ପର ବେଞ୍ଚରେ— ।

 

‘‘ନା, ଆଉ ଦେଖିବି ନାହିଁ । କେତେ ଦେଖିବି ? ଗୋଟିଏ ନୁହେଁ, ଯୋଡ଼ିଏ ନୁହେଁ— ।

 

‘‘ମୋ ଚାରିପାଖରେ ଏ କଣ ହେଉଛି ? ସେମାନେ କଣ ମୋତେ ଦେଖୁନାହାନ୍ତି ? ପରସ୍ପରକୁ ଦେଖୁ ନାହାନ୍ତି ? ମୋର ମନେ ପଡ଼ିଲା ଜୁମ୍ମା ମସ୍‍ଜିଦରେ ପ୍ରାର୍ଥନାର ଦୃଶ୍ୟ । ହଜାର ହଜାର ଲୋକ ଏକାସାଙ୍ଗରେ ଭୂମିଷ୍ଠ ପ୍ରଣାମ କରୁଛନ୍ତି; କିନ୍ତୁ ଚେତନା ସମବେତ ନୁହେଁ, ଗୋଟିକିଆ । ପ୍ରତି ଲୋକ ତା’ ନିଜର ଭଗବାନ ସାଙ୍ଗରେ କଥାଭାଷା ହେଉଛି । ପ୍ରତି ଅଳି, ପ୍ରତି ବେଦନା, ପ୍ରତି ପୁଲକ ଅନ୍ୟଠାରୁ ଭିନ୍ନ । ସମସ୍ତେ ଏକାଠି ଅଛନ୍ତି, ପରସ୍ପରକୁ ଦେଖୁଛନ୍ତି, କିନ୍ତୁ ଜଣକର ନିଜକଥା ଆଉ କାହା ସାଙ୍ଗରେ ମିଶିଯାଉ ନାହିଁ, ଆଉ କାହାର ଭାବକୁ ଚହଲାଇ ଦେଉ ନାହିଁ ।

 

‘‘ଏ ବୋଧହୁଏ ସେହିପରି ଗୋଟିଏ ସଭା । ସେମାନେ ଭାବୁଛନ୍ତି ଏଥିରେ ଲାଜ କରିବାର କିଛି ନାହିଁ ।

 

‘‘ପ୍ରେମ ଓ ପ୍ରାର୍ଥନା ! ଧ୍ୟାତ୍ । ମୁଁ ସେହି ପ୍ରାଣୀମାନଙ୍କୁ ପୁଣି ଅନାଇଲି, ଜଣକରୁ ଆଉ ଜଣକୁ । ପୁଣି ଦେଖିଲି କେତେ ରକମର ଚୁମା, କେତେ ପ୍ରକାରର ଆଦର, ଯାଚନା ଆବେଦନ ଦାନ ଗ୍ରହଣର କେତେ ନୂଆ ରୂପ ।

 

‘‘ଦେଖି ରହିଲି । ଦେଖୁ ଦେଖୁ ମୋତେ ଲାଗିଲା ଯେ ମୁଁ ତାଙ୍କଠାରୁ କିଛି ପାଉଛି । ମୋତେ ଖରାପ ଲାଗୁ ନାହିଁ । ବରଂ ମୋତେ ଭଲ ଲାଗୁଛି, ସମ୍ପଦ ଲାଭର ଭାବ ଆସୁଛି । ପାପପୁଣ୍ୟ ଢଙ୍ଗ ବେଢ଼ଙ୍ଗର ବିଚାର ଭୁଲିଯାଇ ମୁଁ କେବଳ ଦେଖୁଛି— ।

 

‘‘—ଦେଖୁଛି ମୋ ଚାରିପାଖରେ ଏତେ ଫୁଲ ଫୁଟିଛି ! ଏତେ ଆଦର, ଏତେ ଗେହ୍ଲାର ରଙ୍ଗବେରଙ୍ଗ ଫୁଲ । ଏ ସବୁ ଲୁଚି ରହିଥାଆନ୍ତା କାହିଁକି ?

 

‘‘ଫୁଲର ରଙ୍ଗ ଓ ସୁବାସରେ ମୁଁ ବିଭୋର ହୋଇଗଲି । ଆଉ କିଛି ଭାବି ପାରିଲି ନାହିଁ-।’’

 

ରମଣୀବାବୁ ସମ୍ମୋହନର ଭାବ ପ୍ରକାଶ କଲେ । ମୁଁ ଭାବିଲି ଯେ ରିଓର ଅନୁପମ ଦୃଶ୍ୟ ଆଙ୍କିଲା ପରେ ତାଙ୍କ ସୃଷ୍ଟିର ପ୍ରବଣତା ବିଧ୍ଵସ୍ତ ଅଥବା ପରିପୂର୍ଣ୍ଣ ହୋଇ ସାରିଛି । ଏଥର ସେ ଆଉ କିଛି କହିପାରିବେ ନାହିଁ ।

 

କିନ୍ତୁ ସେ କହିଲେ । କର୍ତ୍ତବ୍ୟ ପୂରଣ କଲାପରି ନୂଆ କଥା ଆରମ୍ଭ କଲେ ।

 

‘‘ମୁଁ ସାନ୍‍ତିଆଗୋରେ କିଛି ଦିନ ଥିଲି । ସେଠି ଜଣେ ଭାରତୀୟ ଯୁବକ ମୋ ସାଙ୍ଗରେ ଜୁଟିଲେ । ତାଙ୍କ ମତରେ ଦକ୍ଷିଣ ଆମେରିକାରେ ଚୀଲି ହେଉଛି ସବୁଠାରୁ ସାର ଦେଶ । ଯଥା—ଚୀଲିରେ ଏମାନେ ବିଶୁଦ୍ଧ ସ୍ପାନିଶ୍ କହନ୍ତି, ଏମାନେ ସବୁଠାରୁ ଭଲ ଫୁଟ୍‍ବଲ ଖେଳନ୍ତି, ଏମାନେ ମଳି ମୁଣ୍ଡିଆ ହୋଇ ରାସ୍ତାକୁ ବାହାରନ୍ତି ନାହିଁ, ଏଠି ପ୍ରକୃତି ଓ ମଣିଷର ଉଚିତ୍‍ ସୌନ୍ଦର୍ଯ୍ୟ ଅଛି, କିନ୍ତୁ ଏମାନେ ଅନ୍ୟ ଲାଟିନ୍‍ମାନଙ୍କ ପରି ନିଜକୁ ଦେଖାଇହୁଅନ୍ତି ନାହିଁ, ଇତ୍ୟାଦି ।

 

‘‘ତାଙ୍କ କଥାରେ କିଛି ସତ୍ୟତା ଥିଲା । ସାନ୍‍ତିଆଗୋରେ ଆଣ୍ଡିଜ ପର୍ବତର ବରଫମଖା ସୌନ୍ଦର୍ଯ୍ୟ ଅଛି, ପାର୍କ ଉଦ୍ୟାନ ଆଦିର ଅଭାବ ନାହିଁ, ଓ ରାସ୍ତାରେ ବୁଲୁଥିବା ସବୁ ଲୋକମାନେ ଭଦ୍ରଲୋକ ବୋଲି ମନେ ହୁଅନ୍ତି । କିନ୍ତୁ ରିଓରୁ ଆସି ଗୋଟିଏ ପ୍ରଭେଦ ସର୍ବଦା ମୋ ଆଖିରେ ପଡ଼ୁଥିଲା,—ଯେ ଏମାନେ ଅତି ଭଦ୍ର । ଏମାନଙ୍କ ରାଜନୀତିରେ ଅନେକ ଦଳାଦଳି ଅଛି, ହେଲେ ଏମାନେ କେବଳ ପାଟିତୁଣ୍ଡ କରନ୍ତି, ମରାମରି ହୁଅନ୍ତି ନାହିଁ । ରାସ୍ତାରେ ଭଦ୍ରବେଶରେ ବୁଲିବା ଭଲ କଥା, କିନ୍ତୁ ବେଳେବେଳେ ମନ ଖୁସିରେ ସାର୍ଟର ବୋତାମ ଟିକିଏ ଖୋଲି ଦେବାକୁ କଣ ଇଚ୍ଛା ହୁଏ ନାହିଁ ? ସ୍ତ୍ରୀ ପୁରୁଷ ହାତରେ ହାତ ଦେଇ, ଅଣ୍ଟାରେ ହାତ ଗୁଡ଼ାଇ ବୁଲିବା ପାଶ୍ଚାତ୍ୟ ସଭ୍ୟତା;–କିନ୍ତୁ ସଭ୍ୟତାର ସୀମା କଣ କେବଳ ସେହି ଯାଏଁ ?

 

‘‘ଏହି ଦୃଷ୍ଟିରୁ ମୁଁ ମୋର ବନ୍ଧୁଙ୍କୁ କହିଲି ଯେ ସାନ୍‍ତିଆଗୋ ମୋତେ ଭାରି ଭଲ ଲାଗୁଛି, କିନ୍ତୁ ଏଠି ବାଲ୍ୟ ଓ ଯୌବନର ଜ୍ୟୋତି ଦେଖିଲି ନାହିଁ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ,–ମାନେ ? ଆପଣ ଦେଖିନାହାନ୍ତି ସାନ୍ତାଲୁସିଆ ପାର୍କରେ ପିଲାମାନେ କେମିତି ମଜାରେ ଖେଳୁଛନ୍ତି-? ମଉଜମଜଲିସ୍ ପାଇଁ ଏତେ ପାର୍କ, ରେସ୍ତୋରାଁ, ନାଇଟ କ୍ଲବ, ଏତେ ସିନେମା, କନସଟ୍ ହଲ... । ମୁଁ ତାଙ୍କୁ ବୁଝାଇ ପାରିଲି ନାହିଁ । କେମିତି କହିବି ଯେ ମୁଁ ଖୋଜୁଛି ବାଲ୍ୟ ଯୌବନର ଅସମ୍ଭାବିତ ଅଥଚ ନିଶ୍ଚିତ ରୂପ, ଯାହାକୁ ଦେଖିଲେ କହିହେବ,—ଯେତେହେଲେ ପିଲା-! ଯେତେହେଲେ ଟୋକାବେଳ !

 

‘‘ଦିନେ ଆମେ ପ୍ରଶାନ୍ତମହାସାଗର କୂଳରେ ଥିବା ଭିନିଆଦେଲମାର୍ ଦେଖିବାକୁ ଗଲୁ-। ଏ ଗୋଟିଏ ସୁପ୍ରସିଦ୍ଧ ସି-ରିସର୍ଟ (sea-resort), ଏହାର ଆକ୍ଷରିକ ଅର୍ଥ,—ସମୁଦ୍ରର ଦ୍ରାକ୍ଷାବନ-।’’

 

‘‘ସେଠି ସମୁଦ୍ରର ଶୋଭା ଦେଖି ମୁଁ ମୁଗ୍‍ଧ ହୋଇଗଲି । ସୁନୀଳ ଉତ୍ତୁଙ୍ଗ ଢେଉ କୂଳର ଅଂସଖ୍ୟ ପଥର ଓ ଛୋଟ ପାହାଡ଼ରେ ବାଡ଼େଇ ହେଉଥାଏ । ସେହି ଆଘାତ ଆଣି ଦେଉଥାଏ ଧଳା ଫେଣର ବିସ୍ତାର ଓ ଧଳା ସମୁଦ୍ର ଚଢ଼େଇଙ୍କ ମେଳା । ତା’ଛଡ଼ା ଶୀତ ସମୁଦ୍ର ସ୍ରୋତ ହମ୍‍ବୋଲ୍‍ଟ କରେଣ୍ଟ (Humboldt Current) ଏହି ବାଟ ଦେଇ ଯାଇଛି ବୋଲି ପାଣି ପବନରେ ଶୀତ ଭାବ ପୂରି ରହିଥାଏ । ମନେ ହେଉଥାଏ ଯେ ସମୁଦ୍ରର ଘନୀଭୂତ ନୀଳିମା, ତା’ର ଗଭୀରପଣ ଏହି ଶୀତର ସଞ୍ଚାର ଆଣୁଛି । ଏହିପରି ପରିବେଶରେ ନିବିଡ଼ ଅନୁଭୂତି ଗଢ଼ି ଉଠେ ।

 

‘‘ଆମେ ସମୁଦ୍ର କୂଳରେ କିଛି ସମୟ ବୁଲି ସାରିଲା ପରେ ଗୋଟିଏ ଉଚ୍ଚ ଧରଣର ବିଚ୍ ରେସ୍ତୋରାଁକୁ ଗଲୁ । ଦେଖିଲୁ ସୁସଜ୍ଜିତ ପୁରୁଷ ସ୍ତ୍ରୀ ଜମା ହୋଇଛନ୍ତି, ବାଜା ବାଜୁଛି । ବନ୍ଧୁ କହିଲେ’ ଏ ହେଉଛି ଲଞ୍ଚ୍‍ ଉପଭୋଗର ଉପଯୁକ୍ତ ସ୍ଥାନ ।’’

 

‘‘ରେସ୍ତୋରାଁରେ ବସ ଲାଙ୍ଗୋସ୍ତିନୋ ନାମକ ବଡ଼ ଚିଙ୍ଗୁଡ଼ି ସାଙ୍ଗରେ ଚୀଲିର ନିଜସ୍ଵ ଖଟା ହୁଇସ୍କି୍‍—ପିସ୍‍କୋ ସାୱାର—ଖାଇଲା ବେଳେ ମୋର ମନକୁ ଆସିଲା ଯେ ଏଠି ଏତେ ଲୋକ, ଏତେ ଆନନ୍ଦ କୋଳାହଳ, କିନ୍ତୁ ସମୁଦ୍ରକୂଳରେ ତ ଲୋକବାକ ଦେଖିଲି ନାହିଁ ।

 

‘‘କିଛି ସମୟ ପରେ ରେସ୍ତୋରାଁରେ ଗୋଟିଏ ନାଚ ଦେଖିବାକୁ ମିଳିଲା । ତା’ ନାଁ ‘କୁଏକା’—ଆକ୍ଷରିକ ଅର୍ଥ କୁକୁଡ଼ା ନାଚ । ଏ ମଧ୍ୟ ଚୀଲିର ନିଜ ସଂପଦ । ଏଥିରେ ଜଣେ ପୁଅ ଓ ଜଣେ ଝିଅ ରୁମାଲଧରି ନାଚନ୍ତି, ନାଚର ଇଙ୍ଗିତ ହେଉଛି ପୁରୁଷର ପ୍ରଣୟ ଯାଚନା ଓ ନାରୀର ଛଇଳି ପଣ । ଦର୍ଶକବୃନ୍ଦ ତାଳି ମାରୁଥିଲେ, ବାଜା ସାଙ୍ଗରେ ତାଳ ଦେଉଥିଲେ । ଲୋକନୃତ୍ୟଟିକୁ ସମସ୍ତେ ବେଶ୍ ଉପଭୋଗ କଲା ପରି ମନେ ହେଉଥିଲା ।

 

‘‘ମୋତେ କିନ୍ତୁ ଏ ବରାଦଦିଆ ଲୋକନୃତ୍ୟ ଭଲଲାଗିଲା ନାହିଁ । ମୁଁ ବନ୍ଧୁଙ୍କୁ କହିଲି,—ସମୁଦ୍ର କୂଳକୁ ଯିବା । ମୋର ଇଚ୍ଛା ଥିଲା ଅନ୍ଧାର ହେବା ଆଗରୁ ଆଉ କିଛି ସମୟ ସେହି ଶୀତ-ନୀଳ ଢେଉମାନଙ୍କ ପରାକ୍ରମ ଦେଖିବି, ଭାବନା ବିଳାସରେ ମଗ୍ନ ହୋଇଯିବି ।

 

‘‘ବନ୍ଧୁ ରାଜି ହେଲେ ଓ ହଠାତ୍ କିହଲେ,—ଆପଣ ଗୋଟାଏ ବିଚ୍ ଦେଖିନାହାନ୍ତି, ମୁଁ ମଧ୍ୟ ଦେଖିନାହିଁ । ତା’ ନାଁ ହେଉଛି ଲଭର୍‍ସ ବିଚ୍, ଖାସ୍ ପ୍ରେମିକମାନଙ୍କ ପାଇଁ । ଚାଲନ୍ତୁ ସେ ଆଡ଼େ ଯିବା ।

 

‘‘ଲଭର୍‍ସ୍ ବିଚ୍ ଖୋଜିବାକୁ ଅନେକ ଡେରିହେଲା, ତା’ର କାରଣ କେହି ତା ନାଁ ଶୁଣିନାହାନ୍ତି । ଯାହାକୁ ପଚାରିଲେ ସେ ଟିକିଏ ହସେ ଓ ମୁଣ୍ଡ ହଲାଏ । ମନେହୁଏ ସେ ଭାବୁଛି ଆମେ ଯୋଡ଼ିଏ ମାର୍କାମରା ଟୁରିଷ୍ଟ୍ ।

 

‘‘ଆମେ ସବୁ ଜଣାଶୁଣା ବିଚ୍‍ ପାରି ହୋଇ ସମୁଦ୍ର କୂଳରେ ବହୁତ ବାଟ ଆଗେଇ ଗଲୁ-। ଏଥର ଖାଲି ବାଲି, କଣ୍ଟାଗଛ ଓ ପାହାଡ଼ିଆ ହଳଦିଆ ଫୁଲ ଦେଖିବାକୁ ମିଳିଲା । ଫେରିବୁ ବୋଲି ବସିଛୁ, ଏହି ସମୟରେ ମୁଁ ଦେଖିଲି ଯେ ଆଗରେ ଗୋଟିଏ ଗଛରେ ଲାଗିଥିବା ପୁରାତନ ଜୀର୍ଣ୍ଣ କାଠପଟା ଉପରେ କଣ ଲେଖା ହୋଇଛି । ଯାତ୍ରା ସଫଳ । ଲଭରସ୍ ବିଚ୍ !

 

‘‘କାଠପଟାର ଆଙ୍ଗୁଳି ନିର୍ଦ୍ଦେଶ ଅନୁଯାୟୀ ଆମେ ତା’କୁ ଖୋଜିବାକୁ ଗଲୁ । ତଥାପି ତା’ର ଠାବ ମିଳିଲା ନାହିଁ । ଆଗରେ ସମୁଦ୍ର କୂଳକୁ ଲାଗି ଯେଉଁ ଖାଲ ଭୂଇଁ ଖଣ୍ଡକ ଅଛି, ଯାହାକୁ ଅନାଇ ବସିଲେ ଖସି ପଡ଼ିବାର ଭୟ ହୁଏ ସେହିଟା ? ନାଁ ଆଉ ଟିକିଏ ଛାଡ଼ି ଇଉକାଲିପଟାସ୍ ଓ ଉଇଲୋ ଗଛ ଘେରା ଯେଉଁ ଘାସ-ବାଲିର ଆସ୍ଥାନ ଅଛି ତାକୁହିଁ କୁହାଯାଏ ? ଏହିପରି ଗୋଟିକରୁ ଅନ୍ୟଟିକୁ ଦେଖିଲୁ, । ପ୍ରେମିକ ମିର ସନ୍ଧାନ ମିଳିଲା ନାହିଁ ।

 

‘‘ଶେଷକୁ ଦେଖିଲୁ ସମୁଦ୍ର ପାଖରେ । ଗୋଟିଏ ଅନିର୍ଦ୍ଦିଷ୍ଟ ସନ୍ତସନ୍ତିଆ ଓଦା ଭୂଇଁରେ ଦୁଇଜଣ ଛିଡ଼ା ହୋଇଛନ୍ତି, ଓ ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ଧୀର ନିବିଷ୍ଟ ଚୁମ୍ବନ, ସ୍ଥିର ଜୀବନର ଛବି ପରି । ମୋର ବନ୍ଧୁ ଆନନ୍ଦରେ ମୋ’ହାତ ଧରି ପକାଇ କହିଲେ, ଦେଖିଲେ ? ଦେଖିଲେ ? ଏହି ହେଉଛି ଲଭରସ୍ ବିଚ୍ ।

 

‘‘ନିଶ୍ଚୟ ହୋଇଥିବ ଲଭରସ୍ ବିଚ୍ । ସାନ୍‍ତିଆଗୋରେ ଏତେଦିନ ରହିଲା ପରେ ଏପରି ଦୃଶ୍ୟ ଏହି ପ୍ରଥମ ଦେଖିବାକୁ ମିଳିଲା । ଠିକ୍ ଅଛି । ଆଉ କେଉଁଠି ଦେଖିବା ପାଇଁ କେମିତି ଆଶା କରୁଥିଲି ? ହଁ, ଯଦି ଲଭରସ୍ ଲେନ୍, ଲଭରସ୍ ପାର୍କ ଇତ୍ୟାଦି କିଛି ଥିବ— ।

 

‘‘ଫେରିବାବେଳକୁ ମୋ’ ବନ୍ଧୁ ଥରକୁ ଥର କହିଚାଲିଥିଲେ,—ମୁଁ କଣ କହୁଥିଲି ? ଅର୍ଥ, ସାନ୍‍ତିଆଗୋରେ ମଧ୍ୟ ଯୌବନ ଅଛି ।’’

 

‘‘ଏହି ସାନ୍‍ତିଆଗୋର ଘଟଣା ସାଙ୍ଗରେ ମୋର ମନେ ପଡ଼ୁଛି ନିଉୟର୍କର ଗ୍ରୀନଉଇଚ୍ ଭିଲେଜରେ ଗୋଟିଏ ଅନୁଭୂତି’’ । ଦେଖିଲି ରମଣୀବାବୁ ହାରିବା ଲୋକ ନୁହଁନ୍ତି ବିଶ୍ରାମ ନେବାକୁ ଚାହାନ୍ତି ନାହିଁ । ବୋଧହୁଏ କ୍ରମାନ୍ଵୟରେ ଗ୍ରୀନ୍‍ଉଇଚ୍ ଭିଲେଜ୍ କଥା କହିବା ପାଇଁ ସେ ଆଗରୁ ଠିକ୍ କରିଥିଲେ ।

 

କହିଲେ, ‘‘ଗ୍ରୀନଉଇଚ୍ ଭିଲେଜ ଅତି ବିଚିତ୍ର ସ୍ଥାନ । ଆପଣମାନେ ନିଶ୍ଚୟ ଦେଖିଥିବେ, ଜାଣିଥିବେ । ଏଠି ସବୁ ଓଲଟା, କିମ୍ବା ଅଭିନବ,—ଅନ୍ତତଃ ତାହାହିଁ ହେଉଛି ତା’ର ପ୍ରସିଦ୍ଧି । ତା’ର ମାଧୁର୍ଯ୍ୟ ଗ୍ରହଣ କରିବାକୁ ହେଲେ ଅନେକ ଦିନ ଲାଗିବ । ଅନେକ ଅନ୍ଧାରି ଗଳି ବୁଲିବାକୁ ପଡ଼ିବ, ଅନେକ ଅଦ୍ଭୁତ ଲୋକଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ହେବ, ଶତାଧିକ ନାଇଟକ୍ଲବ୍‍ର ଆମୋଦ-କଲ୍‍ଚରରେ ଭାଗ ନେବାକୁ ହେବ । କିନ୍ତୁ ମୁଁ ତା’ର କେବଳ ଗୋଟିଏ ଝଲକ ପାଇଥିଲି, ଗୋଟିଏ ସଞ୍ଜର ଅନୁଭୂତି । ସେତିକିରେ ମୁଁ ନିଃସନ୍ଦେହରେ କହିପାରେ ଯେ ଗ୍ରୀନ୍‍ଉଇଚ୍ ଭିଲେଜ୍ ସର୍ବଥା ଦର୍ଶନୀୟ ।

‘‘ଏଠି ବିଭିନ୍ନ ଆମୋଦସ୍ଥଳୀ, ଖାଇବା ଘର ଇତ୍ୟାଦିର ବିଜ୍ଞାପନ ପ୍ରାୟ କାନ୍ଥ ଉପରେ ଅଙ୍ଗାରରେ ଲେଖା ହୋଇଥାଏ, ପ୍ରତ୍ୟେକର ଢଙ୍ଗ ଅଲଗା । କେହି କେହି ସଗର୍ବରେ ଜଣାନ୍ତି,—ସବୁଠାରୁ ନିକୃଷ୍ଟ ଅଥଚ ଆନନ୍ଦଦାୟକ ଶୋ’ଦେଖିବାକୁ ଥିଲେ ଏଠାକୁ ଆସ । ନାମକରଣ ସ୍ଵତନ୍ତ୍ର-। ଯଥା କାଫେ ଇଡ଼’ (cafe id), ବନ୍ଧନୀରେ ଲେଖା ହୋଇଥାଏ,—ଫ୍ରଏଡ଼୍ ପଢ଼ିଛ ? ରେସ୍ତୋରାଁର ନାଁ ‘ରାତି ପେଚା’ । ବହି ଦୋକାନର ନାଁ ଭୂତକୋଠି (Haunted house), ଦୋକାନରେ ମାନସିକ ବିକାର ଓ ଅନିୟମ ଉପରେ ଉଚ୍ଚ ଧରଣର ମନସ୍ତାତ୍ତ୍ଵିକ ବହିସବୁ ଥାଏ ।

‘‘ଏଠିକାର ରାସ୍ତାଗଳିରେ ବୁଲୁଥିବା ଭିଲେଜ୍‍ର ଅଧିବାସୀ ନିଜକୁ ଜଣାଇବା ପାଇଁ ଭାରି ଭଲପାଆନ୍ତି । ମୋର କେତେ ଘଣ୍ଟାର ରହଣି ମଧ୍ୟରେ ମୁଁ ଦେଖିଲି ନୋଳିଆମାନଙ୍କ ପରି ଲମ୍ବା ଟୋପା ପିନ୍ଧି ଆଧୁନିକ କଳାର ଛବି ବିକୁଥିବା ଜଣେ ଆଟିଷ୍ଟ୍, ଅଣ୍ଡର୍‍ଉଏର୍ ଓ ସାର୍ଟ ପିନ୍ଧିଥିବା ଜଣେ ଦାଢ଼ିଆ ଭଦ୍ରଲୋକ ଯାହାଙ୍କ ବେକରେ ପ୍ଲାଷ୍ଟିକ ମୁଣ୍ଡମାଳାର ହାର ଓ ମୁହଁରେ ଭାବୁକର ଗମ୍ଭୀରତା, ବାରରେ ଅବିନ୍ୟସ୍ତକେଶ ଜଣେ ଯୁବକ ଯେ ରମ୍ ଓ ଦୁଧ ଏକାଠି ମିଶାଇ ପିଇଲେ ଓ ଘୋଷଣା କଲେ ଯେ ମୋ ମାଆ ଏମିତି ପିଅନ୍ତି, ଇତ୍ୟାଦି ।

‘‘ଏହି ଅଦ୍ଭୁତ-ସୁନ୍ଦର ସଂସାରରେ ପ୍ରେମର ଚେହେରା କେମିତି, ଚୁମ୍ବନର ବିଶେଷତ୍ୱ କଅଣ,—ଆପଣମାନେ ନିଶ୍ଚୟ ଏ କଥା ଭାବୁଥିବେ ।’’

ରମଣୀବାବୁ ଟିକିଏ ଚୁପ୍ ରହିଲେ ଓ କହିଲେ, ‘‘କିନ୍ତୁ ତା’ର ଆଲୋଚନା କରିବାକୁ ଗଲେ ଅନେକ ସମୟ ଲାଗିବ । କାରଣ ଏ ଦିଗରେ ଭିଲେଜର ନିଜତ୍ୱ ଅସାମାନ୍ୟ ଓ ବହୁମୁଖୀ । ମୁଁ କେବଳ ମୋର ଆଖିଦେଖା ଗୋଟିଏ ଦୃଶ୍ୟର କଥା କହୁଛି । ଏ ହେଉଛି ଲଭରସ୍ ବିଚରେ ଚୁମ୍ବନ ଦେବାର ଅପରପାଖ । ଏଥିରୁ ଆପଣ ଦେଖିବେ ଗ୍ରୀନ୍‍ଉଇଚ୍ ଭିଲେଜ୍‍ର କରାମତି କେତେ, ତା’ର ଓଲଟାପଣ କେମିତି ପ୍ରେମିକମାନଙ୍କୁ ଆକ୍ରମଣ କରେ ।

 

‘‘ଅନ୍ଧାର ହେଲା ପରେ ମୁଁ ପ୍ରଥମେ ଯେଉଁ ନାଇଟ୍‍କ୍ଲବକୁ ଗଲି ତା’ ନାଁ ହେଉଛି ‘ସାଇକଲୋପସ୍ କାଫେ’ । ତା’କୁ ମୁଁ ନାଇଟକ୍ଲବ କହୁଛି, କାରଣ ତା’ଛଡ଼ା ଆଉ କଣ କହିବି ଭାବିପାରୁ ନାହିଁ ।

 

ତା’ର ଅତି ସଂକୀର୍ଣ୍ଣ ପ୍ରବେଶ ଦ୍ୱାରରେ ଗୋଟିଏ କଳାପରଦା ଝୁଲା ହୋଇଥାଏ-। ତା’ ଉପରକୁ କାନ୍ଥରେ ନାଲିନେଳି ରଙ୍ଗର ଗୋଟାଏ ବିରାଟ କାଠର ମୁଣ୍ଡ ଧରିନେବାକୁ ହେବ ଯେ ସେ ହେଉଛି ଏକଆଖିଆ ରାକ୍ଷସ ସାଇକଲୋପସର ମୁଣ୍ଡ । ପରଦାକୁ ଧରି ଅଳ୍ପବୟସୀ ଝିଅଟିଏ ଛିଡ଼ାହୋଇଛି; ତା’ର ଚିଲା ଆଖି ଉଚ୍ଚ କପାଳରେ ସୁନ୍ଦରତା ନାହିଁ, କିନ୍ତୁ ହସରେ ବନ୍ଧୁଭାବ ପୂରି ରହିଛି ।

 

‘‘ମୁଁ ତା’ ଭିତରକୁ ଗଲି । ଦେଖିଲି ଯେ ରାକ୍ଷସ ନାହିଁ ସିନା, ରାକ୍ଷସର ଗୁମ୍ଫା ଅଛି । ଅଣଓସାରିଆ ଲମ୍ବା ଘରର କାନ୍ଥ ସବୁ ଆବୁଡ଼ା ଖାବୁଡ଼ା, ଗୁମ୍ଫାପରି, ଓ ଘରର ସେ ମୁଣ୍ଡରେ ପାହାଡ଼ତୁଲ୍ୟ ଗୋଟିଏ ଉଚ୍ଚ ଜାଗା ଉପରେ ଜଣେ ଯୁବକ ଗିଟାର ବଜାଉଛି ।

 

‘‘ଚଉକି ଖଣ୍ଡେ ବୋଲି ନାହିଁ । କାନ୍ଥକୁ ଲାଗିକରି ଅବିଚ୍ଛିନ୍ନ ପଥର ବେଞ୍ଚ୍‍, ତା’ ଉପରେ ସିଧା ହୋଇ ବସିବାକୁ ପଡ଼ିବ, ହାତ ରଖିବାକୁ ହେବ ସାମ୍‍ନାର କାଠ ଟେବୁଲ ଉପରେ, କାନ୍ଥର ଗୋଜ ପିଠିରେ ଲାଗିବ ନାହିଁ ।

‘‘ଗିଟାର ବାଲା ରାଗିଲା ପରି ହଠାତ୍ ଉଚ୍ଚସ୍ଵରରେ ପାଟି କରିଉଠିଲା । ନୂଆ ଗୀତର ଆରମ୍ଭ ? ମୁଁ ତରବର ହୋଇ ବେଞ୍ଚ୍ ଉପରେ ବସି ପଡ଼ିଲି । ପାଖରେ କେହି ନାହିଁ । ଟେବୁଲ୍‍ ଉପରେ ପାଣି ଗିଲାସେ ଥୁଆ ହୋଇଛି ।

‘‘ମୋତେ ଭାରି ଗରମ ଲାଗିଲା । ଦେଖିଲି ଯେ ଘର ଏୟାର କଣ୍ଡିସନଡ଼୍ ନୁହେଁ । ତେବେ ଗୋଟିଏ ହେଲେ ପଙ୍ଖା କଣ ରହିବା କଥା ନୁହେଁ ?

‘‘ଶେଷକୁ କୋଟ୍‍ ଖୋଲି କରି ରଖିଦେଲି । ଏତିକିବେଳେ ଦ୍ୱାରପାଳିକା ଉଚ୍ଚକପାଳୀ ଝିଅଟି ପାଖକୁ ଆସି ତା’ର ମିଠା ହସ ସାଙ୍ଗରେ ପେନସିଲରେ ଲେଖା ମେନୁ କାର୍ଡ଼ ଦେଖାଇଲା । କଣ ଦରକାର ? କମଳା ରସ, ଲେମ୍ବୁପାଣି, ଆପଲରସ, ରାସପ୍ ବେରୀ-। ରସର ପ୍ରାଚୁର୍ଯ୍ୟ କିନ୍ତୁ ହୁଇସ୍କି ୱାଇନ୍ ଆଦି ଜିନିଷ କିଛି ନାହିଁ । ହଁ, କୁକିଜ୍ (ବିସକୁଟ୍) ମିଳିବ ।

‘‘ଯାହାହେଉ ଫଳରସ ଟିକିଏ ଖାଇ ମୁଁ ଗିଟାର୍ ଗୀତ ଶୁଣିବାରେ ମନ ଦେଲି । କିଛି ବୁଝି ପାରିଲି ନାହିଁ । କାରଣ ଗୀତ ବେଳେ ବେଳେ ବକ୍ତୃତା ପରି ଲାଗୁଥାଏ, ବେଳେବେଳେ ମନ୍ତ୍ର ପରି, ଆଉ ବେଳେବେଳେ ଯୁଦ୍ଧର ଆହ୍ୱାନ ପରି । କିନ୍ତୁ ସେହି ହାସ୍ୟମୟୀ ବାଳିକା ଓ ତା’ର ଆଉ ଜଣେ ସଙ୍ଗିନୀ ଆପ୍ୟାୟିତ ହେବାର ଭାବ ଦେଖାଇ ହାତଟେକି ଆନନ୍ଦଧ୍ଵନି କରୁଥାଆନ୍ତି ଓ ମଝିରେ ମଝିରେ ସିଡ଼ି ଚଢ଼ି ଫଳରସ ଗିଲାସେ ଗାୟକ ହାତରେ ଦେଇ ଆସୁଥାଆନ୍ତି ।

‘‘କାନ୍ଥକୁ ଆଉଜି ହେଉ ନାହିଁ । ଦେହରୁ ଝାଳ ବହି ଚାଲିଛି । ମୁଁ ଅନ୍ୟ ଶ୍ରୋତାଦର୍ଶକମାନଙ୍କୁ ଅନାଇଲି, ଗଣିଲି । ମୋତେ ଛାଡ଼ି ଆଠ ଜଣ,—ଦୁଇ ଦଳ ପୁରୁଷ-ସ୍ତ୍ରୀ ଓ ଚାରିଜଣ ବିଭିନ୍ନ ସ୍ଥାନରେ ବସିଥିବା ଯୁବକ । କାହାରି ମୁହଁରେ ତୃପ୍ତିର ଚିହ୍ନ ଦେଖୁନାହିଁ । ଗୋଟିଏ ଯୁବକ ପୃଥିବୀର ଦୁଃଖରେ ଅଭିଭୂତ ହେଲା ପରି ଲାଗୁଛି, କିମ୍ୱା ହୁଏତ ବର୍ତ୍ତମାନ ସଙ୍ଗୀତର ବିଷାଦରେ ମଗ୍ନ ହୋଇଯାଇଛି ।

 

‘‘ପ୍ରଥମେ ପୁରୁଷ-ସ୍ତ୍ରୀ ଏକ ମୂର୍ତ୍ତି ଉଠି ଚାଲିଗଲେ । ଗଲାବେଳକୁ ଭଦ୍ରଲୋକ ପରିଚାରିକା ଜଣକ ହାତରେ ଡଲାର-ନୋଟ୍ କି କଣ ବଢ଼ାଇଦେଲେ । ପରେ ପରେ ଆଉ ଦୁଇଜଣ ଯୁବକ ଠିକ୍ ସେହିପରି ପ୍ରସ୍ଥାନ କଲେ ।

 

‘‘କିନ୍ତୁ ସଂଗୀତର ଉତ୍‍ଥାନ ପତନ ବଢ଼ି ଚାଲିଛି । ଗାୟକ ବେଶି ଜୋରରେ ମୁଣ୍ଡ ହଲାଉଛି । ପରିଚାରିକା ଜଣେ ମୋ ପାଖକୁ ଆସି ପଚାରିଲା,—ସାର୍,—ଆପଣଙ୍କ ପ୍ରିୟ ଗୀତ କଣ ଅଛି ବରାଦ ଦିଅନ୍ତୁ । ଫିକା ହସ ହସି ନାସ୍ତିର ଧନ୍ୟବାଦ ଦେବାଛଡ଼ା ମୋର ଅନ୍ୟ ଉପାୟ ନ ଥିଲା ।

 

‘‘ଗରମ ବେଶି ବାଧିଲାଣି । ଦେଖିଲି ଆଉ ଜଣେ ଯୁବକ ଅତିଥି ଫେରି ଗଲେଣି । କିନ୍ତୁ ଦୁଃଖୀ ଯୁବକ ଜଣକ ମୃଦୁ ମୃଦୁ ହସୁଛନ୍ତି, ସ୍ମୃତିର ମଧୁର ସ୍ୱାଦ କିଛି ପାଇଲାପରି ।

 

‘‘ଉଠିବାକୁ ବସିଛି ଏହି ସମୟରେ ହଠାତ୍ ସେହି ଦୁଃଖୀ ଯୁବକ ଛିଡ଼ା ହୋଇ ଯାଇ ଘର ମଝିକୁ ଆଗେଇ ଗଲେ, ଓ ସର୍ବସମ୍ମୁଖରେ ଉଚ୍ଚ କପାଳୀ ଝିଅଟିକୁ କୁଣ୍ଢାଇ ଧରି ଚୁମ୍ବନ ଦେଲେ ।

 

ରମଣୀବାବୁ ଥମିଗଲେ । ତାଙ୍କ ଚାହାଣିରେ ପ୍ରଶ୍ନ,—କ’ଣ ହେଲା ? କାହିଁକି ସେମାନେ ଚୁମ୍ବନ ଦେଲେ ?

 

ମୁଁ ଭାବିଲି ତା’ର ଉତ୍ତର ଦେବି । କିନ୍ତୁ ରମଣୀବାବୁ କହୁଛନ୍ତି, ‘‘ଅଦ୍ଭୁତ ଚୁମ୍ବନ । ମୁଁ ବୁଝିଲି ଯେ ସେ ଯୁବକ କାଫେକୁ କେବଳ ଗୀତ ଶୁଣିବା ପାଇଁ ଆସି ନଥିଲା, ସେ ତା’ର ପ୍ରେମିକାକୁ ଦେଖିବାକୁ ଆସିଥିଲା । କିନ୍ତୁ ସେହି ଅନ୍ଧାରିଆ କାଫେ ଭିତରେ, ଦାରୁଣ ଗରମ ଓ ଗର୍ଜ୍ଜିଲା ଗୀତ ସାଙ୍ଗରେ ହଠାତ୍ ଏହି ଚୁମ୍ବନର ପ୍ରବୃତ୍ତି ଜାଗିଲା କାହିଁକି ?’’

 

କହିବା ପାଇଁ ମୋ’ ପାଟି ଖଜବଜ ହେଉଥିଲା । କାରଣ ଆଉ କିଛି ନୁହେଁ,—ଆଟ୍‍ମସଫିଅର୍ ! ସେ ଦୁଇଜଣ ପ୍ରଣୟୀ ନୁହନ୍ତି, କିନ୍ତୁ ସେମାନେ ପ୍ରଣୟର ଅଭିନବ ଆଟ୍‍ମସ୍‍ଫିଅର୍ ତିଆରି କଲେ, ରମଣୀ ବାବୁ ଓ ଅନ୍ୟ ଦର୍ଶକମାନଙ୍କ ପାଇଁ । ଗୁମ୍ଫା ଗୀତର ପରିବେଶ ମାନ୍ଦା ପଡ଼ିଯାଉଥିଲା, ସ୍ୱାଚ୍ଛନ୍ଦ୍ୟହୀନତାର ଉପଭୋଗ ସୀମା ଟପି ଯାଇଥିଲା, ତେଣୁ ଏହି ହଠାତ୍-ଚୁମ୍ବନର ଅଭିନୟ କରାଗଲା । ଗ୍ରୀନଉଇଚ୍ ଭିଲେଜ୍‍ରେ ଏମିତି ହୁଏ ।

 

ରମଣୀବାବୁ ନିଜେ ସେହି ଚୁମ୍ବନର ଯଥାର୍ଥତା ପ୍ରତିପାଦନ କଲେ । କହିଲେ, ‘‘ମୁଁ ଆଉ କିଛି ସମୟ ସେଠି ରହିଲି । ଆଉ ଗିଲାସେ ଫଳରସ ଖାଇଲି । ଗାୟକର ଉତ୍ତରୋତ୍ତର ସମୃଦ୍ଧି ପାଇଁ ଗୋଟିଏ ଡଲାର ଦେଲି । ଫେରିଲାବେଳକୁ ସେହି ଚୁମ୍ବିତା ବାଳିକା ସହାସ୍ୟ ଗୁଡ଼୍‍ନାଇଟ୍ କହିଲା—ତା’ର ହସ ମୋତେ ଭାରି ଭଲ ଦେଖା ଯାଉଥାଏ ।’’

 

ରମଣୀବାବୁ ବିଶ୍ରାମ ନେଲେ । ଏଥର ବୋଧହୁଏ ପୂର୍ଣ୍ଣଚ୍ଛେଦ । ଆମ ଭିତରୁ କେତେକ ଘରକୁ ଫେରିବାକଥା ଉଠାଇଲେଣି । ପୁଣି ଥରେ ଗିଲାସେ ଭରିବାର ପ୍ରୟାସ ପ୍ରାୟ କାହାରି ନାହିଁ-। ଏହି ସମୟରେ ଜଣେ ଶ୍ରୋତା ରମଣୀବାବୁଙ୍କ ବିଶ୍ରାମରେ ବ୍ୟାଘାତ ଆଣିଲେ । ପ୍ରଶ୍ନ କଲେ, ‘‘ଆପଣ ଖରାଦିନେ ଦିନବେଳେ ବିଚ୍‍କୁ ଯାଇଛନ୍ତି–ମାନେ ଆମେରିକାର ବିଚ୍, ଫ୍ଲରିଡ଼ା, ସାନ୍‍ଫ୍ରାନସିସ୍କୋ, କିମ୍ବା ନିଉୟର୍କ୍ ?’’ଜିଜ୍ଞାସାର ସୂଚନା ସ୍ପଷ୍ଟ । ରମଣୀବାବୁ କଣ ଏହି ହାତପାହାନ୍ତା ସର୍ବସାଧାରଣ ଦୃଶ୍ୟ ଭୂମିକୁ ଛାଡ଼ିଗଲେ ?

 

ରମଣୀବାବୁ ଆମୋଦିତ ଚାହାଣିରେ ପ୍ରଶ୍ନକର୍ତ୍ତାଙ୍କୁ ଅନାଇଲେ, ଓ ତା’ପରେ ଗମ୍ଭୀର ହୋଇଗଲେ । କହିଲେ, ‘‘ଯାଇଛି, ଅନେକଥର ଯାଇଛି, କିନ୍ତୁ— । କିନ୍ତୁ ମୋତେ ଭଲ ଲାଗିଲା ନାହିଁ-।’’

 

ତାଙ୍କ କଥାର ଅର୍ଥ ଅବୁଝା ରହିଲା । କିନ୍ତୁ ମୋର ମନେ ହେଲା ରମଣୀବାବୁ କଣ ଭାବୁଛନ୍ତି । ଭାବୁଛନ୍ତି କେମିତି ନିଜକୁ ବୁଝାଇବେ ।

 

ଶେଷକୁ ଭାବନାସଙ୍କୁଳ ଚାହାଣିରେ ସେ କହିଲେ, ‘‘ଚୁମ୍ବନ ପ୍ରେମର ସୁଖ । କିନ୍ତୁ ବେଳେବେଳେ ତାହା ଅପ୍ରେମର ରାଗପରି ଦେଖାଯାଏ । ସେତେବେଳେ ତାକୁ କଣ କହିବି ?

 

‘‘କହନ୍ତି ଯେ କାମୁଡ଼ା, ଚୁମୁଟା ଓ ମାଡ଼ମରା ଭିତରେ ମଧ୍ୟ ପ୍ରେମ ଥାଇପାରେ । ସେହିପରି ଚୁମ୍ବନ ଭିତରେ ମଧ୍ୟ ରାଗିବାର, କଷ୍ଟ ଦେବାର ପ୍ରବୃତ୍ତି ଥାଇପାରେ । କିନ୍ତୁ ମୁଁ କେମିତି ତାକୁ ସମ୍ମାନ ଦେବି ? ସେ ଚୁମ୍ବନର ମଣିଷ ମୋ’ ସାଙ୍ଗ ନୁହନ୍ତି । ମୁଁ ତାଙ୍କୁ ଚିହ୍ନେ ନାହିଁ ।

 

‘‘ଉପରେ ଉଦ୍ଦୀପ୍ତ ସୂର୍ଯ୍ୟ ତଳେ ତତଲା ବାଲି । ବାଲି ଉପରେ ଗୋରାକଳା ମାଂସର ଦେହ ଗୁଡ଼େଇତୁଡ଼େଇ ଲଟେଇପଟେଇ ହେଉଛନ୍ତି । ଜଣେ ଜଣକୁ ମାଡ଼ିବସି ଚୁମ୍ବନ ଦେଉଛି । ଆଉ ଜଣେ ପ୍ରେମିକାର ମୁଣ୍ଡବାଳକୁ ମୁଠାଇ ଓଲଟାଇ ଦେଇ ତା’ର ତମ୍ବା ନାଲି ମୁହଁରେ ମୁହଁ ଦେଉଛି । ଉପରେ ଥିବା ଛତା କେବେଠୁଁ ଖସି ପଡ଼ିଲାଣି । ଦେହ ଉପରେ ପତିଆରା ରୂପେ ପଡ଼ିଥିବା ଚାଦର ମୋକଚାମୋକଚି ହୋଇ ପଡ଼ିଲାଣି କୁଆଡ଼େ ।

 

‘‘ଏମାନେ କ’ଣ ପ୍ରେମ କରୁଛନ୍ତି ? ନାଁ ରାଗିମାଗି ପ୍ରେମକୁ ଜାଳିପୋଡ଼ି ଧ୍ୱଂସ କରୁଛନ୍ତି-? ମୋର ମନେହେଲା ଜଣେ ଜଣକୁ କହୁଛି,—ମୁଁ ତୋତେ ଚାହେଁ ନାହିଁ, ମୁଁ ତୋତେ ଆଉଁସି ଦେବି ନାହିଁ, ଗେହ୍ଲା କରିବି ନାହିଁ । କେବେ କେଉଁ ବସନ୍ତରେ ତୋତେ ଭଲ ପାଇଥିଲି, ଆଜି ତାକୁହିଁ ନଷ୍ଟ କରି ଦେବାକୁ ଯାଉଛି । ଯେପରିକି ସେ ଭଲପାଇବା ପୁଣିଥରେ ଆସି ମୋତେ ହଇରାଣ କରିବ ନାହିଁ ।

 

‘‘ସେମାନଙ୍କ ଯୌବନରେ ଆଉ କିଛି ଥିଲା ପରି ଲାଗୁ ନଥିଲା,—କେବଳ ଶକ୍ତି, ଦେହର ଶକ୍ତି ଦେହର ଅଧିକାର । ସେମାନଙ୍କ ଉଚ୍ଚ ହସ ମୋତେ ଶୁଭୁଥିଲା । ମୋର ମନେ ହେଉଥିଲା ତାଙ୍କ ଅତ୍ୟାଚାରିତ ଦେହର ଯନ୍ତ୍ରଣା ମଧ୍ୟ ମୋତେ ଶୁଭିଯାଉଛି ସେ ହସ ଓ ଯନ୍ତ୍ରଣା ଏକାଠି ହୋଇ କହୁଛନ୍ତି,—ଆମକୁ ଜାଣିଛ ? ଆମେ ହେଉଛୁ ପ୍ରେମର ସମ୍ପୂର୍ଣ୍ଣ ଯଜ୍ଞ; ଏହାପରେ ଆଉ କିଛି ନାହିଁ ।’’

 

ତାଙ୍କ କଥା ଶୁଣି ମୋର ମଧ୍ୟ ଉଚ୍ଚସ୍ଵରରେ ହସିବାକୁ ଇଚ୍ଛା ହେଲା । ରମଣୀବାବୁ କଣ ଆଜିଯାଏଁ ବଡ଼ ହୋଇ ନାହାନ୍ତି ? ବିଶୁଦ୍ଧ ସେକ୍‍ସର ରୂପ ଦେଖି ନାହାନ୍ତି ? ମୁଁ ହସିଲି ନାହିଁ, କିନ୍ତୁ କହିଲି, ‘‘ଏହି ତ ହେଉଛି ସେକ୍‍ସ-ଚୁମ୍ବନ ! ଆପଣ ପରା ନିଜେ କହୁଥିଲେ ଯେ ଚୁମ୍ବନରେ ଦୁଇ ପ୍ରକାର ରୂପ ଥାଏ ?’’

 

ରମଣୀବାବୁ ମାନିଲେ ନାହିଁ । କହିଲେ ‘‘ହଁ କହୁଥିଲି । କିନ୍ତୁ ସେକ୍‍ସ ଯେତେ ଯାହା ହେଲେ ମଧ୍ୟ ଜୀବନର ଉପଭୋଗ । ସେଥିରେ ଏତେ ନିଷ୍ଠୁରତା ଆସିବ କେମିତି ?’’

 

ଭାବିଲି,—ନା, ରମଣୀବାବୁ ପ୍ରକୃତରେ ବଡ଼ ହୋଇନାହାନ୍ତି । ସେ ଜୀବନମରଣକୁ ପିଲାର ଆଖିରେ ଦେଖିଛନ୍ତି, ଯେ ଜୀବନ ହେଉଛି ଆଲୁଅର ଆନନ୍ଦ ଓ ମରଣ ହେଉଛି ଅନ୍ଧାରିଭୂତ । ଅନ୍ଧାରିଭୂତକୁ ସବୁବେଳେ ଡରି ରହି ସେ ତା’ର ମଜା ପାଇ ନାହାନ୍ତି । ତାଙ୍କ ଶିଶୁ-ରସନା ପିତା-ଖଟାର ସ୍ୱାଦୁ ପାଇନାହିଁ !

 

ରମଣୀବାବୁ ମୋ ମନକଥା ଓଟାରି ନେଲା ପରି କହିଲେ, ‘‘ମୃତ୍ୟୁ ଓ ସେକ୍‍ସ । ଏ ଦୁଇଟି ମଧ୍ୟରେ କଣ କିଛି ସମ୍ବନ୍ଧ ଅଛି ? ମୁଁ ରୋଗବଇରାଗରେ ବା ବୁଢ଼ାହୋଇ ମରିଯିବା କଥା କହୁନାହିଁ-। ମୁଁ କହୁଛି ଯେଉଁଥିରେ ଜୀବନକୁ ମାରି ଦେବାର ଦୃଶ୍ୟ ଦେଖାଯାଏ, ଯେଉଁଥିରେ ଜୀବନ କଷ୍ଟ ପାଏ ଓ ଲୁହଲୁହ ଉଦ୍‍ଗାରି ନିଶ୍ଚିହ୍ନ ହୋଇଯାଏ ।’’

 

କଣ କହୁଛନ୍ତି ସେ ?

 

‘‘ଆପଣମାନେ ମେକ୍‍ସିକୋ ଯାଇଛନ୍ତି ? ମେକ୍‍ସିକୋ ସହର ମୋତେ କଲିକତା ପରି ଲାଗେ । ବଡ଼ କୋଠା, ଦରିଦ୍ରତା, ଧୂଳିଧୂଆଁ, ଗରମ, ଓ ପୁରାତନ ସଭ୍ୟତାର ଆଡ଼ମ୍ବର । ଆମେରିକାନ୍ ଟୁରିଷ୍ଟମାନେ ତଥାପି ତାକୁ ଏତେ ଭଲ ପାଆନ୍ତି,—କାହିଁକିନା ପାଶ୍ଚତ୍ୟ ସଭ୍ୟତାର ଏତେ ପାଖରେ ଥାଇ ମଧ୍ୟ ସେ ଏତେ ଅଲଗା, ଏତେ ରଙ୍ଗୀନ୍‍ ।

 

‘‘ତା’ର ସେହି ରଙ୍ଗିନ୍ ଦୃଶ୍ୟାବଳୀର ପ୍ରଧାନ ଦୃଶ୍ୟ ବୁଲ୍‍ଫାଇଟ୍ (bull fight), ସ୍ପାନିଶ୍ ମଧ୍ୟଯୁଗ ସଭ୍ୟତାର ଅବଦାନ ।

 

‘‘ମୋର ବୁଲ୍‍ଫାଇଟ୍‍ ନ ଦେଖିବାର ଚାରା ନ ଥିଲା । ମେକ୍‍ସିକୋର ଏହି ଜାତୀୟ ଉତ୍ସବ, ରବିବାର ଛୁଟିର ପ୍ରଧାନ ଆକର୍ଷଣକୁ କେମିତି ଆଡ଼େଇ ଦେବି ?

 

‘‘ପ୍ଲାଜା ମେକ୍‍ସିକୋ ନାମକ ଷ୍ଟେଡ଼ିୟମରେ ଏହି ଖେଳ ଅଥବା ନାଟକ ହୁଏ । ଏ କୁଆଡ଼େ ବୁଲ୍‍ଫାଇଟ୍‍ ପାଇଁ ପୃଥିବୀର ସବୁଠାରୁ ବଡ଼ ଷ୍ଟେଡ଼ିୟମ୍ । ତା’ର ପାଚିରୀର ବିଭିନ୍ନ କୋଣରେ ଇତିହାସର ସୁବିଖ୍ୟାତ ମାତାଦୋର (Matador) ମାନଙ୍କର ପଥର ମୂର୍ତ୍ତି । ମୋର ଗାଇଡ଼୍ ସସମ୍ମାନରେ ସେମାନଙ୍କୁ ଚିହ୍ନାଇ ଦେଲେ ଓ କହିଲେ,—ସେ ଯୁଗ ଗଲାଣି, ଆଜିକାଲିକା ଟୋକାଙ୍କର ସାହସ ନାହିଁ, ଦାମ୍ ନାହିଁ ।

 

‘‘ପରୋକ୍ଷରେ ଯୁଦ୍ଧର ଉତ୍ସାହ ଓ ବୀରତ୍ୱ ଭାବ ନେଇ ମୁଁ ଷ୍ଟେଡ଼ିୟମ୍‍ର ଲମ୍ବା ସୁଡ଼ଙ୍ଗ ଭିତରେ ପଶିଲି । ମୋଟାମୋଟି ମୋର ଧାରଣା ଥିଲା ଯେ ଆଜି ମୁଁ ଗୋଟିଏ ହିଂସ୍ରଜନ୍ତୁ ଓ ମଣିଷର ବଳ କଷାକଷି ଦେଖିବି ।

 

‘‘ଗ୍ୟାଲେରିରେ ମଣିଷଙ୍କ ଭିଡ଼, ବୁଲା ବିକାଳିଙ୍କ ଚିତ୍କାର ଓ ବଡ଼ ବଡ଼ ପୋଷ୍ଟର ବିଜ୍ଞାପନ,—ନାମଜାଦା ଫୁଟବଲ୍‍ ବା କ୍ରିକେଟ ମ୍ୟାଚରେ ଯେମିତି ଦେଖିବାକୁ ମିଳେ । ତେବେ ମେକ୍‍ସିକାନ୍‍ର ଲମ୍ବା ଚଉଡ଼ାଧାର ବାଉଁଶ ଟୋପି ଓ ବିଚିତ୍ର ବେଶଭୂଷା ସେହି ବାତାବରଣରେ କିଛି ନୂତନତ୍ୱ ଆଣୁଥିଲା ।

 

‘‘ଖେଳ ଆରମ୍ଭ ହେଲା । ଗୋଟିଏ ନିର୍ଦ୍ଦିଷ୍ଟ ଫାଟକରୁ ବୁଲ୍‍କୁ ଛାଡ଼ି ଦିଆହେଲା ପ୍ରାଙ୍ଗଣ ଭିତରକୁ ।

 

‘‘ସେ ଆସି ଖେଦିଗଲା ଚାରିଆଡ଼େ,—ଜଞ୍ଜିରରେ ବନ୍ଧା ହୋଇଥିବା କୁକୁର ମୁକୁଳି ଆସିଲେ ଯେମିତି ହୁଏ । ମାଠି ମୁଠି ହୋଇ କଳାମଚମଚ ଭାରି ଦେହ, ଛୋଟ ମୁଣ୍ଡ, ଚଞ୍ଚଳ ଚାଲି-। ସେ ଏତେ କୁଦୁଛି ଖେଳୁଛି, ଖୁସି ହେଉଛି କାହିଁକି ?

 

‘‘ତା’ ପର କଥା । ଗୋଟି ଗୋଟି କରି କହିବାକୁ ମନ ବଳୁ ନାହିଁ । କିନ୍ତୁ ନ କହିଲେ ଆପଣ ସେହି ଉତ୍ସବର ଭାବ ମନକୁ ଆଣି ପାରିବେ ନାହିଁ । ପ୍ରଥମରୁ କହି ରଖୁଛି ଯେ ସେ ହିଂସ୍ର ଜନ୍ତୁ ନୁହେଁ,—ନିର୍ବୋଧ ପଶୁ, ଗୋଟାଏ ମୋଟା ହୁଣ୍ଡା ପ୍ରାଣୀ । ସେ ଆନନ୍ଦରେ ନାଚୁଥିଲା । ତା’କୁ ସେମାନେ ରଗାଇଲେ ଓ ତା’ ରାଗ ସାଙ୍ଗରେ ଖେଳି ଖେଳି ତା’କୁ ମାରିଦେଲେ । ଏକାଥରକେ ନୁହେଁ, ତିଳ ତିଳ କରି ମାରି ଦେଲେ । ପ୍ରଥମ ଘୋଡ଼ା ଉପରେ ଜଣେ ଆସି ବର୍ଚ୍ଛା ଭୁଷିଦେଲା । ବୁଲ୍ ଆଶ୍ଚର୍ଯ୍ୟ ହୋଇ ରାଗି କରି ବୁଲି ପଡ଼ିଲାବେଳକୁ ଲୋକ ପଳାଇ ଗଲାଣି । ସେହିଠୁଁ ସେ ପାଗଳଙ୍କ ପରି ଏଣେତେଣେ ଦୌଡ଼ିଲା । ନାଲି ରକ୍ତ କଳା ଦେହରେ ଧାର ଧାର ହୋଇ ବହି ଯାଉଥାଏ । କିଛି ସମୟ ପରେ ସେ ଧାଇଁ ଧାଇଁ ଟିକିଏ ଥକି ଗଲାରୁ ଆଉ ଗୋଟିଏ ବର୍ଚ୍ଛା ଦେହର ଆଉ ଗୋଟିଏ ଜାଗାରେ ରକ୍ତ ବୁହାଇ ଚାଲିଗଲା । ବୁଲ୍ ଅଜଣା ଶତ୍ରୁକୁ ଖୋଜିବାକୁ ଯାଇ ପ୍ରାଙ୍ଗଣର କାନ୍ଥରେ ମୁଣ୍ଡ ବାଡ଼େଇଲା, ସଁ ସଁ ହୋଇ ପଡ଼ିଆରେ ମୁଣ୍ଡ ଘଷିଲା । କିନ୍ତୁ ବେଳ ଉଣ୍ଡି ଜଣକ ପରେ ଜଣେ ପଦାତିକ ବୀର ଆସି ଛୋଟ ଛୋଟ ତୀର ତା’ଦେହରେ ଗେଞ୍ଜି ଦେଇ ଗଲେ-। ତୀରଗୁଡ଼ିକ ଦେହରେ ଲାଗି କରି ରହିଥାଏ, କାଢ଼ି ନେବାର ଉପାୟ ନାହିଁ ।

‘‘ବୁଲ୍ କଣ କରିବ ? ସେ ଆହୁରି ରାଗିଲା, ବାଡ଼େଇ ପିଟି ହେଲା । ହେଲେ ରାଗ ବଢ଼ିବା ସାଙ୍ଗରେ ତା’ର ଶକ୍ତି କମି ଯାଉଥାଏ । ସେ କିଛି ସମୟ ଦୌଡ଼ି ହାଲିଆ ହୋଇ ଛିଡ଼ା ହୋଇ ଯାଉଥାଏ, ଗ୍ୟାଲେରୀର ଲୋକମାନଙ୍କୁ ଅନାଉଥାଏ । ତା’ର ଚାହାଣିରେ ଅସହାୟ ରାଗ । କାହିଁ ମୋ ଶତ୍ରୁ ?

‘‘ଏହି ସମରେ ମାତାଦୋର୍‍ଙ୍କ ଆବିର୍ଭାବ । ଯୋଦ୍ଧାର ପୋଷାକ, ହାତରେ ଖଣ୍ଡେ ନାଲି କନା ଓ ଚକ୍ ଚକ୍ ଛୁରି । ସେ ସାହସରେ ପଡ଼ିଆ ମଝିକୁ ବାହାରିଲେ, ବୁଲ୍ ସାଙ୍ଗରେ ଖେଳିବେ ବୋଲି । ଖେଳର ପ୍ରଣାଳୀ ହେଲା ନାଲି କନାଟି ଦେଖାଇ ବୁଲ୍‍କୁ ରଗାଇ ସେ ମୁଣ୍ଡ ଦେଖାଇ ମାଡ଼ି ଆସିଲାବେଳକୁ ଚଟ୍‍କରି ପାଖେଇ ଯିବା । ଏହିପରି ଯେ ଯେତେ ସମୟ ବୁଲ୍ ସାଙ୍ଗରେ ଖେଳିପାରିଲା ତା’ର ସେତିକି ବାହାଦୁରି । ଖେଳୁ ଖେଳୁ ମଝିରେ ମଝିରେ ଛୁରି ଟିକିଏ ଗେବି ଦିଅ-। ବେଶି ନୁହେଁ, ନ ହେଲେ ବୁଲ୍ ମରିଯିବ, ଖେଳ ସରିଯିବ ।

‘‘କିନ୍ତୁ ବୁଲ୍ ଆଉ ଖେଳି ପାରୁ ନାହିଁ, ଖେଳିବାକୁ ଚାହେଁ ନାହିଁ । ତଥାପି ତା’ରାଗକୁ ତେଜାଇଦିଅ, ପୁଣି ଟିକିଏ ନାଲି ପତାକା, ପୁଣି ଟିକିଏ ଛୁରି,—ସେ ଏତେ ସହଜରେ ଠକି ଦେଇ ଚାଲିଯିବ ନାହିଁ ।

‘‘ଶେଷକୁ ବୁଲ୍ ଧକେଇଲା । ତା’ର ପାଟିରୁ ନାଳ ରକ୍ତ ଗଡ଼ୁଥାଏ, ମନେ ହେଉଥାଏ ସେ କିଛି ଦେଖିପାରୁ ନାହିଁ । କିନ୍ତୁ ତାକୁ ନିଜ ଇଚ୍ଛାରେ ମାରିବାକୁ ଦିଆଯିବ ନାହିଁ । ତେଣୁ ଶେଷ କ୍ରିୟା ସମ୍ପାଦନ କରିବା ପାଇଁ ମାତାଦୋର୍‍ଙ୍କ ଜଣେ ସଙ୍ଗୀ ବାହାରି ଆସିଲେ । ସେ ତାଙ୍କର ବିଶିଷ୍ଟ ଛୁରିକୁ ତା’ମୁଣ୍ଡରେ ଯଥା ସ୍ଥାନରେ ଭୁଷିଦେଲେ । ବୁଲ୍ ବସିପଡ଼ିଲା ମରିବ ବୋଲି । ଖେଳ ଶେଷ ।

ମୁହୂର୍ତ୍ତକ ପରେ ଯୋଡ଼ାଏ ଘୋଡ଼ା ତା’ଦେହକୁ ଟାଣି ଟାଣି ଘୋଷାରି ନେଇଗଲେ । ଆଉ ଗୋଟିଏ ବୁଲ୍ ଆସିବ’’।

ରମଣୀବାବୁ କଥା ଶେଷ କଲେ । ସମସ୍ତେ ନିସ୍ତବ୍ଧ । କିନ୍ତୁ ମୋ ମନରେ ଗୋଟାଏ ଆଶଙ୍କା ଆସୁଥାଏ । ମୋର ଇଚ୍ଛା ହେଉଥାଏ ଉଠିଯାଇ ତାଙ୍କ ମୁହଁ ବନ୍ଦ କରି ଦେବି, ଆଉ କିଛି କହିବାକୁ ଦେବି ନାହିଁ ।

କିନ୍ତୁ ସେ କହିଲେ । ‘‘ଏହା ସାଙ୍ଗରେ ଚୁମ୍ବନ କେମିତି ଲାଗେ ? ମୋ କଥା ଛାଡ଼ିଦିଅ । ମୁଁ ଗୋଟିଏ ଭୀରୁ ଛାଇତଳିଆ ଜୀବ, ମୁଁ ସେ ବୁଲ୍ ସାଙ୍ଗରେ ରାଗୁଥିଲି, କାନ୍ଦୁଥିଲି । ସର୍ବସାଧାରଣ ଦର୍ଶକ ସେମିତି ନୁହନ୍ତି, ତାଙ୍କର ସେ ତରଳ ଭାବପ୍ରବଣତା ନାହିଁ । ସେମାନେ ତାଳି ମାରୁଥିଲେ, ଖେଳର ପ୍ରତି ପଦରେ ‘ହୋଏ-ଲା’ ‘ହୋଏ-ଲା’ ପାଟି କରୁଥିଲେ । ସେଥିରେ ଟିପ୍ପଣୀ ଦେବାର କିଛି ନାହିଁ । ମୁଁ କେବଳ ଦୁଇଜଣଙ୍କୁ ଦେଖିଲି,—ସେମାନେ ପ୍ରେମ କରୁଥିଲେ । ବାହାର ଦୃଶ୍ୟରୁ ଅଲଗା ହୋଇଯାଇ ଆପଣା ସଂସାରର ସୁଖ କରୁ ନଥିଲେ । କାରଣ ମୁଁ ଦେଖିଲି ସେମାନେ ମଧ୍ୟ ତାଳି ମାରୁଛନ୍ତି, ମାତାଦୋର୍‍କୁ ବାହାବା କରୁଛନ୍ତି । କିନ୍ତୁ ତା’ରି ସାଙ୍ଗରେ ଦୁଇଜଣଯାକ ପରସ୍ପରକୁ କୁଣ୍ଢାଇ ଧରି ଚୁମ୍ବନ ଦେଉଥାଆନ୍ତି,—ପ୍ରେରଣାର ବିଜୁଳି ଲାଗିଲା ପରି, ଅଧୀର ଆନନ୍ଦର ତାଡ଼ନା ସହି ନ ପାରିଲା ପରି । ମୁଁ ଥରେ ଦେଖିଲି ପ୍ରଥମ ବର୍ଚ୍ଛାର ଗହୀରିଆ ଆଘାତ ପରେ, ଯେତେବେଳେ ରକ୍ତ ପ୍ରଥମେ ବୁଲ୍‍ର ଦେହ ଫୁଟାଇ ବାହାରିଲା ।’’

ଶ୍ରୋତାମାନଙ୍କ ଭିତରୁ ଜଣେ ପାଟି କରି ଉଠିଲେ, ‘‘ବନ୍ଦ କର’’ ।

କିନ୍ତୁ ରମଣୀବାବୁ ବନ୍ଦ ହେଲେ ନାହିଁ । କହିଲେ, ‘‘ମରିବା ମାରିବାର ଆନନ୍ଦ ନେଇ ସେମାନେ ଚୁମ୍ବନ ଦେଉଥିଲେ । ତା’କୁ ପ୍ରେମ କହିହେବ ନାହିଁ । ସେକ୍‍ସ ? ହୁଏତ ପାଖରେ ଏତେ ଲୋକବାକ ନ ଥିଲେ ସେମାନେ ଆଉ କେତେଦୂର ଆଗେଇ ଥାଆନ୍ତେ, ସମ୍ପୂର୍ଣ୍ଣ ସେକ୍‍ସର ସୁଖ ପାଉଥାଆନ୍ତେ ।’’

ଜଣେ କେହି ହସିଲେ । ରମଣୀବାବୁ ତାଙ୍କୁ ତିରସ୍କାର ଦୃଷ୍ଟିରେ ଚାହିଁଲେ, ଓ କହିଲେ, ‘‘ଆପଣଙ୍କୁ ଖୁବ୍ ମଜା ଲାଗୁଛି—ନା ?’’

ଏହାପରେ ଆମେ ସମସ୍ତେ ଲଜ୍ଜାରେ ମ୍ରିୟମାଣ ହୋଇଗଲୁ,—ନିଜପାଇଁ ଓ ମଣିଷ ସମାଜ ପାଇଁ । ମୋର ମନେ ହେଲା ଯେ ମେକ୍‍ସିକୋରେ ଯାହା ଘଟିଲା, ରମଣୀବାବୁ ଯାହା ଦେଖିଲେ ତାହା ଆମରି ଭିତରେ ଘଟି ପାରିବ । ପ୍ରେମ ଏମିତି ହୋଇପାରେ, ସେକ୍‍ସ ଏମିତି ହୋଇପାରେ । ମଣିଷର ବିଶିଷ୍ଟ ବିଚିତ୍ର ମନ,—ପଶୁପରି ନୁହେଁ ।

କିନ୍ତୁ କାହିଁକି ଏମିତି ହେବ ? ଏହି ଭାବର ଅସ୍ୱସ୍ତି ନେଇ ମୁଁ ରମଣୀବାବୁଙ୍କୁ ଅନାଇଲି । ଆତ୍ମ-ଗ୍ଳାନିକୁ ସହଜ କରିଦେବା ପାଇଁ ତାଙ୍କ ଦୁଃଖରେ ସହାନୁଭୂତି ଦେଲି । ବିଚରା ରୋମାଣ୍ଟିକ୍ ରମଣୀବାବୁ, ତାଙ୍କୁହିଁ ଏତେ ଭୋଗିବାକୁ ହୁଏ !

........ଫେରିବା ବେଳକୁ ମୁଁ ତାଙ୍କର ପ୍ରଚ୍ଛନ୍ନ ସ୍ମିତହାସ ଦେଖିଲି, କିମ୍ବା ହୁଏତ ଚୁମ୍ବନର ସୁନାମ ଉଦ୍ଧାର କରିବା ପାଇଁ ଠିକ୍‍ କରି ନେଲି । ଭାବିଲି,—ରମଣୀବାବୁ କଳାକାର । ଟିକିଏ ମିଛ କହୁ ନଥିବେ ବୋଲି କିଏ କହିବ ?

 

ସାଏଗନରେ ସୁଖ

 

ସ୍ଥାନ—ସାଏଗନ୍, ଦକ୍ଷିଣ ଭିଏତ୍‍ନାମ୍‍ର ରାଜଧାନୀ । ତାରିଖ,—ଅଗଷ୍ଟ ପନ୍ଦର, ଭାରତର ସ୍ୱାଧୀନତା ଦିବସ । କେତେବର୍ଷ ତଳର କଥା, ସେତେବେଳେ ଏହି ରକ୍ତାକ୍ତ ଗୃହଯୁଦ୍ଧ ଲାଗି ନଥାଏ-।

 

ସକାଳୁ ରସାଳ ଲୋହିତ ପାଚିଲା ଅମୃତଭଣ୍ଡା ଓ ବାମ୍ଫୁଆ କଳା କଫି ବିଶିଷ୍ଟ ବ୍ରେକ୍‍ଫାଷ୍ଟ ଖାଇସାରି ସିଗାରେଟ୍ ଲଗାଇ ମୁଁ ହୋଟେଲ ବାରଣ୍ଡାରୁ ଅନାଇ ରହିଥିଲି ରାସ୍ତାରେ ବୁଲୁଥିବା ସାଏଗନ୍-ବାସୀମାନଙ୍କୁ । ଉଦାରତାରେ ମନ ଭରି ଯାଇଥିଲା, ଆଜି ଭାରତର ସ୍ୱାଧୀନତା ଦିବସ । ମନେ ହେଉଥିଲା ଭାରତର ସ୍ୱାଧୀନତା କାହିଁ କେଉଁ ଯୁଗର । ଆଉ ଏମାନେ ବିଚରା ନୂଆକରି ସ୍ୱାଧୀନତା ପାଇଛନ୍ତି, ତାକୁ ନେଇ କଣ କରିବେ ବୋଲି ଧନ୍ଦାଳି ହେଉଛନ୍ତି । ରାସ୍ତାରେ ଧଳା ସିଲ୍‍କର ଲମ୍ବା ପୋଷାକ ପିନ୍ଧି ଝିଅମାନେ ତରତର ହୋଇ ଚାଲିଛନ୍ତି ଆଗକୁ । ହଳଦିଆ-ଗୋରା ଚିକ୍‍ଣ ମୁହଁରେ ନରମପଣ ଅଛି, ଦମ୍ଭ ନାହିଁ,—ଆସିବ କେଉଁଠୁ ? ମୁହଁରେ ସବୁବେଳେ ହସଖୁସି ଭାବି, ସତେ ଯେପରି ଜୀବନ ନିର୍ବାହର ପ୍ରତି ପଦରେ ଆମୋଦ ଭରି ରହିଛି-। ହୁଃ ! ହସି ନ ପାରିବାର ମହତ୍ତ୍ୱ ଏମାନେ ବୁଝିବେ କିପରି ? କାହିଁ ଏମାନଙ୍କର ବୋଧିଦ୍ରୁମ, ଚାରିହଜାର ବର୍ଷର ଚିନ୍ତା, ଅନୁଧ୍ୟାନ ଅନୁଶୀଳନ ? ଭାରତୀୟ ବୁଦ୍ଧ ବର୍ତ୍ତମାନ ଆସିଲେ ଦେଖନ୍ତେ ଯେ ତାଙ୍କର ଓ ତାଙ୍କ ଶିଷ୍ୟଙ୍କର ସବୁ ପରିଶ୍ରମ ଏଠି ବିଫଳ ହୋଇଯାଇଛି । ଏମାନେ ତଥାପି ହସୁଛନ୍ତି । ‘ଜୀବନ ଦୁଃଖମୟ’ର ମୂଳକଥା ବୁଝିପାରି ନାହାନ୍ତି ।

 

ଛାଡ଼, ଏମାନେ ବୁଝିବେ, ଏମାନଙ୍କୁ ବୁଝାଇବାକୁ ହେବ ! ଆମର ପୁରୁଣା ଦେଶରେ ଆଜି ତ୍ରିରଙ୍ଗ ପତାକା ଉଡ଼ୁଛି ବିଜୟ ଗର୍ବରେ । ସ୍ୱାଧୀନତା ! ମୁହଁରେ ହସ ନାହିଁ,—ଆମେ କଣ ପିଲା ହୋଇଛୁ ହସିବୁ ହାତ ଗୋଡ଼ ଛାଟି ପାଟି କରିବୁ ? ଆଜିର ଏ ସ୍ୱାଧୀନତା ଦାୟିତ୍ୱ ବହନ କରିବାର ଦୁଃଖ ସହିପାରିବାର ସ୍ୱାଧୀନତା । ମୁଣ୍ଡ ନଇଁ ଆସୁଛି ବିଶାଳ ସୁମହାନ୍ ଅତୀତ ଓ ଉତ୍ତୁଙ୍ଗ ବିରାଟ ଭବିଷ୍ୟତର କଳ୍ପନାରେ । ମହୋଦଧି...ମହାମେରୁ...ମହାଭାରତ...।

 

‘‘ହ୍ୟାଲୋ ମିଷ୍ଟର୍ ଦାସ୍, ଭାବନାରେ ଡୁବିଯାଇଛନ୍ତି ଏକାବେଳକେ ! ବାହାରକୁ ବାହାରିବେ ନାହିଁ ?’’ ଭାବନା ଭାଙ୍ଗିଗଲା । ଦେଖେ ମେଜର୍‍ ରାୟ ତାଙ୍କ ଗୋଲ ଜହ୍ନ-ମୁହଁରେ ପ୍ରଶସ୍ତ ହସ ଆଙ୍କି ଚାହିଁଛନ୍ତି ମୋ ଆଡ଼କୁ । ସେ ହସରେ ଭାବ ନାହିଁ, ବୁଦ୍ଧି ନାହିଁ, ଇଙ୍ଗିତ ନାହିଁ,—ଖାଲି ହସିବା, ମାଂସପେଶୀର ଗୋଟିଏ ପ୍ରକ୍ରିୟା ଯେଉଁଥିରେ ତାଙ୍କ ଧଳା ଚକ୍ ଚକ୍ ଦାନ୍ତ ଦି’ପାଟି ଦେଖାଯାଏ, ଆଖି ଦୁଇଟି ମିଞ୍ଜି ମିଞ୍ଜି ହୋଇଯାଏ, ଓ ଗୋରା ମାଂସଳ ମୁହଁ ଆହୁରି ଲାଲିଚିଆ ହୋଇ ଉଠେ ।

 

ମନ ଭିତରୁ କଥା ଉଠୁଥାଏ,—ହାୟ ମହାଭାରତ ! ମେଜର୍‍ ରାୟ, ଏ ମଧ୍ୟ ଭାରତମାତାର ସନ୍ତାନ !

 

‘‘ଆଜି ଅଗଷ୍ଟ ପନ୍ଦର, ମନେ ଅଛି ନା ? ଆଜି ଆମ ମେସରେ ଇଣ୍ଡିପେଣ୍ଡେନ୍‍ସ ଲଞ୍ଚ୍, ନିଶ୍ଚୟ ଆସିବେ । ମୁଁ ସେଇୟା କହିବାକୁ ଆସିଥିଲି ।’’

 

ମୁଁ ଅଳ୍ପ ହସି ନିମନ୍ତ୍ରଣ ସ୍ୱୀକାର କଲି, କହିଲି, ‘‘ନିଶ୍ଚୟ ଆସିବି । ‘‘ମେଜର୍‍ ରାୟ ପୁଣି ହସିଲେ ଏ କୂଳରୁ ସେ କୂଳ ଓ କହିଲେ, ‘‘ମୁଁ କେତେଥର ଭାବିଲିଣି ଆସିବି ଇୟାଡ଼େ, କିନ୍ତୁ ଆସିପାରୁ ନାହିଁ । ଆମ କାମ ତ ଜାଣିଛନ୍ତି, କୁଆଡ଼ୁ କିଛି ନା କିଛି ପହଞ୍ଚି ଯାଉଛି । ଆଚ୍ଛା ତାହାହେଲେ ମୁଁ ଆସୁଛି ଭାଇ । ଶୀଘ୍ର ଆସିବ । ଲଞ୍ଚ୍ ଆଗରୁ ଟିକିଏ ଏକାଠି ହେବା, ମିଳାମିଶା, କଥାବାର୍ତ୍ତା,—ନା କଅଣ ? କର୍ଣ୍ଣେଲ ଭୋପତ୍‍କର୍ ମଧ୍ୟ ଆସୁଛନ୍ତି, ବାକିସବୁ ଆମ ଦଳିଆ, ବେଶ୍ ଜମିବ । ହଁ କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସାଙ୍ଗରେ ନେଇଆସିବେ । ବାଏ-ବାଏ ।’’

 

ମେଜର୍‍ ରାୟ ଏ କଥା ଗୁଡ଼ା ଛିଡ଼ା ହୋଇ ଓ ଫେରି ଯାଉ ଯାଉ ଠାଏ ଠାଏ ବୁଲିପଡ଼ି କହିପାରିଥିଲେ । କଥା ସରିଲା ବେଳକୁ ସେ ତାଙ୍କ ଜିପ୍ ପାଖରେ, ‘ବାଏ, ବାଏ’ଟି ଛାଡ଼ିଦେଲେ ଜିପ୍ ଭିତରକୁ, ଆଉ ଚମଡ଼ାଲଗା ହାତଧରା ବାଡ଼ିଟିଏ ମୋ ଉଦ୍ଦେଶ୍ୟରେ ହଲାଇଦେଲେ ଥରେ ଖଣ୍ଡେ ।

 

ଜିପ୍ ଛାଡ଼ିଦେଲା ବେଳକୁ ମୋର ଇଚ୍ଛାହେଲା ଯେ ମୁଁ ସେହି ଚଉକିକୁ ଲାଗି ରହି ବସନ୍ତି ଦିନଯାକ ଓ ମେଜର୍ ରାୟମାନଙ୍କୁ ଛାଡ଼ିଦିଅନ୍ତି ସ୍ୱାଧୀନତା-ଲଞ୍ଚ୍‍ର ସମ୍ପୂର୍ଣ୍ଣ ଉପଭୋଗ ପାଇଁ-। ମୁଁ ସେ ଦଳର ନୁହେଁ । କିନ୍ତୁ ତା’ ପରେ ଦୁଃଖର ସହିତ ନିଜକୁ କହିଲି ଯେ ତା’ ହୋଇପାରିବ ନାହିଁ, ଉଚିତ୍‍ ହେବ ନାହିଁ । ଅନ୍ତତଃ ଆଜିକା ଦିନରେ ଉଚିତ୍‍ ହେବ ନାହିଁ । ଅତଏବ ନିଃଶ୍ୱାସଟିଏ ମାରି ମୁଁ ପୁଣି ମୋର ସ୍ୱାଧୀନତା ଦିବସର ଭାବନାଗୁଡ଼ିକୁ ଡାକି ଆଣିଲି । ଧୀରେ ଧୀରେ ସାଏଗନ୍‍ର ସକାଳୁଆ ହାଲୁକା ପବନରେ ଆଖି ବୁଜି ଆସିଲା । ଅଧାଚେତାରେ ଦେଖିଲି ଜଣେ ବିଦେଶିନୀ ନେଳିଆ ସିଲ୍‍କ ଓ ଗୋରା ଦେହର ନମୁନା ଦେଖାଇ ମୋରି ଟେବୁଲ ପାଖ ଦେଇ ଚାଲିଗଲେ, ଓ କାନରେ ପଡ଼ିଲା ହୋଟେଲ ରେଡ଼ିଓରୁ ବିଳିବିଳେଇ ହେଲା ପରି ଆମେରିକୀୟ ‘ଜାଜ’ର ଧୁନ୍ । ଆଖିପତା ଆହୁରି ଢାଙ୍କି ହୋଇଗଲା, ସ୍ୱାଧୀନତାର ପବିତ୍ର ଦିବସରେ ଏ ସବୁକୁ ତ୍ୟାଜ୍ୟ କରିଦେବା ପାଇଁ ।

 

ହେଲେ ଶୁଭଚିନ୍ତନ ଓ ସୁନିଦ୍ରା ସେ ଦିନ ମୋ କପାଳରେ ନ ଥିଲା । କିଛି ସମୟ ନ ଯାଉଣୁ ମୋ ପିଠିରେ ଗୋଟିଏ ପ୍ରବଳ ଆଘାତ ହେଲା । ଆଖି ଖୋଲି ଦେଖେ ଯେ ପୁଣି ଗୋଟିଏ ଅଲିଭ୍ ରଙ୍ଗର ଖାକି ପୋଷାକ । ଏମାନେ ମଣିଷକୁ କଣ ଟିକିଏ ଶାନ୍ତିରେ ରହିବାକୁ ଦେବେ ନାହିଁ-? ସଜାଡ଼ି ହୋଇ ବିରକ୍ତିମିଶା ଭଦ୍ରତାର ମୁଖା ପିନ୍ଧିବାକୁ ଯାଉଛି, ଏହି ସମୟରେ ଦେଖିଲି ଯେ ଏ ଖାକି ପୋଷାକକୁ ଏଡ଼ାଇ ଦେଇହେବ ନାହିଁ, ଏଡ଼ାଇ ଦେବାର ପ୍ରଶ୍ନ ଉଠୁ ନାହିଁ । କାରଣ ଏ ହେଉଛନ୍ତି ମୋର ‘ପରମବନ୍ଧୁ’ କ୍ୟାପଟେନ୍ ଚକ୍ରବର୍ତ୍ତୀ । ସେ ସେହି ହୋଟେଲରେ ଥାଆନ୍ତି । ସାଏଗନରେ ପହଞ୍ଚିବାର ଦିନେ ଦୁଇଦିନ ନ ଯାଉଣୁ ସେ ମୋତେ ତାଙ୍କ ବନ୍ଧୁତାର ଗୌରବ ଆଣି ଦେଇଛନ୍ତି, ଓ ତା’ ସହିତ ଦେଇଛନ୍ତି ସାଏଗନରେ ଚଳିବା ପାଇଁ କେତେ ପରାମର୍ଶ, ଉପଦେଶ, ଓ ଆତ୍ମ-ଚରିତାମୃତ । ସବୁବେଳେ ସେ ମୋତେ ମନେ ପକାଇବାକୁ ସୁବିଧା ଦିଅନ୍ତି ଯେ କ୍ୟାପଟେନ୍‍ ଚକ୍ରବର୍ତ୍ତୀ ନ ଥିଲେ ମୋର ଏ ସାଏଗନ୍‍ ରହଣି ଅନ୍ୟରକମର ହୋଇଥାଆନ୍ତା,—ନୀତିହୀନ, ଶ୍ରୁତିହୀନ, ଅତି ସାଧାରଣ, ହୁଏତ ମେଜର୍‍ ରାୟଙ୍କ ପରି, କିମ୍ବା କ୍ୟାପଟେନ୍ ସହାୟ...। ଭାବିଲା ବେଳକୁ ଦେହ ଶୀତେଇ ଉଠେ, ଭଗବାନଙ୍କର ଦୟା ମୁଁ କ୍ୟାପଟେନ୍‍ ଚକ୍ରବର୍ତ୍ତୀଙ୍କ ପରି ବନ୍ଧୁ ପାଇଛି । ସେ ଆନନ୍ଦ ନ ଦିଅନ୍ତୁ ପଛେ ନୀଚ ଉପଭୋଗର ନିରାନନ୍ଦରୁ ମୋତେ ରକ୍ଷା କରି ପାରିଛନ୍ତି । ଗଳିମୁଣ୍ଡ ହୋଟେଲ୍‍ର ତେଲ ସରସର ମାଛି ଭଣଭଣ ଖାଦ୍ୟ ମନେ ପଡ଼ିଲେ ଘରଣୀ ହାତରନ୍ଧା ଅଲଣା ଅଣହଳଦିଆ ତୁଣର ସୁଆଦ ଯେମିତି ବଢ଼ିଯାଏ, ସେମିତି କ୍ୟାପଟେନ୍‍ ସହାୟଙ୍କ କଥା ମନକୁ ଆସିଲେ କ୍ୟାପଟେନ୍‍ ଚକ୍ରବର୍ତ୍ତୀଙ୍କ ସାହଚର୍ଯ୍ୟ ଅମୂଲମୂଲରେ ଝଳି ଉଠେ, ଓ ମୁଁ ତାଙ୍କ ପାଖକୁ ଆହୁରି ଲାଗି ଆସେ, ଛାଇ ପରି । ସେତେବେଳେ ସେ ଯଦି କହନ୍ତି ଯେ ଆଜି ଡିନର୍‍ରେ ଖାଇବା ଯୋଗ୍ୟ କିଛି ନାହିଁ, ଅତଏବ ଖାଲି ‘ଭିଚିପାଣି’ (vichy water) ପିଇ ଶୋଇପଡ଼ିବା ଭଲ, ମୁଁ ତାଙ୍କ କଥାରେ ହଁ ଭରିଦିଏ, କହେ,—ହଁ, ମୁଁ ବି’ ଠିକ୍ ସେଇୟା ଭାବୁଥିଲି-

 

କ୍ୟାପଟେନ୍ ଚକ୍ରବର୍ତ୍ତୀ ପାଖ ଚଉକିରେ ବସି ପଡ଼ିଲେ । ମୋର ନିଦ ଭାଙ୍ଗି ଯିବାର ଦୁରବସ୍ଥା ଦେଖି ମୃଦୁ ହସ ହସିବାକୁ ଲାଗିଲେ, ସହାନୁଭୂତିର ହସ । ସେ ହସ ଚେତାଇ ଦେଉଥିଲା ତାଙ୍କର ଉପଦେଶ ବାଣୀ,—ପ୍ରାତଃଭ୍ରମଣ ଏକ ମାଇଲ୍, ଦି’ପହରେ ତିରିଶ ମିନିଟ୍ ବିଶ୍ରାମ, ସାନ୍ଧ୍ୟଭ୍ରମଣ ଏକ ମାଇଲ, ଓ ପୁଣି ଡିନର୍‍ ପରେ ଅଳସ ସ୍ଵଚ୍ଛନ୍ଦ ଭ୍ରମଣ ଏକମାଇଲ ।

 

ସେ ଆଖିରୁ ଚଶମା କାଢ଼ି ରଗଡ଼ିଲେ, ଖୁବ୍ ଜୋରରେ । ଆରମ୍ଭ କଲେ, ‘‘ମେଜର୍‍ ରାୟ ଆସିଥିଲା,—ନା ? ମୁଁ ଦେଖିଲି ସେ ଆସୁଛି, ସେଇଲାଗି ପଛରେ ରହିଗଲି । କଅଣ ଗପୁଥିଲା ?’’ସେ କହିଲେ ଅବହେଳାର ଭଙ୍ଗୀରେ, କିନ୍ତୁ ଆଖିରେ ଉତ୍ସୁକତା ଥିଲା । କାହିଁକି ? ଆଶ୍ଚର୍ଯ୍ୟ ହେଲି । କ୍ୟାପଟେନ୍ କଣ ତାଙ୍କ ସହକର୍ମୀମାନଙ୍କୁ ଜାଣନ୍ତି ନାହିଁ । ମେଜର୍‍ ରାୟଙ୍କ ପରି ଲୋକ, ତାଙ୍କଠି ନୂତନତ୍ୱ ଖୋଜିବା ବୃଥା । କାରଣ ସେମାନେ କିଛି ଭାବନ୍ତି ନାହିଁ । ଭାବିଲେ ସିନା ଭାବନାର କେତେ କନ୍ଦଳ କେତେ ଉଠାପଡ଼ା ନେଇ ମନର ରଙ୍ଗ ବଦଳିବ—କେତେବେଳେ ଦେବତା, କେତେବେଳେ ଦାନବ, କେତେବେଳେ ମଣିଷ, ଓ କେତେବେଳେ ପଶୁ । କିନ୍ତୁ ନ ଭାବିବାର ସ୍ୱର୍ଗରେ ସେ ତ ସବୁବେଳ ସେମିତି ହୋଇରହିବେ,—ଚିରନ୍ତନ ଚିରଞ୍ଜିବୀ ମେଜର୍‍ ରାୟ, ହସନ୍ତି ଓ ଡିଉଟି କରନ୍ତି ।

 

କିମ୍ବା ଧର କ୍ୟାପଟେନ୍ ସାହାୟ । ସେ ହୁଏତ ଭାବି ପାରନ୍ତି । ତାଙ୍କର ସେହି ବଡ଼ ବଡ଼ ଆଖିରେ ବେଳେବେଳେ ବୁଦ୍ଧିର ଆଭାସ ମିଳେ । କିନ୍ତୁ ସେ ତାଙ୍କ ଭାବନାକୁ କେବେଠୁଁ ଲୁହା ଶିକୁଳିରେ ଯୋଡ଼ି ଦେଇ ସାରିଲେଣି ସହଜ ପ୍ରବୃତ୍ତି ସାଙ୍ଗରେ । ଦିଯାନକ ହୁଇସ୍‍କି ବିଅର୍ ଇତ୍ୟାଦି, ଓ ରାତିହେଲେ ତଦୁପରି ନାରୀସଙ୍ଗ । ଲଗାମ ଛାଡ଼ି ଦେଇଛନ୍ତି ପହଞ୍ଚିଲେଣି ଯାଇ କେଉଁଠି । ତାଙ୍କଠାରେ ଆଉ ନୂଆ ଖୋଜିବ କଅଣ ? ସେ ନିର୍ଦ୍ଦିଷ୍ଟ ବ୍ୟକ୍ତି ହୋଇନାହାନ୍ତି, ଗୋଟାଏ ‘ଟାଇପ୍’, ଛାଞ୍ଚ ହୋଇ ଗଲେଣି ।

 

ସେମିତି ଅନ୍ୟମାନେ, ଯେତେକ ଭାରତୀୟ ଅଛନ୍ତି ଏଠି ଯେଉଁମାନଙ୍କୁ ମୁଁ ଜାଣିଛି । ସମସ୍ତେ ଏକା ପରି, ଏକରୁ ଆନ ବଳୀୟାନ,—ସ୍ରଷ୍ଟାର ଉପହାସ, ଲେଖକର ନିରାଶା ।

 

କେବଳ କ୍ୟାପଟେନ୍‍ ଚକ୍ରବର୍ତ୍ତୀ । କେବଳ ତାଙ୍କରି ଅଛି ବ୍ୟକ୍ତିତ୍ୱ, ନିଜତ୍ୱ, ଓ ମହତ୍ତ୍ୱ । ସିଡ଼ିର ଗୋଟାଏ ମୁଣ୍ଡରେ କ୍ୟାପଟେନ୍ ସହାୟ ହେଲେ ଆରମୁଣ୍ଡରେ କ୍ୟାପଟେନ୍ ଚକ୍ରବର୍ତ୍ତୀ । ନିଜକୁ ଭାଙ୍ଗିବାକୁ ଦେବେ ନାହିଁ, ଖସିବାକୁ ଦେବେ ନାହିଁ, ଯାହା ହେଉ ପଛେ । ଆପଣା ହାତରେ ଚଉଦ ପା’, କେହି ବୁଝନ୍ତୁ ନ ବୁଝନ୍ତୁ । କିନ୍ତୁ ଗୋଟିଏ କଥା, ସେ ନୀରସ । ତାଙ୍କୁ ନେଇ ରସର ସଞ୍ଚାର କାବ୍ୟରଚନା ହୋଇପାରିବ ନାହିଁ; ଅସମ୍ଭବ ।

 

ଏହି ହେଲା ଏଠିକାର ଚରିତ୍ରବର୍ଗ,—ଲେଖକ ବିଚରା କଣ କରିବ ଏଥିରେ !

 

କ୍ୟାପଟେନ୍ ଚକ୍ରବର୍ତ୍ତୀ ଉତ୍ତର ପାଇଁ ଅନେଇ ରହିଛନ୍ତି । ମୁଁ ତାଙ୍କୁ ମେଜର୍‍ ରାୟଙ୍କ ନିମନ୍ତ୍ରଣ କଥା କହିଲି, ଓ କହିଲି ଯେ ଏକାଠି ଯିବା, ଆଜିକାର ଉପଲକ୍ଷ୍ୟରେ ହେଉଛି ଯେତେବେଳେ, ଏତେ ଲୋକ ଆସୁଛନ୍ତି, ଇତ୍ୟାଦି ଇତ୍ୟାଦି ।

 

ସେ ହସି ଉଠିଲେ, ବୋଧହୁଏ ମୋର ଉତ୍ସାହ ଦେଖି, ଓ କହିଲେ, ‘‘ହଁ, ହଁ, ନିଶ୍ଚୟ ଯିବା-। ‘‘ତା’ପରେ କିଛି ସମୟ ରହିଯାଇ ଭାବିଲା ପରି ହୋଇ କହିଲେ, ‘‘ମେଜର୍‍ ରାୟ ଲୋକଟା ଭଲ, ମୁଣ୍ଡରେ କିଛି ନାହିଁ, ସବୁ କଥାରେ ଭାସିଯାଏ, ସମସ୍ତଙ୍କ ବୋଲ କରେ,—କିନ୍ତୁ ଅନ୍ୟମାନଙ୍କ ପରି ନୁହେଁ । ତାକୁ ଆପଣ ଏ ଆଡ଼କୁ ଡାକୁ ନାହାନ୍ତି ମଝିରେ ମଝିରେ ? ମୁଁ ଡାକିଲେ ଆସିବ ନାହିଁ, ଆପଣ ଡାକିଲେ ଆସିବ । ସେ ଆପଣଙ୍କ ଅଞ୍ଚଳର ଲୋକ ପରା ? ଆପଣ ତାଙ୍କ ବାପ ଭାଇମାନଙ୍କୁ ଜାଣନ୍ତି ନା କଣ କହୁଥିଲେ ?’’

 

ମୁଁ କହିଲି ‘‘ହଁ, ମୁଁ ସେମାନଙ୍କୁ ଜାଣେ । କିନ୍ତୁ ସେ ଦୃଷ୍ଟିରୁ କିଛି ଅଧିକା ହେଲାପରି ଲାଗୁନାହିଁ ।’’

 

ସେ ଆଉ କିଛି ପଚାରିଲେ ନାହିଁ । କିନ୍ତୁ ମୋର ଆଖିରେ ନାଚିଗଲା ମେଜର୍‍ ରାୟଙ୍କ ପରିବାର । ତାଙ୍କ ବାପା ଆମ ଅଞ୍ଚଳର ଜଣେ ଜଣାଶୁଣା, ରୁଚିସମ୍ପନ୍ନ, ମର୍ଯ୍ୟାଦାବାନ୍ ଲୋକ, ଏକାଧାରାରେ ବ୍ୟବସାୟୀ ଓ ନେତା, ଧନ ଓ ମାନରେ ବଡ଼ଲୋକ । ଏବଂ ସେହି ମର୍ଯ୍ୟାଦା ଓ ଧନରେ ଲାଳିତପାଳିତ ହୋଇ ତାଙ୍କର ପୁତ୍ରକନ୍ୟାମାନେ ଗୋଟିଏ ଦିଗରେ ଲାଗି ପଡ଼ିଛନ୍ତି,—ସେ ହେଉଛି ‘କଲଚର’ । ସମସ୍ତେ ଉଚ୍ଚ ଶିକ୍ଷିତ, କେବଳ ମେଜର୍‍ ରାୟଙ୍କ ଛଡ଼ା, ଓ ସେହି ଶିକ୍ଷାକୁ ଲୀଳାୟିତ କରିବାର ପ୍ରକୃଷ୍ଟ ଉପାୟ ସେମାନଙ୍କୁ ଜଣା ।

 

ମୁଁ ଥରେ ଅଧେ ଯାଇଛି ତାଙ୍କ ଘରକୁ, ତାଙ୍କ ବୈଠକଖାନାରେ ବସିବାର ସୌଭାଗ୍ୟ ପାଇଛି । ସେମାନେ ଆସିଛନ୍ତି ଯାଇଛନ୍ତି, ସୌଖୀନ ପୋଷାକରୁ ଧୂଳିକଣା ଝାଡ଼ିଛନ୍ତି, ଦାନ୍ତଚିପି ଧୀରେ ଧୀରେ କଥା କହିଛନ୍ତି, ଓ ତାଙ୍କ ଜ୍ଞାନର ଗାରିମାରେ ମୋତେ ଝଲସାଇ ଦେଇଛନ୍ତି । ସେମାନେ ଯୁକ୍ତି କରନ୍ତି ନାହିଁ, ପରସ୍ପର ମୁହାଁମୁହିଁ କଥା କହନ୍ତି ନାହିଁ, କାନ୍ଥଆଡ଼କୁ ଚାହିଁ କିମ୍ବା ଛାତକୁ ଅନେଇ କଥାପଦେ ଛାଡ଼ିଦିଅନ୍ତି । କିନ୍ତୁ କହନ୍ତି ବଡ଼ କଥା, ଗହୀରିଆ କଥା, ବିରାଟବିଶ୍ଵ ଉଦ୍ଦେଶ୍ୟରେ କହିଲାପରି ।

 

ସେହି ବଂଶର ମେଜର୍‍ ରାୟ । କେଉଁଠୁ ସେ ନିର୍ବୋଧ ହସ, ନିର୍ବୋଧ ଉତ୍ସାହ ପାଇଛନ୍ତି କେଜାଣି ! ଶୁଣିଛି ତାଙ୍କ ବାପା ତାଙ୍କ କଥା ପଡ଼ିଲେ ଆଡ଼େଇ ଦିଅନ୍ତି, କହନ୍ତି,—ଛାଡ଼ ତା’ କଥା । ଆଉ ଭାଇ ଭଉଣୀମାନେ ଅବହେଳାର ହସଟିଏ ଦେଇ ଦିଅନ୍ତି । ଏବେ ସେହି ଅବହେଳିତ ମେଜର୍‍ ରାୟ ଚାଲିଆସିଛନ୍ତି ବୈଠକ ଖାନାର ସଂସାରରୁ, ଖାଲି ହସୁଛନ୍ତି ଓ ଡିଉଟି କରୁଛନ୍ତି ।

 

କ୍ୟାପଟେନ୍ ଚକ୍ରବର୍ତ୍ତୀ ଚାହାଁନ୍ତି ତାଙ୍କୁ ପାଖକୁ ଆଣିବେ, ବଦଳାଇବେ । ରାମକୃଷ୍ଣ ପରମହଂସଙ୍କ କଥା କହିବେ, ‘ଭିଚି ପାଣି’ ଅଭ୍ୟାସ କରାଇବେ । ଦରକାର ? ଉଚିତ୍‍ ?

 

ମୋ ମନ ଭିତରୁ ପ୍ରାର୍ଥନା ଉଠିଲା—ଥାଉ । ଭାରତ ଭାଗ୍ୟବିଧାତା ତାଙ୍କୁ ଏମିତି ରଖିଥାଆନ୍ତୁ । ସାଏଗନରେ ତାଙ୍କ ସ୍ୱାଭାବିକ ରୂପ ଫୁଟିଉଠିଛି, ଆନନ୍ଦ ଦେଉଛି,—ଥାଉ ଏମିତି ଅମଳିନ ହୋଇ । ସ୍ୱାଧୀନତାର ଜୟ ହେଉ !

 

ସ୍ୱାଧୀନତା । ସ୍ୱାଧୀନତାର ଏହି ରୂପକୁ ଶ୍ରଦ୍ଧା କରି ହେବ ନାହିଁ, ସମ୍ମାନ ଦେଇ ହେବ ନାହିଁ । ତଥାପି କଳାକାରର ଦୃଷ୍ଟିରୁ ଭାବିଲି ଯେ ଏହି ବୈଚିତ୍ର୍ୟଟିକୁ ଭାଙ୍ଗିଦେବା ଉଚିତ୍‍ ହେବ ନାହିଁ । ସ୍ୱାଧୀନତାର ଇନ୍ଦ୍ରଧନୁ କାହାକୁ କେଉଁପରି ରଙ୍ଗ ଆଣି ଦେଉଛି,—ଦେଖିବାକୁ ଖୁସି ଲାଗିବ ନାହିଁ ? ନିଜକୁ କହିଲି ଯେ ନା, ଏମାନେ ଲେଖକର ନିରାଶା ନୁହନ୍ତି । ଏହି ହେଉଛି ନୂଆ ଦିଗ, ସାଏଗନରେ ଏମାନଙ୍କର ସ୍ୱାଧୀନତା ସୁଖ । ନିଜର ଦେଶ, ସମାଜ, ପରିବାରର ବେଷ୍ଟନୀରୁ ଚାଲିଆସି ସେଥିର ‘ନାହିଁ’ ସେଥିର ଦାୟିତ୍ୱ, ସେଥିର ଅପୂରଣକୁ ଭୁଲିଯିବାର ଓଲଟାଇ ଦେବାର ସାହସ ଓ ଆନନ୍ଦ ।

 

ଲଞ୍ଚ୍‍କୁ ଯିବା ଆଗରୁ ସେହି ଭାବନା ମୋର ମନରେ ଖେଳୁଥାଏ । ଏମାନେ ସ୍ୱାଧୀନତା ପାଇଛନ୍ତି ଏଠି । ଏମାନେ ଯାହା ଯେମିତି କରୁଛନ୍ତି, ଯେପରି ଭାବରେ ସମୟ ବିତାଉଛନ୍ତି, ସବୁରି ମୂଳରେ ସେହି ଗୋଟିଏ କଥା ଅଛି,—ମୁଁ ଖସି ଆସିଛି ! ଭାରତମାତାର ପ୍ରଶସ୍ତ ସ୍ନେହମୟ କୋଳରୁ ଚାଲିଆସି ଖୁସି ହେଉଛନ୍ତି, ପଘା ଛିଣ୍ଡାଇ ଆସିଲା ପରି । କି ପିଲାଳିଆମି, କି ବାଚାଳତା-! ଦୟା, ସହାନୁଭୂତି ଓ ଆମୋଦର ମିଶାମିଶି ଭାବ ମୋ ମନରେ ଆସୁଥାଏ, ଓ ମୋଟ ଉପରେ ମୋତେ ଭଲ ଲାଗୁଥାଏ ଯେ ମୁଁ ମୋର ଲେଖାପାଇଁ ଗୋଟିଏ ନୂଆ ଆଧାର ପାଇଛି ।

 

.......ମୁଁ ଓ କ୍ୟାପଟେନ୍ ଚକ୍ରବର୍ତ୍ତୀ ପହଞ୍ଚିଲାବେଳକୁ ପ୍ରାୟ ସମସ୍ତେ ଆସିଗଲେଣି । ମେଜର୍‍ ରାୟ ଘରର ଗୋଟାଏ ମୁଣ୍ଡରେ ଥିବା ବିବିଧ କାଚପାତ୍ର ସୁଶୋଭିତ ଟେବୁଲ୍‍ ପାଖରେ ଛିଡ଼ା ହୋଇ କୁହାଟ ଛାଡ଼ିଲେ, ‘‘ଆସନ୍ତୁ, ଆସନ୍ତୁ ମିଷ୍ଟର୍ ଦାସ୍, କ୍ୟାପଟେନ୍‍ ଚକ୍ରବର୍ତ୍ତୀ । ମିଷ୍ଟର୍ ଦାସ୍, କଣ ଆଣିବି ? ହାଲୁକା ନା ଭାରୀ ? ଧଳା ନା ହଳଦିଆ ? କୁହନ୍ତୁ ଶୀଘ୍ର । ନା,—ଆପଣ କହିବେ ନାହିଁ ଜାଣେ, ନିଜେ ଦେବାକୁ ପଡ଼ିବ । ଅତଏବ ନିଅନ୍ତୁ ଏଇ— ।’’

 

ଏ ବାଗ୍‍ମୀତାର ସ୍ରୋତ ରୋଧିବ କି ? ପରିବେଷଣ ସଫଳ ହେଉ । ମୁଁ ହାତ ବଢ଼େଇଲି । କାଚରେ କାଚ ଝଣଝଣେଇଲା ଓ ଯୁଗପତ୍ ଦଶପନ୍ଦରଟି ଗ୍ଲାସ ଈଷତ୍ ଉପରକୁ ଉଠିଲା ମୋର ସ୍ୱାସ୍ଥ୍ୟ ପାନକରିବା ପାଇଁ । ବଲିହାରି ସ୍ୱାଧୀନତା । ଭାରତର କେଉଁ କୋଣରେ ସ୍ୱାଧୀନତା ଦିବସର ସମ୍ମାନ ଦିଆହେଉଥିବ ଏମିତି ?

 

ଜାଣିଥିଲେ ମଧ୍ୟ ଅନାଇଲି କ୍ୟାପଟେନ୍‍ ଚକ୍ରବର୍ତ୍ତୀଙ୍କ ଆଡ଼କୁ । ତାଙ୍କ ହାତରେ ଗିଲାସ ନାହିଁ, ତାଙ୍କୁ କେହି ଯାଚିନାହିଁ କି ସେ ମାଗିନାହାନ୍ତି । ପାଞ୍ଚବର୍ଷ ହେଲାଣି ସେ ଏହି ଉପଭୋଗରୁ ନିଜକୁ ବଞ୍ଚିତ କରିଛନ୍ତି । ପାଞ୍ଚବର୍ଷ ତଳେ, ଯେତେବେଳେ ତାଙ୍କର ନବବିବାହିତା ସ୍ତ୍ରୀ ତାଙ୍କୁ ଛାଡ଼ିଦେଇ ଚାଲିଗଲେ ସବୁଦିନ ପାଇଁ । ସେହିଦିନୁ ଅର୍ଥାତ୍‍ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ଅନେକ କିଛି ଛାଡ଼ିଛନ୍ତି, ତା’ ଭିତରୁ ଏ ଗୋଟିଏ ।

 

କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ ଆଖିରେ ମିଟିମିଟିକା ତାରାଟିଏ ଥିଲା, କେବଳ ମୋର ବୁଝିବା ପାଇଁ । ମିଷ୍ଟର୍‍ ଦାସ ଏ ଦଳକୁ ସ୍ୱୀକାର କରି ନେଇଛନ୍ତି ତାହାହେଲେ,—ହଁ, ଯେତେହେଲେ ଅଳ୍ପ ବୟସ ! ମୁଁ ହସିଲି ତାଙ୍କର ଏହି ଅନୁମାନରେ, ଟିକିଏ ଲାଜ ଲାଗିଲା । କିନ୍ତୁ ନିଜକୁ କହିଲି ଯେ ମୁଁ ମିଶାଇ ନାହିଁ ଆପଣାକୁ, ମିଶାଇବାର ଛଳନା କରିଛି ଏମାନଙ୍କୁ ଭଲଭାବରେ ଜାଣିବା ପାଇଁ, ଏମାନଙ୍କର ରୂପରଙ୍ଗ ଆହୁରି ପାଖରେ ଦେଖିବା ପାଇଁ । କ୍ୟାପଟେନ୍ ଚକ୍ରବର୍ତ୍ତୀ କେଉଁଠୁ ଜାଣିବେ ଲେଖକର ସନ୍ଧାନୀ ମନ କେଉଁ ଧାତୁରେ ଗଢ଼ା ?

 

ଉଲ୍ଲାସ ଫାଟି ପଡ଼ୁଛି । କାହା କଥା କାହାକୁ ଶୁଭୁନାହିଁ, କି କେହି ଶୁଣିବାର ପ୍ରୟୋଜନ ମନେ କରୁ ନାହାନ୍ତି । ମୋ ପାଖରେ ବସିଥିବା ଯୁବକ ସିନ୍ଧୀ ବ୍ୟବସାୟୀ ଜଣକ,—ମିଷ୍ଟର୍‍ ମିରାନୀ, ଯେ କି ‘କମିସନ’ର ଅଫିସର୍‍ ମହଲରେ ସୁପରିଚିତ—, କଣ କହିଲେ ମୋ କାନରେ ଫୁସ୍ ଫୁସ୍ ହୋଇ, ମୁଁ ମୁଣ୍ଡ ଟୁଙ୍ଗାରିଲି । ସୁନା ଦାନ୍ତ ଲଗାଇଥିବା ସ୍ୱାସ୍ଥ୍ୟବାନ୍‍ ମଧ୍ୟବୟସ୍କ ଡକ୍ଟର ଚୋପ୍ରା ଅଭିଯୋଗ କଲେ ଯେ ମେଜର୍‍ ରାୟ ସମସ୍ତଙ୍କ ଖାଲି ଗ୍ଲାସ୍‍ ଭରି ଚାଲିଛନ୍ତି, କିନ୍ତୁ ନିଜର ଗ୍ଲାସ ପୂରା ରହିଛି ସେମିତି । ମେଜର୍‍ ରାୟ ତାଙ୍କ କଥାରେ ହସିଲେ ଓ ଗ୍ଳାସ୍‍କୁ ଉପରକୁ ଟେକି ଜୋରରେ ଗୋଟାଏ ଢୋକ ଦେଲେ । କିନ୍ତୁ ମୁଁ ଜାଣେ ଯେ ତାଙ୍କଇ ଗ୍ଲାସ୍‍ ଆଜି ସରିବ ନାହିଁ । ମେଜର୍‍ ରାୟ ଉପଭୋଗ ବାଣ୍ଟି ପାରନ୍ତି, ନିଜେ କେବଳ ନିମିତ୍ତ ମାତ୍ର,—ସେହିଥିରେ ତାଙ୍କର ଆନନ୍ଦ-।

 

କୋଳାହଳ ଭିତରେ ହଠାତ୍ ଗୋଟାଏ ଧାରୁଆ ଚିତ୍‍କାର ଶୁଣାଗଲା,—‘‘ଡ୍ୟାମ ହୋପଲେସ୍, ଏ ଗୁଡ଼ାକ ମଣିଷ ପିଅନ୍ତି ! ମେଜର୍‍ ରାୟକୁ ଇଣ୍ଡିଆ ପଠେଇ ଦିଅ ।’’ ଦେଖିଲି କର୍ଣ୍ଣେଲ୍‍ ଭୋପତ୍‍କର୍ କହୁଛନ୍ତି, ଖାଲି ଗ୍ଲାସ୍‍ ଟେବୁଲ୍‍ ଉପରେ କଚାଡ଼ି ଦେଇ । ମୋର ଯେତେଦୂର ଅନୁମାନ ସେତେବେଳକୁ ତାଙ୍କର ତିନିଚାରି ପେଗ୍‍ ସରିଗଲାଣି । ତା’ପରେ ଦେଖିଲି ମେଜର୍‍ ରାୟ ସ୍ମିତ ହସଟିଏ ଦେଇ ଆଖି ଠାରୁଛନ୍ତି ଡକ୍ଟର ଚୋପ୍ରାଙ୍କ ଆଡ଼େ । ଡକ୍ଟର ଚୋପ୍ରା କ୍ୟାପଟେନ୍ ସହାୟଙ୍କ ଆଡ଼େ ଚାହିଁ ହସୁଛନ୍ତି । ଆଉ କ୍ୟାପଟେନ୍ ସହାୟ ନିଦୁଆ ଢଳୁ ଢଳୁ ଆଖିରେ ସମ୍ମତି ଜଣାଉଛନ୍ତି, ହସିବା ପାଇଁ ଶକ୍ତି ନ ଥିଲା ପରି । ମନେହେଲା ଯେ ସମସ୍ତେ କର୍ଣ୍ଣେଲ ଭୋପତ୍‍କର୍ ଜନିତ ଆମୋଦ୍‍ଟିକୁ ଉପଭୋଗ କରୁଛନ୍ତି, ପାନୀୟ ଆହୁରି ମଧୁର ହୋଇ ଉଠୁଛି ।

 

ଏତିକିବେଳେ ମେଜର୍‍ ରାୟ ପାଟି କଲେ ‘‘ବର୍ତ୍ତମାନ ଲଞ୍ଚ୍ ପୂର୍ବରୁ ଶେଷ ଆଇଟେମ୍ ।’’ କଣସବୁ ଆଇଟେମ୍ ଗଲାଣି ଏହା ଭିତରେ ମୁଁ ଜାଣି ପାରିଲି ନାହିଁ ।’’ ବର୍ତ୍ତମାନ ଆପଣମାନଙ୍କୁ ଖଣ୍ଡେ ଖଣ୍ଡେ କାଗଜ ଦିଆଯିବ । ସେଥିରେ ଆପଣମାନେ ନିଜର ମତ ଅନୁଯାୟୀ ଏହି ରୁମରେ ଥିବା ସବୁଠାରୁ ସୁନ୍ଦର ଭଦ୍ରବ୍ୟକ୍ତିଙ୍କର ନାଁ ଲେଖିଦେବେ । ଯେ ସବୁଠାରୁ ବେଶି ଭୋଟ ପାଇବେ ତାଙ୍କୁ ସମସ୍ତଙ୍କ ତରଫରୁ ସ୍ୱାଧୀନତା ଦିବସର ବିଶିଷ୍ଟ ଉପହାର ଦିଆଯିବ ।’’ ‘ହିଅର ହିଅର’, ଧ୍ୱନି ଓ କରତାଳି ଘୋଷଣାର ସମର୍ଥନ କଲା । ଯଥାକ୍ରମେ ମୁଁ ଖଣ୍ଡେ କାଗଜ ପାଇଲି ଓ ମିଷ୍ଟର ମିରାନୀଙ୍କଠାରୁ ମେଜର୍‍ ରାୟଙ୍କ ଆଡ଼େ ଚାହିଁଲି । କାହାକୁ ଭୋଟ ଦେବି ? ମିରାନୀଙ୍କର ଗୋରା ଛନଛନିଆ ଚେହେରା ହେଲେ ଟିକିଏ ନାରୀ ସୁଲଭ,—ମେଜର୍‍ ରାୟଙ୍କର ଗୋଲଗାଲ ମପାଚୁପା ଚେହେରା କିନ୍ତୁ ନିହାତି ସାଧାରଣ,—କ୍ୟାପଟେନ୍ ଚକ୍ରବର୍ତ୍ତୀ, ସାବନା ରଙ୍ଗ କିନ୍ତୁ ରୁକ୍ଷ ଭାବୁକ ଭଙ୍ଗୀ, । ଭାବୁଛି ଏହି ସମୟରେ ଡାକ୍ତର ଚୋପ୍ରା ମୋ କାନରେ କଣ କହିଲେ । ପ୍ରଥମେ ବୁଝିପାରିଲି ନାହିଁ, କିନ୍ତୁ ତା’ପରେ ତାଙ୍କ ମୁହଁର ହସ ଓ ଜାଣିଲା ଭାବ ଦେଖି ବୁଝିଲି ଜନତାର ଉଦ୍ଦେଶ୍ୟ କଅଣ । ଆଶ୍ଚର୍ଯ୍ୟ ହେବାକୁ ସମୟ ପାଇଲି ନାହିଁ ଓ ଜନତାର ହୁକୁମ ତାମିଲ୍ କଲି ।

 

ଭୋଟ ଗଣତି ହେଲା । ଭୋଟ କାଗଜ ତନଖି ସାରି ହାତଟେକି ଆହ୍ଲାଦସୂଚକ ଧ୍ୱନିଦେଇ ମେଜର୍‍ ରାୟ ପ୍ରକାଶିଲେ, ‘‘ଭୋଟ୍‍ର ଫଳ । ସର୍ବ ସମ୍ମତିକ୍ରମେ ସବୁଠାରୁ ସୁନ୍ଦର ସୁପୁରୁଷ ବୋଲି ବିବେଚିତ ହୋଇଛନ୍ତି କର୍ଣ୍ଣେଲ ଭୋପତ୍‍କର୍ । ଥ୍ରୀ ଚିଅର୍‍ସ୍ ଫର୍ ।’’ ଘନ ଘନ କରତାଳି ସାଙ୍ଗରେ ଯାଦୁମୁଣିରୁ ବାହାର କଲାପରି ମେଜର୍‍ ରାୟ କେଉଁଠୁଁ କାଢ଼ି ଆଣିଲେ ସାମ୍ପେନ୍ ବୋତଲଟିଏ ଓ ଟେବୁଲ ଉପରେ ରଖି କହିଲେ, ‘‘ଏଇ ହେଉଛି ସ୍ପେଶାଲ୍‍ ଉପହାର, ନାଁ କର୍ଣ୍ଣେଲସ୍ ସ୍ପେଶାଲ୍‍, କେବଳ କର୍ଣ୍ଣେଲ ଭୋପତ୍‍କରଙ୍କ ପାଇଁ ।’’ ପୁଣି ଘନ ଘନ କରତାଳି ଓ ସମସ୍ତଙ୍କ ଦୃଷ୍ଟି କର୍ଣ୍ଣେଲ ଭୋପତ୍‍କାରଙ୍କ ଆଡ଼େ ।

 

କର୍ଣ୍ଣେଲ ଭୋପତ୍‍କର୍‍ ଏହି ଚପଳତାକୁ ଉପହାସ ମନେ କରି ରାଗିଲେ ନାହିଁ, କିନ୍ତୁ ହସିଲେ କି ନାହିଁ ବୁଝା ଗଲା ନାହିଁ। ବେତ ଚଉକିରେ ତଳେଇ କରି ବସିଥାନ୍ତି ସେମିତି, ଫଳାଫଳ ଶୁଣି ଓଠର ବକ୍ରରେଖା ଗୋଟାଏ ପାଖକୁ ବେଶି ନେସେଡ଼ି ହୋଇଗଲା ।

 

କର୍ଣ୍ଣେଲ୍‍ ଭୋପତ୍‍କର ଦରବୁଢ଼ା । ତାଙ୍କୁ ଦେଖିଲେ ମନେ ହେବ ଯେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ତାଙ୍କର ଧନୁର୍ଗୁଣ ଟାଙ୍କି ହୋଇଯାଇଛି, ଆହୁରି ଦୂରକୁ, ଆହୁରି ପଛକୁ । ଏହିଥର ବୋଧହୁଏ ସେ ତୀର ପେଷିବେ । ତାଙ୍କର ଟାକୁଆ ଗାଲ, କ୍ରମବର୍ଦ୍ଧିଷ୍ଣୁ କପାଳ ସହିତ ପ୍ରସାରଣଶୀଳ ଚିବୁକ, ଛୋଟିଆ ଆଖିର ଅହଂକାର, ପାତାଳ ଓଠର ଧାର, ହାତ ଓ ଶିରାର ବହୁଳତା ଏହି ଭାବର ସୂଚନା ଦିଏ ।

 

ସେ ଭାରତ ଛାଡ଼ିଲେଣି ବହୁତ ଦିନୁ । ସାଏଗନ୍ ଆସିବା ଆଗରୁ ସେ ଅନ୍ୟାନ୍ୟ ବିଦେଶ ଭୂମିରେ କାମ କରିଛନ୍ତି । ଭାରତ ଯିବା କଥାପଡ଼ିଲେ କହନ୍ତି,—‘‘ଧନ୍ୟବାଦ, ମୁଁ ଏଠି ଖୁବ୍ ଭଲ ଅଛି । ମୋର ପ୍ରିୟ ଜନ୍ମ ଭୂମିକୁ ମୋର ନମସ୍କାର ଜଣାଇଦେବେ ।’’ ଥରେ ଜଣେ ଭଦ୍ରବ୍ୟକ୍ତି ଚତୁରତାର ଭଙ୍ଗୀରେ କହିଲେ, ‘‘ସେ କାହିଁକି ଯିବାକୁ ଚାହାନ୍ତି ନାହିଁ ଜାଣନ୍ତି ? ତା’ର କାରଣ ଭାରତରେ ଭାରତୀୟ ନାରୀ ଅଛନ୍ତି !’’ ମୋ ଛଡ଼ା ଅନ୍ୟମାନେ ହୋ ହୋ ହୋଇ ହସି ଉଠିଲେ, କଥାର ଗୂଢ଼ ଇଙ୍ଗିତ ବୁଝିଲା ପରି ।

 

ପରେ ମୁଁ ଯାହା ଜାଣିଲି ଘଟଣା ଭିତରେ ଏତିକି ଯେ, କର୍ଣ୍ଣେଲ ଭୋପତ୍‍କରଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଦେଇ ଚାଲି ଯାଇଛନ୍ତି,—ପ୍ରାୟ ଦଶ ପନ୍ଦର ବର୍ଷ ହୋଇଗଲାଣି । ପୁଣି ଶୁଣାଯାଏ ଯେ, ସେ ଆଉ ଜଣେ ସାଧାରଣ ଲୋକକୁ ବାହା ହୋଇ ଘରସଂସାର କରି ଅଛନ୍ତି । ହେଲା, ତେବେ ସେଥିପାଇଁ କର୍ଣ୍ଣେଲ ଭାରତ ଫେରିଯିବାକୁ ଚାହିଁବେ ନାହିଁ କାହିଁକି ? ଲଜ୍ଜା ? ଅପମାନ ? ବିଫଳ ପ୍ରେମର ଗ୍ଳାନି ? ? ନା ଆଉ କଅଣ ?

 

ଭୋପତ୍‍କରଙ୍କ ଆଡ଼େ ଅନେଇଲି । ଆଖି ଦରବୁଜା ହୋଇ ଆସିଛି । ଲମ୍ବା ନାକରେ ସରୁ ନାକପୁଡ଼ା ଚଞ୍ଚଳ ହୋଇ ଉଠୁଛି । ଓଠ ପୁଣି କଙ୍କି ଯାଇଛି ଆଗପରି, ବିଦ୍ରୂପର ଭଙ୍ଗୀରେ । ହଠାତ୍ ମନରେ ପ୍ରଶ୍ନଉଠିଲା,—ସାପ କଣ କେବେ ପ୍ରେମ କରିପାରେ ? ଯେ ଦଂଶିବାପାଇଁ ଜନ୍ମ ହୋଇଛି, ଦଂଶିବାରେ ଯାହାର ଚରମ ଉପଭୋଗ ତା’ର ଚୁମ୍ବନରେ କଣ ଥିବ ? ନିର୍ଦ୍ଦୟ ବିଷ ଚୁମ୍ବନ । ତଥାପି ସେ ହୋଇଥିବ ନିବିଡ଼, ନିଗିଡ଼ା ଅନୁଭୂତି ଦିଆ, ଓ ଖାଲି ନିଜପାଇଁ, ନିଜକୁ ନେଇ-। ମିସେସ୍ ଭୋପତ୍‍କର ତାକୁ ବୁଝିପାରିଲେ ନାହିଁ, ସମ୍ଭାଳି ପାରିଲେ ନାହିଁ,—ଦୋଷ କଣ କର୍ଣ୍ଣେଲ୍‍ଙ୍କର ? ଆଜି ସେହି ପୂର୍ବତନ ମିସେସ୍ ଭୋପତ୍‍କରଙ୍କୁ ପ୍ରେମ ଦେଇ ଚୁମ୍ବନ କରୁଛି ଆଉ ଜଣେ କିଏ ? କର୍ଣ୍ଣେଲ ଭୋପତ୍‍କର କଣ କରନ୍ତେ ତା’ ହେଲେ ? ଭାରତ ଫେରିଯାଆନ୍ତେ ? ନା,–ଏଇ ଭଲ ବିଦେଶଭୂଇଁରେ ଶାସନ ଉପଭୋଗ, ନିଃସଙ୍ଗ ଆପଣା-ଭରା ରାଜତ୍ୱ । ତା’ଛଡ଼ା ଏଠି ଭାରତୀୟା ନାରୀ ନାହାନ୍ତି । ସ୍ତ୍ରୀ ଜାତିକୁ ଘୃଣା କରି ବଞ୍ଚିହେବ ଏଠି, ସ୍ଵଚ୍ଛନ୍ଦରେ ରହିହେବ ।

 

ହାୟ ! ସେଇଠି ଦେଖ କ୍ୟାପଟେନ୍‍ ଚକ୍ରବର୍ତ୍ତୀଙ୍କୁ । ସେ ମଧ୍ୟ ସ୍ତ୍ରୀ ପରିବାର ସୁଖରୁ ବଞ୍ଚିତ । ସେ ମଧ୍ୟ ନାରୀସଙ୍ଗ ବିମୁଖ । କିନ୍ତୁ ନାରୀଜାତି ବିଶେଷତଃ ଭାରତୀୟା ନାରୀ ପ୍ରତି ତାଙ୍କର କି ଗଭୀର ଶ୍ରଦ୍ଧା ଓ ସମ୍ମାନ ! ଏହି ଯେଉଁ ମିଷ୍ଟର ଓ ମିସେସ୍ ପ୍ରସାଦ ବ୍ୟବସାୟ ସଂକ୍ରାନ୍ତରେ ସାଏଗନ୍‍କୁ ଆସିଛନ୍ତି କେତେଦିନ ହେଲା, ତାଙ୍କ ସାଙ୍ଗରେ କିଛିଦିନ ଦେଖାସାକ୍ଷାତ ହୋଇ ସାରିଲା ପରେ କ୍ୟାପଟେନ୍‍ ଚକ୍ରବର୍ତ୍ତୀ ମିସେସ୍ ପ୍ରସାଦଙ୍କର ବ୍ୟବହାରରେ ମୁଗ୍ଧ ହୋଇ ଯାଇଛନ୍ତି । କେତେଥର ମୋତେ ତାଙ୍କ ବସାକୁ ନେଇଛନ୍ତି ଓ ମିସେସ୍ ପ୍ରସାଦଙ୍କର ଅତିଥିସତ୍କାର ତାଙ୍କର ରୁଚି, ତାଙ୍କର ସଂଭ୍ରମ ଓ ଶୀତଳତାକୁ ପ୍ରତିପଦରେ ଲକ୍ଷ୍ୟ କରିବାକୁ କହିଛନ୍ତି-। କଥାରେ, ଇଙ୍ଗିତରେ ମୋତେ ବୁଝାଇବାକୁ କହିଛନ୍ତି ଯେ, ଏହି ହେଉଛି ଆଦର୍ଶ ଭାରତୀୟା ନାରୀ ସ୍ଵଗୁଣରେ ବିଶ୍ଵଜଗତକୁ ନିଜର କରିପାରେ । ମୁଁ ହଁ ଭରିଛି ଓ କେଜାଣି କାହିଁକି ମୋର ମନେ ପଡ଼ିଯାଇଛି ସରସ୍ୱତୀ ବନ୍ଦନା,—‘କଜ୍ଜ୍ୱଳପୂରିତ ଲୋଚନ ଧାରେ, ବକ୍ଷ ସୁଶୋଭିତା ମୁକୁତା ହାରେ । ‘ମିସେସ୍ ପ୍ରସାଦ,—ବିପୁଳତା, ସଂପନ୍ନତା ଓ ସମ୍ପୂର୍ଣ୍ଣତାର ପ୍ରତୀକ । କେଉଁଠି କିଛି ଅଧିକ ପାଇବାକୁ ନାହିଁ । ପ୍ରତିଷ୍ଠା ଓ ଗାରିମା ଝଟକୁଛି ତାଙ୍କ ଦୀର୍ଘ ଉଜ୍ଜ୍ୱଳ ଦେହରେ, ତାଙ୍କ ବସନଭୂଷଣରେ ଓ ତାଙ୍କର ସୁନିର୍ଦ୍ଦିଷ୍ଟ ଉଦାର ଭଙ୍ଗୀରେ । ମନେହୁଏ ଯେ, ସେ ସହସ୍ର ଭୋକିଲା ପ୍ରାଣୀଙ୍କର ଥାଳ ଭରି ଦେଇପାରନ୍ତି; ଅଥଚ ସେ ଥରେ କହିଲେ ଆମ ଆଡ଼କୁ ଚାହିଁ,—‘‘ବୁଝିଲେ ନା କ୍ୟାପଟେନ୍, ମୁଁ ନିଜପାଇଁ କିଛି ଚାହେଁ ନାହିଁ, କେବେହେଲେ ଚାହିଁ ନାହିଁ । କେବଳ ଏତିକି ଚାହେଁ ଯେ ସ୍ୱାମୀପିଲାଙ୍କ ଆଗରେ ମୁଁ ଚାଲିଯାଏ ଯେମିତି ।’ ସେହି କରୁଣା ଅବନତ ଯାଚନାଭରା ଚାହାଣି,–ସତେ ଯେପରି ଅନ୍ନପୂର୍ଣ୍ଣା ନିଜେ ଦୁଃଖିନୀ ହୋଇ ହାତ ପତାଉଛନ୍ତି ଜନତାକୁ !
 

କଳ୍ପନା ତୁଟିଗଲା ପ୍ରବଳ ପାଟିତୁଣ୍ଡରେ । ଦେଖେ ସମସ୍ତେ ଉଠିପଡ଼ି ମୁହାଁଇଛନ୍ତି ଡାଇନିଂ ରୁମ୍‍ ଆଡ଼କୁ । ପାଖରେ, ଅତିପାଖରେ କର୍ଣ୍ଣେଲ ଭୋପତ୍‍କର୍,—ଓଠର ରେଖା ସେମିତି ବିକୃତ, ଅନେଇଛନ୍ତି ମୋ ଆଡ଼େ । ମନେହେଲା ସେ ମୋର କଳ୍ପନାକୁ ଘୃଣାକରି ତାଚ୍ଛଲ୍ୟରେ ମୁହଁକରି ବସିଛନ୍ତି ସେମିତି ।

 

....ଲଞ୍ଚ୍ । ସ୍ୱାଧୀନତା ଦିବସର ଆହାର-ଉତ୍ସବ । ବିବିଧ ସାମଗ୍ରୀ ସଜାହୋଇ ରଖା ହୋଇଛି ଟେବୁଲ୍‍ ଉପରେ । ଖାଦ୍ୟପେୟର ବିଭିନ୍ନତା ଭାରତର ଅନ୍ତର୍ନିହିତ ଏକତା ପ୍ରଚାର କରୁଛି-। ଏଠି ଅଛି ପଞ୍ଜାବୀ ବିରିଆନୀ, ମୋଗଲାଇ ରୋଗନ୍—ଜୋସ୍, ମାନ୍ଦ୍ରାଜୀ ସମ୍ବାର୍ ଓ ସବୁରି ଉପରେ ପାଶ୍ଚାତ୍ୟ ଫୁଡ଼ିଙ୍ଗ୍‍ । ମେଜର୍‍ ରାୟ ଘୂରିବୁଲୁଛନ୍ତି ଏ ପାଖରୁ ସେ ପାଖ, ଏଇଟା ନିଅନ୍ତୁ ସେଇଟା ନିଅନ୍ତୁ କହି ବ୍ୟତିବ୍ୟସ୍ତ କରିଦେଉଛନ୍ତି । ଯେଉଁମାନେ ନୀରବରେ ବେଶି ନେବାକୁ ଚାହୁଁଛନ୍ତି ନେଇ ପାରୁନାହାନ୍ତି ତାଙ୍କ ଅନୁରୋଧର ତାଡ଼ନାରେ ।

 

କଥାର କୋଳାହଳ ମୁଣ୍ଡପିଟାପିଟି ରହିଯାଇଥାଏ ଟିକିଏ । ଏବେ କଥା ହାବୁକା ଖାଇ ଉଠୁଥାଏ ମଝିରେ ମଝିରେ,—ମେଜର୍‍ ରାୟଙ୍କର ହଠାତ୍ ଅନୁରୋଧ, କର୍ଣ୍ଣେଲ ଭୋପତ୍‍କର୍‍ଙ୍କର ପାଣିପାଗ ଉପରେ ହଠାତ୍‍ ଅଭିଯୋଗ, ଡାକ୍ତର ଚୋପ୍ରାଙ୍କର ଅବାଞ୍ଛିତ ଅକାରଣ ଆନନ୍ଦଧ୍ଵନି, ଇତ୍ୟାଦି । ବେଶ୍ କିଛି ସମୟ କେବଳ ଖାଇବାର ଶବଦ ଶୁଣାଯାଉଥାଏ ଓ ଉପରେ ଘୂରୁଥିବା ପଙ୍ଖା କିଛି କହିବାକୁ ସମୟ ପାଇଲା ପରି ଜୋରରେ ଘରର୍ ଘରର୍ କରି ଉଠୁଥାଏ ।

 

ମୋ ଆଖି ଆଗରେ ଥିଲା ବଡ଼ ଝରକା । ରେଲିଂରେ ନୂଆ ଧଳାରଙ୍ଗ ଲାଗିଛି, ଚକ୍ ଚକ୍ କରୁଛି—ତା’ର ଇତର ପ୍ରଗଲ୍‍ଭତା ଦେଖାଇ ହେଉଛି ସେନା-ଅଧିକାରୀଙ୍କ ବ୍ୟାଜ୍ ପରି । ଇଚ୍ଛାହେଲା ନୟନମନକୁ ଦୂରକୁ, ଆହୁରି ଦୂରକୁ ନେଇଯିବା ପାଇଁ, ଯେଉଁଠି ଶାନ୍ତି ମିଳିବ; କିନ୍ତୁ ଚାହାଣି କମିସନ୍‍ର ପାଚି ରୀହତା ଓ ତାରବାଡ଼ରେ ଧକ୍କା ଖାଇ ଫେରି ଆସୁଥାଏ । ଛଟପଟ ଲାଗିଲା । ଇଚ୍ଛାହେଲା ଖରାକୁ ମୁଣ୍ଡ ଦେଖାଇ ସାଏଗନ୍‍ର ରାସ୍ତାରେ ବୁଲୁଥାନ୍ତି । କାନ୍ଧରେ ଭାର ମୁଣ୍ଡାଇ ଯାଉଥିବା କଳା ପାଇଜାମା—ଧଳାବ୍ଲାଉସ୍ ପିନ୍ଧା କୌଣସି ଝିଅବିକାଳି ହାତରୁ ମାଛଖଟା ପାଣି (fish sauce) ଦିଆ ପୋଡ଼ା ମାଛ ପୋଡ଼ା କଙ୍କଡ଼ା ଖାଆନ୍ତି । ସୁଆଦ ଲାଗିବ ନାହିଁ ? କିଏ ପଚାରୁଛି । ଭଲ ଲାଗନ୍ତା ଭାଷା ନ ବୁଝି ପାରିବାରେ ତା’ର ସେହି ଆମୋଦ, ପରଷିବାରେ ଆନନ୍ଦ ଓ କୃତକୃତ୍ୟ ଭାବ,—ସତେ ଯେପରି ସେ କେବଳ ମୋରି ପାଇଁ ଆସିଥିଲା ପସରା ମୁଣ୍ଡାଇ । ସେଠି ନ ଥାନ୍ତା କୃତ୍ରିମତା, ଆନନ୍ଦ ତିଆରି କରିବାର ପ୍ରୟାସ, ପଳାୟନର ଉଦ୍ଧତ ଉଚ୍ଛ୍ୱାସ । ନା, ମୋତେ ଏ ଭଲ ଲାଗୁନାହିଁ, ମୁଁ ଭୁଲ୍ କରିଛି ଏଠିକି ଆସି । ଚୁଲିକୁ ଯାଉ ଲେଖକର ସନ୍ଧାନ ! ଏ ହାଉଆ ମୋ ଧାତୁରେ ଯିବ ନାହିଁ ।

 

ଏତିକିବେଳେ ମୋ ଆଖିରେ ପଡ଼ିବାକୁ ଥିଲା ଯେ ମୋର ଡାହାଣ ପାଖରେ ବସିଛନ୍ତି ସ୍ୱନାମଧନ୍ୟ ସ୍ୱୟଂ କ୍ୟାପଟେନ୍ ସହାୟ । ହାୟ ଭଗବାନ ! ଆଉ କେହି ହେଲେ ବସି ପାରିଥାଆନ୍ତେ,—ମେଜର୍‍ ରାୟ, ମିଷ୍ଟର୍‍ ମିରାନୀ, ଏପରିକି କର୍ଣ୍ଣେଲ ଭୋପତ୍‍କର,—କିନ୍ତୁ କ୍ୟାପଟେନ୍ ସହାୟ କାହିଁକି ? କର୍ଣ୍ଣେଲ ଭୋପତ୍‍କରଙ୍କ କଠୋର ଶକ୍ତିର ଛାଇରେ ବସିହୁଅନ୍ତା, ଅନ୍ୟମାନଙ୍କୁ ଅନାୟାସାରେ ଆଡ଼େଇ ଦେଇ ହୁଅନ୍ତା । କିନ୍ତୁ ଏ ଲୋକଟିକୁ ନେଇ କଣ କରାଯିବ-? ଏହାର ସାନ୍ନିଧ୍ୟ ଅସହ୍ୟ ! ଏ ନିର୍ଲଜ୍ଜ ଭାବରେ ନିଜର ଲମ୍ପଟପଣିଆ ଦେଖାଇହୁଏ,—କେମିତି ସେ କେଉଁ ବିଦେଶିନୀ, କେଉଁ ସାଏଗନ୍‍ବାସିନୀଙ୍କୁ ବଶକଲା, ତା’ର ହୃଦୟ କିଣିନେଲା ତା’କୁ ନୂତନ ପ୍ରଣାଳୀର ପ୍ରେମ ଶିଖାଇଲା, ଇତ୍ୟାଦି । ଯେପରିକି ସେ ଜଣେ ବିଶିଷ୍ଟ, ବିରାଟ ପ୍ରେମିକ । ପାପର ପ୍ରଗଲ୍‍ଭତା ଦେଖିବାକୁ ଇଚ୍ଛାଥିଲେ ୟାଙ୍କୁ ଆସି ଦେଖିପାର ।

 

ଯାହାହେଉ, ଲଞ୍ଚ୍ ଆଡ଼େ ମନ ଦେଲି । ଅନ୍ୟମାନଙ୍କ କଥାକୁ କାନେଇଲି । ଲଞ୍ଚ୍ ସରିଆସିଲାଣି । ଶୁଣିଲି କର୍ଣ୍ଣେଲ ଭୋପତ୍‍କର କଣ ଗୋଟାଏ କୋର୍ଟ-ମାର୍ସିଆଲର ଗପ ଶୁଣାଉଛନ୍ତି ପାଖରେ ବସିଥିବା ମେଜର୍‍ ରାୟ ଓ କ୍ୟାପଟେନ୍ ମଣିଙ୍କୁ । ଆଖି ଜଳିଉଠୁଛି ଓ ଓଠକୁ ଭିଡ଼ୁଛନ୍ତି ମଝିରେ ମଝିରେ । ମିଷ୍ଟର୍‍ ମିରାନୀ କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କୁ ସାଏଗାନ୍‍ରେ ଭାରତୀୟ ବ୍ୟବସାୟୀର ଦୁରବସ୍ଥା ବୁଝାଉଛନ୍ତି, କିପରି ଭିଏଟ୍‍ନାମିଜ୍‍ମାନେ ଅହନ୍ତା କରି ନୂଆ ସିଲକ୍—ବ୍ୟବସାୟ ଆରମ୍ଭ କଲେଣି ଓ ଲୋକେ ତାଙ୍କଠୁଁ କିଣୁଛନ୍ତି ବେଶି । ଡାକ୍ତର ଚୋପ୍ରା ଆଫ୍ରିକାର ‘ବାଣ୍ଟୁ’ ମାନଙ୍କ ବିବାହ ପ୍ରଥା ବୁଝାଉଛନ୍ତି । (ଡକ୍ଟର ଦେଶ ବିଦେଶ ବୁଲିଛନ୍ତି ବହୁତ ।) ତେବେ ମନେହେଉଛି ଯେ କଥାରେ ଉତ୍ସାହ ନାହିଁ । ଆରମ୍ଭ କରି ଶେଷ ନ କଲେ ଗତି ନାହିଁ ଏହି ଭାବ । ଶ୍ରୋତା ମାତ୍ର ଜଣେ କ୍ୟାପଟେନ୍ ସହାୟ, ନ ଶୁଣିଲାପରି ମନେ ହେଉଛନ୍ତି ।

 

କ୍ୟାପଟେନ୍ ସହାୟ ଶୁଣୁନାହାନ୍ତି । କାହିଁକି ? ଦେଖିଲି ସେ ଖଣ୍ଡେ କାଗଜ,—ଚିଠି ହେବ ପରା, ମନୋଯୋଗ ସହକାରେ ପଢ଼ୁଛନ୍ତି । ପଢ଼ିଦେଇ ପକେଟରେ ରଖିଲେ; କିନ୍ତୁ ଏ କଣ-? ସେ ପୁଣି କାଢ଼ି ଦେଖୁଛନ୍ତି ତାକୁ । କୌତୂହଳ ଆସିଲା,—କଣ ସେହି ଜରୁରି ମୂଲ୍ୟବାନ ଚିଠି ? ନୂଆ ଶିକାର ? ନୂଆ ଷଡ଼ଯନ୍ତ୍ର ? ହେଲେ ଚାହାଣି ଦମ୍ଭିଲା ନୁହେଁ, ଉତ୍ତେଜନା ନାହିଁ ସେଥିରେ, ବରଂ ଭାବନାଗ୍ରସ୍ତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଘରୁ ଚିଠି ଆସିଛି ପରା । ହୋଇଥିବ, କିନ୍ତୁ ସେଥିରେ କ୍ୟାପଟେନ୍ ଏତେ ମଜ୍ଜିଯାଇ ପାରନ୍ତେ ନାହିଁ । ଶୁଣିଛି ତାଙ୍କ ଘରେ ତାଙ୍କର ଜଣେ କାଳୀ ଅସୁନ୍ଦରୀ ସ୍ତ୍ରୀ ରହିଛି (କ୍ୟାପଟେନ୍ ବନ୍ଧୁମାନଙ୍କ ଆଗରେ ସେ କଥା କହିବାକୁ ଭୁଲନ୍ତି ନାହିଁ) ଯେ ନିୟମିତଭାବରେ ଚିଠି ଲେଖେ । ଅଫିସର ମହଲର ଆମେଚର ମନସ୍ତତ୍ତ୍ଵବିଦ୍‍ମାନେ କହନ୍ତି ଯେ କ୍ୟାପଟେନ୍ ସେଇଥିପାଇଁ ଏପରି ନିଶାଚର ଢଙ୍ଗ ଧରିଛନ୍ତି,—ସାଏଗନରେ ମିଳିଯାଇଛି ପ୍ରଚୁର ସୁବିଧା, ପ୍ରଶସ୍ତ କ୍ଷେତ୍ର । ତେବେ ମୁଁ ସେଥିରେ ବିଶ୍ୱାସ କରେ ନାହିଁ । କ୍ୟାପଟେନ୍ ଚକ୍ରବର୍ତ୍ତୀ ଏହି ଅବସ୍ଥାରେ ଥିଲେ କଣ କରନ୍ତେ ?

 

ମେଜର୍ ରାୟ ହଠାତ୍ ଚଉକି ଛାଡ଼ି ଉଠିଲେ । ପୁଣି ଗୋଟାଏ ଘୋଷଣା ନା କଅଣ ? ଯାହାହେଉ ଭାରି ଖୁସି ହେଲି ଯେ ଲଞ୍ଚ୍ ସରିଗଲାଣି, ଏହି ହେବ ଶେଷ ଘୋଷଣା । ମେଜର୍‍ ତଣ୍ଟି ସଫା କରି କହି ଚାଲିଲେ—ସ୍ୱାଧୀନତାର ଜୟ, ସ୍ୱାଧୀନତା ଉତ୍ସବରେ ଭାରତୀୟ ଭାଇମାନଙ୍କୁ ଅଭିବାଦନ, ଉପସ୍ଥିତ ବନ୍ଧୁମାନଙ୍କୁ ଧନ୍ୟବାଦ ଇତ୍ୟାଦି । ତା’ପରେ ଟିକିଏ ରହିଯାଇ ଗୋଟିଏ ନୂଆ କଥାର କୌତୂହଳ ବଢ଼ାଇଲା ପରି କୃତ୍ରିମ ଗମ୍ଭୀରତାରେ ଆରମ୍ଭ କଲେ, ‘‘ହଁ ଉତ୍ସବ ସରିନାହିଁ । ଦିନ ପଡ଼ିଛି ରାତି ଯାଏଁ । ତେଣୁ ମୋର ଭାଇମାନଙ୍କୁ ଅନୁରୋଧ ଓ ସ୍ୱାଗତ ରାତିର ଉତ୍ସବ ପାଳିବା ପାଇଁ । ଉତ୍ସବ ସମବେତ ନୁହେଁ, ଦଳଗତ । କର୍ଣ୍ଣେଲ ଭୋପତ୍‍କର୍ ତାଙ୍କ ବଙ୍ଗଳାରେ ଫିଲ୍ମ ଶୋ’ ଦେଖାଇବେ ଓ ତାଙ୍କ ଦୀର୍ଘ ଜୀବନର ବିଚିତ୍ର ଅଭିଜ୍ଞତା ଶୁଣାଇବେ, ମିଷ୍ଟର ମିରାନୀ ତାଙ୍କ ଘରେ ନାଚଗୀତର ଆୟୋଜନ କରିଛନ୍ତି ଓ ତା’ ସାଙ୍ଗକୁ ସିନ୍ଧୀ ଡିନର, ଡାକ୍ତର ଚୋପ୍ରାଙ୍କ ଘରେ ବ୍ରିଜ୍ ପାର୍ଟି, ଓ କ୍ୟାପଟେନ୍ ସହାୟଙ୍କ ସହଯୋଗରେ କିଛି ନୂଆ ଅଭିଯାନ, ‘‘ଏ’’ କ୍ଳାସ୍, ଆପଣମାନେ ବୁଝି ପାରୁଥିବେ ।

 

ବିପୁଳ ଲୋଭନୀୟ ନିମନ୍ତ୍ରଣ । ଗ୍ରହଣରେ ଦ୍ଵିଧା ନାହିଁ, କୁଣ୍ଠା ନାହିଁ କାହାର । ଜଣକପରେ ଜଣେ ଆଗଭର ହୋଇ ନିଜନିଜର ସମ୍ମତି ଓ ଉଦ୍ଦେଶ୍ୟ ଜଣାଇଲେ,—କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ ଛଡ଼ା । ଦୁର୍ଭାଗ୍ୟ ! ମେଜର୍‍ ରାୟଙ୍କ ଆଖି ପଡ଼ିଲା ମୋ ଉପରେ ଓ ସେ ପଚାରିଲେ, ‘‘ମିଷ୍ଟର୍‍ ଦାସ, ଆପଣଙ୍କର ପ୍ଲାନ କେଉଁଯାଏଁ ? ଆପଣଙ୍କୁ ଏକୁଟିଆ ହୋଟେଲରେ ବସି ସିଗାରେଟ ଟାଣିବାକୁ ଦିଆଯିବ ନାହିଁ । ଶୀଘ୍ର ଭାବିକରି କୁହନ୍ତୁ ।’’

 

କିଛି ନ କହି ଚାରା ନାହିଁ । ଲକ୍ଷ ଯୋଡ଼ା ଆଖି ମୋ ଆଡ଼କୁ ଚାହିଁଛି ଜଳଜଳ ହୋଇ, ଉତ୍ତର ଶୁଣିବା ପାଇଁ । ଉତ୍ସୁକତା,—ଏ ଲୋକଟି କେଉଁ ପଟରେ ?

 

ମୁଁ ଜାଣେ ନାହିଁ ମୋ ମନରେ ଏହି ବିପରୀତଭାବ କେଉଁଠୁ ଆସିଲା । ତାହା ମୋର ଅନ୍ତର୍ନିହିତ ପାପର ଲାଳସା, ଗୋଟାଏ କ୍ଷଣିକ ବେପରୁଆ ଦେଖାଇ ହେବା ପଣ, ନା ଆଉ କଅଣ ଜାଣେ ନାହିଁ; ତେବେ ମୁଁ କହିଲି ଯେ ମୁଁ କ୍ୟାପଟେନ୍ ସହାୟଙ୍କ ନିମନ୍ତ୍ରଣ ସ୍ୱୀକାର କରୁଛି ।

 

ମେଜର୍‍ ରାୟ ଜୋରରେ ପାଟି କରିଉଠିଲେ, ‘‘ହିଅର ହିଅର ।’’ ଆଉ କେତେ ଆଡ଼ୁ କେତେ ତାଳି ବାଜିଲା । ମୁଁ ଅନାଇଲି କ୍ୟାପଟେନ୍ ସହାୟଙ୍କ ଆଡ଼କୁ, ଦେଖିଲି ସେ ମଧ୍ୟ ମୋ ଆଡ଼କୁ ଚାହିଁଛନ୍ତି । ଆଖିରୁ ସବୁ ନିଦୁଆଭାବ ଚାଲିଯାଇଛି, ପାଟି ଅଳ୍ପ ମେଲା ହୋଇଯାଇଛି,—ଆବିଷ୍କାରର ଆନନ୍ଦ ଓ ଆଶ୍ଚର୍ଯ୍ୟ । ତା’ପରେ ସେପାଖକୁ ମୁହଁ ଆଣି କହିଲେ, ‘‘ମିଷ୍ଟର୍‍ ଦାସ, ସତରେ ଆପଣ—ମାନେ—ସିରିୟସ୍ ?’’

 

ଉଦାର ଭଙ୍ଗୀରେ ସ୍ମିତହାସ ଦେଇ କହିଲି, ‘‘ହୁଁ—ଆପଣଙ୍କର ଆପତ୍ତି ନାହିଁ ତ ?’’

 

‘‘ନା—ନା—କଅଣ କହୁଛନ୍ତି ଆପଣ,’’ କ୍ୟାପଟେନ୍ ଖୁବ୍ ଜୋର୍‍ ଦେଇ କହିଲେ । କିନ୍ତୁ ମୋର ମନେ ହେଲା ସେ ମୋର ଉତ୍ସାହ ବୁଝିପାରୁ ନାହାନ୍ତି, ଭାବୁଛନ୍ତି କେଉଁଠି କଣ ରହିଗଲା ।

 

ହଁ ମୋର ମନେ ପଡ଼ିଥିଲା କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ କଥା । ମୁଁ ତାଙ୍କ ମୁହଁକୁ ଭରସି ଚାହିଁ ପାରି ନାହିଁ । ଆଜି ତାଙ୍କର ପୂରା ବିଶ୍ୱାସ ହୋଇଯିବ ଯେ ମୁଁ ଏମାନଙ୍କ ପରି ସହଜ ନୀଚ ବିଳାସ ପସନ୍ଦ କରେ ଯେ, ମୁଁ ସାଏଗାନ୍‍ର ହାଉଆରେ ଉଡ଼ିଯାଇଛି, ନିଜକୁ ରୋଧିବାର ଶକ୍ତି ନାହିଁ, ସାହସ ନାହିଁ ।

 

ପୁଣି ମୋର ମନେ ପଡ଼ିଥିଲା ଯେ ଆଜି କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ ନିମନ୍ତ୍ରଣ ଥିଲା । ସେ ଜଣାଇଥିଲେ ଯେ, ସେ ଆଜି ‘‘ଆର୍‍କାନ୍‍ସିଆ ‘‘(ଅର୍ଥ, ସ୍ୱର୍ଗରୁ ଫାଳେ) ହୋଟେଲ୍‍କୁ ଯିବେ, ମିଷ୍ଟର ଓ ମିସେସ୍ ପ୍ରସାଦ ତାଙ୍କ ସହିତ ଯୋଗ ଦେବାକୁ ରାଜି ହୋଇଛନ୍ତି । ସେ ଧରି ନେଇଥିଲେ ଯେ ମୁଁ ମଧ୍ୟ ସବୁଥର ପରି ତାଙ୍କ ପିଛା ଧରିବି ଓ ନିଜକୁ ଏହି ଅପୂର୍ବ ଆନନ୍ଦରୁ ବଞ୍ଚିତ କରିବି ନାହିଁ-। ସୁନ୍ଦର ସୌଖୀନ ଆର୍‍କାନ୍‍ସିଆ, ନରମ ଆଲୁଅ, ଓରିୟେଣ୍ଟାଲ୍ ବାଦ୍ୟ ସଙ୍ଗୀତ, ପ୍ରତି ଟେବୁଲ ପାଇଁ ସ୍ପେଶାଲ ସର୍ଭିସ୍‍ । କେବଳ ଉଚ୍ଚ ଶ୍ରେଣୀର ଚାଇନିଜ୍ ଓ ଭିଏତନାମିନ୍ ମାନେ ସେଠାକୁ ଯାଆନ୍ତି । କ୍ୟାପଟେନ୍ ଚକ୍ରବର୍ତ୍ତୀ ସ୍ପଷ୍ଟଭାବରେ କହିଲେ ଯେ, ଆମ ଭାରତୀୟ ଭାଇମାନେ ସେଠି ଆସି ପହୁଞ୍ଚିଯିବାର କୌଣସି ଆଶଙ୍କା ନାହିଁ । କେବଳ ଆମେ ଚାରିଜଣ । କ୍ୟାପଟେନ୍ ଚକ୍ରବର୍ତ୍ତୀ କହିବେ, ମିସେସ୍ ପ୍ରସାଦ ଶୁଣିବେ । ମିସେସ୍ ପ୍ରସାଦ କହିବେ, କ୍ୟାପଟେନ୍ ଶୁଣିବେ । ପୃଥିବୀର କଥା, ଜନସମାଜର କଥା, ଭିଏତ୍‍ନାମର ଭବିଷ୍ୟତ କଥା, ଜୀବନ ମରଣର କଥା । ଏହି ଉଚ୍ଚାଙ୍ଗ ପରିବେଶ ଛାଡ଼ି ମୁଁ ଯାଉଛି କୁଆଡ଼େ ନା କ୍ୟାପଟେନ୍ ସହାୟଙ୍କ ସାଙ୍ଗରେ ରାତିର ଉତ୍ସବ ମନାଇବାକୁ ! ଯାହାହେଉ ମୁଁ ନିଜକୁ ବୁଝାଇ କହିଲି ଯେ ମୁଁ ଯାଉଛି କେବଳ କ୍ୟାପଟେନ୍ ସହାୟଙ୍କ ପାଖକୁ । ସେ ଗୋଟାଏ ଖିଆଲ୍ । ମୁଁ ତାକୁ ଆଗକୁ ବଢ଼ିବାକୁ ଦେବିନାହିଁ ।

 

....ସଞ୍ଜବେଳେ (କିମ୍ବା ତା’ ଆଗରୁ) ମୁଁ କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ ପାଖକୁ ଯାଇ ନାହିଁ କି ସେ ମୋ ପାଖକୁ ଆସିନାହାନ୍ତି । ଗାର୍ସୋକୁ, ଫରାସୀ ଭାଷାରେ ବିଅରର୍‍କୁ ଗାର୍ସୋ କହନ୍ତି—, ପଚାରି ବୁଝିଲି ଯେ ସେ ହେୟାର୍‍ଡ୍ରେସର୍‍ ପାଖକୁ ଯାଇଛନ୍ତି, କହିଛନ୍ତି ଡେରିରେ ଫେରିବେ, ରାତିରେ ଡିନର୍‍ ବନ୍ଦ ।

 

...ରାତି ହେଲାରୁ ମୁଁ ବାହାରିଲି କ୍ୟାପଟେନ୍ ସହାୟଙ୍କ ହୋଟେଲକୁ । ସେତେବେଳକୁ କେଜାଣି କାହିଁକି ମୋତେ ଭାରି ହାଲୁକା ଲାଗୁଥାଏ । ମନେ ହେଉଥାଏ ଯେ ସ୍ୱାଧୀନତା ଭୂତ ମୋତେ ବି’ ଧରିଲାଣି ଆସି । ‘ପ୍ରାଚୀର ପାରିସ୍’ ସାଏଗାନରେ ଉପଭୋଗର ସ୍ୱାଧୀନତା, କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କର କଠୋର ନୀତିବାଦରୁ ଖସି ପଳାଇ ଆସିବାର ସ୍ୱାଧୀନତା । ମଜା ଲାଗୁଥାଏ ଯେମିତି ଭାବିବାକୁ, ନିଜକୁ ଥଟ୍ଟା କରି ନିଜର ଅବିଗୁଣ ଦେଖିବାକୁ, ସତେ ଯେପରି ମୁଁ ପ୍ରକୃତରେ...... ।

 

ବଡ଼ ଚାରିତାଲା ହୋଟେଲ । କୋଠରିଗୁଡ଼ିକ ଛୋଟ । କ୍ୟାପଟେନ୍ ଥାଆନ୍ତି ତିନିମହାଲର ଗୋଟିଏ କୋଠରିରେ । ଅନ୍ୟମାନେ କହନ୍ତି ଯେ ସେ ଏହି ରୁମ୍‍ଟିକୁ ବାଛିକରି ନେଇଛନ୍ତି, ନିରୋଳା ହେବ ବୋଲି ।

 

ମୁଁ ପହଞ୍ଚିଲାବେଳକୁ କ୍ୟାପଟେନ୍ ବେତ ଚଉକିଟିରେ ବସିଛନ୍ତି, ଟେବୁଲ ଉପରକୁ ଗୋଡ଼ ଲମ୍ବେଇ ଦେଇ । ଟେବୁଲ ଉପରେ ଥୁଆ ହୋଇଛି ତାଙ୍କର ସବୁ ସମୟର ସାଥୀ,—ବୋତଲ ଓ ଗ୍ଲାସ । କ୍ୟାପଟେନ୍ ଛାତକୁ ଅନାଇ ଧୂଆଁ ଛାଡ଼ୁଛନ୍ତି ।

 

ଗୋଟାଏ ପାଖ ଝରକା ଖୋଲା ହୋଇଛି । ସ୍ୱାଗତ ସମ୍ଭାଷଣପରେ କ୍ୟାପଟେନ୍ ବେଶ୍ କିଛି ସମୟ ଝରକା ବାଟେ ଦୂରକୁ ଅନାଇଲେ ଓ ମୁଁ ମଧ୍ୟ ତାଙ୍କର ଦୃଷ୍ଟିର ଅନୁସରଣ କଲି ।

 

ପାଣିର ଲମ୍ବା କଳା ଚାଦର ପରସ୍ତେ, ‘ସାଏଗନ୍’ ନଈ । ସେଥିରେ ବିଶ୍ରାମ ନେଉଛି ଗୋଟାଏ ବିଦେଶୀ ଜାହାଜ, କେତେ ରଙ୍ଗର କେତେ ଆଲୁଅ ଉଙ୍କି ମାରୁଛି । ଆକାଶରେ ଜହ୍ନ ଆଲୁଅ ଗୋଳେଇ ହୋଇଯାଇଛି ମେଘ ସାଙ୍ଗରେ । ପବନ ଖାଲି ଜଣାଇ ଦେଉଛି ସେ ଅଛି ବୋଲି-। ...କେଜାଣି କାହିଁକି ମୋର ଇଚ୍ଛା ହେଲା ଯେ ଜହ୍ନ ଫୁଟି ଉଠନ୍ତା ଆଲୁଅ ଉଛୁଳେଇ ଦେଇ, ପବନ ଖେଳି ବସନ୍ତା, ଜାହାଜ ସୁସୁରି ବଜାନ୍ତା ଦୂରକୁ ଯିବ ବୋଲି, ଏବଂ କ୍ୟାପଟେନ୍ ସହାୟ ଉଠି ଛିଡ଼ା ହୁଅନ୍ତେ ଯୋଦ୍ଧା ବେଶରେ । ମୋର ଇଚ୍ଛାହେଲା କ୍ୟାପଟେନ୍ ସହାୟଙ୍କୁ ସେହି ଅନ୍ୟ ରୂପରେ ଦେଖିବା ପାଇଁ—ସେହି ତାଙ୍କର ସ୍ୱାଭାବିକ ରୂପ । ଉଠ, ଚାଲ, ମାତ, ହସ ଖେଳେଇ ଦିଅ, ବୋତଲ ସରିଗଲା ଆସୁ ଆଉ ଗୋଟାଏ । ସେ ନିଶ୍ଚୟ ଦିନେ ସେମିତି ଥିଲେ । ଲମ୍ବା ଚଉଡ଼ା ଚେହେରା, ଠାଣି ଅଛି, କରାମତି ଅଛି, ସେଥିରେ; କିନ୍ତୁ କର୍ଣ୍ଣେଲ ଭୋପତ୍‍କରଙ୍କ ପରି ନୁହେଁ, ରୁକ୍ଷତା ନାହିଁ । ସେ ହସି ହସି ଆଦେଶ ଦେଇ ପାରିବେ, ଉପଭୋଗ କରି ପାରିବେ, ତିଆରି କରି ଭାଙ୍ଗି ଦେଇ ପାରିବେ । ଆଜି କିନ୍ତୁ ସେହି ପୁରୁଷକାର ଫୁଟି ଉଠୁ ନାହିଁ । ଉପଭୋଗ ଅଳସୁଆ ହୋଇଯାଇଛି, ଗୋଟାଏ ବୋତଲ ଯୁଗେ ଲାଗୁଛି, ଦରକାର ନ ହେଲେ ଆଖି ବୁଜି ହୋଇ ରହିବାକୁ ଚାହୁଁଛି । ନାଁ, ଏହି କ୍ୟାପଟେନ୍ ସହାୟଙ୍କୁ ଚେଇଁବାକୁ ପଡ଼ିବ, ଉଠିବାକୁ ପଡ଼ିବ, ପାପ ପାଇଁ ହେଉ ବା ପୁଣ୍ୟ ପାଇଁ । ମୋର ମନେ ହେଲା ମୁଁ ଆସିଛି ତାଙ୍କୁ ପ୍ରେରଣା ଦେବା ପାଇଁ-

 

ହଠାତ୍ କ୍ୟାପଟେନ୍ ଉହୁଙ୍କି ଆସି ଜରୁରି ପ୍ରଶ୍ନ ବାଢ଼ିଲାପରି ପଚାରିଲେ ‘‘ମିଷ୍ଟର୍ ଦାସ୍, ଆପଣ ବିହାର ଯାଇଛନ୍ତି ?’’

 

‘‘ବିହାର ? ମାନେ ବିହାର ପ୍ରଦେଶ ? ପାଟଣା, ମୁଜାଫରପୁର—?’’

 

କ୍ୟାପଟେନ୍‍ ହସିକରି ମୁଣ୍ଡ ଟୁଙ୍ଗାରିଲେ । ମୁଁ କହିଲି, ହଁ ଯାଇଛି । ମୁଁ ପାଟଣାରେ ପାଠ ପଢ଼ିଛି, ରାଞ୍ଚିରେ ଚାକିରି କରିଛି, ଛୋଟନାଗପୁର ଜଙ୍ଗଲ ବୁଲିଛି...।’’

 

କ୍ୟାପଟେନ୍ ଖୁସିହେଲା ପରି ଜଣା ପଡ଼ିଲେ, ଆଗ୍ରହଭରା ସ୍ଵରରେ ପଚାରିଲେ ‘‘ଶାହାବାଦ ଜିଲ୍ଲା ଦେଖିଥିବେ ତାହାହେଲେ ? ଆରା, ଶାହାବାଦ ?’’

 

ତାଙ୍କୁ ନିରାଶ କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ହୋଇ କହିଲି, ‘‘ନା, ସେ ଆଡ଼କୁ ଯିବାର ସୁଯୋଗ ପାଇ ନାହିଁ ?’’

 

‘‘ଆଃ—ଆପଣ କିଛି ଦେଖିନାହାନ୍ତି ତାହାହେଲେ ।’’ କ୍ୟାପଟେନ୍ ଚଉକିରେ ଆଉଜିଗଲେ, ସେଇଠୁ କଥା ସରିଗଲା ପରି; କିନ୍ତୁ କ୍ଷଣକ ପରେ ପୁଣି ଆରମ୍ଭ କଲେ, ‘‘ଜାଣନ୍ତି ? ପଞ୍ଜାବକୁ ଛାଡ଼ିଦେଲେ ଭାରତର ଅଧିକାଂଶ ଯବାନ ଏହି ଅଞ୍ଚଳରୁ ଆସିଛନ୍ତି । ମୁଁ ବଡ଼େଇ କରୁନାହିଁ, ବୀରଭୂମି ଯଦି କାହାକୁ କୁହାଯାଏ— । ୧୮୫୭ ଠାରୁ ଆରମ୍ଭ କରି ୧୯୪୨ ପର୍ଯ୍ୟନ୍ତ ଏଠିକାର ଲୋକେ ଆଗୁଆ ହୋଇ ବାହାରିଛନ୍ତି, ଶତ୍ରୁ ସାଙ୍ଗରେ ମୁହାଁମୁହିଁ ଲଢ଼ିଛନ୍ତି...।’’

 

କ୍ୟାପଟେନ୍ ସହାୟଙ୍କର ଏହି ଉତ୍ସାହ ଦେଖିବାକୁ ଭଲ ଲାଗିଲା, କିନ୍ତୁ କାରଣ କଅଣ ବୁଝିପାରିଲି ନାହିଁ । ଶାହାବାଦ ଜିଲ୍ଲାରେ ତାଙ୍କ ଘର ନିଶ୍ଚୟ,—ତେବେ ହଠାତ୍‍ ଏହି ମମତାର ଆବେଗ କାହିଁକି ? ଶାହାବାଦ ସାଙ୍ଗରେ ମୋର ଖାଲି ମନରେ ଆସୁଥାଏ ଶାହାବାଦୀ ଠେଙ୍ଗା,—ମୋଟା ଟାଣୁଆ ଦେହ, ମୋଟା ଠେଙ୍ଗା, ମୋଟା ବୁଦ୍ଧି ।

 

ମୋର ଭାବନା ବୁଝିପାରିଲା ପରି ସେ କହିଲେ, ‘‘ପାଟଣାର ସହରିବାବୁମାନେ ଆମକୁ କହନ୍ତି ମଫସଲି, ବୁଦ୍ଧୁ । କାହିଁକିନା ଆମର ବାହାର ଚକମକି ନାହିଁ, ଆମର ମୁହଁରେ ଗୋଟିଏ କଥା ପେଟରେ ଗୋଟିଏ କଥା ନାହିଁ । ଯାହା କହୁ ରୋକଠୋକ୍ କଥା । କଲ୍ ଏ ସ୍ପେଡ଼୍ ଏ ସ୍ପେଡ଼୍ । ଆମେ ବଡ଼ ବଡ଼ କଥା କହୁନାହିଁ, ସେଣ୍ଟିମେଣ୍ଟ୍ ଦେଖାଇ ହେଉ ନାହିଁ । ଆମେ ଯାହା ସେଇୟା କରୁ, ସେଇୟା କହୁଁ ।’’

 

କ୍ୟାପଟେନ୍ କହିଚାଲିଲେ, ‘‘ମୋର ସାଏଗନ୍ ଆସିବାର ପ୍ରାୟ ବର୍ଷେ ହୋଇଗଲା । ମୋର ଏଠିକା କାରବାର ସମସ୍ତେ ଜାଣନ୍ତି, ମୁଁ କାହାକୁ ଲୁଚାଇ ନାହିଁ । ମୋତେ ଯାହା ଭଲ ଲାଗେ ସେଇୟା କରୁଛି, ସମସ୍ତଙ୍କୁ ଜଣାଇ ପାଟିକରି କରୁଛି । ମୁଁ ସୁଖ କରୁଛି, କିନ୍ତୁ ଚୋରଙ୍କ ପରି ନୁହେଁ । ଅନ୍ୟମାନେ ସେଇୟା କରିବେ, କିନ୍ତୁ ଢଙ୍ଗ କରିବେ ମୋଠୁଁ ନୂଆ କଥା ଶିଖିଲା ପରି, ଆଉ ଆଙ୍ଗୁଳି ଦେଖାଇବେ ମୋରି ଆଡ଼େ । ଭଦ୍ରଚୋର ସବୁ, ହିପକ୍ରିଟ୍.. ।’’

 

ଏହି ଧାରାରେ କିଛି ସମୟ କହି ସାରିଲା ପରେ ସେ ଗ୍ଲାସ୍‍ରେ ଟିକିଏ ଚୁମୁକି ଦେଇ ବିଶ୍ରାମ ନେଲେ । ମୁଁ ଟେବୁଲ୍ ଉପରେ ରଖା ହୋଇଥିବା ଟାଇମ୍-ପିସ୍‍ ଆଡ଼କୁ ଅନେଇଲି । ଡକ୍ଟର ଚୋପ୍ରାଙ୍କ ବ୍ରିଜ୍‍ପାର୍ଟି ଜମି ଆସିଥିବ । ମିଷ୍ଟର ମିରାନୀଙ୍କ ଘରେ ଭାରତୀୟ ନୃତ୍ୟର ତାଳେ ତାଳେ କେତେ ରସରସିଆ କଥା ପଡ଼ିଥିବ । କର୍ଣ୍ଣେଲ ଭୋପତ୍‍କର୍ ଟେବୁଲରେ ହାତ ବାଡ଼େଇ କଥା ଛିଣ୍ଡାଉଥିବେ,—ଜଣେ କାହାର ହାରିବାର, ଛଟପଟ ହେବାର, ଅପମାନ ପାଇବାର କଥା । ଭୋପତ୍‍କର୍‍ ତା’କୁ ପାନେ ଦେଇଛନ୍ତି, ସବକ୍‍ ଶିଖାଇଛନ୍ତି, ତା’ ଚାଲାଖିର ବେକ ମୋଡ଼ି ଦେଇଛନ୍ତି ଏବଂ କ୍ୟାପଟେନ୍ ଚକ୍ରବର୍ତ୍ତୀ...ଆରକାନସିଆ ହୋଟେଲ...ମିସେସ୍ ପ୍ରସାଦ୍‍ । ଛାଡ଼, ତାର ମୂଲ୍ୟ ନିଆରା । ମୁଁ ଟିକିଏ ବ୍ୟସ୍ତ ହେଲାପରି ହେଲି,—କ୍ୟାପଟେନ୍‍ଙ୍କୁ ଜଣାଇଦେବା ପାଇଁ ଯେ ମୋତେ ଏ ଉପକ୍ରମଣିକା, ତାଙ୍କର ଏହି ଅଯଥା ସଫେଇ ଭଲ ଲାଗୁନାହିଁ, ମୁଁ ଏଇଥିପାଇଁ ଆସିନଥିଲି ।

 

ସେ ମୋର ବ୍ୟସ୍ତତା ଦେଖିଲେ, କହିଲେ, ‘‘କଣ ବିଶେଷ ଡେରି ହୋଇଗଲାଣି,—ନାହିଁ ତ ?’’ ତା’ପରେ ଗୋଟାଏ ବିରାଟ ହସଦେଇ କହିଲେ, ‘‘ମିଷ୍ଟର୍ ଦାସ୍, ମୁଁ ଜାଣି ନଥିଲି ଯେ ଆପଣଙ୍କର ଏ ଆଡ଼େ ଝୁଙ୍କ୍ ଅଛି । ଭାବିଥିଲି କ୍ୟାପଟେନ୍ ଚକ୍ରବର୍ତ୍ତୀର ପଣତକାନିରେ ବନ୍ଧା ହୋଇଥିବେ ସବୁଦିନେ । କ୍ୟାପଟେନ୍ ଚ-କ-ର୍-ବରତି । ହମ୍‍୍ବଗ୍ ! ଭାବିଛି ତା’ ସ୍ତ୍ରୀ ମରିଯାଇଛି ବୋଲି କିଛି ଗୋଟାଏ ବଡ଼କଥା କରିଛି ।’’ ତା’ପରେ ପୁଣି ହସ ।

 

ମୋତେ ରାଗ ଲାଗିଲା । କାହିଁକି ଏହି ଅଭଦ୍ର ଅଶ୍ଳୀଳ ଲୋକଟା ପାଖକୁ ଆସିଥିଲି ? ଭାବିଲି ଶୀଘ୍ର ମାନ ବଞ୍ଚାଇ ଖସିଯିବା ଭଲ ।

 

କ୍ୟାପଟେନ୍‍ଙ୍କ ମୁହଁରେ ହସ ସରି ନାହିଁ । ହସିଲା ମୁହଁରେ ମୋ ଆଡ଼କୁ ସିଧା ଚାହିଁ ସେ କହିଲେ, ‘‘ଜାଣନ୍ତି, ମୋର ସ୍ତ୍ରୀ ମରିଗଲେ କଣ କରନ୍ତି ? ହପ୍ତାଏ ନ ଯାଉଣୁ ଆଉ ଗୋଟିଏ ସ୍ତ୍ରୀ ଖୋଜି ବସନ୍ତି, ଯେ ଆହୁରି ସୁନ୍ଦରୀ ହୋଇଥିବ, ଆହୁରି ମନ ନେଇ ପାରୁଥିବ । ଆଉ ପୋଷିବାର କ୍ଷମତା ନ ଥିଲେ ଏକୁଟିଆ ଫୂର୍ତ୍ତି କରି ବୁଲନ୍ତି । କିଓ, ଏଥିରେ ଲୋକ ଦେଖାଣିଆ ସେଣ୍ଟିମେଣ୍ଟ୍‍ କାହିଁକି ? ଭଗବାନ ସେଣ୍ଟିମେଣ୍ଟ୍‍ ତିଆରି କରିଛନ୍ତି ସୁଖକୁ ବଢ଼ାଇବା ଲାଗି, କମେଇବା ପାଇଁ ନୁହେଁ ।’’

 

କ୍ୟାପଟେନ୍ ସହାୟଙ୍କର ଜୀବନ ଦର୍ଶନ । ଲଙ୍କାରେ ହରିନାମ । ନା, ଏଥର ଉଠିବାକୁ ପଡ଼ିବ । ମୁଁ ଉଠି ଛିଡ଼ା ହେଲି, ଶୁଷ୍କ ଭଦ୍ର ଭଙ୍ଗୀରେ କହିଲି, ‘‘ଆଚ୍ଛା, ମୁଁ ତାହାହେଲେ ଆସୁଛି, ମୋର ଟିକିଏ କାମ ଅଛି, ପୁଣି ଆସିବି କେବେ ।’’ ସତେ ଯେପରି ମୁଁ ଆସିଥିଲି ଖାଲି ଆଳାପ ପରିଚୟ ପାଇଁ ।

 

‘‘ଏଁ, ଏ କଣ କହୁଛନ୍ତି ?’’ ଅପ୍ରସ୍ତୁତ ହୋଇଗଲା ପରି କ୍ୟାପେଟନ୍ ଉଠି ପଡ଼ିଲେ ଓ ମୋ ହାତକୁ ଧରି ଚଉକିରେ ବସାଇ ଦେବାର ଉଦ୍ୟମ କଲେ, ‘‘ଏ ଗୋଟାଏ କଥା ? କ୍ୟାପଟେନ୍ ସହାୟ ପାଖକୁ ଆସି ଏମିତି ଫେରିଯିବେ, ପୁଣି ଆଜିପରା ଦିନରେ ? ଅସମ୍ଭବ ।’’

 

ମୁଁ ବାଧ୍ୟ ହୋଇ ବସିପଡ଼ିଲି । ମୋତେ କଥା କହିବାକୁ ସମୟ ନ ଦେଇ ସେ କହି ଚାଲିଲେ, ‘‘ଶୁଣନ୍ତୁ ଆଜି ପ୍ରକୃତରେ ସ୍ପେଶାଲ ପ୍ରୋଗ୍ରାମ ଅଛି । ମିସ୍ ସିସିଲିଆ, ନାଁ ଶୁଣିନାହାନ୍ତି ବୋଧହୁଏ (ଅନୁଚ୍ଚ ହସ) । ଇଉରୋପିଆନ୍‍ ନାଁ, କିନ୍ତୁ କାମ୍ବୋଡ଼ିଆର ଝିଅ । ବାପା ପ୍ରେଞ୍ଚ୍, ମା କାମ୍ବୋଡ଼ିଆନ,—ରାଜବଂଶୀୟ, ସୋଲନ୍‍ର ପ୍ରସିଦ୍ଧ ଅତର ଟଏଲେଟ ଦୋକାନର କର୍ତ୍ତ୍ରୀ-। ... ସିସିଲିଆ ଏଠିକାର ସାଧାରଣ ଝିଅଙ୍କ ପରି ନୁହେଁ । କାମ୍ବୋଡିଆର ଝିଅମାନଙ୍କ ପରି ଚଉଡ଼ା ଫୁଲଧଡ଼ିଦିଆ ସାରଙ୍ଗ୍‍ ପିନ୍ଧେ, ଛାତି ଉପରକୁ ବନ୍ଧା ହୋଇଥାଏ, ମୁଣ୍ଡବାଳ ଅନାବନା ହୋଇ ଉପରକୁ ପଡ଼ିଥାଏ ଫ୍ରେଞ୍ଚ୍ ଗାର୍ଲଙ୍କ ପରି । ଆଉ ତା’ ହସ, ତା’ କଥା,—କଅଣ କହିବି । ମୁନିଋଷିଙ୍କୁ ପାଗଳ କରିଦେବ । ଝିଅଟାର ଠାଣି ଅଛି, ସ୍ପିରିଟ ଅଛି, ଏମିତି ସାଧାରଣ ଲୋକଙ୍କୁ ପାଖରେ ପୂରାଏ ନାହିଁ ... ।

 

ମୁଁ ଶୁଣି ଯାଉଥାଏ । ଭାବୁଥାଏ ଯେ ଏଥର କିଛି ହେଲା । ମୋର ଜିଜ୍ଞାସା ଭୋକିଲା ରହିବ ନାହିଁ । ମୁଁ ଦେଖିବାକୁ ଅପେକ୍ଷା କଲି ଯେ ସେ ସେହି ଝିଅ ସାଙ୍ଗରେ କେମିତି କଥା କହିବେ, କେଉଁ ଢଙ୍ଗ କେଉଁ ଚାତୁରୀରେ ଉପଭୋଗକୁ ଆଗେଇବେ । ଦେଖିବା ସେ କଣ ନେଇ ନିଜକୁ, ନିଜର ପାପକୁ ଦେଖାଇ ହୁଅନ୍ତି, ସେଥିରେ ଅଛି କେଉଁ ଆର୍ଟ କେଉଁ ସୁନ୍ଦର ପଣ !

 

‘‘.....ସେ ସାଧାରଣ ଝିଅ ନୁହେଁ । ତାକୁ ଟଙ୍କାଦେଇ କିଣି ହେବ ନାହିଁ; କିନ୍ତୁ ସେ ଯାହାକୁ ପସନ୍ଦ କରେ ତା’ର ଗୋଟିପଣେ ହୋଇଯାଏ । ମୁଁ ଜାଣେ ସେ ଆପଣଙ୍କୁ ପସନ୍ଦ କରିବ । ତା’ର ହସ ତା’ର ପିଲାଳିଆମି ଆପଣଙ୍କର ଗମ୍ଭୀରତାକୁ ଉସକେଇବ, ତା’ ସାଙ୍ଗରେ ଲୁଚୁକାଳି ଖେଳିବ-।

 

ମୁଁ ଜାଣେ ସେ ଆପଣଙ୍କୁ ପସନ୍ଦ କରିବ । ମୁଁ ଖଣ୍ଡେ ଚିଠି ଲେଖିଦେଉଛି, ମୋର ବନ୍ଧୁ ବୋଲି ପରିଚୟ କରାଇ ଦେଉଛି । ତା’ପରେ ଆପଣ ଯିବେ, ତା’ର ଠିକଣା ହେଉଛି,—’’

 

କଥାର ସୁଅରେ ମୁଁ ହଠାତ୍ ଧରିପାରିଲି ନାହିଁ ଯେ ସେ କଣ କହୁଛନ୍ତି । ତା’ ପରେ ବୁଝିକରି ମଧ୍ୟ ବୁଝିପାରିଲି ନାହିଁ । କଣ କହୁଛନ୍ତି ସେ ? ମୁଁ ଠିକଣା ନେଇକରି ଯିବି, ଏକୁଟିଆ ? ମୋତେ ପରୀକ୍ଷା କରୁଛନ୍ତି ? କଣ ବୋଲି ଭାବିଛନ୍ତି ମୋତେ ?

 

ମୋର ବିରକ୍ତି ଓ ବିମୂଢ଼ଭାବ ତାଙ୍କ ଆଖିରେ ପଡ଼ିଲା ନିଶ୍ଚୟ । ପିଲାର ଡର ଭାଙ୍ଗିଲା ପରି ସେ ଗୋଟିଏ ପୁରୁଖା ହସ ହସିଦେଇ କହିଲେ, ‘‘ଆପଣଙ୍କର ବ୍ୟସ୍ତ ହେବାର କିଛି ନାହିଁ । ସେ ଭାରି ଭଲ ଝିଅ । ମୋର ପୂର୍ଣ୍ଣ ଧାରଣା ଯେ ସେ ଆପଣଙ୍କୁ ନିଜର କରି ନେବ ।’’

 

‘‘କିନ୍ତୁ ଆପଣ,—ମାନେ,—ଆପଣ ଯିବେ ନାହିଁ ମୋ ସାଙ୍ଗରେ ?’’, ମୁଁ ବାଧ୍ୟ ହୋଇ ପଚାରିଲି ।

 

‘‘ନା, ମୁଁ ଯାଉ ନାହିଁ । ‘‘ସେ କହିଲେ ସହଜ ଅଥଚ ଦୃଢ଼ ସ୍ଵରରେ ।

 

‘‘କାହିଁକି ?’’

 

‘‘ଏମିତି । ସବୁଦିନେ କଣ ସବୁକଥା ଭଲଲାଗେ ? ଇଚ୍ଛା ନାହିଁ । ଆଜି ଆପଣଙ୍କର ଦିନ ।’’

 

ମୋତେ ଭଲଲାଗିଲା ନାହିଁ । ତାଙ୍କ କଥାରେ ସବୁ ସତ ଥିଲା ପରି ଲାଗିଲା ନାହିଁ । ଯାହାହେଉ ନିଜକଥା ପରିଷ୍କାର କରିଦିଏ । କହିଲି, ‘‘କ୍ୟାପଟେନ୍, ମୁଁ ଆପଣଙ୍କ ପାଖକୁ ଆସିଥିଲି, ଆପଣଙ୍କ ସାଙ୍ଗରେ ସଞ୍ଜ ବିତାଇବାକୁ,—ସିସିଲିଆ ସାଙ୍ଗରେ ନୁହେଁ । ମୁଁ ଆପଣଙ୍କ ପାଖକୁ ଆସିଥିଲି । ଆପଣଙ୍କ ପାଖରୁ ଫେରିଗଲେ ମୋ ହୋଟେଲ୍‍କୁ ଯିବି, ଅଥଚ ଆପଣ କହିଲେ ଏଇଠି ଆହୁରି ବସିରହିବି କିଛି ସମୟ ।’’

 

କ୍ୟାପଟେନ୍ ଆଶ୍ଚଯ୍ୟ ହେଲାପରି ଚାହିଁଲେ ମୋ ଆଡ଼େ । ତାଙ୍କ ଓଠରେ ମୃଦୁ ହସଟିଏ ପ୍ରସାରିତ ହେଲା; କିନ୍ତୁ ସେ କିଛି କହୁନାହାନ୍ତି । ମନେ ହେଲା ସେ କିଛି କହିପାରୁ ନାହାନ୍ତି, ଲାଜରା ହୋଇ ଯାଉଛନ୍ତି, ମୁଁ କେବଳ ତାଙ୍କ ପାଖରେ ବସି ରହି ସମୟ ବିତେଇବାକୁ ଚାହେଁ ଏହି ନୂଆ କଥାଟି ବୁଝି ପାରୁନାହାନ୍ତି ।

 

କିଛି ସମୟ ହସିଲା ମୁହଁରେ ସେମିତି ଅନେଇ ରହି ସେ କହିଲେ, ‘‘ୱେଲ୍‌–ୱେଲ୍‌-’’, ଓ ଚଉକିକୁ ଆଉଜିଗଲେ ।

 

ତା’ ପରେ ନୀରବତା ।

 

ମୋତେ ଅସ୍ୱସ୍ତି ଲାଗିଲା । କ୍ୟାପଟେନ୍ କିଛି କହୁନାହାନ୍ତି କାହିଁକି ? କଥାର ଧାରା ବୋଧହୁଏ ବଦଳିଯାଇଛି, ଆଉ କଅଣ କହିବାକୁ ହେବ ବୁଝି ପାରୁନାହାନ୍ତି,—ନା କଅଣ ? ଶେଷକୁ କିଛି ହେଲେ କହିବାକୁ ହେବ ଭାବି ମୁଁ ଆରମ୍ଭ କଲି, ‘‘ଇଣ୍ଡିଆକୁ ଫେରିଗଲେ ମୋର ବୋଧହୁଏ ପାଟଣାକୁ ବଦଳି ହେବ ।’’ ଅଧା-ସତ ଅଧା-ମିଛ ଗୋଟାଏ ଶୁଣା ଖବର କହି ପକାଇଲି । ବୋଧହୁଏ ସେ ସେହି ଖିଅ ଧରି ପୁଣି କିଛି ବଖାଣିବେ ନିଜ ଘର କଥା, ନିଜ କଥା ।

 

ମୋର ଅନୁମାନ ଭୁଲ୍ ନ ଥିଲା; କିନ୍ତୁ ମୁଁ ଭାବି ନଥିଲି କ୍ୟାପଟେନ୍ ଏମିତି ଚେଇଁ ଉଠିବେ ବୋଲି । ସେ ହଠାତ୍ ଚଉକିରେ ସିଧା ହୋଇ ବସି କହିଲେ, ‘‘ସତରେ ? ଗୁଡ଼୍ ! ୱାଣ୍ଡର୍ ଫୁଲ୍ ! ତାହାହେଲେ ଆପଣ ନିଶ୍ଚୟ ଆସିବେ ଆମ ଘରକୁ । ବେଶି ଦୂର ନୁହେଁ, କିଛି ଅସୁବିଧା ନାହିଁ । ରୁହନ୍ତୁ ଆପଣଙ୍କୁ କହୁଛି କେମିତି ଆସିବେ—’’

 

ସେହିଠୁ ସେ କହି ଚାଲିଲେ ତାଙ୍କ ଘରକୁ ଯିବାକୁ ହେଲେ କେଉଁ ବାଟେ ଯିବାକୁ ହେବ-। ଟ୍ରେନ୍, ବସ୍, ଷ୍ଟିମର ଦ୍ୱାରା ପ୍ରାୟ ଶହେ ମାଇଲ ଗଲେ ପଡ଼ିବ ତାଙ୍କର ଗାଆଁ, କ୍ୟାପଟେନ୍ ସହାୟଙ୍କର ଜନ୍ମସ୍ଥଳୀ । ଗାଁର ନାଆଁ ଭୋଗଲ୍ ।

 

ସେ ନାଆଁରେ କବିତା ନ ଥିଲା, କି ସେଠିକି ଯିବା ବାଟର ବର୍ଣ୍ଣନାରେ ଉପଭୋଗ୍ୟ ବସ୍ତୁ କିଛି ନ ଥିଲା; କିନ୍ତୁ କ୍ୟାପଟେନ୍ ସହାୟଙ୍କର ଉଚ୍ଛ୍ୱାସକୁ ଅବହେଳା କରି ହୋଇ ନ ଥାଆନ୍ତା । ମୁଁ କହିଲି, ‘‘ହଁ ମୁଁ ଯିବି, ନିଶ୍ଚୟ ଯିବି । ମୋର ସେ ଆଡ଼େ ଟୁର୍ ପଡ଼ିବାର ସମ୍ଭାବନା ଅଛି ।’’

 

‘‘ସେ ଏମିତି କିଛି ବଡ଼ ଗାଆଁ ନୁହେଁ । ବଡ଼ କୋଠା ନାହିଁ, ସିନେମା ନାହିଁ, ବଜାର ନାହିଁ-। ହେଲେ ସେ ଗାଆଁ ଭଳିଆ ଗାଆଁ । ଗଛ ଅଛି । ପୋଖରୀ ଅଛି । ଆଉ ପାଣି ଅଛି, ପବନ ଅଛି, ହାଃ, ହାଃ,—ବୁଝିଲେ ?’’ତାଙ୍କ କହିବାର ଭଙ୍ଗୀରେ ଥିଲା ଯେ ସେ କିଛି ବଡ଼େଇ କରିବାକୁ ଯାଉନାହାନ୍ତି । କଲ୍ ଏ ସ୍ପେଡ଼୍ ଏ ସ୍ପେଡ଼୍ ।

 

ଅବହେଳିତ ପାନୀୟ ଗ୍ଲାସ୍‍ରେ ଥରେ ଚୁମୁକି ଦେଇ ସେ ଆଖି ବୁଜି ଆଣିଲେ । ଅଧ ମିନିଟିଏ ତା’ ପରେ ପୁଣି ଆରମ୍ଭ କଲେ—

 

ଆପଣ କେବେ ଆସିବେ ? ଖରାଦିନ ଆଗରୁ ନୁହେଁ ବୋଧହୁଏ । ଯାହାହେଉ ସେତିକିବେଳକୁ ଆସନ୍ତୁ । ଭୋଗଲ୍‍ର ଛାଇ ପାଇବେ, ଆଉ ଥଣ୍ଡା ପବନ । ମିଛ କହୁନାହିଁ, ଭାରି ଭଲ ଲାଗିବ । କେତେ ଜାତିର ଆମ୍ବ ପାଇବେ,—ପ୍ରଚୁର—ସକାଳୁ ସଞ୍ଜ ଯାଏଁ ଖାଇଲେ ସରିବ ନାହିଁ ।

 

ଟିକିଏ ଛାଡ଼ି,—‘‘ଆଃ ! ଆମର ସେ ଗାଆଁ ପୋଖରୀ । ସେ ପାଣିରେ ବୁଡ଼ି ପଡ଼ିଲେ ସବୁ ଭୁଲିଯିବେ । ଖରାବେଳେ ଗାଧୋଇ କରି ଆସିବେ । ଆଉ ତା’ ପରେ ମଧ୍ୟାହ୍ନ ଭୋଜନରେ ବସିଯିବେ,—ଲଞ୍ଚ୍—ବୁଝିଲେ ନା, ବଢ଼ିଆ ବୁଟ ଛତୁ, ପୋଖରୀରୁ ଧରା ହୋଇଥିବା ତାଜା ମାଛ ଭଜା ହୋଇଥିବ, ଆଉ ଦେଶୀ ପାନୀୟ,—ଶାହାବାଦୀ ପୂରା ସ୍ୱଦେଶୀ । ପୁଣି ତା’ ସାଙ୍ଗକୁ ଆଚାର, ସେ ନିଜ ହାତରେ କରିଥିବ । ରାଜେଶ୍ଵରୀ । ବୁଝିଲେ ନା—’’

 

ଛତୁ...ମାଛ...ତାଡ଼ି...ଆଚାର । ପାଟିରୁ ଲାଳ ବୋହିଲା ନାହିଁ, କିନ୍ତୁ ହସିପାରିଲି ନାହିଁ । ଏ ମଧ୍ୟ ଗୋଟାଏ ଧରଣର ଉପଭୋଗ, କ୍ୟାପଟେନ୍ ସହାୟଙ୍କ ପସନ୍ଦ । ରାଜେଶ୍ଵରୀ ତା’ ନିଜ ହାତରେ କରିଥିବ । ରାଜେଶ୍ଵରୀ କିଏ,—ମିସେସ୍ ସହାୟ ? କ୍ୟାପଟେନ୍ ସହାୟଙ୍କର କାଳୀ ଅସୁନ୍ଦରୀ ଧର୍ମପତ୍ନୀ ? ମୋ’ର କଳ୍ପନାରେ କିଛି ଖାପଛଡ଼ା ଲାଗିଲା ନାହିଁ, ସବୁ ଏକାଠି ମିଶିଗଲେ,–କାଳୀ ସ୍ତ୍ରୀ...ପଙ୍କୁଆ ପୋଖରୀ ...ସଜ ମାଛ, ଆଇଁଷ କାତି ଚକ ଚକ କରୁଛି...ଆଉ ମାଟି ଗ୍ଲାସରେ ଭୁଟୁଭୁଟୁକା ଫେଣୁଆ ଦେଶୀ ମଦ । ତମସାର ମହୋତ୍ସବ ।

 

କ୍ୟାପଟେନ୍ ଟିକିଏ ଉପରକୁ ଅନାଇ କହି ଉଠିଲେ ସ୍ମୃତିରୁ ଆନନ୍ଦ ପାଇଲା ପରି, ‘‘ରାଜେଶ୍ଵରୀ କିଏ ଜାଣନ୍ତି ? ମୋ ସ୍ତ୍ରୀ । ‘‘କହି ହସି କରି ଅନେଇଲେ ମୋ ମୁହଁକୁ । କଣ ହେଲା-? କ୍ୟାପଟେନ୍ ସହାୟଙ୍କର ଗୋଟିଏ ସ୍ତ୍ରୀ ଅଛି, ନାଁ ତାର ରାଜେଶ୍ଵରୀ । କଣ ହେଲା ସେଉଠୁ ? ସେଥିରୁ କେଉଁ ନୂଆ ରସର ସଞ୍ଚାର ହେଲା ?

 

କ୍ୟାପଟେନ୍ ସେହି ଆବିଷ୍ଟ ଚାହାଣିରେ କହିଲେ, ମୋ ସ୍ତ୍ରୀଙ୍କୁ ଦେଖିବେ ଆପଣ । ମୋଟେ ସୁନ୍ଦର ନୁହେଁ,—ବୁଝିଲେ ?’’ ମନେ ହେଲା ସେ ପୁଣି ତାଙ୍କର ମତବାଦକୁ ଘୋଷଣା କରୁଛନ୍ତି,—କଲ ଏ ସ୍ପେଡ଼୍ ଏ ସ୍ପେଡ଼୍ ।

 

‘‘ମୋଟେ ସୁନ୍ଦର ନୁହେଁ । ମୋଠୁ କଳା ଆଉ ମୋଟା ଆଉ ଭାରି ରାଗୀ । ତା’ ଚେହେରା ନେଇ କହିଲେ ସେ ଚଣ୍ଡୀରୂପ ଧାରଣ କରେ । ହେଲେ ମୋ ସାଙ୍ଗରେ କଜିଆ ଆରମ୍ଭ କଲେ ମୁଁ ସେହି କଥାଟିକୁ ଦୁଗୁଣେଇ ହୋଇ କୁହେ ।’’

 

ସେ ତାଙ୍କ ହସକୁ ବଢ଼ାଇଲେ । କହିଲେ, କ୍ଷମା କରିବେ । ମୁଁ ମୋ ସ୍ତ୍ରୀକୁ ଅପମାନ ଦେବାକୁ ଯାଉନାହିଁ । ସବୁ ସ୍ତ୍ରୀ ଊଣା ଅଧିକେ ସେଇୟା, ଟିକିଏକରେ ତାଙ୍କ ଦେହରେ ଲାଗିଯାଏ, ବିଶେଷତଃ ନିଜ ରୂପଗୁଣ ବିଷୟରେ କିଛି ଏଣୁ ତେଣୁ କଥା—। ନୁହେଁ ?

 

ହେଲେ ସେ ଭଲ ରାନ୍ଧେ । ଆପଣଙ୍କୁ ବେଶ୍ ଚର୍ଚ୍ଚା କରିବ । ମୁଁ ପରା ତାକୁ କହେ,—ତୋ ହାତରେ ମିଠା ଅଛି, ଆଉ କେଉଁଠି ଥାଉ ନଥାଉ......।

 

ମୁଁ କଳ୍ପନାରେ ଦେଖିଲି ରାଜେଶ୍ଵରୀ କ୍ୟାପଟେନ୍‍ଙ୍କ ଥାଳିରେ ମାଛଭଜା ଆଚାର ଆଦି ବାଢ଼ି ଦେଉଛନ୍ତି । କଜିଆର ଗୋଟାଏ ଅଧ୍ୟାୟ ସରିଯାଇଛି । ରାଜେଶ୍ଵରୀ କଥା କହୁନାହାନ୍ତି । ମୁହଁ ଫୁଲାଇ ବସିଛନ୍ତି, ପାଖରେ ବସି ପଙ୍ଖା କରୁଛନ୍ତି । କ୍ୟାପଟେନ୍ ହଠାତ୍ ନିଜର ଉପଭୋଗ—ଆପ୍ଳୁତ ମୁହଁକୁ ଟେକି କହୁଛନ୍ତି, ‘‘ତୋ ହାତରେ ମିଠା ଅଛି ସତରେ—’’ । ରାଜେଶ୍ଵରୀ ଲାଜରା ହୋଇ ହସି ଦେଉଛନ୍ତି ।

 

ରୋମାଣ୍ଟିକ୍ କଳ୍ପନା । କ୍ୟାପଟେନ୍ ସହାୟ ଜାଣିପାରିଲେ ହସି ହସି ଗଡ଼ିଯିବେ । ତଥାପି ମୁଁ ତାଙ୍କର କଥାକୁହା ମୁହଁକୁ ଅନେଇଲି । କଳ୍ପନାର ଦୃଶ୍ୟକୁ ଯୋଖିଲି ତାଙ୍କ ସାଙ୍ଗରେ । ରାଜେଶ୍ଵରୀ କାଳୀ, ଅସୁନ୍ଦରୀ । ତେବେ ସେମିତି ଲାଜରା ହୋଇ ହସିଲାବେଳେ କଣ କିଛି ସୁନ୍ଦର ନ ଥିବ ତାଙ୍କଠି ? କ୍ୟାପଟେନ୍ କଣ ସେହି ରୂପର ସ୍ମରଣ କରୁନାହାନ୍ତି ? କିନ୍ତୁ ମୁଁ ତାଙ୍କ ମୁହଁରୁ କିଛି ପାଇଲି ନାହିଁ । ସେ ଗପୁଛନ୍ତି । ଏହିକ୍ଷଣି କଥା ପଡ଼ିଛି କଣ ନା ରାଜେଶ୍ଵରୀ କେମିତି ଗାଈ ବାଛୁରୀଙ୍କର ଯତ୍ନ ନିଏ, ନିଜ ହାତରେ କୁଣ୍ଡା ଖୁଆଏ, ତାଙ୍କ ପିଠି ଆଉଁସି ଦିଏ ଓ ସେମାନେ କେମିତି ତାଙ୍କ ବୋଲି ମାନନ୍ତି !

 

ତା’ ପରେ କଥାର ଗତି ଯାହା ହେଲା ସେଥିରେ ମୋର ରୋମାନ୍ସ—ରଚନା ନଷ୍ଟ ହୋଇଗଲା । ରାଜେଶ୍ଵରୀଙ୍କୁ କୁଆଡ଼େ ବାତଜ୍ଵର ହୁଏ ମାସେ ଦି,’ ମାସରେ । ସେତେବେଳେ ସେ ଭାରି ଛଟପଟ ହୁଅନ୍ତି, କାହାକୁ ପାଖରେ ପୂରାନ୍ତି ନାହିଁ କେବଳ କ୍ୟାପଟେନ୍ ସହାୟଙ୍କ ଛଡ଼ା । ହେଲେ ତାଙ୍କୁ ବି’ ଗାଳି ଦିଅନ୍ତି, କଟା ସମ୍ପା କରନ୍ତି; କିନ୍ତୁ ଜର ଛାଡ଼ିଗଲେ ସେ କିଛିଦିନ ଅନ୍ୟ ରକମର ହୋଇଯାଆନ୍ତି । ସେତେବେଳେ ଯେଉଁ କଟା ସମ୍ପା ଚାଲେ ସେ ଖାଲି ନିଜ ଉପରେ । ରାଜେଶ୍ଵରୀ ଭଲ ରାନ୍ଧନ୍ତି, ଭଲ ଲଡ଼ୁ ତିଆରି କରି ପାରନ୍ତି । ସେହି କଥାର ପୁନରାବୃତ୍ତି । ରାଜେଶ୍ଵରୀଙ୍କୁ ସବୁ ଜନ୍ତୁଜୁନ୍ତା ଭଲ ପାଆନ୍ତି । ଗାଆଁର ଯେତେକ ଖଣ୍ଡି କୁକୁର ଓଲେଇ ବିଲେଇ ସମସ୍ତେ ତାଙ୍କ ବାହୁ ଛାୟାତଳେ ଜୀବନ ବିତାନ୍ତି । ....ତାଙ୍କ ହାତରେ କଖାରୁଲଟା ସହଳ ସହଳ ମାଡ଼ିଯାଏ । ରାଜେଶ୍ଵରୀ ବଡ଼ ଘର ଝିଅ । ପିଲାଦିନେ ଜ୍ୟୋତିଷ ହାତ ଦେଖି କହିଥିଲା ଯେ, ସେ କୁଆଡ଼େ ରାଣୀ ହେବ, ସେଇଥିପାଇଁ ତାଙ୍କ ନାଆଁ ଦିଆଗଲା ରାଜେଶ୍ଵରୀ— । ଶେଷୋକ୍ତ କଥା ପରେ ଦୁର୍ଦ୍ଦାନ୍ତ ହସ ।

 

ଆଉ କେତେ ଶୁଣିବି ସେଇ କଥା ? ଏଥର ଯିବାକୁ ହେବ । କିନ୍ତୁ କ୍ୟାପଟେନ୍ ଗପି ଚାଲିଛନ୍ତି । ପୁଣିଥରେ ପଡ଼ିଲାଣି ଗାଆଁର ମହାତ୍ମ୍ୟ । ଗାଆଁରେ ଖାଲି ଆମ୍ବ ଗଛ ନାହିଁ, ନଡ଼ିଆ ଗଛ ଅଛି । ଆଉ ଅଛି ପୁରୁଣା ହନୁମାନ ମନ୍ଦିର, ଭାରି ନାଁ ଡାକ । ଗାଁ ମାଇପଙ୍କ ଭାରି ବିଶ୍ୱାସ, କୁଆଡ଼େ ଭାରି ପ୍ରତ୍ୟକ୍ଷ ଦେବତା । ରାଜେଶ୍ଵରୀ ମଧ୍ୟ ଜଣେ ବଡ଼ ଭକ୍ତ, ମଙ୍ଗଳବାର ଓପାସ କରନ୍ତି-। ତା’ ପରେ ସେହି ହସ, ମରଦପଣିଆର ହସ, ବାଜେକଥା ନନସେନ୍‍ସକୁ ଉଡ଼ାଇ ଦେବାର ହସ-

 

ଉଠ ଉଠ ହେଉଛି ଏତିକିବେଳେ ହଠାତ୍ ମନକୁ ଆସିଲା, ପଚାରି ବସିଲି, ‘‘କ୍ୟାପଟେନ୍, ମୋର ଆପଣଙ୍କ ଗାଁକୁ ଯିବାର ଇଚ୍ଛା ନିଶ୍ଚୟ ଅଛି; କିନ୍ତୁ ଆପଣ ତ ନ ଥିବେ ସେଠି, ମାନେ ମିସେସ୍ ସହାୟ ଚର୍ଚ୍ଚା କଲେ ମଧ୍ୟ— ।’’

 

କ୍ୟାପଟେନ୍ ମୋ ଆଡ଼କୁ ଏପରି ଭାବରେ ଚାହିଁଲେ ଯେ ମୁଁ ଭାବିଲି ମୁଁ ଗୋଟାଏ ଅତି ନିର୍ବୋଧ ପ୍ରଶ୍ନ ପଚାରିଦେଲି, ମୋର କାଣ୍ଡଜ୍ଞାନ ନାହିଁ । କିନ୍ତୁ କ୍ଷଣକରେ ସେ ପିଲାକୁ ଆଶ୍ୱାସନା ଦେଲାପରି ଉଦାର ଭଙ୍ଗୀରେ କହିଲେ, ‘‘ନେଭର୍ ମାଇଣ୍ଡ୍ । ମୁଁ ସେଇଠି ଥିବି’’ ।

 

‘‘ଛୁଟିରେ ଥିବେ ?’’ ପଚାରିଲି ।

 

‘‘ନା ସବୁଦିନ ପାଇଁ ଥିବି । ମୁଁ ଚାକିରି ଛାଡ଼ି ଦେଉଛି ।’’

 

ମୁଁ ଆକାଶରୁ ଖସିଲି । କ୍ୟାପଟେନ୍‍ଙ୍କ ମୁହଁକୁ କଟମଟ ହୋଇ ଚାହିଁଲି,—ନିଶାର ଜୋର୍‍ କଣ ଟିକିଏ ବେଶି ହୋଇଗଲା କି ?

 

କିନ୍ତୁ ନା, ତାଙ୍କ ମୁହଁକୁ ନିରେଖି ଦେଖିଲି ଯେ ସତ କହୁଛନ୍ତି, ଓ କହି ସାରି ନିଜକୁ ବାହା ବା ଦେଉଛନ୍ତି ମନେ ମନେ । କ୍ୟାପଟେନ୍ ସହାୟ ସତ କଥା କୁହେ, ଖାରା କଥା କୁହେ, ସେଣ୍ଟିମେଣ୍ଟ୍‍ର ପାଖ ଦେଇ ଯାଇ ନାହିଁ ।

 

ଫେରିବା ବାଟରେ ଦେଖିଲି ସାଏଗନ୍‍ର ରାତି ତାର ସବୁ ପାଖୁଡ଼ା ନେଇ ଫୁଟି ଉଠିଲାଣି । ସାଏଗନ୍ ନଈରେ ନୌକା ବିହାର ଚାଲିଛି । ବାର୍ ପରେ ବାର୍ ଜମି ଉଠିଛି । ବିଦେଶୀ ଜାହାଜରୁ ଓହ୍ଲାଇଥିବା ସେଲରମାନେ ବାର୍ ସାମନାରେ ବସି ପେଷାଦାରୀ ‘ସାକୀ’ମାନଙ୍କୁ ଧରି ହସୁଛନ୍ତି, କ୍ଷଣସ୍ଥାୟୀ ଜୀବନର ଜୟଗାନ କରୁଛନ୍ତି । ନାଚ ହଲ୍‍ରୁ ଗୀତବାଜାର ଖଣ୍ଡେ ଅଧେ ଶୁଭିଯାଉଛି । ସ୍କୁଟର ପରେ ସ୍କୁଟର ଛୁଟି ଚାଲିଛି, ପଛସିଟ୍‍ରେ ଆଉ ଜଣେ,—ସାଙ୍ଗ କିମ୍ବା ସଙ୍ଗିନୀ-। ସିଲ୍‍କ ଦୋକାନରେ ଅଳ୍ପ ବୟସୀ ଛିଡ଼ା ହୋଇଛି, ଆଲୁଅରେ ତା’ର ରେଶମ ଦେହ ଝଳି ଉଠୁଛି, ପିନ୍ଧିଲା ରେଶମ କନା ତଳେ ଲୋଟୁଛି ।

 

ଏହି ରାତିକୁ କ୍ୟାପଟେନ୍ ସହାୟ ଭଲ ପାଆନ୍ତି । ଅତି ନୀଚ ପ୍ରପଞ୍ଚ ଭାବରେ ଭଲପାଆନ୍ତି । ଦେହର ସୌରଭକୁ ଆଡ଼େଇ ଦେଇ ଦେହକୁ, ମାଟିକୁ, ଭଲ ପାଆନ୍ତି । ଆଜି ସେ ଫେରିଯାଉଛନ୍ତି ଆଉ ଗୋଟିଏ ମାଟିକୁ କାମୁଡ଼ି ଧରିବେ କିମ୍ବା ଥେଇ ଥେଇ ହୋଇ ନାଚିବେ; ନୂତନ ଉତ୍ସାହରେ ବଳୀୟାନ୍ ହେବେ । ଛତୁ.... ତାଡ଼ି..... ମାଛଭଜା । ଗୋବରା ମାଟି ଓ ମାଟି ପରି ଦେହ,—କଳା ଅସୁନ୍ଦର, କିନ୍ତୁ ପୁରୁଣା, ଛୁଇଁଲେ ଜାଣିହୁଏ, ହାତକୁ ଥଣ୍ଡା ଲାଗେ ।

 

ଧ୍ୟାତ୍ । ମୁଁ ଭାବିବାକୁ ଚାହିଁଲି ଯେ କ୍ୟାପଟେନ୍‍ଙ୍କର ଏହି ଗୃହମୁଖୀନତାରେ ସରସ-ସୁନ୍ଦର ବୋଲି କିଛି ହେଲେ ଅଛି, ଗୌରବର କାଣିଚାଏ । ନିଜକୁ କହିଲି ଯେ ରାଜେଶ୍ଵରୀଙ୍କଠାରେ ପ୍ରେମ ନାହିଁ ବୋଲି ନୁହେଁ, ଯେ ତାଙ୍କର ସ୍ମିତହାସ ଅତୁଳନୀୟ ନ ହେଲେ ମଧ୍ୟ ପ୍ରୀତିକର ହୋଇଥିବ; କିନ୍ତୁ ସଙ୍ଗେ ସଙ୍ଗେ ମୋର ମନେ ପଡ଼ିଲା କ୍ୟାପଟେନ୍‍ଙ୍କର ସେହି ଉଦ୍ଧତ ଘୋଷଣା,–ମୋ ସ୍ତ୍ରୀ ମରିଗଲେ.... । ପଶୁ ! ପଶୁ !

 

ହୋଟେଲ ପାଖରେ ପହଞ୍ଚିଲାବେଳକୁ ମନେପଡ଼ିଲା କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ କଥା । ସେ ଏତେବେଳକୁ ଶୋଇ ପଡ଼ିବେଣି । ସେ ସବୁଦିନ ଠିକ୍ ଟାଇମରେ ଶୁଅନ୍ତି, ରାମକୃଷ୍ଣ ପରମହଂସ କିମ୍ବା ବିବେକାନନ୍ଦଙ୍କର ଦୁଇପୃଷ୍ଠା ପଢ଼ି । କେତେଥର ମୋତେ କହିଛନ୍ତି,—ଏହି ବିବେକାନନ୍ଦ ପରମହଂସଙ୍କ ଉପଦେଶ ମୋତେ ବଞ୍ଚାଇ ରଖିଛି । ଏମିତିକା ଚାକିରି, ଏମିତିକା ଲୋକମାନଙ୍କ ସାଙ୍ଗରେ ରହି ମଧ୍ୟ ମୁଁ ନିଜକୁ ବଞ୍ଚାଇ ରଖି ପାରିଛି । ଆଃ ! କି ଗଭୀର, କି ମହତ୍‍ ଦର୍ଶନ ! ଜାଣନ୍ତି ବିବେକାନନ୍ଦ ଚିକାଗୋରେ କଣ କହିଥିଲେ..... ?

 

କ୍ୟାପଟେନ୍ ଚକ୍ରବର୍ତ୍ତୀ ଶୋଇ ପଡ଼ିବେଣି । ସାର୍ଥକ ଜୀବନ । ତେଣେ ମିଷ୍ଟର ଓ ମିସେସ୍ ପ୍ରସାଦ ଫେରିବେଣି ‘ଆର୍‍କୋନ୍‍ସିଆ’ ଓ କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କର ସ୍ମୃତି ନେଇ । ମିସେସ୍‍ ପ୍ରସାଦ ଓ କ୍ୟାପଟେନ୍‍ ଚକ୍ରବର୍ତ୍ତୀ,—ଉଚ୍ଚକୋଟିର ବନ୍ଧୁ ଦୁଇଜଣ । ସଭ୍ୟତା ଓ ପବିତ୍ରତା–ଦୁହେଁ ଦୁହିଁଙ୍କର ପରିପୂରକ।

 

ମୋର ଆଶ୍ଚଯ୍ୟର ସୀମା ରହିଲା ନାହିଁ ଯେତେବେଳେ ଦେଖିଲି ଯେ କ୍ୟାପଟେନ୍ ଚକ୍ରବର୍ତ୍ତୀ ନ ଶୋଇ ହୋଟେଲ୍‍ର ‘ଲାଉଞ୍ଜ’ (lounge)ରେ ବସି ରହିଛନ୍ତି । ମୋତେ ଦେଖିଲା ମାତ୍ରେ ଛିଡ଼ା ହୋଇଗଲେ, ମୁହଁରେ ବ୍ୟଗ୍ରତା, ମୋ ପାଖକୁ ଚାଲି ଆସି କହିଲେ, ‘‘ମିଷ୍ଟର୍ ଦାସ୍, ମୁଁ ଆପଣଙ୍କୁ ଅପେକ୍ଷା କରିଥିଲି, ଜରୁରି ଦରକାର ଥିଲା, ମାନେ କାଲି ସକାଳ ଭିତରେ—’’

 

ମୁଁ କଣ ବୋଲି ପଚାରିବାକୁ ସମୟ ପାଇଲି ନାହିଁ । ହୋଟେଲ୍‍ର ଚାଇନିଜ୍ ନାରୀ ତତ୍ତ୍ଵବଧାରକ ଜଣକ ଡେସ୍କ ପଛରେ ସିଧା ହୋଇ ବସିଛନ୍ତି ଓ ଅନେଇଛନ୍ତି ଆମଆଡ଼କୁ, ଯେପରିକି ଆମେ କୌଣସି ଷଡ଼ଯନ୍ତ୍ରରେ ଜଡ଼ିତ ଅଛୁ । ହୋଟେଲ ଶୂନ୍‍ଶାନ୍‍, ଯେଝାର ଯେଝା ଶୋଇ ପଡ଼ିଲେଣି କିମ୍ବା ବାହାରେ ସମୟ କାଟୁଛନ୍ତି ।

କ୍ୟାପଟେନ୍‍ଙ୍କ କଣ୍ଠସ୍ଵର ଅଧିକତର ଜରୁରି ହୋଇ ଆସିଲା ପରି ମନେହେଲା । ତାଙ୍କ ଫୁସ୍‍ଫୁସ୍ କଥାର ପ୍ରତି ପଦ ନିଜ ଓଜନରେ ଫାଟି ପଡ଼ିଲା ପରି ଲାଗିଲା । ସେ ମୋ ହାତ ଧରିପକାଇ କହିଲେ, ‘‘ମାନେ କଥା କଣ କି,—ଆଉ କେତେଟା ଦିନ ଯାଇଥିଲେ ଆପଣଙ୍କୁ କଷ୍ଟ ଦେଇ ନ ଥାଆନ୍ତି,—କିନ୍ତୁ ସେ ଚାଲିଯାଉଛନ୍ତି ତିନିଦିନ ପରେ । ପୁଣି ମିଷ୍ଟର ପ୍ରସାଦଙ୍କର କାମ ଭିଡ଼, ସେ ସାଙ୍ଗରେ ଆସି ପାରିବେ ନାହିଁ । ଆଉ ସାଏଗନ୍‍କୁ ଆସି ଦଲାତ୍‍ ନ ଦେଖିବା ନିହାତି ଅସୁନ୍ଦର କଥା—ନୁହେଁ ? ସେଇଲାଗି ମୁଁ କହିଲି ଯେ କିଛି ଭାବିବାର ନାହିଁ, ଆମେ ଯେତେବେଳେ ଅଛୁଁ, ମାନେ ମୁଁ ଓ ଆପଣ ଥାଉଁ ଥାଉଁ ...।’’

ମୁଁ ସୁବିଧା ଦେଖି ହାତ ଖସେଇ ନେଇ ସୋଫା ଉପରେ ବସି ପଡ଼ିଲି । କ୍ୟାପଟେନ୍ ଚକ୍ରବର୍ତ୍ତୀ ମୋ ପାଖରେ ବସି କହି ଚାଲିଲେ । ‘‘......ଆମର ତ ଗୋଟାଏ କର୍ତ୍ତବ୍ୟ ଅଛି,—ନା କଣ କହୁଛନ୍ତି ? ଆଉ କେହି ହୋଇଥିଲେ ଚୁପ୍ ହୋଇ ରହି ଯାଇଥାଆନ୍ତି; କିନ୍ତୁ ମିସେସ୍ ପ୍ରସାଦଙ୍କ ପରି ଲୋକ । କିଛି ନ ହେଲେ ତ ଜଣେ ଭାରତୀୟା ଭଦ୍ରମହିଳା, ଏତେ ଦୂରକୁ ଆସିଛନ୍ତି, ଏତିକି ସୁବିଧା ଯଦି ଆମେ ତାଙ୍କ ପାଇଁ ନ କରି ପାରିବା ତାହାହେଲେ ନିଜକୁ ଲଜ୍ଜା ହେବ । ନୁହେଁ ?’’

ଏତେବେଳକୁ ଟିକିଏ ବୁଝି ହେଲା ଯେ କଥାର ଗତି କୁଆଡ଼େ । ବେଶି ସମୟ ଅନୁମାନ କରିବାକୁ ପଡ଼ିଲା ନାହିଁ । କ୍ୟାପଟେନ୍ ଆଗେଇ ଗଲେ, କଥାର ମୁଣ୍ଡି ଦେବାକୁ । କହିଲେ, ‘‘ମୁଁ କାର ଯୋଗାଡ଼ କରି ସାରିଛି । କାଲି ସକାଳେ ବାହାରିବାକୁ ହେବ । ଯିବା ଆସିବା ପାଇଁ ଅନ୍ତତଃ ହଜାରେ ଦୁଇହଜାର ପିଆସ୍ତର (ଶହେ ଦୁଇ ଶହ ଟଙ୍କା) ଦରକାର, ଏଇକ୍ଷଣି ମାସ ଶେଷ, ସେଇଲାଗି— । ଭାବିଲି ଆଉ କାହା ପାଖକୁ ଯିବି, ଏମାନେ ତ ସହଜେ ବିଦେଶୀ, ବାକି ଆମ ଇଣ୍ଡିଆନ ଭାଇମାନଙ୍କ କଥା ତ ଜାଣନ୍ତି— ।’’

କଥା ରହିଗଲା ଏବଂ ସେ ମୋ ଆଡ଼କୁ ଅନେଇଲେ ଅପଲକ ନୟନରେ । ବୋଧହୁଏ ମନେ ପଡ଼ିଗଲା ଯେ ସେ ଖାଲି ନିଜପାଇଁ କହି ଯାଉଛନ୍ତି,—ଆର ଜଣକ ବୁଝୁଛି ତ, ଜାଣୁଛି ତ ? ଆଖିରେ ଛୋଟିଆ ସନ୍ଦେହ, ଆକୁଳତା ।

ମୁଁ ଅବିଶ୍ଵାସ କରୁ ନଥିଲି କିମ୍ବା ବିଦ୍ରୂପ କରିବାକୁ ଯାଉ ନଥିଲି । କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କୁ ବିଦ୍ରୂପ କରିବି କେଉଁ ସାହସରେ ? ତେବେ କେଜାଣି କାହିଁକି ମୋର ଇଚ୍ଛାହେଲା ଯେ ମୁଁ ଚୁପ୍ ରହିବି, କିଛି କହିବି ନାହିଁ, ଦେଖାଯାଉ ସେ କେତେ ଦୂରକୁ ଯାଉଛନ୍ତି ।

ମନେହେଲା ଯେ ତାଙ୍କ ଆଖିରେ ସନ୍ଦେହ ଘନେଇ ଆସୁଛି ଏବଂ ସେହିଁ ଆକୁଳତା କରୁଣତାକୁ ଲାଗି ଲାଗି ଆସୁଛି,—ମିଳିବ ନାହିଁ, ମିଳିବ ନାହିଁ ତା’ହେଲେ !

ମୁଁ ଆଉ ପାରିଲି ନାହିଁ । ସେହି ଚାହାଣିର ତାଡ଼ନା ସହି ପାରିଲି ନାହିଁ । ମୋ ହାତ ଯନ୍ତ୍ର ଚାଳିତ ପରି ପକେଟ୍‍ରୁ ରାତିର ଅଭିଯାନ ପାଇଁ ରଖା ହୋଇଥିବା ନୋଟ୍ ବିଡ଼ାକୁ କାଢ଼ି ଆଣିଲା । ମୁଁ କହିଲି, ‘‘ବ୍ୟସ୍ତ ହୁଅନ୍ତୁ ନାହିଁ, ଏଇ ଯାହା ଅଛି ଦେଖନ୍ତୁ, ବୋଧହୁଏ ହୋଇଯିବ’’ ।

ତା’ପରେ ମୁଁ ସେଠୁ ତରବର ହୋଇ ଚାଲି ଆସିଲି । ଯେପରିକି କ୍ୟାପଟେନ୍‍ଙ୍କ ପ୍ରାପ୍ତି-ସ୍ୱୀକାର ଶୁଣିଲେ ମୁଁ ନିଜେ ଅପ୍ରତିଭ ହୋଇଯିବି ।

ସିଡ଼ି ପାହାଚରେ ଉଠୁ ଉଠୁ ଆଖିଆଗରେ ନାଚିଗଲା ଦଲାତର ଦୃଶ୍ୟ । ଦକ୍ଷିଣ ଭିଏତ୍‍ନାମ୍‍ର ପ୍ରସିଦ୍ଧ ହିଲ୍ ଷ୍ଟେସନ, ଟୁରିଷ୍ଟମାନଙ୍କ ସ୍ଵର୍ଗ । ଘନ ସବୁଜ ପାହାଡ଼ ......ଲେକ୍‍ର ଗହୀରିଆ ନେଳିଆ ପାଣି ...ହାଲୁକା ଥଣ୍ଡା ପବନ ...ନିରୋଳା ଅସରନ୍ତି ସମୟ । ସବୁ ଫୁଟି ଉଠେ ସେଠି,—ସକାଳ ଓ ସଞ୍ଜର ନିଜତ୍ୱ, ଭିଏତ୍‍ନାମିଜ୍ ପତର-ଚାହାର ରଙ୍ଗ ଓ ବାସ୍ନା, ଅଦେଖା ପାହାଡ଼ିଆ ଚଢ଼େଇର ଆପଣା ଭୋଳା କଥା ପଦୁଟିଏ, ତୋଫା ନାଲି ଡାଲିଆ ଫୁଲର ଆଉ ଗୋଟିକ ସାଙ୍ଗରେ ଛୁଆ ଛୁଇଁ, ଖୁସ୍‍ଖାସ୍ । ସେଇଠି ଫୁଟି ଉଠିବ ଭାବମୟୀ ବାଣୀ, ସ୍ଵଚ୍ଛ ସୁନ୍ଦର, ସେହି ଅମଳିନ ପାଣି ପବନ ପରି । କ୍ୟାପଟେନ୍ ଚକ୍ରବର୍ତ୍ତୀ, ମିସେସ୍ ପ୍ରସାଦ । ଗୋଟିଏ ଦିନ ଭାବି ଢାଳିବେ ଦୁହିଁଙ୍କୁ ଦୁହେଁ-କଥାରେ, ଭଙ୍ଗୀରେ, ଫୁଲକୁ ଆଉଁସିବାରେ, ଲେକ୍‍ର ପାଣିକୁ ଚହଲାଇବାରେ, କପ୍‍ରେ କପ୍ ଛୁଇଁ ସଂଗୀତ ଆଣିବାରେ । ଅତି ସୁନ୍ଦର, ଅତି ମନୋରମ । ଦୁଇହଜାର ପିଆସ୍ତର୍ କଅଣ, ପାଞ୍ଚହଜାର ମାଗିଥିଲେ ମଧ୍ୟ ଦେଇଥାଆନ୍ତି, ଦେବାର ଉଚିତ୍‍ ।

 

ସିଡ଼ି ମୁଣ୍ଡରେ ପହଞ୍ଚିଲାବେଳକୁ କ୍ୟାପଟେନ୍ ଚକ୍ରବର୍ତ୍ତୀ ମଧ୍ୟ ଆସିଗଲେ । ବୋଧହୁଏ ନୋଟ୍ ଗଣି ସାରି ଦଲାତ୍‍ର କଳ୍ପନା ସଜାଡ଼ି ସାରିଲେଣି । ପଛରୁ ଡାକି କହିଲେ, ‘‘ଆଉ ସଞ୍ଜ କେମିତି ବିତିଲା କ୍ୟାପଟେନ୍ ସହାୟ ସାଙ୍ଗରେ ?’’

 

ମୁଁ ମୁହଁ ନ ଫେରାଇ କହିଲି, ‘‘ବେଶ୍ ଭଲ ଲାଗିଲା । ମୋତେ ନିମନ୍ତ୍ରଣ କରିଛନ୍ତି ତାଙ୍କ ଗାଆଁକୁ ଯିବାକୁ । ସେଠି ମୋତେ ତାଡ଼ି, ମାଛଭଜା ଓ ବୁଟଛତୁ ଖୁଆଇବେ, ତାଙ୍କ ସ୍ତ୍ରୀଙ୍କ ହାତରେ-।’’

 

କ୍ୟାପଟେନ୍ ଚକ୍ରବର୍ତ୍ତୀଙ୍କ ଉଚ୍ଚ ଊର୍ଦ୍ଧ୍ୱମୁଖୀ ହସ ଶୁଣିବାକୁ ତର ନ ଥିଲା । ମୁଁ ସେତେବେଳକୁ ମୋ ରୁମ୍‍ର କବାଟ ବନ୍ଦ କରି ସାରିଥିଲି ।

 

ଶୋଇବାକୁ ଯିବା ଆଗରୁ ଟିକିଏ ମନେ ପଡ଼ିଥିଲା କ୍ୟାପଟେନ୍ ସହାୟଙ୍କ କଥା । ବିଚରା, ସ୍ୱାଧୀନତା ସୁଖ ତା’ କପାଳରେ ନାହିଁ ।

Image

 

Unknown

ଭଗବାନଙ୍କ ଛବି

 

ଏପ୍ରିଲ ୨୭ ତାରିଖ ବୁଧବାର । ସିମ୍ପ୍‍ସନଙ୍କ ଘରେ ଡିନର୍ ।

 

ମୁଁ ଏହି ଭାବରେ ଆମର ଘରୋଇ ଏନଗେଜମେଣ୍ଟ ଡାଏରୀରେ ଲେଖି ରଖିଥିଲି । ଦିନେ ଦେଖିଲି ଯେ ତା’ ପାଖରେ ବନ୍ଧନୀ ମଧ୍ୟରେ ଲେଖା ହୋଇଛି ‘‘ଜେନ’’, ଓ ତା ତଳେ ଗୋଟାଏ ମୋଟା ଗାର ଟଣା ହୋଇଛି । ଅର୍ଥ,—ଏ ସାଧାରଣ ଗତାନୁଗତିକ ଡିନର ନୁହେଁ ଏ ଜେନ୍‍ର ଡିନର । ଶ୍ରୀମତୀଙ୍କ ହାତଲେଖା । ଲେଖିବାର କାରଣ ମଧ୍ୟ ମୋର ଅଜଣା ନୁହେଁ । ଶ୍ରୀମତୀ ସବୁବେଳେ କହି ଆସିଛନ୍ତି ଯେ, ଜେନ୍ ତାଙ୍କର ପରମ ବନ୍ଧୁ, କକଟେଲ ବନ୍ଧୁ ନୁହେଁ, ପୋଷାକି ବନ୍ଧୁ ନୁହେଁ, ଅଫିସର ବନ୍ଧୁ ନୁହେଁ । ବିନା ଦ୍ୱିଧାରେ କହିଛନ୍ତି ଯେ ତାଙ୍କର ଆମେରିକା ଆସିବା ସାର୍ଥକ ହୋଇଛି କେବଳ ଜେନ୍‍ର ବନ୍ଧୁତା ଲାଭ କରି । ଯେ ବାକିସବୁ ଦି ଦିନିଆ, ଭାରତକୁ ଫେରିଗଲେ ଭୁଲି ହୋଇଯିବ ।

 

ମିସେସ୍ ସିମ୍ପସନ୍ ସାଧାରଣ ଆମେରିକାନ୍ ସ୍ତ୍ରୀମାନଙ୍କ ପରି ବେଶି ଗୁଡ଼ାଏ କଥା କହନ୍ତି ନାହିଁ, ଉଚ୍ଚ ସ୍ଵରରେ ହସନ୍ତି ନାହିଁ । ପୁଣି ସେ ସିଗାରେଟ ଖାଆନ୍ତି ନାହିଁ, ୱାଇନ୍ ବ୍ୟତୀତ କୌଣସି ସୁରାଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ । ଆଶ୍ଚର୍ଯ୍ୟ କଥା, ତାଙ୍କ ପରିବାରରେ ମାଛ ମାଂସ ମଧ୍ୟ ବିଶେଷ ଚଳେ ନାହିଁ; କିନ୍ତୁ କେବଳ ଏହି ସବୁ ଅଭ୍ୟାସଗୁଣ ନେଇ ଯେ ସେ ଶ୍ରୀମତୀଙ୍କର ଏତେ ପ୍ରିୟପାତ୍ର ହୋଇଥିଲେ ତାହା ନୁହେଁ, ହୋଇପାରେ ନାହିଁ । ଶ୍ରୀମତୀ କହନ୍ତି ଯେ ତାଙ୍କ ଚରିତ୍ରରେ ଗୋଟିଏ ଅସାଧାରଣ ଗଭୀରତା ଓ ଆନ୍ତରିକତା ଅଛି, ଯାହାର ସଂସ୍ପର୍ଶରେ ମଣିଷ ଭଗବାନଙ୍କ ନିକଟକୁ ଯାଇ ପାରିବ । ମୁଁ ତା’ର ସତ୍ତା କିଛି ପାଏ ନାହିଁ । ତେବେ ମୁଁ ତାଙ୍କ ଧାରଣାକୁ ଅବହେଳା କରେ ନାହିଁ । ସେ ଦୁଇ ନାରୀବନ୍ଧୁଙ୍କ ମଧ୍ୟରେ ନିଶ୍ଚୟ ସୂକ୍ଷ୍ମଭାବର ଦିଆନିଆ ହୋଇଥିବ; ପୁରୁଷର ବିଶ୍ଳେଷଣ ତା’ର ସୀମା ଛୁଇଁ ପାରିବ ନାହିଁ ।

 

ମିସେସ୍ ସିମ୍ପସନଙ୍କ ପ୍ରକୃତି ଦେଖାଣିଆ ନ ଥିଲା; କିନ୍ତୁ ସେ ଯେ ଶ୍ରୀମତୀଙ୍କୁ ଖୁବ୍ ଭଲ ପାଉଥିଲେ ତାହା ସେ ଲୋକସମ୍ମୁଖରେ ଜଣାଇବା ପାଇଁ କୁଣ୍ଠାବୋଧ କରୁ ନଥିଲେ । ଯଥା,—ଗାଲରେ ଓଠ ଲଗାଇ ଦସ୍ତୁରମତ ଗେହ୍ଲା କରିବା, ବିଦାୟ ନେଲାବେଳେ ଉଚିତ୍‍ରୁ ଅଧିକ ସମୟ ହାତରେ ହାତ ରଖିବା, ଏକାନ୍ତରେ କ’ଣ ଟିକିଏ କହି ହସିଦେବା, ଇତ୍ୟାଦି । ସେତେବେଳେ ଶ୍ରୀମତୀଙ୍କୁ ଦେଖିଲେ ମନେହୁଏ ଯେ ସେ କେବଳ ଲାଜେଇ ଯାଉ ନାହାନ୍ତି, ସେ କିଛି ଅମୂଲ୍ୟବସ୍ତୁ ପାଇଲା ପରି ଗଦ୍‍ଗଦ୍‍ ହୋଇ ଉଠୁଛନ୍ତି,—ତା’ର ପ୍ରତିଦାନ ଦେବାର ଶକ୍ତି ତାଙ୍କର ନାହିଁ ।

 

ମୋଟ ଉପରେ ସେ ଦୁଇଜଣଙ୍କ ଭଲ ପାଇବାରେ କେବଳ ସାଥୀଭାବ ନ ଥିଲା, ଦାତାଗ୍ରହୀତାର ସମ୍ପର୍କ ଥିଲା । ଶ୍ରୀମତୀ ତଳ ପାହାଚରେ ଥିଲେ ଓ ମିସେସ୍ ସିମ୍ପସନ୍ ଉପର ପାହାଚରେ । ମିସେସ୍ ସିମ୍ପସନ୍ ବୟସରେ ଯଥେଷ୍ଟ ବଡ଼, ସେଥିପାଇଁ ନୁହେଁ । ଶ୍ରୀମତୀ କହନ୍ତି ଯେ ସେ ଜେନ୍‍କୁ ମାଆ କିମ୍ବା ବଡ଼ଭଉଣୀ ପରି ଭାବନ୍ତି ନାହିଁ, ସେଥିରେ ବନ୍ଧୁତାର ମୁକ୍ତ ଆନନ୍ଦ ରହିବ ନାହିଁ । ତା’ ଛଡ଼ା ସେ ଧନମାନ ସମ୍ପନ୍ନା ନୁହନ୍ତି, ସେ ଜଣେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ମହିଳା । ତେଣୁ ମୁଁ ଅଗତ୍ୟା ଭାବିବାକୁ ବାଧ୍ୟ ହେଉଥିଲି ଯେ ମିସେସ୍ ସିମ୍ପସନ୍ କୌଣସି ଅନିର୍ଦ୍ଦିଷ୍ଟ ଭାବରେ ‘‘ବଡ଼’’ । ସେ ବଡ଼ପଣର ଆଖ୍ୟା ଦେଇ ହେବ ନାହିଁ ଏବଂ କେବଳ ଶ୍ରୀମତୀ ତା’ର ଅନୁଭବ କରି ପାରିଛନ୍ତି ।

 

...‘‘ଜେନ୍ ମୋ’ ପାଇଁ ନୂଆ ରେସିପେ (ରନ୍ଧନ ପ୍ରଣାଳୀ) ପଠାଇଛି, ଦେଖିଛ ? ଏ ହେଉଛି ଆପଲ୍ ଟଣ୍ଟ୍‍ଓଭର୍ କେକ୍, ନୂଆ ରକମର ଜିନିଷ, ଜେନ୍‍ର ସ୍ୱାମୀ ଭାରି ଭଲ ପାଆନ୍ତି ।’’

 

...‘‘ଜେନ୍ ଭାରି ଡରକୁଳୀ । ଆମ ଘରକୁ ଆସିବା ପାଇଁ ଲେଫଟ୍ ଟର୍ଣ୍ଣ ନେବାକୁ ହେବ ବୋଲି ସେ ତା’ କାର୍‍କୁ ଅଧମାଇଲ୍ ଦୂରରେ ରଖିଦେଇ ଆସେ । ତା’ର ସ୍ୱାମୀ କୁଆଡ଼େ କହନ୍ତି ଯେ ଅକାରଣ ଆଡ଼ଭେଞ୍ଚରରେ ମଣିଷ ମରେ ଭଗବାନ ଖୁସି ହୁଅନ୍ତି ନାହିଁ ।’’

 

‘‘ଜେନ୍ ହାତରେ ଗୋଟିଏ ଛୋଟ କାର୍ପେଟ୍‍ ବୁଣିଛି, ଦେଖିବ । ଭାରି ସୁନ୍ଦର । ସେ କହୁଥିଲା ଯେ ଫାଦର୍ (ମିସେସ୍ ସମ୍ପସନ୍ ତାଙ୍କ ସ୍ୱାମୀଙ୍କୁ ଫାଦର୍ ବୋଲି ଡାକନ୍ତି । ପିଲାଛୁଆଙ୍କ ବାପା ହିସାବରେ ସ୍ୱାମୀକୁ ଏପରି ସମ୍ବୋଧନ କରିବା ଅସ୍ୱାଭାବିକ ନୁହେଁ । ବୁଢ଼ାଟିଏ ହେଲେଣି, କିନ୍ତୁ ତାଙ୍କର ବଦଭ୍ୟାସ ଯାଇନାହିଁ । ଯେ କେହି ସାଙ୍ଗପଡ଼ିଶା ଘରକୁ ଆସିଲେ ସେ ଏହି କାର୍ପେଟ୍‍କୁ ଦେଖାନ୍ତି, କହନ୍ତି,—କେମିତି ହୋଇଛି କହିଲ ? ଜେନ୍ ବୁଣିଛି ।’’

 

ମୁଁ ଜାଣି ନ ଥିଲି, ଆଜି ଶୁଣି ଭାରି ଖରାପ ଲାଗିଲା । ଜେନ୍‍ର ଗୋଟିଏ ଝିଅ ସାତବର୍ଷ ବୟସରେ ମରିଯାଇଛି । ତା’ ନାଁ ଥିଲା ଆଞ୍ଜେଲା । ସେଇଥିପାଇଁ ବୋଧହୁଏ ସେ ଭଗବାନଙ୍କ ପାଖକୁ ତରତରରେ ଚାଲିଗଲା । ସବୁଦିନେ ମିଷ୍ଟର ସିମ୍ପସନ୍ ତା’ ପାଇଁ ସ୍ପେଶାଲ ପ୍ରେୟାର୍ କରନ୍ତି-।

 

....‘‘ଜେନ୍‍ର ନାତି ଆଜି ମୋତେ ଦେଖି କହିଲା ଯେ ମୁଁ କୁଆଡ଼େ ତା ଆଣ୍ଟି ଜୁଲିଆ ପରି ଦେଖାଯାଉଛି । ମିଷ୍ଟର ସିମ୍ପସନ୍ ବି ତା’ କଥାରେ ମୁଣ୍ଡ ଟୁଙ୍ଗାରିଲେ । କି ଅସମ୍ଭବ କଥା କହିଲ !’’

 

ମିସେସ୍ ସିମ୍ପସନ୍‍ଙ୍କ ବିଷୟରେ ଏହି ପ୍ରକାର ବାର୍ତ୍ତା ମଝିରେ ମଝିରେ ଶ୍ରୀମତୀଙ୍କଠାରୁ ଶୁଣିବାକୁ ମିଳେ । ସେଥିରେ ମୁଁ ତାଙ୍କର କର୍ମକୁଶଳତା, ନାରୀସୁଲଭ କୋମଳତା ଓ ସ୍ନେହର ପରିଚୟ ପାଏ, କିନ୍ତୁ ତାଙ୍କର ବିଶିଷ୍ଟ ଗୁଣର ସନ୍ଧାନ ପାଏ ନାହିଁ । ମୁଁ ମନେ ମନେ ତାଙ୍କୁ ତୁଳନା କରେ ମୋର ଅମୁକ ଭଉଣୀ, ଅମୁକ ପିଉସୀ କିମ୍ବା ଅମୁକ ମିସେସ୍‍ଙ୍କ ସାଙ୍ଗରେ । ହେଲେ ମନ ମାନେ ନାହିଁ । ସେମାନେ ଭଲ, କିନ୍ତୁ ସାଧାରଣ ।

 

କ୍ରମଶଃ ସବୁକଥା ଭିତରେ ମୁଁ ଗୋଟିଏ ସୂଚନା ପାଇଲି ଯେ ମିସେସ୍ ସିମ୍ପସନ୍‍ଙ୍କର ବିଶିଷ୍ଟତା କେବଳ ତାଙ୍କୁ ହିଁ ନେଇ ଗଢ଼ା ନୁହେଁ । ସେଥିରେ ମିଷ୍ଟର ସିମ୍ପ୍‍ସନ୍‍ଙ୍କର ହାତ ଅଛି । ସେ କେବଳ ପୃଷ୍ଠଭୂମିରେ ନାହାନ୍ତି, ପାଖରେ ଅଛନ୍ତି । ଜେନ୍‍ର ପିଠିରେ ହାତ ଥାପୁଡ଼େଇ ଆଗେଇବାକୁ କହୁଛନ୍ତି, ଜେନ୍‍ର ମାଇପି ସଂସାରରେ ତାଙ୍କର ଭଲପାଇବା ମାଖି ଦେଉଛନ୍ତି । ବୋଧହୁଏ ତାଙ୍କର ସକ୍ରିୟ ଉପସ୍ଥିତି ନ ଥିଲେ ମିସେସ୍ ସିମ୍ପସନ୍ ଅନ୍ୟ ପ୍ରକାର ହୋଇ ଥାଆନ୍ତେ, ତାଙ୍କର ସ୍ଵଗୁଣ ଏପରି ଝଳି ଉଠନ୍ତା ନାହିଁ । ତେଣୁ ମୁଁ ଭାବିଲି ଯେ ମିସେସ୍ ସିମ୍ପ୍‍ସନ୍‍ଙ୍କୁ ଉତ୍ତମରୂପେ ଜାଣିବାକୁ ହେଲେ ମିଷ୍ଟର ସିମ୍ପ୍‍ସନ୍‍ଙ୍କର ପରିଚୟ ଆବଶ୍ୟକ ।

 

ସେହି ଦୃଷ୍ଟିରୁ ମୁଁ ଦିନେ ଶ୍ରୀମତୀଙ୍କୁ ପଚାରିଲି, ‘‘ମିଷ୍ଟର ସିମ୍ପସନ୍ ଲୋକଟି କେମିତି ?’’

 

ଶ୍ରୀମତୀ ମୋର ପ୍ରଶ୍ନକୁ ସାମାନ୍ୟ କୌତୂହଳ ବୋଲି ମନେ କଲେ । କହିଲେ, ‘‘ମନ୍ଦ ନୁହେଁ । ମୋ ସାଙ୍ଗରେ ଦୁଇ ତିନିଥର ଦେଖା ହୋଇଛି, ଜେନ୍‍ର ଘରେ । ଟିକିଏ ଗମ୍ଭୀର ପ୍ରକୃତିର ବୋଲି ମନେ ହେଲା; କିନ୍ତୁ ସେ ଜେନ୍‍କୁ ଭାରି ଭଲ ପାଆନ୍ତି । ଜେନ୍ କହୁଥିଲା— ।’’

 

ସେ ପୁଣି କିଛି ଭଲ ପାଇବାର ଦୃଷ୍ଟାନ୍ତ ଦେଲେ । ହେଲେ ମୋ ପ୍ରଶ୍ନର ଉଚିତ୍‍ ଉତ୍ତର ମିଳିଲା ନାହିଁ । ପୃଥିବୀରେ ଗମ୍ଭୀର ପ୍ରକୃତିର ସ୍ନେହୀ ସ୍ୱାମୀ ଅନେକ ଅଛନ୍ତି ।

 

ଏପ୍ରିଲ ୨୭ ତାରିଖ ଉପରବେଳା । ବର୍ଷା ପଡ଼ିବାକୁ ଆରମ୍ଭ କଲାଣି । ଏପ୍ରିଲ ମାସରେ ବର୍ଷା ହେବାର କଥା ବୋଲି କୁହାଯାଏ,—କିନ୍ତୁ ଆଜି ଦିନଟା ବର୍ଷା ହୋଇ ନଥିଲେ କଣ ଚଳି ନ ଥାଆନ୍ତା ? ୱାଶିଙ୍ଗ୍‍ଟନର ସୀମା ବାହାରେ ଭର୍ଜିନିୟାରେ ସେମାନଙ୍କର ଘର । ଦୂର ବାଟ, ପାହାଡ଼ିଆ ରାସ୍ତା । ତା’ ଛଡ଼ା ମୁଁ କେବେହେଲେ ତାଙ୍କ ଘରକୁ ଯାଇନାହିଁ, ରାତିରେ ଶ୍ରୀମତୀ ଠିକ୍ ଭାବରେ ଦିଗନିର୍ଣ୍ଣୟ କରିପାରିବେ କି ନାହିଁ ସନ୍ଦେହ ।

 

ଶ୍ରୀମତୀ କହିଲେ ଯେ ନ ଯିବାର ପ୍ରଶ୍ନ ଉଠୁ ନାହିଁ । ମୁଁ ମଧ୍ୟ ଭାବିଲି ଯେ ଯିବା ଉଚିତ୍‍-। ମିସେସ୍ ସିମ୍ପସନ୍ ଓ ଶ୍ରୀମତୀଙ୍କର ପ୍ରଗାଢ଼ ବନ୍ଧୁତାସତ୍ତ୍ୱେ ମୋର ମିଷ୍ଟର ସିମ୍ପ୍‍ସନ୍‍ଙ୍କ ସହିତ ଆଜିଯାଏଁ ଦେଖା ହୋଇ ନାହିଁ,—ଅନ୍ତତଃ ଏଇଥିପାଇଁ ଯିବା ଉଚିତ୍‍ । ସେ ଦୁଇଜଣ ନାରୀ ଅନୁଷ୍ଠାନ ଜରିଆରେ ଏକାଠି ହୋଇଛନ୍ତି, ତେଣୁ ସ୍ୱାମୀମାନେ ଦୂରେଇ ହୋଇ ରହିଛନ୍ତି । ଆଜି ସ୍ୱାମୀମାନେ ପରସ୍ପରକୁ ଚିହ୍ନିବେ । ଆଜି ମୁଁ ସେହି ଭଦ୍ରଲୋକଙ୍କୁ ଦେଖିବି । ଶ୍ରୀମତୀ କହିଛନ୍ତି ଯେ ଆଉ କାହାକୁ ଡକା ହୋଇ ନାହିଁ, ହୁଏତ ତାଙ୍କର ଝିଅଜ୍ଵାଇଁ ପରେ ଆସି ପାରନ୍ତି । ଉତ୍ତମ । ସମାବେଶ ଏକାନ୍ତ ଓ ଘରୋଇ ହେବ । ମୁଁ ମିସେସ୍ ସିମ୍ପ୍‍ସନ୍‍ଙ୍କୁ ରାନ୍ଧିବାର, ପରଶିବାର ଦେଖିବି ଓ ଦେଖିବି ମିଷ୍ଟର ସିମ୍ପସନ୍‍ କିପରି ଉପଯୋଗୀ ଭାଷା ଓ ଭଙ୍ଗୀଦ୍ୱାରା ଜେନ୍‍ର ମହାତ୍ମ୍ୟ ବଢ଼ାଉଛନ୍ତି । ସମ୍ଭବତଃ ମୁଁ ମିସେସ୍ ସିମ୍ପ୍‍ସନ୍‍ଙ୍କ ବଡ଼ପଣର ଆଭାସ କିଛି ପାଇବି ନାହିଁ । ବୁଝିପାରିବି ନାହିଁ ଯେ ତାଙ୍କ ସଂସ୍ପର୍ଶରେ ଆସିଲେ ମଣିଷ କାହିଁକି ଭଗବାନଙ୍କ ନିକଟକୁ ଆସିବାର କଥା ଭାବିବ । କିନ୍ତୁ ମୁଁ ଆମେରିକାର ଗୋଟିଏ ସୁଖୀ ପରିବାରର ନିକଟଚିତ୍ର ଦେଖିବି; ସେ ଅନୁଭୂତି ଦୁର୍ଲ୍ଲଭ ।

 

ଆମେ ଟିକିଏ ଡେରିରେ ବାହାରିଲୁ । ସେତେବେଳକୁ ବର୍ଷା ପ୍ରାୟ ଛାଡ଼ି ଯାଇଥାଏ; କିନ୍ତୁ ଶ୍ରୀମତୀ ମନ ଦୁଃଖରେ କହିଲେ, ‘‘ଦିନ ଥାଉଁ ଥାଉଁ ପହଞ୍ଚିଥିଲେ ଭଲ ହୋଇ ଥାଆନ୍ତା । ଜେନ୍ କହୁଥିଲା ସେ ଆମକୁ ତା’ ବଗିଚାରେ କିଛି ସମୟ ବସାଇ ଫୁଲଗଛ ସବୁ ଦେଖାଇ ଥାଆନ୍ତା-। ତା’ ବଗିଚାରେ ଧଳା ଓ ହଳଦିଆ ଗୋଲାପ ଫୁଲ କେଜାଣି କେତେ । ଏହିକ୍ଷଣି ଅବଶ୍ୟ ଗୋଲାପର ସିଜ୍‍ନ୍ ନୁହେଁ— ।’’

 

ପୁଣି ସେ କହିଲେ, ‘ତା’ ଲିଭିଙ୍ଗ୍ ରୁମ୍ ଭାରି ଛୋଟ । ଯୋଡ଼ିଏ ତିନୋଟି ଫ୍ୟାମିଲିଙ୍କଠାରୁ ବେଶି ବସିବାକୁ ଜାଗା ନାହିଁ । ସଜାସଜିର ଆଡ଼ମ୍ବର ମଧ୍ୟ କିଛି ନାହିଁ; କିନ୍ତୁ ଜେନ୍‍ର କେତେଗୁଡ଼ିଏ ନିଜ ହାତର ପେଣ୍ଟିଙ୍ଗ୍ ଅଛି, ଆଉ ଗୋଟିଏ ସୁନ୍ଦର ‘ମ୍ୟାଡ଼ୋନା ଏଣ୍ଡ୍ ଦି ଚାଇଲଡ଼୍‍’ର ଛବି ଅଛି । ହଁ, ତାଙ୍କର ଗେହ୍ଲା । କୁକୁର ରବର ଗୋଟାଏ ଫଟୋ ଅଛି, ସେ ଯେତେବେଳେ ପିଲା ଥିଲା । ମସ୍ତବଡ଼ ଆଲସେସିଆନ୍ କୁକୁର, ଭାରି କାମିକା ଓ ବୁଦ୍ଧିଆ ।’’

 

ଗାଡ଼ି ଚଲାଇବା ଭିତରେ ଏହିପରି ମୁଁ ସିମ୍ପ୍‍ସନ୍‍ଙ୍କର ଲିଭିଙ୍ଗ୍ ରୁମ୍, ବେଡ଼ରୁମ୍, କିଚେନ୍ ଇତ୍ୟାଦିର ପୂର୍ବାଭାସ ପାଇଲି ଏବଂ ମୁଁ ବୁଝି ପାରିଲି ଯେ ଶ୍ରୀମତୀ ସେମାନଙ୍କୁ ଜାଣିଛନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ପରିପାର୍ଶ୍ଵ ଭିତରେ ସେ ଜେନ୍‍କୁ ପାଇଛନ୍ତି । ତାଙ୍କର ଯଦି କିଛି ଭୁଲ୍‍ ଧାରଣା ହୋଇଥାଏ ସେଥିପାଇଁ ମିସେସ୍ ସିମ୍ପ୍‍ସନ୍‍ ଦାୟୀ ନୁହନ୍ତି ।

 

ହଠାତ୍ ତାଙ୍କ କଥା ମଝିରେ ମୁଁ ପଚାରିଲି, ‘‘ମିଷ୍ଟର ସିମ୍ପ୍‍ସନ୍‍ଙ୍କ ପୂରା ନାଁ କଅଣ’’ ?

 

‘‘ଉଇଲିୟମ୍ ସିମ୍ପସନ୍ । ତେବେ ଜେନ୍ ତାଙ୍କୁ ନାଁ ଧରି ଡାକେ ନାହିଁ, ପ୍ରାୟ ଫାଦର ବୋଲି ଡାକେ । କାହିଁକି ?’’

 

‘‘ନା, ଏମିତି ପଚାରିଲି । ସେ ପାଇପ୍ ଖାଆନ୍ତି ?’’

 

‘‘ବୋଧହୁଏ ନୁହେଁ । ଜେନ୍ କହୁଥିଲା ଯେ ସେ ଆଗେ ବହୁତ ସିଗାରେଟ ଖାଉଥିଲେ, ଆଜିକାଲି ଛାଡ଼ି ଦେଇଛନ୍ତି । କିନ୍ତୁ ତାଙ୍କର ପାଇପ୍ ଖାଇବା କଥା କାହିଁକି ତୁମ ମୁଣ୍ଡରେ ପଶିଲା ?’’

 

ମୁଁ ହସିଲି । କିଛି ଉତ୍ତର ଦେଲି ନାହିଁ । କେମିତି କହିବି ଯେ ମୁଁ ଭାବିଥିଲି ମିଷ୍ଟର ସିମ୍ପ୍‍ସନ୍‍ଙ୍କ ନାଁ ହୋଇଥିବ ଥିଓଡ଼ର ସିମ୍ପସନ୍, କିମ୍ବା ସେହିପରି ବିଶିଷ୍ଟ ବିଜାତୀୟ ଧରଣର କିଛି ? ଯେ ତାଙ୍କର ପ୍ରଶସ୍ତ କପାଳ ଥିବ, ଓ ମୁଣ୍ଡରେ କେରି କେରି ଶୁଭ୍ରକେଶ ସଗର୍ବରେ ଶୋଭା ପାଉଥିବ । ତାଙ୍କୁ ଏପରି ସଂଜ୍ଞା ଓ ଚେହେରାରେ ଦେଖିବାକୁ କାହିଁକି ଇଚ୍ଛା ହେଲା କେମିତି କହିବି?

 

ଗାଡ଼ି ଚଲାଇବାର ପ୍ରାୟ ଅଧଘଣ୍ଟାଏ ହୋଇ ଗଲାଣି । ୱାଶିଙ୍ଗ୍‍ଟନ୍ ସହର କେତେବେଳଠୁଁ ପାରି ହୋଇ ଆସିଲୁଣି, ପାହାଡ଼ ଜଙ୍ଗଲ ରାସ୍ତା ସରୁ ନାହିଁ । ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ମିସେସ୍ ସିମ୍ପସନ୍ ୱାଶିଙ୍ଗ୍‍ଟନର ଗୋଟିଏ ହସ୍‍ପିଟାଲରେ କାମ କରନ୍ତି, ନାନାଦି ସଭା ସମିତିରେ ଯୋଗଦିଅନ୍ତି । ମିଷ୍ଟର ସିମ୍ପସନ୍ ମଧ୍ୟ ୱାଶିଙ୍ଗ୍‍ଟନର ଗୋଟିଏ ପବ୍‍ଲିକ୍ ଲାଇବ୍ରେରୀ ଓ କେତୋଟି ଷ୍ଟୋରରେ ପାର୍ଟ୍‍-ଟାଇମ୍‍ କାମ କରନ୍ତି । ସେମାନେ ବନସ୍ତ ପାର ହୋଇ ଏତେ ଦୂରରେ ଅଛନ୍ତି କାହିଁକି ? ଅବଶ୍ୟ ଆମେରିକାରେ ଏ ଦୂରତା ବିଶେଷ କିଛି ନୁହେଁ । ତା’ଛଡ଼ା ସହରର ଜନଗହଳି ବର୍ଜନ କରି ସବର୍ବର ମଣିଷସମାଜ ବା କମ୍ୟୁନିଟି ଭିତରେ ରହିବା ରୁଚିର ପରିଚାୟକ-। କିନ୍ତୁ ସିମ୍ପସନ୍ ପରିବାର ଧନୀ ନୁହନ୍ତି, ତାଙ୍କର ଯେ ଡାଏ କାର୍ ନାହିଁ, ନୂଆ ମଡ଼େଲର କାର୍ ନାହିଁ । ମିସେସ୍ ସିମ୍ପସନ୍ ପ୍ରାୟ ସେଲରେ ଜିନିଷ କିଣିବାର ଶୁଣିଛି । ଏତେ ଦୂରରେ ରହି ସେମାନଙ୍କୁ ବାଧୁ ନାହିଁ ?

 

ମୁଁ ଶ୍ରୀମତୀଙ୍କୁ ପଚାରିଲି । ସେ କହିଲେ, ‘‘ୱେଲ୍ । ସେମାନେ କେତେବର୍ଷ ତଳେ ୱାଶିଙ୍ଗ୍‍ଟନରେ ଥିଲେ, କିନ୍ତୁ ଜେନ୍ କହୁଥିଲା ଯେ ୱାଶିଙ୍ଗ୍‍ଟନର ବାତାବରଣ ତାଙ୍କୁ ସୁହାଇଲା ନାହିଁ ।’’ ଏହାପରେ ମୋର ଆଉ କିଛି କହିବାର ନ ଥିଲା ।

 

ଯାହାହେଉ କ୍ରମଶଃ ଆମେ ସମତଳ ଭୂଇଁକୁ ଖସି ଆସିଲୁ । ଛୋଟ ଛୋଟ ସହର ଦେଖାଗଲା । ଡ୍ରଗ୍‍ଷ୍ଟୋର, ସୁପରମାର୍କେଟ, ଗ୍ୟାସ୍ ଷ୍ଟେସନ ଇତ୍ୟାଦିର ପୁନରାବିର୍ଭାବ ହେଲା । ଶ୍ରୀମତୀ ଗୋଟାଏ ଜାଗାରେ ମଲ୍‍ବେରି ଲେନ୍ ନାମକ ଗୋଟିଏ ଗଳି ଭିତରକୁ ମୁହାଁଇବାର ନିର୍ଦ୍ଦେଶ ଦେଲେ ଓ କହିଲେ,—ଆଉ ବେଶି ଦୂର ନୁହେଁ ।

 

ଆମ କାର୍ ପହଞ୍ଚିବାମାତ୍ରେ ମିସେସ୍ ସିମ୍ପସନ୍ ଦାଣ୍ଡକବାଟ ଖୋଲି ମୁହଁ ଦେଖାଇଲେ ଓ ପଦାକୁ ବାହାରି ଆସିଲେ । ଦାଣ୍ଡ ଲନ୍‍ର ମଝିରେ ଦୁଇବନ୍ଧୁ କିଛିକ୍ଷଣ ଧରି କୋଳାକୋଳି ହେଲେ-। ଇତ୍ୟବସରେ ମୁଁ ଲକ୍ଷ୍ୟ କରି ପାରିଲି ଯେ ତାଙ୍କର ଧଳା କୋଠାଟି ଛୋଟିଆ, କିନ୍ତୁ ନିଊନ ନୁହେଁ ଏବଂ ତାଙ୍କ ଲନ୍‍ର ଘାସ ଉତ୍କୃଷ୍ଟଶ୍ରେଣୀର, ଘନ ଓ ନରମ ।

 

ଲିଭିଙ୍ଗ୍ ରୁମ୍‍ର ଦୁଆର ପାଖକୁ ଆସିଲାରୁ ଜଣେ ଭଦ୍ରଲୋକ ବସିବା ଚେୟାରରୁ ଉଠିଆସିଲେ । ମିସେସ୍ ସିମ୍ପସନ୍ ପ୍ରସାରିତ ହସ ଓ ଅତିରଞ୍ଜିତ କାଇଦାର ଭଙ୍ଗୀରେ କହିଲେ,—ମିଟ୍ ମାଇ ହଜବ୍ୟାଣ୍ଡ (ମୋ ସ୍ୱାମୀଙ୍କ ସାଙ୍ଗରେ ଦେଖା କର) । ମନେହେଲା ଯେ ସେ ତାଙ୍କ ଅଧିକ ଆନନ୍ଦକୁ ଆମୋଦର ଛଳନା କରି ଖେଳାଇ ଦେଉଛନ୍ତି ।

 

ମିଷ୍ଟର ସିମ୍ପସନ୍ ଯଥାରୀତି କରମର୍ଦ୍ଦନ ଓ କୁଶଳ ସମ୍ଭାଷଣ କଲେ । ସେ ଗୋଟିଏ ସ୍ମିତହାସ ଦେଇଥିଲେ । ମୁଁ ସେ କଥା ଟିକିଏ ପରେ କହୁଛି ।

 

ଉଇଲିୟମ୍ ସିମ୍ପସନ୍‍ଙ୍କ ମୁହଁରେ ପାଇପ୍ ନାହିଁ, ତାଙ୍କ ମୁଣ୍ଡରେ ଧଳା ବାଳ ଶୋଭା ପାଉ ନାହିଁ । ସେ ଅପେକ୍ଷାକୃତ ଡେଙ୍ଗା, କିନ୍ତୁ ଚେହେରାରେ ଆଉ କିଛି ବୈଶିଷ୍ଟ୍ୟ ନାହିଁ । ପ୍ରଥମ ଦେଖାରେ ମୋର ମନେହେଲା ଯେ ସେ କୁମ୍ଭାର ଚକରେ ଗଢ଼ା ସାଧାରଣ ମଣିଷଟିଏ । ତାଙ୍କଠାରେ ଅସାଧାରଣତ୍ୱ ଆରୋପିବା ବିଶୁଦ୍ଧ କଳ୍ପନାର ଖେଳ ଛଡ଼ା ଆଉ କିଛି ହୋଇପାରେ ନାହିଁ ।

 

କିନ୍ତୁ ସେ ହସିଥିଲେ । ସ୍ଵାଗତର କ୍ଷଣିକ ସ୍ମିତହାସ, ହେଲେ ସେତକ ମୋର ଦୃଷ୍ଟି ଆକର୍ଷଣ କଲା । ସେ ହସରେ ଆନନ୍ଦ ଥିଲା ନିଶ୍ଚୟ, କିନ୍ତୁ ବୋଧହୁଏ କିଛି ବିଷାଦର ମାତ୍ରା ଥିଲା-। ସତେ ଯେପରି ସେ ଏହି ମୁହୂର୍ତ୍ତର ଖୁସିକୁ ଅତ୍ୟଧିକ ପ୍ରାଧାନ୍ୟ ଦେବାକୁ ଚାହୁଁନାହାନ୍ତି, ଯେହେତୁ ଏ ମୁହୂର୍ତ୍ତ ପଛରେ ଜୀବନ ଅଛି, ଜୀବନ ଏକ ବିଷାଦ-ଭୂମି ।

 

ହସିଲା ମୁହଁରେ ସେ କହିଲେ, ‘‘ମୁଁ ତୁମ କଥା ଜେନ୍‍ଠାରୁ ବହୁତ ଶୁଣିଛି, ସେ ତୁମମାନଙ୍କୁ ଭାରି ଭଲପାଏ ।’’

 

‘‘ବିଶେଷତଃ ମୋଁ ସ୍ତ୍ରୀଙ୍କୁ ।’’

 

‘‘ବିଶେଷତଃ—’’ କହି ସେ ନାରୀଦ୍ଵୟଙ୍କ ଆଡ଼କୁ ଅନାଇଲେ । ଆସନ ଜମି ଆସିଲା ।

 

ମିଷ୍ଟର୍‍ ସିମ୍ପସନ୍ ପ୍ରଶ୍ନକଲେ ଥଣ୍ଡା ଲାଗୁଛି କି ନାହିଁ, ହିଟିଙ୍ଗ୍‍ ବଢ଼ାଇ ଦେବା ଉଚିତ୍‍ ହେବ କି । ମୁଁ ମନାକଲାରୁ ସେ ପ୍ରସ୍ତାବ କଲେ ଯେ ଫାୟାରପ୍ଲେସ୍‍ରେ ଧୀରେ ନିଆଁ ଜଳାଇଲେ ଭଲହେବ, ଓ ସାଙ୍ଗେ ସାଙ୍ଗେ ଉଠିଗଲେ ଫାୟାରପ୍ଳେସ୍‍ ପାଖକୁ ଏବଂ ଅଗ୍ନିସଂଯୋଗ କରୁକରୁ କହିଲେ, ‘‘ମୁଁ ବୋଧହୁଏ ପୁରୁଣାକାଳିଆ । ସେଣ୍ଟ୍ରାଲ ହିଟିଙ୍ଗ୍‍ଠାରୁ ମୋତେ ବେଶି ଭଲଲାଗେ ଫାୟାରପ୍ଳେସ୍‍ ର ଉଷୁମ— ।’’

 

‘‘—ଶାନ୍ତି ଲାଗେ’’ କହି ସେ ମନ୍ତବ୍ୟ ଶେଷ କଲେ । ତା’ ପରେ ଆମେ ଦୁହେଁ ଯୋଡ଼ିଏ ଚଉକି ଟାଣି ଆଣି ଫାୟାରପ୍ଳେସ୍‍ ପାଖରେ ବସିଲୁ । ଇତିମଧ୍ୟରେ ମିସେସ୍ ସିମ୍ପସନ୍ ଶ୍ରୀମତୀଙ୍କୁ ରୋଷେଇଘରକୁ ନେଇ ଗଲେଣି । ସେ କହିଲେ ଯେ, ସେ ଶ୍ରୀମତୀଙ୍କୁ ଆସିବା ପାଇଁ ଅପେକ୍ଷା କରିଥିଲେ, ଦୁହେଁ ଏକାଠି ମିଶି ରାନ୍ଧିବେ ବୋଲି ।

 

ତେଣୁ ନିଆଁ ପାଖରେ ଗପ କରିବାକୁ ରହିଲୁ କେବଳ ଆମେ ଦୁଇଜଣ, ମୁଁ ଓ ମିଷ୍ଟର ସିମ୍ପସନ୍ ।

 

ତାଙ୍କ କଥା ଶୁଣିବାକୁ ଭଲ ଲାଗୁଥାଏ, କାରଣ ସେ ଧୀରେ ଧୀରେ ଉଚିତ୍‍ ବିରତି ସହ କଥାଗୁଡ଼ିକ କହୁଥାଆନ୍ତି, ଓ ମୁଁ କିଛି କହିଲାବେଳେ ମନଦେଇ ଶୁଣୁଥାଆନ୍ତି ଏବଂ ଭଲ ଲାଗୁଥାଏ ତାଙ୍କର ସ୍ମିତହାସ । ମୁଁ ପୁଣିଥରେ ତା’ର ଅବତାରଣା କରୁଛି, ଯେହେତୁ ସେ ହସକୁ କାଢ଼ିଦେଲେ ତାଙ୍କଠାରେ ଆଉ କିଛି ରହୁ ନାହିଁ, ମନେହେବ ଯେ ସେ ଅନ୍ୟତମ ଗପୁଡ଼ା ପ୍ରୌଢ଼ ଭଦ୍ରଲୋକଟିଏ-। ସେହି ହସକୁ ବିଷାଦଭରା ବୋଲି କହିଲେ ଯଥେଷ୍ଟ ହେବ ନାହିଁ । ବିଷାଦରେ କରୁଣତା ଥାଏ, ଦୁଃଖୀ ସହାନୁଭୂତି ଖୋଜେ; କିନ୍ତୁ ମିଷ୍ଟର ସିମ୍ପସନ୍‍ଙ୍କ ହସରେ କରୁଣତା ନାହିଁ । ସେ ଯେପରିକି ଅନ୍ୟମାନଙ୍କୁ ଦୟା ଦେଖାଉଛନ୍ତି, ତାଙ୍କ ନିଜର ସହାନୁଭୂତି ବିଷାଦରୂପ ଧାରଣା କରିଛି । ପୁଣି ସେଥିରେ କିଛି ପ୍ରଚ୍ଛନ୍ନ ଗୌରବ ଥିଲା ପରି ଲାଗୁଛି, ସତେ ଯେପରି ମଲ୍‍ବେରୀ ଲେନ୍‍ର ଗୋଟିଏ ଲିଭିଙ୍ଗରୁମ୍‍ର ଫାୟାରପ୍ଳେସ୍‍ ପାଖରେ ବସି ସେ ଅନ୍ୟମାନଙ୍କୁ, ପୃଥିବୀର ଅନ୍ୟମାନଙ୍କୁ, ଯଥାସମ୍ଭବ ଦେଇପାରୁଛନ୍ତି ।

 

ଆମ କଥାବାର୍ତ୍ତା ଆରମ୍ଭ ହେଲା ପାଣିପାଗଠାରୁ ପ୍ରାୟ ଯେପରି ହୋଇଥାଏ । ମୁଁ କହିଲି ଯେ ଏପ୍ରିଲ୍‍ ମାସରେ ଏତେ ବେଶି ବର୍ଷା ଓ ଶୀତ ହେବା ଉଚିତ୍‍ ନୁହେଁ । ଏଠିକାର ଦିନେ ଗରମ ଦିନେ ଥଣ୍ଡା ଆମକୁ ବଡ଼ ବିଚିତ୍ର ଲାଗୁଛି, ଆମ ଦେହରେ ଯାଉନାହିଁ । ସେ ସେଥିରେ ଏକମତ ହେଲେ ଓ ଆମ ଦେଶର ପାଣିପାଗ କଥା ପଚାରିଲେ । ମୁଁ ଯେତେବେଳେ କହିଲି ଯେ ଆମ ଦେଶରେ ଚାରିମାସିଆ ପାଗ ହୁଏ,—ଅନବରତ ଖରା, ବର୍ଷା ଓ ଶୀତ—, ସେ ଟିକିଏ ଆମୋଦିତ ହେଲାପରି ଲାଗିଲେ ଓ କହିଲେ, ‘‘ବେଶ୍‍ ଭଲ ତ । ତେବେ ଅନିଶ୍ଚିତ ଜଳବାୟୁରେ ଗୋଟାଏ ଚ୍ୟାଲେଞ୍ଜ ଅଛି, ମଣିଷକୁ ସବୁବେଳେ ସବୁଥିପାଇଁ ପ୍ରସ୍ତୁତ ହେବାକୁ ପଡ଼େ ।’’ ମୁଁ ଭାବିଲି ଯେ ଜଣେ ଉଚିତ୍‍ ଆମେରିକାନ୍, ‘‘ପିଲ୍‍ଗ୍ରିମ ଫାଦର୍ସଙ୍କର ବଂଶଧର କଥା କହୁଛି,—ଯେ ଶୀତଦିନେ ଗଦାଗଦା ବରଫ ନିଜ ହାତରେ ସଫା କରେ ଓ ବରଫ ଚଟାଣ ଉପରେ ଖେଳେ, ସ୍ପ୍ରିଙ୍ଗ୍‍ରେ ଫୁଲଘାସର ଶୋଭା ତିଆରି କରେ, ଖରାଦିନେ ପାଣି ଓ ପବନକୁ ଆକ୍ରମଣ କରି ଡେଣା ଲଗାଇ ଉଡ଼େ । ଏହି ସାଧାରଣ ଲୋକଟି ଦରକାର ହେଲେ ସବୁ କରିପାରେ, ଓ କଲାବେଳେ କହିବ, ମୋତେ ଖୁସି ଲାଗୁଛି ।

 

କିନ୍ତୁ ମୋ ଆଖି ଆଗରେ ଦିଶିଗଲା ଯେ ଏ ମଲବେରୀ ଲେନରେ ଅତର୍କିତରେ ବରଫ ଜମା ହୋଇଯାଉଛି, ପାହାଡ଼ ରାସ୍ତା ପିଚ୍ଛିଳ ଘାତକ ହୋଇ ଉଠିଛି ଓ ୱାଶିଙ୍ଗ୍‍ଟନକୁ ଯିବାର ରାସ୍ତାରେ ବୟସ୍କ ସ୍ୱାମୀ ସ୍ତ୍ରୀ କାର୍ ଚଳାଉଛନ୍ତି ଗୋଟିଏ ମୁହୂର୍ତ୍ତରୁ ଆଉ ଗୋଟିଏ ମୁହୂର୍ତ୍ତ ଯାଏଁ । ଅଯଥା ଏ ବୀରତ୍ୱ କାହିଁକି ? ମୁଁ ପୂର୍ବର ପ୍ରଶ୍ନକୁ ସ୍ମରଣକରି ପଚାରି ବସିଲି, ‘‘ଆପଣଙ୍କର ଏତେ ଦୂରରେ ରହି କିଛି ଅସୁବିଧା ହୁଏ ନାହିଁ ? ବିଶେଷତଃ ଶୀତଦିନେ— । ୱାଶିଙ୍ଗ୍‍ଟନର ପାଖାପାଖି ରହିଲେ ଭଲ ହୁଅନ୍ତା ନାହିଁ ?’’

 

ସେହିଠୁଁ ସେ ହସିଲେ । କହିଲେ, ‘‘ମୁଁ ୱାଶିଙ୍ଗ୍‍ଟନକୁ ଭଲ ପାଏ ।’’ ଏହି ସମୟରେ ଜେନ ସିମ୍ପସନ ଯୋଡ଼ିଏ ଓ୍ୟାଇନ ଗ୍ଳାସ ଧରି ପହଞ୍ଚିଲେ ଓ ଦୁଃଖ ପ୍ରକାଶ କଲେ ଯେ ତାଙ୍କ ପାଖରେ ହୁଇସ୍କି ନାହିଁ । ମୁଁ ଜଣାଇଲି ଯେ ମୁଁ ୱାଇନ୍‍ ଭଲ ପାଏ । ପ୍ରକୃତରେ ମୁଁ ଭାବିଲି ଯେ ଏହି ନରମସୁନ୍ଦର ପରିବେଶରେ କେବଳ ୱାଇନ୍‍ ଶୋଭା ପାଇବ, ହୁଇସ୍କି ଜିନ୍‍ ଆଦି ଅଶ୍ଳୀଳ ବୋଲି ମନେ ହେବ ।

 

ମିଷ୍ଟର ସିମ୍ପସନ୍ ପାନୀୟରେ ଚୁମୁକି ଦେଇ ଆଉ ଥରେ କହିଲେ, ‘‘ମୁଁ ୱାଶିଙ୍ଗ୍‍ଟନକୁ ଭଲପାଏ । ମୋ ପିଲାଦିନଯାକ ସେହିଠି କଟିଛି । ମୁଁ ଘଣ୍ଟା ଘଣ୍ଟା ଧରି ପୋଟୋମାକ୍ ନଈକୂଳରେ ବସି ବହି ପଢ଼ୁଥିଲି । ବାହାଘର ପରେ ଜର୍ଜ୍‍ଟାଉନରେ ଗୋଟିଏ ପୁରୁଣା ଘର କିଣିଲି । ସେହି ଘରର ଦାମ ବର୍ତ୍ତମାନ ଚାରିଗୁଣ ହେବ । ଆମର ଓ ପିଲାମାନଙ୍କର କେତେ ସାଙ୍ଗସାଥୀ ହୋଇଥିଲେ । ବହୁତ ଚାହିଁଥିଲି ସେହିଠି ରହିଯିବି ବୋଲି । …କିନ୍ତୁ ଭଗବାନଙ୍କର ଇଚ୍ଛା ଅନ୍ୟପ୍ରକାର ହେଲା । ଓ୍ୱାଶିଙ୍ଗଟନ୍ ବଦଳିଗଲା, ଏପରିକି ଜର୍ଜ ଟାଉନର ରୂପ ବିକୃତ ହୋଇ ଆସିଲା । ମୁଁ ଭାବିଲି ମୋର ଶେଷଜୀବନ ସେଠି ଶାନ୍ତିରେ କଟାଇ ପାରିବି ନାହିଁ । ମୁଁ ଦୂରରେ ରହି ଓ୍ୱାଶିଙ୍ଗଟନକୁ ଭଲ ପାଇ ପାରିବି, ତା’ର ସେବା କରି ପାରିବି । ଭଗବାନ ତାହା ହିଁ ଚାହାନ୍ତି ।’’

 

ୱାଶିଙ୍ଗଟନ୍‍ରୁ ଚାଲି ଆସିବାର କାରଣ ସୁସ୍ପଷ୍ଟ ହେଲା ନାହିଁ; କିନ୍ତୁ ମୋର ମନେହେଲା ଯେ ତାଙ୍କୁ ପ୍ରକୃତରେ ବାଧିଛି, ଯଦ୍ୟପି ସେ ସେହି ଦୁଃଖକୁ ବାରି ନେଇଛନ୍ତି ।

 

ଏହାପରେ ମୁଁ ଜାଣିଶୁଣି ଅନ୍ୟକଥା ପକାଇଲି । ଯଥା— ତାଙ୍କ ଲନ୍‍ର ନରମ ଘାସ । ସେ କହିଲେ ଯେ, ସେ ସ୍ପେଶାଲ୍‍ ଘାସମଞ୍ଜି ଆଣି ଲଗାଇଛନ୍ତି । ତାଙ୍କ ପିଲାମାନଙ୍କ ଖବର ବୁଝିଲି ଯେ, ତାଙ୍କର ଦୁଇ ପୁଅ ଦୁଇ ଝିଅ ବାହାସାହା ହୋଇ ଘରଦ୍ୱାର କରି ଅଛନ୍ତି, ସାନ ଝିଅଜ୍ୱାଇଁ ଏହି ପାଖରେ ଅଛନ୍ତି, ନାତିଟି ଅନେକ ସମୟରେ ଏଠି ଆସି ଖେଳେ । କୁକୁର ରବ୍‍ର ବୁଦ୍ଧି-କରାମତି କଥା । ସେ ବିନୟର ସହିତ କହିଲେ ଯେ, ସେ ତାକୁ ଯଥାସାଧ୍ୟ ଟ୍ରେନିଙ୍ଗ୍‍ ଦେଇଛନ୍ତି, କୁକୁର ହେଲେ ମଧ୍ୟ ରବ୍‍ ଅନେକ କିଛି ଶିଖିପାରିଛି । ମିସେସ୍ ସିମ୍ପସନ୍‍ଙ୍କର କାର୍ପେଟ । ଉତ୍ତରରେ ନୀରବ ଅଙ୍ଗୀକାର ।

 

ଆଳାପର ଅବସର ଭିତରେ ମୁଁ ଯେ କେବଳ ମିସେସ୍ ସିମ୍ପସନ୍‍ଙ୍କ କାର୍ପେଟ୍‍ ଦେଖିଥିଲି ତାହା ନୁହେଁ, ଲିଭିଙ୍ଗରୁମ୍‍ର ଅନ୍ୟାନ୍ୟ କେତେକ ବସ୍ତୁ ମୋ ଆଖିରେ ପଡ଼ିଥିଲା । ସେ ସବୁ ବୋଧହୁଏ ଶ୍ରୀମତୀ ଦେଖି ନଥିଲେ କିମ୍ବା ବର୍ଣ୍ଣନା କରିବାକୁ ଭୁଲି ଯାଇଥିଲେ ।

 

ଥାକରେ ଅନେକ ବହି । କେତେଗୁଡ଼ିଏ ଅସମାନ ଓ ଅସଜଡ଼ା ହୋଇ ରହିଥାଏ । ସେଥିରୁ ବ୍ୟବହାରର ପରିଚୟ ମିଳୁଥାଏ । ମୁଁ ନିରୀକ୍ଷଣ କରି ଦେଖିଲି ଯେ ବିଭିନ୍ନ ଜ୍ଞାନକୋଷ ଧରଣର ବହି ଛାଡ଼ି ଦେଲେ ବାକିସବୁ ଧର୍ମ ଓ କୃଷି ସମ୍ବନ୍ଧୀୟ । ମୁଁ ପରେ ଶ୍ରୀମତୀଙ୍କଠାରୁ ଜାଣିଲି ଯେ ମିଷ୍ଟର ସିମ୍ପସନ୍‍ କୃଷିରେ ମନ ବଳାଇଛନ୍ତି, ଅଦୂର ଭବିଷ୍ୟତରେ ସେ ଜଣେ ରୀତିମତ ଫାର୍ମର୍‍ ହୋଇ ଯାଇପାରନ୍ତି; କିନ୍ତୁ ବର୍ତ୍ତମାନ ଧର୍ମ ପୁସ୍ତକଗୁଡ଼ିକ ମୋର ବିଶେଷ ଦୃଷ୍ଟି ଆକର୍ଷଣ କଲା । ସେ ବହିସବୁ ଏତେ କାହିଁକି ଅଛି ? ମିଷ୍ଟର ସିମ୍ପସନ୍‍ ଧର୍ମଯାଜକ, ଥିଓଲଜିର ଶିକ୍ଷକ ବା ଏମିତି କିଛି ନୁହନ୍ତି । ତେଣୁ ମୁଁ ଭାବିଲି ଯେ ସେ ନିଜର ଆନନ୍ଦ ପାଇଁ ଏ ବହିସବୁ ପଢ଼ନ୍ତି । ସେ ଧର୍ମର ଆଗ୍ରହୀ । କଥାକଥାକେ ଭଗବାନଙ୍କ ନାଁ ନେବା ତାଙ୍କର ଗୋଟାଏ ଢଙ୍ଗ ବା ଅଭ୍ୟାସ ନୁହେଁ, ଧର୍ମ ତାଙ୍କର ଜ୍ଞାନ ଓ ଚିନ୍ତାକୁ ଘେରି କରି ରହିଛି । ବହିଥାକ ଉପରେ ମ୍ୟାଡୋନା ଏଣ୍ଡ୍ ଦି ଚାଇଲଡ଼୍’ର ଛବି, ରାଫେଲ୍‍ଙ୍କର ଗୋଟିଏ ପ୍ରସିଦ୍ଧ ଚିତ୍ରର ପ୍ରତିକୃତି । କପାଳରେ ସିନ୍ଦୂର ଟୋପାପରି ସେ ସେହି ବହିଥାକର ମହିମା ଆଣିଦେଉଛି, ତା’ର ସ୍ଵରୂପ ଚିହ୍ନାଇ ଦେଉଛି ।

 

ଶୋଭା ଓ ବ୍ୟବହାରର ଅନ୍ୟ ସାମଗ୍ରୀମାନଙ୍କ କଥା ପଦେ ଅଧେ କହୁଛି । ବିଭନ୍ନ ଧାତୁ ଓ ଆକୃତିର ଫୁଲଦାନି,—ସେଥିରେ ଥିବା ପ୍ଲାଷ୍ଟିକ ଫୁଲରେ ଉତ୍‍କୃଷ୍ଟ ରୁଚିର ପରିଚୟ ମିଳୁ ନଥିଲା । ମିସେସ୍ ସିମ୍ପସନ୍‍ଙ୍କ ହାତର ପେଣ୍ଟିଙ୍ଗ ଦେଖିଲି, ଗୋଟିଏ ସମୁଦ୍ରର ଛବି ଅନ୍ୟଟି ଜଙ୍ଗଲର । ଦେଖିଲାମାତ୍ରେ ମନେ ହେଉଥିଲା ଯେ ଶିଳ୍ପୀ ପ୍ରକୃତିକୁ ଭଲପାଆନ୍ତି, ତେଣୁ ସେ ତା’ର ଉଚିତ୍‍-ସୁନ୍ଦର ରୂପ ଆଙ୍କିଛନ୍ତି । ନିଜର ଭାବନା ଦୁର୍ଭାବନା ଦେଇ ଅଧିକ କିଛି ଗଢ଼ିବାର ପ୍ରୟାସ କରିନାହାନ୍ତି । ବାକି କେତୋଟି ଛବି, ଫଟୋ, ଲ୍ୟାମ୍ପସେଡ଼୍, ଟେବୁଲ ଚେୟାରର ବହୁଳତା ଭିତରେ ଉଲ୍ଲେଖଯୋଗ୍ୟ କିଛି ନ ଥିଲା । କେବଳ ଗୋଟିଏ ଛୋଟ ଝୁଲା ଚଉକି ଓ ତା’ ଉପରେ ପଡ଼ିଥିବା ଟେଡ଼ି ବିଅର କଣ୍ଢେଇ ଜଣାଇ ଦେଉଥିଲା ଯେ, ଏ ଘରେ ଗୋଟିଏ ଛୋଟ ପିଲା ଆସି ଖେଳେ । ସିମ୍ପସନ୍‍ଙ୍କ ନାତି ହୋଇଥିବ ନିଶ୍ଚୟ ଏବଂ କାନ୍ଥକୋଣରେ ଗୋଟିଏ ବିରାଟ କଣ୍ଟାଳିଆ ଠେଙ୍ଗାଜାତୀୟ ଜିନିଷ ଥିଲା । ତା’ର ଉଦ୍ଦେଶ୍ୟ କଣ ମୁଁ ବୁଝିପାରିଲି ନାହିଁ ।

 

ସବୁ ଜିନିଷ ଦେଖିସାରି ଫାୟାର-ସାଇଡ଼୍ ଉଷୁମର ଆରାମ ନେଇ ମୁଁ ଭାବିଲି ଯେ ଏ ଘରସଜାରେ ହୁଏତ ଐଶ୍ଵର୍ଯ୍ୟର ଦୀପ୍ତି ନାହିଁ, ଉଚ୍ଚାଙ୍ଗ ରୁଚିର ଅଭାବ ପରିଲକ୍ଷିତ ହେଉଛି, କିନ୍ତୁ ଏଠି ରହିବା ଗୁଣ ଅଛି । ଏଠି ଦୁଇଟି ପ୍ରାଣୀ ସ୍ଵଧର୍ମ ପାଳନ କରି ପଢ଼ିବା ଏକାଠି ବସିବା, ପିଲା ଖେଳାଇବା, ଛବି ଆଙ୍କିବା, ଓ ପ୍ରାର୍ଥନା କରିବାର ଆନନ୍ଦ ପାଆନ୍ତି । ଏବଂ ଏଠି ଅଛି ବନ୍ଧୁତାର ପ୍ରୀତି ଓ ଆଶ୍ୱାସନା । ଏହି ଫାୟାର୍‍ସାଇଡ଼୍ ପାଖରେ ଏମିତି କେତେ ଅତିଥି ଆସି ବସିଥିବେ; ମିଷ୍ଟର ସିମ୍ପସନ୍‍ଙ୍କର କଥା ଶୁଣିଥିବେ, ଓ ମୋରି ପରି ଭାବିଥିବେ । ହୁଏତ ମିସେସ୍ ସିମ୍ପସନ୍‍ଙ୍କର କିଚେନ୍‍ରେ ଶ୍ରୀମତୀଙ୍କ ପରି ଆଉ କେତେ ବନ୍ଧୁ ଆସି ଏକାଠି ରାନ୍ଧିଥିବେ, ଘରଣୀପଣର ପରାକାଷ୍ଠା ଦେଖାଇଥିବେ । ଏ ଘରେ ନିମନ୍ତ୍ରଣର ମୂଲ୍ୟ ଅଛି ।

ଡିନର୍‍ ବଢ଼ା ହେବା ପୂର୍ବରୁ ଆମର କଥାବାର୍ତ୍ତା ପୃଥିବୀର ରାଜନୀତିଆଡ଼କୁ ଗତି କରିଥିଲା । ମୋର ମନେ ହେଲା ଯେ ମିଷ୍ଟର ସିମ୍ପସନ୍ ରାଜନୀତି ବିଶାରଦ ନୁହନ୍ତି, କିନ୍ତୁ ସେ ରାଜନୀତିକୁ କେବଳ ସକାଳର କଫି ଓ ଖବରକାଗଜର ଗୁଣ ବୋଲି ଭାବନ୍ତି ନାହିଁ । ସେ ସମ୍ବାଦର ମଣିଷମାନଙ୍କ ପାଇଁ ଭାବନ୍ତି । ହେଡ଼ଲାଇନ ପଛରେ ଥିବା ରାଜା, ପ୍ରଧାନମନ୍ତ୍ରୀ ଓ ଲୋକମାନଙ୍କର କଳହ, ହିଂସା, ଉଦ୍ୟମ, ଅନୁରାଗ ତାଙ୍କ ମନକୁ ଛୁଏଁ । ସାଇପ୍ରସ୍‍ରେ ଗ୍ରୀକ୍ ଓ ତୁର୍କମାନେ କାହିଁକି କଳି କରୁଛନ୍ତି ? —ସେ ପ୍ରଶ୍ନ ସେ ମୋତେ ଓ ନିଜକୁ ପଚାରିଲେ । ସଂଘର୍ଷର କାରଣ ଅବଶ୍ୟ ତାଙ୍କୁ ଅଜଣା ନାହିଁ; କିନ୍ତୁ ତାଙ୍କର ପ୍ରଶ୍ନ ହେଉଛି ଯେ ଏ ହିଂସା, ଏ ରକ୍ତପାତର ଶେଷ କେଉଁଠି । ସେମାନେ କ’ଣ ଜାଣନ୍ତି ନାହିଁ ଯେ ଶତଶତ ନିର୍ଦ୍ଦୋଷ ଲୋକ, ସ୍ତ୍ରୀପିଲାଙ୍କ ଜୀବନ ଅକାରଣରେ ଲୋପ ପାଇଯାଉଛି ? ଯେ ଭଗବାନଙ୍କ ଉଦ୍ଦେଶ୍ୟ ନ ଥିଲା ସେହି ଜୀବନଗୁଡ଼ିକ ଏମିତି ଆସି ଚାଲିଯିବ ବୋଲି ? ବିବାଦର ସମାଧାନ ହେବ ନିଶ୍ଚୟ, କିନ୍ତୁ ସେ ପ୍ରାଣୀଗୁଡ଼ିକ ପୁଣି ବଞ୍ଚିଉଠିବେ ନାହିଁ । ମିଷ୍ଟର ସିମ୍ପସନ୍‍ଙ୍କ କଣ୍ଠରେ ବ୍ୟଥା ଥିଲା ।

ମୁଁ ତାଙ୍କ ସହିତ ଏକମତ ହେଲି, କିନ୍ତୁ କହିଲି ଯେ ପୃଥିବୀରେ ଏହିପରି ସବୁବେଳେ ଘଟିଆସିଛି । ମଣିଷର ମନ ହୃଦୟ ଯଥାର୍ଥରେ ବଦଳି ନାହିଁ, ପୂର୍ବର ସେହି ଜନ୍ତୁସ୍ତରରେ ଅଛି ।

ସେ ସ୍ମିତହାସ ଦେଇ କହିଲେ, ‘‘ମଣିଷ ଜନ୍ତୁ ନୁହେଁ । ଆମେ ସମସ୍ତେ ଭଗବାନଙ୍କ ପିଲା, କିନ୍ତୁ ଭଗବାନଙ୍କର ଆଶୀର୍ବାଦ ଆମେ ସମାନ ଭାବରେ ପାଇ ନାହୁଁ । ଆମ ସମସ୍ତଙ୍କର ଦୋଷ-ଗୁଣ ପାପ-ପୁଣ୍ୟ ସମାନ ନୁହେଁ । ସେଇଥି ପାଇଁ କିଏ ସୁଖୀ, କିଏ ଅସୁଖୀ । ଏହି ସହଜ କଥାଟିକ ବୁଝି ନ ପାରିବାରୁ ଏତେ କଜିଆ ଲାଗିଛି, ଆମ ଲୋକେ ଏତେ ଅବସ୍ଥା ହେଉଛନ୍ତି ।

ସାଇପ୍ରସ୍ ସମସ୍ୟା ସହିତ ଏହି ଯୁକ୍ତିର ସମ୍ପର୍କ କଅଣ ମୁଁ ଜାଣି ପାରିଲି ନାହିଁ । ତେବେ ମୋଟାମୋଟି କଥାଟା ସତ ବୋଲି ମୁଣ୍ଡ ଟୁଙ୍ଗାରିଲି । ମୋର ମନେ ହେଲା ଯେ ସେ ଉପସ୍ଥିତ ବିଷୟ ନେଇ ତାଙ୍କର ସବୁ କଥା, ସବୁ ମତାମତ ସାରିଦେଇ ନାହାନ୍ତି । ସେ ମୋତେ ହୃଦୟଙ୍ଗମ କରିବାକୁ ସମୟ ଦେଉଛନ୍ତି ।

ମୋର ଧାରଣା ଠିକ୍ ଥିଲା । କିଛି ସମୟର ନୀରବତା ପରେ ସେ କହିଲେ, ‘‘ଆମ ଦେଶରେ ଏବେ କଣ ହେଉଛି ? ଏତେ ବଡ଼ ଦେଶ । ଭଗବାନଙ୍କ ରାଜ୍ୟରେ ତା’ର ବିଶେଷ ସ୍ଥାନ ଅଛି, ସୁଖ୍ୟାତି ଅଛି; କିନ୍ତୁ ଥୋକେ ତା’ର ମହିମା ନଷ୍ଟ କରି ଦେଉଛନ୍ତି । ସେହି ଅବୁଝାମଣା, ଅଜ୍ଞତା—-।’’

ଆମ କଥାବାର୍ତ୍ତାର କିଛି ଅଂଶ ବୋଧହୁଏ କିଚେନରେ ପହୁଞ୍ଚିଥିଲା । କାରଣ ମିସେସ୍ ସିମ୍ପସନ୍ ଦୁଆର ମୁହଁକୁ ଚାଲିଆସି କହିଲେ, ‘‘କଣ ପଲିଟିକସ୍‍ ଗପ ସରିବ ନାହିଁ ? ଆମକୁ ଭାରି ଭୋକ କଲାଣି ।’’ ତା’ପରେ ସେ ମୋ’ଆଡ଼କୁ ଚାହିଁ କହିଲେ, ‘‘ମୁଁ ଡେସାର୍ଟ୍‍ ପାଇଁ ରାଇସ୍‍ପୁଡ଼ିଙ୍ଗ କରିଛି ତୁମ ପାଇଁ । ମୁଁ ପଚାରିଲି ପୁଡ଼ିଙ୍ଗ୍‍ କଲେ ଭଲ ହେବ ନା ଆଇସ୍‍କ୍ରିମ୍ । ତୁମ ସ୍ତ୍ରୀ କହିଲେ ଯେ ତୁମେ କୁଆଡ଼େ ପୁଡ଼ିଙ୍ଗ୍‍ ଭଲପାଅ, ବିଶେଷତଃ ରାଇସ୍‍ ପୁଡ଼ିଙ୍ଗ୍‍ ।’’

ମୁଁ ତାଙ୍କୁ ଓ ଶ୍ରୀମତୀଙ୍କୁ ସମର୍ଥନ କଲି । ମିଷ୍ଟର ସିମ୍ପସନ୍ ସ୍ତ୍ରୀଙ୍କ ଆଡ଼କୁ ଟିକିଏ ଚାହିଁଦେଇ ଥଟ୍ଟା କଲାପରି କହିଲେ, ‘‘ଜେନ୍ ଭାରି ଚାଲାଖ । ଅତିଥିଙ୍କୁ କେମିତି ଖୁସି କରିବାକୁ ହୁଏ ତା’ର ଉପାୟ ସେ ଜାଣେ ।’’ ମିସେସ୍ ସିମ୍ପସନ୍ ଆଦରବୋଳା ପ୍ରତ୍ୟୁତ୍ତର ଦେଲେ, ‘‘ସତେ ? ତୁମେ ଯେମିତି ପୁଡ଼ିଙ୍ଗ୍‍ ଭଲପାଅ ନାହିଁ !’’ ଶ୍ରୀମତୀ ଏଥିମଧ୍ୟରେ ବନ୍ଧୁଙ୍କ ପାଖରେ ପହଞ୍ଚି ଏହି ଦୃଶ୍ୟର ଉପଭୋଗ କରୁଥିଲେ, ପୁରୁଷ ଓ ଖାଦ୍ୟ ।

 

ଆମେରିକାର ଦୁର୍ଦ୍ଦଶାପ୍ରସଙ୍ଗ ଆଉ ଆଗେଇ ପାରିଲା ନାହିଁ । ସେମାନେ ଦୁଇଜଣ ଆସି ଆମ ପାଖରେ ବସିଲେ ଓ ଯାବତୀୟ ଘରୋଇ କଥା ପଡ଼ିଲା । କିଛି ସମୟ ପରେ ମିସେସ୍ ସିମ୍ପସନ୍ ହାତଘଡ଼ି ଦେଖି କହିଲେ, ‘‘ଆଠଟା ବାଜିବ । ସୁସି ଓ ରିକିଙ୍କ ପାଇଁ ଆଉ ଅପେକ୍ଷାକରି ଲାଭ ନାହିଁ । ସୁସି କହୁଥିଲା ତାଙ୍କର ହୁଏତ ଡେରି ହୋଇପାରେ, ସ୍କୁଲର ପି .ଟି .ଏ .ମିଟିଂ ସାରି ଆସିବେ ।’’

 

ଶ୍ରୀମତୀ ଓ ମୁଁ ଆପତ୍ତି କଲୁ, କିନ୍ତୁ ଆମର ଆପତ୍ତି ନ ମାନି ଡିନରର ବନ୍ଦୋବସ୍ତ କରାଗଲା ।

 

ଡିନର ଟେବୁଲକୁ ବର୍ଣ୍ଣନା କରିବାର କିଛି ନାହିଁ । ଖାଦ୍ୟ ସରଞ୍ଜାମ ଅଳ୍ପ ସଜାସଜିର ଚେଷ୍ଟା ପ୍ରାୟ ହୋଇନାହିଁ କହିଲେ ଚଳେ । କିନ୍ତୁ ଶ୍ରୀମତୀଙ୍କଠାରୁ ଶୁଣିଛି ଯେ ମିସେସ୍ ସିମ୍ପସନ୍ ଭଲ ରାନ୍ଧନ୍ତି । ତେଣୁ ମୁଁ ଆଗ୍ରହରେ ସ୍ୱାଦୁର ଅପେକ୍ଷାରେ ରହିଲି ।

 

ମୋତେ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଲା । କାହିଁକିନା ଖାଇବାପୂର୍ବରୁ ହଠାତ୍ କଥାବାର୍ତ୍ତା ବନ୍ଦ ହୋଇଗଲା । ମିସେସ୍ ସିମ୍ପସନ୍ ସ୍ୱାମୀଙ୍କ ଆଡ଼କୁ ଅନାଇ କହିଲେ, ଫାଦର ଆରମ୍ଭ କରିବେ । ମିଷ୍ଟର ସିମ୍ପସନ୍ ଶାନ୍ତଗଭୀର ମୁଦ୍ରାରେ ଆରମ୍ଭ କଲେ, ହେ ସର୍ବଶକ୍ତିମାନ୍‍ ପିତା.... ।

 

ପ୍ରାର୍ଥନାର ପଦଗୁଡ଼ିକ ଜଣାଶୁଣା,—ଖାଇବା ପାଇଁ ଓ ବଞ୍ଚିବାପାଇଁ ଭଗବାନଙ୍କଠାରେ କୃତଜ୍ଞତାଜ୍ଞାପନ; କିନ୍ତୁ ଗୋଟିଏ ବିଶେଷ ଧାଡ଼ି ଥିଲା ଆମ ପାଇଁ । ଯେ ଭଗବାନ୍‍ ଭାରତରୁ ଆସିଥିବା ଏହି ପ୍ରିୟ ବନ୍ଧୁ ଓ ଅତିଥିଙ୍କର ମଙ୍ଗଳ କରନ୍ତୁ, ଦୁଇ ପରିବାରର ବନ୍ଧୁତା ଉତ୍ତରୋତ୍ତର ବୃଦ୍ଧି ପାଉ । ଆଉ ଗୋଟିଏ ବିଶେଷ କିନ୍ତୁ ସବୁଦିନିଆ ଧାଡ଼ି ଆଞ୍ଜେଲା ପାଇଁ,—ପ୍ରିୟ ଆଞ୍ଜେଲାର ଆତ୍ମା ଶାନ୍ତିରେ ରହୁ । ତାହାରି ପରେ ସ୍ଵସ୍ତି ବାଣୀ, ଆମେନ୍ । ମିଷ୍ଟର ସିମ୍ପସନ୍ ସମ୍ମୁଖ ଦୃଷ୍ଟି ଦେଲେ ଓ ଆମେ ଖାଇବା ଆରମ୍ଭ କଲୁ ।

 

ରନ୍ଧା ବେଶ୍ ଭଲ ହୋଇଥାଏ । ସବୁଠାରୁ ଭଲ ଲାଗୁଥାଏ ମିସେସ୍ ସିମ୍ପସନ୍‍ଙ୍କର ଅତିଥିପରାୟଣତା । ସେ ଗପରେ ଭାସିଯାଉ ନ ଥାଆନ୍ତି କିମ୍ବା ପ୍ରତିମୁହୂର୍ତ୍ତରେ ଅମୁକଟା ଖାଅ, ଅମୁକଟା ଭଲ ହୋଇଛି ଇତ୍ୟାଦି କହି ବ୍ୟସ୍ତ କରିଦେଉ ନ ଥାଆନ୍ତି । ସେ ନିଜର ଶାନ୍ତି ଦେଇ ଆମକୁ ଶାନ୍ତିରେ ଖାଇବାକୁ ଦେଉ ଥାଆନ୍ତି । ମଝିରେ ମଝିରେ ଆଗ୍ରହ ଦେଖାଇ ବ୍ୟଞ୍ଜନ ବିଶେଷ ନିଜ ଆଡ଼କୁ ବଢ଼ାଇ ଦେବାକୁ କହି ଭୀରୁ କଣ୍ଠରେ ପଚାରୁଥାଆନ୍ତି,—ଆଉ ତୁମେ ? ତୁମକୁ ଟିକିଏ ଦିଏ ? ତାଙ୍କ ତତ୍‍ପରତାରେ ଧାର ନ ଥିଲା । ତାଙ୍କ ପ୍ରସନ୍ନତାରେ ନିର୍ମଳ ଆକାଶର ଗୁଣ ଥିଲା, ଯାହାର ବ୍ୟାପକତା ମାଡ଼ି ପଡ଼େ ନାହିଁ, କିନ୍ତୁ ଚେତନାକୁ ସମଗ୍ର ଭାବରେ ଛୁଇଁ ପାରେ ।

 

ଆକାର ପ୍ରକାରରେ ଜେନ୍ ସିମ୍ପସନ୍ ତାଙ୍କ ସ୍ଵାମୀଙ୍କଠାରୁ ଯଥେଷ୍ଟ ଭିନ୍ନ । ଅଳ୍ପ ଉଚ୍ଚ, ଅବୟବରେ ସମତା ଅଛି, ବୟସକୁ ଚାହିଁ ଦେହର ମସୃଣତା ପ୍ରଶଂସାଯୋଗ୍ୟ । ଛୋଟ ପାଟି, ବଡ଼ ଆଖି, ଆଖିଡ଼ୋଳା ମୃଦୁନୀଳ । ହଠାତ୍ ଆବିଷ୍କାର କଲା ପରି ମୋର ମନେହେଲା ଯେ ତାଙ୍କ ଯୌବନର ସୌନ୍ଦର୍ଯ୍ୟ ଲୋଭନୀୟ ଥିଲା । ସେହି ଛୋଟ ପାଟିରେ କେତେ ଅବ୍ୟକ୍ତ ଅଳି ଓ ନିମନ୍ତ୍ରଣ ଥିବ, ସେହି ବଡ଼ ଆଖିର ଚାହାଣିରେ ଉତ୍‍ସୁକତା ଭରିଥିବ, ଉଛୁଳି ଆସିଲା ପରି । ସେ ଅଂସଯତ ହସ ହସୁଥିବେ,—ପ୍ରବୃତ୍ତିର ବୋଲକରା ହସ, ଅଶାନ୍ତ ଆନନ୍ଦର ହସ ।

 

ହୁଏତ ମୋର ଭ୍ରମ ହୋଇପାରେ । ଜେନ୍ ସିମ୍ପସନ୍ ଅତୀତରେ କିପରି ଥିଲେ ତାହା ଜାଣିବାର ଶକ୍ତି ମୋର ନାହିଁ; କିନ୍ତୁ ମୁଁ ଭାବିଲି ଯେ ମୋର ଧାରଣାରେ ସଂଗତି ଅଛି, ଯୁକ୍ତି ଅଛି । ଶ୍ରୀମତୀ ଜେନ୍‍ଠାରେ ପାଇଛନ୍ତି ଗଭୀରତାର ସ୍ପର୍ଶ, ମୁଁ ଦେଖୁଛି ପ୍ରସନ୍ନତାର ରୂପ । ଏହି ଭାବର ଗାରିମା ଏତେ ନିଖୁଣ ଯେ ସହଜାତ ବୋଲି ମନେହେଉ ନାହିଁ । ନା । ସୈକତିନୀର ଏହି ସ୍ୱର୍ଗୀୟତା ପଛରେ ନିଶ୍ଚୟ ଥିଲା ସ୍ରୋତସ୍ଵତୀର ଆବେଗ । ମିସେସ୍ ସିମ୍ପସନ୍ ସବୁଦିନେ ଏମିତି ନ ଥିଲେ । ସେ ତାଙ୍କର ସୌନ୍ଦର୍ଯ୍ୟ-ଆବେଗ ନେଇ ପୃଥିବୀ ସାଙ୍ଗରେ ଖେଳୁ ଖେଳୁ କିଛି ଗୋଟାଏ ବଡ଼ ଜିନିଷ ପାଇଗଲେ ଓ ତାକୁ ନିଜ ଭିତରେ ମିଶାଇ ଦେଇ ପାରିଲେ ।

 

‘‘.....ଫାଦର୍ ପିଆଜ ଭଲ ପାଆନ୍ତି ନାହିଁ, ନ ହେଲେ ଏ କାସେରୋଲ୍‍ ମୁଁ ବେଶି ପିଆଜ ଦେଇ କରିଥାଆନ୍ତି । ତୁମକୁ ବୋଧହୁଏ ଭଲ ଲାଗିଥାଆନ୍ତା,—ନୁହେଁ ?...’’ ଏହି ମର୍ମରେ ମିସେସ୍ ସିମ୍ପସନ୍ କଣ କହୁଥାଆନ୍ତି ଆମକୁ ।

 

ମୋର ଭାବନାର ଗତି ବ୍ୟାହତ ହେଲା ନାହିଁ । ମିସେସ୍ ସିମ୍ପସନ୍ କଣ ପାଇଛନ୍ତି ? ଶ୍ରୀମତୀଙ୍କ କଥା ମନେପଡ଼ିଲା, ଯେ ଜେନ୍‍ର ସଂସ୍ପର୍ଶରେ ଆସିଲେ ମଣିଷ ଭଗବାନଙ୍କ ନିକଟକୁ ଯାଇପାରିବ । ଶ୍ରୀମତୀଙ୍କୁ ଅନୁଭୂତି ତାଙ୍କ ନିଜର, ସତ ମିଛ ମୁଁ କହି ପାରିବି ନାହିଁ । କିନ୍ତୁ ଜେନ୍ ସିମ୍ପସନ୍ କେଉଁ ଅନୁପ୍ରେରଣା ପାଇଁ ଶ୍ରୀମତୀଙ୍କୁ ଦେଇ ପାରିଲେ ? କିଏ ତାଙ୍କ ଭଗବାନ ? ଫାଦର୍‍-ସ୍ୱାମୀ ଉଇଲିୟମ୍ ସିମ୍ପସନ୍ ?

 

କଳ୍ପନାର ଅତିରଞ୍ଜନରୁ ଫେରି ଆସି ମୁଁ ଭୁଲିଯାଇଥିବା ସାଲାଡ଼୍ ପ୍ଲେଟ୍‍ରେ ମନ ଦେଲି-। ସାଧାରଣ ମଧ୍ୟବିତ୍ତ ସ୍ୱାମୀ-ସ୍ତ୍ରୀ ଦୁଇଟି, ପରସ୍ପରକୁ ଭଲପାଆନ୍ତି । ଏଥିରେ ଏତେ ବଡ଼େଇ ବା ବିଦ୍ରୂପ କରିବାର କଅଣ ଅଛି ? ଜଣେ ମୂର୍ତ୍ତିମୟୀ ପ୍ରସନ୍ନତା, ଅନ୍ୟଜଣକ ବିଷାଦର ନୂତନତମ ସଂସ୍କରଣ । ଏକ ଅପରର ପରିପୂରକ । ଏମାନଙ୍କୁ ଦେଖି ଭଲଲାଗୁଛି, ଆଉ କ’ଣ ଦରକାର ?

 

ଶ୍ରୀମତୀ ଓ ମିସେସ୍ ସିମ୍ପସନ୍ ଘରକରଣାର ଗପ କରି ଚାଲିଥାଆନ୍ତି । ବର୍ତ୍ତମାନ କଥା ପଡ଼ିଥାଏ, ମହୁ ଫେଣାରେ ମହମବତୀ କେମିତି ତିଆରି କରିବାକୁ ହୁଏ, ସେଥିର ବିଶେଷତ୍ୱ କଅଣ-। ମିଷ୍ଟର ସିମ୍ପସନ୍ ମନଯୋଗ ସହ ଶୁଣିଲା ପରି ଲାଗୁଥାଆନ୍ତି । ଭାବିଲି ଯେ ଯେତେ ଯାହାହେଉ ସେ ଘରୋଇ ସ୍ୱାମୀଟିଏ; ତାଙ୍କର ବିଜ୍ଞତା ଓ ଧର୍ମ ଦର୍ଶନର ଆଳରେ ଆକାଶରେ ଉଡ଼ୁନାହାନ୍ତି, ଅନ୍ୟମନସ୍କତାର ବାହାଦୁରି ଦେଖାଉ ନାହାନ୍ତି ।

 

ଶେଷକୁ ରାଇସ୍‍-ପୁଡ଼ିଙ୍ଗ ଆସିଲା । ଖିରିପରି ସୁସ୍ୱାଦୁ ନ ହୋଇଥିଲେ ମଧ୍ୟ ମନ୍ଦ ଲାଗୁନଥାଏ । ମୋତେ ବେଶି ଖାଇବାକୁ ପଡ଼ିଲା, କାରଣ ଲୋକମୁଖରେ ଜଣା ଯେ ମୁଁ ରାଇସ୍-ପୁଡ଼ିଙ୍ଗ ଭଲପାଏ ।

 

ଡିନର୍ ପରେ ଆମେ ସମସ୍ତେ ଲିଭିଙ୍ଗ-ରୁମରେ ଏକାଠି ହେଲୁ । କଫି ଆସିବା ପୂର୍ବରୁ ମିଷ୍ଟର ସିମ୍ପସନ୍ କୁକୁର ରବ୍‍ର କ୍ରିୟାକଳାପ ଦେଖାଇଲେ,—ସେ କିପରି କଥା ମାନେ, ଖାଇବାକୁ କହିଲେ ଖାଏ, ଶୋଇବାକୁ କହିଲେ ଶୋଇଯାଏ, ଇତ୍ୟାଦି । ମିସେସ୍ ସିମ୍ପସନ୍ ଜଣାଇଦେଲେ ଯେ ସେ ଫାଦରଙ୍କ କଥା ଯେମିତି ମାନେ, ଆଉ କାହା କଥା ସେମିତି ମାନେ ନାହିଁ ।

 

କଫି ପିଇ ସାରିଲା ପରେ ମୁଁ ଫେରିବାର ଅନୁମତି ମାଗିଲି; କିନ୍ତୁ ମିଷ୍ଟର ସିମ୍ପସନ୍ ଅଟକାଇଲେ । କହିଲେ ଯେ ହୁଏତ ରିକି ଓ ସୁସି ଆସିପାରନ୍ତି ତା’ଛଡ଼ା ରାତି ବେଶି ଡେରି ହୋଇନାହିଁ, ଆକାଶ ସଫା ହୋଇଗଲାଣି, ଗାଡ଼ି ଚଳାଇବାରେ କିଛି ଅସୁବିଧା ହେବ ନାହିଁ । ମୁଁ ଯାହା ଟିକିଏ ଜୋର ଦେଇଥାଆନ୍ତି, ଦେଖିଲି ଯେ ଶ୍ରୀମତୀ ଯିବାକୁ ଆଗଭର ହେଉ ନାହାନ୍ତି । ଜେନ୍ ସିମ୍ପସନ୍ ତାଙ୍କର ଗୋଟିଏ ହାତକୁ ମୁଠାଇ ଧରିଛନ୍ତି ଓ ସେ ମୋ ଆଡ଼କୁ ଚାହିଁ ଅସହାୟତାର ଭାବ ଦେଖାଉଛନ୍ତି ।

 

ହେଉ । ମିଷ୍ଟର ସିମ୍ପସନ୍‍ଙ୍କ ଇଚ୍ଛା ଅନୁଯାୟୀ ଆମେ ପୁଣି ଫାୟାର ସାଇଡ଼୍‍ ପାଖରେ ବସିଲୁ । ଫାୟାର ପ୍ଲେସ୍‍ର ନିଆଁ ପୁଣି ଉତ୍ତମରୂପେ ଜଳିଉଠିଲା । ସନ୍ଧ୍ୟାର ଦ୍ୱିତୀୟ ପର୍ବ ଆରମ୍ଭ ହେଲାପରି ଲାଗିଲା ଓ ଆମେ ସମସ୍ତେ କିଛି ନୂଆ କଥା ପଡ଼ିବାର ଅପେକ୍ଷାରେ ରହିଲୁ ।

 

କଥା କେଉଁଆଡ଼ୁ ଆରମ୍ଭ ହୋଇଥାଆନ୍ତା କେଜାଣି, କିନ୍ତୁ ମୁଁ କିଛି ନ ଭାବି ନ ଚିନ୍ତି ମୋର ପୁନର୍ଜୀବିତ କୌତୂହଳକୁ ଦବାଇ ନପାରି ପଚାରିଲି, ‘‘ସେ ଠେଙ୍ଗାଟି କଅଣ ?’’

 

ମିଷ୍ଟର ସିମ୍ପସନ୍ କହିଲେ, ‘‘ମୁଁ ଭାବୁଥିଲି ତୁମେ କେତେବେଳେ ସେ ପ୍ରଶ୍ନ ପଚାରିବ । ତୁମର କୌତୂହଳ ସ୍ୱାଭାବିକ, ଠେଙ୍ଗାଟି ସାଧାରଣ ନୁହେଁ ।’’

 

ତା’ପରେ ସେ ସେହି ଠେଙ୍ଗା ଆଡ଼କୁ ସ୍ନେହ ଓ ଗର୍ବଭରା ଚାହାଣି ଦେଇ କହିଲେ, ‘‘ଏ ହେଉଛି ଶାସନଦଣ୍ଡ, ଆଫ୍ରିକାରୁ ଆସିଛି । ମୋର ଜଣେ ବନ୍ଧୁ ଆଫ୍ରିକାରେ ମିସ୍‍ନାରୀ ଥିଲେ, ସେ ଏଥିରୁ ଯୋଡ଼ିଏ ପାଇଥିଲେ, ମୋତେ ଗୋଟିଏ ଦେଇଛନ୍ତି । ତାଙ୍କୁ ଜଣେ ଟ୍ରାଇବାଲ୍ ଚିଫ୍ କୃତଜ୍ଞତାର ଭେଟି ସ୍ଵରୂପ ଏହାକୁ ଦେଇଥିଲେ, ଯେତେବେଳେ ସେ ଭଗବଦ୍‍ ଜ୍ଞାନ ପାଇଲେ, ବୁଝିଲେ ଯେ ରାଜରାଜେଶ୍ଵରଙ୍କ ପାଖରେ ଏହାର କର୍ତ୍ତୃତ୍ୱ କିଛି ନାହିଁ ।’’

 

କଣ୍ଟକିତ ଗଦାତୁଲ୍ୟ ଠେଙ୍ଗା ନିଷ୍କ୍ରିୟ ହୋଇ ପଡ଼ି ରହିଛି, ତା’ର କାମ ସରି ଯାଇଛି, କିନ୍ତୁ ଦିନେ ସେ ଥିଲା ମହାପ୍ରତାପୀର ଶକ୍ତି ଓ ସନ୍ତକ । ମିସନାରୀ ଭଦ୍ରଲୋକଙ୍କ କୃତିତ୍ୱ ନଗଣ୍ୟ ନୁହେଁ-।

 

ମିଷ୍ଟର ସିମ୍ପସନ୍ ମୋର ଭାବନା ବୁଝିଲା ପରି କହିଲେ, ‘‘କଳା ଲୋକମାନେ କିଛି ଖରାପ ନୁହନ୍ତି, ସେମାନେ ମଧ୍ୟ ଭଗବାନଙ୍କ ସନ୍ତାନ ।’’

 

ସେ ବୋଧହୁଏ ମୋର ମନୋନିବେଶ ଦେଖିଲେ ଓ ମୋଠାରୁ ସମ୍ମତି ବା ଉତ୍ତରର ଅପେକ୍ଷା ନ କରି କହି ଚାଲିଲେ—

 

‘‘ମୁଁ ସେତେବେଳେ କହୁ ନଥିଲି ଆମ ଦେଶ କଥା ? ଏ ଦେଶରେ କାହିଁକି ଏତେ ଅନାଚାର ଘଟୁଛି ? କାହିଁକି ୱାଶିଙ୍ଗଟନ ପରି ସହରକୁ ସବୁ ଭଲଲୋକ ଛାଡ଼ି ଚାଲି ଯାଉଛନ୍ତି, କେହି ଘର ବାନ୍ଧି ରହିବାକୁ ଚାହୁଁ ନାହାଁନ୍ତି ? ଆଲାବାମା ଜର୍ଜିୟାରେ କାହିଁକି ଏତେସବୁ ଘଟଣା ଘଟିଲା, ଘଟୁଛି-? କାହିଁକି ?

 

ଆମେ ସମସ୍ତେ ତାଙ୍କ ମୁହଁକୁ ଚାହୁଁଛୁ । ପ୍ରତ୍ୟେକ ହୁଏତ କିଛି ନା କିଛି ଉତ୍ତର ଯୋଗାଇ ପାରି ଥାଆନ୍ତେ, କିନ୍ତୁ କେହି ଦେଇ ପାରିଲୁ ନାହିଁ । ଉତ୍ତର ତାଙ୍କ ମୁହଁରେ ଶୋଭା ପାଇବ ।

 

‘‘କାହିଁକି ନା ଏ ବିଚରା କଳା ଲୋକମାନଙ୍କୁ ମିଛ କଥା କହି ମତାଇ ଦିଆହେଉଛି । ତାଙ୍କୁ କୁହାହେଉଛି ଯେ, ଏମିତି ପାଟିତୁଣ୍ଡ ଦଙ୍ଗାହଙ୍ଗାମା କଲେ ସେମାନଙ୍କୁ ସମାନ ଅଧିକାର ଦିଆହେବ, ସେମାନେ ବଡ଼ ହେବେ ।’’

 

ସେ ଉଦାରତାର ଭଙ୍ଗୀରେ ମୁଣ୍ଡ ହଲାଇଲେ ଓ କହିଲେ, ‘‘କି ନିର୍ବୋଧତା । ମଣିଷ କ’ଣ ଏମିତି ବଡ଼ ହୁଏ ? ବଡ଼ପଣ ନିଜ ଭିତରୁ ଆସେ । ସେଥିପାଇଁ ଚେଷ୍ଟା କରିବାକୁ ହେବ, ଭଗବାନଙ୍କ ଆଶୀର୍ବାଦ ମାଗିବାକୁ ହେବ । ଅଯଥା କଳହ, ହିଂସା, ରକ୍ତପାତରେ କିଛି ଲାଭ ନାହିଁ-।’’

 

‘‘ମୋ ବନ୍ଧୁ କହୁଥିଲେ ଯେ ଏହି ଠେଙ୍ଗାର ମାଲିକ ଜଣେ ପ୍ରସିଦ୍ଧ ଦଳପତି ଥିଲେ, ତାଙ୍କ ନା ଶୁଣିଲେ ଶତ୍ରୁମାନେ ଥରୁଥିଲେ । ସେ କେତେ ହତ୍ୟା କରିଛନ୍ତି, କେତେ ଘର ପୋଡ଼ିଛନ୍ତି; କିନ୍ତୁ ଶେଷକୁ ସେ ବୁଝିଲେ ଯେ, ବଡ଼ ହେବାର ଉପାୟ ଏ ନୁହେଁ । ଜୀବନ ଦୁଇଦିନିଆ, ...ତା’ପରେ-?’’

 

ମୋ’ପାଟିରୁ ବାହାରି ପଡ଼ିଲା, ‘‘ବାସ୍ତବିକ’’।

 

ସେ ପୁଣି କହିଲେ, ‘‘ଜାଣିଛ ? ଐତିହାସିକ ପ୍ରମାଣ ଅଛି,—ସେ ସବୁର ସମ୍ପୂର୍ଣ୍ଣ ଗବେଷଣା ହୋଇନାହିଁ—, ଯେ ଆଫ୍ରିକାର ଅଞ୍ଚଳଗୁଡ଼ିକ ଦିନେ ସଭ୍ୟତାର ଶୀର୍ଷରେ ଥିଲେ । ଧନ ସମ୍ପଦର କେତେ ଜିନିଷ ଏବେ ମାଟିତଳୁ ମିଳୁଛି; କିନ୍ତୁ ଆଜି ଆଫ୍ରିକା ଅନ୍ଧାରି ମୁଲକ । କାହିଁକି ଏମିତି ହେଲା ? କାହିଁକି ନା ସେମାନେ ଭଗବାନଙ୍କୁ ଭୁଲି ଗଲେ, ପର ଜୀବନ କଥା ଭାବିଲେ ନାହିଁ’’।

 

ପ୍ରାର୍ଥନା ଆହରଣ କଲା ପରି ସେ କିଛିକ୍ଷଣ ନୀରବ ରହିଲେ । ତା’ ପରେ—

 

‘‘ଧନ ଦଉଲତ କିଛି ନୁହେଁ । ବେଶି ଟଙ୍କା ରୋଜଗାର କଲେ ନିଜର ସ୍ଵଭାବ ପ୍ରକୃତି ବଦଳି ଯାଏ ନାହିଁ । ମୁଁ ନିଜର ଆଖିଦେଖା କଥା କହୁଛି । ମୁଁ କେତେବର୍ଷ ତଳେ ଦକ୍ଷିଣର ଗୋଟିଏ ସହରରେ ତିନି ଚାରିମାସ ଥିଲି, ମୋର ଜଣେ ବନ୍ଧୁଙ୍କ ଘରେ । ବେଶ୍ ଭଦ୍ରପଡ଼ା; କିନ୍ତୁ ଆମ ପାଖ ଘରକୁ ଜଣେ ନିଗ୍ରୋ କିଣି ନେଇଥାଏ । ସେ ଆମଦାନୀ ରପ୍ତାନି ବ୍ୟବସାୟରେ ବେଶ୍ ବଡ଼ଲୋକ ହୋଇ ଯାଇଛି ବୋଲି ଶୁଣାଯାଏ । ତଥାପି ସେ ସଞ୍ଜ ହେଲେ କ’ଣ କରେ ଜାଣ ? ଆମେ ସମସ୍ତେ ଯେତେବେଳେ କାର୍ ଧରି କ୍ଳବ୍‍, ଥିଏଟର ବା କନସର୍ଟକୁ ଯାଉ, ସେ ନିଗ୍ରୋପଡ଼ାକୁ ଯାଇ ତା’ର ପୁରୁଣା ସାଥୀଙ୍କୁ ଧରି କେଉଁ ଶସ୍ତା ବାରରେ ମଦ ଖାଏ । ଯେତେ ରକମର କୁତ୍ସିତ କଥା, କୁତ୍ସିତ କାରବାର ସବୁ ହୁଏ ସେଠି ।’’

 

ମୁଁ ଏହି ସମୟରେ କିଛି କହିବା ସମୀଚୀନ ମନେକଲି । କହିଲି, ‘‘କିନ୍ତୁ ଯେତେ ଭଲ ଭଲ ଥିଏଟର ରେସ୍ତୋରାଁ ଇତ୍ୟାଦି, ସବୁ ତ ଗୋରାମାନଙ୍କ ପାଇଁ ଥିବ । ସେଠିକୁ କଣ ସେ ଇଚ୍ଛା କଲେ ମଧ୍ୟ ଯାଇପାରିବ ?’’

 

‘‘ନାହିଁ’’, ମିଷ୍ଟର ସିମ୍ପସନ୍ ଦୃଢ଼ଭାବରେ କହିଲେ । ‘‘ତା’ର କାରଣ ସେ ନିଜକୁ ଗ୍ରହଣଯୋଗ୍ୟ କରିପାରି ନାହିଁ । ମୁଁ ସେହି କଥା କହୁଛି ପରା । ଏତେ ଧନସମ୍ପତ୍ତି ଥିଲେ କଣ ହେବ, ସେ ନିଜକୁ ଭଗବାନ ଅଥବା ମଣିଷର ଯୋଗ୍ୟ କରିପାରିଲା ନାହିଁ । ସେ ଦିଗରେ ଚେଷ୍ଟା ମଧ୍ୟ କଲା ନାହିଁ ।

 

ସେ କଥାର ଉପସଂହାର ଜଣାଇଲେ, ‘‘ଶେଷକୁ ସେ ସେହି ପଡ଼ାରେ ରହି ପାରିଲା ନାହିଁ, ଘର ବିକି ଦେଇ ଚାଲିଗଲା କୁଆଡ଼େ ।’’

 

‘‘ଦୁର୍ଭାଗ୍ୟ !’’ କହି ମିଷ୍ଟର ସିମ୍ପସନ୍ ଫାୟାରପ୍ଲେସ୍‍ର ନିଆଁ ଆଡ଼କୁ ଅନାଇ ରହିଲେ । ମୋର ମନେ ହେଲା ସେ ତାଙ୍କର ଅନୁଶୋଚନାର ଚାନ୍ଦୁଆ ତଳେ ସମସ୍ତଙ୍କୁ ଆଣିଲେ—ଭଦ୍ରାପଡ଼ାର ସେହି ନିଗ୍ରୋ, ତା’ର ସାଙ୍ଗସାଥୀ, ତା’ର ପ୍ରତିବେଶୀ ଓ ଆମେରିକା ।

 

ଦାଣ୍ଡଦୁଆରରେ ଘଣ୍ଟି ବାଜିଲା । ମିସେସ୍ ସିମ୍ପସନ୍ ଉଠିଯାଇ କବାଟ ଖୋଲି ଦେଲେ । ଏକାଠି ଯୋଡ଼ିଏ ତରୁଣତରୁଣୀ ହସ ଓ କଥାର ଆଲୋଡ଼ନ ସୃଷ୍ଟି କରି ଘର ଭିତରକୁ ପଶି ଆସିଲେ, ନିଶ୍ଚୟ ସିମ୍ପସନ୍‍ଙ୍କର ଝିଅଜ୍ଵାଇଁ । ଝିଅଟି ମିସେସ୍ ସିମ୍ପସନ୍‍ଙ୍କୁ ଗେହ୍ଲା କଲା ଓ ପୁଅଜଣକ କଣ ଅନବରତ କହି ଚାଲିଥାଏ ।

 

ସେମାନେ ଆମ ପାଖକୁ ଆସିଲେ । ପରିଚୟର ପଦ୍ଧତି ପାଳନ କରାଗଲା । ଆମେରିକାର ସର୍ବସାଧାରଣ ତରୁଣ ଦମ୍ପତିଙ୍କ ପରି ଝିଅଟି ପରିପୂର୍ଣ୍ଣା ଓ ପୁଅଟି ଅପରିପକ୍ୱ ଦେଖାଯାଉଥାଏ । ଝିଅ ପଦେ କଥା କହିଲାବେଳକୁ ପୁଅ ଛଅପଦ କହୁଥାଏ । ମିସେସ୍ ସିମ୍ପସନ୍ ନିରନ୍ତର ମୁଣ୍ଡ ଟୁଙ୍ଗାରୁ ଥାଆନ୍ତି ଓ ମିଷ୍ଟର ସିମ୍ପସନ୍ ଆମୋଦିତ ହେଲାପରି ଦେଖୁଥାଆନ୍ତି ଦୁଇଜଣଙ୍କୁ ।

 

ସେମାନଙ୍କର ଏତେ କଥା କହିବା ମୂଳରେ ଥିଲା ଡେରିର କୈଫିୟତ ଦେବା ଅସଂଲଗ୍ନ କଥା ଓ ହସ ଭିତରେ କ୍ରମଶଃ ଯୋଡ଼ିଏ କାରଣ ଜଣା ପଡ଼ିଲା । ପ୍ରଥମତଃ ସାନପୁଅ ଜନ୍ ପାଇଁ ବେବି-ସିଟର ଯୋଗାଡ଼ କରିବାରେ ଡେରି ହେଲା । ଦ୍ୱିତୀୟତଃ ପି:ଟି:ଏ: (ପେରେଣ୍ଟସ୍ ଟିଚରସ୍ ଆସୋସିଏସନ୍) ମିଟିଂ ସରୁ ସରୁ ଅନେକ ସମୟ ଲାଗିଲା ।

 

ସେମାନେ ଡିନର ଖାଇବେ ନାହିଁ ବୋଲି କହିଲେ । ତେଣୁ ସେମାନେ ଆମ ଆସରର ଶେଷ ପର୍ଯ୍ୟାୟରେ ଯୋଗଦେଲେ ।

 

ସୁସ୍ଥ ହୋଇ ଦୁଇମିନିଟ୍ ବସି ସାରିଲା ପରେ ସୁସି ପୁଣି ପି:ଟି:ଏ: ମିଟିଂ କଥା ପକାଇଲା । କହିଲା, ‘‘ମିଟିଂ ଏତେ ସମୟ ଲାଗିଲା ତା’ର କାରଣ ହେଉଛି ଯେ ଆଜି ଗୋଟାଏ ଜରୁରି କଥାର ଆଲୋଚନା ହେଲା । ଏହି ଯେଉଁ ନୂଆ ଆନ୍ଦୋଳନ ଉଠିଛି,—ଯେ ନିଗ୍ରୋ ପିଲାମାନେ ନିଗ୍ରୋ ସ୍କୁଲରେ ପଢ଼ିବେ ନାହିଁ । ସେଥିରୁ ଥୋକେ ଆସି ଗୋରାମାନଙ୍କ ସ୍କୁଲରେ ପଢ଼ିବେ ଓ ଗୋରାପିଲାଙ୍କ ଭିତରୁ କେତେଜଣଙ୍କୁ ଜବରଦସ୍ତକରି ନିଗ୍ରୋ ସ୍କୁଲକୁ ପଠାଯିବ ।’’

 

‘‘କି ଆଶ୍ଚର୍ଯ୍ୟ କଥା !’’ ଶ୍ରୀମତୀ ଓ ମିସେସ୍ ସିମ୍ପସନ୍ ଏକାସାଙ୍ଗରେ କହି ଉଠିଲେ ।

 

ସୁସି କହିବାକୁ ଲାଗିଲା, ‘‘ସମସ୍ତେ ଜାଣନ୍ତି ୱାଶିଙ୍ଗ୍‍ଟନରେ ଗୋରା ସ୍କୁଲ ନିଗ୍ରୋ ସ୍କୁଲ ବୋଲି କିଛି ନାହିଁ । ତେବେ ଗୋଟାଏ ପଡ଼ାରେ ଯଦି ବେଶି ନିଗ୍ରୋ ହୋଇଗଲେ, ସେଠିକାର ସ୍କୁଲ ନିଗ୍ରୋ ସ୍କୁଲ ନ ହୋଇ ଆଉ କ’ଣ ହେବ ? କେତେଜଣ ଗୋରା ପିଲାଙ୍କୁ ସେଠିକି ପଠେଇଦେଲେ କଣ ପଢ଼ାର ଷ୍ଟାଣ୍ଡାର୍ଡ଼ ବଢ଼ିଯିବ ନା ନିଗ୍ରୋ ପିଲାମାନେ ବେଶି ସଭ୍ୟ ହୋଇଯିବେ ? ଆମର ଆଲୋଚନା ହେଲା କେମିତି ଏହାର ପ୍ରତିକାର କରାଯିବ । ସେହିଠୁଁ ଠିକ୍ ହେଲା— ।’’

 

ଏହି ସମୟରେ ରିକି ଆଯାଚିତଭାବରେ ମନ୍ତବ୍ୟ ଦେଲା, ‘‘ଠିକ୍ କ’ଣ ହେବ ? ଏ ପାଗଳାମିର ଅନ୍ୟ ଉପାୟ ନାହିଁ । ଏମାନଙ୍କୁ ଜବତ କରିବାକୁ ହେବ । ବର୍ମିଙ୍ଗ୍‍ହାମ୍ ନା କେଉଁଠି ଯେମିତି ହୋଇଥିଲା, ପୋଲିସ୍‍ କୁକୁର ଲଗାଇ ଘଉଡ଼ାଇବାକୁ ପଡ଼ିବ । ନ ହେଲେ ଏମାନେ ଚେତିବେ ନାହିଁ ।’’

 

ମିଷ୍ଟର ସିମ୍ପସନ୍ ତା’କୁ ଆଉ ଆଗକୁ ବଢ଼ିବାକୁ ଦେଲେ ନାହିଁ । ବାରଣ କଲାପରି ହାତଟେକି କହିଲେ, ‘‘ନା, ନା, ସେଥିରେ କିଛି ଲାଭ ନାହିଁ । ସେମାନେ ତାଙ୍କର ଭୁଲ୍ ବୁଝିବେ, କ୍ରମଶଃ ବୁଝିବେ ।’’

 

କିଛି ସମୟ ପରେ ସେ ତାଙ୍କ ନିଜସ୍ଵ ହସଟିକ ଦେଲେ ଓ କହିଲେ, ‘‘ତୁମେ ସେମାନଙ୍କୁ ଜାଣିନାହଁ, ମୁଁ ଜାଣିଛି । ସେମାନେ ଖରାପ ନୁହନ୍ତି, ସେମାନେ ଅଭାଗା, ଭଗବାନଙ୍କ ଆଶୀର୍ବାଦ ହରାଇଛନ୍ତି । ...ଆମର ତାଙ୍କୁ ଭଲପାଇବା ଉଚିତ ।’’

 

କଥାବାର୍ତ୍ତା ଥମିଗଲା । ମୁଁ ଉଇଲିୟମ୍ ସିମ୍ପ୍‍ସନଙ୍କର ବିଷାଦମଧୁର ହସ ଓ କରୁଣାର ମୁଦ୍ରା ଦେଖି ରହିଲି । ହଠାତ୍ ମୋ ମନରେ ଆସିଲା ଯେ ମୁଁ ଭଗବାନଙ୍କ ଛବି ଦେଖୁଛି । ହଁ, ଏ କେବଳ ଜେନ୍ ସିମ୍ପସନ୍‍ଙ୍କ ଭଗବାନ ନୁହନ୍ତି, ଏ ସମସ୍ତଙ୍କ ଭଗବାନ । ହୋଇପାରନ୍ତି ସେ ଜଣେ ସାଧାରଣ ମଧ୍ୟବିତ୍ତ ନାଗରିକ, ଯାହାର କଲର ଟି.ଭି.ନାହିଁ, ଯୋଡ଼ାଏ କାର୍ ନାହିଁ, ଯାହାର ବ୍ୟବସାୟ ବୃତ୍ତିରେ ଚମକ ନାହିଁ, ଯାହାର ନାଁ ଖବରକାଗଜରେ ବାହାରେ ନାହିଁ, କିନ୍ତୁ ତାଙ୍କର ଅପାର୍ଥିବ ବଡ଼ପଣ ଅଛି,—ତାହା ପରମ ଶାନ୍ତି, କରୁଣା ଓ ବିଷାଦର ବଡ଼ପଣ । ମୁଁ ସେହି ମହତ୍ତ୍ୱର ଝଲକ ପାଉଛି । ସେହି ହେଉଛି ଭଗବାନଙ୍କ ଛବି ।

 

କ୍ରମଶଃ ମୋର ମନେହେଲା ଯେ ମଲ୍‍ବେରୀ ଲେନ୍‍ର ଉଇଲିୟମ ସିମ୍ପସନ୍ କେବଳ ବ୍ୟକ୍ତିଗତ ଭାବରେ ଭଗବାନ୍‍ ନୁହନ୍ତି । ସେ ଗୋଟାଏ ବିଶିଷ୍ଟଗୁଣର ଆଲୋକପାତ କରୁଛନ୍ତି, ଯାହା ମୁଁ ଆଉ କେତେ ମଲବେରୀ ଲେନ୍, ଆଉ କେତେ ଲିଭିଙ୍ଗ୍‍ ରୁମ୍ ଡ୍ରଇଂରୁମରେ ଦେଖିଛି । କେବଳ ଆମେରିକା ନୁହେଁ, ଭାରତରେ ଦେଖିଛି । ଭଗବାନଙ୍କ ରୂପ କଣ ମୁଁ ଜାଣେ ନାହିଁ, ତାଙ୍କୁ ସଶରୀରେ ଦେଖିବାର ବିଡ଼ମ୍ବନା ମୋର ନାହିଁ; କିନ୍ତୁ ମୋର ଧାରଣା ହେଲା ଯେ ଯଦି ଭଗବାନଙ୍କୁ ଜୀବନ୍ତ କଳେବର ଦିଆଯାଏ ତାହାହେଲେ ସେ ଉଇଲିୟମ ସିମ୍ପସନ୍‍ଙ୍କ ପରି ହୋଇଥିବେ, କିମ୍ବା ହୁଏତ ସ୍ଵଦେଶର ସୀତାରାମ ଆୟାରଙ୍କ ପରି ବା ଜଗନ୍ନାଥ ପଟ୍ଟନାୟକଙ୍କ ପରି, ବା......। ଏମାନେ ସମସ୍ତେ ମଧ୍ୟବିତ୍ତ । ବଡ଼ଲୋକର ଉଦ୍ଧତପଣ ଏମାନଙ୍କ ପାଖରେ ନାହିଁ, ଗରିବର ନୀଚତା ମାଡ଼ିବସିବା ଢଙ୍ଗ ନାହିଁ । ତେଣୁ ଏମାନେ ଭଗବାନଙ୍କୁ ନିଜର କରି ପାରିଛନ୍ତି ଓ ସଂସାରର ଦୁଷ୍ଟଭାବରେ ସନ୍ତପ୍ତ ହେଉଛନ୍ତି । ସନ୍ତାପରୁ ସହାନୁଭୂତି, ତହିଁରୁ କରୁଣା ଓ ଶାନ୍ତିର କାମନା । ମୋର ମନେ ପଡ଼ିଲା ସୀତାରାମ ଆୟାରଙ୍କ କଥା । ସେ ସେଣ୍ଟ୍ରାଲ ସେକ୍ରେଟେରୀଏଟରେ କାମ କରନ୍ତି । ସେ ଦିନେ ମୋତେ କହିଥିଲେ ଯେ ତାଙ୍କର ଅବ୍ରାହ୍ମଣମାନଙ୍କ ପ୍ରତି ଆଦୌ ବିଦ୍ୱେଷ ନାହିଁ-। ଅବ୍ରାହ୍ମଣ ମାନଙ୍କର ଦୋଷ ନୁହେଁ ଯେ ସେମାନେ ଛୋଟକୁଳରେ ଜନ୍ମ ହୋଇଛନ୍ତି । ଭଗବାନ୍‍ ତାଙ୍କୁ ସୁବୁଦ୍ଧି ଦେବେ, ନିଶ୍ଚୟ ଦେବେ । ପୁଣି ମନେପଡ଼ିଲା ଜଗନ୍ନାଥ ପଟ୍ଟନାୟକଙ୍କ କଥା । ସେ ତ୍ରିସନ୍ଧ୍ୟା କରନ୍ତି, ପାଠପଢ଼ୁଆ ପିଲାଙ୍କ ଅବାଧ୍ୟପଣ ତାଙ୍କୁ ବାଧେ, ପୁଅର ଶ୍ଵଶୁରଘରୁ ଯଥେଷ୍ଟ ଯୌତୁକ ଆସିଲା ନାହିଁ ବୋଲି ସେ ସମୁଧିର ସମ୍ମାନହାନି ପାଇଁ ଦୁଃଖିତ ହୋଇଥିଲେ । ମୋର ମନେ ଅଛି ଯେ ଥରେ ଠାକୁରଘରୁ ମଠାଲୁଗା ପିନ୍ଧି ପୂଜା ସାରି ଆସିଲାବେଳକୁ ସେ ଶୁଣିଲେ ଯେ ମୂଲିଆମାନେ କାମ ନ କରି କାମ କରିଛନ୍ତି ବୋଲି କହୁଛନ୍ତି, ଓ ପଇସା ମାଗୁଛନ୍ତି । ସେ ସହନଶୀଳ ବ୍ୟଥିତ ଚାହାଣିରେ ଆମ ଆଡ଼କୁ ଅନାଇଲେ, ଓ କହିଲେ,—ଚାକରବାକର ମୂଲିଆମାନେ ଏତେ ମିଛ କହନ୍ତି କାହିଁକି ?

 

ସ୍ଥାନକାଳପାତ୍ର ନେଇ ସେହି ଭଗବାନଙ୍କର କେତେ ରୂପ । ମୁଁ ମୁଗ୍‍ଧ ହୋଇ ଚାହିଁ ରହିଲି ।

 

ସେହି କେତେମାସ ଭିତରେ ଅନେକ ଘଟଣା ଘଟିଗଲା । ଆମେରିକାର ଚାରିଆଡ଼େ ନିଗ୍ରୋ-ଗୋରା ସଂଘର୍ଷ । ପୁଲିସ-କୁକୁର, ଲୁହବୁହା ଗ୍ୟାସ୍, ଘରପୋଡ଼ି, ହତ୍ୟା, କୌଣସିଟି ବାକି ନ ଥିଲା । ମୁଁ ପ୍ରତିଥର ଖବରକାଗଜରେ ଏହିସବୁ ବିଷୟ ପଢ଼ିଲାବେଳେ ଉଇଲିୟମ୍ ସିମ୍ପସନ୍‍ଙ୍କୁ ସ୍ମରଣ କରେ ଓ ତାଙ୍କରି ଭାବର କାଣିଚାଏ ନେଇ ଦୁଃଖ ପ୍ରକାଶ କରେ । ଏ ଉତ୍‍ପାତ କ’ଣ ଚାଲିଥିବ ଏମିତି ?

 

କିନ୍ତୁ ଦିନେ ଗୋଟାଏ ନୂଆ ଧରଣର ସମ୍ବାଦ ଆସିଲା । ଖବରରେ ପ୍ରକାଶ ଯେ ରବିବାର ଦିନ ଦକ୍ଷିଣର ଗୋଟାଏ ନିଗ୍ରୋ ଚର୍ଚ୍ଚରେ ପ୍ରାର୍ଥନାସଭା ଚାଲିଥିଲା ବେଳେ ବୋମା ପଡ଼ିଛି-। ବାରତେର ବର୍ଷର ଚାରୋଟି ନିଗ୍ରୋ ଝିଅ ନିହତ ।

 

କେବଳ ଏତିକିରେ ବିଶେଷତ୍ୱ ନ ଥିଲା । ସାମ୍ବାଦିକ ଆଉ କିଛି ଲେଖିଥିଲେ, ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖାଇବା ପାଇଁ । ସେ ଲେଖିଥିଲେ ଯେ ବୋମା ପଡ଼ି ଚର୍ଚ୍ଚରୁ ରଙ୍ଗୀନ ଝରକାକାଚ ଭାଙ୍ଗିଯାଇଛି । ସେ କାଚରେ ଥିଲା ଯୀଶୁଖ୍ରୀଷ୍ଟଙ୍କର ଛବି,—ତାଙ୍କ ଚାରିପାଖରେ ପିଲାମାନେ ଘେରିଯାଇ ତାଙ୍କ ଆଡ଼କୁ ହାତ ବଢ଼ାଇଛନ୍ତି । ଛବିରେ ଯୀଶୁଖ୍ରୀଷ୍ଟଙ୍କର ମୁହଁଟି ଭାଙ୍ଗି ଚୂନା ହୋଇଯାଇଛି, ବାକି ସବୁ ଅଛି ।

 

ମୋର କ୍ରୋଧ ଆସିଲା, କାହା ଉପରେ ମୁଁ କହିପାରିବି ନାହିଁ । ଏବଂ ତା’ସହିତ ମୋର ଆଉ ଗୋଟାଏ ଅଦ୍‍ଭୂତ ଭାବ ଆସିଲା,—ଯେ ଭଗବାନ ମଧ୍ୟବିତ୍ତ ନୁହନ୍ତି । ତାହା ହୋଇଥିଲେ ଖ୍ରୀଷ୍ଟଙ୍କ ମୁହଁଟି ଅତୁଟ ଥାଆନ୍ତା, ସେ ବିଷାଦଭରା ଚାହାଣିରେ ଚାହିଁ ରହି ଥାଆନ୍ତେ, ଓ ଶାନ୍ତିର କାମନା କରିଥାଆନ୍ତେ ।

Image

 

ଘର ବାହୁଡ଼ା

 

ମୋ ଦେଶକୁ ଫେରିଯାଉଛି । ଏପରି କେତେ ଲୋକ ବିଦେଶକୁ ଆସି ଫେରିଯାଇଛନ୍ତି-। ମୁଁ ସେମାନଙ୍କଠାରୁ ଅଲଗା ନୁହେଁ । ତଥାପି ମନେହେଉଛି ଯେ ମୋର ଅନୁଭୂତି ସ୍ଵତନ୍ତ୍ର, ମୁଁ ମୋ ସ୍ମୃତିରେ ଯେଉଁସବୁ ଛବି ଠୁଳ କରି ଆଣିଛି ତାହା ଆଉ କେହି ଆଣି ନଥିବେ ।

 

....ହୁଏତ ଆଉକିଛି ଦିନ ରହିପାରିଥାଆନ୍ତି । ୱାଶିଙ୍ଗ୍‍ଟନରେ ପୁଣିଥରେ ‘‘ଫଲ୍’’ ଋତୁ ଆସି ଥାଆନ୍ତା । ଗଛପତରର ରଙ୍ଗ ବଦଳିଥାଆନ୍ତା । ଏ କଣ ଦେଖୁଛ ? ଏହି ସମୟରେ ନିଉ ଇଂଲାଣ୍ଡ୍‍ ଯିବା କଥା,—ମେନ୍, ଭରମଣ୍ଟ, ନିଉ ହାମ୍ପଶାୟାର୍ । ଏତେ ଦୂରକୁ ନଗଲେ ଅନ୍ତତଃ ଓ୍ୱାଶିଙ୍ଗଟନର ଶହେ ଦୁଇଶହ ମାଇଲ ଦୂରରେ ଥିବା ଶେନାଣ୍ଡୋୟା ଭ୍ୟାଲି (shenandoab valley) ଦେଖିଆସ । ହୁଏତ ଉତ୍ସୁକ ରଙ୍ଗପିପାସୁ ବନ୍ଧୁମାନଙ୍କ କଥାରେ ପଡ଼ି କାର୍‍ ଧରି ଯାଇଥାଆନ୍ତି ସେଆଡେ଼ ଫେରିଆସି କହି ପାରି ଥାଆନ୍ତି,—ମୁଁ ଯାଇଛି ।

 

‘‘ଫଲ୍’’ସରିଲାବେଳକୁ ନୂଆ ବରଫବର୍ଷା, ତା’ର ପ୍ରଥମ ଚମତ୍କାରିତା । ତା’ ପରେ ବରଫ ଥରକୁ ଥର ଆସିବ, ଘର ସାମ୍‍ନାରେ କୋଡ଼ିକାଙ୍କ ଧରି ବରଫ ସଫା କରିବାକୁ ପଡ଼ିବ, କାର୍ ଚଳାଇବାରେ ବାଧାଆସିବ, ଗୃହିଣୀ ତାଗିଦ୍ କରିବେ ଏକାଥରକେ ବେଶି କରି ଫ୍ରୋଜନ୍ ଫୁଡ଼୍ କିଣି ଆଣି ରିଫ୍ରିଜିରେଟର ଭର୍ତ୍ତି କରିବାକୁ । ହେଲେ ସେ ଗୋଟାଏ ଅନୁଭୂତି ଥିଲା— ।

 

ବଡ଼ ଝିଅ ପଛଧାଡ଼ିରେ ବସି ଜଣେ ବିଦେଶୀୟାଙ୍କ ସାଙ୍ଗରେ ତା’ର ଆମେରିକା ସ୍କୁଲ ଜୀବନ କଥା ଗପୁଛି । ଉଡ଼ାଜାହାଜ ତା’ର ସର୍ବୋଚ୍ଚ ସୀମାକୁ ଉଠିଯାଇ ଧୀରେ ସୁସ୍ଥେ ସନ୍ତରଣ କରିଚାଲିଛି,—ସକାଳୁ ସକାଳୁ ଲଣ୍ଡନରେ ପହଞ୍ଚିଯିବା କଥା । ଅନ୍ୟପିଲାମାନେ ଉଡ଼ାଜାହାଜ କମ୍ପାନୀ ଯୋଗାଇଥିବା ଛବିକାଗଜସବୁ ପଢ଼ୁଛନ୍ତି, ଛଡ଼ାଛଡି ହେଉଛନ୍ତି । ଶ୍ରୀମତୀ ବିଶ୍ରାମ-ଅବସାଦ ଉପଭୋଗକରି ଢୁଳାଉଛନ୍ତି ।

 

କେହି କଣ ଭାବୁଛନ୍ତି ଯେ ଆମେ ଜୀବନରେ ପୁଣି ଥରେ ଆମେରିକା ଆସି ପାରିବା ନାହିଁ ?

 

ଘରକୁ ଫେରିଯାଉଛି,—ଘରକୁ ! ଆମେରିକାକୁ ପୁଣି ନ ଦେଖି ପାରିବାର ଦୁଃଖ ଘରଫେରନ୍ତା ସୁଖର ସାଗର ତଳେ ନିମଜ୍ଜିତ ହୋଇଯାଉ, ହୋଇଯିବାର କଥା । ପିଲାଦିନେ ପ୍ରତିସଞ୍ଜରେ ଘରକୁ ଫେରିଆସିଛି ସ୍କୁଲରୁ, ମାଆ ପାଖରେ ଗେହ୍ଲେଇ ହୋଇଛି ବହୁତଦିନୁ ନ ଦେଖିଲା ପରି, ସ୍କୁଲ୍‍ର ଖେଳକଉତୁକ ଭୁଲି ହୋଇଯାଇଛି । ଛାତ୍ର ଜୀବନରେ ଭିନ୍ନ ପ୍ରଦେଶର ସହରରେ କେତେବର୍ଷ ରହି ଡିଗ୍ରୀ ଧରି ମାଆ ପାଖକୁ ଫେରିଆସିଛି ସଂଯତ ଉନ୍ନତ ଧରଣର ଗେହ୍ଲା ପାଇବା ପାଇଁ । ସେତେବେଳେ କଣ ପ୍ରିୟ ୟୁନିଭର୍ସିଟି ସହରକୁ ପୁଣି ଥରେ ନ ଦେଖି ପାରିବାର ଦୁଃଖ ମନକୁ ଘାରିଥିଲା ଏମିତି ? ନା, ମୋର ମନେଅଛି ମୁଁ ରେଳଗାଡ଼ିର ପାହୁଣ୍ଡ ଗଣୁଥିଲି, ଷ୍ଟେସନ ଗଣୁଥିଲି,—ଧାନମଣ୍ଡଳ...ବୈରି...ତା’ପରେ ଆସିବ କପିଳାସ ରୋଡ଼୍‍...କିଛି ସମୟ ପରେ ମହାନଦୀ ପୋଲ, ସେ କୂଳରୁ ଆଲୁଅ ଜୁକୁ ଜୁକୁ କରୁଛି । କଳ୍ପନା କରୁଥିଲି ଯେ ଘରେ ପହୁଞ୍ଚିଲା ବେଳକୁ ଭୋର ହୋଇଯାଇଥିବ, ବାପା ଗରମ ପୋଷାକ ଗୁଡ଼ାଇହୋଇ ଦାଣ୍ଡ ଆରାମ ଚଉକିରେ ବସିଥିବେ, ଆଉ ଥରକୁ ଥର ଫାଟକଯାଏଁ ଯାଇ ଫେରି ଆସୁଥିବେ,—ଫାଟକ ସାମ୍‍ନାରେ ଅନାବନା ଗଛଗୁଡ଼ାକୁ କେଜାଣି କେତେଥର ହାତଧରା ବାଡ଼ିରେ ପିଟି ଆସିବେଣି—, ମାଆ ଚିନ୍ତା କରୁଥିବ ଯେ ଆଜି ପୁଅ ପାଇଁ ଲେଉଟିଆ ଶାଗ ବଡ଼ି କଲେ ଭଲହେବ ନା ସଜନାଶାଗ ଖରଡ଼ା କଲେ ଭଲ ହେବ......।

 

ମୁଁ ପୁରୁଣା ଭାବ କଳ୍ପନାକୁ ଆବାହନ କରିଗଲି, ସମ୍ଭାବନାକୁ ସ୍ମୃତିରେ ଯୋଖିଦେଇ ଘର ଫେରନ୍ତାର ମନୋରମ ଦୃଶ୍ୟ ଗଢ଼ିଚାଲିଲି । କିନ୍ତୁ କ୍ରମଶଃ ମୋର ମନେହେଲା ଯେ ମୁଁ ଆଉ କାହାପାଇଁ ଏ ଦୃଶ୍ୟ ଗଢ଼ୁଛି,—ସୁନ୍ଦର ଦେଖାଯିବା ପାଇଁ, ସାହିତ୍ୟ ରଚନା କଲାପରି । ଏ ମୋର ନିଜ ଅନୁଭୂତି ନୁହେଁ ।

 

ମୁଁ ୱାଶିଙ୍ଗ୍‍ଟନକୁ ଝୁରୁଛି, ନିଉୟର୍କକୁ ଝୁରୁଛି ।

 

ଗୋଟାଏ ଅଶୋଭନୀୟ ସତ୍ୟକୁ ହଠାତ୍ ଜାଣିପାରିଲା ପରି ଚମକ ଲାଗିଲା ନାହିଁ । ମୁଁ ଭାବିଲି ଯେ ମୋର ଏହି ମନୋଭାବ ମୂଳରୁ ଅଛି, ଯେବେଠୁଁ ଖବର ଆସିଛି ଯେ ମୋତେ ଫେରିଯିବାକୁ ପଡ଼ିବ । ତାକୁ ଅସ୍ୱୀକାର କରିବାକୁ ଅନେକ ଚେଷ୍ଟା କରିଛି କିନ୍ତୁ ପାରି ନାହିଁ । ଆଜି ଯାତ୍ରା ପଥରେ ନୂଆ ଆଗ୍ରହ ଖୋଜିବସିବା ନିରର୍ଥକ । ଆଗ୍ରହ ବଢ଼ୁନାହିଁ, ବିଚ୍ଛେଦର ଦୁଃଖ ଆହୁରି ସ୍ପଷ୍ଟ ହୋଇଉଠୁଛି ।

 

ତେବେ ଏପରି ମନୋଭାବ ପାଇଁ ଲଜ୍ଜିତ ହେବାର କଣ ଅଛି ? ମାଆ, ମାତୃଭୂମି । ବିଦେଶରେ ନିଜକୁ ଭାରତୀୟ ବୋଲି ପରିଚୟ କରାଇବାରେ ମୋର ଯଥୋଚିତ ଆନନ୍ଦ ଓ ଗର୍ବ ଆସିଛି । କିନ୍ତୁ ମାଆର ସୁନାପୁଅ ହୋଇ, ମାଆକୁ ଭଲପାଏ ବୋଲି କଣ ମୁଁ ପରଘରକୁ ପ୍ରେୟସୀରୂପେ ମଣିପାରିବି ନାହିଁ ? ମୁଁ ପିଲା ନୁହେଁ । ମୋର ମାଆଠାରୁ ପ୍ରିୟାକୁ ଅଧିକ ଚାହିଁବା ଲୋଡ଼ିବା ଅତି ସ୍ୱାଭାବିକ; ଅନୀତି ନୁହେଁ ।

 

ମୁଁ ଶ୍ରୀମତୀଙ୍କ ଆଡ଼କୁ ଅନାଇଲି । ସେ ପୂରାପୂରି ନିଦରେ ଶୋଇଗଲେଣି । ପିଲାମାନେ ଓ ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଆଲୁଅ ଲିଭାଇଦେଇ ଆଖିବୁଜି ଦେଲେଣି । ମୋର ଆଖିରେ ପଡ଼ିଲା ମୋର ସାନପୁଅ ପିନ୍ଧିଥିବା ସ୍ଵେଟରରେ ଲାଗିଥିବା ବ୍ୟାଜ୍ । ନିଉୟର୍କ ୱାର୍ଲଡ଼ସ୍ ଫେୟାରର ବ୍ୟାଜ୍, ମେଳାର ସନ୍ତକ ୟୁନିସ୍ଫିୟରର ଛବି ଓ ତା’ ତଳେ ଲେଖାହୋଇଛି,—ମୁଁ ସେଠିକି ଯାଇଛି ।

 

ଭାବିଲି ଆମେ ସମସ୍ତେ ଏମିତି କିଛି ନା କିଛି ଜିନିଷ ସାଙ୍ଗରେ ନେଇଛୁ, ଭାରତରେ ଯାଇ ଦେଖାଇବୁ । କେତେ ନୂଆ ଇଲେକ୍‍ଟ୍ରିକ ଜିନିଷ, ଚାଇନା, ବାଦ୍ୟ ଯନ୍ତ୍ର, ଖେଳଣା ଇତ୍ୟାଦି । ଆମେ ବ୍ୟବହାର କରିବୁ ଓ ଅନ୍ୟମାନଙ୍କୁ ଦେଖାଇବୁ । କିଛି ଅଂଶରେ ଆମେ ସେମାନଙ୍କଠାରୁ ଭିନ୍ନ ବୋଲି ମନେକରିବୁ,—ଆମର କିଛି ଅଧିକ ଅଛି, ଆମ ସ୍ଵେଟର୍‍ରେ ବ୍ୟାଜ୍ ଲାଗିଛି ।

 

ଥୋକେ ଆମକୁ ମନେମନେ ଈର୍ଷା କରିବେ, ଆମକୁ ତାହା ବାଧିବ ନାହିଁ । କାରଣ ତାଙ୍କ ମନରେ ସେପରି ଭାବ ଆସିବା ସ୍ୱାଭାବିକ । କିନ୍ତୁ ଆମେ ତାଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମେ ବିଶେଷ କିଛି ଆଣି ନାହୁଁ, ଅମୁକ ଲୋକ ଏତେ ଅଳ୍ପ ଦରମା ପାଇ ଏତେ ଜିନିଷ ଆଣିପାରିଥିଲା, ଅମୁକ ଲୋକ ଅନୁଚିତ ଆମଦାନୀ ଦ୍ୱାରା କେତେ କଣ କରି ପାରିଥିଲା— । ସେମାନେ ହୁଏତ ଅନୁମାନ କରିପାରିବେ ନାହିଁ,—ଏହାଠାରୁ ବେଶି ଜିନିଷ ବି’ ଲୋକେ ଆଣି ପାରିଛନ୍ତି ! ଆମେ ଆମୋଦ ହସରେ ସୂଚାଇଦେବୁ ଯେ ଆମେରିକା ଜୀବନ କଥା ତୁମେ ଭାବିପାରିବ ନାହିଁ, କଳନା କରିପାରିବ ନାହିଁ । ସେ ସଂସାର ନିଆରା ।

 

ପ୍ରକୃତରେ ସେ ସଂସାର ନିଆରା । କିନ୍ତୁ ଏହିସବୁ ତୁଚ୍ଛବସ୍ତୁ ନେଇ ନୁହେଁ । ନିଆରାପଣ ତା’ର ପାଣିପବନରେ ଅଛି । ମାନେ ତା’ର ସଂସ୍କୃତି, ତା’ର ଆତ୍ମା,—ସେମାନେ କିପରି ହସନ୍ତି, କଥା କହନ୍ତି, କାମ କରନ୍ତି, ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଓ ଗତି କିପରି ନିତ୍ୟନୂତନ ଭାବରେ ତରଙ୍ଗାୟିତ ହୁଏ । ସେଠିକାର ସେ ଦୁଧବାଲା କେମିତି କଥା କହେ, ସାନପିଲା ରବିନ୍‍ କେମିତି ହସେ ଖେଳେ ଓ ଗୁରୁଗମ୍ଭୀର ହୋଇ ପକେଟ ଖର୍ଚ୍ଚ ପାଇଁ ମୂଲ ଲାଗେ, ବୁଢ଼ା ପଡ଼ୋଶୀ କେମିତି ତା’ ବୁଢ଼ୀର ଜନ୍ମଦିନ ମନାଏ, ସୁପର୍‍ମାର୍କେଟରେ କେମିତି ମୃଦୁ ସଙ୍ଗୀତର ଧ୍ଵନି ଭାସିଆସେ, ସେଠିକା ଖୋଲା ବଡ଼ରାସ୍ତାରେ କେମିତି କାର୍‍ ଗଡ଼ିଚାଲେ ଛୁଟିଯାଏ ଦୂରରୁ ଦୂରକୁ କେଉଁ ପାହାଡ଼ ଝରଣା ପାଖକୁ...। ବୁଝାଇ ହେବ ? ଏ ସବୁ କଥା କଣ ବୁଝାଇ ପାରିବି ? ମୋ ଦେଶର ଲୋକେ କଣ ସେହି ଅପରୂପ ଭିନ୍ନ ପ୍ରାଣର ସତ୍ତା କିଛି ପାଇ ପାଇବେ ? ହୁଏତ ଯେଉଁମାନେ ଆମେରିକା ଯାଇ ଫେରିଆସିଛନ୍ତି ସେମାନେ ମଧ୍ୟ ହୃଦୟଙ୍ଗମ କରିପାରିବେ ନାହିଁ । କଥାରେ ଯୋଗଦେଇ କହିବେ—ହଁ, ସେଠିକା ହାଇ-ୱେ ପ୍ରକୃତରେ ସୁନ୍ଦର, ସେଠିକାର ସୁପରମାର୍କେଟ ସବୁ କି ବିରାଟ !

 

ଗୋଲ୍‍ କାଚଝରକା ବାଟେ କିଛି ଦିଶୁ ନ ଥିବା ଆକାଶକୁ ଅନାଇଦେଇ ଶୋଇଆସିଲି-। ଆଉ ବେଳ ନାହିଁ, କିଛି ସମୟ ପରେ ଭୋର ହୋଇଯିବ, ଲଣ୍ଡନ ଟାଇମ୍ ପାଞ୍ଚଘଣ୍ଟା ଆଗୁଆ ।

 

ଲଣ୍ଡନରେ ଅରୁଣ ସାଙ୍ଗରେ ଦେଖାହେବ । ସେ ଆମେରିକାରେ ରହି ଭାରତ ଫେରିଯାଇ ପୁଣି ଆସିଛି ଲଣ୍ଡନକୁ । ଅରୁଣ ପରିବାର ବନ୍ଧୁ । ଭଲ ପିଲା, ସେ ଆମକୁ ମାନେ ।

 

(୨)

 

ଲଣ୍ଡନରେ ବଡ଼ଝିଅର ପ୍ରଥମ ଆବିଷ୍କାର ଯେ ଏଠିକାର ସବୁ ଟୋକାମାନେ ‘‘ବିଟ୍‍ଲ୍‍’’ମାନଙ୍କ ପରି ଦେଖାଯାଆନ୍ତି । ମୁଁ ତା’ କଥାରେ ହସିଦେଲି ଓ ଟିକିଏ ଆଶ୍ଚର୍ଯ୍ୟ ହେଲି ଯେ ଏ ପର୍ଯ୍ୟନ୍ତ ତା’ମୁଣ୍ଡରୁ ବିଟଲ୍‍ଭୂତ ଯାଇନାହିଁ । କିନ୍ତୁ ସେ ହାତଧରି ଟାଣିଆଣି ଦେଖାଇଲା ଜଣକୁ ଓ ମୁଁ ଦେଖିଲି ଯେ ସେ ସତରେ ଗୋଟିଏ ମୂର୍ତ୍ତିମନ୍ତ ବିଟଲ୍‍ ।

ବିଟଲ୍‍ । ସେମାନଙ୍କର ରୂପଗୁଣ ମାର୍କାମରା,—ମହାରାଜା, ବାବାଜୀ କିମ୍ବା ସେହିପରି ଶ୍ରେଣୀଗତ ଲୋକମାନଙ୍କ ପରି । ସେମାନେ ଅଳ୍ପବୟସ୍କ ଯୁବକ, କୈଶୋରସୀମା ନିକଟରେ ପାରିହୋଇ ଆସିଛନ୍ତି । ସେମାନଙ୍କର ବ୍ୟବହାର କୋମଳ, ଗୋଛାଏ ବାଳ ମୁଣ୍ଡରେ ଟୋପର ପରି ରହିଛି ଓ କିୟଦଂଶ ଉପରକୁ ଝୁଲି ଆସିଛି, ସେମାନେ ବଡ଼ପାଟିରେ ଗୀତ ବୋଲନ୍ତି ଓ ଗୀତ ବୋଲିଲାବେଳେ ମୁଣ୍ଡ ଖୁବ୍ ଜୋରରେ ହଲାନ୍ତି । ପୃଥିବୀରେ ସେମାନେ ମାତ୍ର ଚାରିଜଣ । ଇଂଲଣ୍ଡର ସନ୍ତାନ କିନ୍ତୁ ୟୁରୋପ ଓ ଆମେରିକାରେ ସୁଖ୍ୟାତି ପାଇଛନ୍ତି, ବିଶେଷତଃ ଆମେରିକାର ଅଧିକାଂଶ ଟୀନ୍‍ଏଜର୍‍ମାନଙ୍କ ହୃଦୟହରଣ କରିପାରିଛନ୍ତି । ବାପ ମାଆମାନେ ହସିଛନ୍ତି, କହିଛନ୍ତି ଯେ ଏ ବିଟଲ୍‍ମାନେ ପ୍ରକୃତରେ କିଛି ନୁହନ୍ତି, ଯେ ଏ ଗୋଟାଏ ଦି’ଦିନିଆ ପାଗଳାମି । କିନ୍ତୁ ସେହି ପାଗଳାମି ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଛି । ମୋତେ ମଧ୍ୟ ଭଲ ଲାଗିଛି, ମୁଁ ମୋ ପିଲାଙ୍କୁ ବାଧାଦେଇ ନାହିଁ ।

ବିଟଲ୍‍ମାନଙ୍କ ବିଷୟରେ ଏତେକଥା କହିଲି, ତା’ର କାରଣ ଅଛି । ପ୍ରଥମତଃ ଲଣ୍ଡନରେ ସେହି ବିଟଲ୍‍ ଧର୍ମପନ୍ଥୀ ଟୋକାମାନଙ୍କୁ ଦେଖି ମୁଁ ଭାବିଲି ଯେ ଏହି ପୁରୁଣା ଦେଶର ଯଥେଷ୍ଟ ଆତ୍ମାଭିମାନ ଅଛି । ଏଠିକାର ତରୁଣ ଦଳ ଗର୍ବର ସହିତ ଜଣାଇବାକୁ ଚାହାନ୍ତି ଯେ ବିଟଲ୍‍ମାନେ ତାଙ୍କ ଆତ୍ମୀୟ, ତାଙ୍କରି ଦେଶର ବୀର । କିଏ କହେ ଯେ ସେମାନେ ଖାଲି ଆମେରିକା ପଛରେ ଧାଇଁଛନ୍ତି ? ଲଣ୍ଡନପିଲାର ଏହି ପରିଚୟଟିକ ପ୍ରଣିଧାନ ଯୋଗ୍ୟ ।

ଦ୍ୱିତୀୟରେ ସେମାନଙ୍କ ବିଷୟରେ କେତୋଟି କଥା କହି ନ ଥିଲେ କେହି ବୁଝିପାରି ନ ଥାଆନ୍ତେ ଯେ ମୁଁ କାହିଁକି ପ୍ରଥମେ ଅରୁଣକୁ ଦେଖି ସ୍ତମ୍ଭିତ ହୋଇଗଲି । ତା’ର ସୁଗୋଲ ସୁଠାମ ତନୁ ପୂର୍ବପରି ଅଛି, ତାର ଚାହାଣିର ହସିବା ରାଗିବା ପଣ ଉଭେଇ ଯାଇ ନାହିଁ । କିନ୍ତୁ ତା’ର ମୁଣ୍ଡର ବାଳ,—ମୋର ଭ୍ରମ ନୁହେଁ ତ,—ଠିକ୍ ବିଟଲ୍‍ମାନଙ୍କ ପରି !

ବିଶ୍ୱାସ ହେଲା ନାହିଁ । ଅରୁଣର ଏ ଦୁର୍ଦ୍ଦଶା କାହିଁକି ?

ଅରୁଣ ସାଙ୍ଗରେ ଦେଖାହେବା ଆଗରୁ ଆମେ ଲଣ୍ଡନର ବଛାବଛା ଦୃଶ୍ୟ ଦେଖିସାରିଲୁଣି । ଦୃଶ୍ୟ ଦେଖିବାରେ ଆନନ୍ଦ ଥିଲା ନିଶ୍ଚୟ, କିନ୍ତୁ ଯଥେଷ୍ଟ ସନ୍ତୋଷ ମିଳିଲା ନାହିଁ । ଟିକିଏ ଖରା ଟିକିଏ ବର୍ଷାର ଲୁଚୁକାଳି ବିରକ୍ତ ଲାଗୁଥାଏ । ଟ୍ୟାକ୍‍ସି ଡ୍ରାଇଭର୍‍ ବିଶେଷ କଥା କହିବାକୁ ନାରାଜ, ଓ ତା’ର ଇଂରାଜି ଉଚ୍ଚାରଣ ବୁଝିହେଉ ନଥାଏ । ପିଲାମାନେ ଏକମତ ହେଲେ ଯେ ଏଠିକା ଲୋକେ ଇଂରାଜି କହି ଜାଣନ୍ତି ନାହିଁ, ଟାଣି ଓଟାରି ଦେଖାଇହେଲା ପରି କହନ୍ତି । ତା’ଛଡ଼ା ମୋର ପରିବାର ଇଂରାଜି ଇତିହାସର ଗାରିମା ଉପଲବ୍ଧ କରିପାରୁ ନ ଥାଆନ୍ତି । ଟ୍ରାଫାଲ୍‍ଗାର ସ୍କୋୟାର୍‍ରେ ନେଲସନ୍‍ଙ୍କ ମୂର୍ତ୍ତି ଦେଖି ତାଙ୍କ ମନରେ କିଛି ଭାବ ଜାଗିଲା ନାହିଁ । ଅଥଚ ସେଠିକାର ପାରାମାନଙ୍କୁ ଖୋଇବାର ଦୃଶ୍ୟ ଦେଖି ଜଣେ କିଏ କହିଲା ଯେ ନିଉୟର୍କ ସେଣ୍ଟ୍ରାଲ ପାର୍କରେ ଏମିତି ଅଛି, ଏହାଠାରୁ ଭଲ । ପାର୍ଲିଆମେଣ୍ଟ କୋଠା ଦେଖି ସେହିପରି ମନ୍ତବ୍ୟ,—ୱାଶିଙ୍ଗ୍‍ଟନର କ୍ୟାପିଟଲ୍‍ ଏହାଠାରୁ ସୁନ୍ଦର । ବିରାଟ ଅଗ୍ନିକାଣ୍ଡ (ଗ୍ରେଟ୍ ଫାୟରର ସ୍ମୃତିସ୍ତମ୍ଭ ଦେଖି ତା’ର ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ । କହିଲେ,—ନିଆଁ ଲାଗିବାର ସ୍ମୃତିସ୍ତମ୍ଭ କାହିଁକି-? ଯାହାହେଉ କୌଣସିମତେ ଦୃଶ୍ୟ ଦେଖା କର୍ତ୍ତବ୍ୟ ସାରିଦେଇ ଆମେ ପ୍ରାୟ ସଞ୍ଜବେଳେ ହୋଟେଲରେ ପହଞ୍ଚିଲୁ ।

ଲଣ୍ଡନ୍‍ର ଜୁନ୍‍ମାସ ସଞ୍ଜବେଳେ ପ୍ରାୟ ରାତି ୯ଟା ବେଳକୁ । ଶୀଘ୍ର ଖାଇସାରି ବିଶ୍ରାମ ନେବାର କଥା । କିନ୍ତୁ ଦେଖିଲାବେଳକୁ ଅରୁଣ ଆମପାଇଁ ଲବିରେ ଅପେକ୍ଷାକରି ବସିଛି । ବିଶ୍ରାମର ଇଚ୍ଛା ଅପସରି ଗଲା, ମୁଁ ଆଗେଇଯାଇ ତାକୁ କୁଣ୍ଢାଇପକାଇ ଅଭିବାଦନ କଲି, ଓ ସେତିକିବେଳେ ମୋର ଆଖିରେ ପଡ଼ିଲା ତା’ର ସେହି ବିଚିତ୍ର କେଶବିନ୍ୟାସ ।

ମୋର ପ୍ରଥମ ଦେଖାର ଆଶ୍ଚର୍ଯ୍ୟ ସେ ଜାଣି ପାରିଥିଲା । ଉତ୍ତରରେ କେବଳ ହସିଦେଇ କହିଲା,—ଭିତରକୁ ଯିବା ଚାଲ ।

ସେଦିନ ହୋଟେଲ୍‍ ରୁମରେ ସେ ଗପିଲା ଅଧରାତି ଯାଏଁ ।

ବାର୍ତ୍ତାଳାପର ଆରମ୍ଭରେ ସେ ତା’ର ମୁଣ୍ଡର ପ୍ରକୃତ ଅବସ୍ଥା ଦେଖାଇଲା । ହସି ହସି ବାଳଗୋଛାଙ୍କ ହାତରେ କାଢ଼ି ତଳେ ରଖିଦେଲା । ସେ ମିଛବାଳ, ବିଟଲ୍‍-ଉଇଙ୍ଗ,—ତାର ନିଜସ୍ଵ ନୁହେଁ, ଷ୍ଟୋରରେ କିଣିବାକୁ ମିଳେ ।

ଅରୁଣର ବୟସ ତିରିଶ ସେ ପାଖରେ । ଚପଳତା ତାକୁ କେବେହେଲେ ଆକ୍ରମଣ କରିବା କଥା ନୁହେଁ ଏପରି କହିବା ଭୁଲ୍ ହେବ । ତଥାପି ମୋର ପହିଲି ଆଶ୍ଚର୍ଯ୍ୟ ଘୁଞ୍ଚିଗଲା ନାହିଁ । ଅରୁଣ ତ ଏମିତି ନ ଥିଲା ।

ସେ ଖଟ ଉପରେ ବସି କଥା କହୁଥାଏ । ବିଟ୍‍ଲ୍‍ ଉଇଗ୍‍ଟାକୁ ପିଲାମାନେ ଜଣକପରେ ଜଣେ ମୁଣ୍ଡରେ ଲଗାଉଥାଆନ୍ତି । ସେ ଛୋଟିଆ ରୁମରେ ସବୁ ପିଲାଙ୍କର ଖେଳକଉତୁକ ପାଇଁ ଜାଗା ନଥାଏ । ଶ୍ରୀମତୀ ଚିଡ଼ୁଥାଆନ୍ତି । ସେଣ୍ଟ୍ରାଲ ହିଟିଂ ନାହିଁ,—ଆମେରିକାର ଏହି ସର୍ବସାଧାରଣ ସୁବିଧାଟିକ ଲଣ୍ଡନରେ କ୍ୱଚିତ ମିଳେ,—ତେଣୁ ଅଳ୍ପ ଶୀତ ଲାଗୁଥାଏ । ଗରମ ଚା’ କିମ୍ବା କଫି ପାଇଁ ରୁମ୍ ସର୍ଭିସକୁ ଫୋନ୍‍ କରିହେବ ନାହିଁ, କାରଣ ଏଠି ରୁମ୍ ସର୍ଭିସ ନାହିଁ ଓ ଫୋନ୍‍ କରିବା ପାଇଁ ଦୂରକୁ ଯିବାକୁ ପଡ଼ିବ। ପ୍ରତିମୁହୂର୍ତ୍ତରେ ନିଜକୁ ଚେତାଇ ଦେବାକୁ ପଡ଼ୁଥାଏ ଯେ ଲଣ୍ଡନ ୱାଶିଙ୍ଗଟନ ବା ନିଉୟର୍କ ନୁହେଁ । ଧାରଣା ନ ଥିଲା ଯେ ଦିନକୁ ୮ପାଉଣ୍ଡ ଦେଇ ମଧ୍ୟ ଏତେ ଅବସ୍ଥା ହେବାକୁ ପଡ଼ିବ । ପିଲାମାନେ ମଝିରେ ମଝିରେ ପଚାରୁଥାଆନ୍ତି,—ବାପା, କାଲି ପ୍ୟାରିସ୍ ଯିବା ନା ? କେତେବେଳେ ଯିବା ?

 

ଏହି ପରିବେଷ୍ଟନୀରେ ତକିଆଟାକୁ ଦୃଢ଼ଭାବରେ ଜାବୁଡ଼ିଧରି ଅଟଳ ପ୍ରତିଜ୍ଞାର ଭଙ୍ଗୀରେ ସେ କହିଲା,—ଜାଣିଛ । ମୁଁ ଠିକ୍ କରିଛି ଏଇଠି ସେଟଲ୍‍ କରିବି, ଦେଶକୁ ଫେରିଯାଉ ନାହିଁ ।

 

ଅଗୁଣବାବୁ, ଅରୁଣଦାଦା, ମିଷ୍ଟର ଅରୁଣ ସେନ୍ ଲଣ୍ଡନରେ ରହିବେ ସବୁଦିନ ପାଇଁ, ଭାରତକୁ ଫେରିଯିବେ ନାହିଁ । ଏ ଖବର ମୁଁ, ମୋର ସ୍ତ୍ରୀ ଓ ପିଲାମାନଙ୍କ ପାଖରେ ପହଞ୍ଚିଲା । ସମସ୍ତଙ୍କ ମୁହଁରେ କିଛି ନା କିଛି ଭାବର ଉଦ୍ରେକ ହୋଇଥିବ । ଅରୁଣ ସମସ୍ତଙ୍କ ମୁହଁକୁ ଥରେ ଥରେ ଅନାଉଥାଏ । ତାକୁ ବୋଧହୁଏ ଭାବିବାକୁ ଭଲ ଲାଗୁଥାଏ ଯେ ସେ ଗୋଟାଏ ବଡ଼ ଖବର ଦେଇଛି, ସମସ୍ତଙ୍କ ମନରେ କିଛି ନା କିଛି ପ୍ରତିକ୍ରିୟା ସୃଷ୍ଟି କରିପାରିଛି । ବର୍ତ୍ତମାନ ଦେଖାଯାଉ ।

 

ମୋର ପ୍ରଥମ ପ୍ରତିକ୍ରିୟା ହେଲା ଯେ ଏ ତା’ର ଚପଳତାର ଆଉ ଗୋଟିଏ ନମୁନା । କିନ୍ତୁ ମୁଁ କିଛି କହିବା ଆଗରୁ ମଝିଆ ଝିଅ ପରାମର୍ଶ ଦେଲା, ‘‘ଅରୁଣ ଦାଦା ଏଠି କାହିଁକି ରହୁଛ ? ୱାଶିଙ୍ଗ୍‍ଟନରେ ରହୁନାହଁ ? ଲଣ୍ଡନଟା ବାଜେ ଜାଗା ।’’

 

ଅରୁଣ ହସିଉଠି କହିଲା, ‘‘ସେ ଭାଗ୍ୟ ମୋର ନାହିଁ । କିନ୍ତୁ ଏ ବାଜେ ଜାଗା ଭାରତଠାରୁ ଭଲ । ମୁଁ ଅନ୍ତତଃ ଏଠି ବଞ୍ଚିପାରିବି ।’’

 

ମୋ ମନର ପ୍ରତିରୋଧଭାବ ଗଢ଼ିଉଠୁଥାଏ । ଦେଶପ୍ରେମଜନିତ କ୍ରୋଧ ପ୍ରବଳ ହୋଇ ଆସୁଥାଏ । ମୁଁ ତିରସ୍କାର ସ୍ଵରରେ ପଚାରିଲି, ‘‘ଭାରତରେ ବଞ୍ଚିପାରିବୁ ନାହିଁ,—ସତେ ? ଦେଶରେ ଯେଉଁମାନେ ଅଛନ୍ତି ସେମାନେ ମୃତ, ମୁମୂର୍ଷ ନା ମଣିଷପଦବାଚ୍ୟ ନୁହଁନ୍ତି ?’’

 

ସେ ସାହସୀ ଚାହାଣିରେ ମୋ ଆଡ଼କୁ ଅନାଇଲା, ତା’ ଭଙ୍ଗୀରେ ସତକଥା କହିପାରିବାର ଅହମିକା । କହିଲା, ‘‘ସେମାନେ ଅଛନ୍ତି, ହୁଏତ ମରିନାହାନ୍ତି, ହୁଏତ ମଣିଷ । କିନ୍ତୁ ମୁଁ ସେମାନଙ୍କ ପରି ରହିପାରିବି ନାହିଁ । ମୁଁ ଏଠିକାର ନିର୍ମଳ ଆଲୁଅ ଦେଖିଛି, ସେଠିକାର ଡିବିରି ଜଳା ଆଲୁଅ ପାଖକୁ ଫେରିଯିବି କାହିଁକି ?’’

 

ଦେଶପ୍ରେମର ଅବତାରଣା କରି ଲାଭ ନାହିଁ । କହିଲି, ‘‘ତୋର ନିର୍ମଳ ଆଲୁଅ କଣ ? ସୋହୋ ସ୍କୋୟାର୍‍ର ନାଇଟ୍‍କ୍ଳବ୍‍ର ଆଲୁଅ ? ଷ୍ଟ୍ରୀପ୍‍ଟିଜ୍‍ ଷ୍ଟାର୍‍ର ଦେହ ଉପରେ ପଡ଼ୁଥିବା ହଜାରେ କାଣ୍ଡଲ୍ ପାୱାରର ଆଲୁଅ ନା ପଛସିଟରେ ଗେହ୍ଲେଇ ହେବାପାଇଁ ରଖା ହୋଇଥିବା ଅନ୍ଧାରିଆ ଆଲୁଅ ? ଆମ ଡିବିରି ଆଲୁଅ ନିଉନ୍, କିନ୍ତୁ ନିଉଛୁଣା ନୁହେଁ ।’’

 

ଅରୁଣ ତାତି ଆସୁଛି । ଉଚିତ୍‍ ଉତ୍ତର ଦେବାକୁ ଯାଇ ଥତମତ ହୋଇଯାଉଛି । ଶେଷକୁ କହିଲା, ‘‘ତୁମେ ଅଯଥା କଥା କହୁଛ । ମୋତେ କଥା କାଟି ଆସେ ନାହିଁ । ହେଲେ ମୁଁ ନିଜେ ଭାରତ ଯାଇ ଫେରି ଆସିଛି । ମୁଁ ସତ କହୁଛି ମୋର ସେଠି ନିଃଶ୍ୱାସ ରୁନ୍ଧି ହୋଇଗଲା । ମୁଁ ସେଠି ରହି କାମ କରିପାରିବି ନାହିଁ, ଚଳିପାରିବି ନାହିଁ ।’’
 

ମୁଁ କିଛି ସମୟ ପାଇଁ ନୀରବ ରହିଲି । ମନେହେଲା ତା’ର ରାଗ ମୋ’ ରାଗଠୁଁ ସତ, ଯଦିଓ ତା’ର କାରଣ ସବୁ ଭୁଲ୍ । ଟିକିଏ ପରେ ଧୀର କଣ୍ଠରେ ପଚାରିଲି, ‘‘ତୋର ମାଆଙ୍କୁ କହିଛୁ-?’’

 

ସେ ଅପ୍ରସ୍ତୁତ ହେଲାପରି ଲାଗିଲା ଓ ତା’ପରେ କହିଲା, ‘‘ନା, କହି ନାହିଁ; କିନ୍ତୁ କହିବାକୁ ପଡ଼ିବ ।’’

 

ଅରୁଣର ମାଆ ବିଧବା । ତାଙ୍କୁ ଧାନକୁଟି ପୁଅକୁ ପଢ଼ାଇବାକୁ ପଡ଼ି ନ ଥିଲା ସତ, କିନ୍ତୁ ପୁଅର ଉଚ୍ଚଶିକ୍ଷା ପାଇଁ ଯଥେଷ୍ଟ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ତାଙ୍କର ଅରୁ ଉପରେ ବଡ଼ ଆଶା । ସେ ବାପ ପରି ଗରିବ ମାଷ୍ଟର ହେବ ନାହିଁ, ତା’ଠାରୁ ବଡ଼ ହେବ, ଘର ତୋଳିବ,—ସେଠି ତାଙ୍କ ପାଇଁ ଗୋଟିଏ ଛୋଟିଆ କୋଠରି ଥିବ । ମୋର ଭାରତ ଛାଡ଼ିବା ଆଗରୁ ତାଙ୍କ ସାଙ୍ଗରେ ଦେଖା ହୋଇଥିଲା, ସେତେବେଳେ ଅରୁଣ ଆମେରିକାରେ ଥିଲା । ତାଙ୍କ କଥାରୁ ମୋର ମନେହେଲା ସେ ଦୂର ଭବିଷ୍ୟତର ସ୍ଵପ୍ନ ଦେଖୁନାହାନ୍ତି, ଆସନ୍ତାକାଲିର ଛବି ଦେଖି ଖୁସି ହେଉଛନ୍ତି-। ଏଇ ଜଳଜଳ ହୋଇ ଦିଶିଯାଉଛି, ଅରୁ ଆମେରିକାରୁ ଫେରିଆସି ବାହାସାହା ହୋଇ ଘର କରୁଛି । ଅରୁଣ ଆମେରିକାରୁ ପାଠପଢ଼ିସାରି ଫେରିଆସିଲା ଓ ଛଅମାସ ପରେ ପୁଣି ବିଲାତ ଗଲା । ମାଆ ଭାବୁଥିବ ଯେ ସେ ଶୀଘ୍ର ଫେରିଆସିବ ଶେଷଥର ପାଇଁ, ଘରତୋଳା ଆରମ୍ଭ ହେବ-

 

ଅରୁଣ କହୁଛି, ‘‘ମୁଁ ଜାଣେ ମାଆ ମନରେ କଷ୍ଟ ହେବ । ସେ ଭାବୁଛି ତା’ପୁଅ ବଡ଼ଲୋକ ହେବାକୁ ବସିଛି । ସେ ଆମେରିକାରୁ ଫେରିଛି, ବିଲାତରୁ ଫେରିବ; କିନ୍ତୁ ସେ କଣ ଜାଣିଛି ଯେ ପାଟଣାର ବାଙ୍କୀପୁର ରାସ୍ତାରେ ଉଦୁଉଦିଆ ଖରାରେ ତା’ପୁଅ କେମିତି ଚାକିରିଖଣ୍ଡେ ପାଇଁ ବାରଦୁଆର ହେଉଥିଲା ? ଯେ ପାଟଣା ସେକ୍ରେଟେରୀଏଟ୍‍ରେ ବଡ଼ବାବୁଙ୍କ ଅପେକ୍ଷାରେ ବସି ବସି ତା’ର ଦିନ ସରୁଥିଲା ?

 

‘‘ସେମିତି ଲସି ଗିଲାସେ ଖାଇ ଦିଲ୍ଲୀର ଖରାରେ ବୁଲିଛି; ବମ୍ବେରେ ବୁଲିଛି, ସଞ୍ଜବେଳକୁ ଖାଲି ହାତରେ ଫେରି ଆସି ଚୌପାଟି ସମୁଦ୍ରକୂଳରେ ଘଣ୍ଟା ଘଣ୍ଟା ଧରି ବସି ବାଲିରେ ଗାର କାଟିଛି । କେହି ମୋତେ ପଚାରିନାହାନ୍ତି । ସବୁଠି ସେହି ଏକା କଥା, ଅପେକ୍ଷା କର । ନ ହେଲେ ହେଇ ନିଅ ଚାକିରି, ଦରମା ତିରିଶ ଟଙ୍କା । ଇଙ୍ଗିତରେ ଜଣାଇ ଦିଅନ୍ତି ଯେ ତୁମ ପରି ବିଦେଶ ଫେରନ୍ତା ଗଣ୍ଡା ଗଣ୍ଡା ବୁଲୁଛନ୍ତି । ମୁଁ କେମିତି ତାଙ୍କୁ କହିବି ଯେ ମୁଁ ବିଦେଶ ଫେରନ୍ତାର ଦାବି କରୁନାହିଁ ଯେ ମୁଁ କିଛି ବିଶେଷ ପାଠ ପଢ଼ିଛି ତାକୁ ମୁଁ କାମରେ ଲଗାଇବାକୁ ଚାହେଁ ! ସେହି ପାଠ ଯେଉଁମାନେ ପଢ଼ିଛନ୍ତି, ତାଙ୍କରି ଭିତରୁ ମୋତେ ବାଛ ଓ ତା’ର ଉଚିତ୍‍ ମୂଲ୍ୟ ଦିଅ ।’’

 

ତା’କଥା ଗୁଡ଼ାକ ଶ୍ରୁତିକଟୁ ଲାଗୁଥାଏ । କାରଣ ଏମିତି କଥା ବହୁତ ଶୁଣିଛି ଆମେରିକାରେ କେତେ ଭାରତୀୟମାନଙ୍କ ଠାରୁ । ସେମାନେ ଭାରତ ଫେରିଆସିବାକୁ ଚାହାନ୍ତି ନାହିଁ । କେତେକ କହିଛନ୍ତି ଟଙ୍କା ଅଣ୍ଟିବ ନାହିଁ, ସେମାନେ ସ୍ପଷ୍ଟବାଦୀ । କିନ୍ତୁ ଅନ୍ୟମାନେ କହିଛନ୍ତି ଯେ ଭାରତରେ କାମ କରିବାର ସ୍ୱାଧୀନତା ନାହିଁ, ସମ୍ମାନ ନାହିଁ, ସେଠିକାର ବାତାବରଣ ଅତି ସଂକୀର୍ଣ୍ଣ ଇତ୍ୟାଦି । ଅତି ପୁରୁଣା ସଫେଇ । ଦୁଃଖ ଲାଗୁଛି ଯେ ଅରୁଣ ସେମାନଙ୍କ ଭିତରୁ ଜଣେ ।

 

‘‘ଖାଲି ଟଙ୍କା କଥା କହୁନାହିଁ । ସେଠି କାମ କରିବାର ଆଗ୍ରହ ମରିଯିବ । ମୋ ସାଙ୍ଗମାନେ, ଯେଉଁମାନେ କଲେଜରେ ଅଛନ୍ତି କିମ୍ବା ସରକାରୀ ଅଫିସରେ ଅଛନ୍ତି, ତାଙ୍କଠାରୁ ଶୁଣିଛି । ଖାଲି ପେଟପୋଷା କାମ, ଅଧିକା କିଛି କରିବାର ପ୍ରୟାସ ନାହିଁ, କଲେ ମଧ୍ୟ କେହି ପଚାରିବେ ନାହିଁ..... ।’’

 

ଆରମ୍ଭ ହୋଇଗଲା । ଧରାବନ୍ଧା କଥାର ସ୍ରୋତ । ମୋତେ ବିରକ୍ତ ଲାଗିଲା । ଜାଣିଶୁଣି ହାତବନ୍ଧା ଘଡ଼ିକୁ ଅନାଇଲି, ଅରୁଣ ଖରାପ ଭାବୁ ପଛେ । ତା’ ଛଡ଼ା କାଲି ଶୀଘ୍ର ଉଠି ପ୍ଲେନ୍ ଧରିବାକୁ ପଡ଼ିବ ।

 

କିନ୍ତୁ ସେ ଗପି ଚାଲିଲା,—ନାନାଦି କ୍ଳେଶ ଦୁଃଖର କାହାଣୀ । ତେବେ କିଛି ସମୟ ପରେ ସେ ବୋଧହୁଏ ଦେଖିଲା ଯେ ମୁଁ ତା’ କଥା ଶୁଣୁନାହିଁ, ଉଦାସୀନ ହୋଇଗଲିଣି । ସେହିଠୁଁ ସେ ହଠାତ୍ ଟିକିଏ ଆଗକୁ ଉହୁଁକି ଆସି ମୋ ଆଖିରେ ଆଖି ରଖି ପଚାରିଲା, ‘‘ତୁମେ କଣ ସତରେ ଭାବୁଛ ଯେ ମୁଁ ଖାଲି ବେଶି ଟଙ୍କା, ଅଧିକା ସୁବିଧା ଆରାମ ପାଇଁ ଏଠି ରହିବାକୁ ଚାହେଁ? ମୁଁ କଣ ମୋ ମାଆକୁ ଭଲପାଏ ନାହିଁ ?’’

 

ତରଳମତି ଅର୍ବାଚୀନ ଅରୁଣ; କିନ୍ତୁ ତା’ର ଆନ୍ତରିକତା ଅଛି । ହେଲେ ସେ ମୋତେ ଏମିତି ଧମକାଇଲା ପରି ପଚାରୁଛି କାହିଁକି ? କିଏ ମନା କରୁଛି ଯେ ସେ ତା’ର ମାଆକୁ ଭଲପାଏ ନାହିଁ ? ସେହି କଥାଟାକୁ ଜୋରରେ କହିଦେଲେ କଣ ସବୁ ଦୋଷ ମାର୍ଜନା ହୋଇଗଲା ?

 

କିନ୍ତୁ ତା’ କଥାର ଭାବପ୍ରବଣତାଟିକ ବୋଧହୁଏ ଶ୍ରୀମତୀଙ୍କ ମନକୁ ଛୁଇଁଥିଲା । ସେ ସ୍ତବ୍ଧ ହୋଇ ଆମ ଦୁଇଜଣଙ୍କ ଆଡ଼କୁ ଅନାଇଥିଲେ । ବଡ଼ପିଲା ଦୁଇଜଣ ମଧ୍ୟ ଏହି ମାଆକୁ ଭଲପାଇବା କଥାରେ ଜାଗ୍ରତ ଉଦ୍ୟତ ହୋଇ କଥାର ଶେଷକୁ ଚାହିଁ ବସିଲାପରି ମନେହେଲା ।

 

କି ଆଶ୍ଚର୍ଯ୍ୟ ! ମୋତେ ସମସ୍ତେ ଅନାଇଛନ୍ତି କାହିଁକି ? ମୋର ଯେପରିକି କିଛି କହିବା ଦରକାର, ବୁଝାଇଦେବା ଦରକାର । ସତେ ଯେପରି ମୁଁ କହିବି ଯେ ମାଆକୁ ଭଲ ପାଉଥିଲେ ସେ ଏମିତି କଥା କରି ନ ଥାଆନ୍ତା କିମ୍ବା କହିବି ଯେ ଯଦି ସେ ମାଆକୁ ପ୍ରକୃତରେ ଏତେ ଭଲ ପାଉଥାଏ ତାହାହେଲେ ସବୁ ଠିକ୍ ଅଛି, ସେ ନାଚାର । ସତେ ଯେପରି ପ୍ରଶ୍ନଟା ତା’ର ନୁହେଁ, ମୋର । ମୁଁ ନିଜକୁ ତା’ର ଉତ୍ତର ଦେବି ।

 

ତା’ର ମାଆ, ମୋର ମାଆ । ସେମାନେ ତାଙ୍କ ପୁଅମାନଙ୍କୁ ଭଲପାଆନ୍ତି, ଆମେ ତାଙ୍କୁ ଭଲପାଉ । ଭାରତବର୍ଷ ମାଆର ଦେଶ । ବେଶ୍, ମୁଁ ତ କହିଦେଇ ପାରିବି ଯେ ମୁଁ ଏହାର ଉତ୍ତର ଦେଇସାରିଛି । ଯେ ମୁଁ ମାଆକୁ ଭଲପାଏ, କିନ୍ତୁ ମୋର ପ୍ରଣୟିନୀ— ।

 

କିନ୍ତୁ ମୁଁ ଏ କଥା କହିଲି ନାହିଁ । ଅରୁଣ ବିଲାତ ବା ଆମେରିକାକୁ ଭଲପାଏ ନାହିଁ, ମୋ ପରି ଭଲପାଏ ନାହିଁ । ସେ ଏ ଦେଶର ଅର୍ଥ, ସୁବିଧା ଚାହେଁ ନାହିଁ ବୋଲି କହୁଛି, ହୋଇଥିବ । ସେ ହୁଏତ ଭଲପାଏ, କିନ୍ତୁ ତା’ର ଅନୁରାଗ ସ୍ପର୍ଶ ରଙ୍ଗ ଗନ୍ଧ ନେଇ ଗଢ଼ା, ଉପଭୋଗ ପରିମିତ । ଏପରି ଭଲପାଇବାର ସ୍ୱାର୍ଥୀ ହୋଇ ସେ କେଉଁ ସାହସରେ ତା’ର ମାଆକୁ ଭୁଲିଯିବ ?

 

ମୁଁ ତା’ ହାତଧରି କହିଲି ‘‘ଅରୁଣ, ତୁ ଘରକୁ ଫେରିଯା’ । ମୁଁ ଜାଣେ ତୁ ଏଠି ସୁଖୀ ହୋଇପାରିବୁ ନାହିଁ’’ ।

 

ତା’ର ଦୁର୍ବଳ ହସରେ କରୁଣତା ପହୁଞ୍ଚିଲା ପରି ଲାଗିଲା । ସେ ଆଉ କିଛି କହିଲା ନାହିଁ-। ମୁଁ ଭାବିଲି ମୁଁ ଉଚିତ୍‍ କଥା ଉଚିତ୍‍ ଭାବରେ କହିଛି । ମୋର ସହାନୁଭୂତିଶୀଳ ପରିବାର ମଧ୍ୟ ଖୁସିହେଲା ପରି ଲାଗିଲେ । ଅରୁଣବାବୁଙ୍କ ମନ କହିବ ଘରକୁ ଫେରିଯିବା ପାଇଁ,—ସେ ସବୁଦିନ ପାଇଁ ଏଠି ରହିବେ କେମିତି ? ଅସୁନ୍ଦର କଥା ।
 

.......ଗଲାବେଳକୁ ସେ ବିଟଲ୍‍-ଉଇଗ୍‍ଟା ଛାଡ଼ିଗଲା ପିଲାଏ ଖେଳିବେ ବୋଲି । ସେ ଚାଲିଗଲା ପରେ ଆମେ ଦୁହେଁ ସେ ବସ୍ତୁଟିକୁ ଅନାଇ ସ୍ମିତହାସ ଦେଲୁ । ସେହି ହେଲା ଅରୁଣ ଓ ତା’କଥା ଉପରେ ଆମର ଶେଷ ଟିପ୍ପଣୀ ।

 

(୩)

 

ପ୍ୟାରିସ୍, ରୋମ୍‍ର ଦୃଶ୍ୟ ଦେଖା ସରିଗଲା । ପ୍ୟାରିସରେ ବେଶି ଦାମ୍ ଦେଇ ବିଖ୍ୟାତ ଗେଣ୍ଡାତରକାରୀ ଖାଇଲୁ, ପରିବାରର ଅର୍ଦ୍ଧେକ ଭାବିଲେ ଭଲ ହୋଇଛି; କିନ୍ତୁ ସବୁଠାରୁ ବାଧିଲା ଫରାସୀ ଭାଷା । ଏମାନେ କଣ କେବେହେଲେ ଭୁଲରେ ପଡ଼ୋଶୀ ଇଂଲାଣ୍ଡ ଆଡ଼କୁ ଚାହିଁନାହାନ୍ତି-? ଇଂରାଜୀ ଭାଷା ପ୍ରତି ଏପରି ବିମୁଖତା କାହିଁକି ? ବଡ଼ଝିଅର ସ୍କୁଲରେ ପଢ଼ିଥିବା ଫ୍ରେଞ୍ଚ୍ ମଧ୍ୟ ଅବହେଳିତ ହେଲା । କ୍ରମଶଃ ଲଣ୍ଡନ ପରି ପ୍ୟାରିସ୍ ସେମାନଙ୍କର ନାପସନ୍ଦ ହେଲା; ଏଠିକା ଲୋକମାନଙ୍କର ସିଭିକ୍ ସେନସ୍ ନାହିଁ ରାସ୍ତାରେ ଅଳିଆ ପକାଉଛନ୍ତି,—ନିଉୟର୍କ ହୋଇଥିଲେ ପଚାଶଡଲାର୍‍ ଜୋରିମାନା ହୋଇଥାଆନ୍ତା, ଏଠିକା ଘରଗୁଡ଼ା ରଙ୍ଗଛଡ଼ା ପୁରୁଣାକାଳିଆ, ଇତ୍ୟାଦି-। ନେପୋଲିୟନ ନେଲ୍‍ସନ୍‍ଙ୍କଠାରୁ କିଛି ଅଧିକ ସମ୍ମାନ ପାଇଲେ ନାହିଁ-। ରୋମ୍ ଅପେକ୍ଷାକୃତ ଭଲ ଲାଗିଲା, କାରଣ ପିଲାମାନେ ‘‘ଥ୍ରୀ କଏନସ୍ ଇନ୍ ଏ ଫାଉଣ୍ଟେନ୍’’ ଗୀତ ଗାଇ ପାରିଲେ, ସିନେମାରେ ଯେଉଁଠି ସେ ଗୀତ ବୋଲା ହୋଇଥିଲା । ପୁଣି ସେମାନେ ପାଣିରେ ପଇସା ପକାଇ ଉଇଶ୍ କଲେ, ଅର୍ଥାତ ବର ମାଗିଲେ । କେବଳ ସାନଝିଅ ବଡ଼ପାଟି କରି ବର ମାଗିଲା ଯେ ସେ ତାର ୱାଶିଙ୍ଗ୍‍ଟନ ସାଙ୍ଗ ଆଲିସ୍‍କୁ ଶୀଘ୍ର ଦେଖିବାକୁ ଚାହେଁ-

କାଏରୋର ରୂପଗୁଣ ଆଗରୁ ଅନୁମାନ କରାଯାଇଥିଲା । ମରୁଭୂମି ପାଖର ଦେଶ, ନିଶ୍ଚୟ ଖୁବ୍ ଗରମ ହୋଇଥିବ । ନୀଳ ନଈର ଶୋଭା ଥିବ, ଏସିଆର ‘‘ବଜାର’’ ଥିବ ନାସେର୍‍ଙ୍କ ଫଟୋ ସବୁଆଡ଼େ ଦେଖିବାକୁ ମିଳିବ, ହୋଟେଲରେ ବିଭିନ୍ନ ଧରଣର ପିଲାଫ୍ ଓ ଶୀସ୍ କବାବ୍‍ର ସ୍ୱାଦୁ ମିଳିବ ଓ ସର୍ବୋପରି ଥିବ ପିରାମିଡ଼ର ଶୋଭା ।

କିନ୍ତୁ ମୋର ଗୋଟିଏ ଆବିଷ୍କାର ବାକି ଥିଲା । ପହିଲିଦିନ ପ୍ରଚଣ୍ଡ ଖରାରେ ନୀଳ ନଈରେ ପାଲଟଣା ଡଙ୍ଗା, ରାସ୍ତାର ପିଆଜ ବିକାଳି ଓ ଆପାଦମସ୍ତକ ଖୋଳପିନ୍ଧା ଆରବର ଫଟୋ ନେଇସାରି ହେଟେଲ ରୁମରେ ପହଞ୍ଚିଲାବେଳକୁ ଦେଖେ ଭିତରୁ ସମବେତ ଚିତ୍କାରର ଧ୍ଵନି ଶୁଭୁଛି-। ବେଲ୍ ବଜାଇଲାରୁ ଜଣେ କବାଟ ଖୋଲିଦେଲା, କିନ୍ତୁ ତା’ ପଛରୁ ସବୁ ପିଲାଏ ଆସି ମୋ ଉପରେ ପଡ଼ିଲେ । କୋଳାହଳ ଭିତରେ କେବଳ ଗୋଟିଏ କଥା ଶୁଣାଯାଉ ଥାଏ,—ଲିଜାର୍ଡ଼, ବାପା ଲିଜାର୍ଡ଼ ।

ଯଥାକ୍ରମେ ସେମାନଙ୍କୁ ଶାନ୍ତ କରି ସେହି ଜନ୍ତୁଟିକୁ ଦେଖିଲି,—ଏକୁଟିଆ ଲାଙ୍ଗୁଡ଼କଟା ଝିଟିପିଟିଟିଏ । ପିଲାଙ୍କୁ ବୁଝାଇଲି ଯେ ସେ ମାରାତ୍ମକ ନୁହେଁ, କିଛି କରିବ ନାହିଁ, ଉପରେ ଖସିପଡ଼ିବାର ଭୟ ନାହିଁ । ଆପେକ୍ଷିତ ପ୍ରଶ୍ନ ଆସି ପହଞ୍ଚିଲା, ‘‘ବାପା, ଇଣ୍ଡିଆରେ କଣ ଝିଟିପିଟି ଅଛନ୍ତି ?’’

ବଡ଼ଝିଅର ଭାରତ କଥା କିଛି କିଛି ମନେଥିଲା, କହିଲା,—‘‘ହଁ ଅଛନ୍ତି, ସେମାନେ ରାତିରେ ପୋକ ଖାଆନ୍ତି, କିନ୍ତୁ ଆଈ କହୁଥିଲେ ଯେ ସେମାନେ ଦେହ ଉପରେ ପଡ଼ିଲେ ଭାରି ଖରାପ— ।’’

ଝିଟିପିଟି ଚର୍ଚ୍ଚା କିଛି ସମୟ ଚାଲିଲା । ତା’ପରେ କାଏରୋର ମାଛି ଓ କାଉମାନଙ୍କ କଥା ପଡ଼ିଲା । ପିଲାମାନଙ୍କୁ ଜଣାଇ ଦିଆଗଲା ଯେ ଭାରତରେ ଏହି ସବୁ ପ୍ରାଣୀଙ୍କର ଅଭାବ ନାହିଁ । ସେମାନଙ୍କର କୌତୂହଳ ଉତ୍ସୁକତାର ଭ୍ରମ ଆଣୁଥିଲା, ମୁଁ ଆଶାକଲି ଯେ ଏହି କୌତୂହଳ ସରିବା ଆଗରୁ ଅଭ୍ୟାସ ଆସି ଯାଇଥିବ, ମଝିରେ ସେମାନଙ୍କୁ କିଛି ବାଧିବ ନାହିଁ ।

ପିଲାମାନଙ୍କ କଥା ଶୁଣିବାକୁ ମଜା ଲାଗୁଥିଲା । କିନ୍ତୁ ତାଙ୍କ ଆଲୋଚନା ମୋତେ ଚେତାଇ ଦେଲା ଯେ ଭାରତ ହାତପାହାନ୍ତାରେ, ଆମେରିକା ଦୂରେଇ ଯାଇଛି । ନିଜର କିଛି ସରିଯିବାର ଭାଙ୍ଗିଯିବାର ଆଶଙ୍କା ମୋ ମନକୁ ଆସିଲା, ଏବଂ ମୁଁ ନିଜକୁ କହିଲି ଯେ କିଛି ଦୂରେଇ ଯାଇନାହିଁ, ଯାଇପାରିବ ନାହିଁ ।

ମୁଁ ସ୍ମରଣ କଲି । କ୍ରମଶଃ କେତେଗୁଡ଼ିଏ ଛବି ପାଖକୁ ଫେରିଆସିଲେ । ସେମାନଙ୍କର ପାରସ୍ପରିକ ସମ୍ପର୍କ ନାହିଁ, କିନ୍ତୁ ମୋର ମନେହେଲା ସେମାନେ ମୋ ପ୍ରିୟା ଓ ପ୍ରୀତିର ପ୍ରମାଣ ଦେଉଛନ୍ତି । ...

…..ୱାଶିଙ୍ଗ୍‍ଟନ୍‍ର ରକ୍-କ୍ରିକ୍ ପାର୍କ । ସହର ଭିତରେ ପାର୍କଟି ମୁହଁ ଘୋଡ଼େଇ ରହିଛି, ତା’ ପାଖକୁ ଗଲେ ତା’ର ସମଗ୍ରରୂପ ଦେଖିବାକୁ ମିଳେ ନାହିଁ । ତେବେ କେଉଁ ଜାଗାରେ ତାକୁ ଉଙ୍କିମାରି ଦେଖିହେବ । ଯଥା କନେକ୍ଟିକଟ ଆଭିନିଉର ଗୋଟିଏ ପୋଲ ଉପରୁ ତା’ର ଆଭାସ ପାଇ ହୁଏ । ମୁଁ ଦିନେ ସଞ୍ଜବେଳେ ସେହି ପୋଲ ଉପରୁ ତା’କୁ ଦେଖୁଥିଲି । ଅଗଣିତ ବଡ଼ବଡ଼ ଗଛ ସବୁ ମୂକ ହୋଇ ମୋ ଆଡ଼କୁ ଅନାଇଥିଲେ, ସତେ ଯେପରି ଲୋକମାନଙ୍କର ଏପରି ନିର୍ଲ୍ଲଜ ଚାହାଣି ଦେଖି ଦେଖି ସେମାନେ ମୂକ ହୋଇଗଲେଣି । ସେମାନଙ୍କ ମଝିରେ ଚାରିଲେନ୍‍ ରାସ୍ତା ଦେଇ କାର୍ ଛୁଟି ଆସୁଥାଏ ଦୁଇପାଖରୁ । ଜଙ୍ଗଲକୁ ଲାଗିକରି ପାଣି ଧାରଟିଏ ଶେତା ହୋଇ ଦିଶୁଥାଏ । ଗୋଟିଏ ହଂସ ବସିଛି ସେଠି ? କେଜାଣି । ସେହି ଦୃଶ୍ୟର କମନୀୟତା ମୋତେ ବିଶେଷ ମୁଗ୍‍ଧ କରି ନଥିଲା; ବରଂ ମନେ ହେଉଥିଲା ଯେ ସେ ଜଡ଼ ନିଥର ପ୍ରକୃତି ମୋ ଆଡ଼କୁ ହସି କରି ଚାହୁଁ ନାହିଁ । ତଥାପି ମୋର ଇଚ୍ଛା ହେଲା ଯେ ମୁଁ ତାକୁ ଦେଖି ରହିବି ଓ ପୋଲଉପରୁ ଡେଇଁ ପଡ଼ି ଦେଖିବା ଶେଷ କରିଦେବି । ମୃତ୍ୟୁର ଇଚ୍ଛା ନେଇ ଡେଇଁବି ନାହିଁ, ବଞ୍ଚିବାର ତୀକ୍ଷ୍ଣ ଆଗ୍ରହ ନେଇ ଡେଇଁ ପଡ଼ିବି । ସେହି ସବୁ ଛୁଟି ଆସୁଥିବା କାର୍‍ର ବେଗ ନେଇ ଶୀତଳ ଜଙ୍ଗଲ ସାଙ୍ଗରେ ସମ୍ୱନ୍ଧ ସ୍ଥାପିବି, ହାତରେ ତା’ର ଥିର ପାଣିକୁ ଚହଲାଇବି, ବେଗ ଓ ଆବେଗର ଉତ୍ପୀଡ଼ନ ଦେଇ ତାକୁ ପ୍ରେମ କରିବି । X X X X ନିଉୟର୍କରେ ସେଣ୍ଟ୍ରାଲ୍‍ ପାର୍କକୁ ପଛକରି ରାସ୍ତା ଉପର ବେଞ୍ଚରେ ବସିଛି, ସିକ୍‍ସଥ୍‍ ଆଭିନ୍ୟୁ ଓ ଫଫ୍‍ଟି ଏଇଠ୍‍ଥ୍ ଷ୍ଟ୍ରୀଟ୍ ଚଉମୁହାଣିର ଲୋକମାନଙ୍କୁ ଦେଖୁଛି । ସେପ୍ଟେମ୍ବର ସକାଳର ସ୍ଵଚ୍ଛତା ଓ ଭଙ୍ଗୁରତା । ମନେ ହେଉଛି ରାସ୍ତା କଡ଼ର ରେସ୍ତୋରାଁ କଫି ହାଉସ ମାନଙ୍କରୁ ବ୍ରେକ୍‍ଫାଷ୍ଟର ଶବ୍ଦ ଶୁଭୁଛି—ପ୍ଲେଟ୍ ଚାମୁଚ କଣ୍ଟାର ସଂଘାତ, କ୍ୟାନ୍‍ରୁ ଲାଲ୍ ଟମାଟୋ ରସର ଉଦବେଳ ପତନ । ପୋଷାକପିନ୍ଧା ପୁଡ଼୍‍ଲ୍ (ଛୋଟ କୁକୁର)କୁ ଧରି ଆସୁଥିବା ଭଦ୍ରମହିଳାଙ୍କ ମୁହଁରେ ଫ୍ରେକ୍‍ଲସ (ଚର୍ମଗୁଣ) ବାରି ହୋଇ ଯାଉଛି । ବିଳାସ ଭ୍ରମଣର ଘୋଡ଼ାଗାଡ଼ି,—ଅଧଘଣ୍ଟାକୁ ପାଞ୍ଚଡଲାର,—ଓ ସେଥିର ଉର୍ଦ୍ଦିପିନ୍ଧା ଚାଳକମାନେ ଝଳି ଦିଶୁଛନ୍ତି । ରାସ୍ତାର ଦୁଇପାଖରେ ଉଠିଥିବା ସ୍କାଏ-ସ୍କାପରଗୁଡ଼ିକ ଭିତରେ ଦିଗନ୍ତ ସୀମିତ ହୋଇଯାଇଛି, ଶୂନ୍ୟନୀଳର ସ୍କାଏ-ସ୍କ୍ରେପର୍‍ଟିଏ ଓଲଟି ଗଲା ପରି ମନେହେଉଛି । ସେମାନେ ଆସୁଛନ୍ତି, ଯାଉଛନ୍ତି କେତେ ଧରଣର ମଣିଷ, କେତେ ଧରଣର କୁକୁର, କେତେ ବର୍ଣ୍ଣ ଓ ଆକାରର କାର୍ । ଜନତାର ରୂପ ଏହି ନୂଆ ଦେଖୁନାହିଁ; କିନ୍ତୁ ସେଦିନ ସେମାନଙ୍କୁ ଦେଖୁ ଦେଖୁ ସେମାନଙ୍କ ଜ୍ୟୋତି ଓ ଗତିର ନୂଆ ଚମକ ମନରେ ଲାଗିଲା । ମନେହେଲା ଯେ ଏ ଜନତା କେବଳ ମଣିଷ ଗହଳି ନୁହେଁ, ସେମାନେ ପ୍ରତ୍ୟେକ ଜଣେ ଜଣେ ବ୍ୟକ୍ତି । ଏ ସୁନେଲି ସକାଳ ସେମାନଙ୍କୁ ପରିବ୍ୟାପ୍ତ କରି ନାହିଁ, ସେମାନେ ଏହି ସକାଳଠାରୁ ବଡ଼ । ସେମାନେ ହିଁ ଏହି ସକାଳକୁ ତା’ର ରୂପରଙ୍ଗ ଆଣି ଦେଇଛନ୍ତି-। ତାଙ୍କ ମମତାରେ ସ୍ପର୍ଦ୍ଧା ଅଛି, ଆନନ୍ଦରେ ବିଜୟହୁଙ୍କାର । ମୋରି ପାଖ ଦେଇ ଜଣେ ହାତଠେଲା ଗାଡ଼ିକୁ ଧରି ଚାଲିଗଲା । ଚେକ୍ ସାର୍ଟ, ମୁଣ୍ଡରେ କନା ଟୋପି । ମୋ ଆଡ଼କୁ ଅନାଇ କହିଲା,—ଫାଇନ୍ ମର୍ଣ୍ଣିଙ୍ଗ, ଇଜ୍‍ନଟ୍‍ ଇଟା ? ତା’ଆଡ଼କୁ ଅନାଇ ମୋର ଇଚ୍ଛାହେଲା ସ୍ଥାନ ବଦଳ କରିବାକୁ । ମୁଁ କଣ ତା’ପରି ହୋଇପାରିବି ନାହିଁ ? X X X X ନିଉୟର୍କ । ମାର୍ଚ୍ଚ ମାସର ଗୋଟିଏ ଅପରାହ୍ନରେ କନକନିଆ ଶୀତ ପବନ ବହୁଥାଏ । ମେଘଭରା ଧୂସର ଆକାଶରେ ସ୍ନେହର ମାତ୍ରା ଟିକିଏ ବୋଲି ନାହିଁ । ହୋଟେଲ ରୁମରେ ବସି ବସି ଟିକିଏ ଇଚ୍ଛା ହେଲା ବାହାରକୁ ଯିବି, ସେଣ୍ଟ୍ରାଲ ପାର୍କ ଆଡ଼କୁ, ତା’ର ଦକ୍ଷିଣ ମୁଣ୍ଡରେ ଥିବା ପୋଖରୀ ପାଖକୁ । ରାସ୍ତାରେ ଦେଖିଲି ଲୋକ ସଂଖ୍ୟା କମ୍,—ଜରୁରି କାମ ନ ଥିଲେ ଏ ପାଗରେ କିଏ କଣ ପଦାକୁ ବାହାରେ ? କିନ୍ତୁ ମୁଁ ଓଭରକୋଟ ସମ୍ଭାଳି ଧୀର ପଦକ୍ଷେପରେ ପାର୍କର ପୋଖରୀକୂଳରେ ପହଞ୍ଚି ଦେଖିଲି ଯେ ଦୁଇଜଣଙ୍କର ଜରୁରି କାମ ଅଛି । ଆଉ କେହି ନାହାନ୍ତି । ବତକମାନେ ମଧ୍ୟ କେଉଁଠି ମୁଣ୍ଡଗୁଞ୍ଜି ରହିଲେଣି । କେବଳ ସେମାନେ ଦୁଇଟି ଯୁବକ ଯୁବତୀ ପାଣିକୂଳରେ ଛିଡ଼ା ହୋଇ ଉଚ୍ଛନ୍ନ ଚୁମ୍ବନ ଦିଆଦେଇ ହେଉଛନ୍ତି, ପବନରେ ହାଲୁକା ପୋଷାକ ଉଡ଼ୁଛି, ଖୋଲା ମୁଣ୍ଡ ବାଳ ଫୁରୁ ଫୁରୁ ହେଉଛି । ଯେଉଁ ଦେଶରେ ପ୍ରେମ କରିବାରେ ବାଧା ନାହିଁ, ସ୍ଥାନକାଳ ପାତ୍ରର ଅଭାବ ହୁଏ ନାହିଁ, ସେଠି ଏହି ଆଶ୍ଚର୍ଯ୍ୟ ପ୍ରକ୍ରିୟା ! ମୋର ସେଠି ରହିଲେ ନ ରହିଲେ କିଛି କ୍ଷତି ନ ଥିଲା । ତେବେ ଅନାବଶ୍ୟକତାର ବୋଝରେ ମୁଁ ସଂକୁଚିତ ହୋଇଗଲି; ଏହି ଉତ୍କଟ ଶୀତ ଓ ଉଦ୍ଦାମ ପ୍ରେମ ମଝିରେ ମୋର ସ୍ଥାନ ନାହିଁ । ମୁଁ ହୋଟେଲ ରୁମ୍‍କୁ ଫେରି ଆସି ୱାଶିଙ୍ଗ୍‍ଟନରେ ଶ୍ରୀମତୀଙ୍କ ପାଖକୁ ଫୋନ କଲି, କହିଲି ଯେ ବାହାରେ ଭୀଷଣ ଶୀତ, ପଦାକୁ ବାହାରି ହେଉନାହିଁ, ସେହି କାରଣରୁ । X X X X ୱାଶିଙ୍ଗ୍‍ଟନରେ ଗୋରିଏ ବର୍ଷାପ୍ଳାବିତ ସଂଧ୍ୟା । ବର୍ଷା ସାମାନ୍ୟ, କିନ୍ତୁ ପ୍ଳାବନ ଅଛି । ସାଇଡ଼୍‍ୱାକ ପାଖରେ ଛୁଟିଲା ପାଣି ଭିତରେ ଶୁଖିଲା ଝଡ଼ା ପତର କେତେ ଭାସି ଯାଉଛି । ଗୋଟିଏ କାର୍ ଆମ ଘର ଆଗ ଦେଇ ଚାଲିଗଲା ଓ ଓଦା ପତରଟିଏ ଧାଇଁ ଧାଇଁ ତା’ପଛରେ ଲାଗିଲା । ମୁଁ ଅଳସ ଦୃଷ୍ଟିରେ ଚାହିଁଛି, ଏହି ସମୟରେ ପାଖ ଘରୁ ଆହ୍ୱାନର ଶବ୍ଦ ଶୁଭିଲା । କାର୍‍ର ଗତି ଧିମେଇ ଗଲା, ମୁଁ ଦେଖିଲି ଡ୍ରାଇଭର ସିଟରେ ଜଣେ ବୟସ୍କା ସ୍ତ୍ରୀ,—ବୃଦ୍ଧା ହୋଇ ପାରନ୍ତି । କ୍ରମଶଃ କାର୍ ସେହି ଘର ଆଗରେ ରହିଲା ଏବଂ ଏକା ସାଙ୍ଗରେ କାର୍ ଭିତରୁ ଓ ଘର ଭିତରୁ ଦୁଇଟି ବୃଦ୍ଧାଙ୍କର ଆବିର୍ଭାବ ହେଲା । ଦୁଇଜଣ ଝପି ଝିପି ବର୍ଷାରେ ଛତାଧରି ଅଗ୍ରସର ହେଲେ ଓ ଦାଣ୍ଡ ମଝିରେ ପରସ୍ପରକୁ ସାକ୍ଷାତ କଲେ । ଅତି ଅଳ୍ପ ସମୟ ପରେ ସେମାନେ ଆମ ଘରକୁ ଲାଗିଥିବା ଦାଣ୍ଡ ବଗିଚାକୁ ଆସିଗଲେ, ମୁଁ ତାଙ୍କୁ ଭଲ ଭାବରେ ଦେଖି ପାରିଲି ଓ ତାଙ୍କ କଥା ଶୁଣି ପାରିଲି । ମୋର ପଡ଼ୋଶୀ ଅଶୀ ବର୍ଷର ବୃଦ୍ଧା, ଆଗନ୍ତୁକା ସମବୟସୀ ପରି ଦିଶୁଥାଆନ୍ତି । ଦୁଇଟି ଶୁକ୍ଳ କେଶ ମଣ୍ଡିତ ଶିର ଉପରେ ଛତା, ଉପରୁ ପାଣି ପଡ଼ୁଛି । ମୋର ମନେ ହେଲା ସେମାନେ କେବଳ ଛିଡ଼ା ହୋଇ ରହି ନାହାନ୍ତି, ସେମାନେ ବିରାଜମାନା । ତାଙ୍କ ମଝିରେ ଗୋଟିଏ ସାଧାରଣ ଗେଣ୍ଡୁଫୁଲର ଗଛ, ବୃନ୍ତରେ ଯୋଡ଼ିଏ ଫୁଲ । ଧୀରକଣ୍ଠର ଓଜନିଆ କଥା ଗୋଟି କରି ଶୁଣା ଯାଉଥାଏ ।

‘‘ବିଉଟିଫୁଲ ! ନୁହେଁ ?’’

 

‘‘ୱାଣ୍ଡରଫୁଲ !’’

 

‘‘ମୁଁ ଦିନେ ତୁମ ବଗିଚା ଦେଖିବାକୁ ଯିବି ।’’

 

‘‘ଆସିବ, ନିଶ୍ଚୟ ଆସିବ ।’’

 

କିଛି କ୍ଷଣର ନୀରବତା, ମୁଗ୍‍ଧ ଦୃଷ୍ଟିର ନୀରବତା । କେବଳ ଫୁଲ ଦୁଇଟି ପବନରେ ସାମାନ୍ୟ ଦୋହଲି ଉଠୁଥିଲେ ।

 

ଚାହୁଁ ଚାହୁଁ ଦୁଇବନ୍ଧୁ ବିଦାୟ ବିପରୀତ ଦିଗରେ ଗତି କଲେ । ସାକ୍ଷାତ ପର୍ବ ସରିଗଲା-। ଆଗନ୍ତୁକା ଘରବାରଣ୍ଡା ଯାଏଁ ଆସିନାହାନ୍ତି । ଛତାବନ୍ଦ କରିବାର ଅବକାଶ ହୋଇ ନାହିଁ ।

 

ସେମାନେ ଏ ବର୍ଷା ପାଗରେ କାହିଁକି ଏକାଠି ହୋଇଥିଲେ ? ମୁଁ ସେହି ପାଣିଭିଜା ନଇଁଲା ଗେଣ୍ଡୁଫୁଲ ଦୁଇଟିକୁ ଅନାଇ ରହିଲି, ମନେହେଲା ସେମାନେ ଶୁଖି ଝଡ଼ିଯିବା ପାଇଁ ପ୍ରସ୍ତୁତ ନୁହନ୍ତି । X X X X ୱାଶିଙ୍ଗ୍‍ଟନରେ ଆମ ଘରେ ଗୋଟିଏ ଗତାନୁଗତିକ ଡିନର୍‍-ପାର୍ଟି । କୋଳାହଳ, ଖାଲି ପାନୀୟ ଗିଲାସରେ ମୋଡ଼ାମୋଡ଼ି ହୋଇ ପଡ଼ିଥିବା ଟିସୁକାଗଜ ଓ ପେସ୍ତାର ନାଲି ଚୋପା, ଆସ୍‍-ଟ୍ରେ ଗୁଡ଼ିକରେ ଭରା ପାଉଁଶ ଓ ଅଧାଜଳା ସିଗାରେଟ୍, ଅତ୍ୟଧିକ ହୁଇସ୍କିପରେ ଜନୈକ ରକ୍ତଚକ୍ଷୁ ନିଜର ଯୋଗାଭ୍ୟାସ ଉପରେ ବକ୍ତୃତା ଦେଉଛନ୍ତି ଓ ଆଉ କେତେଜଣ ଥଣ୍ଡା ପାଣି ମାଗିବାକୁ ଆରମ୍ଭ କଲେଣି । ଭଡ଼ାଟିଆ ବିଅରର୍‍ ହାତବନ୍ଧା ଘଡ଼ି ଦେଖୁଛି,–ଆଉ କେତେ ଘଣ୍ଟାର କାମ ରହିଲା । ମୋଟ ଉପରେ ଡିନର୍‍ ଟେବୁଲ୍‍ ପାଖକୁ ଯିବାର ପୂର୍ବବସ୍ଥା । ଏହି ସମୟରେ, ମାନେ ଠିକ୍ ଟେବୁଲ୍‍ ପାଖକୁ ଯିବାର ନିମନ୍ତ୍ରଣ ଆସିବାବେଳକୁ ମୁଁ ମିସେସ୍ ଫିଲିସିଆ ରେଗାନ୍‍ଙ୍କ ମୁହାଁମୁହିଁ ହୋଇଗଲି । ତାଙ୍କ ମୁହଁ ସରସ ସତେଜ କ୍ଳାନ୍ତିର ଚିହ୍ନ ଆଦୌ ନାହିଁ ଓ ସେଥିରେ ଗୋଟିଏ ମଧୁରିଆ ହସ । ଅନ୍ୟ ସ୍ତ୍ରୀଲୋକମାନଙ୍କ ସହିତ ମୁଁ ତାଙ୍କୁ ଖାଇବା ଟେବୁଲ୍‍ ପାଖକୁ ଆଗେଇ ନେଲି, ଅନେକ ଅତିଥିମାନଙ୍କ ମଧ୍ୟରୁ ସେ ଜଣେ । କିନ୍ତୁ ଦେଖିଲି ତାଙ୍କ ମୁହଁରେ ହାସ୍ୟରେଖା ଲାଖିରହିଛି ଅପ୍ରୟୋଜନୀୟା ବିଳାସ ପରି, ସାନ ପିଲାର ସ୍ଵଗତ ଆନନ୍ଦ ପରି । ମିସେସ୍ ରେଗାନ୍‍ଙ୍କର କଣ ହେଲା ? ତାଙ୍କ ବୟସ ପଇଞ୍ଚାଳିଶ ହେବ, ବଡ଼ପୁଅ ଏୟାର ଫୋର୍ସରେ ଅଛି । ସେ ରନ୍ଧନକୁଶଳା, ତାଙ୍କରି କୃପାରୁ ଶ୍ରୀମତୀଙ୍କର ଯୋଡ଼ାଏ ମୋଟା ଆଲବମ ବିଭିନ୍ନ ରେସିପି (ରନ୍ଧନ ପ୍ରଣାଳୀ)ରେ ପୂରିଗଲାଣି । ମୁଁ ଜାଣେ ସେ ହାସ୍ୟମୟୀ,—କିନ୍ତୁ ତାଙ୍କର ଏହି ଅଖଣ୍ଡ ଅଳୀକ ହସ କାହିଁକି ? ଯାହାହେଉ କ୍ରମଶଃ ମୁଁ ମନ ଭିତରୁ ତାଙ୍କ ରୂପକୁ ଆଡ଼େଇ ଦେଇ ଅନ୍ୟ ନରନାରୀ ଗହଳରେ ମିଶିଗଲି; କିନ୍ତୁ ପୁଣି ତାଙ୍କର ସେହି ଆନନ୍ଦବୋଳା ହସ ମୋ ବାଟ ଓଗାଳିଲା । ସେତେବେଳେ ସେ ସୁସଜ୍ଜିତ ପ୍ଲେଟ୍‍ରୁ ମାଛଖଣ୍ଡ କାଟିକରି ନେଉଛନ୍ତି, ପାଖରେ ଶ୍ରୀମତୀ ଛିଡ଼ାହୋଇ କଣ ପରାମର୍ଶ ଦେଉଛନ୍ତି । ଏଥର ସେ ହସର ପ୍ରତିଦାନ ମାଗିଲା ପରି ଲାଗିଲେ ଓ ମୁଁ କିଛି ନ ବୁଝି ହସିଲି ତାଙ୍କ ଆଡ଼କୁ ଚାହିଁ । ତା’ପରେ ସେ ଶ୍ରୀମତୀଙ୍କୁ ମୋ ବିଷୟରେ ହସି ହସି କଣ କହିଲାପରି ଲାଗିଲେ ।

 

ପାର୍ଟି ସରିଲା ପରେ ଶ୍ରୀମତୀଙ୍କ ଏହି ରହସ୍ୟ ଉନ୍ମୋଚନ କଲେ । କହିଲେ ଯେ ମିସେସ୍ ରେଗାନ କହୁଥିଲେ ମୋର ଦୃଷ୍ଟିଶକ୍ତିର ଅଭାବ, ମୁଁ ତାଙ୍କ ନୂଆ ହେୟାର-ଷ୍ଟାଇଲ ଲକ୍ଷ୍ୟକରି ପାରିନାହିଁ । ଯେ ଆଜି ତାଙ୍କର ବିବାହ-ବାର୍ଷିକୀ, ସ୍ୱାମୀ ତାଙ୍କୁ ଚାଳିଶ ଡଲାର ଦେଇଥିଲେ ମନଇଚ୍ଛା ଖର୍ଚ୍ଚ କରିବାକୁ, ସେଥିରେ ସେ ହେୟାରଷ୍ଟାଇଲ ବଦଳାଇଛନ୍ତି । ମୁଁ ମୋର ନିର୍ବୋଧତା ମାନିଲି ନାହିଁ, କହିଲି ମିସେସ୍ ରେଗାନ ଗୋଟିଏ ଫୁଲେଇ; କିନ୍ତୁ ତା’ ପରେ ମୋର ମନେ ପଡ଼ିଲା ଆଜିକା ପାର୍ଟିରେ ତାଙ୍କ ସ୍ୱାମୀ ପଲ୍ ରେଗାନଙ୍କର ଚେହେରା । ସେ ତାଙ୍କ ସ୍ତ୍ରୀଙ୍କ ପରି ହସୁ ନ ଥିଲେ, ହେଲେ ଅନ୍ୟମନସ୍କ ଥିଲେ । ମନେ ହେଉଥିଲା କୌଣସି ଅରୂପର ଛବି ତାଙ୍କ ଆଖିରେ ପଡ଼ୁଛି, କିନ୍ତୁ ସେ କାହାକୁ କହିପାରୁ ନାହାନ୍ତି । ତାଙ୍କୁ ଫୁଲେଇର ସ୍ୱାମୀ କହିବା ପାଇଁ ଇଚ୍ଛାହେଲା ନାହିଁ । ଭାବିଲି ଆଗରୁ ଜାଣିଥିଲେ ତାଙ୍କ ଚାହାଣିକୁ ଆହୁରି ନିରେଖି ଦେଖିଥାଆନ୍ତି, କାରଣ ସେ ଚାହାଣି ଅଦରକାରୀ, ବୟସସୁଲଭ ନୁହେଁ, ହୁଏତ ଅପାର୍ଥିବ ।

 

......ଏମିତି କେତେ ଦୃଶ୍ୟ, କେତେ ରୂପ ମୋ ମନରେ ଖେଳିଗଲା । ଏହି ସବୁଥିକୁ ନେଇ ମୋ ଭଲପାଇବା ତିଆରି ହୋଇଛି । ଏ ସବୁରି ଭିତରେ କ୍ଷଣକ ପାଇଁ ମୁଁ ଗୋଟିଏ ଅପୂର୍ବ ଆବେଗ ପାଇଛି; ମନେ ହୋଇଛି ଯେ ତାହା ମୋ ସମଗ୍ର ଜୀବନର ଅପ୍ରକାଶିତ ଆବେଗ, ଛପିଲା ନିଆଁର ଉଜ୍ଜ୍ଵଳନ, ତାକୁ ଧରି ରଖି ପାରିଲେ ମୁଁ ସାର୍ଥକ ହୋଇପାରନ୍ତି । ସେ ଆବେଗର ଉପାଦାନ କଣ ମୁଁ ବ୍ୟାଖ୍ୟା କରିପାରିବି ନାହିଁ । ମନସ୍ତାତ୍ତ୍ଵିକ ମାନେ ହୁଏତ କହିବେ ଯେ ସେଥିରେ ଅଛି ଆଦିମତା, ଅଧିକାର-ଲିପ୍‍ସା, ବଞ୍ଚିବାର ନିର୍ଲଜ୍ଜ ନାଟକୀୟତା; କିମ୍ବା ହୁଏତ ସେମାନେ କହିବେ ଯେ ଏହିପରି ଆବେଗ ନେଇ କବିତାରେ ଡେଣାଲାଗେ, ଛବି କଥା କୁହେ, ଗୋଟିଏ ପାଗାଳାମିର ଆନନ୍ଦ ଭିତରେ ବଞ୍ଚିବା ମରିବାର ସୀମା ଲିଭିଯାଏ ।

 

ବାହାରେ କାଏରୋର ଶୁଷ୍କ ଉତ୍ତାପ । ଝରକାରୁ ଦେଖାଯାଉଛି ରାସ୍ତା ମୁଣ୍ଡରେ ଗୋଟିଏ ଗଧଗାଡ଼ି ଓ ପାଖରେ ଗୋଟିଏ ଗଧ । ଦୋକାନ ବାରଣ୍ଡାର ଦଉଡ଼ିଆ ଖଟ ଉପରେ ଲମ୍ଵାକୁର୍ତ୍ତା ଓ ପାଇଜାମା ପିନ୍ଧି ଯୁବକଟିଏ ବସିଛି ଓ ଭାବୁଛି । ଭାବନା ସରିବା ଆଗରୁ ନିଦ ଆସିବ–ଆସୁ, ସମୟ ସରି ଯାଉନାହିଁ ।

 

ଆବେଗ, ସୁଷୁପ୍ତିର ଅପର ପାଖ । ସୁଷୁପ୍ତି, ଲୁପ୍ତି, ବିସ୍ମୃତି.... । ନା, ମୋ ଦେଶ ଚିରଜୀବୀ ହେଉ, କିନ୍ତୁ ମୁଁ ମୋର ଆବେଗ ଦାୟିନୀକୁ ଚାହେଁ । ମୁଁ ତାକୁ ଭଲପାଏ, ଯେ ଯାହା ଭାବୁ ପଛେ । ଏ ଭଲପାଇବା ଅରୁଣର ଭଲପାଇବା ପରି ନୁହେଁ, ଅନ୍ୟମାନଙ୍କ ଭଲପାଇବା ପରି ନୁହେଁ । ଅବଶିଷ୍ଟ ଜୀବନ ଭାରତରେ ରହିଲେ ମଧ୍ୟ ଏ ଭଲ ପାଇବା ଘୁଞ୍ଚିଯିବ ନାହିଁ ।

 

(୪)

 

ଯଥାକ୍ରମେ କାଏରୋରୁ ବିଦାୟ ନେଇ ଭାରତଗାମୀ ପ୍ଲେନ୍‍ ଧରିଲୁ । ମଝିରେ ଆଉ କେଉଁଠି ରହିବାର ନାହିଁ । ରାତିଟା ପାରି ହେଲେ ବମ୍ବେ, ଦୁଇ ତିନିଘଣ୍ଟା ପରେ ଆମର ଶେଷ ଗନ୍ତବ୍ୟସ୍ଥାନ କଲିକତା ।

 

ପ୍ଲେନ୍‍ର ନାଁ କାଞ୍ଚନଜଙ୍ଘା । ଦୁଇ ତିନିଜଣ ଯାତ୍ରୀଙ୍କ ଛଡ଼ା ସମସ୍ତେ ଭାରତୀୟ । ଜଣେ ବ୍ୟବସାୟୀ ଭଦ୍ରଲୋକ ଉତ୍ତମ ଖାଦ୍ୟପେୟର ସମ୍ଭାର ଛାଡ଼ିଦେଇ ଦୁଇ ତିନି ଫର୍ଦ୍ଦ କାଗଜରେ ହିସାବ କିତାବ କରି ଲାଗିଥାଆନ୍ତି । ବୋଧହୁଏ ଆମଦାନୀ-ଶୁଳ୍‍କ ବଞ୍ଚାଇବାର ଉଦ୍ଦେଶ୍ୟରେ ଥାଆନ୍ତି ।

 

ପିଲାମାନେ ଉଦ୍‍ଗ୍ରୀବ ହେଲେଣି, କାଲି ସକାଳେ ଇଣ୍ଡିଆ । ଇଣ୍ଡିଆମାନେ ଘର, ନିଜ ଘର । ସେ ଘର ଭାରତର କେଉଁ ଗୋଟିଏ ନିର୍ଦ୍ଦିଷ୍ଟ ସହର ବା ଗାଆଁ ନୁହେଁ, ସାନପିଲାମାନେ କେହି ତାକୁ ଦେଖିନାହାନ୍ତି; ତଥାପି ସେମାନେ ଖୁସି ହେଉଛନ୍ତି ଯେ ସେମାନେ ନିଜ ଦେଶକୁ ଫେରିଯାଉଛନ୍ତି, ଯେଉଁଠୁ ସେମାନେ ଆସିଛନ୍ତି । ସେଠି ତାଙ୍କୁ କିଛି ଅଧିକ ଆଦର ସମ୍ମାନ ମିଳିବ, ସେଠି ତାଙ୍କୁ ସମସ୍ତେ ଚିହ୍ନିବେ ।

 

ପ୍ରକୃତରେ ସେ ଉତ୍ସୁକତା ମୋର ନିଜର ମଧ୍ୟ ଆସିଥିଲା । ସେହି ରାତିର ଭାବନାଚିତ୍ରରେ ଆମେରିକା ଅଳ୍ପ ଥିଲା, ବେଶି ଥିଲା ଭାରତ ।

 

ମୌସୁମୀକୁ ସାଙ୍ଗରେ ନେଇ ଆମେ ଭାରତରେ ପହଞ୍ଚୁଛୁ । ବମ୍ବେରେ ବର୍ଷା ହେଉଥିବ, କଲିକତାରେ ବର୍ଷା ହେବାକୁ ଯାଉଥିବ । ଆକାଶସାରା ଖାଲି କଳା କଳା ମେଘ । ଗଭୀର-ଗମ୍ଭୀର ରୂପର ଗର୍ଜ୍ଜନ ଶୁଭୁଥିବ, ପିଲାମାନେ ଡରୁଥିବେ, ଅପୂରାପେଟ ଗାଈ ଓ ଚାଷୀ ଉପରକୁ ଚାହୁଁଥିବେ-। ଏହି ବର୍ଷା-ଆଗମନୀକୁ ନେଇ କେତେ ସୁନ୍ଦର ଛବି ଅଙ୍କା ହୋଇଛି । ମନେପଡ଼ିଲା ରବୀନ୍ଦ୍ରନାଥଙ୍କର, ଏଇ ଆସେ ଏଇ ଅତି ଭୈରବ ହରଷେ, ଜଳାସିଞ୍ଚିତ କ୍ଷତି ସୌରଭରଭସେ....-

 

ମୋ ଭାରତ କଣ ସୁନ୍ଦର ନୁହେଁ ! ଏହି ସ୍ନିଗ୍‍ଧା ଶ୍ୟାମା ବର୍ଷା ସଜଳ ଭାରତଭୂଇଁର କବିମାନଙ୍କ ମଧ୍ୟରେ ମୁଁ ମଧ୍ୟ ଜଣେ, ମୋତେ ଭୁଲ୍ ବୁଝନାହିଁ । ମୋର ତା’ ପ୍ରତି ପ୍ରଗାଢ଼ ମମତା ଅଛି, ତାହା ମୋର ଜନ୍ମଗତ ଅଧିକାର ।

 

ବମ୍ବେରେ ପହଞ୍ଚିଲାବେଳକୁ ଝିପି ଝିପି ବର୍ଷା ହେଉଛି । ପ୍ଲେନ୍ ଭୂଇଁରେ ଲାଗିଲାବେଳକୁ ଯେଉଁ ବାଜଣା ବାଜିଉଠେ ତାହା ଆବାହନୀ ସଂଗୀତ ପରି ଲାଗିଲା । ଆମେ ପରସ୍ପରର ମୁହଁକୁ ଚାହିଁଲୁ, ପାଇବାର ଭାବ ନେଇ । ଆମେ ପହଞ୍ଚିଛୁ ।

 

ବର୍ଷିଲା ପାଣି ଓ ଉଷୁମ ପବନ ଭିତରେ ଏୟାରପୋର୍ଟ୍‍ ଭିତରକୁ ଗଲୁ,—କଲିକତା ପ୍ଲେନ୍‍ ପାଇଁ ଅପେକ୍ଷା କରିବାକୁ ହେବ । ଅପେକ୍ଷା ଗୃହର ବେଞ୍ଚରେ ବସିପଡ଼ି ବଡ଼ଝିଅ ପ୍ରଥମେ ଟ୍ରାନଜିଷ୍ଟର ରେଡ଼ିଓ ଚଳାଇଦେଲା । କ୍ଷଣକରେ ହିନ୍ଦୀ ସିନେମା ଗୀତ ଶୁଣାଗଲା ଓ ସେ ଉଚ୍ଛ୍ୱସିତ ଆନନ୍ଦରେ ଉଚିତ୍‍ରୁ ଅଧିକ ଉଚ୍ଚ କଣ୍ଠରେ ତା’ର ସ୍ୱାଗତ ଜଣାଇଲା । ସାନପିଲାମାନେ ରେଡ଼ିଓର ନୂଆ ଆବିଷ୍କାର କଲାପରି ମନେହେଲା । ଯେଉଁ ରେଡ଼ିଓ ଆମେରିକାର ବିଜ୍ଞାପନ ଗୀତ ଶୁଣାଉଥିଲା, —ଉଇନ୍‍ଷ୍ଟନ୍ ଟେଷ୍ଟସ୍ ଗୁଡ଼୍ ଲାଇକ୍ ଏ ସିଗାରେଟ ଶୁଡ଼୍, କାଏରୋରେ ଦୁର୍ବୋଧ ଆରବୀ ଶୁଣାଉଥିଲା, ତା’ର ଆଜି ଏ ନୂତନ ରୂପ ! କୌଣସି ନୂଆ ଫିଲ୍ମର ଗୀତ । ଶ୍ରୀମତୀ ନିଶ୍ଚିତ ଭାବରେ କହିଲେ,—ଏ ହେଉଛି ଲତା ମଙ୍ଗେସ୍‍କର୍‍ ।

 

ହିନ୍ଦୀ ଗୀତ ଶୁଣିବା ପରେ ପରେ ଶ୍ରୀମତୀଙ୍କର ମନେପଡ଼ିଲା ପାନଖାଇବା କଥା । ତାଙ୍କର ଅଭିଳାଷ ଥିଲା ଯେ ଭାରତରେ ପହଞ୍ଚି ପ୍ରଥମେ ଖଣ୍ଡେ ପାନ ଖାଇବେ, ଦୀର୍ଘ ପାଞ୍ଚବର୍ଷ ହେଲା ସେ ସେହି ଉପଭୋଗରୁ ବଞ୍ଚିତ ହୋଇଛନ୍ତି । ମୁଁ ଆଶ୍ୱାସନା ଦେଲି ଯେ କଲିକତାରେ ପହୁଞ୍ଚିବାମାତ୍ରେ ତାଙ୍କର ଇଚ୍ଛା ପୂରଣ କରାଯିବ ।

 

ଏୟାରପୋର୍ଟରେ ବ୍ରେକ୍‍ଫାଷ୍ଟ ଖାଇବାକୁ ହେଲା । ଖାଇବା ଟେବୁଲରେ ଟେବୁଲ୍‍-କ୍ଳଥ୍ ପଡ଼ି ନଥାଏ, ହାତକୁ ଅଠାଳିଆ ଲାଗୁଥାଏ । ଧୂସର ଓଦା ଲୁଣକୁ ଲୁଣ ବୋଲି ପ୍ରଥମେ ଠଉରାଇ ହେଲା ନାହିଁ । ପିଲାମାନେ ବୁଝିପାରିଲେ ନାହିଁ ଯେ ଅଣ୍ଡା-ଫ୍ରାଏ ଖାଇବା ପାଇଁ ଜଣକୁ କାହିଁକି ମାଛ ଖାଇବା କଣ୍ଟା, ଆଉ ଜଣକୁ ଚିନିପରଶିବା ଚାମୁଚ, ଏମିତି ଦିଆହୋଇଛି । ବ୍ରେକ୍‍ଫାଷ୍ଟ ରୁମ୍‍ର ଜନୈକ ଅଧିକାରୀ ସହାସ୍ୟ ବଦନରେ ପିଲାମାନଙ୍କୁ କିଛି ସମୟ ଚାହିଁ ରହିଲେ ଓ ତା’ ପରେ ଉପଦେଶ ଦେଲେ,—କଦଳୀ ଖାଅ, ଦେହରେ ଜୋର୍ ହେବ ।

 

ଏହି ପରିସ୍ଥିତିକୁ ଆବୃତକରି ଲତା ମଙ୍ଗେସ୍‍କରଙ୍କ ସୁମଧୁର ସଂଗୀତ ଶୁଣାଯାଉଥିଲା । ଆଉ କଣ ଦରକାର ? ପିଲାମାନେ ନୂତନ ଉପଭୋଗର ସ୍ୱାଦୁ ପାଇ ଖୁସି ଥିଲେ ।

 

କଲିକତାକୁ ଯିବାର ଦୁଇ ତିନିଘଣ୍ଟା ଭିତରେ ଭାରତର ଉପର ଆକାଶରେ ଥାଇ ଆମେରିକାର କେତେ ବିକ୍ଷିପ୍ତ ଘଟଣା ଓ ଅନୁଭୂତି ପୁଣି ମୋ ମନକୁ ଆସିଲା । ସତେଯେପରି ସେମାନେ ଶେଷ ସାକ୍ଷାତ କରିବାକୁ ଆସିଛନ୍ତି, ତା’ପରେ ଫେରିଯିବେ ମନର ଅଂଧାରିଆ ଗହୀରକୁ । ଶ୍ରୀମତୀ ପୂର୍ବ ପରିଚିତା ଗୋଟିଏ ବିଦେଶିନୀ ଏୟାର-ହୋଷ୍ଟେସ୍ ସାଙ୍ଗରେ କେତେ କଣ ଗପୁଥାଆନ୍ତି । ହଠାତ୍ ବିଦେଶିନୀର ମନ୍ତବ୍ୟ ଶୁଭିଲା,—ଟେରିବ୍‍ଲ୍‍ ! ଅ’ଫୁଲ୍ ! ମୁଁ ଉତ୍‍କର୍ଣ୍ଣ ହୋଇ ଚାହିଁ ବସିବାରୁ ଶ୍ରୀମତୀ ବୁଝାଇଦେଲେ ଯେ ସେ କଲିକତାର ଖରା ଗୁଳୁଗୁଳି କଥା କହୁଥିଲା ।

 

ସେ ଭୁଲ୍ କହୁନଥିଲା । ଡମ୍‍ଡମ୍‍ରେ ପ୍ଲେନ୍‍ରୁ ଓହ୍ଲାଇ ବସରେ ଖଣ୍ଡେ ଦୂର ଏୟାରପୋର୍ଟ୍‍କୁ ଯିବା ଭିତରେ ଆମେ ଜାଣିପାରିଲୁ କଲିକତାର ଗ୍ରୀଷ୍ମୋତ୍ତାପ କାହାକୁ କୁହାଯାଏ । ସେଥିରେ ଉଗ୍ରତା ନାହିଁ, କ୍ରୋଧ ନାହିଁ, ଖାଲି ଗୋଟାଏ ଅଯଥା ଅସନ୍ତୋଷଭାବ । ସତେଯେପରି ସେ ହସିବ ନାହିଁ କି କାନ୍ଦିବ ନାହିଁ, କିନ୍ତୁ ତୁମକୁ ଆରାମ କରିବାକୁ ଦେବ ନାହିଁ । ଆମେ ସମସ୍ତେ ଛଟପଟ ହୋଇଉଠିଲୁ । ମୁଁ କେବଳ ଆକାଶକୁ ମଝିରେ ମଝିରେ ଚାହୁଁଥାଏ, ମେଘର ଛପିଲା ରୂପକୁ ଦେଖିବା ପାଇଁ ।

 

ଗରମ ଗୁଳୁଗୁଳି, ଝାଳ, ପଥଶ୍ରାନ୍ତି, ହାତରେ ଗରମ ଓଭରକୋଟ୍ କ୍ୟାମେରା ଇତ୍ୟାଦିର ବୋଝ ଓ ଆଗରେ କଷ୍ଟମସ୍ । ମୋର ଇନ୍ଦ୍ରିୟ ସମୟ ପାଇନଥିଲା ଘରର ଚିହ୍ନା ବାସ୍ନା ପାଇବା ପାଇଁ । ମୁଁ ନିଜକୁ କହୁଥିଲି ଧୈର୍ଯ୍ୟ ଧରିବାକୁ ।

 

ତେବେ ଏୟାରପୋର୍ଟ କଷ୍ଟମ୍‍ସ୍ ଘରେ ପହଞ୍ଚି ମୁଁ ଆମ ଲୋକମାନଙ୍କୁ ପାଖରେ ଦେଖିବାର ସୁଯୋଗ ପାଇଲି । ସେମାନେ କେତେ ଶ୍ରେଣୀର, କେତେ ଧରଣର ଲୋକ । କେତେକ କୁଲିପୋଷାକ ପିନ୍ଧିଥିଲେ । ଜଣେ କିରାଣୀବାବୁ ମଇଳା କାମିଜ ପିନ୍ଧି ଆମଠୁଁ କେତେ କଣ ଫର୍ମ ଦସ୍ତଖତ କରାଇନେଲେ । କେହି ଜଣେ ଆମକୁ ପଚାରିଲା,—-କେଉଁଠୁ ଆସୁଛ ? ତା’ ପରେ ଆମେରିକାରୁ ଆସିବା ଶୁଣି ସବୁ ବୁଝିପାରିଲାପରି କହିଲା,—ଓ— । ଘର ଓ ବାରଣ୍ଡାରେ ଲୋକଙ୍କ ଭିଡ଼ । ସମସ୍ତେ କାମ କରୁଛନ୍ତି, ସମସ୍ତେ ବ୍ୟସ୍ତ ଅଛନ୍ତି । କାଉଣ୍ଟର ସେ ପାଖରେ କଷ୍ଟମସ୍‍ର ମୁଖ୍ୟ କର୍ମଚାରୀ କେତେଜଣ ଓ ଏ ପାଖରେ ସେମାନଙ୍କର ସହକାରୀ, ଶ୍ରମିକଦଳ ଓ ଅନିର୍ଦ୍ଦିଷ୍ଟ ଅନ୍ୟମାନେ ।

ଆମ ଦେଶର ଲୋକ । ମୋର ମନେହେଲା ମୁଁ ବହୁତଦିନ ପରେ ପ୍ରଥମେ ଏମାନଙ୍କୁ ଦେଖୁଛି । ଆମେରିକାରେ ଏମାନେ ନ ଥିଲେ । ବମ୍ବେ ଏୟାର୍‍ପୋର୍ଟରେ ଏମାନଙ୍କ ସାଙ୍ଗରେ ସାକ୍ଷାତ କରିବାର ସୁଯୋଗ ପାଇ ନାହିଁ । ଏମାନେ ନିରୋଳା ଖାଣ୍ଟି ଭାରତୀୟ, ଶ୍ରମଝାଳ ତୁଣ୍ଡରେ ମାରି କାମ କରୁଛନ୍ତି । ତାଙ୍କର କାର୍ଯ୍ୟବ୍ୟସ୍ତତା ଦେଖି ମୋତେ ଖୁସିଲାଗିଲା । ଏହିଥିରେ କିଛିହେଲେ ଗଢ଼ିଉଠଛି, ଭାଙ୍ଗିପଡ଼ିବାର ନଷ୍ଟ ହୋଇଯିବାର ଆଶଙ୍କା ନାହିଁ । ଆମେ କାମ କରୁଛୁ, ଆଗେଇ ଯାଉଛୁ ।

ବେଳେବେଳେ ସେମାନଙ୍କର ଇଂରାଜୀ ମୋତେ ବାଧୁଥାଏ, ମୁଁ ହିନ୍ଦୀ କିମ୍ବା ବଙ୍ଗଳାରେ ଉତ୍ତର ଦେବାର ଚେଷ୍ଟା କରୁଥାଏ । ବେଳେବେଳେ ମନେହେଉଥାଏ ଯେ ସେମାନେ ବେଶିଗୁଡ଼ାଏ କଥା କହୁଛନ୍ତି; ଅଯଥା କୋଳାହଳ ସୃଷ୍ଟି କରୁଛନ୍ତି । ଯେଉଁଠି ଗୋଟାଏ ନିର୍ଦ୍ଦିଷ୍ଟ ଧାରା ସ୍ଵଚ୍ଛନ୍ଦରେ କାମ କରିଯାଆନ୍ତା ସେଠି କୁହାଳିଆ ଲୋକମାନେ ବାଟ ଓଗାଳି କହୁଛନ୍ତି,—ଆମେ କାମ କରୁଛୁ,–ଆମେ । ‘‘ଆପଣ କହୁଛନ୍ତି ଯେ ଆଇନ ଅନୁଯାୟୀ ଏ ଜିନିଷ ଛଅମାସ ବ୍ୟବହାର କଲେ ଚଳିବ, ଡିଉଟି ଲାଗିବ ନାହିଁ ? ଆଚ୍ଛା ଦେଖିବା......ଏ ବୋସ୍‍ଦା ଶୁଣିଲେ ଟିକିଏ, ଏ କହୁଛନ୍ତି ଯେ...-।’’ ବୋସ୍‍ଦା ଆଉ କାହାକୁ ପଚାରିବାକୁ ଗଲେ, ମଝିରେ ଆଉ କେଉଁ ଯାତ୍ରୀକୁ କଣ କହିଲେ, ପୁଣି କେତେ କାଗଜ ଦେଖିଲେ, ଫେରିଲେ ନାହିଁ । ଉପସ୍ଥିତ କର୍ମଚାରୀ ପୁଣିଥରେ କହିଲେ, ‘‘ଆଚ୍ଛା ଦେଖିବା...କିଛି କ୍ଷତି ନାହିଁ...ତା’ ପରେ ହେଲା ଆଇଟମ୍ ନମ୍ବର ଚାରି...ଏ ଆଇଟମ୍‍ର ମୂଲ୍ୟ ହେବ…ଏ ବିଜନ୍ ବାବୁ.....’’ ।

ତେବେ ମୋତେ ବିଶେଷ ଖରାପ ଲାଗୁନଥାଏ । ସୁପରମାର୍କେଟ୍‍ର ସୁସଭ୍ୟ କୁଶଳ ଗତିବିଧିରେ ଅଭ୍ୟସ୍ତ ହୋଇ ନୂଆକରି ହାତରେ ଦରଦାମ କରିବାର ଆନନ୍ଦ ପାଉଥାଏ ।

ସବୁ କାର୍ଯ୍ୟର ଶେଷ ଅଛି । ଶେଷକୁ କଷ୍ଟମସ୍ ପର୍ଯ୍ୟାୟ ମଧ୍ୟ ସରିଲା । ଆମେ ନିଃଶ୍ୱାସ ମାରିଲୁ । ପିଲାମାନଙ୍କୁ ହଠାତ୍ ବେଶି ଭୋକ, ବେଶି ଥକା ଲାଗିଲା, ଘରକୁ ଯିବା ।

ଫାଟକ ପାଖରେ ସେମାନେ ଠୁଳହୋଇ ଛିଡ଼ା ହୋଇଛନ୍ତି, ଭାଇ ଭଉଣୀ, ଶ୍ରୀମତୀଙ୍କୁ ଭାଇଭଉଣୀ ଓ ବିସ୍ତୃତ ପରିବାରର ବିଭିନ୍ନ ପ୍ରତିନିଧି । ସ୍ୱାଗତ, ଆନନ୍ଦ କୋଳାହଳ ଭିତରେ ଏକା ସାଙ୍ଗରେ ଅସଂଖ୍ୟ ପ୍ରଶ୍ନ ଓ ମନ୍ତବ୍ୟ, କୌଣସିଟି ଅସମ୍ଭାବିତ ନୁହେଁ, ଯଥା: ଆରେ ଇଏ ଏଡ଼ଟିଏ ହୋଇଗଲାଣି ! ...ଟ୍ଵିଷ୍ଟ ଭଲକରି ଶିଖିଯାଇଛୁ ନା ? ଓଡ଼ିଆ କହିପାରୁଛୁ ? ...ବାଟରେ କଣ ସବୁ ଦେଖିଲ ? ......ଇତ୍ୟାଦି ।

ମୁଁ ସ୍ନେହମୟ ପରିବାରର ଗହଳି ଭିତରୁ ଟିକିଏ ଦୂରକୁ ଅନାଇପାରିଲି, ଏୟାରପୋର୍ଟ୍‍ର ସେ ପାଖକୁ, ସହର ଭିତରକୁ ।

ମୋର ପ୍ରଥମ ଆଖିରେ ପଡ଼ିଲା ଦୂରରେ ଗୋଟିଏ ଗାଈ ଚରୁଛି, ଓ ତା’ ପାଖରେ ଖାଲିଦେହରେ ଜଣେ କିଏ ଛିଡ଼ାହୋଇଛି । ସେ ଦୃଶ୍ୟ ଛବିପରି ଲାଗିଲା । ମନେହେଲା ମୁଁ ଭାରତଭୂଇଁର ସଂକେତ ଛାପ ଦେଖିପାରିଲି ।

ଆମେ ସମସ୍ତେ ବାଣ୍ଟିହୋଇ କେତେଗୁଡ଼ିଏ କାରରେ ବସିଲୁ, ସବୁ ଆମ୍ବାସଡ଼ର ଗାଡ଼ି । ମୁଁ କହିବା ଆଗରୁ ପିଲାମାନଙ୍କଠାରୁ ଶୁଣିବାକୁ ମିଳିଲା,—ଇଣ୍ଡିଆରେ ଏଇ କଣ ସବୁଠୁ ବଡ଼ ଗାଡ଼ି-? ଏହାଠାରୁ ବଡ଼ କିଛି ନାହିଁ ?

କ୍ଳାନ୍ତିର ପରିଧିରେ ଶାନ୍ତି ଥିଲା । ମୁଁ ପଛ ସିଟରେ ଆଉଜି ଅଧିକାଂଶ ସମୟ ଆଖିବୁଜି ରହିଥିଲି । ତେବେ ମଝିରେ ଶ୍ରୀମତୀଙ୍କ ପାଇଁ ଗାଡ଼ି ଅଟକାଇ ପାନ ଆଣିବାକୁ ପଡ଼ିଲା । ପାନକୁ ଉତ୍ତମ ରୂପେ ଚୋବାଇ ଓଠ ନାଲିକରି ଆମେ ଦୁଇଜଣ,—ଶ୍ରୀମତୀ ଓ ମୁଁ,—ପରସ୍ପର ମୁହଁକୁ ଚାହିଁଲୁ-। ମନେହେଉଥାଏ ଯେ ଏ ତୃପ୍ତିର ଅନୁଭୂତି ଆଉ ଫେରିବ ନାହିଁ, ଦ୍ୱିତୀୟ ପାନରେ ଆସିବ ନାହିଁ ।

ଶାନ୍ତି ଓ ତୃପ୍ତିର ଦୋଳାରେ ଆମେ ଘରେ,—ମାନେ ଭାଇର ବସାରେ ପହଞ୍ଚିଲୁ । ରାତିରେ ସରୁ ଅରୁଆ ଭାତ ସାଙ୍ଗରେ ଘାଣ୍ଟ ତରକାରି ମାଛଭଜା । ଇତ୍ୟାଦି ଖାଇଲାବେଳେ ବଡ଼ ଝିଅ କହିଲା,—ବାପା, ମନେହେଉଛି କଣ ଆମେ କେବେହେଲେ ଆମେରିକା ଯାଇଥିଲେ ? ମୋତେ ଲାଗୁଛି ଯେ ମୁଁ ଏହିଠି ସବୁଦିନେ ଅଛି, ଦି’ଦିନ ପାଇଁ କଣ ସ୍ଵପ୍ନ ଦେଖୁଥିଲି । ତା’ର ସେହି କଥାରେ ବିଷାଦ ନ ଥିଲା ।

 

(୫)

 

ଏହା ପରେ ତିନୋଟି ଦିନର କଥା ।

 

ପ୍ରଥମ ଦିନ । ସକାଳେ ବସିବା ଘର ଝରକାର ପରଦାକୁ ଆଡ଼େଇଦେଇ ମୁଁ ଦେଖିଲି ସେମାନଙ୍କୁ । ସାତ ଆଠଟି ଲଗାଲଗି କୁଡ଼ିଆଘର ବସ୍ତିର ଲୋକ,—ସେମାନଙ୍କ ଦିନର ଉଦ୍ୟମ ଆରମ୍ଭ କରୁଛନ୍ତି ।

 

ସେମାନଙ୍କୁ କଣ ମୁଁ ଭୁଲି ଯାଇଥିଲି ? ନାହିଁ ତ । ତଥାପି ଲାଗିଲା ଯେ ମୁଁ କାଳେ ଭୁଲି ଯାଇଥିବି ବୋଲି ସେମାନେ ନିଜର ଅସ୍ତିତ୍ୱ ପ୍ରଚାରକରି ଚାଲିଛନ୍ତି, ପ୍ରଚଣ୍ଡ ମୁଦ୍ରାରେ କହୁଛନ୍ତି ଯେ ସେମାନେ ମଧ୍ୟ ଅଛନ୍ତି, ସେମାନେ ଭାରତୀୟ ।

 

ମୁଁ ଜାଣେ । ମୁଁ ପାଞ୍ଚବର୍ଷ ପୂର୍ବେ ତୁମମାନଙ୍କୁ ଦେଖିଥିଲି । ମୁଁ ଜାଣେ ମୁଁ ଜାଣେ ତୁମେ ସବୁ କେମିତି ରୁହ, କେମିତି ଖାଅ, କେମିତି କାରବାର ହୁଏ; କିନ୍ତୁ ଏହି ଉତ୍କଟ ଭାବ କାହିଁକି ?

 

କାହିଁକି ସେହି ଅଳିଆ ଆବର୍ଜନାର ଗଦା ଗୋଟାଏ ଘର ଆଗରେ ପଡ଼ି ରହିଛି ସେମିତି-? ସେଥିରେ ଅଇଁଠା ଭାତ, ଆମ୍ବଚୋପା, ଖପରା, ପାଉଁଶ ଓ ଆଉ କେତେ କଣ । ଯୋଡ଼ାଏ କାଉ ତା’ ଉପରେ ବସି ଭାତ ଖୁମ୍ପୁଛନ୍ତି । ପେଟ କାଢ଼ି ଲଙ୍ଗଳା ପିଲାଟାଏ ସେଆଡ଼େ ଯାଉଛି । ନା, ନା,—ସେ କାଉ ସାଙ୍ଗରେ ବାଦ କରିବାକୁ ଯାଉ ନାହିଁ । ସେ ହେଉଛି ଉପନ୍ୟାସର ଦୁର୍ଭିକ୍ଷ ଚିତ୍ର, ଏମିତି ସହଜରେ ଆଖି ଆଗରେ ପଡ଼େ ନାହିଁ । ମୋର ଆଶଙ୍କାର କାରଣ ନ ଥିଲା । ପିଲାଟି ବସିପଡ଼ି ଭାତ ଗୋଟାଇଲା ନାହିଁ, ତା’ ପାଖରେ ଛିଡ଼ାହୋଇ ପରିସ୍ରା କରିବାକୁ ଆରମ୍ଭ କଲା ।

 

ମୁଁ ପରଦା ଟାଣିଦେଇ ଫେରିଆସିଲି, କାହିଁକିନା ସାନ ବୋହୂ ସେତିକିବେଳେ ପଛରୁ ପଚାରିଲେ,—ବ୍ରେକ୍‍ଫାଷ୍ଟ୍‍ ପାଇଁ ଟୋଷ୍ଟ୍‍ଅଣ୍ଡା କରିବି ନା ପରଟା ସନ୍ତୁଳା କରିବି ?

 

ମୁଁ ନିଜକୁ କହିଲି ଯେ ସାନବୋହୂ ଡାକି ନ ଥିଲେ ମୁଁ ଆଉ କିଛି ସମୟ ସେମାନଙ୍କୁ ଦେଖିବାର ସୁଯୋଗ ପାଇଥାଆନ୍ତି ।

 

ଯାହାହେଉ ପୁଣିଥରେ ସେମାନଙ୍କ ପାଖଦେଇ ଯିବାକୁ ପଡ଼ିଲା । କାରଣ ସେ ବସ୍ତିଦେଇ ବଡ଼ରାସ୍ତାକୁ ଯିବାକୁ ପଡ଼େ । ଆମେ ବ୍ରେକ-ଫାଷ୍ଟ ସାରି ବଡ଼ରାସ୍ତାକୁ ଯାଉଥିଲୁ, ଟ୍ୟାକ୍‍ସି କରି ଭଡ଼ାଘର ସନ୍ଧାନରେ ବାହାରିବାକୁ ହେବ ।

 

ସେତେବେଳକୁ ଦିନ ଆଗେଇଲାଣି । ଖରାରେ ବର୍ଷା ହେବାର ଭାବ ଅଛି, କିନ୍ତୁ ଦେହକୁ କାଟୁଛି । ଏଥର ସେ ବସ୍ତିଟା ଜଳ ଜଳ ହୋଇ ଦେଖାଯାଉଛି ଓ ସେ ଲୋକମାନେ ଜନ୍ତୁପରି ଲାଗୁଛନ୍ତି । ମୋର ସେମିତି କହିବା ହୁଏ ତ ଉଚିତ୍‍ ହେବ ନାହିଁ,—କିନ୍ତୁ ସେମାନେ ସିଧା ହୋଇ ବସୁ ନାହାନ୍ତି, ଛିଡ଼ା ହେଉନାହାନ୍ତି କାହିଁକି ? ଜଣେ ବାହାରେ ଗୋଟାଏ ଟିଣ ଡ୍ରମ ଉପରେ ବସିଛି ଗୋଟାଏ ଗୋଡ଼ ଅଧେ ଟେକି ଦେଇଛି, ଆଣ୍ଠୁରୁ ଜଙ୍ଘ ଯାଏ ଦେଖା ଯାଉଛି । ଆଉ ଜଣେ ଖାଲି ଟୋକେଇଟାଏ ମୁଣ୍ଡରେ ରଖି ହାଇ ମାରି ମାରି ଯାଉଛି । ମନେହେଉଛି କେଉଁଠିକୁ ଯିବାର ସ୍ଥିରତା ନାହିଁ, କେବଳ ଟୋକେଇ ମୁଣ୍ଡାଇବା ତା’ର ଧର୍ମ । ଆଉ ଜଣେ ଅଧାଶୁଆ ଠାଣିରେ ଗୋଟାଏ ପାଣିଚୌବଚା ଉପରେ ବସିଛି, ଖାଲି ଦେହରୁ ଗାମୁଛା ଅଧା ଖସି ଆସି ତଳେ ଲୋଟୁଛି, ତଳେ ଅଛି କାଦୁଅ, ପାନପିକ ଓ ପଇଡ଼ଚୋପା ।

 

ଏମାନଙ୍କର କଣ କିଛି କାମ ନାହିଁ ? କାମ ନ ଥିଲେ ମଧ୍ୟ କଣ ଟିକିଏ ସହଜ ସାଧାରଣ ଭାବରେ ବସି ଉଠି ପାରିବେ ନାହିଁ ?

 

.....ବସ୍ତି ସରୁ ନାହିଁ । ସାନଭାଇକୁ ପଚାରିଲି । ସେ କହିଲା,—ବସ୍ତି ? ବସ୍ତି ତ ଗଲାଣି କେତେବେଳଠୁଁ ।

 

ବସ୍ତି ଗଲାଣି, ତେବେ ସେ ବୁଢ଼ୀ ସେଠି ଗୋବର ଘାଣ୍ଟୁଛି କାହିଁକି ? ଚାରିଆଡ଼େ ଏତେ ମଇଳା ଛିଣ୍ଡା ଲୁଗାପଟା ଝୁଲୁଛି କାହିଁକି ?

 

ହୋଇଥିବ, ମୋରି ଅଜ୍ଞତା । ଦେଖିଲି କୋଠାଘର ଆସିଲାଣି । ବୀଣାପାଣୀ ଷ୍ଟୋର ନାମକ ଗୋଟାଏ ଦୋକାନ ପଡ଼ିଲାଣି । ଦୋକାନରେ ବୁସ୍‍ସାର୍ଟ ପିନ୍ଧିଥିବା ଗରାଖ ଦେଖାଯାଉଛନ୍ତି-। ଭିତରେ ଶୀତଳତା ଥିବ, ଉପରେ ପଙ୍ଖା, ତଳେ ସିମେଣ୍ଟ ଚଟାଣ । ଦୋକାନୀ କାଠ କାଉଣ୍ଟର୍‍ ଉପରେ ବ୍ରଲକ୍ରିମ୍, କୋଲଗେଟ୍ ଟୁଥ୍‍ପେଷ୍ଟ ଇତ୍ୟାଦି ଦ୍ରବ୍ୟ ଆଣି ଥୋଇବ । ଠିକ୍ ଅଛି, କିନ୍ତୁ ଷ୍ଟୋର୍‍କୁ ଲାଗିକରି ଥିବା ମୋଟା ନର୍ଦ୍ଦମା ? ଟିଣ ଓ ଅଖାରେ ଘେରା ହୋଇଥିବ ସେହି କୁଡ଼ିଆଘର ? ଶୁଖିଲା ଘାସ ଉପରେ ଲମ୍ବା ଲମ୍ବା ହୋଇ ଶୋଇଥିବା ତିନିଜଣ ବସ୍ତି ଜାତୀୟ ଲୋକ ? ତଥାପି ମାନିଲି ଯେ ବସ୍ତି ଗଲାଣି, ଏ ସବୁ ଦୃଶ୍ୟ ହୁଏତ ଟିକିଏ ଅସ୍ଥାନରେ ଛିଟିକି ପଡ଼ିଛି ।

 

ପୁଣି ଆଉ କେତେ କୋଠାଘର ଆସିଲା । କେତେ ଷ୍ଟୋର୍ସ,—‘‘ଏଠି ବିଜୁଳିପଙ୍ଖା ଭଡ଼ାରେ ଦିଆଯାଏ,’’ ଇଣ୍ଟରନେସନାଲ୍‍ ହେୟାର କଟିଙ୍ଗ ସାଲୁନ୍ ପ୍ରସାଧନୀ ଲୁଗା ଦୋକାନ, ବମ୍ବେ ସୁଇଟ୍ ହାଉସ । ରହିବା କୋଠାଘର ମଧ୍ୟ ଅଛି । ଦୁଆର ଆଗରେ ବ୍ଲାଉସ୍ ଶାଢ଼ୀ ଧୋତିକାମିଜ ପିନ୍ଧା କେତେଜଣ ଛିଡ଼ା ହୋଇଛନ୍ତି ନିରୁଦ୍ଦେଶ ଭାବରେ, ସତେ ଯେପରି ଠିକ୍ କରିପାରୁ ନାହାନ୍ତି ଏ ସଂସାରର ବୈଚିତ୍ର୍ୟରେ ନିଜକୁ ମିଶାଇଦେବେ ନା ତାର ପରିଦର୍ଶନ କରିବେ; କିନ୍ତୁ ଗହଳି ବଢ଼ୁଛି ଓ ଗହଳି ସାଙ୍ଗରେ ଅନ୍ୟଧରଣର ଲୋକ ବଢ଼ି ଚାଲିଛନ୍ତି । ଟୋକେଇ ମୁଣ୍ଡାଇଥିବା ଲୋକ କେଜାଣି କେତେ,—ଖାଲି ଟୋକେଇ, ଭରା ଟୋକେଇ, କଣା ଟୋକେଇ । ହେଇ ଚାରିଜଣ ଲୋକ ଗୋଟାଏ ବଡ଼ ଆଲମାରୀକୁ ମୁଣ୍ଡରେ ବୋହି ମାର୍ଚ୍ଚ କଲାପରି ଚାଲିଛନ୍ତି । ପରିଧେୟହୀନତାର କେତେ ରୂପ କୁରୂପ ଦେଖାଗଲାଣି,—ଧୋତି ଓ ଛିଣ୍ଡା ଗେଞ୍ଜି ଲୁଙ୍ଗି ଓ ବୋତାମ ନ ଥିବା ପଞ୍ଜାବି, ସାନ ଝିଅଟିଏ ପତଳା ସିଲ୍‍କ ଜାମା ପିନ୍ଧୁଛି ହେଲେ ଭିତରେ କିଛି ନାହିଁ । ବ୍ୟବହାରର ବୈଚିତ୍ର୍ୟ,—କିଏ ପଇତାରେ ଖାଲିଦେହ କୁଣ୍ଡାଇ ହେଉଛି କିଏ କାଗଜ ଠୁଙ୍ଗାରୁ କଣ ପାଟିରେ ପକାଇ ପକାଇ ଯାଉଛି ଓ ସାଙ୍ଗରେ ମଇଁଷିଟାକୁ ଆଡ଼େଇ ନେଉଛି, କିଏ ଅଯଥାରେ ଗଡ଼ୁରୁ ପାଣି ଆଣି ରାସ୍ତାରେ ଛିଞ୍ଚୁଛି ଓ ଗଡ଼ୁ ଥୋଇଦେଇ ଆକାଶକୁ ନମସ୍କାର ହେଉଛି, କେଉଁଠି ଗୋଟାଏ ଟୋକା ରାସ୍ତାର ପୋଷ୍ଟ ବକ୍ସ ଉପରେ ବସି ଖୁସିର ଭଙ୍ଗୀ କରୁଛି, କେଉଁଠି ଫୁଟ୍‍ପାଥରେ ଗାଈ ଓ ଭିକାରି ଏକାଠି ଶୋଇଛନ୍ତି, ଗାଈ ସଚେତନ ହୋଇ ପତର ଛାଟୁଛି, କିନ୍ତୁ ଭିକାରି ଆଖି ବୁଜିଛି ।

 

ଆମେ ସେମାନଙ୍କୁ ଆଡ଼େଇ ବାଟ ଚାଲୁଥିଲୁ । ଧକ୍‍କା ଖାଉଥିଲୁ, ଓ ବେଳେବେଳେ ମନେ ହେଉଥିଲା ଅନ୍ୟମାନଙ୍କୁ ଧକ୍‍କା ଦେବାକୁ ପଡ଼ୁଛି । ଦେହ ସାଙ୍ଗରେ ଦେହ ଟିକିଏ ବାଜିଗଲେ କିଛି କ୍ଷତି ନାହିଁ । କିନ୍ତୁ ଝାଳୁଆ ଦେହ, କୋଚଟ କଳା ଲୁଗା, ରଙ୍ଗଛଡ଼ା ଏନାମେଲ ଟିଣବାସନ, ଏ ସବୁ ସହିତ କ୍ଷଣିକ ସଂପର୍କ ସଂଘାତ ବୋଲି ମନେ ହେଉଥିଲା । ଦୋଷ କାହାର ନୁହେଁ, ତେବେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ଅସ୍ୱୀକାର କରିବି କେମିତି ?

 

ମୋର ଶ୍ୱାସରୁଦ୍ଧ ହୋଇନଥିଲା । କାରଣ ମଝିରେ ମଝିରେ ଉପରକୁ ମୁଣ୍ଡ ଟେକି ମୁଁ ଦେଖୁଥିଲି ସିନେମା ପୋଷ୍ଟର, କେଶବର୍ଦ୍ଧନୀ ବାସ୍ନା ତେଲର ବିଜ୍ଞାପନ ଇତ୍ୟାଦି । ଛବିର ସେହି କାନ୍ତିମୟୀ ତରୁଣୀମାନଙ୍କୁ ଦେଖିବାକୁ ଭଲ ଲାଗୁଥିଲା । ସେମାନେ ଯେତେବେଳେ ଅଛନ୍ତି ସବୁକିଛି ସରିଯାଇ ନାହିଁ ।

 

କିନ୍ତୁ ମୋର ଛବିଦେଖା ଆଶାର ମୁହୂର୍ତ୍ତଗୁଡ଼ିକ ବେଶି ସମୟ ତିଷ୍ଠି ପାରିଲେ ନାହିଁ । ମୋର ସାନପୁଅ, —ବୋଧହୁଏ କେବଳ ସେହି ଜଣେ ଥକିଯାଇ ନ ଥିଲା—ହଠାତ୍ ପାଟି କରି ଉଠିଲା, ‘‘ବାପା, ସେମାନେ ଖିଅର ହେଉଛନ୍ତି !’’

 

ଆମେ ସମସ୍ତେ ତା’ ମୁହଁକୁ ଆମୋଦ—ଆଶ୍ଚର୍ଯ୍ୟରେ ଚାହିଁଲୁ ଓ କ୍ଷଣକ ପରେ ତା’ର ଦେଖିଥିବା ଦୃଶ୍ୟକୁ ଦେଖିସାରି ହସିଉଠିଲୁ । ସେ ଭୁଲ୍ କହି ନାହିଁ । ସେ ପାଖ ଫୁଟ୍‍ପାଥରେ ସେମାନେ ଖିଅର ହେଉଛନ୍ତି, ବାଳ କାଟୁଛନ୍ତି, —ଦୁଇ ଦୁଇ ଜଣ ହୋଇ ସାତ ଆଠ ଜଣ ଲୋକ । ଜଣକ ଆଣ୍ଠୁ ଉପରକୁ ଅନ୍ୟ ଜଣର ଝୁଙ୍କିଲା ମୁଣ୍ଡ, ତା’ ଉପରେ କଇଁଚି ଚାଲିଛି; ବ୍ରଣମୁହାଁ ଆଉ ଜଣେ ବିକୃତ ମୁହଁ କରି ଗାଲ ଦେଖାଇ ରହିଛି, ଅନ୍ୟ ଜଣକ ଗମ୍ଭୀର ମୁଦ୍ରାରେ ତା’ ଉପରେ ଖୁର ଚଲାଉଛି; ଜଣେ ଅସ୍ତ୍ର ପ୍ରୟୋଗର ପରେ ଅନ୍ୟ ଜଣକ ସାଙ୍ଗରେ ଖୁସିଥଟ୍ଟା ହେଉଛି, କଟାବାଳ ଚାରିଆଡ଼େ ଖେଳାଇ ହୋଇ ପଡ଼ିଛି ଓ କିଛି ଅଂଶ ଉଡ଼ି ଉଡ଼ି ଆସୁଛି ରାସ୍ତା ଉପରକୁ ।

 

ଦେଖିସାରିଲା ପରେ ହସିସାରିଲା ପରେ ମୋର ଆଖି ବୁଜି ଦେଖିବାକୁ ଇଚ୍ଛା ହେଲା । ଆଉ ଦେଖିବି ନାହିଁ । ସତେ ଯେପରି କେହି ଜଣେ ଅହନ୍ତା କରି ମୋତେ ଏ ସବୁ ଦୃଶ୍ୟ ଦେଖାଉଛି ମୋର ନ ଦେଖିଲେ ଚଳିବ ।

 

ଖରା ଅତ୍ୟନ୍ତ ଦେହକୁ ବାଧୁଛି । ବର୍ଷା ହେବ ନାହିଁ ? ଭିତର ପିନ୍ଧା ଝାଳରେ ଓଦା ହୋଇଗଲାଣି । ଶ୍ରୀମତୀ କହିଲେ ଯେ ସେ ଶୁଣୁଛନ୍ତି ଏଠି ଭଲ ଡିଓଡ଼ରାଣ୍ଟ ମିଳୁ ନାହିଁ, ଆମେରିକାରୁ ଆଉ କିଛି ଆଣିଥିଲେ ହୋଇ ଥାଆନ୍ତା । ସାନଭାଇ ତିକ୍ତସ୍ଵରରେ ଟୀପ୍‍ଣୀ ଦେଲା,–ଏଠି କେଉଁ ଜିନିଷଟା ମିଳୁଛି କହିଲ ?

 

ମୁଁ ତାଙ୍କ କଥାରେ ଯୋଗ ଦେଲି ନାହିଁ । ମୁଁ ଡିଓଡ଼ରାଣ୍ଟ ଚାହେଁ ନାହିଁ, ଆମେରିକାରୁ କିଛି ଜିନିଷ ଚାହେଁ ନାହିଁ । ମୁଁ ଟିକିଏ ସୁସ୍ଥ ହେବାକୁ ଚାହେଁ, ଟିକିଏ ସୁସ୍ଥ ହୋଇ ସରିଲା ପରେ ମୁଁ ଏହି ଘର ଫେରନ୍ତା ଅବସ୍ଥା କଥା ଭାବିବି, ଆଲୋଚନା କରିବି, ଗଳ୍ପ ଲେଖିବି ।

 

ମୋର ବ୍ୟସ୍ତତା ଓ ଭ୍ରୂକୁଞ୍ଚନ ଦେଖି ସାନଭାଇ କହିଲା, —ଆଉ ଟିକିଏ ପରେ ଟ୍ୟାକ୍‍ସି ମିଳିଯିବ ନିଶ୍ଚୟ । ଏହିକ୍ଷଣି ଅଫିସ୍ ଟାଇମ୍ କି ନା, ସେହିଥିଲାଗି ଅସୁବିଧା ହେଉଛି ।

 

ଟ୍ୟାକ୍‍ସି ମିଳିଲେ ଅସୁସ୍ଥତା ଘୁଞ୍ଚିଯିବ, —ହୁଏତ ଆଜି ଦିନକ ପାଇଁ । ମୁଁ କଳା-ହଳଦିଆ କାର୍‍ଗୁଡ଼ିଙ୍କୁ ଆକୁଳ ଆଗ୍ରହରେ ଚାହିଁ ରହିଲି, ପାଖରେ ଗଲାର ହାତ ହଲାଇଲି, ଯଥାସମ୍ଭବ ଉଚ୍ଚ ସ୍ଵରରେ ଡାକ ଛାଡ଼ିଲି ।

 

କିନ୍ତୁ ଖାଲି ଟ୍ୟାକ୍‍ସି ମିଳିବା ଆଗରୁ ମୋର ଅସୁସ୍ଥତା ଶୀର୍ଷରେ ପହଞ୍ଚି ସାରିଥିଲା । ଅସୁସ୍ଥତା ନିବାରଣ ପାଇ ମୁଁ ନିଜକୁ ବହୁତ ଗାଳି ଦେଇଥିଲି, —ଯେ ଏ ମୋ ମନର ଅତ୍ୟଧିକ ପ୍ରବଣତା, ଅଛୁଆଁ ଭାବ, ବଡ଼ଲୋକିର ଲକ୍ଷଣ; ଯେ ଭାରତର ଏ ଦରିଦ୍ରତା ନୂଆ ନୁହେଁ, ତାକୁ ଦେଖି ଶଙ୍କିଯିବା କାପୁରୁଷତା; ତଥାପି ମନ ମାନୁ ନ ଥାଏ ଦରିଦ୍ରତାର ରୂପ ମୁଁ ଦେଖିଛି । ଦରିଦ୍ରତା ଗୋଟାଏ ବୈଷମ୍ୟ, ଗୋଟାଏ କାଳିଦାଗ ମୋର ମନେ ପଡ଼ିଲା ନିଉୟର୍କର ଗ୍ରୀନଉଇଚ୍ ଭିଲେଜରେ ଦିନେ ଗୋଟିଏ ବାରବୁଲା ଗରିବ ଲୋକକୁ ଦେଖିଥିଲି । ସେ ଛିଣ୍ଡା ମଇଳା ବେଶ ପିନ୍ଧି ରାସ୍ତାପାଖ ବେଞ୍ଚରେ ଶୋଇ ଯାଇଥାଏ । ସେତେବେଳକୁ ସଞ୍ଜ ହୋଇ ଆସିଲାଣି, ପିଲାଏ ପାର୍କରେ ଖେଳୁଛନ୍ତି, କେତେ ଯୁବକ ଯୁବତୀ ହାତରେ ହାତ ଛନ୍ଦି, ଦେହରେ ଦେହ ଲଗାଇ ହସ ଖୁସି ହେଉଛନ୍ତି । ଏ ସବୁର ମଝିରେ ଲୋକଟି ତା’ର ନିରାଶାକୁ ନେଇ ଶୋଇଛି । ସେହି ବିଷମ ଦୃଶ୍ୟ ମୋ ମନରେ ଲାଗିଥିଲା । ମୁଁ ପାଖ ବେଞ୍ଚରେ ବସି ତାକୁ ଅନାଇ ରହିଥିଲି ତା’ର ଅନୁଭୂତିରେ ନିଜକୁ ମିଶାଇବାକୁ ଚେଷ୍ଟା କରୁଥିଲି, ଭାବୁଥିଲି, —ଏ ମଧ୍ୟ ଜଣେ ମଣିଷ ! କିନ୍ତୁ ଆଜିକାର ଏହି ଦରିଦ୍ରତାର ରୂପ ମୋର ଅନୁକଂପା ମାଗୁ ନାହିଁ । ସେ ଶତସହସ୍ର ଭଙ୍ଗୀରେ ମୋର ଚାରିଆଡ଼େ ମୋତେ ଘେରି ରହି ଚିତ୍କାର କରୁଛି । ତା’ର ଚିତ୍କାରରେ ଆର୍ତ୍ତନାଦ ନାହିଁ, ଅଛି ଗୋଟାଏ ଅଶ୍ଳୀଳତା । ଦେହର ଢାଙ୍କୁଣି ଖୋଲି ଯାଇଛି, ଭିତରେ ଥିବା ଅନ୍ତନାଡ଼ୀ ରକ୍ତମାଂସ ଉପୁଚି ଆସି ନିଜକୁ ଦେଖାଇ ହେଉଛି । ସେମାନେ ଖିଅର ହେଉଛନ୍ତି, ହାଇଡ୍ରାଣ୍ଟର ମଇଳା ପାଣିରେ ଗାଧୋଉଛନ୍ତି, ନର୍ଦ୍ଦମା ଆବର୍ଜନାକୁ ନିଜ ସଂପଦ ବୋଲି ଘୋଷଣା କରୁଛନ୍ତି । କୁକୁର ଷଣ୍ଢଙ୍କର ଖାଲିଦେହ ସାଙ୍ଗରେ ନିଜର ଖାଲିଦେହ ମିଶାଇ ସୃଷ୍ଟିର ଜୟ ଗାଉଛନ୍ତି । କାହିଁ ସେହି ଏକାକିନୀ ନିଖୁଣ ବିଷମତା, ରାଜଦ୍ଵାରର ଭିଖାରିଣୀ ? ବଞ୍ଚିବାର ପ୍ରଚଣ୍ଡ ଉଲଗ୍ନତା ମୋର ଚାରିପାଖରେ ମୋତେ ଥଟ୍ଟା କରୁଛି, —ମୋର ସହାନୁଭୂତିର ସମ୍ମାନ ଦେବ କିଏ ?

 

ମାଟିତଳୁ ଗୋଳିଆ ପାଣିର ଫୁଆରା ଉଠୁଛି ସେଥିରେ ସେ ଶୁକୁଟୀ ସ୍ତ୍ରୀ ଜଣକ ଗାଧୋଉଛି ଓ ହସୁଛି । ଫୁଟ୍‍ପାଥର ଭଣ୍ଡାରି ପାଖରେ ପୃଥୁଳ ଲୋକଟି ସାବୁନବୋଳା ମୁହଁରେ ସେଆଡ଼କୁ ଚାହିଁ ହସୁଛି । ମୋର ଅସୁସ୍ଥ ମନକୁ ନେଇ ମୁଁ ଭାବିଲି ଯେ ସେମାନେ ପ୍ରେମର କଥାଭାଷା ହେଉଛନ୍ତି । ଏ ଦେଶରେ ଏମିତି ପ୍ରେମ ହୁଏ, ଦେହ ଏମିତି ଦେହକୁ ଡାକେ .... ।

 

ଅଗଣିତ ଲୋକ ଓ ଅଗଣିତ ଦେହ । ଏ ଦେହର ମେଳା ମୁଁ କଣ ଦେଖି ନ ଥିଲି ଆଗରୁ ? ପାହାଚ ପାଖରେ ପଡ଼ିଥିବା ଏ ମଲା ବିଲେଇକୁ ଦେଖି ନ ଥିଲି ? ଗୋଡ଼ାଗୋଡ଼ି ହେଉଥିବା ଏ ଚମଛଡ଼ା କୁକୁରମାନଙ୍କୁ ଦେଖି ନ ଥିଲି ? ସଂସାରର ଲୀଳାଖେଳା ଆତଯାତ କେବେ କଣ ମୋ ଆଖିରେ ପଡ଼ି ନ ଥିଲା, —କେମିତି ସେମାନେ ଖାଆନ୍ତି, ଚୋବାନ୍ତି, ଜିଭ ଛେଲନ୍ତି, ଛେପ ପକାନ୍ତି, ହସନ୍ତି, ଭିକ ମାଗନ୍ତି ? କେମିତି ସେମାନେ ମୁଣ୍ଡବାଳ ଶୁଖାନ୍ତି, ଶାଢ଼ୀ ବଦଳାନ୍ତି, ପିଲା ଖେଳାନ୍ତି, ପିଣ୍ଡା ଉପରୁ ପିଲାକୁ ମୁତିବାକୁ ଶିଖାନ୍ତି ? ମୁଁ ଆଜିଯାଏଁ ସ୍ଵପ୍ନ ଦେଖୁଥିଲି; ନା ଏ ମୋର ଦୁଃସ୍ୱପ୍ନ ?

 

ଟ୍ୟାକ୍‍ସି, —ଏ ଟ୍ୟାକ୍‍ସି !

 

ଟ୍ୟାକ୍‍ସି ମିଳିଲା । ସମସ୍ତେ ଟ୍ୟାକ୍‍ସିରେ ବସିପଡ଼ିଲୁ । ଶ୍ରୀମତୀ ଝାଳ ପୋଛିଲେ । ମୁଁ ବହୁତବେଳୁ ହାତରେ ଧରା ହୋଇଥିବା ସିଗାରେଟରେ ନିଆଁ ଲଗାଇଲି । ଭବାନୀପୁରରେ ଜନୈକ ପରିତୋଷ ମୁଖର୍ଜିଙ୍କ ଠିକଣା ଦେଇ ସର୍ଦ୍ଦାରଜୀ ଡ୍ରାଇଭରକୁ କହିଲି ଶୀଘ୍ର ଚଳାଇବାକୁ । ତାଙ୍କରି ସାହାଯ୍ୟରେ ଭଡ଼ାଘର ଖୋଜିବାକୁ ହେବ ।

 

ଟ୍ୟାକ୍‍ସି, ଟ୍ରାମ୍ ବସ୍, କାର୍ ଓ ମଣିଷ ପଶୁ ଗହଳି ଭିତରେ ବାଟକାଟି ଚାଲିଥାଏ । ସେହି ସାମାନ୍ୟ ଉତ୍‍ଥାନ, ସାମାନ୍ୟ ଗତିର ଶକ୍ତିକୁ ନେଇ ନିଜକୁ ଟିକିଏ ଭଲ ଲାଗୁଥାଏ । ମଣିଷ ଗହଳି ଗୋଟାଏ ସହସ୍ର ପାଦବିଶିଷ୍ଟ ବିରାଟ ଜନ୍ତୁପରି ମନେ ହେଉଥାଏ । ସେ ତା’ର ଅଛି, —ବଡ଼ ଅପରିହାର୍ଯ୍ୟ ପରିବେଶ ଭିତରେ ମୁଁ ଚାଲିଛି, ଗୋଟିଏ ମନ ପ୍ରାଣଧାରୀ ବ୍ୟକ୍ତି ଓ ମୋର ପରିବାର-। ମୋର ଅସୁସ୍ଥତାର କାରଣ ନାହିଁ । ମୁଁ ଛୋଟପିଲା ନୁହେଁ ଯେ ଜନତା କୋଳାହଳକୁ ଦେଖି ଡରିଯିବି ।

 

......ପରିତୋଷ ବାବୁ ଅପେକ୍ଷା କରିଥିଲେ । ତାଙ୍କ ପାନବୋଳା ଓଠର ହସ ଓ କଥା ଦୁର୍ଦ୍ଦମନୀୟ । କହିଲେ, ‘‘ମୁଁ ଆପଣଙ୍କ ପାଇଁ ବଛା ବଛା ଘର ଠିକ୍ କରିଛି, ଆପଣଙ୍କର ଯେଉଁଟା ପସନ୍ଦ ହେବ । ଚାଲନ୍ତୁ ।’’

 

ସେ ଆସିଲେ ଟ୍ୟାକ୍‍ସିରେ । ତିନିଟା ଘର ଦେଖିସାରିଲା ପରେ ମୁଁ ସାହସ ବାନ୍ଧି ପଚାରିଲି, ‘‘ଆଉ କୌଣସି ଏରିଆରେ ଭଲ ଘର ମିଳିବ ନାହିଁ ? ମାନେ ମୁଁ ବେଶି ବଡ଼ ଘର ଚାହୁଁନାହିଁ, କିନ୍ତୁ ଟିକିଏ ଖୋଲା ହୋଇଥିବ, ପିଲାପିଲି ଘର କି ନା—’’

 

‘‘ମୁଁ ବୁଝିଲି, ମୁଁ ବୁଝିଲି, ‘‘—ପରିତୋଷ ବାବୁ ଆଗଭର ହୋଇ କହିଲେ । ‘‘ମୁଁ ଜାଣେ ଆପଣ କଣ ଚାହୁଁଛନ୍ତି । ମୁଁ କିଆତଲାରେ ଗୋଟାଏ ଘର ଦେଖିଛି, ଟିକିଏ ବେଶି ଭଡ଼ା ହେବ, କିନ୍ତୁ ଅତି ଉତ୍ତମ ଘର, ଫାଙ୍କା ଜାଗା ।

 

କିଆତଲାର ଘରେ ମୋଜାଇକ୍ ଚଟାଣ ଥିଲା । ଶ୍ରୀମତୀ କହିଲେ ଯେ ରୋଷେଇଘର ଭଲ, ବାସନ ଧୋଇବାକୁ ଅଲଗା ଜାଗା ଅଛି । ଉପର ମହଲା ଘର, ପିଲାମାନେ ଛୋଟିଆ ବ୍ୟାଲକନି ଉପରୁ ଥଣ୍ଡା ପବନ ପାଇ ଖୁସି ହେଲେ । ମୁଁ କିନ୍ତୁ ବ୍ୟାଲକନି ଉପରୁ ଦେଖିଲି ଯେ ଗୋଟିଏ କୁଡ଼ିଆ ଆଗରେ ସ୍ତ୍ରୀଟିଏ ଗୋଡ଼ ଲମ୍ବେଇ ବସିଛି । ଘର କାନ୍ଥରେ କଞ୍ଚା ଗୋବର ଖଞ୍ଜା ହୋଇଛି ଘଷି ହେବା ପାଇଁ । ଘର ସାମନାରେ ଗୋବରର ସ୍ତୂପ, ଗୋବରକୁ ଲାଗି ବିଭିନ୍ନ ପ୍ରକାରର ଆବର୍ଜନା ଓ ସବୁରି ଭିତରେ କୁକୁଡ଼ା ପୁଞ୍ଜିଏ ଏବଂ ତାଙ୍କର ପରିବାର । ସ୍ତ୍ରୀ ଲୋକର ଚାହାଣିରେ ଗ୍ଳାନି ନାହିଁ, କୌଣସି ନିର୍ଦ୍ଦିଷ୍ଟ ଭାବ ଥିଲା ପରି ଜଣାଯାଉ ନାହିଁ ।

 

ସେତେବେଳେ ମୁଁ ମୋର ଅସୁସ୍ଥତାକୁ ଯଥେଷ୍ଟମାତ୍ରାରେ ଜିଣି ସାରିଲିଣି । ଯାହାର ଦୁଃଖ ନାହିଁ, ତା’ପାଇଁ ସହାନୁଭୂତିର ପ୍ରଶ୍ନ ଉଠୁ ନାହିଁ, ଅସ୍ଥିରତାର କାରଣ ନାହିଁ । ଦୃଶ୍ୟ ବହୁଳ ଏ ଭାରତଭୂଇଁରେ ମୁଁ ମଧ୍ୟ ଯଥାସ୍ଥାନରେ ନିଜକୁ ସଜାଡ଼ି ରଖିପାରିବି । ସେ କୁଡ଼ିଆ ଅଛି, କିନ୍ତୁ ଟିକିଏ ଦୂରକୁ ଛକମୁଣ୍ଡରେ ଗୋଟିଏ ଚା’ ଦୋକାନ ମଧ୍ୟ ଅଛି । ସେ ପକ୍‍କା ଘର, ଟିଣ ଛାତ, ତା’ ଆଗରେ ଗୋବର କୁଢ଼ ନାହିଁ । ତା’ ଆଗରେ ଗରାଖଟିଏ ଆନନ୍ଦରେ ଚା’ ପିଉଛି, ମଇଳା ଧୋତି ଗେଞ୍ଜି ପିନ୍ଧିଥିଲେ ମଧ୍ୟ ହାତରେ ଘଡ଼ି ଅଛି । ଏ ପାଖକୁ ଦୃଷ୍ଟି ପକାଇଲେ ଦିଶୁଛି ଲାଗି ଲାଗି ହୋଇ କେତୋଟି ଦୁଇମହଲା ତିନିମହଲା କୋଠାଘର । ନିକଟତମ ଉପରମହଲା ବାରଣ୍ଡାରେ ଓଦାଶାଢ଼ୀ ଶୁଖୁଛି, ବସନ୍ତରଙ୍ଗର ତନ୍ତଶାଢ଼ୀ, ମୁହଁରେ ହାତୀ, ଶଙ୍ଖ ଓ ପଦ୍ମଫୁଲର ସୁନ୍ଦର ସମାବେଶ । ବାରଣ୍ଡାର କୋଣରେ ଗୋଟିଏ ପିଲାଙ୍କ ଠେଲାଗାଡ଼ି । ଯେ କୌଣସି ମୁହୂର୍ତ୍ତରେ ଗୁଲୁଗୁଲିଆ ପିଲାଟିଏ କିମ୍ବା ଜଣେ ରୁଚିସମ୍ପନ୍ନା ତରୁଣୀ ବାରଣ୍ଡାକୁ ଆସିପାରନ୍ତି ।

 

ପରିତୋଷବାବୁ ବୋଧହୁଏ ମୋର ଦୃଷ୍ଟିଦିଗ ଦେଖି ପାରିଥିଲେ । କହିଲେ, —ମୁଁ କହୁ ନ ଥିଲି ? ଏ ବେଶ ଭଦ୍ରପଡ଼ା । ମୁଁ ଶୁଣୁଛି ସେଠି ଜଣେ ଇନକମ ଟ୍ୟାକ୍‍ସ ଅଫିସର ଅଛନ୍ତି, ସେ ପାଖ ଘରେ କରପୋରେଶନ୍‍ର ଜଣେ ଇଞ୍ଜିନିୟର, ଏଣୁ ତେଣୁ ବାଜେ ଲୋକ କେହି ନାହାନ୍ତି । ଖୋଲା ହାଉଆ, କିନ୍ତୁ ଦୋକାନ ବଜାର ସବୁ ପାଖରେ, ସବୁଆଡ଼ୁ ସୁବିଧା ।

 

ପ୍ରକୃତରେ ଖୋଲା ଥଣ୍ଡା ପବନ ମୁହଁରେ ବାଜୁଥାଏ । ପବନରେ କୋଳାହଳ ନାହିଁ, ଧୂଳି ଦେଖାଯାଉ ନାହିଁ । ବିଭିନ୍ନ ଦୃଶ୍ୟ ଆଗରେ ଅଛି । ଭଲ ହେଉ ମନ୍ଦ ହେଉ ସେଥିରେ ପ୍ରଗଲ୍‍ଭତା ନାହିଁ, ମୁଖରତା ନାହିଁ । ମୁଁ ପ୍ରସନ୍ନତାର ସ୍ମିତହାସ ଦେଲି । ପରିତୋଷବାବୁ ଖୁସି ହେଲେ ।

 

ଦ୍ୱିତୀୟ ଦିନର କଥା ।

 

ଦ୍ୱିତୀୟ ଦିନ ବର୍ଷା ହେଲା । ସେହି ବର୍ଷାରେ ପୁଣି ଥରେ ଗଲେ ସେହି ଘରକୁ, ଘରବାଲା ସାଙ୍ଗରେ କଥାବାର୍ତ୍ତାକରି ଭଡ଼ାନେବା ବିଷୟ ଠିକ୍ କରିବା ପାଇଁ ।

 

ସେ ଘରେ ପହଞ୍ଚି କିମ୍ବା ତା’ ଆଗରୁ ମୋର ବିଷାଦ-ପର୍ବ ଆରମ୍ଭ ହୋଇ ଯାଇଥିଲା କହି ପାରିବି ନାହିଁ । ଅସ୍ଥିରତା ନାହିଁ, ଆନ୍ଦୋଳନ ନାହିଁ, —ବୋଧହୁଏ କାଲି ରାତିର ନିଦ, ବିସ୍ମରଣୀ ଭିତରେ ଲିଭି ଯାଇଥିଲା । କିନ୍ତୁ ବର୍ଷାର ପ୍ରତି ପତନ ସହିତ ହାରିଯିବାର ଭାବ ମନରେ ଆସୁଥାଏ-। ମୁଁ ତାକୁ ଦୂରେଇ ଦେବା ପାଇଁ ଜନମାନବର ଦୃଶ୍ୟ ଦେଖିବାରେ ମନ ଦେଉଥିଲି ।

 

ରାସ୍ତାର ଶୁଖିଲା କାଦୁଅ ଓଦା-ଚକଟା ହୋଇଯାଇଛି, ସବୁ ମଇଳା କୁଢ଼ର କଳା ଅଂଶ ଆହୁରି କଳା ଦେଖାଯାଉଛି । କେତେ ଖୋଲା ଦେହରୁ ପାଣି ଝରୁଛି, କେତେ ଧୋବ ଲୁଗାରେ କାଦୁଅ ଲାଗିଛି, କେତେ ଭଦ୍ର ସଂଯତ ମୁହଁ ବିକୃତ ହୋଇଉଠୁଛି । ମୋର ଆମଦଭାବ ଜାଗୃତ ହେଲା; କିନ୍ତୁ ମନେ ହେଲା ଯେ ଏ ପରାଭବ, ନିରାଶାର ଆମୋଦ । ଆନନ୍ଦର ଅବକାଶ ନାହିଁ, ଦୁଃଖକରି ଲାଭ ନାହିଁ, ଅତଏବ ଚାଲ ହାରିବାର ଖେଳ ଖେଳିବା, ପରସ୍ପରକୁ ଦେଖି ହସିବା ।

 

ଭରା ବସ୍ ଟ୍ରାମ୍‍ରୁ ଲୋକମାନେ ବାଦୁଡ଼ିପରି ଓହଳି ଥାଆନ୍ତି । ଯେ କୌଣସି ମୁହୂର୍ତ୍ତରେ କେହି ହେଲେ ଖସି ପଡ଼ିବେ ବୋଲି ଲାଗୁଥାଏ । ମୋର ଆମୋଦ ଭାବ ଚରିତାର୍ଥ ହେଲା । ଗୋଟିଏ ବସ୍‍ରୁ ଓହ୍ଲାଇବାବେଳେ ଜଣେ ବୟସ୍କ ଭଦ୍ରଲୋକ ଖସଡ଼ା ପିଚ୍‍ ଉପରେ ଗଡ଼ି ଗଲେ, ଚଟି ଉପରକୁ ଉଡ଼ିଲା । କିନ୍ତୁ ସେ ଶୀଘ୍ର ଉଠିପଡ଼ି ଚତୁର୍ଦ୍ଦିଗକୁ ଅନାଇବାରୁ ସମସ୍ତେ ଜାଣିଲେ ଯେ କିଛି ଦୁର୍ଘଟଣା ହୋଇନାହିଁ । ତେଣୁ ବସ୍ ଭିତରୁ ହାସ୍ୟରୋଳ ଶୁଣାଗଲା । ବସ୍‍ର ମଡ଼୍‍ଗାର୍ଡ଼ ଉପରେ ଗୋଟାଏ ଗୋଡ଼ ଦେଇ, ପିନ୍ଧିଲା ଧୋତିର ଉଦ୍ଦେଶ୍ୟକୁ ଘୋର ଅବହେଳା କରି ବସିଥିବା ଲୋକଟି ଠୋ ଠୋ ହୋଇ ହସୁଥାଏ ।

 

ମୁଁ ମଧ୍ୟ ହସିଲି । ତା’ ପରେ ଟ୍ୟାକ୍‍ସି ଚାଲୁଥିବାବେଳେ ମୁଁ ଭ୍ରାମ୍ୟମାଣ ବିବିଧ ମଣିଷ ଓ ଜନ୍ତୁମାନଙ୍କୁ ମନେ ମନେ ନିମନ୍ତ୍ରଣ କଲି ପୁଣି କିଛି ମଜାର ଖେଳ ଦେଖାଇବାକୁ ।

 

କିଆତଲାର ଘରେ ପହଞ୍ଚି ଶ୍ରୀମତୀ ପୁଣି ସବୁ ସୁବିଧା ଅସୁବିଧା ତଦାରଖ କଲେ । ଦେଖାଗଲା ଯେ ନାନାଦି ଇଲେକ୍‍ଟ୍ରିକ ଜିନିଷ ଚଲାଇବା ପାଇଁ ଉପଯୁକ୍ତ ଜାଗାରେ ପାୱାର-ପ୍ଲଗ୍ ନାହିଁ, ମାତ୍ର ଗୋଟିଏ ବାଥରୁମ୍, —ସେଥିରେ ସାଓ୍ୱାର ନାହିଁ, ବାଥଟବ୍ ତ ଦୂରର କଥା । ବ୍ୟାଲକନି ଉପରୁ ଖୋଲା ପବନ ନିଶ୍ଚୟ ମିଳୁଛି, କିନ୍ତୁ ବେଳେ ବେଳେ ସେଥିରେ ଏକ ବିଚିତ୍ର ଗନ୍ଧ ଭାସି ଆସୁଛି, ସେ ଗନ୍ଧରେ ପ୍ରକୃତିର ଘାସ ସହିତ ଆଉ କେତେକ ଅବାଞ୍ଛନୀୟ ଅପ୍ରାକୃତିକ ବସ୍ତୁ ମିଶିଥିଲା ପରି ମନେହେଉଚି ।

 

ବର୍ଷା ହେତୁ ଚା, ଦୋକାନ ସାମନାରେ ଅଖା ଟଙ୍ଗା ହୋଇଛି । ସେହି କୁଡ଼ିଆ-ଗୋବର ଘର ଆଗରେ ସ୍ତ୍ରୀଲୋକଟି ବସି ରହିନାହିଁ, କିନ୍ତୁ ଗୋବରକୁଢ଼ର ପରିସର ବିସ୍ତୃତ ହୋଇଯାଇଛି ଓ କୁକୁଡ଼ା ପରିବାର ବୃଦ୍ଧି ପାଇଲାପରି ଲାଗୁଛି । ରାସ୍ତାକଡ଼ରେ ଗୋଟାଏ ବଡ଼ କିରାସିନିଟିଣ ପଡ଼ିଛି, ତା’ଉପରେ ବର୍ଷାପାତର ଅବିରାମ ଧାତବ ଶବ୍ଦ, —କାହାକୁ ନ ଶୁଭିବ ନାହିଁ ।

 

ଶ୍ରୀମତୀ କହି ଚାଲିଛନ୍ତି, ‘‘ଟ୍ୟାପ୍‍ରୁ ଗରମ ପାଣି ମିଳିବ ନାହିଁ, ବାଥଟବ୍ ନାହିଁ, ସେ ସବୁ ତ ଏଠି ଆଶା କରିବା କଥା ନୁହେଁ; ତଥାପି ମୁଁ ଭାବିଥିଲି ଚଳାଚଳର ଆଉ ଟିକିଏ ସୁବିଧା ଥିବ । ୱାରର୍ଡ୍ରୋକ୍ ମୋଟେ ନାହିଁ, କାନ୍ଥଆଲମାରୀ ଗୋଟିଏ ଚାଇନାବାସନ ସଜାଡ଼ିବା ପାଇଁ କେଉଁଠି ହେଲେ ଟିକିଏ ଜାଗା ନାହିଁ ।’’

 

ଶ୍ରୀମତୀ ବୋଧହୁଏ ମୂଳରୁ ମୋର ନୀରବତା ଲକ୍ଷ୍ୟ କରିଥିଲେ । ବର୍ତ୍ତମାନ ବହୁତ ସମୟ ମୋ ଠାରୁ ଉତ୍ତର ନ ପାଇ ସେ ଧରିନେଲେ ଯେ ମୋର ନିରଶାଭାବ ଦୃଢ଼ୀଭୂତ ହୋଇଯାଇଛି । ସେ ସହାନୁଭୂତିର ଭଙ୍ଗୀରେ ମୋ ପାଖକୁ ଚାଲି ଆସି କହିଲେ, ‘‘କିଛି ବ୍ୟସ୍ତ ହୁଅ ନାହିଁ । ଏହି ଘର ପୁଣି ଚମକି ଉଠିବ । ମୁଁ ରେଫ୍ରିଜେରେଟର ବାରଣ୍ଡାରେ ରଖିବି । ଗ୍ୟାସରେଞ୍ଜ ରୋଷେଇ ଘରର ଗୋଟାଏ କୋଣରେ ରଖିବି, ସେଥିପାଇଁ ପାୱାରପ୍ଲଗ୍ ଦରକାର ନାହିଁ । ଦାଣ୍ଡଘର ପାଇଁ ଛୋଟିଆ ସୋଫାସେଟଟିଏ ଆଣିବା । ମୋର ଯେଉଁ ପୁରୁଣା ସମ୍ବଲପୁରୀ ପରଦା ଅଛି, ତା’ ସାଙ୍ଗକୁ ଆମର ଆମେରିକାନ କାର୍ପେଟର ରଙ୍ଗ ଠିକ୍ ଖାପ ଖାଇଯିବ । ସବୁ କ୍ୟୁରିଓ ଏହିକ୍ଷଣି ଖୋଲିବ ନାହିଁ, କେତୋଟି ବଛା ବଛା ଜିନିଷ ଦାଣ୍ଡଘରେ ସଜାଇଦେବି । କିନ୍ତୁ ତୁମର ସେହି ରୁଷି ବସିଥିବା ମେକ୍‍ସିକାନ ପୁରୁଷ ସ୍ତ୍ରୀଙ୍କୁ କେଉଁଠି ରଖିବି ଜାଣିଛ ? ଠିକ୍ ଆମେ ଶୋଇବା ଘର ଝରକା ଉପରକୁ । ଜାହାଜରୁ ସବୁ ଜିନିଷ ଚାଲିଆସୁ, ଦେଖିବ ଆଉ ଯୋଡ଼ାଏ ମାସ ଭିତରେ ଏ ଘର କେମିତି ଦେଖାଯିବ । ଜାହାଜ କେବେ ଆସି ପହଞ୍ଚିବ କହିଲ ?’’

 

ମୋ ଆଖିରେ ପଡ଼ିଲା କୁଡ଼ିଆଘରର ସେହି ଭାବହୀନା ସ୍ତ୍ରୀଲୋକଟି ବର୍ତ୍ତମାନ ବାହାରକୁ ଆସି ଭାବମୟୀ ହୋଇଉଠିଛି ଅବୋଧ୍ୟ ଭାଷାର ଚିତ୍କାରକରି ଗୋଟାଏ କୁକୁଡ଼ା ପଛରେ ଗୋଡ଼ାଇଛି ।

 

ମୁଁ ବୁଲିପଡ଼ି ଶ୍ରୀମତୀଙ୍କଆଡ଼କୁ ଅନାଇଲି । ଅଧମିନିଟକ ପାଇଁ ସେହି ଅନାବଶ୍ୟକ ଚାହିଁବା ଭିତରେ ମୋର ଏହି ଦୁଇଦିନର ଅନୁଭୂତି ପୁଞ୍ଜୀଭୂତ ହୋଇଗଲା,—ଉତ୍କଣ୍ଠା, ଆଶ୍ଚର୍ଯ୍ୟ, ଆଘାତ, ଅସ୍ଥିରତା, ବିଷାଦ, ଆମୋଦ । ମୋର ମନେହେଲା ଏହି ସୁଯୋଗ ମିଳିଛି, ମୁଁ ମୋର ସହଧର୍ମିଣୀକୁ ମୋର ମନକଥା ଶୁଣାଇବି । ରାଗରେ ଶୁଣାଇବି, କାହିଁକିନା ତା’ର ଧାରଣା ମୁଁ ଅନ୍ୟତମ ଅରୁଣ ସେନ୍, ଅନ୍ୟତମ ଆଉ କେହି ତ୍ୟାଗର କଷ୍ଟ ସହିପାରୁ ନାହିଁ । କିନ୍ତୁ କେମିତି ବୁଝେଇବି ? କଣ କହିବି ?

 

ଶେଷକୁ ମୁଁ ସବୁ ଭାବନା ଛିଣ୍ଡାଇ ଦେଲାପରି ଇଂରାଜୀରେ କହିପକାଇଲି,—ଆଇ ଜଷ୍ଟ ହେଟ୍ ଦି ହୋଲ୍‍ ଡାମୁଡ଼୍ ଥିଙ୍ଗ ! ସହଜ ଅର୍ଥ, —ମୋତେ ଏ ସବୁ ଜିନିଷ ବିଷ ପରି ଲାଗୁଛି, ଘୃଣା ଲାଗୁଛି ।

 

ଶ୍ରୀମତୀ ମୋର କଥାର ସଂଘାତରେ ଟିକିଏ ଆଶ୍ଚର୍ଯ୍ୟ ହେଲା ପରି ଲାଗିଲେ । କିନ୍ତୁ ସେ ପରମୁହୂର୍ତ୍ତରେ ଛୋଟପିଲାକୁ ତିଆରିଲା ପରି କହିଲେ, ‘‘ହେଟ୍ ? ଲଭ୍‍ କରିବାକୁ ତ କେହି ବାଧ୍ୟ କରୁନାହିଁ ତୁମକୁ, —ହେଟ୍ କରୁଛ କାହିଁକି ?’’

 

ସେ ତାଙ୍କ ସ୍ମିତହାସରେ ମୋର ତିକ୍ତତାକୁ ମିଳାଇ ଦେବାକୁ ଚାହିଁଲେ । ମୁଁ ମଧ୍ୟ ଅଳ୍ପ ହସି ସଂଯମର ପରିଚୟ ଦେଲି । ନୀରବରେ ଜଣାଇଦେଲି ଯେ ମୁଁ ଅଯଥାରେ ଏଣୁତେଣୁ କଣ କହି ପକାଇଲି ।

 

କିନ୍ତୁ ତାଙ୍କର ସେ କଥାପଦକ ମୋ ମନକୁ ଥରକୁଥର ଆସୁଥାଏ । ମୋତେ ଭଲ ପାଇବାକୁ କେହି ବାଧ୍ୟ କରୁ ନାହିଁ । ଘୃଣା କରିବାର ପ୍ରଶ୍ନ ଆସୁଛି କେଉଁଠୁଁ ?

 

....ସେ ଦିନ ରାତିରେ ମେଘ କଟିଯାଇ ଶୁକ୍ଳପକ୍ଷର ଜହ୍ନ ଆକାଶକୁ ଆସିଯାଇଥିଲା । ରାତି ଅଧରେ ମୁଁ କେତୁଟା କାଉଙ୍କ କା-କା ଶୁଣିଲି । ନିସ୍ତବ୍‍ଧ ରାତି ଓ ଜହ୍ନ ଆଲୁଅରେ କାଉ କାହିଁକି କା-କା କରେ ? ଓ ସେଥିରେ କାହିଁକି ଏମିତି ଛଟପଟ ଲାଗେ ? ମୋର ମନେହେଲା ମୁଁ ପୂର୍ବରୁ ଶବ୍ଦ ଶୁଣିଛି, ପିଲାଦିନୁ ଶୁଣିଛି । ଭାରତରେ ଯେତେଦିନ ଥିବି, ଏ ଶବ୍ଦ ବାରମ୍ବାର ଶୁଣିବି ।

 

କାଉ ବାର୍ତ୍ତା ଦେଉଛି । ତା’ର ରାବ କର୍କଶ ନୁହେଁ, ତା’ର ଭାବ ନିଷ୍ଠୁର । ସେହିଥିପାଇଁ ସେ ଜହ୍ନ ଆଲୁଅର ଆଶ୍ରା ନେଇଛି । କଳା ଅନ୍ଧାରରେ ତା’ର ସେହି ଶବ୍ଦ ରୂପାୟିତ ହୋଇପାରନ୍ତା ନାହିଁ, କେହି ତାକୁ ପଚାରନ୍ତେ ନାହିଁ । କିନ୍ତୁ ଜହ୍ନ ଆଲୁଅରେ, ଦୃଶ୍ୟମାନ ନୀରବ ସୁନ୍ଦର ଜଗତରେ ସେ ନିଜକୁ ଶୁଣାଇପାରୁଛି । ତା’ର ଜରୁରି ନିଷ୍ଠୁରତାର ମୁଁ ଅନୁରାଗୀ ଚେତନାକୁ ଚିରିଦେଉଛି । କଣ ସେ କହୁଛି ?

 

ମୋର ମନେହେଲା ସେ ଏହି ଶୋଇପଡ଼ିଥିବା ଜ୍ୟୋତ୍ସ୍ନା-ଧୂସର ସହରଟିର ସଂଜ୍ଞା ଦେଉଛି, ମୋତେ ଚିହ୍ନାଇ ଦେଉଛି । ସେମାନେ ହୋଇପଡ଼ିଛନ୍ତି । ଫୁଟ୍‍ପାଥରେ ବିଛଣାଚାଦର ଘୋଡ଼େଇ ହୋଇ ଯେଉଁ ଲୋକଟା କମ୍ପୁଥିଲା, ସେ ଶୋଇଯାଇଛି । ରାସ୍ତାର ଗୋଟାଏ ପଇଡ଼ଚୋପାର ଛୋଟ ଛୋଟ ହାତ ପୂରାଇ କଜିଆ କରୁଥିବା ଯୋଡ଼ାଏ ଲଙ୍ଗଳା ପିଲା ଶୋଇପଡ଼ିଛନ୍ତି । ଛକର ଗହଳିରେ ହାଇ ମାରୁଥିବା ବିରାଗୀ ପୁଲିସବାଲା ଜଣକ ଶୋଇଯାଇଛି । ବସ୍‍ରୁ ଝୁଲୁଥିବା ସେହି ଅଭଦ୍ର ହାସ୍ୟପ୍ରବଣ ଲୋକଟା ଶୋଇଛି । ସେ ମଲା ବିଲେଇ ମଧ୍ୟ ଶୋଇଥିବ । ସବୁ କ୍ଷତ ଶୋଇଛି, କିନ୍ତୁ ନିଶ୍ଚିହ୍ନ ହୋଇନାହିଁ । କାଉ କା-କା କରୁଛି ତାକୁ ହିଁ ସବୁ ଚିହ୍ନାଇଦେବା ପାଇଁ, ଜ୍ୟୋତ୍ସ୍ନାପ୍ରୀତିମଖା ଦେହର ସ୍ୱରୂପ ଜଣାଇବାପାଇଁ ।

 

ଏହି କ୍ଷତବିକ୍ଷତା ନାରୀ ପ୍ରେମ ମାଗୁଛି ! ତାକୁ ଭଲ ପାଇ ହେବ ?

 

ଶ୍ରୀମତୀଙ୍କ କଥା କାନରେ ବାଜିଲା । କିଏ କହୁଛି ଭଲ ପାଇବାକୁ ? ଭଲପାଇ ନ ପାଇ ବ୍ୟସ୍ତ ହେବା ପାଇଁ, ଘୃଣା କରିବା ପାଇଁ କିଏ କହୁଛି ?

 

ମୋର ମନେହେଲା କ୍ଷତବହୁଳା ନାରୀ କଥା କହୁଛି,—ମୋତେ କାହିଁକି ଭଲ ପାଇବାକୁ ବସିଛ କହିଲ ? ପାରିବ ନାହିଁ । ଘାଆକୁ କିଏ କେମିତି ଆଦର କରିବ ? ଯେଉଁମାନେ ବିଦେଶିନୀ ସୁନ୍ଦରୀଙ୍କୁ ଦେଖି ନାହାନ୍ତି, ସେମାନେ ମଧ୍ୟ ପାରିନାହାନ୍ତି । ସେମାନେ ମୋ ନାଁରେ ପ୍ରଶସ୍ତି ଗାଇଛନ୍ତି, ପତାକା ଉଠାଇଛନ୍ତି, କିନ୍ତୁ ଭଲପାଇ ପାରିନାହାନ୍ତି । ତୁମେ କେମିତି ପାରିବ ? ମାଆ ପରି ଭଲପାଏ, ଭଉଣୀପରି ଭଲପାଏ ଇତ୍ୟାଦି ମିଛକଥା କୁହ ନାହିଁ । ସେଥିରେ ମୋତେ ବାଧିବ ।

 

ମୁଁ ତୁମର ଭଲପାଇବା ଚାହେଁ ନାହିଁ । ସହାନୁଭୂତି ମଧ୍ୟ ଲୋଡ଼ା ନାହିଁ । ତେବେ ଦୂରେଇ ରହି ମୋ’ ଘା’ରେ ଟିକିଏ ମଲମ ଦେଇପାରିବ ନାହିଁ ?

 

......କେତେ ସମୟ ପରେ କାଉର କା-କା ଶୁଭିଲା ନାହିଁ । କିନ୍ତୁ ତା’ର ପ୍ରତିଧ୍ଵନି ସରୁ ନଥାଏ ।

 

ତୃତୀୟ ଦିନ ।

 

ଆମେ ନୂଆ ଘରକୁ ଶୋଭାଯାତ୍ରା କରି ଗଲୁ । ଅଳ୍ପ ଜିନିଷପତ୍ର ଯାହା ସାଙ୍ଗରେ ଆସିଥିଲା ଠେଲାଗାଡ଼ିରେ ଗଲା । ତା’ପଛେ ପଛେ ଆମେ ବନ୍ଧୁବାନ୍ଧବ ଅଫିସ୍ କର୍ମଚାରୀ ସମେତ ତିନିଟା ଟ୍ୟାକସିରେ ଗଲୁ । କିଆତଲାର ନୂଆ ଭଡ଼ାଟିଆ ଓ ତାଙ୍କ ସାଜସରଞ୍ଜାମ ଦେଖିବାପାଇଁ ଗଳିର କେତେଗୁଡ଼ିଏ ଆଖି ସ୍ଥିର ହୋଇଗଲା କିଛି ସମୟ ପାଇଁ; କିନ୍ତୁ ଗୋବର କୁଡ଼ିଆର ସେହି ସ୍ତ୍ରୀଲୋକଟିର ମନରେ କିଛି ଭାବାନ୍ତର ଆସିଲାପରି ଲାଗିଲା ନାହିଁ । ସେ ତା’ର ପୁରୁଣା ଆସ୍ଥାନରେ ବସି ରହି ତା’ର ଅବିଛିନ୍ନ ଦୃଷ୍ଟିହୀନ ଦୃଷ୍ଟି ଆମଆଡ଼େ ଦେଉଥିଲା, ସତେ ଯେପରି ସେ ଆକାଶରେ ସବୁଦିନିଆ ମେଘକୁ ଦେଖୁଛି ।

 

ଘରେ ଜିନିଷପତ୍ର ଖୋଲା ଖୋଲି କଲାବେଳେ ମୁଁ କ୍ୟୁରିଓ ବାକ୍ସ ଖୋଲି ନିୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ମୂର୍ତ୍ତିଟିକୁ କାଢ଼ିଲି । ଶ୍ରୀମତୀ କହିଲେ,—ମୁଁ ତାକୁ ପରେ ସଜାଡ଼ିବି, ଆଉ ମୁଁ କହିଲି,—ମୁଁ ସଜାଡ଼ୁ ନାହିଁ, ଦେଖୁଛି, ଭାବୁଛି କେଉଁଠି ରଖିଲେ ଭଲ ଦେଖାଯିବ ।

 

ଶ୍ରୀମତୀ, ପିଲାମାନେ ଓ ପରିତୋଷବାବୁ ସମସ୍ତେ ଥର ଥର କରି ସେହି ମୂର୍ତ୍ତିଆଡ଼କୁ ଚାହିଁଲେ, ମୋ ଭାବନାରେ ଗୁରୁତ୍ତ୍ୱ ଦେଲାପରି । ତା’ପରେ ନିଜ ନିଜ କାମରେ ଆଡ଼େଇ ହୋଇଗଲେ । ମୁଁ ମୂର୍ତ୍ତିର ଧୂଳି ଝାଡ଼ି ଦେଇ ତା’କୁ କିଛି ସମୟ ହାତରେ ଧରିଲି ଓ ପୁଣି ବାକ୍ସ ଭିତରେ ରଖିଦେଲି । ଶ୍ରୀମତୀ ତାକୁ ପରେ ଉପଯୁକ୍ତ ସ୍ଥାନରେ ସଜାଡ଼ି ଦେଇପାରିବେ ।

Image